Netaji With Gandhiji Photograph: (Internet)
ଡ ରୀନା ରାଉତରାୟ
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ କେତେକ ବାକ୍ୟ, କେବଳ ଶବ୍ଦ ହୋଇ ନାହିଁ, ଯୁଗ ଯୁଗ ପାଇଁ ଦିଗଦର୍ଶକ ହୋଇ ଯାଇଛି।
‘ମୋତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’। ଏହି ଅଗ୍ନିମନ୍ତ୍ର, ଏହି ଆହ୍ୱାନ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ଦେଶପ୍ରେମର ଜ୍ୱଳନ୍ତ ପ୍ରତୀକ।
୧୮୯୭ ମସିହା, ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ସୁଭାଷଚନ୍ଦ୍ର ବୋଷ ଛୋଟବେଳୁ ହିଁ ଅନ୍ୟାୟ, ଦାସତ୍ୱ ଓ ଶୋଷଣ ପ୍ରତି ବିଦ୍ରୋହୀ ମନୋଭାବ ପୋଷଣ କରୁଥିଲେ। ଆଇସିଏସ୍ ପରୀକ୍ଷାରେ ସଫଳତା ପାଇଥିବା ସତ୍ତ୍ୱେ ବ୍ରିଟିଶ ସରକାରୀ ଚାକିରିକୁ ତ୍ୟାଗ କରି ଦେଶସେବାକୁ ଜୀବନର ଏକମାତ୍ର ଲକ୍ଷ୍ୟ କରିଥିଲେ। ଏହା ତାଙ୍କର ଚରିତ୍ରର ଦୃଢ଼ତାକୁ ପ୍ରମାଣ କରେ।
ନେତାଜୀ ବିଶ୍ୱାସ କରୁଥିଲେ ଯେ, ଦାସତ୍ୱର ଶୃଙ୍ଖଳ ଭଙ୍ଗ କରିବା ପାଇଁ କେବଳ ଆବେଦନ ବା ଅପେକ୍ଷା ପର୍ଯ୍ୟାପ୍ତ ନୁହେଁ; ଏଥି ପାଇଁ ଆବଶ୍ୟକ ତ୍ୟାଗ, ବଳିଦାନ ଓ ସଂଘର୍ଷ। ସେଥିପାଇଁ ତାଙ୍କର ଏହି ଆହ୍ୱାନ ଯୁବକ-ଯୁବତୀଙ୍କ ରକ୍ତକୁ ଉତ୍ତେଜିତ କରିଥିଲା, ମନରେ ଜାଗ୍ରତ କରିଥିଲା ସ୍ୱାଧୀନତା ପାଇଁ ଅଗ୍ନିଶପଥ।
ଆଜାଦ ହିନ୍ଦ ଫୌଜର ଗଠନ, ‘ଦିଲ୍ଲୀ ଚଲୋ’ ନାରା, ଓ ‘ଜୟ ହିନ୍ଦ’ ମନ୍ତ୍ର, ଏସବୁ ନେତାଜୀଙ୍କ ଅପରାଜେୟ ନେତୃତ୍ୱର ଦୃଷ୍ଟାନ୍ତ। ସେ ସୈନିକମାନଙ୍କୁ କେବଳ ଅସ୍ତ୍ର ଧରିବାକୁ ଶିଖାଇନଥିଲେ, ବରଂ ଦେଶ ପାଇଁ ବଞ୍ଚିବା ଓ ଆବଶ୍ୟକ ହେଲେ ମରିବାର ମନୋଭାବ ଗଢ଼ିଥିଲେ।
