MGNREGA Work Photograph: (Internet)
ଜାନକୀଶ ବଡ଼ପଣ୍ଡା
ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ, ୨୦୦୫କୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଆରମ୍ଭ କରିଥିଲେ। ଏହା ନରେଗା ନାମରେ ପରିଚିତ ଥିଲା। ପରବର୍ତ୍ତୀ ଅବସ୍ଥାରେ ଏହାର ନାମ ପରିବର୍ତ୍ତନ କରାଗଲା - ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ବା ଏମଜିନରେଗା ବା ମନେରଗା। ଏଣୁ, ‘ନରେଗା’ର ନାମ ପରିବର୍ତ୍ତନ ନୂଆ ନଥିଲେ ମଧ୍ୟ ଏହାର ଏକ ବିକଳ୍ପ ଭାବେ ନୂଆକରି ‘ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ପାଇଁ ଗ୍ୟାରେଣ୍ଟି ମିସନ୍ (ଗ୍ରାମୀଣ) ବା ସଂକ୍ଷେପରେ ‘ଭିବି-ଜି ରାମ ଜି’ ଲାଗୁ ହେବାରେ ଆଇନ ପରିବର୍ତ୍ତନକୁ ଯେତେ ବିରୋଧ ହେଉନି, ମହାତ୍ମା ଗାନ୍ଧିଙ୍କ ନାମ ହଟାଇ ଦିଆ ଯାଇଥିବାରୁ ବିରୋଧି ଦଳମାନେ ତାହାଠାରୁ ଅଧିକ ଉତକ୍ଷିପ୍ତ ହୋଇ ଉଠିଛନ୍ତି।
କେନ୍ଦ୍ର ସରକାରଙ୍କ ଏପରି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ ‘ମହାତ୍ମା ଗାନ୍ଧି ନରେଗା’ ନାଁ ବଦଳାଇବାର ଉଦ୍ଦେଶ୍ୟ ଉପରେ ବିରୋଧିମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ ସନ୍ଦେହ ଯେ, ସରକାର ମହାତ୍ମା ଗାନ୍ଧିଙ୍କ ନାଁ ହଟାଇ ଦେବାର ଉଦ୍ଦେଶ୍ୟ ମହତ ହୋଇ ନପାରେ। ପୂର୍ବରୁ ଜବାହର ଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ନାମ ସହିତ ଭାଜପାର ଥିଲା ନାଗ-ନେଉଳ ସମ୍ପର୍କ। ଏବେ ସେମାନଙ୍କର ଗାନ୍ଧିଜୀଙ୍କ ସହ ମଧ୍ୟ ଅପଡ଼ ଦେଖିବାକୁ ମିଳୁଛି। ଦେଶର କିଛି ବାମପନ୍ଥୀ ବୁଦ୍ଧିଜୀବୀ, ନାଗରିକ ସଙ୍ଗଠନ ଓ ଶ୍ରମିକ ଅଧିକାର ଅନୁଷ୍ଠାନ ମଧ୍ୟ ମନରେଗା ସ୍ଥାନରେ ‘ଭିବି-ଜି ରାମ ଜି’ ଆଇନ ପରିବର୍ତ୍ତନକୁ ଅଭ୍ୟାସଗତ ଭାବେ ବିରୋଧ କରୁଛନ୍ତି। କେହି କେହି ବିରୋଧି ରାଜନୈତିକ ଦଳମାନଙ୍କ ବିରୋଧକୁ ରାଜନୀତି-ଗୋଟିଚାଳନା କହି ପାରନ୍ତି। କିନ୍ତୁ ଅଣରାଜନୈତିକ ବ୍ୟକ୍ତି ଓ ସଙ୍ଗଠନମାନଙ୍କ ସମାଲୋଚନାକୁ ମଧ୍ୟ ବେଖାତିର କରାଯିବା ଅନୁଚିତ। ‘ଭିବି-ଜି ରାମ ଜି’ ଆଇନ ନ ଆଣି, ସରକାର ମନରେଗା ଆଇନରେ ଆବଶ୍ୟକୀୟ ସଂଶୋଧନ ଆଣିପାରି ଥାଆନ୍ତେ। ସେଥିପାଇଁ ଏକ ନିରାସକ୍ତ ଆଲୋଚନା କରାଯିବା ଆବଶ୍ୟକ ମନେହୁଏ।
ଆମ ଦେଶର ସମ୍ବିଧାନର ଅନୁଛେଦ ୩୯ (କ) ଓ ୪୧ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବିକା ପାଇଁ ଆବଶ୍ୟକ ସାଧନ ଯୋଗାଇଦେବା ଓ ରୋଜଗାର ଅଧିକାର ସୁନିଶ୍ଚିତ କରିବାକୁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦେଇଥାଏ। ତାହାକୁ ସମ୍ମାନ ଜଣାଇ ଗ୍ରାମାଞ୍ଚଳ ଲୋକଙ୍କୁ ବର୍ଷକ ମଧ୍ୟରେ ଅତିକମରେ ୧୦୦ ଦିନ କାର୍ଯ୍ୟ ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ନରେଗା ଓ ପରେ ମନରେଗା ଯୋଜନାକୁ ଲାଗୁ କରାଯାଇଥିଲା। ଏହା ସମୟକ୍ରମେ ସବୁଠାରୁ ବଡ଼ କେନ୍ଦ୍ରୀୟ ନିଯୁକ୍ତି ଯୋଜନାରେ ପରିଣତ ହୋଇପାରିଥିଲା। କାମ କରିବାକୁ ଚାହୁଁଥିବା ଗ୍ରାମାଞ୍ଚଳର ଲୋକଙ୍କୁ ସରକାର କାର୍ଯ୍ୟ ଯୋଗାଇ ଦେବା ସହ ସେମାନଙ୍କୁ ଏହି ଯୋଜନା ଅନୁସାରେ ମଜୁରୀ ଦେଉଥିଲେ। ଗ୍ରାମାଞ୍ଚଳରେ କାମର ଅଭାବକୁ ଦୂର କରିବା ଓ ଲୋକଙ୍କ ଜୀବନକୁ ଅଧିକ ସ୍ୱାଭାବିକ କରିବାରେ ମନରେଗା ୨୦୦୫ ମସିହାରୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିଲା।
ସେବେଠୁ ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଶ୍ଚିତ ୧୦୦ ଦିନର କାମ ମିଳୁଥିଲା। ଏବେ କେନ୍ଦ୍ର ସରକାର ‘ଜି ରାମ୍ ଜି’ ଯୋଜନା ଜରିଆରେ ନିଶ୍ଚିତ ୧୨୫ ଦିନର କାମ ଦେବାକୁ ଲକ୍ଷ୍ୟ ରଖିଛନ୍ତି; ଯାହା ପୂର୍ବାପେକ୍ଷା ବର୍ଷକୁ ୨୫ ଦିନ ଅଧିକ। ଖାଲି ସେତିକି ନୁହେଁ, ଲୋକଙ୍କୁ ମିଳିଥିବା କାମ ଶେଷ ହେବାର ଗୋଟିଏ ସପ୍ତାହ କିମ୍ବା ୧୫ ଦିନ ମଧ୍ୟରେ ମଜୁରୀ ବାବଦ ଟଙ୍କା ଦିଆଯିବାର ବ୍ୟବସ୍ଥା ହୋଇଛି। ଯଦି ଟଙ୍କା ଠିକ ସମୟରେ ପ୍ରଦାନ କରାନଯାଏ, ତା’ହେଲେ ଆଇନରେ ବେକାରୀ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏଣୁ. ସାଧାରଣ ନାଗରିକକୁ କେନ୍ଦ୍ର ସରକାରଙ୍କ ନିକଟରେ ଅଧିକାର ସାବ୍ୟସ୍ତ ବଦଳରେ ଭିକ୍ଷାଥାଳ ଧରି ଠିଆ କରିଦେଇଥିବା ଅଭିଯୋଗ ଠିକ ନୁହେଁ।
‘ଜି ରାମ୍ ଜି’ ଅଧୀନରେ ପ୍ରଦାନ କରାଯିବାକୁ ଥିବା କାମକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି - ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଏବଂ ବିପର୍ଯ୍ୟୟ ପ୍ରଶମନ। ଗ୍ରାମାଞ୍ଚଳର ଲୋକମାନେ ଚାଷ କାମରେ ବ୍ୟସ୍ତ ରହିବା ସମୟରେ ‘ଜି ରାମ୍ ଜି’ ଅଧୀନରେ କାମ କରାଯିବନାହିଁ। ଚାଷ କାମ ଶେଷ ହେବା ପରେ ଏହି ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ। ଯୋଜନାରେ ସ୍ୱଚ୍ଛତା ରଖିବା ପାଇଁ ବାୟୋମେଟ୍ରିକ ଓ ଜିଓଟ୍ୟାଗିଂକୁ ବ୍ୟବହାର କରାଯିବ। ସେହିପରି ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା ମଧ୍ୟ କରାଯାଇଛି।
