ରବି ଦାସ
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱରେ ଶାନ୍ତି, ସଦ୍ଭାବନା, ସହାବସ୍ଥାନ ସହିତ ବିଶ୍ୱର ପ୍ରତ୍ୟେକ ନାଗରିକ ପାଇଁ ମାନବିକ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଜାତିସଂଘ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏକ ବଡ଼ ଆଶା ଓ ସମ୍ଭାବନା ଥିଲା। ଏପରିକି ଶୀତଳ ଯୁଦ୍ଧ ସମୟରେ ମଧ୍ୟ ବିଶ୍ୱରେ କ୍ଷମତା ଭାବସାମ୍ୟ ରକ୍ଷା କରି ଶାନ୍ତିର ବାର୍ତ୍ତାକୁ ପ୍ରାଧାନ୍ୟ ଦିଆଯାଉଥିଲା। ଯୁଦ୍ଧ ଏଡ଼ାଇବା ବିଶ୍ୱବାସୀଙ୍କ ପାଇଁ ଏକ ମୁଖ୍ୟ ଆହ୍ୱାନ ଭାବରେ ବିଚାର କରି ବିଶ୍ୱର ନେତାମାନେ ସମସ୍ତ ପ୍ରକାର ଉଦ୍ୟମ କରୁଥିଲେ। ଶାନ୍ତି ନଷ୍ଟ କରିବା ପାଇଁ କୌଣସି ଦେଶ କିଛି ବି ପଦକ୍ଷେପ ନେଉଥିଲେ, ତାହାକୁ ବିଶ୍ୱବାସୀ ନିନ୍ଦା କରୁଥିଲେ।
ଆଶ୍ଚର୍ଯ୍ୟର କଥା ଶାନ୍ତି ପ୍ରତିଷ୍ଠା ବିଶ୍ୱର ପ୍ରଥମ ଲକ୍ଷ୍ୟ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଦେଶ ନିଜର ସାର୍ବଭୌମତ୍ୱ ଓ ସ୍ୱାଧୀନତାକୁ ସୁରକ୍ଷିତ କରିବା ପାଇଁ ସାମରିକ ଶକ୍ତି ବୃଦ୍ଧିକୁ ରାଷ୍ଟ୍ରୀୟ ବ୍ୟବସ୍ଥାର ଏକ ମୁଖ୍ୟ ଲକ୍ଷ୍ୟ ଭାବରେ ବିଚାର କଲେ। ମାରଣାସ୍ତ୍ରର ବିଲୋପ ବିଶ୍ୱର ଲକ୍ଷ୍ୟ ହେବା ପରିବର୍ତ୍ତେ କେଉଁ ଦେଶ ସାମରିକ ଦୃଷ୍ଟିରୁ ଅର୍ଥାତ୍ କେତେ ପରିମାଣର ଆଧୁନିକ ଅସ୍ତ୍ରଶସ୍ତ୍ର ରଖିଛି, ସେହି ଅନୁସାରେ ସଂପୃକ୍ତ ଦେଶର ମୂଲ୍ୟାୟନ ହେଲା। କିନ୍ତୁ ସାମରିକ ଶକ୍ତି ବଢ଼ାଇବା ପାଇଁ ଆର୍ଥିକ ଶକ୍ତି ଯେ, ଅତିମାତ୍ରାରେ ଆବଶ୍ୟକ ତାହା ମୁକ୍ତବଜାର ଅର୍ଥନୀତିରେ ସମସ୍ତେ ଗ୍ରହଣ କରିନେଲେ। ଅର୍ଥାତ୍ ଯେଉଁ ଦେଶ ଆର୍ଥିକ ଦୃଷ୍ଟିରୁ ଯେତେ କ୍ଷମତାସଂପନ୍ନ ସେହି ଅନୁସାରେ ତାହାର ସାମରିକ ଶକ୍ତିର ବିକାଶ ପାଇଁ ସେତିକି ଧ୍ୟାନ ଦେଲେ। କିନ୍ତୁ ଅତ୍ୟାଧୁନିକ ସାମରିକ ଶକ୍ତି ସେହି ଦେଶ ହାସଲ କରିପାରିବ ଯାହାର ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ସହିତ ଗବେଷଣା ପାଇଁ ସୁବିଧା ରହିବ। ଯେଉଁ ଦେଶମାନେ ନିଜସ୍ୱ ବିଜ୍ଞାନ ଓ କାରିଗରୀ ଜ୍ଞାନରେ ନିଜର ସାମରିକ ଶକ୍ତି ବଢ଼ାଇବା ସମ୍ଭବ ହେଲା ନାହିଁ, ସେମାନେ ଲୋକମାନଙ୍କ ସାମୂହିକ ସ୍ୱାର୍ଥକୁ ପଛରେ ପକାଇ ଉନ୍ନତ ସାମରିକ ଅର୍ଥଗତ ଓ ବିମାନ ପ୍ରଭୃତି ଖରଦି କଲେ। ଫଳରେ ଦେଶରକ୍ଷା ନାମରେ ସାମରିକ ଅସ୍ତ୍ରଶସ୍ତ୍ର ଓ ବିମାନ ଖରଦି ସାରା ବିଶ୍ୱରେ ଏକ ବଡ଼ ବ୍ୟବସାୟରେ ପରିଣତ ହେଲା।
ଏହି ତତ୍ତ୍ୱକୁ ଯେଉମାନେ ଗ୍ରହଣ କରିନେଲେ ସେମାନେ ଦୁର୍ବଳମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ବା ଦବାଇବା ପାଇଁ ସାମରିକ ଶକ୍ତିକୁ ବ୍ୟବହାର କଲେ। ଆଶ୍ଚର୍ଯ୍ୟର କଥା ଜାତିସଂଘ ପରି ସଂଗଠନ ଯିଏକି ସାରା ବିଶ୍ୱ ପଂଚାୟତ ଭାବରେ ଶାନ୍ତି ପାଇଁ କାମ କରିବା କଥା ତାହା ସେମାନେ କରିପାରିଲେ ନାହିଁ। ରୁଷ ଓ ୟୁକ୍ରେନ୍ ଭିତରେ ଗତ ତିନି ବର୍ଷ ହେଲା ଯୁଦ୍ଧ ଚାଲିଛି। ହଜାର ହଜାର ଲୋକଙ୍କର ମୃତ୍ୟୁ ହେଲାଣି, ଲକ୍ଷ ଲକ୍ଷ ବେସାହାରା ହୋଇ ଶରଣାର୍ଥୀ ହୋଇଛନ୍ତି। ଶହ ଶହ କୋଟି ଟଙ୍କାର ଧନସଂପତ୍ତି ଓ ବିକାଶ ପାଇଁ ଅପରିହାର୍ଯ୍ୟ ଭିତ୍ତିଭୂମି ଯୁଦ୍ଧରେ ଧ୍ୱଂସ ହୋଇଗଲେ ମଧ୍ୟ ସେଥିପ୍ରତି ବିଶ୍ୱବାସୀ ଯେପରି ଚିନ୍ତିତ ହେବାକଥା ହେଉନାହାନ୍ତି। ସେହିପରି ଗାଜା ପରି ଏକ ଛୋଟିଆ ଅଂଚଳ ଉପରେ ଇସ୍ରାଇଲ୍ର କ୍ରମାଗତ ବିମାନ ଓ ଅନ୍ୟାନ୍ୟ ଆକ୍ରମଣ ଗତ ବର୍ଷ ଅକ୍ଟୋବର ମାସରୁ ଚାଲୁ ରହିଛି। ଏଥିରେ ଗାଜା ଅଂଚଳରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଲାଣି ଓ ସେମାନଙ୍କ ପାଖରେ ରହିବା ପାଇଁ ଘର, ପାଣି, ସ୍ୱାସ୍ଥ୍ୟ ସୁବିଧା ସହିତ ଖାଦ୍ୟ ମଧ୍ୟ ନାହିଁ।
