/odisha-reporter/media/post_attachments/uploadimage/library/16_9/16_9_0/IMAGE_1753444459.jpg)
Jagdeep Dhankhar
ରବି ଦାସ
ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଯେଉଁଭଳି ଭାବରେ ମୌସୁମୀ ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ କରିସାରିବା ପରେ ରାତି ୯.୩୦ରେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଉଥିବା ଘୋଷଣା କଲେ ଓ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ତାହା ସାରା ଦେଶବାସୀଙ୍କୁ ଚକିତ କରିଦେଲା। ସେ ଇସ୍ତଫାର ଯେଉଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଲେ ତାହା ପ୍ରକୃତ କାରଣ ନୁହେଁ ବୋଲି ଅତି ସହଜରେ ଅନୁମାନ କରିହେଲା। ତାଙ୍କ ପରି ଜଣେ ଉପରାଷ୍ଟ୍ରପତି ଯିଏକି ମୋଦୀ ସରକାରଙ୍କର ଏକାନ୍ତ ଭକ୍ତ ଭାବରେ କାର୍ଯ୍ୟକରି ବିଭିନ୍ନ ପ୍ରକାର ଭାଷଣ ଓ ମନ୍ତବ୍ୟ ଦେବା ସହିତ ରାଜ୍ୟସଭାରୁ ବିରୋଧୀ ଦଳ ସଦସ୍ୟମାନଙ୍କୁ ବସ୍ତୁତଃ ସେମାନଙ୍କର ବକ୍ତବ୍ୟ ସବୁ ସଂକୁଚିତ କରି ସରକାରୀ ଇଙ୍ଗିତରେ ସବୁକିଛି କରୁଥିଲେ ଓ ଯେଉଁଥିପାଇଁ ଗୋଟିଏ ସମୟରେ ବିରୋଧୀ ରାଜ୍ୟସଭା ସଦସ୍ୟମାନେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, ସେ ବ୍ୟକ୍ତି ହଠାତ୍ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେବା ପଛରେ ଏକ ବଡ଼ ରହସ୍ୟ ରହିଥିବା ସହଜରେ ଅନୁମାନ କରାଯାଇପାରେ।
ସରକାରଙ୍କର ବିଶ୍ୱସ୍ତ ହୋଇ ସେ ରାଜ୍ୟସଭାରୁ ବିରୋଧୀ ଦଳ ସଦସ୍ୟମାନଙ୍କୁ କିପରି ବହିଷ୍କାର କରିଥିଲେ ତାହା କେହି ଭୁଲିନାହାନ୍ତି। ବାସ୍ତବରେ ଅନେକ ପର୍ଯ୍ୟବେକ୍ଷକ ମତ ଦେଉଥିଲେ ଯେ, ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପରି ଏକ ସାମ୍ବିଧାନିକ ପଦବୀରେ ଯାହାସବୁ କରୁଥିଲେ ତାହା ଆଦୌ ଗ୍ରହଣୀୟ ନଥିଲା। ଉପରାଷ୍ଟ୍ରପତି ପଦ ସମ୍ବିଧାନ ଦୃଷ୍ଟିରୁ ଦେଶର ଦ୍ୱିତୀୟ ଉଚ୍ଚ ପଦବୀ ହେଲେ ମଧ୍ୟ ରାଷ୍ଟ୍ରପତି ସକ୍ରିୟ ଥିବା ସମୟରେ ଉପରାଷ୍ଟ୍ରପତିଙ୍କର ମୁଖ୍ୟଦାୟିତ୍ୱ ହେଉଛି ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ତାହା ପରିଚାଳନା କରିବା। ଏପରିକି ଜଣେ ଓକିଲ ଭାବରେ ରହିଥିବା ତାଙ୍କର ଜ୍ଞାନ ଓ ବିବେକକୁ ବ୍ୟବହାର କରି ନ୍ୟାୟପାଳିକା ବିରୋଧରେ ସେ କ୍ରମାଗତ ଭାବରେ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପିତ କରିଥିଲେ। ଏପରିକି ସମ୍ବିଧାନର ମୌଳିକ ଢାଂଚା ସଂକ୍ରାନ୍ତରେ କେଶବାନନ୍ଦ ଭାରତୀ ରାୟକୁ ସେ ସମାଲୋଚନା କରି ସଂସଦ ହିଁ ସର୍ବୋଚ୍ଚ ବୋଲି ମତ ପ୍ରକାଶ କରିଥିଲେ। ତାଙ୍କର ସେହିସବୁ ମନ୍ତବ୍ୟଗୁଡ଼ିକ ସରକାରୀ ମତ ଓ ଦୃଷ୍ଟିଭଙ୍ଗୀକୁ ସୁହାଉଛି ବୋଲି ବିଚାର କରାଯାଉଥିଲା।
ଏପରି ଜଣେ ସରକାରଙ୍କ ପ୍ରତି ଅନୁରକ୍ତ ବ୍ୟକ୍ତି ହଠାତ୍ ଉପରାଷ୍ଟ୍ରପତି ପଦବୀ ସ୍ୱାସ୍ଥ୍ୟଗତ କାରଣରୁ ଛାଡ଼ିଲେ ବୋଲି ବିଶ୍ୱାସ ନହେବା ସ୍ୱାଭାବିକ। କାରଣ ମାତ୍ର କିଛି ଦିନ ତଳେ ଜବାହର୍ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଏକ ଭାଷଣ ପ୍ରସଙ୍ଗରେ ଯଦି କିଛି ଐଶ୍ୱରୀୟ ହସ୍ତକ୍ଷେପ ନଘଟେ ତେବେ ତାଙ୍କର କାର୍ଯ୍ୟକାଳ ୨୦୨୭ ଅଗଷ୍ଟରେ ଶେଷ ହେବା ପରେ ସେ ଅବସର ଗ୍ରହଣ କରିବେ ବୋଲି କହିଥିଲେ। ଭାରତୀୟ ଗଣତନ୍ତ୍ର ଇତିହାସରେ କୌଣସି ଉପରାଷ୍ଟ୍ରପତି ଯେତେବେଳେ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଛନ୍ତି, ସେତେବେଳେ ସେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିବା ଲକ୍ଷ୍ୟରେ ପଦବୀ ଛାଡ଼ିଛନ୍ତି। ହେଲେ ଜଗଦୀପ ଧନଖଡ଼ ଯିଏକି ସରକାରଙ୍କର ଏକାନ୍ତ ଅନୁଗତ ଥିଲେ ବୋଲି ବିଚାର କରାଯାଉଥିଲା ସେ କାହିଁକି ଇସ୍ତଫା ଦେଲେ? ଇସ୍ତଫା ଦେବାପାଇଁ ତାଙ୍କୁ କେଉଁଠାରୁ ନିର୍ଦ୍ଦେଶ ଆସିଲା କି ବୋଲି ପ୍ରଶ୍ନ ବି ଉଠୁଛି। ଉପରାଷ୍ଟ୍ରପତି ହେବା ପୂର୍ବରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ତାଙ୍କର କାର୍ଯ୍ୟକଳାପ ଓ ମମତା ବାନାର୍ଜୀଙ୍କ ସହିତ ସବୁକ୍ଷେତ୍ରରେ ମୁକାବିଲାର ଏକ ବଡ଼ ଇତିହାସ ରହିଛି। ସମ୍ଭବତଃ ସେହି କାରଣରୁ ତାଙ୍କୁ ଉପରାଷ୍ଟ୍ରପତି ଭାବରେ ମୋଦୀ ସରକାର ମନୋନୀତ କରିଥିଲେ। କିନ୍ତୁ ଏହି ବ୍ୟକ୍ତି ଇସ୍ତଫା ଦେବା ସଂକ୍ରାନ୍ତରେ ଘୋଷଣା