‘ଶାରଳା ଦାସଙ୍କ ମହାଭାରତ’ ନା ‘ସାରୋଳଦାସ ମହାଭାରଥ’

ଏକ ପୁସ୍ତକ ମେଳାରେ ହଠାତ ମୋତେ ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’। ଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର କରିଥିଲି ଯେ ସେ ‘ସାରୋଳ’ ନୁହଁନ୍ତି ‘ସାରୋଳଦାସ’ ଓ ତାଙ୍କ ଦ୍ଵାରା ଲିଖିତ କାବ୍ୟଗ୍ରନ୍ଥ ‘ମହାଭାରତ’ ମଧ୍ୟ ନୁହେଁ, ତାହା ‘ମହାଭାରଥ’। କେମିତି?

Mahabharat Of Sarala Das

  • Published: Saturday, 07 September 2024
  • , Updated: 07 September 2024, 03:31 PM IST

ଦେବ ରଞ୍ଜନ

ଏକ ପୁସ୍ତକ ମେଳାରେ ହଠାତ ମୋତେ ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’। ଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର କରିଥିଲି ଯେ ସେ ‘ସାରୋଳ’ ନୁହଁନ୍ତି ‘ସାରୋଳଦାସ’ ଓ ତାଙ୍କ ଦ୍ଵାରା ଲିଖିତ କାବ୍ୟଗ୍ରନ୍ଥ ‘ମହାଭାରତ’ ମଧ୍ୟ ନୁହେଁ, ତାହା ‘ମହାଭାରଥ’। କେମିତି?

ଭାରତୀୟ ଜନଜୀବନରେ ‘ମହାଭାରତ’ର ଚରିତ୍ରମାନଙ୍କୁ ଆଜି ବି ଆମର ଲେଖକ, କବି, ରାଜନୈତିକ ନେତା ଓ ପ୍ରବଚକ ଜୀବନ୍ତ କରିରଖିଛନ୍ତି। ସେମାନେ ଉଦାହରଣ ଛଳରେ ଏହି ମହାଭାରତର ଚରିତ୍ରମାନଙ୍କୁ ଦର୍ଶାଇ ଆଜିର ପରିସ୍ଥିତିକୁ ବର୍ଣ୍ଣନା କରିବାରେ ଅଧିକ ସହଜ ମନେ କରୁଛନ୍ତି। ଏହାର ଅର୍ଥ ମହାଭାରତର ଚରିତ୍ରମାନେ ଆଜି ବି ଆମ ଚାରିପାଖରେ ବୁଲୁଛନ୍ତି। ସତରେ କେତେ ପ୍ରଭାବଶାଳୀ ଏହି ଗ୍ରନ୍ଥ!

ଐତିହାସିକଙ୍କ ମତରେ ଏହି କାବ୍ୟଗ୍ରନ୍ଥର ରଚନା କାଳ ବୁଦ୍ଧଙ୍କ ଆବିର୍ଭାବ ପରେ। କେହି ଏହାକୁ ଖ୍ରୀଷ୍ଟପୂର୍ବ ପାଞ୍ଚ ଶହ କହୁଛନ୍ତି ତ କେହି ଏହାକୁ ତିନିଶହ କହୁଛନ୍ତି। ସଂସ୍କୃତ ମହାଭାରତ ମାତ୍ର ୮୦୦୦ ଶ୍ଳୋକ ମଧ୍ୟରେ ତାଳପତ୍ର ପୋଥିରେ ଲେଖା ଯାଇଥିଲା। ପାକଳ ତାଳପତ୍ରକୁ ଶୁଖାଇ ପାଗ କରି ତାହା ଉପରେ ସଂସ୍କୃତ ଭାଷାରେ ‘ମହାଭାରତ’ ଲେଖା ହୋଇଥିଲା।

