ରବି ଦାସ
କଂଗ୍ରେସ ଦଳର ହରିଆଣା ନିର୍ବାଚନରେ ସମ୍ପୂର୍ଣ୍ଣ ବିଜୟ ଆଶା ସତ୍ତ୍ୱେ ଦଳ କ୍ଷମତା ପାଇପାରିଲା ନାହିଁ। ସେନେଇ ଯେଉଁସବୁ ପ୍ରଶ୍ନ ଉଠିଲା ସେଥିରେ ସିଧାସଳଖ ଭାବରେ କଂଗ୍ରେସ ନେତୃତ୍ୱର ନିର୍ବାଚନ ପରିଚାଳନା କରିବା ଢଙ୍ଗ ଓ ନିର୍ବାଚନ ଫଳ ଆସିବାର ବହୁ ପୂର୍ବରୁ ଦଳ କ୍ଷମତାକୁ ଆସିଗଲା ବୋଲି ଭାବି ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଭିନ୍ନ ପ୍ରକାର ବୟାନବାଜି ଆସିବା ଫଳରେ ଦଳର ନେତାମାନେ ଲକ୍ଷ୍ୟପଥରୁ ବିଭ୍ରାଟ ହୋଇଯିବା ସେମାନଙ୍କ ପରାଜୟର ଏକ ମୁଖ୍ୟ କାରଣ ହେଲା।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବା ଏନଡିଏ ବିରୋଧରେ ଇଣ୍ଡିଆ ମେଣ୍ଟ ଗଠନ କରି ଯେଉଁ ସଫଳତା ମିଳିଥିଲା ଓ ଯାହା ଫଳରେ ବିଜେପି ରାମ ମନ୍ଦିର ନିର୍ମାଣର ହାୱା ଭିତରେ ଲୋକସଭାରେ ବିଜେପିକୁ ୨୪୦ ଆସନରେ ସୀମିତ କରାଯାଇଥିଲା ତାହାକୁ ଆଗକୁ ନେବା ପାଇଁ ନିର୍ବାଚନ ପରେ କୌଣସି ପ୍ରୟାସ ହୋଇନଥିଲା। ଦୁଇଟି ନିର୍ବାଚନରେ ଲୋକସଭାରେ ମୁଖ୍ୟ ବିରୋଧି ଦଳ ଭାବରେ ସ୍ୱୀକୃତି ପାଇବାରୁ ବଞ୍ଚିତ ହୋଇ ୨୦୨୪ରେ ୯୯ଟି ଆସନ ହାସଲ କରି ରାହୁଲ ଗାନ୍ଧୀ ବିରୋଧି ଦଳ ନେତାର ମର୍ଯ୍ୟାଦା ପାଇଯିବା ପରେ କଂଗ୍ରେସ ଦଳ ସବୁକିଛି ହାସଲ ହୋଇଗଲା ବୋଲି ଧରିନେଇଥିଲେ। ସେମାନଙ୍କର ବିଶ୍ୱାସ ଜନ୍ମିଗଲା ଯେ, ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ଲୋପ ପାଇଛି ଓ ରାହୁଲ ଗାନ୍ଧୀ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ଲୋକଙ୍କ ଦ୍ୱାରା ସ୍ୱୀକୃତି ପାଇଛନ୍ତି।
ସେମାନେ ଭୁଲିଗଲେ ଯେ, ବିଜେପିକୁ ଯେଉଁ ବଡ଼ ଧକ୍କା ଲୋକସଭା ନିର୍ବାଚନରେ ମିଳିଲା ସେଥିରେ କଂଗ୍ରେସ ଅପେକ୍ଷା ଅନ୍ୟ ଇଣ୍ଡିଆ ମେଣ୍ଟ ଆଞ୍ଚଳିକ ଦଳ ଓ ଲୋକମାନଙ୍କର ପ୍ରମୁଖ ଭୂମିକା ଥିଲା। ଯଦିଓ ଏହା ମଧ୍ୟ ସତ୍ୟ ଯେ, ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ସାଧାରଣରେ ତାଙ୍କୁ ଯେପରି ପପୁ ଭାବରେ ଚିତ୍ରଣ କରାଯାଉଥିଲା ତାହାକୁ ରାହୁଲ ଗାନ୍ଧୀ ୨୦୨୩ରେ କନ୍ୟାକୁମାରୀରୁ ଶ୍ରୀନଗର ପର୍ଯ୍ୟନ୍ତ ଦୀର୍ଘ ୪୦୦୦ କି.ମି.