କରିବା ପରେ ଖୋଦ ପ୍ରଧାନମନ୍ତ୍ରୀ ଏହା ଉପରେ ୧୫ ଘଂଟାକାଳ ନୀରବ ରହି କେବଳ ସେ ଅନେକ ପଦବୀରେ ରହିଥିବା ବିଷୟ ଉଲ୍ଲେଖ କରି ତାଙ୍କର ସ୍ୱାସ୍ଥ୍ୟକାମନା କରି ବାର୍ତାଟିଏ ସାମାଜିକ ଗଣମାଧ୍ୟମରେ ଦେଇଥିଲେ। ଏପରିକି ବିଜେପିର ଓ ସରକାରଙ୍କର ଅନ୍ୟକୌଣସି ପ୍ରମୁଖ ନେତା ତାଙ୍କ ପ୍ରତି ସମବେଦନା ବା ସମର୍ଥନ ଜ୍ଞାପନ କରିନଥିଲେ।
ଏହି କଥାରୁ ହିଁ ଜଣାପଡୁଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ସହିତ ଜଗଦୀପ ଧନଖଡ଼ଙ୍କର ସମ୍ଭବତଃ କିଛିମାସ ହେଲା ଏକପ୍ରକାର ତିକ୍ତତା ସୃଷ୍ଟି ହୋଇଥିଲା। ସେହି ବିଷୟଗୁଡ଼ିକ କ’ଣ ହୋଇପାରେ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ବିଭିନ୍ନ ସୂତ୍ରକୁ ଉଦ୍ଧାର କରି କୁହାଯାଉଛି। କିନ୍ତୁ ଗୋଟିଏ କଥା କୁହାଯାଉଛି ଯେ, ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ସେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବହିଷ୍କାର ସମ୍ପର୍କରେ ବିରୋଧୀ ଦଳ ସଦସ୍ୟମାନଙ୍କ ପକ୍ଷରୁ ଆସିଥିବା ଏକ ନୋଟିସ୍କୁ ଗ୍ରହଣ କରିଥିଲେ। ସେହି ସମୟରେ ବିରୋଧୀମାନଙ୍କ ପକ୍ଷରୁ ଆଲାହାବାଦ୍ ହାଇକୋର୍ଟ ଜଜ୍ ଶେଖର ଯାଦବଙ୍କ ବିରୋଧରେ ପୂର୍ବରୁ ଆସିଥିବା ଆଉ ଏକ ବହିଷ୍କାର ନୋଟିସ୍ର ସ୍ୱାକ୍ଷରରେ ତ୍ରୁଟିଥିବା ଦର୍ଶାଇ ତାହାର ତଦନ୍ତ ପାଇଁ କହିଥିଲେ। କିନ୍ତୁ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଖୋଦ୍ ସରକାରୀ ଦଳ ବହିଷ୍କାର ପ୍ରସ୍ତାବ ପାଇଁ ଲୋକସଭାରେ ବାଚସ୍ପତିଙ୍କୁ ନୋଟିସ୍ ଦେଇଥିବା ବିଷୟରେ ଗୃହରେ ଉପସ୍ଥିତ ଥିବା ଆଇନମନ୍ତ୍ରୀ ଉଲ୍ଳେଖ କରିଥିଲେ ମଧ୍ୟ ବିରୋଧୀମାନଙ୍କ ପକ୍ଷରୁ ରାଜ୍ୟସଭାରେ ଅସିଥିବା ନୋଟିସ୍ରେ ଯେତିକି ସଦସ୍ୟଙ୍କ ସ୍ୱାକ୍ଷର ଆବଶ୍ୟକ ତାହା ହୋଇଥିବାରୁ ତାହାକୁ ଗ୍ରହଣ କରି ସେକ୍ରେଟାରୀ ଜେନେରାଲ୍ ଏହି ସଂକ୍ରାନ୍ତରେ ଲୋକସଭା ସହିତ କଥାବାର୍ତା କରିବାକୁ ସୂଚନା ଦେଇଥିଲେ।
