Advertisment

ମଧ୍ୟଯୁଗୀୟ ବିଚାର ଓ ମହାକୁମ୍ଭ ମେଳା

ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ।

author-image
Debendra Prusty
Tents In Maha Kumbha Mela

Tents In Maha Kumbha Mela

ପଞ୍ଚାନନ କାନୁନଗୋ

ଏହି ମହା ଶିବରାତ୍ରୀ ଦିନ ପ୍ରୟାଗରାଜଠାରେ ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ସମାପ୍ତି ଘଟିଛି। ଏହି ମେଳା ଅନେକ ଘଟଣା ଓ ଦୁର୍ଘଟଣାର ସାକ୍ଷୀ ରହିଛି, ଯାହାକି ଇତିହାସରେ ଲିପିବଦ୍ଧ ହେବ। ଏଥିରେ ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ୪୦ ହଜାର ପୋଲିସ ମୁତୟନ ହୋଇଥିଲେ। ବଡ଼କଥା ହେଉଛି ଏଠାରେ ପ୍ରାୟ ଦେଢ଼ ଲକ୍ଷ ତମ୍ବୁ ଘରର ବ୍ୟବସ୍ଥା କରାଯାଇ ସାମ୍ୟକ ଭାବରେ ବିଭିନ୍ନ ଭକ୍ତମାନଙ୍କୁ ଆଶ୍ରୟ ଦେବାର ବ୍ୟବସ୍ଥା କରାଯାଇଥିଲା। ଭାରତ ବାହାରର ୭୩ଟି ଦେଶରୁ ଅନେକ ଲୋକ ଆସିଥିଲେ ବୁଡ଼ ପକାଇବା ପାଇଁ। ମହାକୁମ୍ଭ ମେଳାରେ ମଧ୍ୟପ୍ରଦେଶରୁ ଆସିଥିବା ଜଣେ ନୀଳନୟନା ସୁନ୍ଦରୀ ମହିଳାଙ୍କୁ ନେଇ ବିଭିନ୍ନ ସମ୍ବାଦପତ୍ରରେ ଅନେକ ସ୍ତମ୍ଭ ଦେଖିବାକୁ ମିଳିଲା। ଏପରିକି ଏଠାକୁ ଯାଇଥିବା ଧର୍ମବିଶ୍ୱାସୀମାନେ ଧାର୍ମିକ ବିଚାର ଆଲୋଚନା ଚର୍ଚ୍ଚା ଛାଡ଼ି ଏହି ସୁନ୍ଦରୀ ମହିଳାଙ୍କ ପଛରେ ଯାଉଥିବାର ଅନେକ ବୈଦ୍ୟୁତିକ ଗଣମାଧ୍ୟମ ସାରା ବିଶ୍ୱ ଦରବାରକୁ ଦେଖାଇଲା। ଏହି ଝିଅଟିର ନାମ ଥିଲା ମୋନାଲିସା ଓ ସେ ସବୁଠାରୁ ଏକ ଦରିଦ୍ର ପରିବାରରେ ଜନ୍ମ ନେଇ ମହାକୁମ୍ଭକୁ କିଛି ରୋଜଗାର ଆଶାରେ ଆସିଥିଲା। ଅଥଚ ତାକୁ ମିଳିଲା ବଡ଼ବଡ଼ ଚିତ୍ର ଜଗତର ଚିତ୍ର ତାରକା ହେବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିବାର ସୁଯୋଗ।