ଶୁଖିଲା ଲିପିବଦ୍ଧ ତାଳପତ୍ରକୁ ମଝିରେ ମଝିରେ ହଳଦୀ ପାଣିରେ ପୋଛି ଶୁଖାଇ ଯତ୍ନ ନିଆଯାଉଥିଲା। ତଥାପି ଏହାର ସଂରକ୍ଷଣ ସମୟ ଶହେ ବା ଦେଢ଼ ଶହ ବର୍ଷରୁ ଅଧିକ ନଥିଲା। ତେଣୁ ‘ମହାଭାରତ’ର ବାରମ୍ବାର ନକଲ ହେବା ଭିତରେ ଅନେକ ବ୍ୟାସ ସୃଷ୍ଟି ହୋଇଛନ୍ତି ଯେଉଁମାନେ ନିଜର ଢଙ୍ଗରେ ଏହାର ଚରିତ୍ର ଓ କାହାଣୀକୁ ବଦଳାଇ ଚାଲିଛନ୍ତି। କୁହାଯାଏ ଏହାର ଆଦିପର୍ବରେ ସମଗ୍ର ‘ମହାଭାରତ’ ରହିଛି।

ମୂଳ ସଂସ୍କୃତ ମହାଭାରତ ୧୮୩୮ ଖ୍ରୀଷ୍ଟାବ୍ଦରେ ଛପା ହେବା ବେଳକୁ ଏହାର ଶ୍ଳୋକ ସଂଖ୍ୟା ୮୦୦୦ରୁ ଯାଇ ଏକ ଲକ୍ଷରେ ପହଞ୍ଚି ସାରିଥିଲା। ତେଣୁ ଶୁଦ୍ଧ ସଂସ୍କୃତ ମହାଭାରତ ବା ମହାଭାରତର କ୍ରିଟିକାଲ ଏଡିସନର ପ୍ରସ୍ତୁତିର ଦାୟିତ୍ଵ ୧୯୧୯ ମସିହାରେ ପୁନେର ଭଣ୍ଡାରକର ଇନଷ୍ଟିଚ୍ୟୁଟ ଅଫ ଓରିଏଣ୍ଟାଲ ଷ୍ଟଡ଼ିଜ ଉପରେ ପଡିଥିଲା। ୧୯୬୯ ମସିହାରେ ଏହା ଯେବେ ପ୍ରକାଶିତ ହେଉଛି ସେତେବେଳେ ଶୁଦ୍ଧ ସଂସ୍କୃତ ମହାଭାରତର ଶ୍ଳୋକ ସଂଖ୍ୟା ପହଞ୍ଚିଛି ଚଉସ୍ତରୀ ହଜାର ଆଠ ଶହରେ। ଅର୍ଥାତ ପ୍ରାୟ ଛବିଶ ହଜାର ଶ୍ଳୋକକୁ ଇନଷ୍ଟିଚ୍ୟୁଟ ବାଦ ଦେଇଛି।

ଏହା ପୂର୍ବରୁ କିନ୍ତୁ ସଂସ୍କୃତ ମହାଭାରତର ପୋଥିରୂପ ଭାରତ ମହାଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚିଛି। ଏହାର ଅନୁବାଦ ବିଭିନ୍ନ ଭାଷାରେ ଜ୍ଞାନୀମାନଙ୍କ ଦ୍ଵାରା ହୋଇଛି। ତେଲୁଗୁ ଭାଷାରେ ଏହାର ପ୍ରଥମ ଅନୁବାଦ ହୋଇଛି। ବାରଶହ ଓ ତେରଶହ ଶତାବ୍ଦୀକୁ ଆସିଲା ବେଳକୁ କନ୍ନଡ଼, ତାମିଲ, ଗୁଜୁରାଟି, ବଙ୍ଗାଳୀ ଓ ମରାଠୀ ଇତ୍ୟାଦି ଭାଷାରେ କେହି କେହି ଏହାର ଅନୁବାଦ କରିସାରିଲେଣି।

