Advertisment

ସଜନା ପତ୍ର ବେପାର

ସେ ସଜନାଶାଗ ଚାଷକୁ ବିଜ୍ଞାନ ଏବଂ ପ୍ରକୃତିର ଏକ ସୁସଙ୍ଗତ ମିଶ୍ରଣ ଭାବେ କେବଳ ପ୍ରତିଷ୍ଠା ଦେଲେନାହିଁ, ବରଂ ସଜନାପତ୍ରରୁ ପାଉଡର, କ୍ୟାପସୁଲ ଏବଂ ସୁପ୍ ଭଳି ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କରିବାର ରାସ୍ତା ଦେଖାଇଦେଲେ। ଏକର ପିଛା ପ୍ରଥମେ ଏକ ଲକ୍ଷ ଟଙ୍କା ନିବେଶ କରି, ଚାଷୀମାନେ କେବଳ ପତ୍ର ବିକ୍ରିରୁ ବାର୍ଷିକ ଏକ ଲକ୍ଷ ପଚିଶ ହଜାର ଟଙ୍କା ନିଶ୍ଚିତ ଆୟ କରିବା ସମ୍ଭବ ହେଲା।

Moringa Leaves, Flower And Drumstick

Moringa Leaves, Flower And Drumstick

Advertisment

ଜାନକୀଶ ବଡ଼ପଣ୍ଡା

ସମସ୍ତେ ଜାଣନ୍ତି ଯେ, ସଜନା ଛୁଇଁର ବଜାର ଦର ବର୍ଷ ସାରା ଉଚ୍ଚା ରହେ। କିନ୍ତୁ ବେଳେ ବେଳେ ସଜନା ଗଛରେ ଛୁଇଁ ଏତେ ଅଧିକ ନଦି ହୋଇଯାଏ ଯେ, ଚାହିଦା ଅପେକ୍ଷା ବଜାରକୁ ଅଧିକ ଛୁଇଁ ବିକ୍ରି ପାଇଁ ଆସେ ଏବଂ ବଜାର ଦର ଖସିଯାଏ। ଏହା ଲକ୍ଷ୍ୟ କରି ତାମିଲନାଡୁର କୃଷି ବୈଜ୍ଞାନିକ ତଥା ମୃତ୍ତିକା-ବିଜ୍ଞାନ ପ୍ରାଧ୍ୟାପକ ଡକ୍ଟର କାଣ୍ଡାସାମି ଶ୍ରବଣନ ସଜନା ଗଛର ପତ୍ରକୁ ନେଇ ବେପାର କରିବାକୁ ଚିନ୍ତାକରି ତାହାକୁ ମଧ୍ୟ କାର୍ଯ୍ୟକାରୀ କଲେ। ପତ୍ର ଅମଳ ପରେ ତାହାକୁ ପ୍ରକ୍ରିୟାକରଣ କରି ଆମେରିକା, କାନାଡ଼ା, ୟୁରୋପ ଏବଂ ଉପସାଗରୀୟ ଦେଶଗୁଡ଼ିକରେ ପୁଡ଼ିଂ, ସୁପ୍ ଏବଂ ପାଉଡର ଭଳି ମୂଲ୍ୟଯୁକ୍ତ ଉତ୍ପାଦ ବିକ୍ରୟ କରି ସଫଳତା ପାଇବା ପରେ ସଜନାଗଛର ଫଳଠାରୁ ପତ୍ରର ମୂଲ୍ୟ ବଢ଼ିଗଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