ଆଜି ଭାରତର ରାଜନୈତିକ ଓ ସାମାଜିକ ଜୀବନରେ ଯେଉଁ ଅସହିଷ୍ଣୁତା, ମତଭେଦ ପ୍ରତି ଅସମ୍ମାନ ଓ ଧ୍ରୁବୀକରଣ ଦେଖାଯାଉଛି, ସେହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ସମ୍ପର୍କକୁ ପୁନଃପଠନ କରିବା ଏକ ଐତିହାସିକ ଆବଶ୍ୟକତା ହୋଇଉଠିଛି। କାରଣ ଏହି ଦୁଇ ମହାନ ନେତା କେବଳ ସ୍ୱାଧୀନତା ସଂଗ୍ରାମର ଦୁଇଟି ମାର୍ଗ ନୁହେଁ, ଭିନ୍ନ ମତ ଥିବା ସତ୍ତ୍ୱେ ରାଷ୍ଟ୍ର ହିତକୁ କିପରି ସର୍ବୋପରେ ରଖାଯାଇପାରେ, ସେମାନେ ତାହାର ଜୀବନ୍ତ ଦୃଷ୍ଟାନ୍ତ।
ଆଜି ଆମେ ଗାନ୍ଧୀଙ୍କୁ କେବଳ ଅହିଂସାର ପ୍ରତୀକ ଭାବେ ଓ ନେତାଜୀଙ୍କୁ କେବଳ ଏକ ସେନାନାୟକ ଭାବେ ଦେଖି, ଦୁହିଁଙ୍କୁ ଆମ ରାଜନୈତିକ ସୁବିଧା ଅନୁସାରେ ବ୍ୟବହାର କରୁଛୁ। କିନ୍ତୁ ଏହି ସାଧାରଣ ଧାରଣା ଇତିହାସ ପ୍ରତି ଅନ୍ୟାୟ।
ସୁଭାଷଚନ୍ଦ୍ର ବୋଷଙ୍କ ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ଅସ୍ୱୀକାର୍ଯ୍ୟ ନୁହେଁ। ଯଦିଓ ପରେ ଦୁହିଁଙ୍କ ମଧ୍ୟରେ ମାର୍ଗଗତ ମତଭେଦ ସ୍ପଷ୍ଟ ହୋଇଥିଲା, ତଥାପି ନେତାଜୀ ଗାନ୍ଧୀଙ୍କୁ କେବେ ବି ହାଲୁକା ଭାବେ ନେଇନଥିଲେ କି ଅସମ୍ମାନ କରି ନ ଥିଲେ।
୧୯୨୦ ଦଶକରେ ଯେତେବେଳେ ସୁଭାଷ ଜାତୀୟ ଆନ୍ଦୋଳନରେ ସକ୍ରିୟ ହେଉଥିଲେ ସେତେବେଳେ ଗାନ୍ଧୀଜୀ ଥିଲେ ନିର୍ବିବାଦୀୟ ନେତୃତ୍ୱ। ସୁଭାଷ ବୋଷ ତାଙ୍କୁ ଦେଶର ନୈତିକ ଆତ୍ମା ଭାବେ ଦେଖୁଥିଲେ। ତେଣୁ ସେ ହିଁ ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ‘ଜାତିର ପିତା’ ବୋଲି ସମ୍ବୋଧନ କରିଥିଲେ, ଯାହା କୌଣସି ରାଜନୈତିକ ଚାପର ଫଳ ନୁହେଁ, ବରଂ ଏକ ଆତ୍ମିକ ସ୍ୱୀକୃତି ଥିଲା।
ଗାନ୍ଧୀଙ୍କ ଦର୍ଶନ ଥିଲା, ଅହିଂସା ହେଉଛି ସର୍ବୋତ୍ତମ ଶକ୍ତି। ନେତାଜୀ ମନେ କରୁଥିଲେ, ଅହିଂସା ନୀତିଗତ ଭାବେ ଉଚ୍ଚ ହେଲେ ମଧ୍ୟ ସାମ୍ରାଜ୍ୟବାଦୀ ଶାସନ ବିରୋଧରେ ସବୁବେଳେ କାର୍ଯ୍ୟକାରୀ ନୁହେଁ। ଏହି ମତଭେଦ ସ୍ପଷ୍ଟ ହେଲା ୧୯୩୮ ଓ ୧୯୩୯ରେ ଯେତେବେଳେ ନେତାଜୀ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ।
