ଦେବ ରଞ୍ଜନ
ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ସିବିଆଇ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଚାଲିଥିବା ଅନୁସନ୍ଧାନକୁ ଅଫିସିଆଲି ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। ଦୀର୍ଘ ପାଞ୍ଚ ବର୍ଷ ପରେ ସିବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ କେବଳ ‘ଆତ୍ମହତ୍ୟା’ ଥିଲା। ଏହା ପଛରେ ରିଆଙ୍କର କୌଣସି ସମ୍ପୃକ୍ତି ନାହିଁ। ଏହା ପ୍ରମାଣ କରୁଛି ଯେ ମିଡିଆ ସୁଶାନ୍ତଙ୍କ ହତ୍ୟାର ଯେଉଁ ଚିତ୍ର ତିଆରି କରିଥିଲା ତାହା ସଂପୂର୍ଣ୍ଣ ଅମୂଳକ ଥିଲା।
ସୁଶାନ୍ତ ସିଂହ ଜୁନ ୧୪, ୨୦୨୦ ତାରିଖରେ ଆତ୍ମହତ୍ୟା କରିଥିଲେ। ସେ ଜଣେ ପ୍ରସିଦ୍ଧ ଅଭିନେତା। ତାଙ୍କର କିଛି ଫିଲ୍ମ ମୁଁ ଦେଖିଛି। ମୋତେ ତାଙ୍କ ଅଭିନୟ ଭଲ ଲାଗିଥିଲା। ବିହାର ରାଜ୍ୟରୁ ଆସି ସେ ବଲିଉଡରେ ନିଜର ପରିଚୟ ତିଆରି କରିପାରିଥିଲେ ଯାହା ଅତି କଠିନ କାମ। ଯେଉଁଠି ବରିଷ୍ଠ କଳାକାରଙ୍କ ୩୦ କି ୪୦ ବର୍ଷର ପୁଅ ଝିଅ ‘ଷ୍ଟାର କିଡ୍ସ’ (କଳାକାରଙ୍କ ଛୁଆ) ଭାବରେ ଅଗ୍ରାଧିକାର ପାଇଥାନ୍ତି ସେଠାରେ ବିହାରରୁ ଯାଇ ସୁଶାନ୍ତ ନିଜର ପରିଚୟ ତିଆରି କରିପାରିଥିବା ହେତୁ ତାଙ୍କର ସଂଘର୍ଷମୟ ଜୀବନ ଅନେକଙ୍କୁ ଭାବନାତ୍ମକ କରିଦେଇଥିଲା। ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଲୋକେ ଠିକରେ ଗ୍ରହଣ କରିପାରୁନଥିଲେ।
ଲୋକଙ୍କ ମଧ୍ୟରେ ଉତ୍ସୁକତା ଓ ସମବେଦନା ଦେଖି ଉଭୟ ପ୍ରିଣ୍ଟ ଓ ଟିଭି ଗଣମାଧ୍ୟମ ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ମିଡିଆ ଟ୍ରାଏଲ ଆରମ୍ଭ କରିଦେଇଥିଲେ। ସେମାନେ ନିଶ୍ଚିତ ହୋଇସାରିଥିଲେ ଯେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଦାୟୀ। ହୁଏତ ହତ୍ୟା ମଧ୍ୟ କରିଥାଇପାରନ୍ତି ବୋଲି କେତେକ ମିଡିଆ ପ୍ରଚାର କରୁଥିଲେ। ନିଜର ଟିଆରପି ବଢ଼ାଇବା ଲାଗି ଏହା ଏକ କୌଶଳ ଥିଲା।