Advertisment

ଆମେ ଯାହାକୁ ସଜନା ଗଛ କହୁ, ତାହାର ଉଦ୍ଭିଦ ବିଜ୍ଞାନ ନାମ ମୋରିଙ୍ଗା ଓଲିଫେରା। ଅନେକ ଦଶନ୍ଧି ଧରି ଡକ୍ଟର ଶ୍ରବଣନଙ୍କ ବାପ ଅଜା ପାରମ୍ପରିକ ଭାବେ ଚାଷଜମିରେ ଛୁଇଁ ପାଇଁ ସଜନା ଚାଷ କରିଆସୁଥିଲେ। କିନ୍ତୁ, ଛୁଇଁର ବଜାର ଦର କମିଯିବା ଯୋଗୁଁ ଏହି ଫସଲ କ୍ରମଶଃ ଲାଭଜନକ ହେଲାନାହିଁ। ଛୁଇଁ ବିକ୍ରି କରି ଚାଷୀମାନେ କିଲୋଗ୍ରାମ ପ୍ରତି ୧୦୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲା ବେଳେ ଉତ୍ପାଦନ ହଠାତ୍ ବଢ଼ିଯିବା ବେଳେ ଏହାର ମୂଲ୍ୟ ୫-୧୦ ଟଙ୍କାକୁ କମିଯାଉଥିଲା। ଛୁଇଁରେ ପୁଷ୍ଟି ତତ୍ତ୍ୱ ଅଧିକ ଥିବା ସତ୍ତ୍ୱେ ସଜନା ଚାଷ ବାଣିଜ୍ୟିକ ଦୃଷ୍ଟିରୁ ଚାଷୀଙ୍କ ପାଇଁ ଲାଭଜନକ ହୋଇପାରୁନଥିଲା।

କୃଷି ବିଶେଷଜ୍ଞ ଶ୍ରବଣନ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟ ଚାକିରି ଛାଡ଼ି ହଠାତ୍ ଦିନେ ତାଙ୍କ ଜନ୍ମସ୍ଥାନକୁ ଫେରିଆସିଲେ ଏବଂ ବ୍ୟବସାୟିକ ଭାବେ ସଜନା କ୍ଷେତ ଉପରେ ଦୃଷ୍ଟି ନିବଦ୍ଧ କରିବାକୁ ମନସ୍ଥ କଲେ। ସେ ଜାଣିଲେ ଯେ ଗଛରେ ଅଧିକ ସଜନା ଛୁଇଁ ଫଳିଲେ ତାହାର ବଜାର ଦର କମୁଥିଲାବେଳେ ଏହାର ପତ୍ରର ଚାହିଦା ଅନ୍ତର୍ଜାତୀୟ ବଜାରରେ ବହୁତ ଅଧିକ। ତେଣୁ, ସେ ସଜନା ପତ୍ର ଚାଷ କରିବାକୁ ନିଷ୍ପତ୍ତି ନେଇ ସଜନା କ୍ଷେତ ଆରମ୍ଭ କଲେ। ତାହା ପରଠୁ ସଜନା ପତ୍ରକୁ ପ୍ରକ୍ରିୟାକରଣ ମାଧ୍ୟମରେ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରିବାକୁ ଲାଭଜନକ ଶିଳ୍ପ ସ୍ଥାପନ କଲେ। କିଲୋଗ୍ରାମ ପ୍ରତି ୮୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଏହି ସମସ୍ତ କୃଷି ଉତ୍ପାଦ ଆମେରିକା, କାନାଡ଼ା, ୟୁରୋପ ଏବଂ ଉପସାଗରୀୟ ଦେଶରେ ଆଦରଲାଭ କଲା।