ଗତ ଆମେରିକା ନିର୍ବାଚନରେ ଡୋନାଲ୍ଟ ଟ୍ରମ୍ପଙ୍କର ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ଯେ, ସେ କ୍ଷମତା ଗ୍ରହଣ କଲେ ମଧ୍ୟପ୍ରାଚ୍ୟରେ ଓ ରୁଷ, ୟୁକ୍ରେନ୍ ଯୁଦ୍ଧ ବନ୍ଦ ହୋଇଯିବ। କିନ୍ତୁ ସେ କ୍ଷମତା ଗ୍ରହଣ କରିବାର ୫ ମାସ ବିତି ଯାଇଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହୋଇନାହିଁ। ଅପରପକ୍ଷରେ ଡୋନାଲ୍ଟ ଟ୍ରମ୍ପ ଆମେରିକାକୁ ବଡ଼ କରିବା ଲକ୍ଷ୍ୟରେ ବିଶ୍ୱର ସବୁ ଦେଶ ଉପରେ ଏପରି ଭାବରେ ଟାରିଫ୍ ଲାଗୁ କରିଛନ୍ତି ଯେ, ସେଥିରେ ସାରା ବିଶ୍ୱର ବାଣିଜ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଅଚଳ ଅବସ୍ଥାକୁ ଆସିଯାଇଛି। ଚୀନ୍କୁ ରୋକିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ଆଦେଶଗୁଡ଼ିକ ପରୋକ୍ଷରେ ଚୀନ୍କୁ ହିଁ ସହାୟତା କରୁଛି। ସର୍ବଶେଷରେ ଆମେରିକାରେ ବିଦେଶୀ ଛାତ୍ରମାନଙ୍କର ପଢ଼ା ଉପରେ ଟ୍ରମ୍ପ ପ୍ରଶାସନ ଯେଉଁ ଆଦେଶ ଦେଇଛନ୍ତି ସେଥିରେ ଆମେରିକାରେ ବିଦେଶୀ ଛାତ୍ରମାନେ ପଢ଼ିବା ମୁସ୍କିଲ୍ ହୋଇଯିବ। ଯେଉଁ ବିଶ୍ୱ ବିଦ୍ୟାଳୟ ତାଙ୍କ କଥା ମାନୁନାହାନ୍ତି ସେମାନଙ୍କର କେନ୍ଦ୍ରୀୟ ପାଣ୍ଠି ବନ୍ଦ କରିଦିଆଯାଉଛି। ତେଣୁ ଟ୍ରମ୍ପ ବିଶ୍ୱ ବାଣିଜ୍ୟ ଜଗତରେ ଏକ ଆତଙ୍କ ଅବସ୍ଥା ସୃଷ୍ଟି କରିଥିବା ସମୟରେ ନିଜ ଦେଶର ଶହ ଶହ ବର୍ଷର ପରମ୍ପରାକୁ ଭାଙ୍ଗି କେତେ ଅଧିକ ବିଦେଶୀ ଲୋକମାନଙ୍କୁ ଦେଶରୁ ବାହାର କରିପାରିବେ ତାହାକୁ ଏକ ପ୍ରାଥମିକତା ଭାବରେ ଗ୍ରହଣ କରି ଦେଶ ଭିତରେ ମଧ୍ୟ ଏକ ଅନିଶ୍ଚିତତା ବାତାବରଣ ସୃଷ୍ଟି କରିଛନ୍ତି। ଆମେରିକା ବିଶ୍ୱର ଆର୍ଥିକ ଓ ସାମରିକ ଦୃଷ୍ଟିରୁ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ଟ୍ରମ୍ପ ଶାସନର ଦୃଷ୍ଟିଭଙ୍ଗୀ ଯୋଗୁ ଏହାର ପ୍ରାଧାନ୍ୟ କେତେଦିନ ବଜାୟ ରହିବ ତାହାନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୀନ୍ ସହିତ ଭାରତର ଭଲ ସଂପର୍କ ନଥିବା ଓ ଚୀନ୍ ଏକ କମ୍ୟୁନିଷ୍ଟ୍ ରାଷ୍ଟ୍ର ହୋଇଥିଲେ ମଧ୍ୟ ଆମେରିକାର ନୀତି ଫଳରେ ଚୀନ୍ର ଶକ୍ତି ବଢ଼ିବା କଷ୍ଟ ହୋଇଗଲାଣି।
