/odisha-reporter/media/media_files/2025/12/01/maize-firm-2025-12-01-11-55-41.jpg)
Maize Firm Photograph: (Internet)
ଜାନକୀଶ ବଡ଼ପଣ୍ଡା
ଧାନ ପରେ ଓଡ଼ିଶାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟଶସ୍ୟ ଭାବେ ପରିଗଣିତ ହୁଏ ମକା। ଏଣୁ ଅଣଧାନ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ୧୫ଟି ଜିଲ୍ଲାର ୪୫ଟି ବ୍ଲକରେ ‘ମୁଖ୍ୟମନ୍ତ୍ରୀ ମକା ମିଶନ’ କାର୍ଯ୍ୟକରୁଛି। ଏହି ମିଶନ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ, ମିଶନ ଶକ୍ତି ଏବଂ ଓରମାସ ଇତ୍ୟାଦିଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ସହଭାଗିତାରେ କାମ କରିବା ଫଳରେ ନିୟମିତ ଭାବେ କ୍ରେତା-ବିକ୍ରେତାଙ୍କ ବୈଠକ ହେଉଛି। ଏହା ମକା ବିକ୍ରିବଟା ପାଇଁ ସହାୟକ ହୁଏ। ଆମ ରାଜ୍ୟରେ ଉତ୍ପାଦିତ ମକାର ୩୦ ପ୍ରତିଶତ କେବଳ ନବରଙ୍ଗପୁର ଜିଲ୍ଲାରେ ହୋଇଥିଲା ବେଳେ ସମଗ୍ର ରାଜ୍ୟରେ ଉତ୍ପାଦିତ ମକା ପରିମାଣର ୯୨ ପ୍ରତିଶତ ଖରିଫ୍ ଋତୁରେ ହୋଇଥାଏ। ୨୦୨୫ ବର୍ଷ ପାଇଁ ରାଜ୍ୟର ୨.୭୪ ଲକ୍ଷ ହେକ୍ଟର ଚାଷଜମିରେ ଖରିଫ୍ ମକାଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରା ଯାଇଥିଲା।
ଆଜିକାଲି ପୌଷ୍ଟିକ ଛତୁଆ ବ୍ୟତିତ କୁକୁଡ଼ା ଓ ଗୋଖାଦ୍ୟ ପ୍ରସ୍ତୁତିରେ ମକାର ବ୍ୟବହାର ବଢ଼ି ଚାଲିଛି। ତାହା ସହିତ କର୍ନ ଫ୍ଲୋର୍, କର୍ନ ଫ୍ଲେକ୍ସ, ପପ୍ କର୍ନ ଇତ୍ୟାଦିର ଚାହିଦା ବଢୁଥିବାରୁ ମକାର ଚାହିଦା ବଢୁଛି। ଭାରତୀୟମାନଙ୍କର ‘ମିଠା ମକା’ ଓ ‘ବେବି କର୍ନ’ର ବର୍ଦ୍ଧିତ ଚାହିଦା ସହିତ ସରକାରଙ୍କ ଇଥାନଲ ମିଶ୍ରଣ ନୀତି ଯୋଗୁ ମକା ଚାଷ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇଛି। ସମଗ୍ର ବିଶ୍ୱରେ ଏବଂ ଆମ ଭାରତରେ ମଧ୍ୟ ମକା ଏକ ମୂଲ୍ୟବାନ ଫସଲ। ଉତ୍ପାଦିତ ମକାର ୨୫% ମାନବ ଆହାର, ୧୨% ପଶୁ ଆହାର, ୪୯% କୁକୁଡ଼ା ଆହାର ଏବଂ ୧୨% ବାଣିଜ୍ୟ ଲାଗି ବ୍ୟବହାର