ଆଧୁନିକତାର ସ୍ପର୍ଶରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

ଓଡ଼ିଆ ଭାଷା ସାହିତ୍ୟ କେବଳ ପ୍ରାଚୀନ ନୁହେଁ, ଏକ ବିଭବଶାଳୀ ଗୌରବମୟ ଐତିହ୍ୟ ବହନ କରିଥାଏ। ଏକଥା ମଧ୍ୟ ସତ୍ୟ ଯେ ଓଡ଼ିଆ ଭାଷାର ପ୍ରଥମ ପ୍ରଚଳନ ବା ସାହିତ୍ୟର ବିକାଶ ସମୟରେ ଏଥିରେ ବ୍ୟାକରଣଗତ ବ୍ୟବସ୍ଥା ଖଞ୍ଜା ଯାଇନଥିବା ଦେଖାଯାଏ।

Purnachandra

ଓଡ଼ିଆ ଭାଷାରେ ବର୍ଣ୍ଣିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯାହାକି ମୟୂରଭଞ୍ଜ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ପ୍ରଣୀତ ହୋଇଛି ତାହା ଆମ ଭାଷା ପାଇଁ ସବୁଠାରୁ ବଡ଼ ବିଭବ ବୋଲି ଧରିବାକୁ ହେବ। ଏହି ବିଭବକୁ ସାଇତି ରଖିବା ଓ ପରବର୍ତ୍ତୀ କାଳରେ ଅଧିକ ସମୃଦ୍ଧ କରିବା ସମସ୍ତ ଓଡ଼ିଆ ଭାଷା ପ୍ରେମୀଙ୍କ ଦାୟିତ୍ୱ।

Debendra Prusty
  • Published: Thursday, 06 March 2025
  • , Updated: 06 March 2025, 04:09 PM IST

ପଞ୍ଚାନନ କାନୁନଗୋ

ଓଡ଼ିଆ ଭାଷାର ପ୍ରାଚୀନତା ଉପରେ ଏବେ ଆଉ କୌଣସି ଦ୍ୱନ୍ଦ୍ୱ ନାହିଁ। କାରଣ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାରତର ଏଗାରଟି ଭାଷା ଭିତରେ ଓଡ଼ିଆ ଭାଷା ଅନ୍ୟତମ। ଓଡ଼ିଆ ଭାଷା ଭାରତର ଷଷ୍ଠ ଭାବେ ଏହି ମାନ୍ୟତା ଲାଭ କରିବାର ଗୌରବ ଅର୍ଜନ କରିଛି। ଏହା ପୂର୍ବରୁ ତାମିଲ, ସଂସ୍କୃତ, କନ୍ନଡ଼, ମାଲୟଲାମ ଓ ତେଲୁଗୁ ଏହି ମାନ୍ୟତା ପାଇଥିଲେ। ଏହା ପରେ ପାଲି, ପ୍ରାକୃତ, ମରାଠୀ, ଅହମୀୟା ଓ ବଙ୍ଗଳା ଭାଷା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛନ୍ତି।

ଓଡ଼ିଆ ଭାଷା ସାହିତ୍ୟ କେବଳ ପ୍ରାଚୀନ ନୁହେଁ, ଏକ ବିଭବଶାଳୀ ଗୌରବମୟ ଐତିହ୍ୟ ବହନ କରିଥାଏ। ଏକଥା ମଧ୍ୟ ସତ୍ୟ ଯେ ଓଡ଼ିଆ ଭାଷାର ପ୍ରଥମ ପ୍ରଚଳନ ବା ସାହିତ୍ୟର ବିକାଶ ସମୟରେ ଏଥିରେ ବ୍ୟାକରଣଗତ ବ୍ୟବସ୍ଥା ଖଞ୍ଜା ଯାଇନଥିବା ଦେଖାଯାଏ। ଅନେକ ଶବ୍ଦର ସମାରୋହ ଯାହାକି ବୁଝିବା ଏବଂ ବୁଝେଇବା ଏବେ ବି କଷ୍ଟକର। ତାହାସବୁ କାବ୍ୟ, କବିତା, ଉପନ୍ୟାସ ଆଦିରେ ଦେଖିବାକୁ ମିଳିଥାଏ। ଲୋକଭାଷା ବା କଥିତ ଭାଷା ଭିତରେ ଏତେସବୁ ଦେଶୀୟ ଭାଷାର ମିଳନ ଘଟିଛି ଯେ ସେସବୁକୁ ଖୋଜି ବାହାର କରି ଆମେ ପୁନଃ ବ୍ୟବହାର କରିବା ସାହିତ୍ୟିକଙ୍କ ସାମର୍ଥ୍ୟର ବାହାରେ।