ସଂସ୍କୃତ ମହାଭାରତର ଆଞ୍ଚଳିକ ଭାଷାରେ ଅନୁବାଦ ମଧ୍ୟରେ କେହି କେହି କେବଳ ଏହାର କେତେକ ଚରିତ୍ରମାନଙ୍କ ପ୍ରାଧାନ୍ୟକୁ କେଉଁଠି ଅଧିକ କରିଛନ୍ତି ତ କେହି ଏହାକୁ ଗୌଣ କରିଛନ୍ତି। କିନ୍ତୁ ନିଜ ଅଞ୍ଚଳର ଇତିହାସ, ସାମାଜିକ ଜୀବନ, ପର୍ବପର୍ବାଣି, ଦେବାଦେବୀଙ୍କ ଉପସ୍ଥିତି ଆଧାରରେ ମହାଭାରତର ଅନୁସୃଜନ କୌଣସି ଭାରତୀୟ ଭାଷାରେ ହୋଇନଥିଲା ଯାହା ପ୍ରଥମେ ସାରୋଳଦାସ ଓଡ଼ିଆ ମହାଭାରଥରେ କରିଛନ୍ତି। ଏହାକୁ ଅବଶ୍ୟ ନିଶ୍ଚିତ କରାଯାଇପାରିବ। ସେ ନିଜର ଗ୍ରନ୍ଥର ନାମକରଣ କେଉଁଠାରେ ବି ‘ମହାଭାରତ’ ଉଲ୍ଲେଖ କରିନାହାନ୍ତି ବରଂ ସମସ୍ତ ସ୍ଥାନରେ ‘ମହାଭାରଥ’ ଉଲ୍ଲେଖ କରିଛନ୍ତି। (ଗୌରାଙ୍ଗ ଦାଶ)

ଓଡ଼ିଆ ମହାଭାରତ ଯାହାକୁ ସାରଳାଙ୍କ ନାମରେ ନାମିତ କରାଯାଇଛି ତାହା ପ୍ରଥମେ ଗୌରୀଶଙ୍କର ରାୟଙ୍କ ଦ୍ଵାରା ୧୮୯୮ ମସିହାରେ ଛପାଯାଉଛି। ଏହା ପୂର୍ବରୁ ଓଡ଼ିଆ ମହାଭାରତ କେବଳ ତାଳପତ୍ର ପୋଥିରେ ଥିଲା। ଗୌରିଶଙ୍କରଙ୍କ ପରେ ୧୯୧୭ରେ ମନମୋହନ ପୁସ୍ତକାଳୟ, ୧୯୨୭ରେ ରାଧାରମଣ ପୁସ୍ତକାଳୟ ଏବଂ ଧର୍ମଗ୍ରନ୍ଥ ଷ୍ଟୋର ଶାରଳା ଦାସଙ୍କ ନାମରେ (ଛପା ବର୍ଷ ଉଲ୍ଲେଖ ନାହିଁ) ‘ମହାଭାରତ’ ଛାପିଛନ୍ତି। (ଅସିତ ମହାନ୍ତି)

ମୂଳ ସଂସ୍କୃତ ମହାଭାରତର ଯେଉଁ ଅନୁସୃଜନ ସାରୋଳଦାସଙ୍କ ଦ୍ଵାରା ହୋଇଛି ତାହାକୁ ଫକିର ମୋହନ ସେନାପତି ଆଦୌ ପସନ୍ଦ କରିନାହାନ୍ତି। ସେ ଉଭୟ ସଂସ୍କୃତ ମହାଭାରତକୁ ପଢ଼ିଛନ୍ତି ଓ ଏହା ସହିତ ସାରୋଳଦାସଙ୍କ ଓଡ଼ିଆ ମହାଭାରଥକୁ ମଧ୍ୟ। ସେ ଏହି ଅନୁସୃଜନ ସମ୍ପର୍କରେ ମନ୍ତବ୍ୟ ଦେଉଛନ୍ତି, ‘ମୂଳଗ୍ରନ୍ଥ (ବ୍ୟାସ ମହାଭାରତ) ସହିତ ଏହି ଗ୍ରନ୍ଥ ଏତେ ପୃଥକ, ଆଖ୍ୟାୟିକାମାନେ ଏତେ ଅଂସଲଗ୍ନ ଓ ବିଶୃଙ୍ଖଳ ଏବଂ ଗ୍ରାମ୍ୟ ଭାଷାରେ ପରିପୂର୍ଣ୍ଣ ଯେ, ଏହାକୁ ମହାଭାରତ(ଥ) ବୋଇଲେ ମୂଳ ଭାରତକୁ ନିତାନ୍ତ ଅବମାନନା କରିବାକୁ ହୁଏ। ମୂଳ ଗ୍ରନ୍ଥରେ ଯେଉଁ ବିଷୟକ ଧର୍ମ ଓ ନୀତି ବିଷୟକ ମହାମୂଲ୍ୟ ଉପଦେଶମାନ ଅଛି, ଉତ୍କଳ ଭାରତରେ ତାହାର ଗନ୍ଧ ମାତ୍ର ନାହିଁ ବୋଇଲେ ଅତ୍ୟୁକ୍ତି ହେବ ନାହିଁ।’ (ଉତ୍ସ: ବାଲେଶ୍ଵର ସମ୍ବାଦବାହିକା, ତା: ୨୪/୧୧/୧୮୮୫)

