- ରୁଦ୍ର ପ୍ରସନ୍ନ ରଥ
ଆମେ ସମସ୍ତେ ଜାଣନ୍ତି ଯେ କୌଣସି ଦୁଇଟି ମଣିଷ ଜନ୍ମ ସମୟରୁ ହିଁ ସମାନ ହୋଇନଥାନ୍ତି। ରୂପ, ରଂଗ, ଏବଂ ଶାରୀରିକ ଗଠନ ଅନୁସାରେ ଜନ୍ମ ସମୟରୁ ହିଁ ଜଣେ ଅନ୍ୟ ଜଣଙ୍କଠାରୁ ଭିନ୍ନ ହୋଇଥାଏ। ବୟସ ବଢ଼ିବା ସଂଗେ ସଂଗେ ଏଥିରେ କ୍ରମେ କ୍ରମେ ମାନସିକ ଦକ୍ଷତା ଏହି ଆଧାର ସହ ଯୋଡ଼ି ହୋଇଯାଏ। ଶିଶୁଟି ଦୁଇ ତିନି ବର୍ଷର ହେବା ବେଳକୁ ତାହାର ମାନସିକ ଦକ୍ଷତାକୁ ଅନ୍ୟମାନଙ୍କ ସହ ତୁଳନା କରାଯିବା ଆରମ୍ଭ କରାଯାଏ। ଯଦି ଦେଖାଯାଏ ଯେ ଶିଶୁଟି ଅନ୍ୟମାନଙ୍କ ସହ ତୁଳନୀୟ ନୁହେଁ ବରଂ ତାହାର ମାନସିକ ବିକାଶ ମନ୍ଥର କିମ୍ବା ବିଳମ୍ବିତ ହେବା କାରଣରୁ ସେ ଅନ୍ୟ ପିଲାଙ୍କଠାରୁ ବିଭିନ୍ନ କାମରେ ପଛରେ ପଡ଼ିଯାଉଛି ଜଣାପଡ଼େ ସେତେବେଳେ ତାକୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖେ। ତା ପ୍ରତି ସମାଜର ହାବଭାବ ବ୍ୟବହାର ବଦଳିଯାଏ। ମାନସିକ ଅନଗ୍ରସରତା ଯୋଗୁଁ ଶିଶୁଟି ସମସ୍ତଙ୍କର ଦୟାର ପାତ୍ର ହେବା ଆରମ୍ଭ କରେ। ପରିବାରରେ ଭାଳେଣୀ ପଡ଼ିଯାଏ। ଗୋଟିଏ ଦିବ୍ୟାଙ୍ଗଜନ ପିଲାର ବାପାମା’ ହେବା କେବଳ କଷ୍ଟକର ନୁହେଁ ବରଂ ଏହା ବହୁ ଆହ୍ୱାନ ବିଶିଷ୍ଟ ବୋଲି କେବଳ ଅନୁଭବୀମାନେ ଅନୁଭବ କରୁଥିବାବେଳେ ଶିଶୁର ମା’ଟି ଉପରେ ସର୍ବାଧିକ ଚାପ ପଡ଼ିଥାଏ।
ତଥ୍ୟ ଅନୁଯାୟୀ ସାରା ଭାରତରେ ୨୦୧୪ ମସିହା ସୁଦ୍ଧା ୨୦.୪୨ ଲକ୍ଷ ଶିଶୁ ଦିବ୍ୟାଙ୍ଗଜନ ଥିବାବେଳେ ଏଥିରେ ୭୧% ଶିଶୁ ଗ୍ରାମାଂଚଳରେ ହିଁ ଅଛନ୍ତି। ମୋଟ୍ ଶିଶୁମାନଙ୍କ ମଧ୍ୟରୁ ପାଖାପାଖି ୧.୪୯ ଲକ୍ଷ ଶିଶୁଙ୍କର ଏକାଧିକ ଭିନ୍ନକ୍ଷମତା ଅଛି। ୨୦୦୧ରୁ ୨୦୨୧ ମଧ୍ୟରେ ଦିବ୍ୟାଙ୍ଗଜନ ଶିଶୁଙ୍କ ସଂଖ୍ୟାରେ ପାଖାପାଖି ୨୧ ଭାଗ ବୃଦ୍ଧି ହୋଇଛି। ଏହି ଶିଶୁମାନଙ୍କର ମା’ମାନଙ୍କର ମାନସିକ କଷଣ, ସାମାଜିକ ଶୋଷଣର ବିଷୟବସ୍ତୁ ଅନେକ ସମୟରେ ଅନାଲୋଚିତ ଏବଂ ଅପ୍ରକାଶ୍ୟ ହୋଇ ରହିଥାଏ।