Advertisment

୨୦୧୭ ମସିହାରେ ସେ ନିଜ ପଦବୀରୁ ଇସ୍ତଫା ଦେବାର ସାହସିକ ପଦକ୍ଷେପ ନେଇଥିଲେ। ଏଭଳି ନିଷ୍ପତ୍ତି ଏତେ ସହଜ ନଥିଲା। ଡକ୍ଟର ଶ୍ରବଣନଙ୍କ ପିତା ପ୍ରଥମେ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ, କିନ୍ତୁ ଶିକ୍ଷିତ ବୈଜ୍ଞାନିକ ପୁଅର ଅଟଳ ଦୃଢ଼ ନିଷ୍ଠା ଏବଂ ଦୃଷ୍ଟିକୋଣକୁ ପରେ ଆଦରି ନେଇଥିଲେ। ଶ୍ରବଣନ କ୍ଷେତରୁ ସଜନାପତ୍ରକୁ ଅମଳ କଲା ପରେ, ଛାଇରେ ଶୁଖାଇ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରିବାରେ ଲାଗିଲେ। ସଜନା ଗଛକୁ ଛୁଇଁ ବା ଫଳ ପାଇଁ ଚାଷ କରିବା ବେଳେ ଦୁଇଟି ଗଛ ମଧ୍ୟରେ ୧୫ ଫୁଟ ବ୍ୟବଧାନ ରଖିବାକୁ ପଡୁଥିଲା ବେଳେ ପତ୍ର ପାଇଁ ଚାଷ କରିବାବେଳେ ସେ ଚାରା ମଧ୍ୟରେ ବ୍ୟବଧାନ ରଖିନଥିଲେ। ଗଛର ଉଚ୍ଚତା ଦୁଇଫୁଟ ହୋଇଗଲେ, ପତ୍ରକୁ କାଟି ଅମଳ କଲେ। ଶ୍ରବଣନ ଭଲ ଭାବେ ଜାଣି ଥିଲେ ଯେ, ଯଦି ଗଛକୁ ଫୁଲ ଫୁଟିବାକୁ ଦିଆଯାଏ, ତେବେ ପତ୍ରରେ ସଂରକ୍ଷିତ ପୁଷ୍ଟିସାର, ପ୍ରାକୃତିକ ନିୟମ ଅନୁସାରେ ଛୁଇଁ ହେବାର ପ୍ରକ୍ରିୟାରେ ବ୍ୟବହାର ହୋଇଯିବ। ଫଳରେ, ପତ୍ରଗୁଡ଼ିକରେ ଖାଦ୍ୟ ଗୁଣ-ମାନ କମିଯିବ। ସେଥିପାଇଁ ସେ ଗଛରେ ଫୁଲ ଫୁଟିବା ପୂର୍ବରୁ ପତ୍ର ଅମଳ କଲେ। ଏହା ସହିତ ସେ ୫୦-୬୦ ଦିନ ବ୍ୟବଧାନରେ ବର୍ଷକୁ ଛଅ ଥର ପର୍ଯ୍ୟନ୍ତ ପତ୍ର ଅମଳ କରିଚାଲିଲେ। ଏପରି କରିବା ଫଳରେ, ବର୍ଷସାରା ପତ୍ର ଉତ୍ପାଦନ ହୋଇ ପାରିଲା।

ଶ୍ରବଣନ ସଜନା ପତ୍ର ଚାଷ କରିବା ପାଇଁ ନୋ-ଟିଲ୍ ଚାଷ ପ୍ରଣାଳୀ ବ୍ୟବହାର କଲେ। ଅର୍ଥାତ୍ ଲଙ୍ଗଳ ବ୍ୟବହାର ନକରି ପ୍ରାକୃତିକ ଚାଷ। ସେ ସଜନା କ୍ଷେତରେ ଛେଳି ଖତ ଏବଂ କୃଷି-ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କମ୍ପୋଷ୍ଟ ଖତ ବ୍ୟବହାର କରି ଜୈବିକ କୃଷି ପଦ୍ଧତି କାର୍ଯ୍ୟକାରୀ କଲେ। ଏହା ସହିତ, ସେ ଟୋପାଏ ଜଳ ଅପଚୟ ନକରି ଫସଲ ଚାଷ କରିବା ପାଇଁ ବୁନ୍ଦା ଜଳସେଚନ ପ୍ରଣାଳୀ ବ୍ୟବହାର କଲେ। ସର୍ବାଧିକ ଉତ୍ପାଦନ ପାଇବା ଏବଂ ଘାସ ଦମନ କରିବା ପାଇଁ, ସେ ବଣ୍ଡଲ୍ ମଲ୍ଚିଂ ନାମକ ଏକ ନୂତନ କୌଶଳ ବ୍ୟବହାର କଲେ। ଏହି ନୂଆ କୌଶଳରେ, ଶୁଖିଲା ପତ୍ର ଓ ଫସଲର ଅବଶିଷ୍ଟାଂଶକୁ କଳେଇ ଭଳି ବିଡ଼ାବାନ୍ଧି ଦୁଇ ପଟାଳି ମଝିରେ ଥିବା ଖାଲି ଜାଗାରେ ଗଦାକରି ରଖିଲେ, ଯାହା ଘାସ ଦମନ କରିବା ପାଇଁ ଅବ୍ୟର୍ଥ ସାବ୍ୟସ୍ତ ହେଲା।