ସାହିତ୍ୟ ଜଗତରେ ଯେଉଁ ବ୍ୟକ୍ତି ଯେତେ ଅଧିକ ଶବ୍ଦ ବ୍ୟବହାର କରିଥାନ୍ତି ତାଙ୍କର ଲେଖା ସେହି ପରିମାଣରେ ସମୃଦ୍ଧ ବୋଲି ବିଚାର କରାଯାଏ। କିନ୍ତୁ ଓଡ଼ିଆ ଭାଷାର ବିଭବ କେବଳ ଯେ ତା’ର ସାହିତ୍ୟିକ କୃତି ଉପରେ ନିର୍ଭରଶୀଳତା ତାହା ନୁହେଁ, ଅଧିକନ୍ତୁ ବ୍ୟବହୃତ ଶବ୍ଦଗୁଡ଼ିକ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ବିଭବ ପାଇଁ ବିଚାର କରାଯାଇଥାଏ। ଓଡ଼ିଆ ଭାଷାରେ ବର୍ଣ୍ଣିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯାହାକି ମୟୂରଭଞ୍ଜ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ପ୍ରଣୀତ ହୋଇଛି ତାହା ହେଉଛି ଆମ ଭାଷା ପାଇଁ ସବୁଠାରୁ ବଡ଼ ବିଭବ ବୋଲି ଧରିବାକୁ ହେବ। ଏହି ବିଭବକୁ ସାଇତି ରଖିବା ଓ ପରବର୍ତ୍ତୀ କାଳରେ ଅଧିକ ସମୃଦ୍ଧ କରିବା ସମସ୍ତ ଓଡ଼ିଆ ଭାଷା ପ୍ରେମୀଙ୍କ ଦାୟିତ୍ୱ।

ଏହି କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରର ଏକ ସଭାଗୃହରେ ଅନେକ ଭାଷା ପ୍ରେମୀଙ୍କୁ ନେଇ ଗୋଟିଏ ସଭା ଅନୁଷ୍ଠିତ ହୋଇଯାଇଛି। ଏ ସଭାଟିର ଆୟୋଜକ ଥିଲେ ‘ସୃଜନିକା’ର କାର୍ଯ୍ୟକର୍ତ୍ତାମାନେ। ସଭାରେ ବକ୍ତା ଭାବରେ ଭାଷାବିତ୍‌ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଆଲୋଚକ ଭାବେ ପ୍ରଫେସର ସଂଘମିତ୍ରା ମିଶ୍ରଙ୍କ ସମେତ ଅନେକ ବିଦ୍ୱାନ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଲେଖକ ମଧ୍ୟ ସେଥିରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସୃଜନିକା ତା’ର ସୃଷ୍ଟି ସଂପର୍କରେ ସମସ୍ତ ଓଡ଼ିଆ ପ୍ରେମୀମାନଙ୍କୁ ଅବଗତ କରାଇବା ପାଇଁ ଏହି ସଭାର ଆୟୋଜନ କରିଥିଲେ। ଅତ୍ୟାଧୁନିକ ପଦ୍ଧତିରେ ବର୍ତ୍ତମାନ ସମସ୍ତେ ନିଜ ନିଜର ସାହିତ୍ୟିକ ଭାବକୁ ପ୍ରକାଶିତ କରିବା ପାଇଁ କଂପ୍ୟୁଟରର ସାହାଯ୍ୟ ନେଉଛନ୍ତି। ସେହି ସମୟରେ ଶବ୍ଦଗୁଡ଼ିକୁ ଖୋଜିବ ଏବଂ ତା’ର ଅର୍ଥ ବାହାର କରିବା ପାଇଁ ଡିଜିଟାଲ୍‌ ଅଭିଧାନର ତତ୍‌କ୍ଷଣାତ ସହଯୋଗ ନେବାକୁ ଉଦ୍ୟମ କରିବ, ଯାହାକି ସହଜ ଓ ଅଳ୍ପ ସମୟ ମଧ୍ୟରେ ପ୍ରାପ୍ତ ହୋଇଥାଏ।

