Advertisment

ଭାରତୀୟ ପରିବାର ଭାଙ୍ଗୁଛନ୍ତି ବହୁରାଷ୍ଟ୍ରୀୟ କମ୍ପାନୀ!

ପରିବାର ସଂଖ୍ୟା ଯେତେ ଅଧିକ ହେବ, ସେତେ ଅଧିକ ଘର, କାର, ଟେଲିଭିଜନ, ରେଫ୍ରିଜରେଟର ଇତ୍ୟାଦି ଦରକାର ହେବ। ଏହା ଦ୍ୱାରା ସମସ୍ତ ଉତ୍ପାଦର ଚାହିଦା ବୃଦ୍ଧି ଏବଂ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ। ଅଧିକ ସାମଗ୍ରୀ ବିକ୍ରୟ କରିବା ଦ୍ୱାରା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ଲାଭ ମଧ୍ୟ ବୃଦ୍ଧି ପାଇବ। ସାମଗ୍ରିକ ଭାବରେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

author-image
Debendra Prusty
joint family

Representative Image Photograph: (Internet)

ଗୋଲଖ ଚନ୍ଦ୍ର ଦାସ

ମଣିଷ ଏକା ରହେ ନାହିଁ। ନିଜର ଆବଶ୍ୟକତା ପୂରଣ କରିବା ଏବଂ ସୁରକ୍ଷା ପାଇବା ପାଇଁ ମଣିଷ ପରିବାର ଏବଂ ସମାଜ ସୃଷ୍ଟି କରିଛି। ପରିବାର ଅନେକ ଲୋକଙ୍କୁ ନେଇ ଗଠିତ - ପୁରୁଷ, ମହିଳା, ପିଲା, ଯୁବକ ଏବଂ ବୃଦ୍ଧ। ପରିବାରରେ ସମସ୍ତେ ସମାନ ନୁହଁନ୍ତି। କେହି କେହି ଶାରୀରିକ କିମ୍ବା ମାନସିକ ଭାବରେ ଦୁର୍ବଳ ଥିବା ବେଳେ ଅନ୍ୟ କେହି ସବଳ  ହୋଇଥାନ୍ତି। ପରିବାରର ସମସ୍ତଙ୍କ ପାଇଁ ସୁଖ-ସୁବିଧା ଏବଂ ସୁରକ୍ଷା ନିହିତ ଥାଏ। 

Advertisment

ପରିବାର ହେଉଛି ସମାଜର ସବୁଠାରୁ ଛୋଟ ଏକକ। ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ପରିବାର ଦ୍ୱାରା ଏକ ସୁଖୀ, ସମ୍ପନ୍ନ ଓ  ସମୃଦ୍ଧ ସମାଜର ଗଠନ ହୋଇଥାଏ। ପରିବାର ହେଉଛି ପିଲାର ପ୍ରଥମ ପାଠଶାଳା। ଏହିଠାରେ ସେମାନେ ଭଲ ଏବଂ ଖରାପ ଅଭ୍ୟାସ ଶିଖନ୍ତି। ଏହିଠାରେ ସେମାନଙ୍କର ଧାର୍ମିକ ଓ ସାଂସ୍କୃତିକ ବିଚାର, ଜୀବନଶୈଳୀ, ଖାଦ୍ୟପେୟ, ପସନ୍ଦ ଏବଂ ଅପସନ୍ଦ ସମ୍ପର୍କରେ ଆଗ୍ରହ ବିକଶିତ ହୁଏ। ପରିବାର ମଧ୍ୟରେ ପୈତୃକ ବୃତ୍ତି ମଧ୍ୟ ବିକଶିତ ହୁଏ। ଏବେ ଦୁଇ ପ୍ରକାରର ପରିବାର ଦେଖିବାକୁ ମିଳୁଛି। ଯୌଥ ପରିବାର  ଏବଂ ଏକକ ପରିବାର  ବା ନ୍ୟୁକ୍ଲିୟର ପରିବାର। 