ସେ ସଜନାଶାଗ ଚାଷକୁ ବିଜ୍ଞାନ ଏବଂ ପ୍ରକୃତିର ଏକ ସୁସଙ୍ଗତ ମିଶ୍ରଣ ଭାବେ କେବଳ ପ୍ରତିଷ୍ଠା ଦେଲେନାହିଁ, ବରଂ ସଜନାପତ୍ରରୁ ପାଉଡର, କ୍ୟାପସୁଲ ଏବଂ ସୁପ୍ ଭଳି ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କରିବାର ରାସ୍ତା ଦେଖାଇଦେଲେ। ଏକର ପିଛା ପ୍ରଥମେ ଏକ ଲକ୍ଷ ଟଙ୍କା ନିବେଶ କରି, ଚାଷୀମାନେ କେବଳ ପତ୍ର ବିକ୍ରିରୁ ବାର୍ଷିକ ଏକ ଲକ୍ଷ ପଚିଶ ହଜାର ଟଙ୍କା ନିଶ୍ଚିତ ଆୟ କରିବା ସମ୍ଭବ ହେଲା। ଏହି ଲାଭକୁ ଦ୍ୱିଗୁଣିତ କରିବା ପାଇଁ ସଜନାପତ୍ରକୁ ମୂଲ୍ୟଯୁକ୍ତ ଏବଂ ପ୍ରକ୍ରିୟାକରଣ କରିବାର ରାସ୍ତା ବାହାର କଲେ। ଫଳରେ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ସହିତ ପରିବେଶ ସଂରକ୍ଷଣ ଏବଂ ସମୃଦ୍ଧ ବ୍ୟବସାୟ ମଡେଲ ମଧ୍ୟ ସୃଷ୍ଟି ହୋଇପାରିଲା। ସତରେ, ଆମେ ଯାହା କରିବାକୁ ଭଲପାଉ, ତାହା କରି ପାରିଲେ, ପୁରସ୍କାର ପାଇଲା ଭଳି ଅନୁଭବ ହୁଏ; ଯାହା ଶ୍ରବଣନ ଅନୁଭବ କରିଥିଲେ।

ସତରେ, ସଜନା ଗଛ ଏକ ଉପକାରୀ ଗଛ। ଏହାର ପତ୍ରଠୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ସବୁକିଛି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ। ସଜନା ଶାଗରେ ଅନେକ ଔଷଧୀୟ ଗୁଣ ରହିଛି। ସଜନା ଛୁଇଁ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ସଜନା ଛୁଇଁକୁ ଆମେ ତରକାରୀ, ଭଜା, ସୁପ୍‌ କିମ୍ବା ସମ୍ବରରେ ବ୍ୟବହାର କରିଥାଉ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହୁଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍‌ ଭଲ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ, ହାଡ଼କୁ ମଜବୁତ୍‌ କରିଥାଏ, ନିଃଶ୍ୱାସଜନିତ ସମସ୍ୟା ଦୂର କରେ ଏବଂ କେଶ ଝଡ଼ିବ‌ା ସମସ୍ୟା ହ୍ରାସ ପାଇଥାଏ। ସଜନା ଛୁଇଁରେ ଭିଟାମିନ୍‌ ସି ଥିବାରୁ ତ୍ୱଚାକୁ ଯୁବସୁଲଭ କରିଥାଏ।

ସଜନାକୁ ଅଲୌକିକ ଗଛ କୁହାଯାଇଥାଏ। ଏହାର ଫୁଲ, ଫଳ ଓ ପତ୍ର ଅବିଶ୍ୱସନୀୟ ଭାବେ ପୁଷ୍ଟିକର ଏବଂ ଔଷଧୀୟ। ପତ୍ର ପାଇଁ ସଜନାଗଛ ଚାଷ ଛୋଟ ଠାରୁ ବଡ଼ ଚାଷୀଙ୍କ ଯାଏଁ ଏକ ଲାଭଜନକ ଏବଂ ସ୍ଥାୟୀ ବ୍ୟବସାୟ ଭାବରେ ଆଦର ଲାଭ କରିଛି। ଯଦି କେହି ଉଚ୍ଚ-ମୂଲ୍ୟର ଫସଲ ଚାଷ କରିବାକୁ ଚିନ୍ତା କରୁଛନ୍ତି, ସେମାନେ ସହଜରେ ସର୍ବନିମ୍ନ ମୂଳଧନ ବିନିଯୋଗ କରି ସଜନାପତ୍ର ଚାଷ କରିପାରିବେ।