ଭାରତର ୧ ନମ୍ବର ଶତ୍ରୁ ଭାବରେ ପାକିସ୍ତାନକୁ ବିଚାର କରାଯାଉଛି ଓ ନିକଟରେ ପହେଲଗାମ୍ରେ ଆତଙ୍କବାଦୀମାନଙ୍କର କାର୍ଯ୍ୟକଳାପରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ଘଟଣା ଭାରତ ଓ ପାକିସ୍ତାନ ଭିତରେ ଏକ ବଡ଼ ଧରଣର ସାମରିକ ବିବାଦ ଆଣିଦେଇଛି। ଭାରତ ପକ୍ଷରୁ ପହେଲଗାମ୍ ଘଟଣାର ପ୍ରତିଶୋଧ ସ୍ୱରୂପ ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କବାଦୀ ଢ଼ାଂଚାଗୁଡ଼ିକ ଉପରେ ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଭାରତୀୟ ବିମାନ ବାହିନୀ ୯ଟି ସ୍ଥାନରେ ଆକ୍ରମଣ କଲେ। ପାକିସ୍ତାନ ପକ୍ଷରୁ ଏହାର ଜବାବ ଦେବାକୁ ଯାଇ ଯେଉଁ ସାମରିକ ଲଢ଼େଇ ଆକାଶ ପଥରେ ହେଲା, ଯେଉଁଥିରେ ମୁଖ୍ୟତଃ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ପ୍ରମୁଖ ଭୂମିକା ନେଲା ସେଥିରେ ଭାରତ ସାମାନ୍ୟ ଆଗୁଆ ଅବସ୍ଥାରେ ଥିଲାବେଳେ ଅସ୍ତ୍ରବିରତି ଘୋଷଣା କରାଗଲା। ଏହି ଯୁଦ୍ଧରେ ଦେଖାଗଲା ପାକିସ୍ତାନ ପଟେ ସମ୍ପୂର୍ଣ୍ଣ ଭାବରେ ଚୀନ୍ର ସାମରିକ ସହାୟତା କାମ କରୁଛି। ପାକିସ୍ତାନ ବ୍ୟବହାର କରୁଥିବା ଅଧିକାଂଶ ଅତ୍ୟାଧୁନିକ ଇଲୋକ୍ଟ୍ରାନିକ୍ ଯୁଦ୍ଧ ବ୍ୟବସ୍ଥାକୁ ଚୀନ୍ ସହାୟତା କରିଛି। ପାକିସ୍ତାନ ସିଧାସଳଖ ଭାବରେ ଭାରତ ପାଇଁ ଦୁର୍ବଳ ରାଷ୍ଟ୍ର ହେଲେ ମଧ୍ୟ ଚୀନ୍ର ସହାୟତା ପାକିସ୍ତାନକୁ ଭାରତ ବିରୋଧରେ ଲଢ଼ିବା ପାଇଁ ସାହସ ଯୋଗାଉଛି। ଚୀନ୍ର ଆର୍ଥିକ ଓ ସାମରିକ ଶକ୍ତି ଭାରତ ଠାରୁ ଆଗରେ ରହିଥିବା ଯୋଗୁ ଭାରତକୁ ସତର୍କତା ଅବଲମ୍ବନ କରିବାକୁ ପଡୁଛି। ଆଶ୍ଚର୍ଯ୍ୟର କଥା ଦକ୍ଷିଣ ଏସିଆରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଚୀନ୍ ବିରୋଧରେ ଠିଆ କରିବା ପାଇଁ ପୂର୍ବରୁ ଆମେରିକା ଯେଉଁ କୌଶଳ କରିଥିଲା ତାହାକୁ ରାଷ୍ଟ୍ରପତି ଟ୍ରମ୍ପ ବଦଳାଇ ଦେଇଛନ୍ତି। ଯେଉଁଥିପାଇଁ ଭାରତ ଓ ପାକିସ୍ତାନ ଭିତରେ ଅସ୍ତ୍ରବିରତି ପାଇଁ ଆମେରିକା ଉଭୟ ଦେଶକୁ ସମାନ ଦୃଷ୍ଟିରେ ଦେଖି ବାଣିଜ୍ୟ ନାଁରେ ଦୁଇଦେଶକୁ ବାଧ୍ୟ କରିଥିବା ଜଣାପଡୁଛି।