ତ୍ରିପୁରା ଅଧିବେଶନ ପରବର୍ତ୍ତୀ ଘଟଣାବଳୀ ଭାରତୀୟ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଗାନ୍ଧୀଜୀଙ୍କ ନିକଟ ନେତାମାନଙ୍କ ସହ ନେତାଜୀଙ୍କ ମତଭେଦ ତୀବ୍ର ହୋଇଥିଲା, କିନ୍ତୁ ଗାନ୍ଧୀଜୀ କେବେ ବି ସୁଭାଷଙ୍କ ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇନଥିଲେ।
‘ସୁଭାଷଙ୍କ ପରାଜୟ ମୋର ପରାଜୟ’, ଏହି ଉକ୍ତି ଆଜିର ରାଜନୀତି ପାଇଁ ଏକ ଅଲଭ୍ୟ ମୂଲ୍ୟବୋଧ। ଆଜାଦ ହିନ୍ଦ ଫୌଜରେ ଗାନ୍ଧୀଜୀଙ୍କ ନାମରେ ଏକ ବ୍ରିଗେଡ୍ ଗଠନ। ଯଦି ଗାନ୍ଧୀ ଓ ନେତାଜୀ ପରସ୍ପର ବିରୋଧୀ ଥାନ୍ତେ ତେବେ ଏପରି ଏକ ସମ୍ମାନ କେବେ ସମ୍ଭବ ହେଉନଥାନ୍ତା।
ସିଙ୍ଗାପୁରରୁ ନେତାଜୀଙ୍କ ରେଡିଓ ଭାଷଣରେ ସେ ଗାନ୍ଧୀଙ୍କୁ ଆଶୀର୍ବାଦ ମାଗିଥିଲେ, ଏହା ତାଙ୍କର ନମ୍ରତା ଓ ରାଷ୍ଟ୍ରବୋଧର ପ୍ରମାଣ।
ସେହିପରି କସ୍ତୁରବାଙ୍କ ମୃତ୍ୟରେ ଶୋକ ଜର୍ଜରିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କସ୍ତୁରଵାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି (Homage to mother of the Indian People)ରେ ଉଲ୍ଲେଖ କରି କହିଛନ୍ତି କସ୍ତୁରଵାଙ୍କ ମୃତ୍ୟୁ ଏକ ଶହୀଦର ମୃତ୍ୟୁ। ଯେଉଁଦିନ ଏ ଭାରତ ମାଟିରେ ଗୋଟିଏ ବି ବ୍ରିଟିଶ ରହିବେ ନାହିଁ ସେହିଦିନ ଆମେ ବ୍ରିଟିଶ ସରକାରଙ୍କ ଏହି ନିର୍ମମ ହତ୍ୟାର ପ୍ରତିଶୋଧ ନେଲୁ ବୋଲି ହୃଦୟଙ୍ଗମ କରିପାରିବା।
ଆଜିର ଭାରତରେ ସବୁଠୁ ବଡ଼ ସମସ୍ୟା ହେଉଛି, ଆମେ ଇତିହାସକୁ ଭାଗ କରିଦେଉଛୁ। କେହି ଗାନ୍ଧୀଙ୍କୁ ଖାରଜ କରି ନେତାଜୀଙ୍କୁ ଗୌରବ କରନ୍ତି, ଆଉ କେହି ନେତାଜୀଙ୍କ ସଂଘର୍ଷକୁ ଅଣଦେଖା କରି କେବଳ ଗାନ୍ଧୀଙ୍କୁ ପୂଜନ୍ତି। କିନ୍ତୁ ଭାରତ ଏହି ଦୁଇ ଧାରାର ସମନ୍ୱୟର ଫଳ।
