ଡ଼ଃ ରୀନା ରାଉତରାୟ
ପୁଣି ଏକ ନିର୍ଭୟା ଘଟଣାର ପୁନରାବୃତ୍ତିରେ ସ୍ତବ୍ଧ ଆଜି ସମଗ୍ର ଦେଶ।
ଏଥରର ଘଟଣା ନିର୍ଭୟା ଦୁର୍ଘଟଣାଠାରୁ ଆହୁରି ଭୟଙ୍କର, କାରଣ ମେଡିକାଲରେ କର୍ତ୍ତବ୍ୟରତା ଡାକ୍ତରୀ ଛାତ୍ରୀ ରୋଗୀ ସେବା ପାଇଁ ରାତି ଡ୍ୟୁଟି ସାରି ହସ୍ପିଟାଲ ମଧ୍ୟରେ ବିଶ୍ରାମ ନେବା ଅବସ୍ଥାରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛନ୍ତି।
ଯେଉଁ ହସ୍ପିଟାଲରେ ଲକ୍ଷଲକ୍ଷ ରୋଗୀ ଜୀବନଦାନ ପାଉଛନ୍ତି ସେହି ପବିତ୍ର ଗୃହରେ ମାନବର ଜୀବନ ବଞ୍ଚାଉଥିବା ଜଣେ ଜୀବନ୍ତ ଦେବୀ ଅତି ଅମାନବିକ, ବର୍ବର ହତ୍ୟାର ଶିକାର ହୋଇଛନ୍ତି।
ଦୋଷ କାହାର? କୌଣସି ଏକ ବ୍ୟକ୍ତି, ସାମୂହିକ ଗୋଷ୍ଠୀ ନା ବ୍ୟବସ୍ଥାର ନା ପାରିପାର୍ଶ୍ୱିକ ପରିବେଶର ନା ବିକୃତ ମାନସିକତାର?
ଏ ନେଇ ବାରମ୍ୱାର ଅନେକ ତର୍କ ବିତର୍କ ହୋଇ ଏହାର ଅନେକ ଗୁଡ଼ିଏ କାରଣ ଦାୟୀ ରହିଥିବାର ନିର୍ଯ୍ୟାସ ହୋଇଛି, କିନ୍ତୁ ଏହା ମଧ୍ୟରୁ କିଛି ମୁଖ୍ୟ କାରଣକୁ ଆମେ ଜାଣି ମଧ୍ୟ ଅଣଦେଖା କରି ଆସୁଛୁ।
ନ୍ୟାସନାଲ କ୍ରାଇମ୍ ରିପୋର୍ଟ ଅନୁସାରେ ଗତ ୨୦୨୨ ମସିହାରେ ଦେଶରେ ୩୧,୦୦୦ରୁ ଅଧିକ ଧର୍ଷଣ ମାମଲା ଥାନାରେ ଅଭିଯୋଗ ଥିବାର ରିପୋର୍ଟ ଅଛି।
ପ୍ରତ୍ୟେକ ଦିନ ଅନ୍ୟୁନ ହାରାହାରି ୮୬ଟି ଘଟଣା ଘଟୁଛି। ପ୍ରତି ୧୫ ମିନିଟରେ ଗୋଟିଏ ଧର୍ଷଣଜନିତ ଘଟଣା ଘଟି ଚାଲୁଛି।
ଏଥି ସହିତ ଆହୁରି ଅନେକ କୋମଳମତି କିଶୋରୀ ବିଭିନ୍ନ ପ୍ରଲୋଭନ, ଠକାମୀ ଓ ଧର୍ଷଣର ଶିକାର ହୋଇ ସାମାଜିକ ଲଜ୍ଜ୍ୟା ବା ବାସନ୍ଦର ଭୟରେ ଏହାକୁ ପ୍ରକାଶ କରିନଥାନ୍ତି। ଅନେକ କ୍ଷେତ୍ରରେ ସେମାନେ ବିଚାର ବ୍ୟବସ୍ଥାରୁ ନ୍ୟାୟ ନ ପାଇ ଅସହାୟ ହୋଇ ଆତ୍ମହତ୍ୟାର ମାର୍ଗ ଆପଣାଇ ନେଇଛନ୍ତି।
ଏବେ ଆସିବା ଏହି ଅମାନୁଷିକ, ହୃଦୟବିଦାରକ ଅପରାଧିକ ଧାରା ପଛରେ ରହିଥିବା ପ୍ରମୁଖ କାରଣ ଗୁଡ଼ିକୁ।
ପ୍ରଥମତଃ କାର୍ଯ୍ୟସ୍ଥଳୀରେ ମହିଳା କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଆମ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି।
ଯେଉଁ ସବୁ କ୍ଷେତ୍ରରେ ରାତିରେ ମହିଳା କର୍ମଚାରୀ କର୍ତ୍ତବ୍ୟରତା ରହୁଛନ୍ତି ସେମାନଙ୍କ ପାଇଁ ଏକ ସୁରକ୍ଷିତ ବିଶ୍ରାମ ଗୃହ ଏକାନ୍ତ ଅପରିହାର୍ଯ୍ୟ। ସିସି ଟିଭି କ୍ୟାମେରା ସହିତ ଅପାତକାଳୀନ ସାଇରନ୍ ଏବଂ ଅଫିସ/ମେଡିକାଲ କରିଡର ମଧ୍ୟରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା ଜରୁରୀ ଥିଲେ ମଧ୍ୟ ପ୍ରାୟତଃ କୌଣସି କାର୍ଯ୍ୟସ୍ଥଳୀରେ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ।
ମହିଳା କର୍ମଚାରୀଙ୍କ ସୁରକ୍ଷାରେ ସାମାନ୍ୟ ତ୍ରୁଟିକୁ ମଧ୍ୟ ଅଣଦେଖା କରିବା ଉଚିତ୍ ନୁହେଁ କିମ୍ଵା ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡାଦେଶରେ ବିଳମ୍ବ କିମ୍ଵା କୋହଳ କରାଯିବା ଉଚିତ୍ ନୁହେଁ।
