Advertisment

ନବ ଦାସ ହତ୍ୟା ମାମଲା- କୋର୍ଟ ଚାହିଁଲେ ସିବିଆଇ ତଦନ୍ତ ହେବ, ନେତା ଚାହିଁଲେ ହେବନାହିଁ

ଜଜ୍ ଯେତେବେଳେ ଚୂଡ଼ାନ୍ତ ନିଷ୍ପତିରେ ପହଂଚି ରାୟ ଘୋଷଣା କରିବେ ସେତେବେଳେ ଯଦି ଏହି ଘଟଣା ତଦନ୍ତରେ ବ୍ୟତିକ୍ରମ ବିଷୟରେ ଓ ମାମଲାରେ କ୍ରାଇମ୍‌ ବ୍ରାଂଚର ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ କରିବେ ବା ଅଦାଲତରେ ଦିଆଯାଉଥିବା ସାକ୍ଷ୍ୟ ଆଧାରରେ ଏଥିରେ ଷଡ଼ଯନ୍ତ୍ର ନେଇ ସ୍ୱତନ୍ତ୍ର ତଦନ୍ତ ବିଷୟରେ ଇଙ୍ଗିତ କରିବେ ତେବେ ଯାଇଁ ମାମଲାର ଷଡ଼ଯନ୍ତ୍ର ସଂକ୍ରାନ୍ତୀୟ ଧାରା ଉପରେ ତଦନ୍ତ ପାଇଁ ପରିବେଶ ସୃଷ୍ଟି ହେବ।

author-image
Debendra Prusty
Naba Das Murder Mystery

Naba Das Murder Mystery

ରବି ଦାସ

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ପ୍ରାୟ ୨ ବର୍ଷ ତଳେ ଜଣେ ପୋଲିସ୍ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳିରେ ହତ୍ୟା ଘଟଣା ସାରା ରାଜ୍ୟରେ ପ୍ରବଳ ଆଲୋଡ଼ନ ସୃଷ୍ଟି କରିଥିଲା। ସାଧାରଣରେ ଏହି ଘଟଣାର ଆଲୋଚନା ଓ ସମାଲୋଚନା ଏପରି ହୋଇଥିଲା ଯେ, ତତ୍କାଳୀନ ରାଜ୍ୟ ସରକାର ମାମଲାର ତଦନ୍ତ ସ୍ୱତନ୍ତ୍ର ଭାବରେ କ୍ରାଇମ ବ୍ରାଂଚଙ୍କୁ ପ୍ରଦାନ କରିଥିଲେ। ଏହି ତଦନ୍ତକାରୀ ଟିମ୍‌ର ମୁଖ୍ୟ ଭାବରେ ସେତେବେଳର କ୍ରାଇମ୍‌ ବ୍ରାଂଚ ଅତିରିକ୍ତ ପୋଲିସ୍ ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କାରଣ ଶ୍ରୀ ବୋଥ୍ରାଙ୍କର ଅପରାଧ ତଦନ୍ତରେ କିଛି ସୁନାମ ଥିଲା, ବିଶେଷ ଭାବରେ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ସେ ଯେଉଁ ତଦନ୍ତ କରିଥିଲେ ସେଥିରେ ତାଙ୍କର କିଛି ସୁଖ୍ୟାତି ହୋଇଥିଲା। ତା’ ଛଡ଼ା ଶ୍ରୀ ବୋଥ୍ରା ପୂର୍ବରୁ ସିବିଆଇରେ ମଧ୍ୟ ଅନେକ ବର୍ଷ କାମ କରିଥିଲେ। ଓଡ଼ିଶାରେ କେତେକ ବିବାଦୀୟ ହତ୍ୟାକାଣ୍ଡରେ ତାଙ୍କ ତଦନ୍ତ ସରକାରଙ୍କୁ ସୁହାଇବା ଢଙ୍ଗରେ ହୋଇଥିବା ବିରୋଧୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରତ୍ୟେକ ତଦନ୍ତ ଘଟଣାରେ ଅଦାଲତମାନେ ତାଙ୍କ ତଦନ୍ତକୁ ପ୍ରଶ୍ନ କରିନଥିଲେ।