ଯେଉଁ ପରିବାରରେ ଏକାଧିକ ପିଢ଼ିର ଲୋକମାନେ ଏକାଠି ରୁହନ୍ତି ତାହାକୁ ଯୌଥ ପରିବାର କୁହାଯାଏ। ଆଜି ଅନେକ ଲୋକ ଏବେ ବି  ଯୌଥ ପରିବାରରେ ରହୁଛନ୍ତି। ଭାରତୀୟ ବର୍ଷରେ ବସବାସ କରୁଥିବା ହିନ୍ଦୁ ପରିବାରରେ ଯୌଥ ପରିବାରର ଚଳଣି ଦେଖିବାକୁ ମିଳେ ଯେଉଁଠି ଗୋଟିଏ ପରିବାରର ଏକାଧିକ ପିଢ଼ି ଯଥା ଜେଜେବାପା-ଜେଜେମା, ବାପା-ମା, କକା -ଖୁଡୀ, ସ୍ୱାମୀ-ସ୍ତ୍ରୀ ତଥା ଭାଇ-ଭଉଣୀ ଏକା ସାଥିରେ ବସବାସ କରନ୍ତି। ଝିଅଟିଏ ମଧ୍ୟ ଯୌଥ ପରିବାରର ସଦସ୍ୟ ହୋଇଥାଏ କିନ୍ତୁ ବିବାହ ପରେ ହିନ୍ଦୁ ଝିଅଟିଏ ବାପାଙ୍କ ପରିବାରର ସଦସ୍ୟ ନ ରହି ସ୍ୱାମୀ ପରିବାରର ସଦସ୍ୟ ହୋଇଯାଏ। ମନୁଷ୍ୟର ଆର୍ଥିକ, ମାନସିକ, ଶାରୀରିକ ତଥା ସର୍ବାଙ୍ଗୀନ ବିକାଶ ପାଇଁ ପରିବାର ସମାଜ ସର୍ବନିମ୍ନ ସଂଘବଦ୍ଧ ଜୀବନ ଭାବେ ଗଢ଼ି ଉଠିଛି। ଏହା ସହିତ ଭବିଷ୍ୟତ ପିଢ଼ିର ବିକାଶରେ ସହଯୋଗ କରିବା ସହ ମଣିଷ ନିଜର ଭବିଷ୍ୟତ ଜୀବନକୁ ମଧ୍ୟ ସୁରକ୍ଷିତ କରିପାରିଛି। ଏ ସବୁ ଦୃଷ୍ଟିରୁ ବୈଦିକ ଯୁଗରୁ ଯୌଥ ପରିବାରକୁ ହିଁ ଏକ ସ୍ୱୟଂ ସଂପୂର୍ଣ୍ଣ ପରିବାରର ମାନ୍ୟତା ଦିଆଯାଇଛି। 

Advertisment

ଆଜିକାଲି ଯୌଥ ପରିବାର ବଦଳରେ ଏକକ ପରିବାରରେ ବ୍ୟକ୍ତି ଦୈନନ୍ଦିନ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ମଣିଷ ଜୀବନର ମୂଳ ଲକ୍ଷ୍ୟ ସାଧନରେ ବିଫଳ ହେବାର ଅନେକ ନଜିର ଦେଖାଦେଇଛି। ଛୋଟ ପରିବାର ବା ନ୍ୟୁକ୍ଲିୟର ପରିବାର ଥା’ନ୍ତି ପତି, ପତ୍ନୀ ଏବଂ ତାଙ୍କର ଅବିବାହିତ ପିଲାମାନେ। ଏହା ଯୌଥ ପରିବାରଠାରୁ ଭିନ୍ନ ଏବଂ ଆଧୁନିକ ଜୀବନଶୈଳୀ, ସହରୀକରଣ ଏବଂ ଗୋପନୀୟତାର ଆକାଂକ୍ଷା ଯୋଗୁଁ ଏହା କ୍ରମଶଃ ଲୋକପ୍ରିୟ ହେଉଛି। ଆଧୁନିକ ଶିକ୍ଷା ବ୍ୟବସ୍ଥା, ସହରୀକରଣ, ଗ୍ରାମାଞ୍ଚଳରେ ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ଯିବାରୁ ଲୋକେ ସହରକୁ ଆସି ରହିଲେ। ଆଉ ସହରରେ ପରିବାରମାନେ ପିଲା, ବାପା ଓ ମା’। ଏହା ସହ ଏଠାରେ ଜେଜେମା, ଜେଜେବାପା, କାକା, କାକି ତଥା ସାହି ପଡ଼ିଶା କି ଅନ୍ୟ ସମ୍ପର୍କର କୌଣସି ମୂଲ୍ୟ ରହିଲା ନାହିଁ।     