ଏହାର ଆଦ୍ୟ ଜନ୍ମଭୂମି ଭାରତ ଏବଂ ଆଫ୍ରିକାର କିଛି ଅଂଶ। ଦ୍ରୁତ ବଢ଼ୁଥିବା, ମରୁଡ଼ି-ପ୍ରତିରୋଧୀ ସଜନା ଗଛର ପତ୍ରରେ ଭରପୂର ଥିବା ଭିଟାମିନ୍ ଏ, ସି, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ପୁଷ୍ଟିସାର ମୂଲ୍ୟବାନ। ଆଜିକାଲି, ସମଗ୍ର ବିଶ୍ୱରେ ଯେଭଳି ସୁସ୍ଥ ରହିବାର ମାନସିକତା ବୃଦ୍ଧି ପାଉଛି, ତାହା ସହ ତାଳ ଦେଇ ସଜନା ଶାଗ ବା ପତ୍ରର ଚାହିଦା ମଧ୍ୟ ବୃଦ୍ଧି ପାଉଛି।

ଚାଷୀମାନେ ନିପାଣିଆ ଢିପଜମିକୁ ଦୁଇ-ତିନି ଓଡ଼ ହଳ କରି ଛେଳି, ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଜମିକୁ ବଳୁଆ କଲାପରେ ମଞ୍ଜି କିମ୍ବା ଡାଳରୁ ଉତ୍ପାଦିତ ଚାରା ବା ତଳି ରୁଆ ଯାଇ ଚାଷ କରାଯାଏ। ବାଣିଜ୍ୟିକ ପତ୍ର ଉତ୍ପାଦନ ପାଇଁ, ଧାଡ଼ିରୁ ଧାଡ଼ି ୧୫ ସେମି ଏବଂ ଗଛରୁ ଗଛ ୧୦ ସେମି ବ୍ୟବଧାନ ରଖାଯାଏ। ସଜନା ମରୁଡ଼ି ପ୍ରତିରୋଧୀ ହୋଇଥିଲେ ମଧ୍ୟ ନିୟମିତ ଭାବେ ହାଲୁକା ଜଳସେଚନ କଲେ, ପତ୍ର ଗହଳିଆ ହୁଏ। ଏଥିପାଇଁ ବୁନ୍ଦା ଜଳସେଚନ ବ୍ୟବସ୍ଥା ସର୍ବୋତ୍ତମ। ଫୁଲ ଧରିବା ପୂର୍ବରୁ ପତ୍ର ଅମଳ କରି ଗଛକୁ ଏଭଳି କଟାଯାଏ ଯେ, ୩୦-୪୫ ଦିନ ପରେ ଝଙ୍କାଳିଆ ହୋଇ ବଢ଼ିଥିବା ନୂଆ ପତ୍ର ଅମଳ ହୋଇ ପାରିବ। ସାଧାରଣତଃ ହାତରେ ଡାଳ କାଟି କିମ୍ବା ପତ୍ର ଛିଣ୍ଡାଇ ଅମଳ କରାଯାଏ। ପତ୍ରଗୁଡ଼ିକୁ ପାଉଡର କରିବାକୁ ହେଲେ ଉପଯୁକ୍ତ ଭାବେ ଛାଇରେ ଶୁଖାଇବାକୁ ପଡ଼େ। ହେକ୍ଟର ପିଛା ବାର୍ଷିକ ୧୦ରୁ ୧୫ ଟନ୍ ପର୍ଯ୍ୟନ୍ତ କଞ୍ଚାପତ୍ର ଅମଳ ହୁଏI