Advertisment

ଏହିସବୁ ଘଟଣା ସହିତ ଦୁର୍ଘଟଣା ମଧ୍ୟ ଯୋଡ଼ି ହୋଇଥିଲା। ଦୁର୍ଘଟଣାରେ ଅନେକ ଲୋକ ମୃତାହତ ହେଲେ। ଏପରିକି ବୁଡ଼ ସ୍ଥଳକୁ ଆସୁଥିବା ଯାତ୍ରୀମାନେ ବିଭିନ୍ନ ରେଳ ଷ୍ଟେସନରେ ମଧ୍ୟ ଦଳାଚକଟାର ସମ୍ମୁଖୀନ ହେଲେ। ଏଠାରେ ସ୍ଥାପିତ ହୋଇଥିବା ଛୋଟବଡ଼ ତମ୍ବୁମାନଙ୍କରେ ନିଆଁ ଲାଗି ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରାଇଥିଲା। ସରକାରଙ୍କ ସବୁ ନିୟନ୍ତ୍ରଣ ସତ୍ତ୍ୱେ ଦୁର୍ଘଟଣାଗୁଡ଼ିକୁ ଏଡ଼ାଇ ଦିଆଯାଇପାରିନଥିଲା। ଏସବୁ ଥିଲା ସାମାଜିକ ସାଂସ୍କୃତିକ ବ୍ୟବସ୍ଥା ଭିତରେ ଆବଦ୍ଧ। କିନ୍ତୁ ରାଜନୈତକ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ଏହା ପଛରେ ଜଡ଼ିତ ଥିବାର ଦେଖିବାକୁ ମିଳିଛି। ତାହା ହେଉଛି ଉତ୍ତର ପ୍ରଦେଶ ସରକାର ପ୍ରୟାଗରାଜର ବିଭିନ୍ନ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଓ ତିଆରି କରିବାରେ ମୋଟ ୭୩୫୨ କୋଟି ଟଙ୍କା ବ୍ୟୟ କରିଥିବା ଏକ ହିସାବରୁ ଜଣାଯାଏ। ଏଥିରେ ସଡ଼କ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ବିଜୁଳି ଆଦି ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ସରକାରୀ କର୍ମଚାରୀ, ପୋଲିସ ଓ ସୁରକ୍ଷା ବାହିନୀ ବାବଦରେ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ଖର୍ଚ୍ଚ କରିଛନ୍ତି। କିନ୍ତୁ ବଡ଼କଥା ହେଉଛି ଏହି ମେଳାରେ ଯୋଗ ଦେଇଥିବା ପଖାପାଖି ୬୬ କୋଟି ଲୋକଙ୍କ ସମାଗମ ହେତୁ ରାଜ୍ୟର ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ ହୋଇଥିବା କୁହାଯାଉଛି।

ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ। ରାଜା ମହାରାଜାମାନେ ରାଜ୍ୟ ଦଖଲ କଲାବେଳେ ନିଜ ସପକ୍ଷରେ ପ୍ରଜାମାନଙ୍କୁ ନେବା ଉଦ୍ଦେଶ୍ୟରେ ସେହି ରାଜ୍ୟବାସୀଙ୍କ ଧାର୍ମିକ ବିଚାରକୁ ନେଇ ଅନେକ ମନ୍ଦିର ନିର୍ମାଣ କରୁଥିଲେ ଓ ମେଳା ମହୋତ୍ସବର ଆୟୋଜନ କରୁଥିଲେ। ଇତିହାସର ତଥ୍ୟ ଅନୁସାରେ ମୋଗଲମାନଙ୍କ ପୂର୍ବରୁ ଆସିଥିବା ସମସ୍ତ ବିଦେଶୀ ଶାସକ ଲୁଟ୍‌ପାଟ କରି ସଂପଦ ନେଇ ନିଜନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ମୋଗଲମାନେ ଏହି ଦେଶରେ ନିଜର ଶାସନ ପ୍ରତିଷ୍ଠା ପାଇଁ ଉଦ୍ୟମ କଲେ ଓ ଯେଉଁଥିରେ ଆକବର ଓ ବାବର ଆଦି ଶାସକମାନେ ସର୍ବଧର୍ମ ସମନ୍ୱୟର ପ୍ରଚାର କରିବାକୁ ବାଧ୍ୟ ହୋଇଥିଲେ। ଯେଉଁ ଧର୍ମର ବ୍ୟବସ୍ଥା ‘ଦିନ୍‌ ଇ ଇଲାହୀ’ ଥିଲା। ପରବର୍ତ୍ତୀ କାଳରେ ତାଙ୍କର ବଂଶଧର ଔରଙ୍ଗଜେବ୍‌ ଯେତେବେଳେ କଠୋର ମୁସଲମାନ ଭାବରେ ନିଜ ଶାସନ ପ୍ରତିଷ୍ଠା କରିବାକୁ ଚାହିଁଲେ ବିରୋଧର ସମ୍ମୁଖୀନ ହେଲେ ଓ ଇତିହାସରେ ନିନ୍ଦିତ ହେଲେ। ଏହା ଥିଲା ଭାରତବର୍ଷର ଏକ ଇତିହାସ।