କିନ୍ତୁ ଫକିର ମୋହନଙ୍କ ଏ ବିରକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ସାରୋଳଦାସଙ୍କ ମହାଭାରଥ ଆଦୌ ବ୍ୟାସ ମହାଭାରତ ନୁହେଁ।

ମାତ୍ର ପୋଥିରୁ ଛପାହୋଇ ବାହାରିଥିବା ଓଡ଼ିଆ ମହାଭାରତ ଯେ ପ୍ରକୃତ ମହାଭାରତ ନୁହେଁ ଏହା ଯେ ଅପମିଶ୍ରଣ ଏହି କଥା ମୁଁ ପ୍ରଥମେ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ପୁସ୍ତକ ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’ ପଢ଼ିବା ଭିତରେ ଜାଣିପାରିଲି। ଏହି ସାରୋଳଦାସଙ୍କୁ ପରବର୍ତ୍ତୀ ସମୟରେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ନାମିତ କରାଯାଇଛି।

ଗୋପୀନାଥ ମହାନ୍ତିଙ୍କୁ ଏ ପୋଥି ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଜଣେ ପୋଥିପ୍ରେମୀଙ୍କ ପରିବାରଠାରୁ ୧୯୫୫-୫୬ ମସିହାରେ ମିଳିଛି। ସେ ସେହି ପୋଥି ଧରି ଛପା ମହାଭାରତର ତୁଳନା କରିଛନ୍ତି ଓ ଶେଷରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ଶାରଳା ଦାସ ଅଥବା ସାରଳା ଦାସ ନାମରେ ମିଳୁଥିବା ‘ମହାଭାରତ’ ପ୍ରକୃତ ଓଡ଼ିଆ ମହାଭାରତ ନୁହେଁ। ଏହାକୁ ସେ ବିଭିନ୍ନ ସମୟରେ ବିଭିନ୍ନ ପତ୍ରିକାରେ ଲେଖିଛନ୍ତି। ପରେ ସେହି ଲେଖାଗୁଡ଼ିକ ସଂକଳିତ ହୋଇ ପକ୍ଷୀଘର ଦ୍ଵାରା ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’ ନାମରେ ୨୦୧୮ ରେ ପ୍ରକାଶ ପାଇଲା ଯାହା ମୋ ହାତରେ ଅଛି।

ଗୋପୀନାଥ ମହାନ୍ତିଙ୍କ ପୂର୍ବରୁ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ ଏକ ଲେଖା ପ୍ରକାଶ କରିଥିଲେ ଯାହା ମୁଁ ପରେ ଜାଣିଲି। ଓଡ଼ିଶା ସରକାରଙ୍କ (ସାଂସ୍କୃତିକ ବ୍ୟାପାର ବିଭାଗ) ସହଯୋଗରେ ଓଡ଼ିଆ ମହାଭାରତର ଏକ ଶୁଦ୍ଧ ସଂସ୍କରଣ ତାଙ୍କ ଉଦ୍ୟମରେ ହୋଇଥିଲା। କିନ୍ତୁ ସେ ମଧ୍ୟ ଏହାର ନାମକରଣ କରିଛନ୍ତି ‘ସାରଳା ମହାଭାରତ’। ଏହାର ଡିଜିଟାଲ କପି ଓଡ଼ିଆବିଭବ ଡଟ କମରେ ଉପଲବ୍ଧ। ଏହା ମଧ୍ୟ ‘ତୃଟିଯୁକ୍ତ’ ଓ ‘ଅସ୍ପଷ୍ଟ’ ବୋଲି ଗୋପୀନାଥ ମହାନ୍ତି ଲେଖନ୍ତି।