ଗାନ୍ଧୀ ଆମକୁ ନୀତି ଦେଲେ, ନେତାଜୀ ଆମକୁ ସାହସ ଦେଲେ। ଗାନ୍ଧୀ ଆମକୁ ସଂଯମ ଶିଖାଇଲେ, ନେତାଜୀ ଆମକୁ ସଂକଳ୍ପ ଦେଲେ। ଆଜିର ଗଣତନ୍ତ୍ର ଦୁହିଁଙ୍କର ଅଭାବରେ ପୀଡ଼ିତ।
ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ ଆମକୁ ଏହି ଶିକ୍ଷା ଦେଇଛି ଯେ, ଯଦି ଲକ୍ଷ୍ୟ ଏକ ତେବେ ଭିନ୍ନ ମତ ରାଷ୍ଟ୍ରଦ୍ରୋହ ନୁହେଁ। ଆଜି ଯେତେବେଳେ ଦେଶ ମତାନ୍ତରର ପାଚେରୀ ତିଆରି କରୁଛି, ସେତେବେଳେ ଗାନ୍ଧୀ ଓ ନେତାଜୀଙ୍କ ସମ୍ପର୍କ ଆମକୁ ସେହି ପାଚେରୀ ଭାଙ୍ଗିବାର ସାହସ ଦେଉଛି।
ଭାରତକୁ ଆଜି ଗାନ୍ଧିଜୀଙ୍କ ନୀତି ଓ ନେତାଜୀଙ୍କ ସାହସ, ଦି’ଟା ଯାକର ଆବଶ୍ୟକତା ଅଛି। ଏକାକୀ କେହି ନୁହେଁ, ସମନ୍ୱୟ ହିଁ ରାଷ୍ଟ୍ରର ଆଗାମୀ ପଥ।
ଆଜି ଜାନୁଆରୀ ୨୩, ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ। ପ୍ରତିବର୍ଷ ଏହି ଦିନ ଆସିଲେ ଦେଶବ୍ୟାପୀ ସମାରୋହ, ଭାଷଣ ଓ ପୁଷ୍ପାଞ୍ଜଳି ଓ ଶ୍ରଦ୍ଧାଞ୍ଜଳିର ବନ୍ୟା ଦେଖାଯାଏ। କିନ୍ତୁ ପ୍ରଶ୍ନ ହେଉଛି, ନେତାଜୀ କେବଳ ଏକ ଉତ୍ସବୀୟ ସ୍ମୃତି ହୋଇ ରହିଯାଇଛନ୍ତି କି? ନା ସେ ଆଜି ମଧ୍ୟ ଆମ ରାଜନୈତିକ, ସାମାଜିକ ଓ ନୈତିକ ଜୀବନକୁ ଅସୁବିଧାଜନକ ପ୍ରଶ୍ନ କରୁଛନ୍ତି?
‘ମୋତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’, ଏହି ଆହ୍ୱାନ ଆଜି ମଧ୍ୟ ଆମକୁ ଅସହଜ କରେ। କାରଣ ଏହା କେବଳ ଶତ୍ରୁ ବିରୋଧରେ ଯୁଦ୍ଧର ଡାକ ନୁହେଁ, ଏହା ସ୍ୱାର୍ଥପରତା, ଭୟ ଓ ଦାୟିତ୍ୱହୀନତା ବିରୋଧରେ ଏକ ଆହ୍ୱାନ।
ନେତାଜୀ, ଯିଏ ଉପଯୁକ୍ତ ସମୟକୁ ଆସିବାକୁ ଅପେକ୍ଷା କରିନଥିଲେ, ସେ ସମୟକୁ ବାଧ୍ୟ କରିଥିଲେ। ସେ ଥିଲେ ଭାରତୀୟ ନେତୃତ୍ୱର ଏକ ଅନନ୍ୟ ଓ ଅସାଧାରଣ ବ୍ୟକ୍ତିତ୍ଵ।
