ନବୀନ ପଟ୍ଟନାୟକଙ୍କ ଚାଲାକି!

ନୀତୀଶ କୁମାରଙ୍କ ଆଭିମୁଖ୍ୟ ଏତେ ସ୍ପଷ୍ଟ ଥିଲାବେଳେ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କ ସାକ୍ଷାତକାରରେ ଏହି ପ୍ରଶ୍ନ ଉପରେ ଆଲୋଚନା ହୋଇନାହିଁ ବୋଲି ସହଜରେ କେହି ବିଶ୍ୱାସ କରୁନାହାନ୍ତି। ଏଇଠି ପ୍ରଶ୍ନ ଆସୁଛି ଯେ ନବୀନଙ୍କ ପରି ଜଣେ ଅଭିଜ୍ଞ ରାଜନୈତିକ ଯିଏକି ୨୩ ବର୍ଷ କାଳ ଗୋଟିଏ ରାଜ୍ୟର କ୍ରମାଗତ ମୁଖ୍ୟମନ୍ତ୍ରୀ ରହି ରେକର୍ଡ ହାସଲ କରିଛନ୍ତି, ସେ ନୀତୀଶଙ୍କ ଆଗମନର ଉଦ୍ଦେଶ୍ୟ ସଂପର୍କରେ ଅଜ୍ଞ ରହିପାରିବେ ନାହିଁ। ଶ୍ରୀ ପଟ୍ଟନାୟକ ଚାହିଁଥିଲେ ଏହି ସାକ୍ଷାତକାରକୁ ଏଡ଼ାଇ ଯାଇପାରିଥାନ୍ତେ ବା ଘୁଞ୍ଚେଇ ପାରିଥାନ୍ତେ। ଦ୍ୱିତୀୟ ପ୍ରଶ୍ନ ହେଉଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ ପାଇଁ ନବୀନ କେବେ ପ୍ରସ୍ତାବ ଦେଇଥିଲେ?

Naveen Meets Narendra

  • Published: Friday, 12 May 2023
  • , Updated: 12 May 2023, 04:50 PM IST

News highlights

  • ବିଜେପି ବିରୋଧୀଙ୍କୁ ଏକଜୁଟ କରିବାକୁ ନୀତୀଶ ଭାରତ ବୁଲୁଥିବାବେଳେ ନବୀନ ପଟ୍ଟନାୟକଙ୍କୁ କ’ଣ କେବଳ ପୁରୀରେ ଜମି ପାଇଁ ସାକ୍ଷାତ କରିବାକୁ ଆସିଥିଲେ?
  • ଭୁବନେଶ୍ୱରରେ ନବୀନ କହିଲେ, ନୀତୀଙ୍କ ସହ ରାଜନୀତିକ ଆଲୋଚନା ହୋଇନାହିଁ। ଦିଲ୍ଲୀରେ କହିଲେ, ତୃତୀୟ ସାମ୍ମୁଖ୍ୟରେ ମିଶିବୁ ନାହିଁ। ଏ ନିଷ୍ପତ୍ତି କେଉଁଠି ନେଲେ?
  • ସମଦୂରତ୍ୱ ଆଳରେ ଉଭୟ କଂଗ୍ରେସ ଓ ବିଜେପି ସହ ବେଶ୍‌ ଘନିଷ୍ଟ ସଂପର୍କ ରଖି ନବୀନ ନିଜକୁ ଜଣେ ଅତି ଚତୁର ରାଜନେତା ଭାବେ ପ୍ରମାଣିତ କରିଛନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମେ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ପରେ ସେ ବିରୋଧୀ ମେଣ୍ଟରେ ସାମିଲ ହେଉନାହାନ୍ତି ବୋଲି ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସ୍ପଷ୍ଟ ଭାବେ କହିଥିଲେ। ଦି ଦିନ ପୂର୍ବରୁ ୯ ତାରିଖରେ ଓଡ଼ିଶାରେ ନୀତୀଶ କୁମାରଙ୍କ ସହିତ ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ମଧ୍ୟାହ୍ନ ଭୋଜନରେ ଆଲୋଚନା ପରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା କହି ସାମ୍ବାଦିକମାନଙ୍କ ପ୍ରଶ୍ନକୁ ସିଧାସଳଖ ଏଡ଼ାଇ ଯାଇଥିଲେ। ନୀତୀଶ କୁମାର ବିରୋଧୀ ଏକତା ପାଇଁ ଚଳାଇଥିବା ଅଭିଯାନର ଅଂଶବିଶେଷ ସ୍ୱରୂପ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ୍, ସିପିଆଇ ନେତା ଡି. ରାଜା ଓ ସିପିଏମ୍ ନେତା ସୀତାରାମ ୟେଚୁରୀ, କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିବା ପରେ ଭୁବନେଶ୍ୱରକୁ ଆସି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ନବୀନ ପଟ୍ଟନାୟକ ଓ ନୀତୀଶ କୁମାରଙ୍କ ସାକ୍ଷାତକାରରେ ରାଜନୈତିକ ଆଲୋଚନା ହୋଇନଥିଲା ଓ ବିହାର ପକ୍ଷରୁ ପୁରୀରେ ଏକ ଭବନ ନିର୍ମାଣ ପାଇଁ ଦେଢ଼ ଏକର ଜମି ରାଜ୍ୟ ସରକାର ମାଗଣାରେ ଦେବେ ବୋଲି ରାଜି ହୋଇଥିବା ଶ୍ରୀ ପଟ୍ଟନାୟକ ଜଣାଇଥିଲେ। କେବଳ ସେତିକି ନୁହେଁ, ଏହି ଦୁଇ ନେତାଙ୍କ ଭିତରେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଉଭୟ ସଦସ୍ୟ ଥିବା ସମୟରେ ସଂପର୍କ ବିଷୟ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିବା ପରେ ନୀତୀଶ କୁମାର ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ସହିତ ଜନତା ଦଳ ନେତା ଭାବରେ ତାଙ୍କର ଥିବା ପୂର୍ବ ସଂପର୍କ କଥା ଉଲ୍ଲେଖ କରିଥିଲେ। ଯଦିଓ ସାମ୍ବାଦିକମାନେ ବିରୋଧୀ ଏକତା ନେଇ ଅଧିକ ପ୍ରଶ୍ନ କରିବାରୁ ନୀତୀଶ କୁମାର ପରେ ସବୁକଥା ଜାଣିବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ସଂପୂର୍ଣ୍ଣ ନିରବ ରହି ରାଜନୈତିକ ଆଲୋଚନା ହୋଇନଥିବା କହିଥିଲେ।