ରୁ ଅଧିକ ପଦଯାତ୍ରା କରି ଯେପରି ବଦଳାଇ ଦେଇଥିଲେ, ସେଥିପ୍ରତି ଜନସାଧାରଣଙ୍କ ସମର୍ଥନ ଓ ସହାନୁଭୂତି ବଢୁଥିବାର ପ୍ରମାଣ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। କିନ୍ତୁ ଯେଉଁ ଦଳ ଦୀର୍ଘ ୫୦ ବର୍ଷ ଧରି କେନ୍ଦ୍ରୀୟ କ୍ଷମତାରେ ରହିଥିଲା ଓ ଅଧିକାଂଶ ରାଜ୍ୟରେ କ୍ଷମତା ହାସଲ କରିଥିଲେ ସେହି ଦଳ କ୍ରମାଗତ ଭାବରେ ଦୁର୍ବଳ ହୋଇ ସାଂଗଠନିକ ସ୍ଥିତି ହରାଇ ବସିଥିବାର ବାସ୍ତବତାକୁ ଗୋଟିଏ ନିର୍ବାଚନରେ ସାମାନ୍ୟ ସ୍ଥିତି ଉନ୍ନତିରେ ଭୁଲିଯିବା ଉଚିତ୍ ନଥିଲା।
ସେମାନଙ୍କ ପାଇଁ ଲକ୍ଷ୍ୟ କେତେଦୂର ସେ ବିଷୟରେ ଦଳର ନେତା ଓ କର୍ମୀମାନଙ୍କୁ ସଚେତନ କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀ କ୍ଷମତାର ଦ୍ୱାର ଦେଶରେ ପହଞ୍ଚିଗଲେଣି ବୋଲି ଆତ୍ମସନ୍ତୋଷ ଲାଭ କରିବା ଦଳ ପାଇଁ କ୍ଷତିକାରକ ହେଲା। ଯେଉଁ ଇଣ୍ଡିଆ ମେଣ୍ଟ ଯୋଗୁ ବିଜେପି ୪୦୦ ସିଟ୍ ସ୍ଳୋଗାନକୁ ଛାଡ଼ି କିପରି କ୍ଷମତାରେ ରହିବ ସେଥିପାଇଁ ଏନ୍ଡ଼ିଏର ଆଶ୍ରୟ ନେଲା ତାହାର ଆବଶ୍ୟକତାକୁ ଦଳ ହଠାତ୍ ଭୁଲିଗଲା କିପରି? ଇଣ୍ଡିଆ ମେଣ୍ଟର ଗୋଟିଏ ହେଲେ ବୈଠକ ୨୦୨୪ ନିର୍ବାଚନ ପରେ ବସ୍ତୁତଃ ହୋଇପାରିନାହିଁ। ଏହି ମେଣ୍ଟର ଜଣେ ଆବାହକ ଓ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତି ହେଲେ ନାହିଁ। ସେହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଅନୁଷ୍ଠିତ ହେଲା। କିନ୍ତୁ ସେହି ନିର୍ବାଚନ ଫଳାଫଳରେ ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ଅଧିକ ସଫଳତା ସହିତ କ୍ଷମତା ବଜାୟ ରଖିବା ସମୟରେ ମହାରାଷ୍ଟ୍ରରେ ମେଣ୍ଟର ଶୋଚନୀୟ ବିପର୍ଯ୍ୟୟ ହେଲା।
ସେଠାରେ କଂଗ୍ରେସ ସହିତ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ସହ ମହା ଅଘାଡ଼ି ମେଣ୍ଟ କରି ଦୁଇ ବର୍ଷ କ୍ଷମତା ଉପଭୋଗ କରିଥିଲେ ଓ ୨୦୨୪ ଲୋକସଭା ନିର୍ବାଚନରେ ୪୮ଟି ଆସନ ମଧ୍ୟରୁ ୩୦ଟି ପାଇ ବଡ଼ ସଫଳତା ପାଇଥିଲେ। ସେଠାରେ ସେମାନଙ୍କ ଅସ୍ତିତ୍ୱ ଲୋପ ହୋଇଯିବା ସ୍ଥିତିକୁ ଆସିଯାଇଛି। ଯେଉଁ କଂଗ୍ରେସ ଦଳ ୨୦୦୯ ପରେ ପ୍ରଥମ ଥର ପାଇଁ ୨୦୨୪ରେ ୧୩ଟି ଲୋକସଭା ଆସନ ପାଇ ସବୁଠୁ ବଡ଼ ଦଳ ହୋଇଥିଲା ସେହି ଦଳର ୨୮୮ଟି ବିଧାନସଭାରେ ଆସନ ସଂଖ୍ୟା ମାତ୍ର ୧୬କୁ କମିଆସିଲା। ମହାରାଷ୍ଟ୍ର ଇତିହାସରେ କଂଗ୍ରେସ ଦଳର ଏହିଭଳି ସ୍ଥିତି କେବେ ବି ହୋଇନଥିଲା।
ଦେଶରେ ହେଉଥିବା ଦୁଇଟି ବିଧାନସଭା ନିର୍ବାଚନ ମଧ୍ୟରୁ ଝାଡ଼ଖଣ୍ଡରେ ବସ୍ତୁତଃ ଜେଏନ୍ଏମ୍ ହିଁ ଇଣ୍ଡିଆ ମେଣ୍ଟର ସେହି ରାଜ୍ୟରେ ନେତୃତ୍ୱ ନେଇଥିଲା ଓ କଂଗ୍ରେସକୁ ନିର୍ବାଚନ ପ୍ରଚାରର ଭାର ବିଶେଷ ବହନ କରିବାକୁ ପଡ଼ିନଥିଲା। ବାସ୍ତବରେ ଜେଏମଏମ୍ ଆଦିବାସୀମାନଙ୍କର ଏକତା ଓ ସ୍ୱତନ୍ତ୍ର ପରିଚୟ ସହିତ ୫ବର୍ଷର ସରକାର ଭିତରେ ମହିଳା ଓ ଅନ୍ୟମାନଙ୍କ ପାଇଁ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ହେଇଥିଲା ସେଥିରେ ବିଜେପିର ବଙ୍ଗଳାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ରୁଟି, ମାଟି ଓ ବେଟିର ସ୍ଳୋଗାନ ଆଦିବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ। ବରଂ କଂଗ୍ରେସ ଦଳ ଠିକ୍ ଭାବରେ ଏହାର ପ୍ରଚାର ଓ ସାମାଜିକ ନ୍ୟାୟ ସଂକ୍ରାନ୍ତରେ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଥିଲେ, ସେମାନଙ୍କର ବିଜୟ ହାର ବଢ଼ିପାରିଥାନ୍ତା। କିନ୍ତୁ ମହାରାଷ୍ଟ୍ରରେ ବାସ୍ତବରେ କଂଗ୍ରେସ ନିକଟରେ ଆହ୍ୱାନ ସବୁଠାରୁ ଅଧିକ ଥିଲା।
ଲୋକସଭା ନିର୍ବାଚନରେ ଏହା ସେହି ରାଜ୍ୟରେ ବଡ଼ ଦଳର ମର୍ଯ୍ୟାଦା ପାଇଥିଲା ଓ ମହା ଅଘାଡ଼ି ମେଣ୍ଟରେ ଏହି ଦଳକୁ ଅଧିକ ଆସନ ମଧ୍ୟ ମିଳିଥିଲା। ବିଶେଷ ଭାବରେ ମହା ଅଘାଡ଼ି ମେଣ୍ଟର ଅନ୍ୟ ଦୁଇ ଦଳ ଶିବସେନା ବିଭାଜିତ ହୋଇ ଉଦ୍ଧବ ଠାକରେଙ୍କ ସହିତ କ୍ଷୁଦ୍ରଭାଗ ରହିଥିଲା ଓ ଶରଦ ପାୱାରଙ୍କ ଏନସିପିରେ ବିଭାଜନ ଘଟି ପାୱାରଙ୍କ ସହିତ କ୍ଷୁଦ୍ର ଭାଗଟି ରହିଥିଲା। ତେଣୁ ଏହି ମେଣ୍ଟରେ କଂଗ୍ରେସ ହିଁ ଏକମାତ୍ର ଦଳ ଥିଲା ଯାହାର ସେପରି ବିଭାଜନ ହୋଇନଥିଲା। ବିଦର୍ଭ ଅଞ୍ଚଳ ଯେଉଁଠାରେ ଦଳିତମାନଙ୍କର ଓ ଆଦିବାସୀମାନଙ୍କର ପ୍ରଭାବ ରହିଛି, ସେଠାରେ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ୧୦ଟି ଆସନ ମଧ୍ୟରୁ ୭ଟିରେ ବିଜୟୀ ହୋଇଥିଲା। କିନ୍ତୁ ସେହି ଅଞ୍ଚଳରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୬୨ଟି ଆସନ ଭିତରୁ ୪୮ଟି ଆସନରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। ସେହିଠାରେ ହିଁ ବିଜେପି କଂଗ୍ରେସ ଭିତରେ ସିଧାସଳଖ ପ୍ରତିଯୋଗିତା ହୋଇଥିଲା।