ପ୍ରତ୍ୟେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ସମ୍ବିଧାନର ଧାରା ୨୧ ମଣିଷକୁ ଏହି ଅଧିକାର ଦେଉଛି। ରିଆଙ୍କୁ ମିଡିଆ ଏକ ହତ୍ୟାକାରୀ ସଜାଇବା ଦ୍ଵାରା ତାଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର କ୍ଷୁଣ୍ଣ ହୋଇଛି। ମିଡିଆ ଟ୍ରାଏଲର ଉଦ୍ଦେଶ୍ୟ ହେଉଛି କୌଣସି ଅପରାଧ ଘଟିଲେ ତାହାର ପଛରେ ଏକ ମିଥ୍ୟା ଅଭିଯୁକ୍ତ ଠିଆ କରାଇବା। କାହାରିକୁ ଦୋଷୀ କରିବା (ସୁଶାନ୍ତଙ୍କ ଘଟଣାରେ ରିଆଙ୍କୁ କରିବା ଭଳି) ବା ଦୋଷୀକୁ ମୁକ୍ତ କରିବା (ଅନ୍ୟ ଘଟଣାରେ) ଲାଗି ମିଡିଆ ନିଜର ଟ୍ରାଏଲ ବା ବିଚାର ପ୍ରକ୍ରିୟା ଆରମ୍ଭ କରିଦେଇଥାଏ।
ମିଡିଆ ନିଜେ ଘଟଣାକୁ ଅନୁସନ୍ଧାନ କରି ସତ୍ୟ ପ୍ରକାଶ କରିବା ଲାଗି ଉଦ୍ୟମ କରୁଥିଲେ ତାହାକୁ ଅନୁସନ୍ଧାନମୂଳକ ସମ୍ବାଦିକତା କୁହାଯାଇଥାନ୍ତା। ଏହା କିନ୍ତୁ ତାହା ନୁହେଁ। ଅନୁସନ୍ଧାନମୂଳକ ସାମ୍ବାଦିକତା କଦାପି ମିଡିଆ ଟ୍ରାଏଲ ନୁହେଁ। ସେଭଳି ସମ୍ବାଦିକତା ସମାଜ ଲାଗି ହିତକର। କିନ୍ତୁ ମିଡିଆ ଟ୍ରାଏଲର ଉଦ୍ଦେଶ୍ୟ ହେଲା ନିଜେ ନେଇଥିବା ନିଷ୍ପତ୍ତି ଆଡ଼କୁ ଯେଭଳି ସମଗ୍ର ବିଚାର ବ୍ୟବସ୍ଥା ଢଳୁ ସେଥିଲାଗି ଜନମତ ସୃଷ୍ଟି କରିବା।
ମିଡିଆ ଟ୍ରାଏଲରେ ମିଡିଆ ନିଜେ ଅଭିଯୋଗକାରୀ, ନିଜେ ଅନୁସନ୍ଧାନକାରୀ ଓ ନିଜେ ବିଚାରପତି ହୋଇ ଦଣ୍ଡ ମଧ୍ୟ ଶୁଣାଇଦିଏ। ମିଡିଆ ଟ୍ରାଏଲ କୌଣସି ଆଇନଗତ ଶବ୍ଦ ନୁହେଁ। ଏହାର ସଂଜ୍ଞା ଏଭଳି ହୋଇପାରେ ଯେ ଆଞ୍ଚଳିକ ସ୍ତରରେ ବା ଜାତୀୟ ସ୍ତରରେ କୌଣସି ଘଟଣାର ନ୍ୟାୟିକ ବ୍ୟବସ୍ଥାକୁ ନିଜ ପକ୍ଷକୁ ନେଇଯିବା ଓ ତାହାର ଯାବତୀୟ ଡ୍ରାମା ଓ ଆମୋଦ ସୃଷ୍ଟି କରିବା।