ସମସ୍ତ ଓଡ଼ିଆ ଭାଷାପ୍ରେମୀମାନେ ଜାଣିଲେ ଖୁସି ହେବେ ଯେ ସୃଜନିକାର ଜ୍ଞାନୀ, ବିଜ୍ଞାନୀ, ଶିକ୍ଷାବିତ୍‌ମାନେ ଏକତ୍ରିତ ହୋଇ ୨୦୦୪ ମସିହାରୁ ଡିଜିଟାଲ୍‌ ଅଭିଧାନ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୦୧୭ ସୁଦ୍ଧା ଏହାର ପୂର୍ଣ୍ଣ ବିକାଶ ନହେଲେ ମଧ୍ୟ ବ୍ୟବହାର ଉପଯୋଗୀ ଏକ ବିସ୍ତୃତ ଅଭିଧାନ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି। ୨୦୧୭ ମସିହାରେ ଏହିପରି ଏକ ଓଡ଼ିଆ ବିଭବ ଆଧୁନିକ ଧରଣର ଡିଜିଟାଲ ସଂପୃକ୍ତି ମାଧ୍ୟମରେ ସାମ୍ନାକୁ ଆସିଲା। ସଭା ସମୟରେ ଜଣେ ବକ୍ତା ଏହି ଡିଜିଟାଲ୍‌ ଅଭିଧାନ ଆହୁରି କିପରି ଭାବେ ଅଧିକ ଆଗେଇ ଯାଇଛି ଏକ ମୋବାଇଲ୍‌ ଆପ୍‌ରେ ମଧ୍ୟ ଏହା ଯେପରି ଉପଳବ୍ଧ ହୁଏ ତାହା ମଧ୍ୟ ସମ୍ଭବ ହୋଇଛି। ଏହି ସମସ୍ତ ବକ୍ତବ୍ୟ ଶୁଣିବା ପରେ ଜଣେ କେହି ଓଡ଼ିଆ ଗର୍ବ କରିବ ଯେ ଆମ ଭାଷା ଓ ଶବ୍ଦକୁ ସାଇତି ରଖିବା ପାଇଁ ଆଧୁନିକ ବିଜ୍ଞାନର ସାହାୟତାରେ ପୁନଶ୍ଚ ଗନ୍ତାଘର ସୃଷ୍ଟି ହୋଇଛି ଏବଂ ଏହି ଗନ୍ତାଘର ଆଧୁନିକ ଯୁଗର ଅନ୍ୟ ଏକ ବିଭବ ବୋଲି ବିଚାରିବାକୁ ହେବ। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

ତେବେ, ଏହା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିଭବଶାଳୀ ବା ଓଡ଼ିଆ ଶବ୍ଦର ଗନ୍ତାଘର ବୋଲି କହିହେବ ନାହିଁ। ଅନେକ ଶବ୍ଦ ଖୋଜିଲେ ମଧ୍ୟ ଏଥିରେ ଉପଲବ୍ଧ ହେଉନାହିଁ। ତିନିଗୋଟି ପର୍ଯ୍ୟାୟରେ ଆଜିର ଡିଜିଟାଲ ଅଭିଧାନ ସାମ୍ନାକୁ ଆସିଛି। ଆଶା କରାଯାଏ ଆହୁରି ଅଧିକ ପରିଶ୍ରମ କରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଓ ଅନ୍ୟାନ୍ୟ ଓଡ଼ିଆ ଭାଷା କୋଷର ସମସ୍ତ ଶବ୍ଦକୁ ଯାହାକି ପାଖାପାଖି ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ ସେଗୁଡ଼ିକୁ ଏଥିସହିତ ଯୋଡ଼ିବାକୁ ହେବ। ସୃଜନିକାର କର୍ମକର୍ତ୍ତା ଏବଂ ସମସ୍ତ ବିଜ୍ଞାନୀ ଶବ୍ଦ କୋଷର କାରିଗରମାନେ ପରିଶ୍ରମ କରି ନିଷ୍ଠାର ସହିତ ଏହି କାର୍ଯ୍ୟଟି କରିବେ ବୋଲି ଆଶା। ଅଧିକନ୍ତୁ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଉଥିବା ସମସ୍ତ ଲେଖକ, ସାହିତ୍ୟିକ, ପାଠକ ଓ ପାଠାଗାର ରକ୍ଷକମାନେ ପୁରୁଣା ଅଭିଧାନଗୁଡ଼ିକୁ ଅଣଦେଖା ବା ହତାଦର କରିବା ଆଦୌ ଉଚିତ୍‌ ନୁହେଁ। ସେସବୁକୁ ସାଇତି ରଖିଲେ ଅନେକ ସମୟରେ ଉପୁଜୁଥିବା ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ କାମରେ ଲାଗିବା ସମ୍ଭାବନା ଅଛି ଏବଂ ଆମ ଭାଷା ସାହିତ୍ୟ ନିର୍ଭୁଲ ଭାବରେ ନିଜକୁ ସମସ୍ତଙ୍କ ଆଗରେ ଉପସ୍ଥାପିତ କରିପାରିବ।