ଭାରତୀୟ ସଂସ୍କୃତିରେ ଯୌଥ ପରିବାରର ଦୃଢ଼ ଭିତ୍ତିଭୂମି ଯାହା ପାରସ୍ପରିକ ସ୍ନେହ, ସହଯୋଗ ଏବଂ ମୂଲ୍ୟବୋଧ ଉପରେ ଆଧାରିତ। ବଡ଼ ପରିବାର ଆଧୁନିକ ଯୁଗରେ ମଧ୍ୟ ନିଜର ସଦସ୍ୟମାନଙ୍କୁ ସୁରକ୍ଷା ଏବଂ ସମର୍ଥନ ପ୍ରଦାନ କରେ। ଏହି ପରିବାର ପାରସ୍ପରିକ ସମ୍ମାନ, ସମର୍ଥନ ଏବଂ ସହଭାଗୀ ଦାୟିତ୍ୱ ଦ୍ୱାରା ସୁଦୃଢ଼ ହୁଏ, ଯାହା ପିଲାମାନଙ୍କୁ ସୁରକ୍ଷା ଏବଂ ବୟସ୍କମାନଙ୍କୁ ସମର୍ଥନ ପ୍ରଦାନ କରେ। ଏହି ଏକତା ହେଉଛି ପରିବାରର ପ୍ରକୃତ ଭିତ୍ତିଭୂମି। ସମସ୍ତ ସଦସ୍ୟ ଏକାଠି ସମୟ ବିତାଇବେ, କଥା ହେବେ ଏବଂ ପରସ୍ପରର ଭାବନାକୁ ବୁଝିବେ। ବିଶେଷକରି କଷ୍ଟକର ସମୟରେ ପରସ୍ପରକୁ ତନ,ମନ,ଧନ ପୂର୍ବକ ସମର୍ଥନ କରିବେ। ପ୍ରତ୍ୟେକ ସଦସ୍ୟ ପରିବାରର ସାମୂହିକ ପରିଚୟକୁ ସୁଦୃଢ଼ କରି ନିଜର ଭୂମିକା ଗ୍ରହଣ କରନ୍ତି। ଭାରତୀୟ ସନାତନ ପରମ୍ପରା ଅନୁଯାୟୀ ଭାରତରେ ପରିବାରକୁ ଏକ ମହତ୍ୱପୂର୍ଣ୍ଣ ଏକକ ଭାବରେ ଗ୍ରହଣ କରାଯାଇଛି ଏବଂ ଯୌଥ ପରିବାରକୁ ଏହାର ପରିଣାମ ଭାବରେ ଦେଖାଯାଏ।
ପାଶ୍ଚାତ୍ୟ ଅର୍ଥନୈତିକ ଦର୍ଶନରେ ଯୌଥ ପରିବାର ପ୍ରାୟ ଅସ୍ତିତ୍ୱହୀନ ଏବଂ ବିକଶିତ ଦେଶଗୁଡ଼ିକରେ ଯେତେବେଳେ ପିଲାମାନେ ସାଧାରଣତଃ ୧୮ ବର୍ଷ ବୟସରେ ପହଞ୍ଚିଥାନ୍ତି, ସେମାନେ ନିଜର ପରିବାର ସ୍ଥାପନ କରନ୍ତି ଏବଂ ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହୋଇ ପୃଥକ ଘରେ ରୁହନ୍ତି। ଏହି ଧାରା ସମ୍ଭବତଃ ଅର୍ଥନୈତିକ ବିଚାର ଦ୍ୱାରା ପରିଚାଳିତ। ପରିବାର ସଂଖ୍ୟା ଯେତେ ଅଧିକ ହେବ, ସେତେ ଅଧିକ ଘର, କାର, ଟେଲିଭିଜନ, ରେଫ୍ରିଜରେଟର ଇତ୍ୟାଦି ଦରକାର ହେବ। ଏହା ଦ୍ୱାରା ସମସ୍ତ ଉତ୍ପାଦର ଚାହିଦା ବୃଦ୍ଧି ଏବଂ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ। ଅଧିକ ସାମଗ୍ରୀ ବିକ୍ରୟ କରିବା ଦ୍ୱାରା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକର ଲାଭ ମଧ୍ୟ ବୃଦ୍ଧି ପାଇବ। ସାମଗ୍ରିକ ଭାବରେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ। 