ମିଡିଆର ବାକ ସ୍ଵାଧୀନତାର ଅଧିକାର ରହିଛି। ବିଚାର ବ୍ୟବସ୍ଥାରେ ଅଭିଯୁକ୍ତର ଉପଯୁକ୍ତ ବିଚାର ପାଇବାର ମଧ୍ୟ ଅଧିକାର ରହିଛି। ଉଭୟ ଦାୟିତ୍ଵପୂର୍ଣ ଅନୁଷ୍ଠାନ। କିନ୍ତୁ ଏହି ଉଭୟ ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି ହୁଏ କାରଣ ମିଡିଆ ନିଜ ଆଡୁ ଟ୍ରାଏଲ ଆରମ୍ଭ କରିଦିଏ। ବିଚାର ବ୍ୟବସ୍ଥାର ବି ନିଜସ୍ଵ ଦୁର୍ବଳତା ରହିଛି। ଏଥିରେ ଅଭିଯୁକ୍ତକୁ ପୁଣି ଉଚ୍ଚ କୋର୍ଟକୁ ଯିବାର ସୁଯୋଗ ରହିଛି। କିନ୍ତୁ ମିଡିଆକୁ ନିୟନ୍ତ୍ରିତ କରିବା ଲାଗି ସେଭଳି ବ୍ୟବସ୍ଥା ନାହିଁ। ଦଣ୍ଡବିଧି ଆଇନରେ କ୍ଷତିଗ୍ରସ୍ତ ବ୍ୟକ୍ତି (ସୁଶାନ୍ତ ସିଂହଙ୍କ କ୍ଷେତ୍ରରେ ରିଆ ଚକ୍ରବର୍ତ୍ତୀ)ଙ୍କ ଲାଗି ମାନହାନୀ ମକଦ୍ଦମା କରିବା ଓ ଯେଉଁ କୋର୍ଟରେ ବିଚାର ହେଉଛି ତାଙ୍କ ଲାଗି ଅବମାନନା ଆଇନର ଲାଗୁ କରିବାର ସୁଯୋଗ ରହିଛି। କିନ୍ତୁ ଏହାକୁ ପ୍ରମାଣିତ କରିବା କଷ୍ଟ। ତାହାର ବିଚାର ହେବା ଭିତରେ ମିଡିଆ ଟ୍ରାଏଲ ସମାଜରେ ଅନେକ କ୍ଷତି କରିଦେଇଥାଏ।
ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଠିକ କୋଭିଡ ସଂକ୍ରମଣ ସମୟରେ ହୋଇଥିଲା। କୋଭିଡର ବ୍ୟାପକ ସଂକ୍ରମଣ, ଅକ୍ସିଜେନର ଅଭାବ, ତଦଜନିତ ମୃତ୍ୟୁ, ଗଙ୍ଗା ନଦୀ କୂଳରେ ମଣିଷ ଶବଙ୍କ ପଟୁଆର, ଶ୍ରମିକଙ୍କ ଗ୍ରାମାଭିମୁଖୀ କଷ୍ଟଦାୟକ ଯାତ୍ରା, ଆଞ୍ଚଳିକ ସ୍ତରରେ କ୍ଵାରେଣ୍ଟାଇନ ଓ ଲକଡାଉନ ସାଧାରଣ ଜୀବନକୁ ବ୍ୟତିବ୍ୟସ୍ତ କରିଦେଇଥିଲା। କରୋନା ନାମରେ ସରକାର ଏପରି ପରିସ୍ଥିତି ଦଶ କୋଟି ପ୍ରବାସୀ ଶ୍ରମିକଙ୍କ ଲାଗି ତିଆରି କରିଦେଲେ ଯାହାର ମୁକାବିଲା କରିବା ସେମାନଙ୍କ ସୀମାର ବାହାରେ ଥିଲା। କିନ୍ତୁ ଗଣମାଧ୍ୟମ ଏ ସମସ୍ତ ପ୍ରସଙ୍ଗକୁ ଛାଡି ସୁଶାନ୍ତ ସିଂହଙ୍କ କଳ୍ପିତ ହତ୍ୟାକାରୀକୁ ଦଣ୍ଡିତ କରିବା ନେଇ ଅଧିକ ବ୍ୟସ୍ତ ଥିଲା।