ମହାତ୍ମା ଗାନ୍ଧୀ ନରେଗା ଥିଲା ଗୋଟିଏ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅଣକୁଶଳୀ ଶ୍ରମିକଙ୍କୁ ୧୦୦ ପ୍ରତିଶତ ମଜୁରୀ ବାବଦ ଅର୍ଥ ଭରଣା କରୁଥିଲେ। ଜି ରାମ ଜି ଯୋଜନାରେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ। ଉତ୍ତରପୂର୍ବ ଓ ହିମାଳୟ ଅଞ୍ଚଳ ରାଜ୍ୟରେ ଏହା ୯୦: ୧୦ ଅନୁପାତ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ୧୦୦ ପ୍ରତିଶତ ରହିବ। ବାର୍ଷିକ ୧.୫୧ ଲକ୍ଷ କୋଟି ଖର୍ଚ୍ଚ ମଧ୍ୟରୁ କେନ୍ଦ୍ର ସରକାର ୯୫,୬୯୨ କୋଟି ଟଙ୍କାର ଅନୁଦାନ ଦେବେ।
ଗ୍ରାମୀଣ ନିଯୁକ୍ତି ନୀତି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ‘ଭିବି-ଜି ରାମ ଜି’ ବିଲ୍, ୨୦୨୫ ସଂସଦରେ ୧୮ ତାରିଖରେ ପାରିତ ହେବା ପରେ ଗତ ଡିସେମ୍ବର ୨୧ ତାରିଖରେ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଏହି ଆଇନ ଗ୍ରାମୀଣ ପରିବାର ପାଇଁ ପ୍ରତି ଆର୍ଥିକ ବର୍ଷରେ ସାମ୍ବିଧାନିକ ମଜୁରିଭିତ୍ତିକ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରିଛି। ଏହା ଗ୍ରାମାଞ୍ଚଳରେ ବାସ କରୁଥିବା ଅଣକୁଶଳୀ ଶ୍ରମିକଙ୍କ ସଶକ୍ତୀକରଣ ଓ ସମାବେଶୀ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ସହ ଏକ ସମୃଦ୍ଧ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଗ୍ରାମୀଣ ଭାରତ ପାଇଁ ମୂଳଦୁଆକୁ ମଜଭୁତ କରିବ ବୋଲି କୁହାଯାଉଛି। ଏହି ଆଇନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ଏମ୍ଜିଏନ୍ଆରଇଜିଏ) ୨୦୦୫କୁ ଏକ ଆଧୁନିକ ସାମ୍ବିଧାନିକ ଢାଞ୍ଚା ସହିତ ପରିବର୍ତ୍ତନ କରିଛି। ଏହା ଜୀବିକା ସୁରକ୍ଷାକୁ ବୃଦ୍ଧି କରିବା ସହ ବିକଶିତ ଭାରତ ୨୦୪୭ର ଜାତୀୟ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଏହା ଗ୍ରାମୀଣ ପରିବାର ପାଇଁ ଆୟ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଶାସନକୁ ଉତ୍ତରଦାୟୀ କରି ମଜୁରିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ ଏବଂ ଗ୍ରାମୀଣ ଭିତ୍ତିଭୂମି ସହିତ ସଂଯୋଗ କରିବ। ସମ୍ଭବତଃ, ସେଥିପାଇଁ ସମ୍ପୂର୍ଣ୍ଣ ନୂଆ ଆଇନ ଆଣିଛନ୍ତି ସରକାର।