ଅମଳ କରାଯାଇଥିବା ପତ୍ରକୁ ଧୋଇବା ପରେ ପୁଷ୍ଟିତତ୍ତ୍ୱ ନଷ୍ଟ ନହେବା ପାଇଁ ଛାଇରେ ଶୁଖାଯାଏ। ଏହି ଶୁଖିଲା ପତ୍ରକୁ ଗୁଣ୍ଡ କରାଯାଇ ଏହାକୁ ବାୟୁନିରୋଧୀ ପାତ୍ର କିମ୍ବା ପାଉଚରେ ପ୍ୟାକ୍ କରାଯାଇ ବିକ୍ରି କରାଯାଏ। ଆନ୍ତର୍ଜାତିକ ବଜାରରେ ପ୍ରକ୍ରିୟାକୃତ ସଜନା ପତ୍ର ପାଉଡରର ଚାହିଦା ଏବଂ ମୂଲ୍ୟ କାହିଁରେ କ’ଣ! ଜୈବିକ ପ୍ରମାଣୀକରଣ ଥିବା ସଜନା ପତ୍ର ପାଉଡର ମୂଲ୍ୟ ସର୍ବାଧିକ।

ସଜନା ଗଛ ସର୍ବନିମ୍ନ ସାର ଏବଂ ରୋଗ-କୀଟନାଶକ ଆବଶ୍ୟକ କରି ବଢ଼ିପାରେ ଏବଂ ପତ୍ର ବ୍ୟତୀତ ବିହନ, ଛୁଇଁ, ତେଲ ଏବଂ ସଜନା-ଆଧାରିତ ବିଭିନ୍ନ ବାଣିଜ୍ୟିକ ଉତ୍ପାଦ ପ୍ରଦାନ କରିପାରେ। ବର୍ଷକୁ ପ୍ରାୟ ୮ ଥର ଅମଳ ଦେଉଥିବା ସଜନା ଗଛ ମରୁଡ଼ି-ସହନଶୀଳ ଏବଂ ଅନୁର୍ବର ଜମିରେ ମଧ୍ୟ ଚାଷ କରାଯାଇ ମାଟିର ଉନ୍ନତି ଏବଂ ମୃତ୍ତିକା କ୍ଷୟ ରୋକିବାରେ ସାହାଯ୍ୟ କରେ। ସଜନା ପତ୍ରକୁ ଗୁଣ୍ଡ କରି ସିଧାସଳଖ ଭାବେ ଖାଦ୍ୟଦ୍ରବ୍ୟ ବିକ୍ରେତା, ଆୟୁର୍ବେଦିକ ଔଷଧ ଉତ୍ପାଦନକାରୀ ଏବଂ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକଙ୍କୁ ବିକ୍ରି କରିହେବ। ଜୈବିକ କୃଷି ପ୍ରଣାଳୀ ଅବଲମ୍ବନ କରି ସଜନା ଚାଷ କଲେ ସର୍ବାଧିକ ଲାଭ ମିଳିବା ସ୍ୱାଭାବିକ।

ସଜନା ପତ୍ରକୁ ଶୁଖାଇବା କୌଶଳ ବିଷୟରେ ହରିଆଣାର ସରଲା ଏବଂ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଅନେକ କିଛି ଅଭିଜ୍ଞତା ଅର୍ଜନ କରିଛନ୍ତି। ସେମାନଙ୍କ କହିବା କଥା ଯେ, ବଡ଼ ଫ୍ୟାନ୍ ତଳେ କିମ୍ବା ନିୟନ୍ତ୍ରିତ ସବୁଜ ଗୃହରେ (ଗ୍ରୀନହାଉସ୍‌ରେ) ପତ୍ରକୁ ଶୁଖାଇଲେ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଏବଂ ରଙ୍ଗ ବଜାୟ ରହେ। ୧୨ ଘଣ୍ଟା ଶୁଖାଇବା ପରେ, ପତ୍ରଗୁଡ଼ିକ ପାଉଡର କରିବା ପାଇଁ ପ୍ରସ୍ତୁତ ହୋଇଯାଏ। ଏକ ବର୍ଷରେ ଏକର ପ୍ରତି ୧,୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଶୁଖିଲା ପାଉଡର ଉତ୍ପାଦନ କରିହୁଏ। ଏବେ ଆମର ଯୁବ ଉଦ୍ୟୋଗୀ ତଥା ଆଗୁଆ ଚାଷୀମାନେ ଜାଣି ପାରୁଥିବେ ଯେ, ସଜନା ପତ୍ର ଚାଷ ଓ ସେଥିରୁ ପତ୍ରଗୁଣ୍ଡ ପ୍ରସ୍ତୁତି ଆଉ ତାମିଲନାଡୁ ରାଜ୍ୟରେ ସୀମାବଦ୍ଧ ହୋଇ ନରହି ହରିଆଣା ଯାଏଁ ବ୍ୟାପିଯାଇଥିବା ବେଳେ, ଆମ ରାଜ୍ୟରେ ଆମେ ଧାନ ଚାଷ, ଅଭାବୀ ବିକ୍ରି ଓ ଚାଷୀ ଆତ୍ମହତ୍ୟା ଭିତରେ ଦହଗଞ୍ଜ ହେଉଛେ ଯାହା।