ଉକ୍ତ ଶୁଦ୍ଧ ସଂସ୍କରଣ ଉପରେ ଗୋପୀନାଥ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ‘ସାରଳା ମହାଭାରତ’ ଉପରେ ଗୋପୀନାଥ ମହାନ୍ତିଙ୍କ ବକ୍ତବ୍ୟ ହେଲା, ‘କେଉଁ ପୋଥି ମୂଳ ଲେଖା ବୋଲି ଭାବିଲେ କି କି କାରଣରୁ, ଅନ୍ୟାନ୍ୟ ପୋଥିରେ ତହିଁରୁ ଭିନେ ହୋଇ ବିକଳ୍ପ କଣ କଣ ଅଛି, ସେଗୁଡିକ କେଉଁ କାରଣରୁ ସେ ଅଗ୍ରାହ୍ୟ କଲେ, ସେ ସବୁ କଥା ସେ ଲେଖିଲେ ନାହିଁ।’ ଏହି ଅସ୍ପଷ୍ଟତା କାରଣରୁ ଆର୍ତ୍ତ ବଲ୍ଲଭଙ୍କ ସମ୍ପାଦିତ ‘ସାରଳା ମହାଭାରତ’ରେ ଅନେକ ସମସ୍ୟା ଥିବା ଗୋପୀନାଥ ମହାନ୍ତି ଦର୍ଶାଇଛନ୍ତି।

ଯଦି ସାରୋଳଦାସ ପ୍ରକୃତ ଶାରଳା ଦାସ ନୁହନ୍ତି ତେବେ ଏହାଙ୍କ ସମୟ କାଳ କଣ? ଏହି ନୂତନ ସାରୋଳଦାସ କଣ କପିଳେନ୍ଦ୍ର ଦେବଙ୍କ ସମସାମୟିକ ନୁହନ୍ତି? ଆମେ ଯେ କପିଳେନ୍ଦ୍ରଙ୍କୁ ଓଡ଼ିଆ ଅସ୍ମିତାର ପ୍ରତୀକ କହିଲା ବେଳେ ସେ ଗଢ଼ିଥିବା ପରିବେଶ ଓ ଦେଇଥିବା ପ୍ରୋତ୍ସାହନ ଶାରଳା ଦାସଙ୍କୁ ମହାଭାରତ ଲେଖିବା ଲାଗି ସାହାଯ୍ୟ କରିଥିବାର ଯୁକ୍ତି କରିଥାଉ?

ଏହି ପ୍ରଶ୍ନ ଉପରେ ପରଦା ହଟିଲା ଯେବେ ମୁଁ ଭାଷାବିତ ଡକ୍ଟର ଗୌରାଙ୍ଗ ଚରଣ ଦାଶଙ୍କ ସଂସ୍ପର୍ଶରେ ଆସିଲି। ଦିନେ ସେ ମୋତେ ‘ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ’ର ସଭାକକ୍ଷରେ ସାରୋଳଦାସ ମହାଭାରଥର ଏକ ଉନ୍ମୋଚନ ସଭାକୁ ଡାକିଥିଲେ। ତାହା ଥିଲା ଏପ୍ରିଲ ୧୪, ୨୦୨୧ ତାରିଖ। ସାରୋଳଦାସ ମହାଭାରଥର ପ୍ରକାଶିତ ଦୁଇଖଣ୍ଡ ବହି - ‘ଆଦିପର୍ବ’ ଓ କର୍ଣ୍ଣାଦିଦଶପର୍ବ (ଶେଷ ଦଶ ପର୍ବ ମିଳିତ ଭାବରେ) - କିଣି ଆଣିଥିଲି। ଏହାକୁ ସମ୍ପାଦନା କରିଛନ୍ତି ଗୌରାଙ୍ଗ ଚରଣ ଦାଶ, ପ୍ରଦୀପ୍ତ କୁମାର ପଣ୍ଡା, ଭାଗ୍ୟଲିପି ମଲ୍ଲ ଓ ଫଣୀନ୍ଦ୍ର ଭୂଷଣ ନନ୍ଦ।