କରାଯାଏ। ଅନେକ ଲୋକ କଞ୍ଚା ମକା ପୋଡ଼ି ଖାଇବାକୁ ଭଲ ପାଆନ୍ତି। ବିଶେଷ କରି ସହରାଞ୍ଚଳରେ ଏହା ବହୁଳ ଭାବେ ବିକ୍ରି ହୁଏ। ଭାରତୀୟ ମକା ଗବେଷଣା ସଂସ୍ଥାନ, ସିଆଇଏମଏମଓଆଇଟି ଏବଂ ଓୟୁଏଟି ପରି ବୈଜ୍ଞାନିକ ଅନୁଷ୍ଠାନ ଗୁଡ଼ିକ ମକା ଚାଷ ଏବଂ ମୂଲ୍ୟ ସଂଯୋଜନ ପାଇଁ ବୈଷୟିକ ସହାୟତା ଯୋଗାଇ ଦେଉଛନ୍ତି। ନବରଙ୍ଗପୁରରେ ବିଜୟନଗର ବାୟୋ-ଟେକ, ଏକ ମକା ଆଧାରିତ ଷ୍ଟାର୍ଚ ଇଣ୍ତଷ୍ଟ୍ରି ସ୍ଥାପନ କରି ରାଜ୍ୟରେ ମକା ଚାଷ ପାଇଁ ଏକ ପ୍ରେରଣାଦାୟକ ଉତ୍ସ ହେବାକୁ ଯାଉଛି। ଓଡ଼ିଶାରେ ଚାଉଳ କୁଣ୍ଡା, ଶୁଖୁଆ, ସାମୁଦ୍ରିକ ମାଛ ଏବଂ ମକା ମିଳୁ ଥିବାରୁ ବହୁ ସଂଖ୍ୟକ କୁକୁଡ଼ା ଦାନା କାରଖାନା ସ୍ଥାପିତ ହୋଇ ପାରିବ। ଓଡ଼ିଶାରେ ଶସ୍ତାରେ ଦାନା ମିଳିଲେ, ଅଣ୍ଡା ଏବଂ ମାଂସ ପାଇଁ ଅନେକ କୁକୁଡ଼ା ପାଳନ କେନ୍ଦ୍ର ନିର୍ମାଣ ହୋଇ ପାରିବ। ନିଯୁକ୍ତି ସୁଯୋଗ ବଢ଼ାଇବା ତଥା କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ପାଇଁ ମକା ଚାଷ ବରଦାୟକ ହୋଇ ପାରିବ।
ମକା ମିଶନ ମାଧ୍ୟମରେ ଚାଷୀମାନଙ୍କୁ କୃଷକ ଉତ୍ପାଦକ ସଂଗଠନ ଓ କ୍ଲଷ୍ଟର ଆଧାରରେ ମକା ଚାଷ ଓ ବିପଣନରେ ସହାୟତା ଯୋଗାଇ ଦିଆ ଯାଉଛି। ଏହି ମିଶନ ଦୁଇଟି ଆବଶ୍ୟକତାକୁ ଯୋଡ଼ି ପାରିଛି- ମକା ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କୁ ଉତ୍ତମ ବଜାର ମୂଲ୍ୟ ପ୍ରଦାନ। ରାଜ୍ୟରେ କ୍ରମଶଃ ମକା ଚାଷ କ୍ଷେତ୍ର ସୁଦୃଢ଼ ହେବା ସହ ମକା ଚାଷ ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେଉଛି। କେନ୍ଦ୍ର ସରକାର ମକାର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨,୪୦୦ଟଙ୍କା ଘୋଷଣା କରିଥିବାରୁ ଜାତୀୟ କୃଷି ବିପଣନ ଫେଡେରେସନ୍ (ନାଫେଡ୍) ପକ୍ଷରୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କୁ ବର୍ଦ୍ଧିତ ମୂଲ୍ୟ ୨,୬୭୦ଟଙ୍କା ପ୍ରଦାନ କରି ମଣ୍ଡିରୁ ମକା କିଣୁଥିଲେ ବି ବେପାରୀମାନେ ଗାଁ ଗାଁ ବୁଲି କୁଇଣ୍ଟାଲ ପିଛା ୧,୬୦୦ରୁ ୧,୮୦୦ ଟଙ୍କା ଦେଇ ଚାଷୀଙ୍କ ଘରୁ ମକା କିଣିନେଉଥିବାର ଅଭିଯୋଗ ଶୁଣିବାକୁ ମିଳୁଛି।
ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, ହାଇବ୍ରିଡ ବିହନ ଉତ୍ପାଦନ, କଷ୍ଟମାଇଜଡ ଆଗ୍ରୋ-ସର୍ଭିସ ସେଣ୍ଟର ସ୍ଥାପନ ଏବଂ ସ୍ୱତନ୍ତ୍ର କିସମ ମକା’ଚାଷ କରିବାକୁ ପ୍ରୋତ୍ସାହନ ଦିଆଯିବା କାରଣରୁ ସର୍ବ ଭାରତୀୟ ସ୍ତରରେ ହେକ୍ଟର୍ ପିଛା ୨୦.୧୫ କୁଇଣ୍ଟାଲ ଅମଳ ହେଉଥିଲା ବେଳେ ଓଡ଼ିଶାରେ ପ୍ରାୟ ୨୦.୯୮ କୁଇଣ୍ଟାଲ ଅମଳ ହେଉଛି। ତେବେ, ମକା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବହୁପଛରେ ରହିଛି। ଆମ ରାଜ୍ୟରେ ପ୍ରାୟ ୭.୫ ଲକ୍ଷ ଟନ୍ ମକା ଉତ୍ପାଦନ ହେଉଥିଲା ବେଳେ ମଧ୍ୟ ପ୍ରଦେଶରେ ୬୫.୮ ଲକ୍ଷ ଟନ୍, କର୍ଣ୍ଣାଟକରେ (୫୪.୨୩) ଏବଂ ମହାରଷ୍ଟ୍ରରେ ୪୨.୬୬ ଲକ୍ଷ ଟନ୍ ମକା ଉତ୍ପାଦନ କରାଯାଏ। କର୍ଣ୍ଣାଟକରେ ପ୍ରାୟ ୩୪.୫ ଲକ୍ଷ ଏକର ଜମିରେ ମକା ଚାଷ ହୋଇଥିଲା ବେଳେ ଆମ ରାଜ୍ୟରେ ମାତ୍ର ୬.୭୭ ଲକ୍ଷ ଏକର ଜମିରେ ମକା ଚାଷ କରାଯାଉଛି। ଏକ ଏକର ଜମିରୁ ସାଧାରଣତଃ ୧୮-୨୦ କୁଇଣ୍ଟାଲ କଞ୍ଚା ମକା ଅମଳ ହୋଇଥାଏ।
ଜଳବାୟୁର ପରିବର୍ତ୍ତନ ଦ୍ୱାରା ପରିବେଶ ଅସନ୍ତୁଳନ ଆଜି ପୃଥିବୀ ପାଇଁ ଏକ ସମସ୍ୟା ହୋଇ ଠିଆ ହେବାକୁ ଯାଉଛି। ଏହି ସମସ୍ୟାରୁ ମାନବ ସମାଜକୁ ମୁକ୍ତ କରିବା ପାଇଁ ଏବଂ କ୍ଷୁଧା ଦୂର କରିବା ପାଇଁ ଆଜି ପୃଥିବୀର ସମସ୍ତ ରାଷ୍ଟ୍ର ବିଭିନ୍ନ ବିକଳ୍ପ ବିଷୟରେ ଚିନ୍ତା କରୁଛନ୍ତି। ଆମ ଦେଶ ଭାରତ ୧୫୦ କୋଟି ଜନସଂଖ୍ୟାର ଦେଶ। ଆଗାମୀ ଦିନର କ୍ଷୁଧା ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଅତ୍ୟଳ୍ପ ଜଳ ବ୍ୟବହାର କରାଯାଇ ଉତ୍ପାଦିତ ହେଉଥିବା ମୁଖ୍ୟ ଶସ୍ୟ ତଥା କ୍ଷୁଦ୍ର ଶସ୍ୟ (ସୁଆଁ, ମାଣ୍ଡିଆ, କାଙ୍ଗୁ, କୋଦ) ଓ ମକା, ବାଜରା ଆଦି ଶସ୍ୟକୁ ଚାଷୀମାନେ ଏକ ମିଶନ ମୋଡ଼ରେ ଚାଷ କରିବାକୁ ଉତ୍ସାହିତ କରିଚାଲିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ମିଲେଟ ମିଶନ ଓ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଛି।