ଡକ୍ଟର ଶ୍ରବଣନ ସଜନା ପତ୍ରକୁ ପ୍ରକ୍ରିୟାକରଣ ମାଧ୍ୟମରେ ପୁଡ଼ିଂ (ମସଲାଯୁକ୍ତ ଶୁଖିଲା ଗୁଣ୍ଡ), ସୁପ୍ ଏବଂ ପାଉଡର ଭଳି ଉତ୍ପାଦ ପ୍ରସ୍ତୁତ କରି ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିବା ପରେ ଦଶମ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ପାଠ ଛାଡ଼ିଥିବା ଶ୍ରୀମତି ପି. ପୋନ୍ନାରାସି ବ୍ୟବସାୟିକ ଭିତ୍ତିରେ ସଜନା ଛୁଇଁ ଓ ସଜନା ପତ୍ର ଚାଷ କରିବାକୁ ମନବଳାଇଲେ। ସ୍ଥାନୀୟ କୃଷି ମହାବିଦ୍ୟାଳୟର ଗବେଷକ ଜନ୍ କେନେଡିଙ୍କ ପାଖରୁ ପ୍ରେରଣା ପାଇ ସେ ସଜନା ମଞ୍ଜିରୁ ତେଲ ଏବଂ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରି ମାଲେସିଆ, ସିଙ୍ଗାପୁର ସମେତ ବିଭିନ୍ନ ବିଦେଶୀ ବଜାରକୁ ରପ୍ତାନୀ କଲେ ଏବଂ ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନେକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଦେଲେ। ତାଙ୍କୁ ସମସ୍ତେ ଚିହ୍ନିଲେ ସଜନା ରାଣୀ ବା ‘ମୋରିଙ୍ଗା କୁଇନ୍’ ନାମରେ। ଏବେ ସଜନା ଆଉ ଆମ ବାଡ଼ିର ସଂବାଳୁଆ ପାଇଁ କୁଖ୍ୟାତ ଝଡ଼ ପବନରେ ଭାଙ୍ଗି ଯାଉଥିବା ଅବହେଳିତ ଗଛ ନୁହେଁ; ବରଂ ଅନ୍ତର୍ଜାତୀୟ ସୁପରଷ୍ଟାର ହୋଇ ସାରିଛି। ଆଜି, ପ୍ରତ୍ୟେକ ସଜନା ପତ୍ର ସହିତ ସମ୍ଭାବନାରେ ପରିପୂର୍ଣ୍ଣ ଏକ ଭବିଷ୍ୟତ ରହିଛି- ଯାହା ଯୋଗାଇ ପାରେ ସ୍ୱାସ୍ଥ୍ୟ ବର୍ଦ୍ଧକ ପୁଷ୍ଟିକର ଖାଦ୍ୟ, ପ୍ରଦାନ କରେ ଆର୍ଥିକ ସୁଯୋଗ ଏବଂ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥା।

ଫୋ- ୯୪୩୮୨୯୯୦୩୭

Odisha Agriculture moringa sajana-saga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe