‘ସ ଅ କ’ ଖାଦ୍ୟ - ପ୍ରକୃତିର ବରଦାନ

ମୋର ମନେ ପଡୁଛି ବହୁ ବର୍ଷ ପୂର୍ବରୁ ଗାଆଁ ଗହଳିମାନଙ୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉ ଥିଲା ‘ସ ଅ କ’ ଖାଦ୍ୟ ଖାଇବାକୁ। ସ ଅ କ ଅର୍ଥାତ ସଜନା ଛୁଇଁ, ଅମୃତଭଣ୍ଡା ଓ କଦଳୀ। ଆମ ଶରୀର ପାଇଁ ଦରକାର ହେଉଥିବା ସବୁ ପ୍ରକାର ଭିଟାମିନ, ଖଣିଜ ପଦାର୍ଥ, ଫାଇବର୍ ଓ ଏଣ୍ଟିଅକ୍ସିଡେଣ୍ଟ ଏଇଥିରେ ଥାଏ ବୋଲି କୁହା ଯାଇଥାଏ।

Papaya Drumstick Curry

Papaya Drumstick Curry

Debendra Prusty
  • Published: Monday, 07 April 2025
  • , Updated: 07 April 2025, 02:46 PM IST

ଡ. ରୀନା ରାଉତରାୟ

ମୋର ମନେ ପଡୁଛି ବହୁ ବର୍ଷ ପୂର୍ବରୁ ଗାଆଁ ଗହଳିମାନଙ୍କରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉ ଥିଲା ‘ସ ଅ କ’ ଖାଦ୍ୟ ଖାଇବାକୁ। ସ ଅ କ ଅର୍ଥାତ ସଜନା ଛୁଇଁ, ଅମୃତଭଣ୍ଡା ଓ କଦଳୀ। ଆମ ଶରୀର ପାଇଁ ଦରକାର ହେଉଥିବା ସବୁ ପ୍ରକାର ଭିଟାମିନ, ଖଣିଜ ପଦାର୍ଥ, ଫାଇବର୍ ଓ ଏଣ୍ଟିଅକ୍ସିଡେଣ୍ଟ ଏଇଥିରେ ଥାଏ ବୋଲି କୁହା ଯାଇଥାଏ।

ଆଗରୁ ଗାଆଁମାନଙ୍କରେ ପ୍ରତି ଘର ବାଡ଼ିରେ ଏଇ ତିନୋଟି ଗଛ ନିଶ୍ଚୟ ଥାଏ। ସେତେବେଳେ ସେଥିପାଇଁ ବୋଧେ ଏତେ ରୋଗ ବ୍ୟାଧି ନ ଥିଲା।

ପ୍ରକୃତି ଭିନ୍ନ ଭିନ୍ନ ଜଳବାୟୁରେ ବିଭିନ୍ନ ପ୍ରକାରର ଖାଦ୍ୟ ମହଜୁଦ ରଖିଥାଏ। ସେହି ପରିବେଶରେ ଜନ୍ମ ହୋଇ ବସବାସ କରୁଥିବା ମନୁଷ୍ୟର ଶରୀର ଗଠନର ପ୍ରକ୍ରିୟା ଅନୁସାରେ ପ୍ରାକୃତିକ ଭାବରେ ସେଠାରେ ଉପଲବ୍ଧ ହେଉଥିବା ଖାଦ୍ୟ ଶସ୍ୟ ହିଁ ଆମ ପାଇଁ ସ୍ୱାସ୍ଥ୍ୟପ୍ରଦ ଅଟେ।

କିନ୍ତୁ ଯେବେଠୁ ଆମେ ପ୍ରକୃତିର ଏହି ଅଦ୍ଭୁତ ଓ ଅପୂର୍ବ ବରଦାନକୁ ଅଣଦେଖା କରି ଅନ୍ୟ ଭୌଗୋଳିକ ପରିବେଶରୁ ଖାଦ୍ୟଶସ୍ୟ ଆମଦାନୀ କରି ଖାଇବା ଆରମ୍ଭ କରିଛୁ ସେବେଠାରୁ ମନୁଷ୍ୟ ରୋଗଗ୍ରସ୍ତ ଓ ଶୋକଗ୍ରସ୍ତ ହେବାର ଅନୁପାତ ଅନେକ ମାତ୍ରାରେ ବଢ଼ି ଯାଇଛି। କିଏ ଜଣେ କହିଥିଲେ, ‘ପ୍ରତି ଥର ଖାଇଲା ବେଳେ ଆମେ ଧ୍ୟାନ ଦେବା ଯେ ଏହି ଖାଦ୍ୟଟି ଆମ ଜେଜେବାପା ଓ ଜେଜେ ମାଆ ଖାଉ ଥିଲେ ତ?’ ତାହା ହେଲେ ଖାଦ୍ୟପାନୀୟ ପାଇଁ ଆମର ସ୍ଵାସ୍ଥ୍ୟଗତ ସମସ୍ୟା ଖୁବ୍ କମ ମାତ୍ରାରେ ହେବ।

ଇଣ୍ଡିଆନ୍ କାଉନସିଲ ଅଫ୍ ଏଗ୍ରିକଲ୍ଚରାଲ ରିସର୍ଚର ନିର୍ଦ୍ଦେଶକ, ଯିଏ କି ଆମର ଜଣେ ଓଡ଼ିଆ ପୁଅ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିଥିବା ଅବସରରେ ତାଙ୍କୁ ଶୁଣିବାର ସୁଯୋଗ ମିଳିଥିଲା। ତାଙ୍କ କହିବା ଅନୁଯାୟୀ, ଆମ ଓଡ଼ିଆ ଘରର ଭାତ ଥାଳି ଯାହା ଆମର ଜେଜେବାପା ଓ ମାଆ ଖାଉଥିଲେ ତାହା ଏକ ସ୍ଵୟଂ ସମ୍ପୂର୍ଣ୍ଣ ଖାଦ୍ୟ ଯେଉଁଥିରେ ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷଣ ତତ୍ତ୍ଵ ଭରପୂର ରହିଛି। ଭାତ, ଡାଲି, ପରିବା ତରକାରୀ/ ଚୂନା ମାଛ ବେସର ଶାଗ ଓ ଖଟା ଇତ୍ୟାଦିର ଏକ ସମ୍ପୂର୍ଣ ଭାତ ଥାଳି। କେବେଠାରୁ ଆମେ ଏହିପରି ଭାତ ଥାଳି ଖାଇବାର ଅଭ୍ୟାସ ଛାଡ଼ି ସାରିଲୁଣି। କାରଣ ଆମେ ବହୁତ ବ୍ୟସ୍ତ। ବହୁତ ବ୍ୟସ୍ତ ରୋଗଗ୍ରସ୍ତ ହେବାକୁ। କିନ୍ତୁ ନିଜ ସ୍ୱାସ୍ଥ୍ୟ ପାଇଁ ସମୟ ନାହିଁ ଆମ ପାଖରେ। କି ବିଡ଼ମ୍ବନା ସତରେ!

ଆଜିର ବ୍ୟସ୍ତବହୁଳ ଜୀବନରେ ସିଙ୍ଗଲ ଆଇଟମ, ବାଉଲ୍ ଫୁଡ୍ ଓ ଜଙ୍କ ଫୁଡର ବହୁଳ ଗ୍ରହଣ ପାଇଁ ଆମକୁ ପ୍ରତିଦିନ ମଲ୍ଟି ଭିଟାମିନ ଖାଇବାର ଆବଶ୍ୟକ ପଡୁଛି। ପ୍ରକୃତିର ଦାନ ସକାଳର ସୂର୍ଯ୍ୟ କିରଣକୁ ଉପଭୋଗ ନ କରି ଜିମ୍ ଯାଇ ‘ଭିଟାମିନ ଡି’ର ଅଭାବରେ ଶରୀରରେ କ୍ୟାଲସିୟମ କମ୍ ହୋଇ ହାଡ଼ ଓ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ପୀଡ଼ିତ ହେଉଛୁ।