ଅପରେସନ୍ ସିନ୍ଦୂରର ସଫଳତା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଭିତରେ ବଡ଼ ବଡ଼ ସଭା ଓ ରୋଡ୍ ସୋ ଜରିଆରେ ଜାତୀୟତାବାଦ ସୃଷ୍ଟି କରିବାରେ ଲାଗିଛନ୍ତି। ଅପରପକ୍ଷରେ ଦେଶର ସବୁ ଦଳମାନଙ୍କର ମିଳିତ ପ୍ରତିନିଧି ଦଳ ୬ଟି ଗୋଷ୍ଠୀରେ ଯାଇ ବିଶ୍ୱର ବିଭିନ୍ନ ଦେଶରେ ଭାରତର ଦୃଷ୍ଟିଭଙ୍ଗୀ ସହିତ ପାକିସ୍ତାନ କିପରି ଏକ ଆତଙ୍କବାଦୀ ଦେଶ ସେ ସଂପର୍କରେ ବୁଝାଉଛନ୍ତି। ଦେଶରେ ଥିବା କେତେକ ବିରୋଧୀ ଦଳ ଅପରେସନ୍ ସିନ୍ଦୂର ନେଇ ପ୍ରଶ୍ନ ପଚାରିବାରେ ବ୍ୟସ୍ତ ରହି ଏହିସବୁ ବିଷୟରେ ପୂର୍ଣ୍ଣାଙ୍ଗ ଆଲୋଚନା ନିମନ୍ତେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରୁଛନ୍ତି। କିନ୍ତୁ ଏହି ସବୁ ଭିତରେ ଯେଉଁ ଭାରତୀୟ ବିମାନ ବାହିନୀ ଅପରେସନ୍ ସିନ୍ଦୂରର ଅସଲ ନାୟକ ସେମାନଙ୍କର ମୁଖ୍ୟ ଏୟାର୍ ଚିଫ୍ ମାର୍ସାଲ୍ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ବାୟୁସେନାକୁ ଚୁକ୍ତି ଅନୁସାରେ ଉପକରଣ ଆସୁନାହିଁ। ଗୋଟିଏ ଗୋଟିଏ ଚୁକ୍ତିର ସମୟସୀମା ପୂରିବାର ୧୦ ବର୍ଷ ଭିତରେ ମଧ୍ୟ ଉପକରଣ ଆସୁନାହିଁ। ଏ କ୍ଷେତ୍ରରେ ସରକାରୀ ଉଦ୍ୟୋଗରେ ଥିବା ହାଲ୍ ସହିତ ଯେତେ ଚୁକ୍ତି ହୋଇଛି ସେମାନେ କୌଣସିଟି ପୂରଣ କରୁନାହାନ୍ତି। ଉପକରଣ ଅଭାବରୁ ବାୟୁସେନା ଦୁର୍ବଳ ହେଉଛି। ଯେଉଁ ଲକ୍ଷ୍ୟ ପୂରଣ ହେବନାହିଁ ସେଗୁଡ଼ିକ କାହିଁକି ଧାର୍ଯ୍ୟ କରାଯାଇ ଚୁକ୍ତି କରାଯାଉଛି? ଆର୍ଥିକ କ୍ଷମତା, ବିଜ୍ଞାନ ଓ କାରିଗରୀ ଜ୍ଞାନ ଜନିତ ଦୁର୍ବଳତା ସମ୍ଭବତଃ ଏଥିପାଇଁ ଦାୟୀ।