Advertisment

ଓଡ଼ିଶାକୁ ଉତ୍ତର ଭାରତରୁ ଆସିଥିବା କେଶରୀ ବଂଶ ଶାସନ କାଳରେ ଓଡ଼ିଶାରେ ଚାରି ପାଖରେ ଶିବ ମନ୍ଦିର ପ୍ରତିଷ୍ଠା ହେଲା। ଇତିହାସର ତଥ୍ୟ ଅନୁସାରେ ଭୁବନେଶ୍ୱରସ୍ଥ ଲିଙ୍ଗରାଜ ମନ୍ଦିର କେଶରୀ ବଂଶ ଶାସନ କାଳରେ ହିଁ ପ୍ରତିଷ୍ଠା ହୋଇଥିଲା। କାରଣ ଓଡ଼ିଶାର ଲୋକମାନେ ବିଶେଷ ଭାବରେ ଶୈବ ଓ ଶାକ୍ତ ଥିଲେ। ପରବର୍ତ୍ତୀ କାଳରେ ଗଙ୍ଗବଂଶୀମାନେ ଦକ୍ଷିଣରୁ ଆସି ଓଡ଼ିଶାରେ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଲୋକଙ୍କୁ ନିଜ ସପକ୍ଷରେ ନେବା ଉଦ୍ଦେଶ୍ୟରେ ସୂର୍ଯ୍ୟ ପୂଜା ଆରମ୍ଭ କରିଥିଲେ। ଆଜି ଦିନରେ ଆମେ ଯେଉଁ କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖୁଛୁ ବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ସେସବୁ ଗଙ୍ଗବଂଶ ରାଜୁତି କାଳର କୀର୍ତ୍ତି। ଯେତେବେଳେ ମରହଟ୍ଟାମାନେ ଓଡ଼ିଶାକୁ ଆସିଲେ ଓ ଶାସନ କଲେ ସେ ସମୟରେ ରାମଚନ୍ଦ୍ର, ରଘୁନାଥ ପ୍ରମୁଖ ଦେବ ମନ୍ଦିର ଓଡ଼ିଶାରେ ପ୍ରତିଷ୍ଠା ହେଲା ଯେଉଁଠାରେ ରାମ, ଲକ୍ଷ୍ମଣ, ସୀତା ପୂଜା ପାଇବାର ବିଧି ଆରମ୍ଭ ହେଲା। ଏହିମାନଙ୍କ ସମୟରେ ଜଗନ୍ନାଥଙ୍କ ପାଖକୁ ଆସୁଥିବା ଦର୍ଶନାଭିଳାଷୀ ଭକ୍ତମାନଙ୍କ ଉପରେ କର ଧାର୍ଯ୍ୟ ହେବାର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିପାଇଁ ଓଡ଼ିଶାରେ ବିଦ୍ରୋହ ଦେଖାଦେଲା ଓ ମରହଟ୍ଟାମାନଙ୍କୁ ବିଦା କରିବା ପାଇଁ ଜୟୀ ରାଜଗୁରୁ ଇଂରେଜମାନଙ୍କୁ ନିମନ୍ତ୍ରଣ କରିବାକୁ ବାଧ୍ୟ ହୋଇଥିଲେ। ଏସବୁ ହେଲା ରାଜା ମହାରାଜାମାନଙ୍କ ଶାସନ ବିଚାର ବ୍ୟବସ୍ଥା ଓ ଯେଉଁ ବିଚାରକୁ ନେଇ ସମଗ୍ର ରାଜ୍ୟରେ ପ୍ରଜାମାନଙ୍କୁ ଶାସକମାନେ ନିଜ ପକ୍ଷରେ ରଖିବାର ଉଦ୍ୟମ କରୁଥିବା ଜଣାଯାଏ।