Advertisment

ଶ୍ରୀ ବୋଥ୍ରାଙ୍କ ତଦନ୍ତ ସତ୍ତ୍ୱେ ବିବାଦର ଅବସାନ ନ ହେବାରୁ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ହାଇକୋର୍ଟ ମନିଟର୍ କରୁ ବୋଲି ପ୍ରସ୍ତାବ ଦେଇ ରାଜ୍ୟ ସରକାର ଏକ ପତ୍ର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଥିଲେ। କିନ୍ତୁ ହାଇକୋର୍ଟ ନିଜେ ଏହି ତଦନ୍ତ ମନିଟରିଂ ନକରି ଜଣେ ପୂର୍ବତନ ଜଜ୍‌ଙ୍କୁ ଏହା ମନିଟରିଂ କରିବାକୁ ନିଯୁକ୍ତ କରିଥିଲେ। ତଥାପି ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ପାଇଁ ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି ଦାବି କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତରେ ଏଫ୍‌ବିଆଇର ସହାୟତା ନିଆଯିବ ବୋଲି ଏକ ବିବୃତି ଦେଇ ପରିସ୍ଥିତିକୁ ଶାନ୍ତ କରିବାର ଉଦ୍ୟମ କରିଥିଲେ। କିନ୍ତୁ ଏହି ଘଟଣାର ତଦନ୍ତକୁ କ୍ରାଇମ୍‌ ବ୍ରାଂଚ ତ୍ୱରାନ୍ୱିତ କରି ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କର ସେତେବେଳର ଆଇପିସି ଦାରା ୧୬୪ରେ ଜମାଣବନ୍ଦୀ ନେଇଥିଲେ। କେବଳ ସେତିକି ନୁହେଁ ଗୋପାଳ ଦାସ ଯାହା କହୁଛନ୍ତି ତାହାର ସତ୍ୟତା ପରୀକ୍ଷା କରିବା ପାଇଁ ଅହମ୍ମଦାବାଦର ଲାଇ ଡିଟେକ୍ଟସନ୍ କେନ୍ଦ୍ରରେ ଆଧୁନିକ ଉପାୟରେ ତାଙ୍କର ବୟାନ ନିଆଯାଇଥିଲା। ତାହାର ବୟାନ ଶୁଣି କ୍ରାଇମ୍‌ ବ୍ରାଂଚର ହୃଦବୋଧ ହୋଇଥିଲା ଯେ, ନିଜର ବ୍ୟକ୍ତିଗତ ବିବାଦ କାରଣରୁ ନବ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ତାଙ୍କୁ ମାରିଦେବା ପାଇଁ ଯୋଜନା ହେଉଥିବା ଭାବି ଗୋପାଳ ଦାସ ନବ ଦାସଙ୍କୁ ଗୁଳିମାରି ହତ୍ୟା କରିଛନ୍ତି।

ଏହି ମାମଲାରେ କ୍ରାଇମ୍‌ବ୍ରାଂଚ ଗୋପାଳ ଦାସଙ୍କ ବ୍ୟତୀତ ଅନ୍ୟ କାହାରିକୁ ଅଭିଯୁକ୍ତ କରିନାହିଁ। ଏପରିକି ଏହି ହତ୍ୟା ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଥିବାର ପ୍ରମାଣ ବା ସୂଚନା କ୍ରାଇମ୍‌ ବ୍ରାଂଚଙ୍କୁ ମିଳି ନଥିବାରୁ ସେମାନେ କେବଳ ହତ୍ୟା ଅଭିଯୋଗରେ ଗୋପାଳ ଦାସଙ୍କୁ ଅଭିଯୁକ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ। ଏହି ଚାର୍ଜସିଟ୍‌ରେ କ୍ରାଇମ୍‌ ବ୍ରାଂଚ ତଥ୍ୟ ସଂଗ୍ରହ କଲାବେଳେ ଡିଏନ୍‌ଏ ବିଶ୍ଳେଷଣ ସହିତ ଫରେନ୍ସିକ୍ ରିପୋର୍ଟ ପ୍ରଭୃତି ଆଧୁନିକ ସାକ୍ଷ୍ୟ ପ୍ରମାଣ ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କର ସାକ୍ଷ୍ୟ ଲିପିବଦ୍ଧ କରି ଯେପରି ଭାବେ ଚାର୍ଜସିଟ୍ ଦେଇଛନ୍ତି ସେଥିରେ ଅଭିଯୁକ୍ତ ଖସିଯାଇ ପାରିବନାହିଁ ବୋଲି ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ଏହି ଚାର୍ଜସିଟ୍ ଭିତ୍ତିରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଚାର୍ଜଫ୍ରେମ୍ କରି ବିଚାର ପ୍ରକ୍ରିୟା ଚଳାଇଛନ୍ତି। ଏଥିରେ ସାକ୍ଷ୍ୟ ଦେବା ପ୍ରକ୍ରିୟା ଚାଲିଛି।