ଆଇନର ଧାରା ୫(୧) ଅନୁସାରେ ପ୍ରତି ଆର୍ଥିକ ବର୍ଷରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଅତି କମରେ ୧୨୫ ଦିନର ମଜୁରି ନିଯୁକ୍ତିର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ପୂର୍ବରୁ ଏହା ୧୦୦ ଦିନ ଥିଲା। ଆଇନର ଧାରା ୬ ମାଧ୍ୟମରେ ଫସଲ ବୁଣା, ରୁଆ ଓ ଅମଳ ଭଳି ବ୍ୟସ୍ତ ବହୁଳ କୃଷିକର୍ମ ଋତୁରେ ପର୍ଯ୍ୟାପ୍ତ କୃଷି ଶ୍ରମିକ ଉପଲବ୍ଧ ହେବା ଆବଶ୍ୟକ ଥିବାରୁ ରାଜ୍ୟଗୁଡ଼ିକୁ ପ୍ରତି ଆର୍ଥିକ ବର୍ଷରେ ଷାଠିଏ ଦିନ ପର୍ଯ୍ୟନ୍ତ ବିରତି ଦେବାକୁ କ୍ଷମତା ପ୍ରଦାନ କରାଯାଇଛି। ଏହି ଆଇନ ଅନୁସାରେ ପ୍ରତି ସପ୍ତାହରେ କିମ୍ବା କାମ ସମାପ୍ତ ହେବାର ପନ୍ଦର ଦିନ ମଧ୍ୟରେ ମଜୁରି ପ୍ରଦାନ କରିବାକୁ ସୁନିଶ୍ଚିତ କରାଯାଇଛି। ନିର୍ଦ୍ଧାରିତ ସମୟଠାରୁ ଅଧିକ ବିଳମ୍ବ ହେଲେ କ୍ଷତିପୂରଣ ପ୍ରଦାନ କରାଯିବ। ସମସ୍ତ କାର୍ଯ୍ୟ ଗ୍ରାମସଭା ଦ୍ୱାରା ଅନୁମୋଦିତ ହେବ।
ଆଇନର ଧାରା ୪(୫) ଏବଂ ୨୨(୪)ରେ ରାଜ୍ୟୱାରି ଆବଣ୍ଟନ ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯିବା ସହିତ ପ୍ରଶାସନିକ ଖର୍ଚ୍ଚ ସୀମାକୁ ୬ ପ୍ରତିଶତରୁ ୯ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ସମ୍ବଳ କର୍ମଚାରୀ ନିଯୁକ୍ତି, ତାଲିମ, ବୈଷୟିକ କ୍ଷମତା ଓ କ୍ଷେତ୍ରସ୍ତରରେ ବିନିଯୋଗ ହେବ।
ମନରେଗା ଆଇନରେ ସରକାରଙ୍କୁ ଆଇନର ଆବଶ୍ୟକତାରୁ ଓହରି ଯିବାର କ୍ଷମତା ମିଳିଥିଲା; ଯାହା ଫଳରେ ଏହା ବାସ୍ତବରେ ଏକ ଗ୍ୟାରେଣ୍ଟି ହୋଇ ରହିନଥିଲା। ଏଥିରେ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାରମାନେ ଅଂଶଗ୍ରହଣ କରିପାରିବାର ବ୍ୟବସ୍ଥା ରହିଥିଲା।
ସଦ୍ୟତମ ଆକଳନ ଦର୍ଶାଉଛି ଯେ ମନରେଗା ଯୋଜନାରେ ନିର୍ଭର କରୁଥିବା ୧୨.୬୧ କୋଟି ସକ୍ରିୟ ଶ୍ରମିକ ଅଛନ୍ତି। ଏହି ଶ୍ରମିକଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ମହିଳା। ହାରାହାରି, ଗତ ପାଞ୍ଚ ବର୍ଷ ମଧ୍ୟରେ ମହିଳାଙ୍କ ଅଂଶଗ୍ରହଣ ପ୍ରାୟ ୫୮ ପ୍ରତିଶତ ରହିଛି। ଏକ ମାନବ ବିକାଶ ସର୍ଭେ ଫଳାଫଳ ଅନୁଯାୟୀ, ୨୦୦୫ ମସିହାରେ ନରେଗା ଆଇନ ପ୍ରଣୟନ ହେବା ପୂର୍ବରୁ ପ୍ରାୟ ୪୫ ପ୍ରତିଶତ ମହିଳା ଶ୍ରମିକ କାମ କରିପାରୁ ନଥିଲେ କିମ୍ବା ସେମାନେ କେବଳ ନିଜ ପାରିବାରିକ କ୍ଷେତବାଡିରେ କାମ କରୁଥିଲେ। ଆମ ଦେଶର ମୋଟ ଶ୍ରମଶକ୍ତିର ୩୫ ପ୍ରତିଶତ ଅନୁସୂଚିତ ଜାତି ଏବଂ ଜନଜାତି। ଅଧ୍ୟୟନରୁ ଜଣାପଡିଛି ଯେ ଚାଷ ହେଉଥିବା ଋତୁରେ ଦଳିତ ଏବଂ ଆଦିବାସୀ ପରିବାର ହାତକୁ କାମ ମିଳୁଥିଲେ ମଧ୍ୟ ବର୍ଷର ଅନ୍ୟ ସମୟରେ ମନରେଗା କାରଣରୁ ଏମାନଙ୍କ ହାତକୁ ଅଧିକ ୩୦ ପ୍ରତିଶତ କାମ ଆସିଛି। ସେପରି କୋଭିଡ଼-୧୯ ମହାମାରୀ ସମୟରେ ମନରେଗାର ଭୂମିକା ମଧ୍ୟ ଖୁବ୍ ସନ୍ତୋଷଜନକ ରହିଥିଲା। ସେହି ସମୟରେ ମନରେଗାର ପ୍ରଭାବକୁ ମୂଲ୍ୟାଙ୍କନ କରୁଥିବା ଏକ ବିଶ୍ୱବିଦ୍ୟାଳୟ ଦ୍ୱାରା ସର୍ଭେ କରାଯାଇଥିଲାI ସେଥିରୁ ଜଣାପଡ଼ିଛି ଯେ କର୍ଣ୍ଣାଟକର ସର୍ଭେ କରାଯାଇଥିବା ବ୍ଲକଗୁଡ଼ିକରେ, ୬୦ ପ୍ରତିଶତରୁ ଅଧିକ ପରିବାର ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ଗାଁଗୁଡ଼ିକର ବିକାଶରେ ମନରେଗା ଯୋଜନାର ବହୁ ଅବଦାନ ରହିଥିଲା।
ଏଣୁ ମନରେଗା ଭଳି ଯୋଜନାକୁ ଚାଲୁ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା ଯେ, ଅଣକୁଶଳୀ ଶ୍ରମିକମାନେ କାମ ଓ ରୋଜଗାର ପାଇବାକୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉ ନଥିଲେ। ତଥାପି, ଓଡ଼ିଶା ଏବଂ ବିହାର ଭଳି ରାଜ୍ୟରେ ଦାଦନ ସମସ୍ୟା ଉତ୍କଟ ରହି ଆସୁଥିଲା। ଅନେକେ ସୁପାରିଶ କରିଥିଲେ ଯେ ମନରେଗା ଯୋଜନାରେ ପ୍ରତି ପରିବାର ପାଇଁ ୧୦୦ ଦିନର କାମ ବଦଳରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ବାର୍ଷିକ ୧୦୦ ଦିନ କାମ ଯୋଗାଇବା ନିୟମ ହେବା ଉଚିତ।
ମନରେଗାରେ ଥିବା ତ୍ରୁଟି ଥିବା କାରଣରୁ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ଦୁର୍ନୀତି ଏବଂ ପାଣ୍ଠିର ଅପବ୍ୟବହାର ହେଉଥିଲା। ଅନେକ କ୍ଷେତ୍ରରେ ଲୋକ ବଦଳରେ ଯନ୍ତ୍ର କାମ ପାଉଥିଲେ। ଜି ରାମ୍ ଜି ଆଇନ ଫଳରେ ‘ଚାହିଦା-ଚାଳିତ ଢାଞ୍ଚା’ରୁ ‘ଯୋଗାଣ-ଚାଳିତ ଯୋଜନା’ରେ ଯୋଜନା ପରିବର୍ତ୍ତିତ ହେବ। ନିଶ୍ଚିତ କାର୍ଯ୍ୟଦିବସର ସଂଖ୍ୟା ୧୦୦ରୁ ୧୨୫ ଦିନକୁ ବୃଦ୍ଧି ହେବା ବେଳେ, ଏହା ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ବୋଝକୁ ବର୍ତ୍ତମାନର ୧୦ ପ୍ରତିଶତରୁ ମୋଟ ଖର୍ଚ୍ଚର ୪୦ ପ୍ରତିଶତକୁ ବୃଦ୍ଧି କରିବ ଏବଂ କେନ୍ଦ୍ର ଉପରୁ ଆର୍ଥିକ ବୋଝ ଲାଘବ କରିବ। ଯଦିଓ ମନରେଗାରେ କେନ୍ଦ୍ର ସରକାର ଶ୍ରମ ମଜୁରୀର ଶତ ପ୍ରତିଶତ ଏବଂ ଅନ୍ୟାନ୍ୟ ମଜୁରୀର ୭୫ ପ୍ରତିଶତ ଭରଣା କରୁଥିଲେ, ଦେଖିବାକୁ ଗଲେ କେନ୍ଦ୍ର ଏବଂ ରାଜ୍ୟ ସରକାର ୯୦:୧୦ ଅନୁପାତରେ ସାମଗ୍ରିକ ଭାବେ ଖର୍ଚ୍ଚ କରୁଥିଲେ। ଏବେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପାଣ୍ଠି-ବଣ୍ଟନ ଧାରା ଉତ୍ତର-ପୂର୍ବ ରାଜ୍ୟ, ହିମାଳୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ (ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଏବଂ ଜମ୍ମୁ ଏବଂ କାଶ୍ମୀର) ପାଇଁ ପୂର୍ବଭଳି ୯୦:୧୦ ଏବଂ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୬୦:୪୦ ହେବ। ରାଜ୍ୟମାନେ ଅଧିକ ଅନୁଦାନ ଦେଉଥିବାରୁ, ମିଛ କାମ କରି କେନ୍ଦ୍ରସରକାରଙ୍କ ଠାରୁ ଅଧିକ ଅର୍ଥ ନେବାର କଳଙ୍କ ରହିବନି। ଏହା ରାଜ୍ୟଗୁଡ଼ିକ ଉପରେ ଅଧିକ ଆର୍ଥିକ ବୋଝ ବଢାଉ ଥିବାରୁ ନୂତନ ଆଇନ ବଳରେ କେନ୍ଦ୍ରସରକାରଙ୍କୁ ଯୋଜନାଟି କେଉଁଠାରେ ଏବଂ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ଅଧିକ ନିୟନ୍ତ୍ରଣ ପ୍ରଦାନ କଲା ବେଳେ, ସ୍ଥାନୀୟ ଗ୍ରାମ ପଞ୍ଚାୟତମାନଙ୍କୁ ମଧ୍ୟ ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରୀ କଲାବେଳେ ଅଧିକ ନମନୀୟ଼ତା ମିଳିବା ଦରକାର।
ଆଧୁନିକତମ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଯଦି ଦୁର୍ନୀତି ହଟାଇବାର ପ୍ରୟାସ ହେବ ଏବଂ ଲୋକମାନ ଲାଭ ପାଇବେ, ଏହି ଆଇନକୁ ବିରୋଧ କରାଯିବା ଅନୁଚିତ। ଜି ରାମ୍ ଜି କାର୍ଯ୍ୟକାରୀ କଲାବେଳେ, ଯଦି ଇପ୍ସିତ ଫଳ ମିଳିବାରେ କିଛି ବାଧା ହେଉଥିବାର ଦେଖାଯାଏ, ହୁଏତ ତାହାର ନିରାକରଣ ମଧ୍ୟ କରାଯାଇ ପାରିବ। ଏଥିପାଇଁ ଆବଶ୍ୟକ ନିୟମାବଳୀରେ ପରିବର୍ତ୍ତନ ଓ ସୁଧାର ଅଣାଯାଇ ପାରିବ। ତାହା ନକରି ମୂଳରୁ ବିରୋଧ କରାଯିବା ଠିକ ନୁହେଁ। ଦେଶରେ ଗାନ୍ଧୀ ଓ ରାମଙ୍କୁ ନେଇ ବହୁତ ରାଜନୀତି ହୋଇ ଆସୁଛି। ଏବେ ଶାରୀରିକ ପରିଶ୍ରମ କରିବାକୁ ଲୋକ ମିଳୁ ନଥିବାରୁ ଚଢ଼ା ମଜୁରୀ କାରଣରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସୁଛନ୍ତି। ଯଦି ସେତେବେଳେ, ଜି ରାମ୍ ଜି କାମ ବନ୍ଦ ରହିବ, ତାହା ଚାଷୀଙ୍କ ପାଇଁ ସୁବିଧା ଦେବ। ଜି ରାମ୍ ଜି ଭଳି ଏକ ପ୍ରଗତିଶୀଳ ଆଇନକୁ ବିରୋଧ କରିବା ଅନୁଚିତ। ବରଂ କିଛି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବର୍ଷ ପରେ ଯୋଜନାର ମୂଲ୍ୟାୟନ କରାଯାଇ ମନରେଗା ଯୋଜନାର ଉପଲବ୍ଧି ସହିତ ତୁଳନା କରାଯାଉ। ସେତେବେଳେ ଜଣାଯିବ ଯେ, ମହାତ୍ମା ଗାନ୍ଧୀ ସ୍ୱାଧୀନତା ଦେଇଥିବା ଭାରତରେ ‘ଜି ରାମ୍ ଜି’ ବିକଶିତ ଭାରତକୁ କେତେ ଆଶୀର୍ବାଦ କରୁଛନ୍ତି!
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/26/mgnrega-2025-12-26-15-45-29.jpg)