ଓଡ଼ିଶାରେ ବି ମିଡିଆ ଟ୍ରାଏଲର ଉଦାହରଣ ରହିଛି। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ରେଳ ଲାଇନରେ ଆଦିତ୍ୟ ଦାସ ଜୁଲାଇ ୯, ୨୦୨୦ରେ କୋଭିଡ ସମୟରେ ଆତ୍ମହତ୍ୟା କରିଥିଲେ। ସେ ଯେ କାହିଁକି ସେଭଳି ଚରମ ନିଷ୍ପତ୍ତି ନେଲେ ତାହା ଅନୁସନ୍ଧାନ ସାପେକ୍ଷ। କିନ୍ତୁ ଓଡ଼ିଆ ମିଡିଆ ନିଜ ପଟରୁ ମିଡିଆ ଟ୍ରାଏଲ ଆରମ୍ଭ କରିଦେଇଥିଲେ ଓ ଆଦିତ୍ୟଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଆରମ୍ଭ କରିଦେଇଥିଲେ। ମିଡିଆରେ ଚର୍ଚ୍ଚା ଏତେ ତଳକୁ ଚାଲିଯାଇଥିଲା ଯେ ସେ ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ। ଅର୍ଚ୍ଚନା ନାଗଙ୍କୁ ପୁଲିସ ଗିରଫ କରିବା ସମୟରେ ମିଡିଆ ଟ୍ରାଏଲରେ ସେ ଅତି ବିପଜ୍ଜନକ ମହିଳା ହୋଇଯାଇଥିଲେ।
ରିଆ, ଆଦିତ୍ୟଙ୍କ ପତ୍ନୀ ଓ ଅର୍ଚ୍ଚନା ନାଗଙ୍କ ଘଟଣାକୁ ଦେଖିଲେ, ମିଡିଆ ଟ୍ରାଏଲରେ ପ୍ରାୟ ସମୟରେ ମଧ୍ୟବିତ୍ତ ମଧ୍ୟ ବୟସ୍କା ଶିକ୍ଷିତା ସୁନ୍ଦରୀ ମହିଳାମାନେ ଶିକାର ହୋଇଯାଇଛନ୍ତି। ସୁଯୋଗ ମିଳିଲା ମାତ୍ରେ ମିଡିଆ ସେମାନଙ୍କୁ ଖଳନାୟକ କରିଦେଇଛି। ଶିକ୍ଷିତ ଗର୍ବିତ ରକ୍ଷଣଶୀଳ ପୁରୁଷ ଭାବରେ ମୁଖ୍ୟଧାରାର ମିଡିଆ ନିଜର ଟ୍ରାଏଲ ମାଧ୍ୟମରେ ସେହି ସୁନ୍ଦରୀ ମହିଳାଙ୍କୁ ମାନସିକ ସ୍ଥିତିରେ ବଳାତ୍କାର କରିବାର ଅପଚେଷ୍ଟା କରିଛି। ଏହା ସହିତ ମିଡିଆ ସମାଜରେ ଗରିବ ଶ୍ରେଣୀ ଓ ଧାର୍ମିକ ଅଳ୍ପସଂଖ୍ୟକ ବର୍ଗଙ୍କ ଉପରେ ଅପରାଧର ବୋଝ ଲଦିଦେଇ ସେମାନଙ୍କୁ ହତ୍ୟା କରିବାର ପରିବେଶ ଜନମତ ମାଧ୍ୟମରେ ସୃଷ୍ଟି କରିଛି।
ନଭେମ୍ବର ୨୮, ୨୦୧୯ରେ ହାଇଦ୍ରାବାଦ ଠାରେ ଜଣେ ଭେଟେରିନାରୀ ମହିଳା ଡାକ୍ତରଙ୍କୁ ଧର୍ଷଣ ଓ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା। ତେଲେଙ୍ଗାନା ପୋଲିସ ଚାରିଜଣ ‘ଅଭିଯୁକ୍ତ’ଙ୍କୁ ଗିରଫ କରିଥିଲା। ସେମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଥିଲେ। ସେମାନଙ୍କୁ ତୁରନ୍ତ ଦଣ୍ଡିତ କରିବା ଲାଗି ମିଡିଆ ଟ୍ରାଏଲ ଆରମ୍ଭ ହୋଇଗଲା। ସରକାରଙ୍କ ଫାଷ୍ଟ ଟ୍ରାକ କୋର୍ଟକୁ ଅପେକ୍ଷା କରାଯାଇନଥିଲା। ତେଲେଙ୍ଗାନା ପୋଲିସ ଉକ୍ତ ଚାରିଜଣଙ୍କୁ ଏନକାଉଣ୍ଟର ହତ୍ୟା କରିଥିଲେ। ଏହା ନ୍ୟାୟ ବ୍ୟବସ୍ଥାରେ ବାହାରେ ସରକାରୀ ଅନୁଷ୍ଠାନ ଦ୍ଵାରା ହତ୍ୟା ଥିଲା। ସେହି ପୋଲିସମାନଙ୍କର ବିଚାର ଏବେ ବି ଚାଲିଛି। କେବଳ ମଧ୍ୟବିତ୍ତ ଶିକ୍ଷିତା ସହରୀ ଭେଟେରିନାରୀ ମହିଳା ଡାକ୍ତରଙ୍କୁ ‘ନ୍ୟାୟ ଦେବା ନାମରେ’ ମିଡିଆ ନିଜେ ବିଚାରକ ସାଜିଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ପୋଲିସକୁ ପ୍ରଭାବିତ କରିବା। ପୋଲିସ ଏଥିରେ ପ୍ରଭାବିତ ମଧ୍ୟ ହୋଇଗଲା। ଫଳରେ, ଚାରୋଟି ଜୀବନ ଚାଲିଗଲା। ଏନକାଉଣ୍ଟର ସମୟରେ ସେମାନଙ୍କର ବିଚାର ପ୍ରକ୍ରିୟା ଶେଷ ହୋଇନଥିବା କାରଣରୁ ସେମାନେ ନିର୍ଦ୍ଦୋଷ ବୋଲି ଧରାଯିବ।
୨୦୦୮ ମସିହା ମୁମ୍ବାଇ ଆକ୍ରମଣରେ ୧୬୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ପାକିସ୍ତାନୀ ମୁସଲମାନ ନାଗରିକ ଅଜମଲ କସବ ଏକମାତ୍ର ହତ୍ୟାକାରୀ ଥିଲା ଯାହାକୁ ଜୀବନ୍ତ ଧରାଯାଇପାରିଥିଲା। ୨୦୧୦ ମସିହାରେ ସେ ଦୋଷୀ ପ୍ରମାଣିତ ହୋଇ ଫାଶୀ ଦଣ୍ଡରେ ଦଣ୍ଡିତ ହେଲା। କାହିଁକି ତାହାକୁ ତୁରନ୍ତ ଫାଶୀ ଦିଆଯାଉନାହିଁ ସେଥିଲାଗି ମିଡିଆ ଦ୍ଵାରା ଚାପ ସୃଷ୍ଟି କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ଉପର କୋର୍ଟର ବ୍ୟବସ୍ଥାକୁ ପ୍ରଭାବିତ କରିବା। ‘କସବର ସୁରକ୍ଷା ଲାଗି ୨୫ କୋଟି ଟଙ୍କା ଖର୍ଚ୍ଚ’, ‘ଜେଲରେ କସବ ମଟନ ବିରିଆନୀ ଦାବି କରୁଛି’ ଇତ୍ୟାଦି ମିଥ୍ୟା ଖବର ପ୍ରଚାର କରି ଘଟଣାର ଚାରି ବର୍ଷ ପରେ, ୨୦୧୨ ମସିହାରେ, କସବକୁ ଫାଶୀ ଦେଇଦିଆଗଲା। ଫାଶୀ ପରେ କସବ ବିପକ୍ଷରେ ନିଯୁକ୍ତ ସରକାରୀ ଓକିଲ ସ୍ଵୀକାର କରିଥିଲେ ଯେ କେବଳ କସବର ସୁରକ୍ଷା ଲାଗି ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ, ସେ ରହୁଥିବା