ପରିବାର ଭିତରେ ମହିଳାର ଅଧିକାର ଅନେକ ସମୟରେ ପୂର୍ବରୁ ବେଶ୍ ସଂକୁଚିତ ହୋଇଥାଏ। ଜଣେ ମାନସିକ ଭିନ୍ନକ୍ଷମ ସନ୍ତାନ ଜନ୍ମକଲା ପରେ ତାହାର ଅଧିକାର ଆହୁରି ସଂକୁଚିତ ହୋଇଯାଇଥାଏ। ଅନେକ ସମୟରେ ଜଣେ ଦିବ୍ୟାଙ୍ଗଜନ ଶିଶୁ ଜନ୍ମ କରିଥିବାରୁ ତାକୁ ଅନେକ ଟାହି ଟାପରାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କେତେବେଳେ ତାହାର ଚରିତ୍ରକୁ ନେଇ ସଂଦେହ କରାଯାଇଥାଏ ତ ଆଉ କେତେବେଳେ ତାହାର ବାପଘରର ଗୁଣସୂତ୍ରକୁ ନେଇ ତାକୁ ଦୋଷ ଦିଆଯାଇଥାଏ। ଜଣେ ଭିନ୍ନକ୍ଷମ ଶିଶୁଟିଏ ଜନ୍ମକଲା ପରେ ସ୍ତ୍ରୀ ଲୋକଟି ଅନେକ ସମୟରେ ନିଜର ସ୍ୱାଧୀନତା ହରାଇବସେ। ସ୍ୱାମୀ ସହ ସାହି ପଡ଼ିଶା ଲୋକଙ୍କ ଘରକୁ ବିଭିନ୍ନ ପର୍ବପର୍ବାଣୀରେ ଯିବା ଆସିବା କରିବା ହେଉ କିମ୍ବା ବଜାର ବୁଲିଯିବା ହେଉ ଏସବୁରେ ଅନେକ ସମୟରେ ପୂର୍ଣ୍ଣଚ୍ଛେଦ ପଡ଼ିଥାଏ। ସାମଜିକ ଲିଙ୍ଗଗତ ବିଭେଦତା କାରଣରୁ ମହିଳା ଜଣଙ୍କ ଏ ନେଇ ନା ପ୍ରତିବାଦ କରିପାରନ୍ତି ନା ଏପ୍ରକାର ମାନସିକ ନିର୍ଯାତନାରୁ ବାହାରିବାର ବାଟ ବାହାର କରିପାରନ୍ତି। ବରଂ ଚୁପ୍ ଚାପ୍ ଏହି ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ଚଳିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି।