ବିକଶିତ ଦେଶଗୁଡ଼ିକରେ ଏପରି ବିଶ୍ୱାସ ସାଧାରଣ ହୋଇଗଲାଣି। ବର୍ତ୍ତମାନ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତରେ ଯୌଥ ପରିବାର ବ୍ୟବସ୍ଥାକୁ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ପରିବାର ସଂଖ୍ୟା ବୃଦ୍ଧି ପାଇବ ଏବଂ ପରିବାର ସଂଖ୍ୟା ବଢ଼ିଲେ ବିଭିନ୍ନ ଉତ୍ପାଦର ଆବଶ୍ୟକତା ବୃଦ୍ଧି ପାଇବ। ଯେଉଁଥିପାଇଁ ବଜାରରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ରବ୍ୟର ବିକ୍ରୟ ବୃଦ୍ଧି ପାଇବ। ଏଥିପାଇଁ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ବିଭିନ୍ନ ସାମାଜିକ ଧାରାବାହିକ ପ୍ରସ୍ତୁତ ଏବଂ ପ୍ରାୟୋଜିତ କରୁଛନ୍ତି, ଟେଲିଭିଜନରେ ପ୍ରସାରିତ କରୁଛନ୍ତି, ଯୌଥ ପରିବାରର ଅସୁବିଧାଗୁଡ଼ିକୁ ଉଜାଗର କରୁଛନ୍ତି ଏବଂ ଛୋଟ ପରିବାରର ସୁଖି ପରିବାର ବୋଲି ପ୍ରଚାର କରୁଛନ୍ତି। ଶାଶୁ ଏବଂ ବୋହୂଙ୍କ ମଧ୍ୟରେ, ନଣନ୍ଦ ଏବଂ ଦିଅରଙ୍କ ମଧ୍ୟରେ, ଦୁଇ ଭଉଣୀଙ୍କ ମଧ୍ୟରେ, ଭାଇ ଭାଇ ମଧ୍ୟରେ ଏବଂ ପଡ଼ୋଶୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବିରାଟ  ଦ୍ୱନ୍ଦ ସୃଷ୍ଟି ହେଉଛି। ଶେଷରେ ପରିବାର ଭାଙ୍ଗିଯାଉଛି। ଏହି ଭଳି କାହାଣୀମାନ ପ୍ରସ୍ତୁତ କରାଯାଇ ଭାରତର ଯୌଥ ପରିବାର ବ୍ୟବସ୍ଥା ଉପରେ ଶକ୍ତ ପ୍ରହାର କରାଯାଉଛି। 

ଭାରତ ଏକ ବିଶାଳ ଦେଶ ଏବଂ ବିଶ୍ୱର ସର୍ବବୃହତ ବଜାର। ଯଦି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତରେ ପରିବାର ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ  କରୁଥିବା ହୀନ ଚକ୍ରାନ୍ତରେ ସଫଳ ହୁଅନ୍ତି, ତେବେ ସେମାନେ ଚିନ୍ତା କରୁଥିବା ବିଷୟ ଉପରେ ଲାଭ ପାଇପାରିବେ। ଭାରତରେ ସେମାନଙ୍କର ଉତ୍ପାଦର ଚାହିଦା ବହୁଗୁଣିତ ଭାବରେ ବୃଦ୍ଧି ପାଇବ, ଯାହା ସେମାନଙ୍କୁ ସିଧାସଳଖ ଲାଭ ଦେବ। ଏହି କାରଣରୁ ଆଜି ଜର୍ଜ ସୋରୋସଙ୍କ ପରି ଅନେକ ବିଦେଶୀ ନାଗରିକ, ବିଦେଶୀ ପ୍ରତିଷ୍ଠାନ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ସହଯୋଗରେ ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି।