ଏଥିସହିତ ଅନେକ ବ୍ୟବସ୍ଥା କରାଯାଇଥିଲା ଯାହାଦ୍ୱାରା ରାଜ୍ୟ ଓ ରାଜ୍ୟ ସରକାରଙ୍କ ଆୟ ବୃଦ୍ଧି ହେବ ଓ ପ୍ରଜାମାନେ ମେଳା ଓ ଉତ୍ସବରେ ମାତି ରହି ରାଜାଙ୍କ ଦ୍ୱାରା କରାଯାଉଥିବା କ୍ଷୟକ୍ଷତିକୁ ଭୁଲିଯିବେ। ବିଭିନ୍ନ ଜାଗାରେ ବୁଡ଼ ପଡ଼ିବା ଏବଂ ଏଥିରେ ପବିତ୍ରତା ଆହରଣ କରିବା ଆଦିର ପ୍ରଚାର ପ୍ରସାର କରାଯାଉଥିଲା। ପରବର୍ତ୍ତୀ କାଳରେ ଅନ୍ୟ ଏକ ଭାବରେ ଏହି ଧାର୍ମିକ ଅନ୍ଧ ବିଶ୍ୱାସର ପ୍ରଚାର ପ୍ରସାର ଏ ଭୂଖଣ୍ଡରେ ଦେଖିବାକୁ ମିଳିଥିଲା। ଅନୁଗୁଳର ରନ୍ତଲେଇଠାରେ ଜଣେ ବାବାଜୀଙ୍କ ହୁକୁମ ଆମ ଓଡ଼ିଶା ଇତିହାସରେ ସ୍ଥାନିତ ହୋଇଛି। ଅନେକ ଜାଗାରେ ହୁକୁମ ଦେବା ନାଁରେ ବାବାଜୀମାନଙ୍କ ଆବିର୍ଭାବ ଓ ମନ୍ଦିରକୁ ନେଇ ଅନେକ କଥା ବିଭିନ୍ନ ଆଡ଼େ ପ୍ରଚାରିତ ହେଉଥିଲା। ସେଥିମଧ୍ୟରେ ଫୁଲନଖରା ନିକଟସ୍ଥ ମହିଧରପଡ଼ାରେ ଗୁପ୍ତ ଗଙ୍ଗାର ଆବିର୍ଭାବ, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଜବାୟାଣୀଙ୍କ ଠାରେ ହୁକୁମ, କଣ୍ଟାପଡ଼ା ବ୍ରାହ୍ମଣ ସାଇଲୋ ନିକଟବର୍ତ୍ତୀ ଏକ ମନ୍ଦିରରେ ଲକ୍ଷ୍ମଣବାବାଙ୍କ ହୁକୁମ ଦାନ, ଛୋଟବଡ଼ ଆକାରରେ ଲୋକଙ୍କୁ ପ୍ରଭାବିତ କରିଥିଲା। ଏ ଅଞ୍ଚଳକୁ ଜନସମାଗମ ବୃଦ୍ଧି ପାଇଥିଲା। ଏଠି ସାମ୍ୟକ ଭାବେ ବଜାର ସୃଷ୍ଟି ହୋଇଥିଲା ଏବଂ ଏହିସବୁ ଅଞ୍ଚଳର ରାସ୍ତାଘାଟ ଉନ୍ନତି କରାଯାଇ ଯାତାୟାତର ବ୍ୟବସ୍ଥା କରାଯାଇଥିଲା। ଏ ସମସ୍ତ ଘଟଣା ଅଳ୍ପଦିନ ତଳର କଥା।

ଏପରି ବିଚାର ଆଜି ବି ଉଜ୍ଜୀବିତ ଥିବା ଲକ୍ଷ୍ୟ କରାଗଲା। ଦେଶର ଶାସକ ଓ ରାଜ୍ୟର ଶାସକମାନେ ଅମୁକ ଜାଗାରେ ବୁଡ଼ ପକାଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ଓ ଅନେକ ପବିତ୍ରତା ଲାଭ ହୁଏ ଏସବୁର ପ୍ରଚାର କରୁଥିବା ଦେଖାଗଲା। କିନ୍ତୁ ତା’ ମୂଳରେ ଥିବା ଉଦ୍ଦେଶ୍ୟ ହେଉଛି ଅଧିକ ଅର୍ଥ ଆୟ ଓ ପୂର୍ବପରି ରାଜା ମହାରାଜାମାନଙ୍କ ପ୍ରଜାଙ୍କୁ ନିଜ ବିଫଳତାରୁ ଦୂରରେ ରଖି ନିଜ ପକ୍ଷରେ ରଖିବାର ଅଭିଳାଷ। ଦୀର୍ଘ ୨ ମାସ କାଳ ପ୍ରଚାରିତ ହେଲା ଯେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ମହାକୁମ୍ଭର ଆୟୋଜନ କରାଯାଉଛି। ଏହିଦିନ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ଅନେକ ପୂଣ୍ୟ ଅର୍ଜନ ମଣିଷ କରିବ। ଏ ଦେଶର ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିଷଦ ବର୍ଗ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ତାଙ୍କର ପରିଷଦ ବର୍ଗ ସମସ୍ତେ ବୁଡ଼ ପକାଇବା ଗଣମାଧ୍ୟମ ଦ୍ୱାରା ଲୋକଙ୍କୁ ଦେଖାଗଲା। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବୁଡ଼ ପକାଇବାକୁ ଆସିଲେ।