ଗବେଷଣାର ଭାଷାରେ ‘କ୍ରିଟିକାଲ ଏଡିସନ’ର ଅର୍ଥ ହୋଇପାରେ ଶୁଦ୍ଧ ସଂସ୍କରଣ। ଆଜିକୁ ଏକ ହଜାର ବର୍ଷ ତଳେ ସାରୋଳଦାସ ନିଜେ ଯେଉଁ ପୋଥି ଲେଖିଥିଲେ ତାହା ଆଜି ମିଳିବା ଯେହେତୁ ସମ୍ଭବ ନୁହେଁ ତେଣୁ ଏହା ସଂପୂର୍ଣ୍ଣ ଶୁଦ୍ଧ କୁହା ନଯାଇପାରେ ବୋଲି ସେମାନେ ସ୍ଵୀକାର କରନ୍ତି। ଏହି କାର୍ଯ୍ୟ ଲାଗି ଅବଶ୍ୟ କେନ୍ଦ୍ର ସରକାର ଅନୁଦାନ ଯୋଗାଇଦେଇଛନ୍ତି ଓ ଏକ ପ୍ରାଇଭେଟ ବିଶ୍ୱବିଦ୍ୟାଳୟ ନିଜର ଭିତ୍ତିଭୂମି ଯୋଗାଇଦେଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂଗ୍ରହାଳୟ ଓ ବ୍ୟକ୍ତିଗତ ଭାବରେ ସାଇତି ରଖିଥିବା ସେହି ବ୍ୟକ୍ତିମାନଙ୍କ ଠାରୁ ପୋଥି ସଂଗ୍ରହ କରି ଏହି ସଂକଳନକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି।

କ୍ରମଶଃ ସ୍ପଷ୍ଟ ହେଲା ଯେ ସାରୋଳଦାସ କୌଣସି ଠାରେ ବି ମହାଭାରତ ଶବ୍ଦ ବ୍ୟବହାର କରିନାହାନ୍ତି କିମ୍ବା ନିଜର ନାମ ସେ କୌଣସି ଠାରେ ଶାରଳା ଦାସ ବା ସାରଳା ଦାସ ଲେଖିନାହାନ୍ତି। ଏହା ମଧ୍ୟ ସ୍ପଷ୍ଟ ହେଲା ଯେ ସାରୋଳଦାସ ଆଦୌ ଚତୁର୍ଦ୍ଦଶ ଶତାବ୍ଦୀର କପିଳେନ୍ଦ୍ର ଦେବଙ୍କ ସମୟର ନୁହନ୍ତି। ତାଙ୍କର ଘର ଝଙ୍କଡ଼ ଶାରଳା ହୋଇଥିବା ତାଙ୍କ ଲିଖିତ ‘ମହାଭାରଥ’ ଓ ‘ଚଣ୍ଡି ପୁରାଣ’ରୁ ପ୍ରମାଣ ମିଳୁନାହିଁ। ତେଣୁ କପିଳେନ୍ଦ୍ର ଦେବଙ୍କ ଅନେକ ପୂର୍ବରୁ ସାରୋଳଦାସ ଜନ୍ମିତ। ତାଙ୍କର ଗ୍ରାମ ସମ୍ପର୍କରେ କ୍ଵଚିତ ବର୍ଣ୍ଣନା କରିଛନ୍ତି। ଅନୁମାନ ଯେ କୋଣାର୍କ ନିକଟସ୍ଥ ‘କଣିଆଁ’ ତାଙ୍କର ଗ୍ରାମ(ଗୋପୀନାଥ ମହାନ୍ତି)।

ମୁଁ ଇତିମଧ୍ୟରେ ନୂତନ ପ୍ରକାଶିତ ସାରୋଳଦାସଙ୍କ ମହାଭାରଥର ପଦ୍ୟ ସହିତ ଧର୍ମଗ୍ରନ୍ଥ ଷ୍ଟୋର ଦ୍ଵାରା ପ୍ରକାଶିତ ଶାରଳା ଦାସଙ୍କ ମହାଭାରତ କାବ୍ୟଗ୍ରନ୍ଥର ତୁଳନା କରୁଥିଲି। ଅନେକ ଅସାମଞ୍ଜସ୍ୟ ରହିଛି। କେତେକ ଉଦାହରଣ ଦେଉଛି।

ସାରୋଳଦାସ ମହାଭାରଥ : ‘ସାରୋଳଚଣ୍ଡୀ ନାମେ ଅଟଇ ସେ ଦେବୀ / ତାହାର ପୁତ୍ର (ସେବକ) ମୁଁ ଯେ ସାରୋଳଦାସ କବି। (ସରୋଳ ଚଣ୍ଡୀ ତୁସ୍ତି ଓ କବି ପରିଚୟ/ ଆଦିପର୍ବ)। ସେହି ସମାନ ପଦକୁ ବଦଳାଇ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି : ଶାରଳା ଚଣ୍ଡୀ ସାକ୍ଷାତେ ଅଟଇ ଭୈରବୀ / ତାହାର ପୁତ୍ର ଶାରଳା ଦାସ ମୁହିଁ କବି। (ଶାରଳାଙ୍କ ବନ୍ଦନା / ଆଦିପର୍ବ)।