ଓଡ଼ିଆ ଘରର ପାରମ୍ପାରିକ ଖାଦ୍ୟ ଖୁବ୍ ସରଳ ଉପାୟରେ ପ୍ରସ୍ତୁତ ହୋଇ ପାରୁଥିବା ପଖାଳ ବଦଳରେ ‘ପ୍ରୋବାଇଓଟିକ୍’ ଔଷଧର ବ୍ୟବହାର କରୁଛୁ।

ପ୍ରାକୃତିକ ଖାଦ୍ୟ ମାନେ ଏମିତି ଖାଦ୍ୟ ଯାହା କୃତ୍ରିମ ସାର, ରଙ୍ଗ ବା ପ୍ରିଜରଭେଟିଭ (ରକ୍ଷକ ତତ୍ତ୍ଵ) ବିନା ପ୍ରାକୃତିକ ଭାବେ ଉତ୍ପାଦିତ ଓ ପ୍ରସ୍ତୁତ। ଫଳ, ସବୁଜ ପନିପରିବା, ଅଣପ୍ରକ୍ରିୟାକୃତ ଶସ୍ୟ ମୂଳଖାଦ୍ୟ, କ୍ଷୀର, ଦହି ଓ ନିଜେ ଘରେ ପ୍ରସ୍ତୁତ କରିଥିବା ସାଧା ଖାଦ୍ୟକୁ ପ୍ରାକୃତିକ ଖାଦ୍ୟ ରୂପେ ଗ୍ରହଣ କରାଯାଏ।

ଏହି ଖାଦ୍ୟରେ ରାସାୟନିକ ଦ୍ରବ୍ୟ ଓ ଅତିରିକ୍ତ ଖାଦ୍ୟ ପ୍ରସ୍ତୁତି ଉପକରଣ ନଥିବାରୁ ଏହା ଦେହ ପାଇଁ ଉପକାରକ ଓ ସୁରକ୍ଷିତ।

ପ୍ରାକୃତିକ ଖାଦ୍ୟରେ ଅଧିକ ପରିମାଣରେ ଭିଟାମିନ୍, ଖଣିଜ, ଫାଇବର୍ ଓ ଏଣ୍ଟିଅକ୍ସିଡେଣ୍ଟ ଥାଏ।

ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ (ଇମ୍ୟୁନ୍ ସିଷ୍ଟମ)କୁ ମଜବୁତ କରି ରୋଗ ସହ ଲଢ଼ିବାକୁ ସାହାଯ୍ୟ କରେ। ଫାଇବର୍ ଥିବା ଖାଦ୍ୟ ପାଚନକୁ ସୁନିୟନ୍ତ୍ରିତ କରେ ଓ ଗ୍ୟାସ, ଅମ୍ଲପିତ୍ତ, କୋଷ୍ଠକାଠିନ୍ୟ ପରି ଦୈନଦିନ ସମସ୍ୟା ହ୍ରାସ କରେ। ପ୍ରାକୃତିକ ଖାଦ୍ୟ ଖାଇଲେ କୋଲେଷ୍ଟେରଲ ଓ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣ ରହେ। ଶରୀରର ଉର୍ଜା ଉତ୍ପାଦନ ପ୍ରକ୍ରିୟା ବୃଦ୍ଧି ହୁଏ।

ପ୍ରକୃତି ଆମକୁ ଜନ୍ମ ଦେଇଛି। ପଞ୍ଚ ଭୂତରେ ଗଢ଼ା ଆମ ଶରୀର।

ଏଇଠି ପ୍ରକୃତି ଆମ ପାଇଁ ସବୁ କିଛି ସାଇତି ରଖିଛି। ଅଥଚ ଆମେ ତାକୁ ଅଣଦେଖା କରୁଛୁ।

ଆଧୁନିକ ଜୀବନଶୈଳୀର ଦୌଡ଼ରେ ବ୍ୟସ୍ତ ମନୁଷ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ଆଉଟପାଉଟ ହେଉଛନ୍ତି।

ଦୂଷିତ ପରିବେଶ, ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଶାରୀରିକ ଶ୍ରମଠାରୁ ଦୂର ଏବଂ ନକାରାତ୍ମକ ମନୋଭାବ ଏହି ସମସ୍ୟାର ମୂଳ ହେବା ସତ୍ତ୍ୱେ ଆମେ ଏଥିରୁ ମୁକୁଳିବା ପାଇଁ ଚେଷ୍ଟା କରୁନାହିଁ।

ଆମକୁ ବୁଝିବାକୁ ହେବ ଯେ ପ୍ରକୃତି ସହିତ ରହିବା ଓ ପ୍ରାକୃତିକ ଖାଦ୍ୟ ଖାଇବା ହିଁ ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ଅଟେ।

ପ୍ରକୃତି ସହିତ ମାନବ ଜୀବନର ଗଭୀର ସମ୍ପର୍କ ଅଛି।

ପ୍ରାକୃତିକ ପରିବେଶ ମଧ୍ୟରେ ମନୁଷ୍ୟ ଅଧିକ ସୁସ୍ଥ ଓ ସୁଖୀ ଥାଏ। ଅତୀତରେ ଲୋକମାନେ ସକାଳୁ ଉଠି ସୂର୍ଯ୍ୟ ଆଲୋକରେ ବ୍ୟାୟାମ କରୁଥିଲେ, ପ୍ରାକୃତିକ ଜଳପାନ କରୁଥିଲେ ଓ କ୍ଷେତରେ କାମ କରୁଥିଲେ। ଆଜି ଏହା ବଦଳିଯାଇଛି। ଆମେ ଫୋନ୍, ଟିଭି, କମ୍ପ୍ୟୁଟର ସହ ଜୀବନକୁ ଶୂନ୍ୟତାରେ ବିତାଉଛୁ।

ପ୍ରାକୃତିକ ଖାଦ୍ୟ ଏବଂ ପ୍ରକୃତି ସହିତ ଜୀବନ ହେଉଛି ଏକ ଦୀର୍ଘ ନିରାମୟ ଜୀବନର ରହସ୍ୟ। ଏହା ଦେହ, ମନ, ଓ ଆତ୍ମାର ସନ୍ତୁଳନ ରଖି ଆମକୁ ଏକ ଆରୋଗ୍ୟମୟ ଜୀବନ ଜିଁଇବାକୁ ଉପାଦାନ ଯୋଗାଏ।

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆସନ୍ତୁ ଏକ ଦୃଢ଼ ପ୍ରତିଜ୍ଞା କରିବା- ଏବେ ଠାରୁ ପ୍ରାକୃତିକ ଖାଦ୍ୟ ଖାଇବା, ପ୍ରକୃତି ସହିତ ଏକାତ୍ମ ହେବା ଓ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ଓ ଦାୟିତ୍ୱଶୀଳ ହେବା।

‘ପ୍ରାକୃତିକ ଜୀବନ ଶୈଳୀକୁ ଆପଣାନ୍ତୁ ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ ନିୟମିତ ବ୍ୟବଧାନରେ ଉପବାସ କରନ୍ତୁ ସନ୍ତୁଳିତ ଆହାର ଖାଆନ୍ତୁ ସୁସ୍ଥ ଓ ନିରୋଗୀ ରୁହନ୍ତୁ।’

ଫୋ- ୯୪୩୮୨୭୨୧୫୨

Related story