ଏହା ସରକାରୀ ଦଳକୁ ବା ସରକାରଙ୍କୁ ବିରକ୍ତି କରିଥିବା ଦୃଷ୍ଟିରୁ ଅପରାହ୍ନରେ ଗୃହର କାର୍ଯ୍ୟସୂଚୀ ସ୍ଥିର କରିବା ପାଇଁ ଯେଉଁ ବୈଠକ ସେ ଡାକିଥିଲେ ସେହି ବୈଠକକୁ ବିଜେପିର ରାଜ୍ୟସଭା ନେତା ଜେ.ପି ନଡ୍ଡା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜୁ ଆସିନଥିଲେ। କିନ୍ତୁ ଏହି ଗୋଟିଏ କାରଣ ପାଇଁ ସେ ଆହତ ହୋଇ ଇସ୍ତଫା ଦେଇଛନ୍ତି ବୋଲି ମଧ୍ୟ ବିଶ୍ୱାସ କରାଯାଉନାହିଁ। ଆହୁରି କୁହାଯାଉଛି ଯେ, ସେହିଦିନ ଗୃହରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାଡଗେ ଉଠି ନିୟମ ୨୬୭ ଅନୁସାରେ ସେ ସମସ୍ତ ଆଲୋଚନା ବନ୍ଦ କରି ପହେଲଗାମ୍ରେ ସନ୍ତ୍ରାସବାଦୀ ଆକ୍ରମଣ, ଅପରେସନ୍ ସିନ୍ଦୂର ସଂକ୍ରାନ୍ତରେ ଆଲୋଚନା ପାଇଁ ଦାବି କରିଥିଲେ। କେବଳ ସେତିକି ନୁହେଁ ପହେଲଗାମ୍ ସନ୍ତ୍ରାସବାଦୀ ଆକ୍ରମଣ ଘଟଣାରେ ଭାରତର ଗୁଇନ୍ଦା ବ୍ୟବସ୍ଥା ବିଫଳ ହୋଇଥିବା ନେଇ ଜାମ୍ମୁକାଶ୍ମୀରର ଉପରାଜ୍ୟପାଳଙ୍କ ମନ୍ତ୍ରବ୍ୟ ସହିତ ଅପରେସନ୍ ସିନ୍ଦୂର ସମୟରେ ଭାରତର କ’ଣ କ୍ଷତି ଘଟିଛି ସେ ସମ୍ପର୍କରେ ବିଭିନ୍ନ ସେନାବାହିନୀ ଅଧିକାରୀଙ୍କ ମନ୍ତବ୍ୟ ଏବଂ ଭାରତ ପାକିସ୍ତାନ ଭିତରେ ଅସ୍ତ୍ରବିରତି ତାଙ୍କ ମଧ୍ୟସ୍ତତା ଯୋଗୁ ସମ୍ଭବ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତିଙ୍କର ପ୍ରାୟ ୨୪ ଥର ବୟାନ ଆଦି ସଂପର୍କରେ ସେ ଉଲ୍ଲେଖ କରିଥିଲେ। ମାତ୍ର ୫ ମିନିଟ୍ ଭିତରେ ଖାଡ୍ଗେ ସରକାରଙ୍କ ବିରୋଧରେ ଯେଉଁସବୁ ମନ୍ତବ୍ୟ ଦେଲେ ତାହାର ଜବାବ ରଖିବା ପାଇଁ ଧନଖଡ଼ ରାଜ୍ୟସଭାରେ ବିଜେପିର ନେତା ଜେ.ପି ନଡ୍ଡାଙ୍କୁ ଡାକିଥିଲେ। କିନ୍ତୁ ଜେ.ପି ନଡ୍ଡା ସ୍ପଷ୍ଟ ଭାବରେ କହିଥିଲେ ଯେ, କେବଳ ତାଙ୍କରି ମନ୍ତବ୍ୟ ହିଁ ରେକର୍ଡରେ ସ୍ଥାନ ପାଇବ। ଖାଡ୍ଗେଙ୍କର ମନ୍ତବ୍ୟକୁ ବାଦ୍ ଦିଆଯିବ। ହେଲେ ଧନଖଡ଼ ଏହା ଉପରେ କୌଣସି ମନ୍ତବ୍ୟ ଦେଇନଥିଲେ। ରାଜ୍ୟସଭାର ଅଧ୍ୟକ୍ଷଙ୍କ କ୍ଷମତା ଉପରେ ଏହା ଏକ ଆକ୍ରମଣ ବୋଲି ଧନଖଡ଼ ବୋଧେ ଅନୁଭବ କଲେ।
ଏହିସବୁ ଘଟଣା ସହିତ ନ୍ୟାୟପାଳିକା ବିରୋଧରେ ଧନଖଡ଼ ଯେପରି ଭାବରେ ଆକ୍ରମଣ ଅଭିଯାନ ଚଳାଇଛନ୍ତି ତାହା ଦେଶର ଗଣତନ୍ତ୍ର ପାଇଁ ଓ ସରକାରଙ୍କ ପାଇଁ ସୁବିଧାଜନକ ହେବନାହିଁ ବୋଲି ପୂର୍ବତନ ବିଚାରପତି ଏପରିକି ପୂର୍ବତନ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ଅନୁଭବ କରି ସେ ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କୁ ସେମାନଙ୍କ ମତ ଦେଇଥିଲେ। ସେତେବେଳେ ରାଷ୍ଟ୍ରପତି ସେମାନଙ୍କ ମତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିବା ସହିତ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସେହି ଅନୁସାରେ ଏହି ପୂର୍ବତନ ବିଚାରପତିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଉପରାଷ୍ଟ୍ରପତି ଯେଉଁ ଢଙ୍ଗରେ ନ୍ୟାୟପାଳିକା ଉପରେ ଆକ୍ରମଣ ଚଳାଇଛନ୍ତି ତାହା ଅଯଥାରେ ନ୍ୟାୟପାଳିକା ଓ ସରକାର ଭିତରେ ଏକ ମୁକାବିଲା ରାସ୍ତା ଖୋଲିବ ବୋଲି ସୂଚନା ଦେଇଥିଲେ। ଧନଖଡ଼ଙ୍କ ଉପରେ ପ୍ରଧାନମନ୍ତ୍ରୀ ବିରକ୍ତ ହେବାର କିଛି ସୂଚନା ନିଶ୍ଚିନ୍ତ ଭାବରେ ଉପରାଷ୍ଟ୍ରପତିଙ୍କ ପାଖରେ ପହଂଚିଥିଲା। ସମ୍ଭବତଃ ସେହି କାରଣରୁ ଗତ କିଛି ମାସ ହେଲା ସେ ବିରୋଧୀ ଦଳର ନେତାମାନଙ୍କ ସହିତ ସମ୍ପର୍କ ବଢ଼ାଇଥିଲେ। ଏପରିକି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ପ୍ରମୁଖ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ସେ ଡାକି କେତେକ କଥାବାର୍ତା ହୋଇଥିଲେ। ଏହି କଥାବାର୍ତା ପାଇଁ କେଜରିୱାଲ୍ ନିଜ ତରଫରୁ କୌଣସି ସମୟ ମାଗିନଥିଲେ। ସାକ୍ଷାତକାରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପରାମର୍ଶ ଦେଇ କେଜ୍ରିୱାଲ୍ଙ୍କୁ କହିଥିଲେ ଯେ, ସେ ରାଜ୍ୟସଭାକୁ ଆସନ୍ତୁ। କିନ୍ତୁ କେଜ୍ରିୱାଲ୍ କହିଥିଲେ ଯେ, ଦଳର ନିଷ୍ପତି ଅନୁସାରେ ସେ ରାଜ୍ୟସଭାକୁ ଏବେ ଯିବେ ନାହିଁ। କିନ୍ତୁ ଧନଖଡ଼ କହିଥିଲେ ଯେ, ରାଜ୍ୟସଭାକୁ ଆସିଲେ ତାଙ୍କର ପ୍ରତିଷ୍ଠା ବଢ଼ିବ ଏବଂ ସେ ଯେଉଁସବୁ ବିଷୟ ଉତ୍ଥାପନ କରୁଛନ୍ତି ସେଗୁଡ଼ିକର ଜାତୀୟ ମର୍ଯ୍ୟାଦା ବି ବଢ଼ିବ।
ଏହିସବୁ ଘଟଣା ସତ୍ୱେ କେଉଁ କାରଣଟି ଯୋଗୁ ଶେଷ ମୂହୁର୍ତରେ ଜଗଦୀପ ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ପଡ଼ିଲା ତାହା କେହି ବି ସ୍ପଷ୍ଟ ଭାବରେ କହିପାରୁନାହାନ୍ତି। ଗୋଟିଏ କଥା ନିଶ୍ଚିନ୍ତ ଯେ, ବିଜେପି ଓ ଆର୍ଏସ୍ଏସ୍ ବ୍ୟବସ୍ଥାରେ ଜଣେ କେହି ଏହି