ପୁଣି ସାରୋଳଦାସ ମହାଭାରଥ : ପ୍ରସନେ ଆଗ୍ୟାଂ ମୋତେ ଦେଲେ ଶକମ୍ବରୀ / ଲାଭ ତୁ କପିଳାସ ଶ୍ରୀମହାଭାରଥ ଗ୍ରନ୍ଥକରି। ଶାରଳା ଦାସଙ୍କ ମହାଭାରତ : ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକମ୍ବରୀ / ଲଭ ତୁ ବିଳାସ ମହାଭାରତ ବିସ୍ତାରୀ।

ସାରୋଳଦାସ ମହାଭାରଥ : ଭାରଥ ଗ୍ରଂଥ ଯହୁଂ ସେ ହୋଇଲା ମହାଭାରା / ତହୁଂ ମହାଭାରଥ ନାମ ଦେଲେ କଶ୍ୟପ ଅଂଗିରା। ଶାରଳା ଦାସଙ୍କ ମହାଭାରତ ଏ ସମ୍ପର୍କରେ ନୀରବ ରହିଛି।

ନୂତନ ସାରୋଳଦାସ ମହାଭାରଥ ଏହା ପ୍ରମାଣିତ କରୁଛି ଯେ ସାରୋଳଦାସଙ୍କ ପରେ ବଳରାମ ଦାସ, ଜଗନ୍ନାଥ ଦାସ ପ୍ରମୁଖଙ୍କ ଠାରୁ ଭୀମଭୋଇଙ୍କ ପର୍ଯ୍ୟନ୍ତ ପୋଥିରେ ଲେଖିଥିବା ପ୍ରତ୍ୟେକ କବିଙ୍କର ଏହିଭଳି ଶୁଦ୍ଧ ସଂସ୍କରଣ ଜରୁରୀ। ଯଦିଓ ପଠାଣି ସାମନ୍ତ (୧୮୭୬) ପ୍ରଥମେ ପୋଥିରେ ‘ସିଦ୍ଧାନ୍ତ ଦର୍ପଣ’ ଲେଖିଥିଲେ, କିନ୍ତୁ ତାଙ୍କରି ସମୟରେ ଏହା ପୁସ୍ତକ ଆକାରରେ ଛପା ହେବା ହେତୁ ସେ ଏହାର ପୃଫ ନିଜେ ଦେଖିପାରିଥିଲେ।

ଏବେ ଓଡ଼ିଆ ସାହିତ୍ୟରେ ଏକ ବିରାଟ କ୍ଷେତ୍ର ସୃଷ୍ଟି ହେଲା ଯାହା ଆଗାମୀ ପିଢ଼ିର ଗବେଷିକା/ଗବେଷକମାନେ ବାକି ପୋଥିରେ ଲେଖିଥିବା କବିଙ୍କ କ୍ରିଟିକାଲ ଏଡିସନ ମଧ୍ୟ କରିପାରିବେ। ସେଥିପାଇଁ ଯେ ସର୍ବଦା କେନ୍ଦ୍ର ସରକାରଙ୍କ ସହଯୋଗ ରହିବ ଓ କୌଣସି ଏକ ବିଶ୍ୱବିଦ୍ୟାଳୟ ଏଥିଲାଗି ସ୍ଥାନ ଦେବ ତାହା ନୁହେଁ। ଆଜି ପ୍ରାଚୀନ ସାରୋଳଦାସ ମହାଭାରଥ ପ୍ରକାଶିତ ହେବା ପରେ ସେହି ଦଶମ ଓ ଏକାଦଶ ଶତାବ୍ଦୀର ଓଡ଼ିଆ ଜନଜୀବନ, ଜାତିପ୍ରଥା, ବ୍ରାହ୍ମଣର ଉପସ୍ଥିତି, ରାଜାଙ୍କ ଯୁଦ୍ଧ ଖୋର ମନୋବୃତ୍ତି ଇତ୍ୟାଦି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ।

ଫୋ- ୯୪୩୭୭୬୨୨୭୨

Related story