ପାଶ୍ଚାତ୍ୟ ନାଗରିକ ଭୌତିକବାଦୀ ହୋଇପଡ଼ିଛନ୍ତି ଏବଂ  ଚେତନାକୁ ପଛରେ ପକାଇ ଦେଇଛନ୍ତି। ଆର୍ଥିକ ବିକାଶ ନାମରେ ଅର୍ଥ ଅର୍ଜନ କରିବା ତାଙ୍କ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡୁଛି। କିନ୍ତୁ ଭାରତୀୟ ନାଗରିକମାନେ ସନାତନ ସଂସ୍କୃତି ଅନୁସରଣ କରିବା ସହିତ ସମାଜ ପ୍ରତି ନିଜର ଦାୟିତ୍ୱ ବୋଧ ଉପରେ ସଚେତନ ଅର୍ଥାତ୍ ସେମାନେ ନିଜର ଚେତନାର ଦର୍ଶନକୁ ଜାଗ୍ରତ ରଖିଛନ୍ତି।

ଏକ ଯୌଥ ପରିବାର ହେଉଛି ଯେଉଁଠାରେ ବହୁ ପିଢ଼ିର ସଦସ୍ୟମାନେ (ଅଜା-ଆଇ, ବାପା-ମା, ବଡ଼ବାପା-ବଡ଼ବୋଉ, ଦାଦା-ଖୁଡି, ଭାଇ-ଭାଉଜ, ନଣନ୍ଦ-ଦିଅର, ପିଲାମାନେ) ଗୋଟିଏ ଛାତ ତଳେ ଏକାଠି ରୁହନ୍ତି, ସମ୍ବଳ, ଦାୟିତ୍ୱ ଏବଂ ଖୁସି ବାଣ୍ଟିଥାନ୍ତି। ଏହା ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ, ଯେଉଁଠାରେ ବୟସ୍କମାନଙ୍କ ପ୍ରତି ସମ୍ମାନ ଏବଂ ପାରସ୍ପରିକ ସମର୍ଥନ କେନ୍ଦ୍ରବିନ୍ଦୁ। ଯଦିଓ ଏହା ଛୋଟ ପରିବାରର ଧାରା ଯୋଗୁଁ ପରିବର୍ତ୍ତନ ହେଉଛି ତଥାପି ଏହା ଏବେ ବି ଭାବପ୍ରବଣ ସମର୍ଥନ ଏବଂ ଆର୍ଥିକ ସ୍ଥିରତା ପ୍ରଦାନ କରେ। ମିଳିତ ପରିବାରରେ ତିନି କିମ୍ବା ତତୋଧିକ ପିଢ଼ି ଏକାଠି ରୁହନ୍ତି। ସାଧାରଣତଃ ସମସ୍ତଙ୍କ ପାଇଁ ଗୋଟିଏ ରୋଷେଇ ଘର ଏବଂ ସମ୍ପତ୍ତି ଉପରେ ସମସ୍ତଙ୍କର ସମାନ ଅଧିକାର ଥାଏ। ବ୍ୟୟ ମଧ୍ୟ କମ୍ ହୋଇଥାଏ। ପରିବାରର ମୁଖ୍ୟ ଦ୍ୱାରା ନିଷ୍ପତ୍ତି ନିଆଯାଇଥାଏ, ଯାହାକୁ ସମସ୍ତେ ମାନିଥାନ୍ତି। ପରିବାରର ସଦସ୍ୟମାନଙ୍କ ମଧ୍ୟରେ ଭାବନାତ୍ମକ, ସାମାଜିକ ଏବଂ ଆର୍ଥିକ ସହଯୋଗ ରହିଥାଏ। ପିଲାମାନେ ବୟସ୍କଙ୍କଠାରୁ ମାର୍ଗଦର୍ଶନ ପାଆନ୍ତି ଏବଂ ସେମାନଙ୍କୁ ସମ୍ମାନ କରନ୍ତି। ସଂଯୁକ୍ତ ପରିବାର ଦ୍ୱାରା ଲାଭ ହେଉଛି ସମସ୍ତ ସଦସ୍ୟ ଏକାଠି କାମ କରନ୍ତି ଯେଉଁଥି ପାଇଁ କି ଆର୍ଥିକ ସ୍ଥିରତା ରହିଥାଏା ଖାଦ୍ୟ ଏବଂ ଆଶ୍ରୟ ସୁନିଶ୍ଚିତତା ଥାଏ। ପ୍ରତ୍ୟେକ ସୁଖ ଏବଂ ଦୁଃଖରେ ସମଗ୍ର ପରିବାର ଉପସ୍ଥିତ ଥାନ୍ତି, ଏକୁଟିଆ ଅନୁଭବ ହୁଏ ନାହିଁ। ପ୍ରତ୍ୟେକ ଆନନ୍ଦ ବଡ଼ ଲାଗେ ଏବଂ ପ୍ରତ୍ୟେକ ଦୁଃଖ ଛୋଟ ପରି ମନେହୁଏ। ପିଲାମାନେ ଜେଜେବାପା, କାକା ଏବଂ ସାନବାବାଙ୍କ ପ୍ରେମ ଏବଂ ସୁରକ୍ଷା ପାଆନ୍ତି, ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରେ। ସେମାନଙ୍କ ଠାରୁ ପରମ୍ପରା ଏବଂ ମୂଲ୍ୟବୋଧ ଶିଖିବାର ସୁଯୋଗ ଥାଏ।