ଆମ ରାଜ୍ୟର ୪୫ଟି ବ୍ଲକରେ ମକା ମିଶନ କାର୍ଯ୍ୟ କରିବା ପାଇଁ ସରକାରୀ ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଇଛି। ଆମ ରାଜ୍ୟର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକାରୀ ହେଉଛି। ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଓ କରଞ୍ଜିଆ ବ୍ଲକରେ ଏହି କାର୍ଯ୍ୟକ୍ରମ ବ୍ଲକ ପ୍ରତି ୨୨୦ ହେକ୍ଟର ଜମିରେ ମକା ଚାଷ କାର୍ଯ୍ୟ କରାଯିବା ପାଇଁ ସ୍ଥିରୀକୃତ ହୋଇଛି। ଏହି ମକା ମିଶନର ଅବଧି ୫ ବର୍ଷ ଅଟେ। ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତି ବ୍ଲକରେ ୧୪ ହଜାର ହେକ୍ଟରରେ ମକା ଚାଷ କରାଯିବ। ଚାଷୀ ଭାଇମାନେ ମକା ଚାଷକୁ ଗୁରୁତ୍ୱ ଦେବେ ଏବଂ ଉତ୍ପାଦିତ ମକାକୁ ଚାଷୀ ଭାଇମାନଙ୍କ ଦ୍ୱାରା ପଞ୍ଜିକୃତ ସଂଗଠନ ମାଧ୍ୟମରେ ସରକାରୀ ନିର୍ଦ୍ଧାରିତ ଦର ଠାରୁ ଅଧିକ ଦରରେ ଚାଷୀ ଭାଇମାନେ ବିକ୍ରୟ କରି ଅଧିକ ଲାଭବାନ ହୋଇପାରିବେ। ତେବେ, ଧାନ ସଂଗ୍ରହ ବେଳେ ଇନ୍ପୁଟ୍ ସବସିଡି ଦିଆଯାଉଥିବା ଭଳି ମକାର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବସିଡି ଦିଆଯିବା ଆବଶ୍ୟକ ମନେହୁଏ।
ମୁଖ୍ୟମନ୍ତ୍ରୀ ମକା ମିଶନକୁ ବାସ୍ତବରେ ମିଶନ ମୋଡ଼ରେ ନେବା ପାଇଁ ରାଜ୍ୟ ସରକାର ୪ଟି ସ୍ତରରେ କାର୍ଯ୍ୟକୁ ତଦାରଖ କରିବା ପାଇଁ ପ୍ରଥମରେ କୃଷି ବିଭାଗ ଓଡ଼ିଶା ସରକାର, ୨ୟରେ ରାଜ୍ୟ ମନିଟରିଂ ଏଜେନ୍ସି ‘ଆସେସ ଡେଭେଲପମେଣ୍ଟ ସର୍ଭିସେସ’, ୩ୟରେ ପ୍ରତି ବ୍ଲକ ପାଇଁ ଗୋଟିଏ ଗୋଟିଏ ସୁବିଧା-ସୁଯୋଗ ଯୋଗାଉଥିବା ଏଜେନ୍ସି ଓ ୪ର୍ଥ ରେ ଚାଷୀ ଭାଇମାନଙ୍କୁ ନେଇ ତିଆରି ହୋଇଥିବା କୃଷକ ଉତ୍ପାଦକ ସଂଗଠନ ଏହି ୪ଟି ଥାକରେ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏକ ଖସଡ଼ା କରାଯାଇଛି। ମକା ମିଶନରେ ଯୋଡ଼ି ହୋଇଥିବା ଚାଷୀ ଭାଇ ଭଉଣୀମାନେ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ ହେବା ଆବଶ୍ୟକ।
