ଅମ୍ବିକା ପ୍ରସାଦ କାନୁନଗୋ
ସଙ୍ଗୀତର ମୂର୍ଚ୍ଛନା ବ୍ୟକ୍ତିର ହୃଦୟତନ୍ତ୍ରୀକୁ ସ୍ପର୍ଶ କରିବା ସହିତ ମନକୁ ଗଭୀର ଭାବେ ପ୍ରଭାବିତ କରିଥାଏ ଏବଂ ସ୍ୱରରେ ଥିବା ମନଛୁଆଁ ଆକର୍ଷଣ ଓ ଅନ୍ତର୍ନିହିତ ଭାବ ବ୍ୟକ୍ତିକୁ ବେଳେ ବେଳେ ଭାବବିହ୍ୱଳ କରିଦିଏ। ମାନସିକ କ୍ଲାନ୍ତି ଦୂର କରିବା ସହିତ ମଣିଷକୁ କିଛି ସମୟ ପାଇଁ ଚାପମୁକ୍ତ ଅବସ୍ଥାକୁ ନେଇ ମନରେ ଶାନ୍ତି ଓ ଆନନ୍ଦ ଭରିଦେବାରେ ସଙ୍ଗୀତର ପ୍ରମୁଖ ଭୂମିକା ରହିଛି। ସର୍ବୋପରି ବିଭିନ୍ନ ମାନସିକ ରୋଗରୁ ଆରୋଗ୍ୟ ଲାଭ କ୍ଷେତ୍ରରେ ସଙ୍ଗୀତ ମହୌଷଧି ଭଳି କାମ କରିଥାଏ।
ସନ୍ଧ୍ୟାରେ ଗାଁ ମନ୍ଦିର, ଗ୍ରାମ ଦେବତୀ ଓ ଭାଗବତ ଘରେ ବାଜୁଥିବା ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନିର ତରଙ୍ଗ କାନରେ ବାଜିଲେ ଦିନ ଯାକର କ୍ଳାନ୍ତି କେବଳ ମେଣ୍ଟେ ନାହିଁ, ଭାରାକ୍ରାନ୍ତ ମନକୁ ମଧ୍ୟ ହାଲକା କରିଦିଏ। ମନରେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଚେତନା ଭରିଦିଏ। ସେଇଥିପାଇଁ ବୋଧେ ଆଦିମ କାଳରୁ ପୂର୍ବ ପୁରୁଷମାନେ ସକାଳେ ସନ୍ଧ୍ୟାରେ ଦେବାଳୟ ମାନଙ୍କରେ ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନିର ବ୍ୟବସ୍ଥାର ପ୍ରଚଳନ କରିଆସିଛନ୍ତି।
ଆମେ, ବିଶେଷକରି ସହରୀ ଜୀବନରେ ଏବେ ସେହି ପରମ୍ପରାକୁ ପାଶୋରି ଯାଇଛୁ। କିଛି ଗାଁରେ ଏହି ପରମ୍ପରା ଏବେବି ଚାଲିଛି। ସହରୀ ଜୀବନରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ସହରୀ ଚଳଣିରେ ଦିନସାରା କ୍ଳାନ୍ତ ହୋଇ ଅଫିସରୁ କିମ୍ବା କର୍ମସ୍ଥଳିରୁ ଫେରିବା ପରେ କ୍ଳାନ୍ତ ମେଣ୍ଟାଇବା ପାଇଁ ଆମେ ଟିଭି ଖୋଲି ବସିଯାଉଛୁ। ଯାହା ଶରୀର ପାଇଁ କେବେ ବି ଲାଭଦାୟକ ନୁହେଁ ବୋଲି ଡାକ୍ତରମାନଙ୍କ ମତ।