ଏବେ ଦେଖାଯାଉଛି ସହରରେ ଦିନକୁ ଦିନ ବୃଦ୍ଧାଶ୍ରମର ସଂଖ୍ୟା ବଢ଼ିବଢ଼ି ଚାଲିଛି। ବୃଦ୍ଧାଶ୍ରମରେ ମଧ୍ୟ ବୃଦ୍ଧ ଓ ବୃଦ୍ଧାଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟରେ ବିରାଟ ବିରାଟ ଅଟ୍ଟାଳିକା ଠିଆ ହୋଇଛି କିନ୍ତୁ ରହିବା ପାଇଁ ଲୋକ ନାହାଁନ୍ତି। କେବଳ ବୁଢ଼ାବୁଢ଼ି ଦୁଇଜଣ ପଡ଼ି ରହିଛନ୍ତି। ଆଉ ସେମାନଙ୍କର ସେବା କରିବା ପାଇଁ ଜଣେ ସେବାକାରୀ ଅଛନ୍ତି। ଯେଉଁ ପିଲାମାନଙ୍କୁ ପାଠ ପଢ଼େଇ ବଡ଼ ଚାକିରୀ କରିବା ନିମନ୍ତେ ବିଦେଶକୁ ପଠାଇ ଥିଲେ ସେ ସେହିଆଡ଼େ ଘର ସଂସାର କରି ରହିଗଲା ଯେ ଆଉ ଘରକୁ ଫେରୁନାହିଁ। ତେବେ ଏପରି କାହିଁକି ହେଉଛି? ପିଲାମାନେ କାହିଁକି ସେମାନଙ୍କ ବାପାମା’ଙ୍କୁ ବୃଦ୍ଧାବସ୍ଥାରେ ଘରୁ ବିଦା କରିଦେଉଛନ୍ତି? ବାପାମା’ମାନେ କାହିଁକି ପିଲାମାନଙ୍କୁ ଛାଡ଼ି ବୃଦ୍ଧାଶ୍ରମକୁ ପଳାଇ ଆସୁଛନ୍ତି?

ପିଲାଙ୍କୁ ପଢ଼େଇ ଲେଖେଇ ବଡ଼ ମଣିଷ କରିବାପରେ ବୃଦ୍ଧାବସ୍ଥାରେ କାହିଁକି ପାଲଟି ଯାଉଛନ୍ତି ଅସହାୟ? ନିଃସଙ୍ଗତା କାରଣରୁ ରୋଗ ଯନ୍ତ୍ରଣାରେ ପଡ଼ି ଶେଷରେ ମୃତ୍ୟୁମୁଖରେ ପଡ଼ୁଛନ୍ତି? ମୃତ୍ୟୁ ବେଳକୁ ପାଟିରେ ଟୋପେ ପାଣି ଦେବାକୁ ପାଖରେ କେହି ରହୁନାହାଁନ୍ତି! ଏସବୁର ମୂଳ କାରଣ ହେଉଛି ସଂସ୍କାରର ଅଭାବ ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ। 