ଚାଷୀମାନେ ବ୍ୟାପକ ମକା ଚାଷ କରିବା ପାଇଁ କିଛି ଉନ୍ନତ ଏବଂ ଅଗ୍ରଣୀ ଚାଷୀ ଭାଇମାନଙ୍କୁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ ଏବଂ ସେହି ଚାଷୀ ଭାଇ ଭଉଣୀ ଅନ୍ୟ ଚାଷୀଙ୍କୁ ଗ୍ରାମୀଣ ସ୍ତରରେ ମକା ଚାଷ କରିବା ପ୍ରଣାଳୀ ଏହାର ରୋଗପୋକକୁ ପ୍ରତିହତ କରିବା ବ୍ୟବସ୍ଥା, ମକା ଅମଳ ପରେ ଏହାର ଶୁଖାଇବା ବ୍ୟବସ୍ଥା ଏବଂ ଏହାର ବଜାରୀକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ଦେବା ପାଇଁ ସରକାରୀ ସ୍ତରରେ ସ୍ଥିର କରାଯାଇଛି।
ମୁଖ୍ୟମନ୍ତ୍ରୀ ମକା ମିଶନ ମାଧ୍ୟମରେ ଉତ୍ପାଦିତ ମକା ଶସ୍ୟ (ଦାନା)କୁ କିପରି ଠିକ ଭାବରେ ବିକ୍ରୟ କରାଯାଇପାରିବ ଏବଂ ଚାଷୀ ଅଧିକ ଲାଭବାନ ହୋଇପାରିବେ ଏ ବିଷୟରେ ଗୁରୁତ୍ୱ ଦିଆ ଯାଉଛି। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନେ ମକା ଚାଷରେ କୃଷି ଯନ୍ତ୍ରପାତିଗୁଡ଼ିକର ବ୍ୟବହାର, ମକା ବିହନର ବିଶୋଧନ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ଗଛରେ ଲାଗୁଥିବା ରୋଗପୋକ ନିୟନ୍ତ୍ରଣ ଉପରେ ଆଲୋକପାତ କରୁଛନ୍ତି। କ୍ଷେତ୍ର ପରିଦର୍ଶନରେ ସଫଳ ଏବଂ ଉନ୍ନତ ମକା କ୍ଷେତକୁ ଯାଇ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଯିବା ପାଇଁ ସର୍ବୋଚ୍ଚ ଧ୍ୟାନ ଦିଆ ଯାଉଛି। ଏହି ସମସ୍ତ ପଦକ୍ଷେପ ନିଆ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ମକା ମିଶନ ଏବଂ ମିଲେଟ୍ ମିଶନ୍ କ୍ରମଶଃ ସଫଳତା ହାସଲ କରୁଛି। ଓଡ଼ିଶା ଚାଷୀ ଅତୀତରେ ଆଳୁ ମିଶନରେ ଭାସି ଯାଇ ହଟହଟା ହୋଇ ଥିବାରୁ ମିଶନ୍ ନାଁ ଶୁଣିଲେ ଆଶଙ୍କିତ ହୋଇ ଯାଉଛନ୍ତି। ଏଣୁ, ସମସ୍ତଙ୍କୁ ସରକାରୀ ଫାଇଲ୍ ଭିତରୁ ବାହାରି ସ୍ୱତଃପ୍ରବୃତ ଭାବେ ନିଷ୍ଠାର ସହିତ ମୁଖ୍ୟମନ୍ତ୍ରୀ ମକା ମିଶନକୁ ସଫଳ କରିବାକୁ ପଡ଼ିବ। ନହେଲେ, ଚାଷୀମାନେ ହତୋତ୍ସାହିତ ହୋଇ ଦାଦନ ଖଟିବାକୁ ବାଧ୍ୟ ହେବେ।
ଫୋ-୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