ଜଣେ ଦିବ୍ୟାଙ୍ଗ ଶିଶୁର ଜନ୍ମନେଇ ଯଦିଓ ପରିବାରର ସମସ୍ତ ସଦସ୍ୟ ଚିନ୍ତିତ ଥାଆନ୍ତି ଏବଂ ଭବିଷ୍ୟତକୁ ନେଇ ଆଶଙ୍କିତ ଥାଆନ୍ତି ତେବେ ସେହି ଦିବ୍ୟାଙ୍ଗ ଶିଶୁର ସେବା ଯତ୍ନ କରିବାର ସମସ୍ତ ଦାୟିତ୍ୱ ତାର ମା’ ଉପରେ ପଡ଼ିଥାଏ। ଶିଶୁଟିର ଉପଯୁକ୍ତଭାବେ ଲାଳନପାଳନ କରିବା, ତାହାର ଦୈନନ୍ଦିନ ନିତ୍ୟକର୍ମରେ ତାକୁ ସାହାଯ୍ୟ କରିବା ଏବଂ ତାକୁ ବିଭିନ୍ନ ପ୍ରକାର ଜୀବନବଂଚିବା କୌଶଳ ଶିକ୍ଷାଦେବା ଆଦି କାମର ଭାର ମା’ ଉପରେ ପଡ଼ିଥାଏ। ଏହା ବାଦ୍ ତାକୁ ଘରର ଯାବତୀୟ ଅନ୍ୟାନ୍ୟ କାମ ଯଥା ଘର ସଫା କରିବା, ଲୁଗା ସଫା କରିବା, ପାଣି ଆଣିବା, ରୋଷେଇ କରିବା ଅନ୍ୟ ସନ୍ତାନମାନଙ୍କର ଯତ୍ନ ନେବା ସହ ଭିନ୍ନକ୍ଷମ ଶିଶୁକୁ ନେଇ ଡାକ୍ତରଖାନା ଯାଏ ଦୌଡ଼ିବାକୁ ହୋଇଥାଏ। ଏଥିଯୋଗୁଁ ତାହା ଉପରେ ଯେଉଁ ଅତିରିକ୍ତ ଚାପ ସୃଷ୍ଟି ହୋଇଥାଏ ତାହା ସତରେ ଅବର୍ଣ୍ଣନୀୟ। ଏପରି ପରିସ୍ଥିତିରେ ମା’ ଜଣଙ୍କ ନିଜ ଭାଗ୍ୟକୁ ନିନ୍ଦିବା ସହ ଜନ୍ମ କରିଥିବା କୋମଳମତି ଶିଶୁ ଉପରେ ନିଜ ଅନିଚ୍ଛା ସତ୍ତ୍ୱେ ରାଗ କରିବା ବେଶ୍ ସ୍ୱାଭାବିକ ବୋଲି ପ୍ରତୀୟମାନ ହୋଇଥାଏ।
ମାନସିକ ଭିନ୍ନକ୍ଷମତାକୁ ଏଡ଼ାଇଯିବା ଅସମ୍ଭବ ମନେହୁଏ। ଅନେକ କ୍ଷେତ୍ରରେ ଏପରି ବିଲକ୍ଷଣତାରେ ପୀଡ଼ିତ ଶିଶୁର ଚିକିତ୍ସା ବିଭିନ୍ନ କାରଣ ପାଇଁ ସମ୍ଭବ ହୋଇନଥାଏ। କେତେବେଳେ ଦାରିଦ୍ର୍ୟ ହେଉ ତ ଆଉ କେତେବେଳେ ଶିକ୍ଷାର ଅଭାବ, ପୁଣି କେତେବେଳେ ସୁବିଧା ସୁଯୋଗର ଅଭାବ ତ ଆଉ କେତେବେଳେ ସମୟର ଅଭାବ ଯୋଗୁଁ ଅନେକ ସମୟରେ ଶିଶୁଟି ଆବଶ୍ୟକୀୟ ମାନସିକ ଚିକିତ୍ସା ପାଇବାରେ ବିଫଳ ହୋଇଥାଏ। ପୁଣି ଅଟିଜିମ୍, ଆଟେନସନ ଡେଫସିଟ୍ ହାଇପର ଆକ୍ଟିଭ୍ ଡିଜଅର୍ଡର କିମ୍ବା ଆଟେନସନ ଡେଫସିଟ୍ ଡିଜଅର୍ଡର ପରି ବିଲକ୍ଷଣତାରେ ପୀଡିତ ଶିଶୁମାନଙ୍କ ପାଖରେ ଏହି ବିଲକ୍ଷଣତାରୁ ବାହାରି ଆସିବାର ସୁଯୋଗ ବହୁତ କମ୍ ଥାଏ। ଅନେକ କ୍ଷେତ୍ରରେ ତ ଶିଶୁମାନେ ଏକ ନିର୍ଦ୍ଦିଷ୍ଟ ବୟସ ପାର କଲା ପରେ ଏହି ରୋଗର ଚିକିତ୍ସାରେ ଉନ୍ନତିର ହାର କମି କମି ଆସେ। ଏପରି କ୍ଷେତ୍ରରେ ମା’ ମାନଙ୍କ ଉପରେ ଶିଶୁର ସମସ୍ତ କାମ ଲଦି ହୋଇପଡ଼େ। ପୁଣି ଭିନ୍ନକ୍ଷମ ଶିଶୁଟି ଝିଅଟିଏ ହୋଇଥିଲେ ତାହାର ସାମାଜିକ ସୁରକ୍ଷା ଏବଂ ଯୌନଗତ ସ୍ୱାସ୍ଥ୍ୟପାଇଁ ମା’କୁ ଅଲଗା ଭାବେ ପ୍ରସ୍ତୁତି ଓ ବ୍ୟବସ୍ଥା କରିବାକୁ ହୋଇଥାଏ।
ଆମ ସମାଜର ସଂରଚନା ଏପରି ଯେ ଏଠାରେ ସବୁକ୍ଷେତ୍ରରେ ସବୁ ପ୍ରସଙ୍ଗରେ ନାରୀର ମୁଣ୍ଡରେ ସହଜରେ ଦୋଷ ଲଦି ଦିଆଯାଇପାରେ। କିଛି ଗୋଟିଏ ପ୍ରସଙ୍ଗକୁ ଆଳ କରି ନାରୀର ସ୍ୱାଧୀନତାକୁ ଅବରୋଧ କରିବା ସହଜ ହୋଇଯାଏ। ତେବେ ଏପରି କ୍ଷେତ୍ରରେ କୌଣସି ଗୋଟିଏ ବି ସମସ୍ୟାର ସମାଧାନ ହୋଇପାରେ ନାହିଁ। ଏହି କ୍ଷେତ୍ରରେ ଯେହେତୁ ନାରୀ ଉଭୟ ଭୁକ୍ତଭୋଗୀ ଏବଂ ସେବା ପ୍ରଦାନକାରୀ ତେବେ ତାକୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେଲେ ହିଁ ଭିନ୍ନକ୍ଷମ ଶିଶୁ ଜଣଙ୍କ ଆବଶ୍ୟକ କରୁଥିବା ସେବା ଏବଂ ସୁବିଧା ପାଇପାରିବ।
ତେବେ ଭିନ୍ନକ୍ଷମ ସନ୍ତାନର ମା’ମାନଙ୍କ ପାଇଁ ସରକାରୀ ସ୍ତରରେ ସହାୟକ ଭତ୍ତା, ଶିଶୁ ଯତ୍ନ ପାଇଁ ତାଲିମ୍, ଜୀବିକା ଅର୍ଜନ କ୍ଷେତ୍ରରେ ସମୟ ରିହାତି ଦେବା, ଘରୁ କାମ କରିବା ପାଇଁ ସୁଯୋଗ ଦେବା ସହ ସେମାନଙ୍କ ପାଇଁ ପାରିବାରିକ ଏବଂ ଗୋଷ୍ଠୀ ସ୍ତରରେ ଅଧିକ ମାନସିକ ସମର୍ଥନ ଦରକାର। ଭିନ୍ନକ୍ଷମ ସନ୍ତାନ ଜନ୍ମ କରୁଥିବା ମହିଳା ଜଣଙ୍କ ନିଜକୁ ଅଭାଗା ମନେ ନକରି ଯେପରି ଆନନ୍ଦ ଏବଂ ଶାନ୍ତିର ସହ ସମାଜରେ ଏକ ମର୍ଯ୍ୟାଦାଜନକ ଜୀବନ ବଂଚିପାରିବ ତାହା ନେଇ ଆମେ ସମସ୍ତେ ଚେଷ୍ଟା କଲେ ଅନେକଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆସିପାରିବ।
ଧବଳଗିରି, ଯାଜପୁର ରୋଡ
ଫୋ- ୭୯୭୮୬୭୧୭୭୬