ଆମେ ପ୍ରତ୍ୟେକ ଦିନ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ହେଉ ସେଥିରୁ ଖବର ପାଉଥିବା ଯେ, ଲକ୍ଷ୍ୟ ପୂରଣରେ ବିଫଳ ହୋଇ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ପାରିବାରିକ କଳହ, ନିଶାସେବନ, ପାଠପଢ଼ା ଚାପ, ଚାକିରିରେ ବିଫଳତା ଏବଂ ପ୍ରେମଜନିତ କାରଣରୁ ଆତ୍ମହତ୍ୟା ହାର ବଢୁଛି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି। କ’ଣ ପାଇଁ ଏପରି ସବୁ ହେଉଛି? ତେବେ ତିରିଶ କିମ୍ବା ଚାଳିଶ ବର୍ଷ ପୂର୍ବର ପିଢ଼ି ଏମିତି ନଥିଲେ।   ସେତେବେଳେ ବି ଏହି ଶିକ୍ଷା ବ୍ୟବସ୍ଥା ଥିଲା କିନ୍ତୁ ଆମ ସମାଜରେ ପାଶ୍ଚାତ୍ୟ ଚଳଣି ବା ଜୀବନ ପଦ୍ଧତି ଅଧିକ ମାତ୍ରାରେ ପ୍ରବେଶ କରି ନଥିଲା, ହିନ୍ଦୁ ଜୈବନଶୈଳୀ ବଳବତ୍ତର ଥିଲା। ସେ ସମୟରେ ଅଧିକାଂଶ ପରିବାର ଯୌଥ ପରିବାର ଥିଲା ଓ ପିଲାମାନେ ସେହି ପରିବାର ଭିତରେ ଥାଇ ବିଭିନ୍ନ ପିଢ଼ିର ଲୋକଙ୍କ ସହ ଏକାଠି ରହି ବହୁତ କିଛି ନୀତି ଆଦର୍ଶ ଆପେ ଆପେ ପାଇ ଯାଉଥିଲେ ଯାହା ସେମାନଙ୍କୁ ସେମାନଙ୍କ ଭବିଷ୍ୟତରେ କାମରେ ଆସୁଥିଲା। ପରିବାରର କୌଣସି ସଦସ୍ୟ ଏକାକୀ ଅନୁଭବ କରୁନଥିଲେ। ଏହାସହ ସେମାନଙ୍କ ପାଖକୁ ଦୁଶ୍ଚିନ୍ତା କି ନକାରାତ୍ମକ ଭାବନା ଆସୁ ନଥିଲା।

ଏବେ ବି ସମୟ ଚାଲି ଯାଇନାହିଁ। ଆମ ପରିବାର ସମର୍ଥ ପରିବାର ହୋଇପାରିବ। ସେଥିପାଇଁ ମାସରେ ଥରେ ପରିବାର ସମସ୍ତ ସଦସ୍ୟ ବସି ଏକାଠି ଭୋଜନ କରିବା ଓ ସଂଧ୍ୟାରେ ସାମୂହିକ ପ୍ରାର୍ଥନା କରିବା ଉଚିତ। ପ୍ରତ୍ୟେକ ବର୍ଷ ପରିବାର ସମସ୍ତ ସଦସ୍ୟ ଯେଉଁମାନେ ବାହାରେ ରହୁଛନ୍ତି ଓ ଘରେ ଥିବା ବ୍ୟକ୍ତି ବିଶେଷ ସମସ୍ତେ ମିଶି ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ମନାଇବା ଉଚିତ। ଗୁରୁଜନମାନଙ୍କୁ ପ୍ରତ୍ୟେକ ଦିନ ପ୍ରଣାମ କରିବା ପାଇଁ ପିଲାମାନଙ୍କୁ ଶିଖାଇବା ଓ ସେମାନଙ୍କୁ ଯଥା ସମ୍ମାନ ପ୍ରଦର୍ଶନ କରିବାକୁ ଉପଦେଶ ଦେବା ଉଚିତ। ପରିବାର ମଧ୍ୟରେ ନେଉଥିବା ସମସ୍ତ ନିଷ୍ପତ୍ତି ଓ ସମସ୍ୟା ବିଷୟରେ ସମସ୍ତେ ଆଲୋଚନା କରି ନିର୍ଣ୍ଣୟ କରିବା ଉଚିତ। ପରିବାର ମଧ୍ୟରେ ଯେଉଁମାନେ ଗୁରୁଜନ ଅଛନ୍ତି ସେମାନେ ଲଘୁଜନମାନଙ୍କୁ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେବା ଆବଶ୍ୟକ। ମାସକୁ ଗୋଟିଏ ସମୟ ନିର୍ଦ୍ଧାରଣ କରି (ଯେଉଁ ସମୟରେ ସମସ୍ତେ ଯୋଗଦେଇ ପାରୁଥିବେ) ଘରର ବୟସ୍କ ବ୍ୟକ୍ତିମାନଙ୍କର ଅନୁଭବର ଗଳ୍ପକୁ ଶୁଣିବା। ନିଜ ଗାଁ ବସ୍ତି ଓ ସାହିରେ ପ୍ରତି ପରିବାରର କୌଣସି ଭଲମନ୍ଦ କାମରେ ପରିବାରରୁ ଯିଏ ବି ହେଲେ ଜଣେ ଯୋଗଦେବା।