ଆଇସିଏସ୍ ପରୀକ୍ଷାରେ ସଫଳ ହୋଇ ସୁବିଧାଜନକ ଜୀବନ ଛାଡ଼ିବା, ବ୍ରିଟିଶ ସରକାରଙ୍କ ଚକ୍ଷୁରେ କଣ୍ଟକ ହୋଇଉଠିବା, ଗୃହବନ୍ଦୀ ଅବସ୍ଥାରୁ ଚମତ୍କାର ଭାବେ ପଳାୟନ, ଏସବୁ ଘଟଣା କେବଳ ରୋମାଞ୍ଚକ କାହାଣୀ ନୁହେଁ, ଏଗୁଡ଼ିକ ଦର୍ଶାଏ ଯେ ସୁଭାଷ ବୋଷ ସାହସକୁ ନୀତିର ଅଂଶ ଭାବେ କରିଥିଲେ।
ଜର୍ମାନୀ ଓ ପରେ ଜାପାନର ସହଯୋଗରେ ଆଜାଦ ହିନ୍ଦ ଫୌଜ ଗଠନ ଥିଲା ଏକ ଅତ୍ୟନ୍ତ ବିବାଦୀୟ ନିଷ୍ପତ୍ତି। କିନ୍ତୁ ଏହି ନିଷ୍ପତ୍ତି ଭାରତୀୟ ମନୋଭାବକୁ ମୂଳତଃ ପରିବର୍ତ୍ତନ କରିଥିଲା, ଭାରତୀୟ ସେନା ମଧ୍ୟରେ ବିଦ୍ରୋହର ବହ୍ନି ଜାଗ୍ରତ କରିଥିଲା, ଯାହାକୁ ଐତିହାସିକମାନେ ବ୍ରିଟିଶ ପ୍ରସ୍ଥାନର ଏକ ମୁଖ୍ୟ କାରଣ ଭାବେ ମାନନ୍ତି।
ନେତାଜୀଙ୍କୁ ଆଜି ଅନେକ ସମୟରେ ଗାନ୍ଧୀଙ୍କ ବିରୋଧୀ ଭାବରେ ଚିତ୍ରିତ କରାଯାଏ। କିନ୍ତୁ ଏହା ଇତିହାସର ସବୁଠୁ ବଡ଼ ବିକୃତି। ନେତାଜୀ ହିଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମେ ଜାତିର ପିତା ବୋଲି ସମ୍ବୋଧନ କରିଥିଲେ, ଏହା କୌଣସି ଦୁର୍ବଳତା ନୁହେଁ, ଏହା ଏକ ଆତ୍ମବିଶ୍ୱାସୀ ନେତାର ଉଦାରତା।
ଆଜାଦ ହିନ୍ଦ ଫୌଜରେ ‘ଗାନ୍ଧୀ ବ୍ରିଗେଡ୍’ ଗଠନ, ରେଡିଓ ଭାଷଣରେ ଗାନ୍ଧୀଙ୍କ ଆଶୀର୍ବାଦ ମାଗିବା, ଏହା ସ୍ପଷ୍ଟ କରେ ଯେ ନେତାଜୀଙ୍କ ପାଇଁ ମତଭେଦ ଅର୍ଥ ଥିଲା ଚିନ୍ତାର ସ୍ୱାଧୀନତା, ଶତ୍ରୁତା ନୁହେଁ।
ଆଜିର ରାଜନୀତି ଏହି ପାଠ ଭୁଲିଯାଇଛି। ଏଠାରେ ବିରୋଧୀ ମାନେ ଶତ୍ରୁ, ମତଭେଦ ମାନେ ଦେଶଦ୍ରୋହ। ଆଜି ଯଦି ନେତାଜୀ ଜୀବନ୍ତ ଥାନ୍ତେ, ସେ ଏହି ମନୋଭାବକୁ ସବୁଠୁ ପ୍ରଥମେ ଆହ୍ୱାନ ଭାବେ ପ୍ରଶ୍ନ କରିଥାନ୍ତେ- ଆମେ ସ୍ୱାଧୀନତାକୁ କେବଳ ଭୋଗୁଛୁ, ନା ରକ୍ଷା କରୁଛୁ? ଆମ ଯୁବପିଢ଼ି ସୁବିଧା ପାଇଁ ଚୁପ୍ ରହିବ, ନା ଅନ୍ୟାୟ ପାଇଁ ସ୍ଵର ଉଠାଇବ? ଦେଶପ୍ରେମ କେବଳ ନାରା ଓ ପତାକାରେ ସୀମିତ, ନା ଦାୟିତ୍ୱରେ ପରିଣତ?