ଭାରତର ଆର୍ଥିକ କ୍ଷମତା ନେଇ ଯେତେ ପ୍ରଚାର ହେଲେ ମଧ୍ୟ ସାମରିକ ବାହିନୀକୁ ଉନ୍ନତ ଓ ଶକ୍ତିଶାଳୀ କରିବା ପାଇଁ ଦେଶର ଆର୍ଥିକ ଦୁର୍ବଳତା ରହୁଛି। ଭାରତୀୟ ମୋଟ୍ ଜାତୀୟ ଉତ୍ପାଦନର ଶତକଡ଼ା ୨ ଭାଗରୁ କମ୍ ଅର୍ଥ ଦେଶରକ୍ଷା ବାବଦରେ ଖର୍ଚ୍ଚ ହେଉଛି। କିନ୍ତୁ ଭାରତରେ ଯଦି ତଥାକଥିତ ବିକାଶ କାର୍ଯ୍ୟରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ରୋକାଯାଇପାରନ୍ତା ତେବେ ସେନାବାହିନୀ ପାଇଁ ଅର୍ଥର ଅଭାବ ରୁହନ୍ତାନି। ଓଡ଼ିଶା ପରି ଏକ ପଛୁଆ ରାଜ୍ୟରେ ମଧ୍ୟ ଯେତେବେଳେ ଭିଜିଲାନ୍ସ ବିଭାଗ ଯେଉଁ ଅଧିକାରକୁ ଚଢ଼ାଉ କରୁଛି, ସେତେବେଳେ ଦେଖାଯାଉଛି ଯେ, ସଂପୃକ୍ତ ଅଧିକାରୀଙ୍କ ପାଖରେ କୋଟି କୋଟି ଟଙ୍କାର କ୍ୟାସ୍ ସହିତ ବିପୁଳ ସୁନା ଅଳଙ୍କାର, ଘରବାଡ଼ି ଓ ପ୍ଲଟ୍ ପ୍ରଭୃତି ବାହାରୁଛି। ସେମାନଙ୍କ ଦରମାର ବହୁଗୁଣ ଅର୍ଥ ସଂପତ୍ତି ଆକାରରେ ସେମାନଙ୍କ ପାଖରେ ରହୁଛି। କେନ୍ଦ୍ର ସରକାର କେବଳ ବିରୋଧୀ ରାଜନୈତିକ ଦଳମାନଙ୍କୁ ଜବତ କରିବା ପାଇଁ ଇଡ଼ିକୁ ବ୍ୟବହାର କରୁଛନ୍ତି। ପ୍ରକୃତରେ ଭ୍ରଷ୍ଟାଚାର ରୋକିବା ତାହାର ଉଦ୍ଦେଶ୍ୟ ନୁହେଁ। ଇଡ଼ି ସଂସ୍ଥା ମଧ୍ୟ ଏକ ଭ୍ରଷ୍ଟାଚାରୀ ସଂସ୍ଥାରେ ପରିଣତ ହୋଇଥିବା ନିକଟରେ ଇଡ଼ି ଅଫିସର ସିବିଆଇ ଦ୍ୱାରା ଗିରଫ ହେଲାପରେ ସ୍ପଷ୍ଟ ହୋଇଛି। ଭାରତରେ ମୁକ୍ତବଜାର ଅର୍ଥନୀତି ସତ୍ୱେ କଳାଧନର କାରବାର ଯେପରି ନହେବ ବା ଦୁର୍ନୀତି ଲୋପ ପାଇବ ସେଥିପାଇଁ କେତେଗୁଡ଼ିଏ କଠୋର ଆଇନ କରିବାକୁ ପଡ଼ିବ। ଜଣେ ଲୋକ ଜମିବାଡ଼ି ଓ ଘର ପ୍ରଭୃତି ମନଇଚ୍ଛା କିପରି ଆହରଣ କରିପାରିବେ? ଯେଉଁ ଦେଶରେ ବିପୁଳ ଜନସଂଖ୍ୟା ଯୋଗୁ ଜମିବାଡ଼ିର ଘୋର ଅଭାବ ରହିଛି ଓ ଜମିବାଡ଼ି ମୂଲ୍ୟ ଅସମ୍ଭବ ଭାବେ ବୃଦ୍ଧି ପାଉଛି, ସେଠାରେ ସବୁ ଲୋକଙ୍କୁ ଜମିର ସୁବିଧା ଦେବାପାଇଁ ଜଣେ ବ୍ୟକ୍ତି କେତେ ପରିମାଣର ଜମି ସହରାଂଚଳରେ ନେଇପାରିବ ଓ ସରକାରୀ କର୍ମଚାରୀ ହୋଇଥିଲେ କେହିବି ଦୁଇଟିରୁ ଅଧିକ ଜମି ନେଇପାରିବେ ନାହିଁ ବୋଲି କାହିଁକି ଆଇନ କରାନଯିବ? ଏଥିପାଇଁ ଏକ ସାହାସିକ ଆଭିମୁଖ୍ୟର ଆବଶ୍ୟକତା ରହିଛି। ଆଦିବାସୀଙ୍କ ଠାରୁ ଜମି କିଣିବା ଅପେକ୍ଷା ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।