ଏକ ଯୈାଥ ପରିବାରରେ ସମସ୍ତ ସଦସ୍ୟ ପରସ୍ପରର ଆଚାର ବ୍ୟବହାର ଉପରେ ନିରନ୍ତର ନଜର ରଖନ୍ତି, ଯେକୌଣସି ବ୍ୟକ୍ତିଙ୍କ ଅବାଞ୍ଛିତ କାର୍ଯ୍ୟକଳାପକୁ ରୋକାଯାଏ। ଅର୍ଥାତ୍ ପ୍ରତ୍ୟେକ ସଦସ୍ୟ ଚରିତ୍ରବାନ ହୋଇ ରୁହନ୍ତି। ଯେକୌଣସି ସମସ୍ୟା ସମୟରେ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସମର୍ଥନ କରନ୍ତି ଏବଂ ସାମୂହିକ ଚାପ ମଧ୍ୟ ଥାଏ, କୌଣସି ସଦସ୍ୟ କୌଣସି ଅସାମାଜିକ କାମ କରିବାକୁ ସକ୍ଷମ ହୁଅନ୍ତି ନାହିଁ, ବଡ଼ ଲୋକଙ୍କ ଭୟ ଯୋଗୁଁ, ମଦ, ଜୁଆ କିମ୍ବା ଅନ୍ୟ କୌଣସି ନିଶା ପରି ଖରାପ କାର୍ଯ୍ୟରୁ ଦୂରରେ ରୁହନ୍ତି ଏବଂ  ଯାହା ବି ହୋଇଯାଉ ପଛେ ପ୍ରତ୍ୟେକ ବଡ଼ ଏବଂ ସାନଙ୍କଠାରୁ ପୂର୍ଣ୍ଣ ପ୍ରେମ ଏବଂ ସ୍ନେହ ମିଳିଥାଏ।

ପରିବାର ପ୍ରବୋଧନ ମାଧ୍ୟମରେ ପରିବାରକୁ ଭାରତୀୟ ସଂସ୍କୃତି, ସଂସ୍କାର ଏବଂ ଦେଶପ୍ରେମର ମୂଲ୍ୟବୋଧ ବିଷୟରେ ସଚେତନ ଏବଂ ସଶକ୍ତ କରିବା, ଯାହା ଦ୍ୱାରା ପରିବାର ଏକ ଶକ୍ତିଶାଳୀ ଏକକ ହୋଇ ସମାଜ ଏବଂ ରାଷ୍ଟ୍ରର ଉନ୍ନତିରେ ଯୋଗଦାନ ଦେଇପାରିବ; ଏହା ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ବନ୍ଧନ, ନିଜ ପରମ୍ପରାର ପାଳନ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରି, ଭଜନ, ଭୋଜନ, ଭବନ, ଭାଷା, ଭୁଷା ଏବଂ ଭ୍ରମଣ ଭଳି ମାଧ୍ୟମ ବ୍ୟବହାର କରି ‘ବସୁଧୈବ କୁଟୁମ୍ବକମ୍‌' (ସମଗ୍ର ପୃଥିବୀ ଗୋଟିଏ ପରିବାର) ଆଦର୍ଶକୁ ସାକାର କରିବାର ଏକ ପ୍ରୟାସ ହୋଇ ପାରିବ। 

ଏଫ୍ -୩୫, ୟୁନିଟ-୩, ଖାରବେଳନଗର, ଭୁବନେଶ୍ୱର, ମୋ-୯୮୬୧୦୨୮୫୫୩

Joint Family Big Family