ଏହିସବୁ ଶବ୍ଦକୋଷ ଆମ ପାଇଁ ବା ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଜ୍ଞାନକୋଷ ଭାବରେ ସଂରକ୍ଷିତ ହୋଇ ରହିବା ସହିତ ସୃଜନିକା ଓ ତା’ର ସତୀର୍ଥ ବନ୍ଧୁମାନେ ପ୍ରସ୍ତୁତ କରିଥିବା ଡିଜିଟାଲ ଅଭିଧାନ ବ୍ୟବହାର ପାଇଁ ତତ୍‌କ୍ଷଣାତ ସହଜ ଓ ସମୟ ରକ୍ଷାକାରୀ ଭାବେ ସହାୟକ ହେବ। ଆଜିର ଦିନରେ କଂପ୍ୟୁଟର ବ୍ୟବହାର କରୁଥିବା ସମସ୍ତ ଲେଖକମାନେ ଏ ଦୁଇଟି ବ୍ୟବସ୍ଥାକୁ ଆପଣାଇବାକୁ ସହଜ ମଣିନପାରନ୍ତି। କିନ୍ତୁ ପାଠାଗାରର ରକ୍ଷକମାନେ ଓଡ଼ିଆ ଭାଷାର ଲିଖିତ ଅଭିଧାନକୁ ସାଇତି ରଖିଥିଲେ କେହି ନା କେହି ଲେଖକ ବା ଅଧ୍ୟୟନରତ ଛାତ୍ର ଓ ଶିକ୍ଷକ ଏହାର ସାହାଯ୍ୟ ନେବେ।

ଏ ମଧ୍ୟରେ ଅନେକ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ଓ ଇ-ଲାଇବ୍ରେରୀ ପ୍ରସ୍ତୁତ ହୋଇ ସାରିଲାଣି। ଏଣୁ ସୃଜନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା ଅମୂଲ୍ୟ ଅଭିଧାନ ଏହି ଇ-ଲାଇବ୍ରେରୀରେ ବ୍ୟବହାର ପାଇଁ ସମସ୍ତେ ବ୍ରତୀ ହେବା ଦରକାର। କେବଳ କ୍ଲାସ୍‌ରୁମ୍‌ର ଶିକ୍ଷକମାନେ ବିନା ଡିଟିପି ଅପରେଟର୍‌ ସହାୟତାରେ ଏହି ଶବ୍ଦକୋଷକୁ କିପରି ସହଜରେ ବ୍ୟବହାର କରିପାରିବେ ସେ ସଂପର୍କରେ ଶିକ୍ଷା ନେବାର ଆବଶ୍ୟକତା ରହିଛି। ଅଧିକନ୍ତୁ ଯେଉଁସବୁ ଶବ୍ଦ ସୃଜନୀ ପ୍ରସ୍ତୁତ ଇ-ଅଭିଧାନରେ ନାହିଁ ସେସବୁ ଶବ୍ଦ ତୁରନ୍ତ ଯୋଡ଼ିବାକୁ ବ୍ୟବସ୍ଥା ହେବା ଦରକାର। ତାହା ହେଲେ ଏହା ଏକ ପୂର୍ଣ୍ଣାଙ୍ଗ ଶବ୍ଦକୋଷ ଓ ଓଡ଼ିଆ ଭାଷା ସାହିତ୍ୟର ଏକ ପୂର୍ଣ୍ଣ ବିଭବ ଭାବେ ପରିଚିତ ହେବ।

ମୋ- ୯୪୩୮୩୬୦୮୪୯

Related story