ଏଥିରେ କେବଳ ଦେଢ଼ ଲକ୍ଷ ତମ୍ବୁ ପ୍ରସ୍ତୁତକାରୀ ଯେ ଲାଭବାନ ହୋଇଛନ୍ତି ତା’ନୁହେଁ, ଯାତାୟାତରେ ସହାୟକ ରେଳବାଇ ଅନେକ କ୍ଷତି ଭରଣା କଲା। ପେଟ୍ରୋଲ ଡିଜେଲ୍‌ ଉପରେ ମିଳୁଥିବା ଟିକସ ପାଇଁ କେବଳ ଯେ ଉତ୍ତର ପ୍ରଦେଶ ବହୁତ ଆୟ କଲା ତା’ ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ଉପାର୍ଜନ କରିବାରେ ସମର୍ଥ ହେଲେ। ଛୋଟ ବୁଲା ବିକାଳୀଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତକାରୀ ହୋଟେଲ, ରିକ୍ସା ଚାଳକ ଓ ଘୋଡ଼ା ଚାଳକମାନେ ମଧ୍ୟ ବେଶ ଦି’ ପଇସା ଅର୍ଜନ କଲେ। ବ୍ରାହ୍ମଣ, ପୂଜାରୀ ଓ ଅନେକ ରକମର ଦଲାଲ ଯାତ୍ରୀମାନଙ୍କ ଠାରୁ ବିଭିନ୍ନ ଭାବରେ ଅର୍ଥ ଆଦାୟ କରି ଏହି ଦେଢ଼ ମାସ ଭିତରେ ଲକ୍ଷପତି ତ ନିଶ୍ଚୟ ହେଲେ। ଗରିବ ଭିକାରିଟିଏ ଯଦି ଜଣକ ଠାରୁ ଟଙ୍କାଟିଏ ଦାନ ଗ୍ରହଣ କରିଥାଏ ତେବେ ୬୬ କୋଟି ଟଙ୍କା ଏଠି ବୁଲୁଥିବା ଭିକାରିମାନଙ୍କ ହାତକୁ ଗଲା। ଯେଉଁମାନେ ଗଙ୍ଗାରେ ସ୍ନାନ କରି ନଦୀକୁ କିଛି ମୁଦ୍ରା ନିକ୍ଷେପ କରୁଥିଲେ ସେସବୁକୁ ପରବର୍ତ୍ତୀ ସମୟରେ ଗୋଟାଇ ରଖୁଥିବା ବ୍ୟକ୍ତିମାନେ ମଧ୍ୟ ବେଶ୍‌ ଭଲ ରୋଜଗାର କରିଥିଲେ। ସବୁ ବର୍ଗର ଳୋକଙ୍କ ଅର୍ଜନ, ସରକାରଙ୍କ ଅର୍ଜନ ମୋଟାମୋଟି ଭାବେ ରାଜସ୍ୱ ଆୟ ବୃଦ୍ଧି କରାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଘୋଡ଼ାଇବାରେ ନିଶ୍ଚୟ ସାହାଯ୍ୟ କରିଛି।