Advertisment

ଏହି ଅବସ୍ଥାରେ ମାମଲାର ସାନି ସିବିଆଇ ତଦନ୍ତ ପାଇଁ ଦାବି ଉଠିଛି ଓ ସରକାରଙ୍କ ପକ୍ଷରୁ ଜଣେ ମନ୍ତ୍ରୀ କହିଛନ୍ତି କି, ‘ପରିବାରର ସଦସ୍ୟ ଏବେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସରକାର ବିଚାର କରିବେ।’ ନବ ଦାସଙ୍କ ହତ୍ୟା ସମୟରେ ରାଜ୍ୟରେ ଯେଉଁ ସରକାର ଥିଲେ ତାହାର ଏବେ ପରିବର୍ତନ ହୋଇଛି। ସେତେବେଳେ ଯେଉଁମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରୁଥିଲେ, ସେମାନେ ଏବେ ସରକାରରେ ଅଛନ୍ତି। କିନ୍ତୁ ନବ ଦାସଙ୍କ ପରିବାର କିମ୍ବା ଅନ୍ୟ କେହି ଏହି ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ୍ ଦାଖଲ ସମୟରେ ତଦନ୍ତ ଠିକ୍ ହୋଇନଥିବା ଅଭିଯୋଗ କରିନାହାନ୍ତି। ଏବେ ବିଚାର ପ୍ରକ୍ରିୟା ଚାଲିଥିବା ସମୟରେ ଏହି ପ୍ରସଙ୍ଗ ଉଠାଇବାକୁ ହେଲେ ଷଡ଼ଯନ୍ତ୍ର ନେଇ କିଛି ତଥ୍ୟ ବା ସୂଚନା ଅଦାଲତକୁ ଯୋଗାଇବାକୁ ପଡ଼ିବ। କାରଣ ଅଦାଲତଙ୍କ ବିନା ଅନୁମୋଦନରେ ବିଚାର ପ୍ରକ୍ରିୟା ଚାଲୁଥିବା ଏକ ମାମଲାକୁ ସରକାର ସିଧାସଳଖ ସିବିଆଇକୁ ପ୍ରଦାନ କରିପାରିବେ ନାହିଁ। ଏ ସଂକ୍ରାନ୍ତରେ ହାଇକୋର୍ଟରେ ଏବେ ଏକ ଜନସ୍ୱାର୍ଥ ମାମଲା ହୋଇଛି ଓ ହାଇକୋର୍ଟ ଏଯାଏଁ ଏ ମାମଲାର କେବଳ ଷ୍ଟାଟସ ରିପୋର୍ଟ ଝାରସୁଗୁଡ଼ା ଏସ୍‌ପିଙ୍କ ଠାରୁ ମାଗିଛନ୍ତି।

ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ଉଠିବା ସମୟରେ ଭାରତବର୍ଷକୁ ଚହଲାଇ ଦେଇଥିବା ଗତ ବର୍ଷ ଅଗଷ୍ଟ ମାସରେ କୋଲକାତାର ଆର୍‌ଜି କର ହସ୍ପିଟାଲ୍‌ରେ ଜଣେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରୀଙ୍କର ଧର୍ଷଣ ଓ ହତ୍ୟା ମାମଲା କଥା କୁହାଯାଇପାରେ। ସେହି ଘଟଣାଟି ହେବା ସମୟରେ ଭାରତରେ ପୂର୍ବ ଅପରାଧ ଆଇନକୁ ବଦଳାଇ ନୂଆ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହୋଇଛି। ସେହି ଘଟଣାରେ କୋଲକାତା ପୋଲିସ୍ ପରଦିନ ମାମଲାର ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରି ତଦନ୍ତ ତ୍ୱରାନ୍ୱିତ କରିବା ସମୟରେ ରାଜ୍ୟବ୍ୟାପୀ ପ୍ରବଳ ଛାତ୍ର ଆନ୍ଦୋଳନ ଏପରିକି ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା। କିନ୍ତୁ ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି କୋଲକାତା ହାଇକୋର୍ଟ ମାମଲାର ତଦନ୍ତ ୪ ଦିନ ଭିତରେ ସିବିଆଇକୁ ହସ୍ତାନ୍ତର କରିଥିଲେ। ଏଥିରେ ସୁପ୍ରିମ୍‌ କୋର୍ଟ ମଧ୍ୟ ନିଜଆଡୁ ଆଗ୍ରହ ପ୍ରକାଶ କରି ସିବିଆଇ ତଦନ୍ତ ସହିତ ଆନ୍ଦୋଳନର ଅବସାନ ଦିଗରେ କେତେକ ପରାମର୍ଶ ଦେଇଥିଲେ। ସେହି ମାମଲାରେ ସିବିଆଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ମାତ୍ର ୨ ମାସ ଭିତରେ ଚାର୍ଜସିଟ୍ ଦାଖଲ କଲେ ଓ ଏକ ଫାଷ୍ଟଟ୍ରାକ୍ କୋର୍ଟ ମାମଲାର ବିଚାର କରି ଶନିବାର ଦିନ ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କରି ସୋମବାର ଦିନ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାର ବର୍ଗ ଅଦାଲତର ରାୟରେ ସନ୍ତୁଷ୍ଟ ହୋଇଛନ୍ତି। କାରଣ ମାନ୍ୟବର ଅଦାଲତ ସେହି ରାୟରେ ସେଥିରେ ପୋଲିସ୍‌ର ଭୂମିକା ଓ ଆର୍‌ଜି କର ହସ୍ପିଟାଲ୍‌ର ତତ୍କାଳୀନ ଅଧ୍ୟକ୍ଷ ଓ ଅଧିକାରୀମାନଙ୍କ ବିରୋଧରେ କଟୁ ସମାଲୋଚନା ମଧ୍ୟ କରିଛନ୍ତି। ଏହି ମାମଲା ତଦନ୍ତରେ ପୋଲିସ୍‌ର ଭୂମିକା ଓ ମୃତ ଛାତ୍ରୀଙ୍କ ପରିବାରକୁ ଶବ ହଠାତ୍ ଦେଖା ନଯିବା ଓ ତାହାର ସମସ୍ତ ବ୍ୟବଚ୍ଛେଦ ରିପୋର୍ଟ ସେହି ହସ୍ପିଟାଲ୍‌ରେ ଯେପରି କରାଯାଇଥିଲା, ସେନେଇ କେତେଗୁଡ଼ିଏ ପ୍ରଶ୍ନ ଉଠାଇଛନ୍ତି। ଯଦିଓ ପରେ ବ୍ୟବଚ୍ଛେଦର କେତେକ ରିପୋର୍ଟ ଅନ୍ୟ ହସ୍ପିଟାଲ୍‌ରେ ସିବିଆଇ ପକ୍ଷରୁ କରାଯାଇଛି। କିନ୍ତୁ ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କ ବ୍ୟତିତ ଧର୍ଷଣ ଓ ହତ୍ୟା ମାମଲାରେ ଅନ୍ୟ କେହି ସଂପୃକ୍ତ ଥିବାର ତଥ୍ୟ ଆସିପାରିନାହିଁ।