ଜେଲର ତାହା ଥିଲା ସମୁଦାୟ ଖର୍ଚ୍ଚ। ଏପରିକି ନା କସବ କେବେ ମଟନ ବିରିଆନୀ ଦାବି କରିଛି ନା ସରକାର କେବେ ଯୋଗାଇଛନ୍ତି ବୋଲି ସେ ତାହା ମଧ୍ୟ ସ୍ଵୀକାର କରିଥିଲେ। କୌଣସି ଗବେଷକ, ଲେଖକ ବା ମାନବିକ ଅଧିକାର କର୍ମୀ ଲାଗି ଏହାର ଅନୁସନ୍ଧାନ କରିବା କଷ୍ଟକର। କସବକୁ ତୁରନ୍ତ ଫାଶୀ ଦେଇ ମୁମ୍ବାଇ ଆକ୍ରମଣ ପଛରେ ପ୍ରକୃତ କାରଣ ଜାଣିବାର ରାସ୍ତା ସବୁଦିନ ଲାଗି ବନ୍ଦ କରିଦିଆଗଲା। କେବଳ ସରକାରୀ ଅନୁସନ୍ଧାନକାରୀ ଅନୁଷ୍ଠାନଙ୍କ ରିପୋର୍ଟ ହିଁ ଏକମାତ୍ର ବିଶ୍ୱାସଯୋଗ୍ୟ ତଥ୍ୟ। ଫାଶୀ ଭଳି ଏକ ଅମାନବୀୟ ଦଣ୍ଡକୁ ସରକାର କାଏମ ରଖି ନିଜର କଠୋର ପଣକୁ ଜାହିର କରିଥିଲେ।
ସୁଶାନ୍ତଙ୍କ ଘଟଣାରେ ରିଆ ଚକ୍ରବର୍ତ୍ତୀ ଗିରଫ ହୋଇ ବେଶ କିଛି ମାସ ଜେଲରେ ରହିଥିଲେ। ଆଜି ସିବିଆଇ ତାଙ୍କୁ ଦୋଷମୁକ୍ତ କରୁଛି। ତେବେ ସୁଶାନ୍ତ ଆତ୍ମହତ୍ୟା କରିବା ପଛରେ ଅନ୍ୟ କୌଣସି ଘଟଣା ବା ଅନ୍ୟ କେହି ବ୍ୟକ୍ତି ମଧ୍ୟ ରହିଥାଇପାରନ୍ତି ଯେ ଆଦୌ ସାମ୍ନାକୁ ଆସିଲେ ନାହିଁ। ମିଡିଆ ନିଜେ ଅନୁସନ୍ଧାନ କରି ସତ୍ୟ ଖୋଜିବା ବଦଳରେ ନିଜ ଆଡୁ ଅଭିଯୁକ୍ତକରୀ ତିଆରି କରିବା ଦ୍ଵାରା ପ୍ରକୃତ ଦୋଷୀ ବହୁ ସ୍ଥାନରେ ସୁରକ୍ଷିତ ରହିଯାଇଥାଏ।
ଆଜି ଯେତେବେଳେ ସିବିଆଇ ରିଆଙ୍କୁ ଦୋଷମୁକ୍ତ କରୁଛି ତାହାର ପ୍ରତିବାଦରେ କୌଣସି ବି ଗଣମାଧ୍ୟମ ଉପର କୋର୍ଟରେ ଏହା ବିପକ୍ଷରେ ଅଭିଯୋଗ କରୁନାହାନ୍ତି। ତାହାହେଲେ ମିଡିଆ ଏଭଳି ଟ୍ରାଏଲ ଦ୍ଵାରା କାହାକୁ ସୁରକ୍ଷା ଦେଉଥିଲେ? ଏହାପରେ କ’ଣ କୁହାଯିବ କି ଯେ ଗଣମାଧ୍ୟମ ଆଉ ଗଣଙ୍କର ମାଧ୍ୟମ ହୋଇରହିଛି? ଗଣମାଧ୍ୟମ କେବେ ବି ମିଡିଆ ଟ୍ରାଏଲ ପାଇଁ ସମାଜରେ କରିଥିବା କ୍ଷତି ଲାଗି ନିଜକୁ ଦୋଷୀ ମନେକରି ନାହିଁ କି ସମ୍ବିଧାନର ବାକ ସ୍ଵାଧୀନତାର ଅଧିକାରକୁ ନିଜ ସ୍ଵାର୍ଥ ଲାଗି ବ୍ୟବହାର କରିବା ଲାଗି କେବେ ଭୁଲିନାହିଁ।
ମୋବାଇଲ - ୯୪୩୭୭୬୨୨୭୨