ଆଗରୁ ଯେ ବିଭିନ୍ନ ଜାଗାରେ ଛୋଟବଡ଼ ମେଳା ହେଉନଥିଲା ତା ନୁହେଁ, ଆମେ ଲକ୍ଷ୍ୟ କରିଛେ ବନମାଳିପୁର ନିକଟ ପ୍ରାଚୀ ନଦୀରେ ତ୍ରିବେଣୀ ବୁଡ଼, କୋଣାର୍କ ଠାରେ ଚନ୍ଦ୍ରଭାଗା ବୁଡ଼ ଓ ଯାଜପୁର ଠାରେ ବୈତରଣୀ ବୁଡ଼ ସବୁ ସମୟରେ ମେଳାମାନ ଆୟୋଜିତ ହୋଇଥାଏ। କଟକର ବାଲିଯାତ୍ରା ପଡ଼ିଆ ନିକଟରେ ହେଉଥିବା କାର୍ତ୍ତିକ ପୂର୍ଣ୍ଣମୀ ବୁଡ଼ ଓ ମେଳାରେ ମଧ୍ୟ ବହୁଲୋକ ସମାଗମ ହେଉଥିବାର ଦେଖିଥାଉ। ଏସବୁ ଥିଲା ଆଞ୍ଚଳିକ ଭିତ୍ତିର ଛୋଟବଡ଼ ମେଳା ମହୋତ୍ସବ ଓ ବଜାର କାରବାରର ବ୍ୟବସ୍ଥା। କିନ୍ତୁ ମହାକୁମ୍ଭ ବୁଡ଼ ଯେଉଁ ଉତ୍ସବ ବା ମେଳାର ଆୟୋଜନ ହୋଇଥିଲା ତାହା ଥିଲା ସରକାର ବା ଶାସନ ପ୍ରାୟୋଜିତ। ସୁଚିନ୍ତିତ ଉପାୟରେ ଏହି ବୁଡ଼ର ଆୟୋଜନ କରି ଏକ ବିଶ୍ୱାସର ବାତାବରଣ ସୃଷ୍ଟି କରିବା ଓ ନିଜ ବିରୋଧରେ ଥିବା ଜନମତକୁ କିଛି ସମୟ ପାଇଁ ଢାଙ୍କି ରଖିବା ଉଦ୍ଦେଶ୍ୟରେ ଶାସକମାନେ ଏହା କରିଥିଲେ। ପ୍ରୟାଗରାଜର ଏହି ମେଳା ବା ମହୋତ୍ସବ ସାରା ବିଶ୍ୱରେ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା। ଲୋକଙ୍କ ଧାର୍ମିକ ଭାବ ଜାଗ୍ରତ କରାଇବାରେ ସହାୟକ ହୋଇଥିଲା। ବିଶେଷତଃ ଅନେକ ଅନ୍ଧବିଶ୍ୱାସୀମାନେ ଏଠାରେ ବୁଡ଼ ପକାଇବାକୁ ଆସିଥିଲେ। କେତେ ଧର୍ମ ଅର୍ଜନ କଲେ ବା ପୂଣ୍ୟ ଅର୍ଜନ କଲେ ସେସବୁ ମାପିବା ଯନ୍ତ୍ର କାହାରି ପାଖରେ ନାହିଁ ବା ଏ ପର୍ଯ୍ୟନ୍ତ ଉଦ୍‌ଭାବନ ହୋଇନାହିଁ। କେବଳ ଗୋଟିଏ କଥା ପଦାକୁ ଆସିଛି ବ୍ୟୟ ଠାରୁ ଆୟ ଅଧିକ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟଟି କରାଯାଇଥିଲା। ଚତୁର ବ୍ୟବସାୟୀମାନେ ଏହାର ସଦୁପଯୋଗ କରିଥିଲେ ଏବଂ ଏଥିରୁ ଲାଭ ଉଠାଇଥିଲେ।