ଆପଣ ମାନଙ୍କ ଅନୁଭବ
ଅନେକ ଅନୁଭବ କରିଥିବେ ଯେ, ସକାଳୁ ବିଛଣା ଛାଡ଼ିଲା ବେଳକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ, ମହାମନ୍ତ୍ର, ଗଣେଶଙ୍କ ବନ୍ଦନା, ଗାୟତ୍ରୀ ମନ୍ତ୍ର, ଭଜନ କୀର୍ତ୍ତନ ଆଦି ଯଦି ଘରେ ଥିବା ଟିଭି, ରେଡ଼ିଓ କିମ୍ବା ସାଉଣ୍ଡ ବକ୍ସରେ ବାଜୁଥାଏ ତାହା ମନ ଭିତରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ସହ ମନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ସେହି ଦିନଟି ଭଲରେ କଟିଥିବାର ଅନୁଭବ ଅନେକଙ୍କର ରହିଛି।
ମସ୍ତିଷ୍କ ସ୍ନାୟୁକୋଷ ସହ ଶିରା ପ୍ରଶିରା ସଂଲଗ୍ନ
ସାଧାରଣତଃ ମଣିଷ ଶରୀରରେ ଯେତେ ଶିରା ପ୍ରଶିରା ରହିଛି ତାହା ମସ୍ତିଷ୍କରେ ଥିବା ସ୍ନାୟୁକୋଷ ସହ ସଂଲଗ୍ନ ଓ ନିୟନ୍ତ୍ରତ୍ରଣାଧୀନ। ଯେତେବେଳେ ସ୍ନାୟୁକୋଷ ନିଷ୍କ୍ରିୟ କିମ୍ବା ଦୁର୍ବଳ ହୋଇପଡ଼େ ସେତେବେଳେ ଶରୀରରେ କେତେକ ସମସ୍ୟା ସୃଷ୍ଟିହୁଏ ଏବଂ ଚିକିତ୍ସା ଆବଶ୍ୟକ ହୋଇପଡ଼େ। ଡାକ୍ତରମାନଙ୍କ ମତରେ ଶରୀରର ସମସ୍ତ ନିୟନ୍ତ୍ରଣ ମସ୍ତିଷ୍କରେ ରହିଛି।
ଶବ୍ଦତରଙ୍ଗ କିପରି କାମ କରେ
ଜଣେ ଗୀତ ବୋଲିଲାବେଳେ କିମ୍ବା ଟିଭି, ରେଡ଼ିଓ କିମ୍ବା ମାଇକରେ ସଙ୍ଗୀତ ବାଜିବାବେଳେ ସେହି ଶବ୍ଦ ବାୟୁମଣ୍ଡଳ ବା ଇଥରରେ ଏକ ତରଙ୍ଗ ସୃଷ୍ଟିକରେ। ଏହି ତରଙ୍ଗବାୟୁ ମଣ୍ଡଳରେ ବୃତ୍ତାକାର ଆକାର ଧାରଣ କରି କ୍ରମେ ସମ୍ପ୍ରସାରିତ ହୋଇ ଚାଲେ। ଏହି ଶବ୍ଦତରଙ୍ଗ ଯେତେବେଳେ ବ୍ୟକ୍ତିର ଶ୍ରବଣେନ୍ଦ୍ରୀୟକୁ ସ୍ପର୍ଶକରେ ସେତେବେଳେ ଶ୍ରବଣେନ୍ଧ୍ରୀୟ ବା କାନର ଗହ୍ୱରରେ ଥିବା ସୁକ୍ଷ୍ମ ପରଦାରେ ଶବ୍ଦତରଙ୍ଗ ଆଘାତକରେ ଏବଂ ସେହି ଶବ୍ଦତରଙ୍ଗ କ୍ରମେ କ୍ରିୟାଶୀଳ ହୋଇ ମସ୍ତିଷ୍କର ସ୍ନାୟୁରେ ସୂକ୍ଷ୍ମ ଆଘାତ ଦେଇଥାଏ। ସେହି ପ୍ରକ୍ରିୟା ମସ୍ତିକରେ ଥିବା ସ୍ନାୟୁକୋଷ ଗୁଡ଼ିକୁ ସକ୍ରୀୟ କରେ, ଫଳରେ ସ୍ନାୟୁକୋଷ ସହିତ ଯୋଡ଼ି ହୋଇଥିବା ଶିରା ପ୍ରଶିରା ଗୁଡ଼ିକ କ୍ରମେ କ୍ରିୟାଶୀଳ ହେବା ସହିତ ପୂର୍ବଭଳି କାର୍ଯ୍ୟକରିବା ଆରମ୍ଭ କରିଦିଏ। ଫଳରେ ସ୍ନାୟୁ ସର୍ମ୍ପକୀତ ପିଡ଼ିତ କେତେକ ରୋଗରୁ ରୋଗୀକୁ ଉପଶମ ମିଳିଥାଏ ଏବଂ ବ୍ୟକ୍ତିର ମାନସିକ ପ୍ରକ୍ରିୟାରେ ପରିବର୍ତ୍ତନ ଘଟେ। ମନ ଉତ୍ଫୁଲ୍ଲିତ ହୋଇଉଠେ।
ସଙ୍ଗୀତର ସାତ ସୁରେ ଜୀବନ ବନ୍ଧା
ଗବେଷକମାନଙ୍କ ମତରେ ସଙ୍ଗୀତର ସାତ ସୁର - ସାରେଗାମାପାଧାନି- ମଧ୍ୟରୁ ପ୍ରତି ସୁରର ପ୍ରଭାବ ମଣିଷର ମନ ଓ ସ୍ନାୟୁ ଉପରେ ରହିଛି। ମନୋବ୍ୟାଧି ଚିକିତ୍ସା ବିଶେଷଜ୍ଞ ତଥା ଗବେଷକ ମାଇକେଲ ହେଡ଼ରିକଙ୍କ ମତରେ ନିୟମିତ ଭାବେ ନିଜ ପସନ୍ଦର ଗୀତ ଶୁଣିଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବୃଦ୍ଧି ହେବା ସହିତ ସ୍ମରଣଶକ୍ତି ମଧ୍ୟ ବୃଦ୍ଧିଘଟିଥାଏ। ସଙ୍ଗୀତର ତରଙ୍ଗ ବୟସ୍କ ବ୍ୟକ୍ତି, ବାର୍ଦ୍ଧକ୍ୟ ଜନିତ ମସ୍ତିଷ୍କ ରୋଗ (ଆଲଝେମିର), ପାର୍କିନ୍ସନ୍ସ ରୋଗ, ଉଚ୍ଚ ରକ୍ତଚାପ, ଆବେଗ ଓ ଉଦବେଗ ଜନିତ ଚାପ ଆଦିରୁ ଭଲ ସୁସ୍ଥ ଅବସ୍ଥାକୁ ଫେରାଇ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି। ଶାସ୍ତ୍ରୀୟ ସଙ୍ଗୀତ ନିୟମିତ ଶୁଣିବା ଦ୍ୱାରା ବ୍ୟକ୍ତିର ଧିଶକ୍ତି ପ୍ରଖର ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି।
ସଙ୍ଗୀତର ପ୍ରକାର ଭେଦ
ସାଧାରଣତଃ ସଙ୍ଗୀତର ପ୍ରକାରଭେଦ ଅନେକ ରହିଛି। ସଙ୍ଗୀତର ପ୍ରତ୍ୟେକର ଧାରା , ଶବ୍ଦର ତରଙ୍ଗ ଓ ଗତି ଭିନ୍ନ ଭିନ୍ନ। ସ୍ୱର ସ୍ନାୟୁକୋଷରେ ନାନା ପ୍ରକାର ତରଙ୍ଗ (ଉନ୍ମାଦନା) ସୃଷ୍ଟିକରେ। ଅନେକଙ୍କ ଅନୁଭବୀ କୁହନ୍ତି ଯେ, ଭକ୍ତିସଙ୍ଗୀତର ସୁର, ମନରେ ତନ୍ମୟତା ଓ ତଲ୍ଲୀନତା ଭାବ ସୃଷ୍ଟି କରିବା ବେଳେ ଦେଶାତ୍ମବୋଧକ ସଙ୍ଗୀତ ମନରେ ବୀରତ୍ୱ ଓ ଦେଶପ୍ରେମର ଭାବ ଜାଗ୍ରତ କରିଥାଏ। ଦୁଃଖ ବା ଦରଦୀ ଭାବର ସଙ୍ଗୀତ ହୃଦୟର ସମସ୍ତ ପ୍ରକାର ଉତ୍ସାହ ଓ ଉଦ୍ଦିପନାକୁ ନିୟନ୍ତ୍ରଣ କରି ମଣିଷକୁ ଭିନ୍ନ ଏକ ଭାବନା ଜଗତକୁ ନେଇଯାଏ। ସେହିପରି ପ୍ରେମ ଓ ପ୍ରଣୟର ସଙ୍ଗୀତ ମନରେ ଏକ କାଳ୍ପନିକ ରେମାଞ୍ଚକର ଭାବ ସୃଷ୍ଟି କରିଥିବା ବେଳେ ମନପସନ୍ଦର ଚଳଚିତ୍ର ଗୀତଟିଏ ଶୁଣିଲେ ମନ ଖୁସି ହୋଇଯାଏ। ସେହିପରି ପାଶ୍ଚାତ୍ୟ ପପ୍ ସଙ୍ଗୀତ ଓ ଜାଜ ସଙ୍ଗୀତର ଶବ୍ଦ ତରଙ୍ଗ ଯୁବଗୋଷ୍ଠୀଙ୍କୁ ଭିନ୍ନ ଏକ ଦୁନିଆକୁ ନେଇଯାଏ ଏବଂ ମନରେ ଉଦ୍ଦାମତା ଭରିଦିଏ। ଏହା ମନକୁ ଚଳଚଞ୍ଚଳ କରେ ଓ ଶରୀର ଶିରାପ୍ରଶିରାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ। ମୋଟାମୋଟି କହିବାକୁ ଗଲେ ସଙ୍ଗୀତକୁ ଜୀବନରୁ ଅଲଗା କରାଯାଇପାରେ ନାହିଁ।
ଗବେଷକଙ୍କ ମତ
ବିଶିଷ୍ଟ ମନସ୍ତତ୍ୱବିତ୍ ତଥା ଗବେଷକ ଏଲିନା ମାନେସଙ୍କ ଅନୁଯାୟୀ ସଙ୍ଗୀତର ପ୍ରଭାବ ମନ ଉପରେ ଅଧିକ। କେବଳ ସଙ୍ଗୀତର ସ୍ୱର ନୁହେଁ, ସଙ୍ଗୀତ ସହ ବ୍ୟବହୃତ ବାଦ୍ୟଯନ୍ତ୍ର ଯଥା ବଂଶୀ, ଗୀଟାର, ପିଆନୋ, ହାରମୋନିୟମ ଆଦିରୁ ଯେଉଁ ଶବ୍ଦ ତରଙ୍ଗ ସୃଷ୍ଟି ହୁଏ, ତାହା ନିୟମିତ ଭବେ ଏକାଗ୍ରତାର ସହିତ ଶୁଣିଲେ ବ୍ୟକ୍ତିର ବୌଦ୍ଧିକ ଶକ୍ତି ଅଧିକ ପ୍ରଖର ହୋଇଥାଏ। ପାଶ୍ଚାତ୍ୟ ଗବେଷକ ମାନେସ୍ କହିଛନ୍ତି ଯେ ହୃଦଘାତ ଫଳରେ ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କରେ କିଛି ସ୍ନାୟୁକୋଷ ଅଚଳ ହୋଇପଡ଼ିଥିଲା। ତେଣୁ ସେ ବାକ୍ଶକ୍ତି ହରାଇଥିଲେ। ମାତ୍ର କିଛିଦିନ ଧରି ନିୟମିତ ପାଶ୍ଚତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ପରେ ସଙ୍ଗୀତର ଶବ୍ଦତରଙ୍ଗ ବାଜି ତାଙ୍କ କ୍ରିୟାଶୂନ୍ୟ ହୋଇପଡ଼ିଥିବା ମସ୍ତିଷ୍କର କିଛି ସ୍ନାୟୁ ସକ୍ରିୟ ହୋଇଥିଲା, ସେ କଥା କହିବାର ଶକ୍ତି ଫେରିପାଇଲେ।
ସଙ୍ଗୀତ ଶରୀରରେ କିପରି କାମକରେ
ପାଶ୍ଚାତ୍ୟ ଗବେଷକ ପ୍ରଫେସର ଡ଼ାନିଆଲ ବେନାର୍ଡ଼ ରାଇମେନଙ୍କ ଗବେଷଣା ଅନୁଯାୟୀ କୌଣସି ସଙ୍ଗୀତର ତରଙ୍ଗ ମଣିଷର ଶ୍ରବଣେନ୍ଦ୍ରୀୟ ବା କାନଗହ୍ୱର ଦେଇ କାନ ପରଦାରେ ସୂକ୍ଷ୍ମ ଆଘାତ ଦେବା ପରେ ସେଥିରୁ ସୃଷ୍ଟି ହେଉଥିବା ଶବ୍ଦତରଙ୍ଗ ମସ୍ତିକର ପ୍ରତିଧ୍ୱନିତ ହୁଏ। ଫଳରେ ଦୁର୍ବଳ କିମ୍ବା ଅଚଳ ହୋଇ ପଡ଼ିଥିବା ସ୍ନାୟୁକୋଷ ଗୁଡ଼ିକ କ୍ରମେ ସଚଳ ହେବାକୁ ଲାଗେ। ସେହି ସ୍ନାୟୁ ସହିତ ସଂଯୁକ୍ତ ଶିରାପ୍ରଶିରାଗୁଡ଼ିକ ପୁର୍ନବାର ସକ୍ରିୟ ହୋଇପଡ଼େ। ଶିରାପ୍ରଶିରା ପୁନଃ କାର୍ଯ୍ୟକ୍ଷମ ହେବା ପରେ ଶରୀରର କେତେକ ପ୍ରକାର ରୋଗରୁ ଆରୋଗ୍ୟଲାଭ କରିବାର ନଜିର ରହିଛି।
ସଙ୍ଗୀତରେ ରହିଛି ବିମୋହିତ କରିବାର ଶକ୍ତି
ସଙ୍ଗୀତରେ ଶକ୍ତି ଅନେକ। ଶିଶୁ, ପଶୁ, ମଣିଷ ଏପରିକି ବିଷଧର ସର୍ପକୁ କିଛି ସମୟ ପାଇଁ ବିମୋହିତ କରି ରଖିବାର କ୍ଷମତା ସଙ୍ଗୀତରେ ରହିଛି। ଗାଁ ଗହଳିରେ ‘ମା’ ମାନେ ଅଝଟ ଛୋଟ ପିଲାମାନଙ୍କୁ ‘ଧୋରେ ବାୟା ଧୋ’ ଗୀତ ଶୁଣାଇ ଶୋଇ ପକାଇ ପାରୁଥିବାବେଳେ, ଗାଈଆଳ ପିଲାର ବଇଁଶୀର ସ୍ୱର ଶୁଣି ବାଟବଣା ଗାଈ କିଛି କ୍ଷଣ ମଧ୍ୟରେ ଗୋଠକୁ ଫେରି ଆସେ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର, ମୋ- ୭୯୭୮୮୭୫୯୦୭