ଲୋକସଭା ନିର୍ବାଚନର ସ୍ଳୋଗାନକୁ ଏଥର ମଧ୍ୟ କଂଗ୍ରେସ ଦୋହରାଇଲା। କିନ୍ତୁ ଏହି ୫ମାସ ଭିତରେ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଯେଉଁସବୁ ଲୋକ ମଙ୍ଗଳକାରୀ କାର୍ଯ୍ୟକ୍ରମଗୁଡ଼ିକ ନେଇଛି ଓ ତାହା ସହିତ ଦଳିତ ସବକାଷ୍ଟ ନେଇ ସୁପ୍ରିମକୋର୍ଟର ରାୟ ପରେ ପ୍ରତି ଦଳିତ ଗୋଷ୍ଠୀକୁ ନିଜ ଆଡ଼କୁ ଆଣିବା ପାଇଁ ବିଜେପି ଯେଉଁ ରଣ କୌଶଳ କଲା ତାହାକୁ କଂଗ୍ରେସ ଧରିପାରିଲା ନାହିଁ। ଆମ୍ବେଦକର ଓ ଜ୍ୟୋତିରାଓ ଫୁଲେଙ୍କ ପରି ସବୁ ମହଲରେ ଦଳିତମାନଙ୍କ ଭିତରେ ପୂଜା ପାଉଥିବା ନେତୃତ୍ୱକୁ ସେମାନେ ଠିକ୍ ଭାବରେ ଉପସ୍ଥାପିତ କରିପାରିଲେ ନାହିଁ। ଝାଡ଼ଖଣ୍ଡରେ ରାହୁଲ ଗାନ୍ଧୀଙ୍କ ପ୍ରଚାରର ଆବଶ୍ୟକତା କମ୍ ଥିବା ସମୟରେ ମହାରାଷ୍ଟ୍ର ସେମାନଙ୍କ ପାଇଁ ପ୍ରଥମ ଆହ୍ୱାନ ଥିଲେ ମଧ୍ୟ ରାହୁଲ ଗାନ୍ଧୀ ମାତ୍ର ୫ ଦିନ ସେଠାରେ ନିର୍ବାଚନ ପ୍ରଚାର କରି ନିଶ୍ଚିତ ବିଜୟ ଥିବା ୱାୟନାଡ଼ ଲୋକସଭା ଉପ ନିର୍ବାଚନରେ ୫ ଦିନ ସମୟ ଦେଲେ କାହିଁକି? ସେହିପରି ମହା ଅଘାଡ଼ି ମେଣ୍ଟକୁ ଭାଙ୍ଗିବାରେ କେନ୍ଦ୍ର ସରକାର ଓ ବିଜେପି ଯେଉଁ ଭୂମିକା ନେଇଥିଲା ତାହାକୁ ଲୋକଙ୍କ ଭିତରେ ମନେପକାଇ ଦେବା ପାଇଁ ଉଦ୍ଧବ ଠାକରେଙ୍କୁ ମହା ଅଘାଡ଼ି ମେଣ୍ଟ ସିଧାସଳଖ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପିତ କରିବା ଉଚିତ୍ ଥିଲା। କିନ୍ତୁ ନିର୍ବାଚନ କାଳ ଭିତରେ କିଏ ମୁଖ୍ୟମନ୍ତ୍ରୀ ହେବ ସେଥିପାଇଁ ବରାବର ଏକ ବିବାଦ ଥିଲା ବୋଲି ଦୃଷ୍ଟିଗୋଚର ହେଲା।
ଲୋକସଭା ନିର୍ବାଚନ ପରେ ମହାୟୁତି ସରକାର ଲଡ଼କି ବହେନ୍ ସ୍କିମ୍ ଠାରୁ ଆରମ୍ଭ କରି କୃଷକ ଓ ବିଭିନ୍ନ ବର୍ଗର ପ୍ରାୟ ଅର୍ଦ୍ଧାଧିକ ଭୋଟର୍ଙ୍କୁ ଲାଭାର୍ଥୀ ସ୍କିମରେ ଯୋଡ଼ି ୧ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ସରକାରୀ ଭାବେ ଖର୍ଚ୍ଚ କରିଦେଲେ। ଏହାକୁ ଭାଙ୍ଗିବା ପାଇଁ କଂଗ୍ରେସର ଯେଉଁ ସ୍କିମ୍ ବା ସଂକଳ୍ପ ରହିଥିଲା ତାହାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂଗଠନ ନଥିଲା। ଅପରପକ୍ଷରେ ଏହି ନିର୍ବାଚନରେ ଆରଏସସ୍ଏସ୍ ଏକ ଚାଲେଞ୍ଜ ଭାବରେ ଗ୍ରହଣ କରିଥିଲେ। କାରଣ ୨୦୨୫ରେ ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ହେବ ଏବଂ ସେଥିପାଇଁ ମହାରାଷ୍ଟ୍ରରେ ସେମାନଙ୍କର ସରକାର ପ୍ରତିଷ୍ଠା ଆବଶ୍ୟକ ବୋଲି ବିଚାର କରି ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ୱ ଆର,ସ,ସ କର୍ମୀ ଗାଁକୁ ଗାଁ ବୁଲି ସେମାନଙ୍କ କଥା ସବୁଘରେ ପହଞ୍ଚାଇ ଦେଲେ। ଅଘାଡ଼ି ମେଣ୍ଟର ସେପରି କୌଣସି ସଂଗଠନ ଗ୍ରାମ୍ୟ ସ୍ତରରେ ନଥିଲା।
ଆଦାନି ବିରୋଧରେ ଅଘାଡ଼ି ମେଣ୍ଟର ନିଷ୍ପତ୍ତି ଯୋଗୁ ମହାୟୁତି ପାଇଁ ଅର୍ଥର କୌଣସି ଅଭାବ ନଥିଲା। ଯଦି ରାହୁଲ ଗାନ୍ଧୀ ନିର୍ବାଚନର ପୂରା ସମୟ ମହାରାଷ୍ଟ୍ରରେ ଅତିବାହିତ କରିଥାନ୍ତେ, ତେବେ ନିଜ ଦଳର ପ୍ରକୃତ ଦୁର୍ବଳତା ଜାଣିପାରି ନିର୍ବାଚନ ନିମନ୍ତେ ଦଳକୁ ପ୍ରସ୍ତୁତ କରିପାରିଥାନ୍ତେ। କଂଗ୍ରେସ ଦଳର ସଭାପତି ଭାବରେ ଖାଡ଼ଗେ ରହିଥିଲେ ମଧ୍ୟ ସମସ୍ତ ନିଷ୍ପତ୍ତି ରାହୁଲଙ୍କ ଉପରେ ନିର୍ଭର କରୁଛି। ନିର୍ବାଚନ ସମୟରେ ପ୍ରଚାର ଅଭିଯାନକୁ କିପରି ଶୃଙ୍ଖଳିତ କରାଯାଇପାରିବ ସେଥିପାଇଁ ରାହୁଲ ଏପର୍ଯ୍ୟନ୍ତ ଦଳକୁ ପ୍ରସ୍ତୁତ କରିପାରୁନାହାନ୍ତି।
ବିଜେପି ବିରୋଧରେ କଂଗ୍ରେସର ପ୍ରତ୍ୟେକଟି ପରାଜୟ ଇଣ୍ଡିଆ ମେଣ୍ଟ ଭିତରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିବା ପାଇଁ ସୁଯୋଗ ଆଣୁଛି। ରାହୁଲ ଭଲ ଭାବରେ ଜାଣିବା ଉଚିତ୍ ଯେ, କଂଗ୍ରେସ ଏକାକୀ ବିଜେପି ବା ମୋଦୀଙ୍କୁ ମୁକାବିଲା କରିବା ସମ୍ଭବ ନୁହେଁ। ଇଣ୍ଡିଆ ମେଣ୍ଟ ଯେତେ ଶକ୍ତିଶାଳୀ ହେବ ଏନଡିଏ ସେତିକି ଦୁର୍ବଳ ହେବ। ମୋଦୀଙ୍କ ପତିଆରା ଓ ଲୋକପ୍ରିୟତାକୁ ସେ ନଷ୍ଟ କରିଦେଇଛନ୍ତି ବୋଲି ଲୋକସଭା ନିର୍ବାଚନ ପରେ ଯେପରି ଭାବୁଛନ୍ତି ତାହା ଠିକ୍ ନୁହେଁ। କଂଗ୍ରେସ ପାଇଁ ଏବେ ବି ପଥ ବହୁ ଦୂର। ରାହୁଲ ନିଜ ବିଷୟରେ ଉଠୁଥିବା ପ୍ରଶ୍ନଗୁଡ଼ିକର ଆତ୍ମ ସଂଶୋଧନ ନକଲେ କଂଗ୍ରେସ ଉପରେ ଇଣ୍ଡିଆ ମେଣ୍ଟଭୁକ୍ତ ଦଳମାନେ କାହିଁକି ଭରସା କରିବେ?
ଫୋ-୯୪୩୭୪୦୪୪୫୫