ଗୋଟିଏ ଦୁଇଟି ଘଟଣା ନୁହେଁ, ପ୍ରତ୍ୟେକ ଦିନ ଏହି ଭଳି ଅମାନୁଷିକ ଘଟଣା ଘଟୁଛି ଯାହା ଅନେକ ସମୟରେ ଆମର ଆଖି ଆଢ଼ୁଆଳରେ ରହି ଯାଉଛି। ଏ ପ୍ରକାର ହୀନ ଓ କୁତ୍ସିତ ମାନସିକତାକୁ କେବଳ ତ୍ୱରିତ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ନିୟନ୍ତ୍ରଣକୁ ଅଣାଯାଇପାରେ।
ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଆମ ଆଇନ୍ ଖୁବ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କଲାବେଳେ ଅନେକ ଗଳା ବାଟ ବାହାରି ଯାଏ, ଯାହାକୁ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ୍।
ନିର୍ଭୟା ପରି ଲୋମହର୍ଷକାରୀ ଘଟଣାକୁ ଦୀର୍ଘ ସାତ ବର୍ଷ ପରେ ନ୍ୟାୟ ମିଳିଲା କାହିକିଁ? ଏହି ବିଳମ୍ବିତ ନ୍ୟାୟ ଅପରାଧୀ ଓ ଅପରାଧ ପ୍ରବଣ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବାରେ ପରୋକ୍ଷ ଭାବରେ ସାହାଯ୍ୟ କରୁନାହିଁ କି?
ଆମ ଦେଶର ୩୦ଟି ରାଜ୍ୟରେ ମୋଟ ୭୫୫ଟି ଫାଷ୍ଟ ଟ୍ରାକ କୋର୍ଟ ଏବଂ ୪୧୦ଟି ପୋକ୍ସୋ କୋର୍ଟ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏହିପରି ଜଘନ୍ୟ ଅପରାଧରେ ତୁରନ୍ତ ଦଣ୍ଡ ବ୍ୟବସ୍ଥାରେ ଅସୁବିଧା କେଉଁଠି?
ଏହାର ଏକ ପ୍ରମୁଖ କାରଣ ହେଲା, ଧର୍ଷଣ ମାମଲାରେ ପ୍ରଥମ ୪୮ ଘଣ୍ଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ୪୮ ଘଣ୍ଟା ମଧ୍ୟରେ ପୋଲିସ ନିରପେକ୍ଷ ଭାବରେ ଯାଞ୍ଚ କରି ଡାକ୍ତରୀ ମାଇନା ରିପୋର୍ଟ ସହିତ ସମସ୍ତ ଆନୁଷଙ୍ଗିକ ପ୍ରମାଣ ସଂଗ୍ରହ ନ କଲେ ପରବର୍ତ୍ତୀ ସମୟରେ କେଶଟି ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯାଏ, ଫଳତଃ ଏହି ଜଘନ୍ୟ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଯାଏ।
ପରିସଂଖ୍ୟାନ ଅନୁଯାୟୀ ଏହିପରି ପ୍ରତି ଚାରୋଟି କେଶରୁ ତିନୋଟି କେଶରେ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇ ଯାଉଛନ୍ତି। ଯେଉଁଥିପାଇଁ କେବଳ ଜାତୀୟ ସ୍ତରରେ ନୁହେଁ ଆମ ରାଜ୍ୟରେ ମଧ୍ୟ ପରୀ, ମମିତା ଓ କୁନ୍ଦୁଲି ପରି ଅନେକ ଏହିପରି ଅମାନବୀୟ ଦୁଷ୍କର୍ମ ଘଟଣାର ନ୍ୟାୟ ପାଇଁ ଆଜି ବି ଅପେକ୍ଷାରତ।
କୁହାଯାଏ, ଓଷଦଠାରୁ ରୋଗ ନିରୋଧ ଭଲ। ଘଟଣା ଘଟିଗଲା ପରେ ଟିଭି ମିଡିଆ ଆଗରେ ନିଜର ଉତ୍ତରଦାୟିତ୍ୱରୁ ମୁକ୍ତ ହେବା ପାଇଁ ସମବେଦନା ଓ ସଫେଇ ରଖିବା ଅପେକ୍ଷା ଆଗକୁ କିପରି ଏହି ପରି ଦୁର୍ଘଟଣା ନ ଘଟିବ ସେଥିପାଇଁ ଦେଶର ମଙ୍ଗୁଆଳ ଓ ନୀତି ନିର୍ଦ୍ଧାରକମାନେ ଆଇନ ଓ ବ୍ୟବସ୍ଥାରେ ରହିଥିବା ଦୁର୍ବଳତା ଓ ଅନିୟିମତାକୁ ଦୃଷ୍ଟି ଦେଇ ବ୍ୟାପକ ସୁଧାର ଆଣିବା ପାଇଁ ଯତ୍ନବାନ ହେବା ନିହାତି ଆବଶ୍ୟକ।
ଫୋ- ୯୪୩୮୨୭୨୧୫୨
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।