ବ୍ୟବସ୍ଥାର ବାହାରୁ ଆସିଥିବା ବ୍ୟକ୍ତି ନିଜ ପଦବୀ ରକ୍ଷାକରିବା ବରାବର କଷ୍ଟସାଧ୍ୟ। ଏ କ୍ଷେତ୍ରରେ ସତ୍ୟପାଲ୍ ମଲ୍ଲିକ, ଯଶ୍ବନ୍ତ ସିହ୍ନା ଓ ଅରୁଣ ସୌରୀ ପ୍ରମୁଖଙ୍କ ନାମ ଆଲୋଚିତ ହେଉଛି। ଅବଶ୍ୟ ଏ କ୍ଷେତ୍ରରେ କେବଳ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ପଦବୀକୁ ଏପର୍ଯ୍ୟନ୍ତ ଦୃଢ଼ ରଖିପାରିଛନ୍ତି। ବାସ୍ତବରେ ଦେଖିଲେ ଜଗଦୀପ ଧନଖଡ଼ ପୂର୍ବରୁ ଜନତା ଦଳ ଓ କଂଗ୍ରେସର ସଦସ୍ୟ ଥିଲେ। ବିଜେପିରେ ତାଙ୍କର ଯୋଗଦାନ ୨୦୦୪ ପରେ ହୋଇଛି। ତଥାପି କୌଣସି ପଦପଦବୀରେ ସେ ଦୀର୍ଘ ସମୟ ନଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଥମେ ପଶ୍ଚିମବଙ୍ଗ ରାଜ୍ୟପାଳ କରିଥିଲେ ଓ ସେଠାରେ ମମତାଙ୍କ ସହିତ ତାଙ୍କର ମୁକାବିଲା ବେଶ୍ ପ୍ରଭାବଶାଳୀ ହେବାରୁ ତାଙ୍କୁ ଉପରାଷ୍ଟ୍ରପତି ଭାବରେ ମନୋନୀତ କରାଯାଇଥିଲା। ସେହି ଅନୁସାରେ ଧନଖଡ଼ ଆର୍ଏସ୍ଏସ୍, ମୋଦୀ ଓ ଅମିତ୍ ଶାହଙ୍କୁ ସନ୍ତୁଷ୍ଟ କରିବା ପରି ଅନେକ କାର୍ଯ୍ୟ କରିବା ସହିତ ଜଣେ ଅନୁଗତ ଭକ୍ତ ଭାବରେ କାମ କରି ଉପରାଷ୍ଟ୍ରପତି ପଦବୀର ମର୍ଯ୍ୟାଦା ହାନୀ କରିଥିବାର ଅଭିଯୋଗ ବି ଶୁଣିଥିଲେ।
ଏବେ ଧନଖଡ଼ଙ୍କ ବଦଳରେ କିଏ ଉପରାଷ୍ଟ୍ରପତି ହେବେ ତାହାନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଛି ସେଥିରେ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେପିରୁ ବା ମୋଦୀଙ୍କ ମନୋନୀତ ପ୍ରାର୍ଥୀ ହିଁ ଏହି ଆସନରେ ଅଧିଷ୍ଠିତ ହେବେ। କିନ୍ତୁ ଉପରାଷ୍ଟ୍ରପତି ପଦବୀର ମର୍ଯ୍ୟାଦା ଦୃଷ୍ଟିରୁ ଏହି ପଦବୀରେ ଦଳୀୟ ଗୋଷ୍ଠିଗତ ରାଜନୀତିରୁ ଉର୍ଦ୍ଧ୍ୱରେ ଥିବା ବୌଦ୍ଧିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ସେହି ଆସନରେ ଅଧିଷ୍ଠିତ ହେବା ଜନସାଧାରଣ ଆଶା କରନ୍ତି। ଯେପରି ପ୍ରଥମ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ୍, ଜାକିର୍ ହୁସେନ୍, ହିଦାୟତୋଲ୍ଲାଙ୍କ ପରି ବ୍ୟକ୍ତିବିଶେଷ ସେହି ଆସନରେ ଅଧିଷ୍ଠିତ ହୋଇ ପଦବୀର ମର୍ଯ୍ୟାଦାକୁ ବୃଦ୍ଧି କରିଥିଲେ।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