ତେବେ ଅଦାଲତ ଯେଉଁଭଳି ଭାବରେ ପୋଲିସ୍‌ର ଭୂମିକା ଓ ହସ୍ପିଟାଲ୍ ଅଧ୍ୟକ୍ଷଙ୍କ ଭୂମିକା ନେଇ ସମାଲୋଚନା କରିଛନ୍ତି ସେ ସବୁ ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ସ୍ୱତନ୍ତ୍ର ମାମଲା ଓ ତଦନ୍ତ ଚାଲିଛି। ଅର୍ଥାତ୍ ଏହିସବୁ ଅଭିଯୋଗରେ ସଂପୃକ୍ତ ପୋଲିସ୍ ଅଧିକାରୀ ଓ ହସ୍ପିଟାଲ୍ ଅଧ୍ୟକ୍ଷଙ୍କ ବିରୋଧରେ ଅଲଗା ଭାବରେ ବିଚାର ହୋଇ କାର୍ଯ୍ୟାନୁଷ୍ଠାନ ହେବ। ତେଣୁ ଏହି ଆର୍‌ଜି କର ହସ୍ପିଟାଲ୍ ମାମଲାର ରାୟକୁ ଦେଖିଲା ପରେ ଗୋଟିଏ କଥା ସ୍ପଷ୍ଟ ଯେ, ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦଣ୍ଡ ବିଧାନ ପାଇଁ କ୍ରାଇମ୍‌ ବ୍ରାଂଚ ଯେଉଁଭଳି ଭାବରେ ରିପୋର୍ଟ ଦେଇଛି, ସେଥିରେ ଦଣ୍ଡ ପାଇଁ କୌଣସି ଅସୁବିଧା ହେବ ନାହିଁ। ନବ ଦାସଙ୍କ ରକ୍ତ ଭିଜା ଶାର୍ଟ ଝାରସୁଗୁଡ଼ା ହସ୍ପିଟାଲ୍‌ରେ ରହିଥିଲା ଓ କୋଭିଡ୍ କଥା ମିଛରେ ଦର୍ଶାଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ସେହି ଶାର୍ଟକୁ ପୋଡ଼ି ଦେଇଥିବା ସ୍ୱୀକାର କରିଛନ୍ତି। କିନ୍ତୁ ଏହି ଘଟଣା ନବ ଦାସଙ୍କ ହତ୍ୟା ମାମଲାକୁ ଦୁର୍ବଳ କରିବ ନାହିଁ। କାରଣ ଘଟଣା ସ୍ଥଳର ରକ୍ତ ସଂଗ୍ରହ ସହିତ ଫରେନ୍ସିକ୍ ଟିମ୍ ସବୁ ତଥ୍ୟ ନେଇ ଡିଏନ୍‌ଏ ବିଶ୍ଳେଷଣ ଜରିଆରେ ରିପୋର୍ଟ ପ୍ରଦାନ କରିଛନ୍ତି।

କିନ୍ତୁ ମାମଲାର ବିଚାର କରୁଥିବା ଜଜ୍ ଯେତେବେଳେ ଚୂଡ଼ାନ୍ତ ନିଷ୍ପତିରେ ପହଂଚି ରାୟ ଘୋଷଣା କରିବେ ସେତେବେଳେ ଯଦି ଏହି ଘଟଣା ତଦନ୍ତରେ ବ୍ୟତିକ୍ରମ ବିଷୟରେ ଓ ମାମଲାରେ କ୍ରାଇମ୍‌ ବ୍ରାଂଚର ତଦନ୍ତ ପ୍ରକ୍ରିୟାକୁ ପ୍ରଶ୍ନ କରିବେ ବା ଅଦାଲତରେ ଦିଆଯାଉଥିବା ସାକ୍ଷ୍ୟ ଆଧାରରେ ଏଥିରେ ଷଡ଼ଯନ୍ତ୍ର ନେଇ ସ୍ୱତନ୍ତ୍ର ତଦନ୍ତ ବିଷୟରେ ଇଙ୍ଗିତ କରିବେ ତେବେ ଯାଇଁ ମାମଲାର ଷଡ଼ଯନ୍ତ୍ର ସଂକ୍ରାନ୍ତୀୟ ଧାରା ଉପରେ ତଦନ୍ତ ପାଇଁ ପରିବେଶ ସୃଷ୍ଟି ହେବ। ଏବେ ସରକାରୀ ଓକିଲ ବା ନବ ଦାସଙ୍କ ପରିବାର ଏହି ମାମଲା ପଛରେ ଷଡ଼ଯନ୍ତ୍ର ନେଇ କୌଣସି ସୂଚନା ପ୍ରଦାନ କରି ଜଜ୍‌ଙ୍କ ନିକଟରେ ଆବେଦନ କଲେ ହୁଏତ ସେ ତାହା ଆଇନ୍ ଦୃଷ୍ଟିରୁ ବିଚାର କରିବେ। କିନ୍ତୁ ନ୍ୟାୟିକ ବ୍ୟବସ୍ଥା ବାହାରେ ମାମଲାର ବିଚାର ସମୟରେ ଏହାର ସିବିଆଇ ତଦନ୍ତ ପାଇଁ ଏବେ କୁହାଯିବା ଓ ସରକାର ଏପରି ନିର୍ଦ୍ଦେଶ ଦେଇଦେବେ ବୋଲି ଭାବିବା ଭୁଲ୍‌ ହେବ।

ମୋ- ୮୦୧୮୦୯୪୪୫୫

Odisha CBI Naba Das Naba Das Murder RG Kar Rape-Murder Case