ନେତାଜୀଙ୍କ ‘ରକ୍ତ’ ଆହ୍ୱାନକୁ ଆଜି ନୂଆ ଭାବେ ବୁଝିବା ଦରକାର। ଏହି ରକ୍ତ ଅର୍ଥ, ନିଜ ସ୍ୱାର୍ଥ ତ୍ୟାଗ, ଭୟକୁ ଜୟ, ଓ ସତ୍ୟ ପକ୍ଷରେ ଦୃଢ଼ ଭାବରେ ଠିଆ ହୋଇ ରହିବାର ସାହସ।
ନେତାଜୀଙ୍କ ଜନ୍ମ ଜୟନ୍ତୀ କେବଳ ଏକ ସ୍ମୃତି ଦିବସ ନୁହେଁ; ଏହା ଆମ ପାଇଁ ଏକ ଆତ୍ମପରୀକ୍ଷାର ଅବସର। ଆଜି ଆମେ କେତେଟା ଦେଶ ପାଇଁ ନିଷ୍ଠାବାନ? ସ୍ୱାଧୀନତାକୁ ରକ୍ଷା କରିବା, ସାମାଜିକ ନ୍ୟାୟ, ଜାତୀୟ ଏକତା ଓ ନୀତିମୂଲ୍ୟକୁ ଧରି ରଖିବାରେ ଆମ ଭୂମିକା କ’ଣ?
‘ମୋତେ ତୁମେ ରକ୍ତ ଦିଅ’ , ଆଜି ଏହି ‘ରକ୍ତ’ର ଅର୍ଥ କେବଳ ଶାରୀରିକ ବଳିଦାନ ନୁହେଁ; ଏହା ଆମ ସମୟ, ଶ୍ରମ, ସତ୍ୟତା ଓ ଦାୟିତ୍ୱବୋଧର ପ୍ରତୀକ। ଯଦି ଆମେ ସେହି ତ୍ୟାଗ କରିପାରିବା, ତେବେ ନିଶ୍ଚୟ ନେତାଜୀଙ୍କ ସ୍ୱପ୍ନର ସଶକ୍ତ, ସ୍ୱାଭିମାନୀ ଭାରତ ଗଢ଼ି ଉଠିବ।
ଜୟନ୍ତୀର ଅର୍ଥ ମୂର୍ତ୍ତି ନୁହେଁ କି ସମାରୋହ ନୁହେଁ, ଏହା ଆମ ମନୋଭାବ। ନେତାଜୀ ଜୟନ୍ତୀ ମାନେ ଆଉ ଏକ ଛୁଟି ନୁହେଁ, ଆଉ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ପ୍ରଶ୍ନ- ଆମେ କେତେ ସାହସୀ? ଅନ୍ୟାୟ ଦେଖି ଚୁପ୍ ରହିବା ସହଜ, ନା ସତ୍ୟ କହିବା?
ନେତାଜୀ ଆମକୁ ଶିଖାଇଥିଲେ, ସ୍ୱାଧୀନତା ଉପହାର ନୁହେଁ, ଏହା ଏକ ଦାୟିତ୍ୱ। ଯଦି ଆମେ ସେହି ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହେଁ, ତେବେ ଜୟନ୍ତୀର ସମସ୍ତ ଆଡ଼ମ୍ବର ଅର୍ଥହୀନ।
ନେତାଜୀ ଜୀବନ୍ତ ନାହାନ୍ତି, କିନ୍ତୁ ତାଙ୍କର ପ୍ରଶ୍ନ ଆଜି ମଧ୍ୟ ଜୀବନ୍ତ। ସେ ପ୍ରଶ୍ନ କରୁଛନ୍ତି, ଆମେ ଉତ୍ତର ଦେବାକୁ ପ୍ରସ୍ତୁତ କି?
ଜୟ ହିନ୍ଦ୍
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/gandhi-with-netaji-2026-01-23-10-49-57.jpg)