ସମସ୍ତଙ୍କ ସ୍ମରଣ ଥିବ ଯେ ଶ୍ରାବଣ ମାସରେ କାଉଡ଼ିଆମାନେ ପାଣି ଭାର ବହନ କରି ବିଭିନ୍ନ ଶିବ ମନ୍ଦିରକୁ ଯାତ୍ରା କରି ଜଳଦାନ କରିଥାନ୍ତି। ସେହି କାଉଡ଼ିଆମାନେ ୪୦ ବର୍ଷ ତଳେ ଯେତେବେଳେ ଯାତ୍ରା ଆରମ୍ଭ କଲେ ସେମାନେ ମାଟି କଳସ ଓ ବାଉଁଶର ବାହୁଙ୍ଗୀ ସହିତ ଝୋଟର ଶିକା ବ୍ୟବହାର କରୁଥିଲେ। ଏବେ ଗତ କିଛି ବର୍ଷ ହେଲା ବାଉଁଶ ଜାଗାରେ ପ୍ଲାଷ୍ଟିକ୍‌ ବତା, ପ୍ଲାଷ୍ଟିକ ଦଉଡ଼ିର ଶିକା, ପ୍ଲାଷ୍ଟିକ ଗଡୁମାନ ଦେଖିବାକୁ ମିଳୁଛି। ଏସବୁର ବଜାର ବିଭିନ୍ନ ସହରର ମାରୱାଡ଼ି ପଟିମାନଙ୍କରେ ବହୁ ସଂଖ୍ୟାରେ ଖୋଲାଯାଇଥିବା ଦେଖାଯାଉଛି। କେବଳ ସେତିକି ନୁହେଁ, ବିଭିନ୍ନ ରଙ୍ଗ ଓ ଢଙ୍ଗର ଶସ୍ତା କପଡ଼ା ବହୁ ମୂଲ୍ୟରେ ବଜାରମାନଙ୍କରେ ମିଳୁଛି। ଭକ୍ତମାନଙ୍କ ଠାରୁ ଅର୍ଥ ଶୋଷଣ କରିବାର ଅଦ୍ଭୁତ ବିଧି ବ୍ୟବସ୍ଥା ଏଥିରେ ଯୋଡ଼ି ହୋଇଗଲାଣି। ଗହ୍ମା ପୂର୍ଣ୍ଣମୀ ଦିନ ପରମ୍ପରା ଅନୁସାରେ ଗୋ ପୂଜା କରାଯାଇଥାଏ। ଗହ୍ମାଡିଆଁ ଆୟୋଜନ କରାଯାଇ ବଳଦମାନଙ୍କ ଶକ୍ତି ପରୀକ୍ଷା କରାଯାଇଥାଏ। ବର୍ତ୍ତମାନ ସେହି ଜାଗାରେ ରାକ୍ଷୀ ଉତ୍ସବ ବହୁଳ ଭାବରେ ପାଳନ କରାଯାଉଥିବା ଦେଖାଯାଉଛି। ଗାଁର ଛୋଟ ବଜାର ଠାରୁ ଆରମ୍ଭ କରି ବଡ଼ବଡ଼ ସହର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାର ରାକ୍ଷୀ ଦୋକାନ ଖୋଲୁଛି ଏବଂ ବହୁମୂଲ୍ୟ ଦେଇ ଏ ରାକ୍ଷୀ ସବୁ ଯୁବକ ଯୁବତୀମାନେ କ୍ରୟ କରୁଥିବା ଦେଖାଯାଉଛି। ଯାହାର ମୁଖ୍ୟ ଲାଭାଂଶ ସେହି ବେପାରୀମାନଙ୍କ ହାତକୁ ଯାଉଛି। ରାଜା ମହାରାଜା ବା ଶାସକମାନଙ୍କ ସହଯୋଗରେ ବେପାରୀମାନେ ଏହିସବୁ ଆୟୋଜନ ଚମତ୍କାର ଭାବେ ହଜାର ହଜାର ବର୍ଷ ଧରି କରି ଚାଲିଛନ୍ତି।

ଏବେ ପୁଣି ଥରେ ଏହି କୌଶଳର ଅଭ୍ୟୁଦୟ ଘଟିଛି। ସାଧାରଣ ଜନତା ଯେ ପର୍ଯ୍ୟନ୍ତ ସଚେତନ ନୁହନ୍ତି ସେ ପର୍ଯ୍ୟନ୍ତ ପରମ୍ପରାକୁ ଭୁଲି ବା ପରମ୍ପରାକୁ କଦର୍ଥ କରି ଏହିପରି ଅନେକ ଆୟୋଜନ ଯାହାକି ବ୍ୟବସାୟୀଙ୍କ ପାଣ୍ଠି ବୃଦ୍ଧି କରୁଛି ଓ ଶାସକକୁ ଅତିମାତ୍ରାରେ ସୁହାଉଛି ବୋଲି ଜାଣିପାରିବେ ନାହିଁ। ମହାକୁମ୍ଭ ସମସ୍ତ ଭାରତୀୟମାନଙ୍କ ଆଖି ଖୋଲିଦେବ ବୋଲି ବିଶ୍ୱାସ କରାଯାଏ। ମହାକୁମ୍ଭ ଶୋଷଣ ଓ ବିଶ୍ୱାସ-ଅବିଶ୍ୱାସର ଦୋଳିରେ ସମଗ୍ର ଭାରତବାସୀଙ୍କୁ ବସାଇ ଦେଇଗଲା।

ମୋ-୯୪୩୮୩୬୦୮୪୯

Uttar Pradesh Kumbha Mela Festivals Maha Kumbha Mela