ନୀତୀଶଙ୍କ ସହିତ ପାଟନାରୁ ଜେଡିୟୁ ସଭାପତି ରାଜୀବ ରଞ୍ଜନ ଓରଫ୍ ଲଲନ୍ ସିଂହ ଓ ଆଉ ଜଣେ ମନ୍ତ୍ରୀ ସଂଜୟ କୁମାର ଝା ଆସିଥିଲେ। କିନ୍ତୁ ମଧ୍ୟାହ୍ନ ଭୋଜନରେ ଏହି ଦୁଇ ନେତାଙ୍କୁ ଗୋଟିଏ ଘରେ ଖାଇବାକୁ ଦିଆଯାଇଥିବା ସମୟରେ ନବୀନ ପଟ୍ଟନାୟକଙ୍କ ସହିତ ନୀତୀଶ କୁମାର ଅଲଗା ଖାଇଥିଲେ। ଅଥଚ ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭୋଜନ ଟେବୁଲରେ ନବୀନ ପଟ୍ଟନାୟକଙ୍କ ସଚିବ ଭି.କେ. ପାଣ୍ଡିଆନ୍ ମଧ୍ୟ ଭୋଜନ କରିଥିଲେ। ହୋଇପାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ କୌଣସି ଆଲୋଚନା ଜେଡିୟୁର ଅନ୍ୟ ନେତାମାନେ ଜାଣନ୍ତୁ ବୋଲି ହୁଏତ ସେମାନେ ଚାହିଁନଥିବେ। କାରଣ ନବୀନ ପଟ୍ଟନାୟକଙ୍କ ସେହିପରି ଉତ୍ତମ ସଂପର୍କ ଅନ୍ୟ ଦୁଇ ଜେଡିୟୁ ନେତାମାନଙ୍କ ସହିତ ନଥିବାରୁ ଆଲୋଚନା ଭିତରକୁ ଅନ୍ୟ କେହି ପ୍ରବେଶ କରିବା ସେମାନେ ଚାହୁଁନଥିଲେ। ସେ ଯାହା ହେଉନା କାହିଁକି, ଆଲୋଚନା ପରେ ସିଧାସଳଖ ଭାବରେ ଓଡ଼ିଶା ସାମ୍ବାଦିକମାନଙ୍କୁ କୁହାଗଲା ଯେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। କିନ୍ତୁ ୧୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ ପରେ ପୁରୀଠାରେ ଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଓ ପ୍ରଧାନମନ୍ତ୍ରୀ ଏଥିପ୍ରତି ସହାନୁଭୂତି ପ୍ରକାଶ କରିଥିବା କହିବା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବିରୋଧୀ ଏକତା ଯାହାକୁ ଅନେକ ତୃତୀୟ ସାମ୍ମୁଖ୍ୟ ବୋଲି କହୁଛନ୍ତି, ସେଥିରେ ବିଜୁ ଜନତା ଦଳ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଥିଲେ। ଯେଉଁକଥା ସେ ଭୁବନେଶ୍ୱରରେ ଓଡ଼ିଶା ସାମ୍ବାଦିକମାନଙ୍କୁ କହିନଥିଲେ, ତାହା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ କାହିଁକି କହିଲେ? ଯଦିଓ ତାଙ୍କର ଏହି ସାକ୍ଷାତକାର ରାଜନୈତିକ ନୁହେଁ ଓ ସୌଜନ୍ୟମୂଳକ ବୋଲି କୁହାଗଲା।

ଯେଉଁଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆସି ସ୍ପଷ୍ଟ କହିଦେଲେ ଯେ ସେ ବିରୋଧୀ ଏକତା ଉଦ୍ୟମରେ ସାମିଲ ନୁହନ୍ତି, ସେହିଦିନ ମୁମ୍ବାଇରେ ନୀତୀଶ କୁମାର ରାଷ୍ଟ୍ରୀୟ ଜନତା ଦଳ ନେତା ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନେଇ ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ବିରୋଧୀ ଏକତା ନେଇ ଆଲୋଚନା କରିଥିଲେ। ଉଦ୍ଧବ ଠାକରେଙ୍କ ସହିତ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ମାତୋଶ୍ରୀରେ ମଧ୍ୟାହ୍ନ ଭୋଜନ ବି ଆୟୋଜନ କରାଯାଇଥିଲା। ଏହି ବୈଠକରେ ପରେ ସାମ୍ବାଦିକମାନଙ୍କୁ ଉଦ୍ଧବ କହିଥିଲେ ଯେ ନୀତୀଶ ଜଣେ ଯୋଦ୍ଧା। ଭାରତରେ ଗଣତନ୍ତ୍ର ବିପଦର ସମ୍ମୁଖୀନ ହେଉଥିବା ସମୟରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସବୁ ବିରୋଧୀ ଦଳଙ୍କ ଭିତରେ ଏକତା ଜରୁରୀ। ନୀତୀଶ କୁମାର ସେହି ଲକ୍ଷ୍ୟରେ କାମ କରୁଥିବାରୁ ସେ ତାଙ୍କୁ ପ୍ରଶଂସା କରିଥିଲେ। ପରେ ନୀତୀଶ କୁମାର ଏନସିପି ନେତା ତଥା ଦେଶର ଜଣେ ବରିଷ୍ଠତମ ନେତା ଭାବେ ସ୍ୱୀକୃତ ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ପରେ ପାୱାର ସ୍ପଷ୍ଟ ଭାବେ କହିଥିଲେ ଯେ ବିରୋଧୀ ଏକତା ନେଇ ଆଲୋଚନା ହୋଇଛି ଓ ଦେଶର ବର୍ତ୍ତମାନର ଅବସ୍ଥାରେ ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ଏକତାର ଆବଶ୍ୟକତା ଅଛି।

ପ୍ରଶ୍ନ ଉଠୁଛି, ନୀତୀଶ କୁମାରଙ୍କ ଆଭିମୁଖ୍ୟ ଏତେ ସ୍ପଷ୍ଟ ଥିଲାବେଳେ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କ ସାକ୍ଷାତକାରରେ ଏହି ପ୍ରଶ୍ନ ଉପରେ ଆଲୋଚନା ହୋଇନାହିଁ ବୋଲି ସହଜରେ କେହି ବିଶ୍ୱାସ କରୁନାହାନ୍ତି। ଏଇଠି ପ୍ରଶ୍ନ ଆସୁଛି ଯେ ନବୀନଙ୍କ ପରି ଜଣେ ଅଭିଜ୍ଞ ରାଜନୈତିକ ଯିଏକି ୨୩ ବର୍ଷ କାଳ ଗୋଟିଏ ରାଜ୍ୟର କ୍ରମାଗତ ମୁଖ୍ୟମନ୍ତ୍ରୀ ରହି ରେକର୍ଡ ହାସଲ କରିଛନ୍ତି, ସେ ନୀତୀଶଙ୍କ ଆଗମନର ଉଦ୍ଦେଶ୍ୟ ସଂପର୍କରେ ଅଜ୍ଞ ରହିପାରିବେ ନାହିଁ। ଶ୍ରୀ ପଟ୍ଟନାୟକ ଚାହିଁଥିଲେ ଏହି ସାକ୍ଷାତକାରକୁ ଏଡ଼ାଇ ଯାଇପାରିଥାନ୍ତେ ବା ଘୁଞ୍ଚେଇ ପାରିଥାନ୍ତେ। ଦ୍ୱିତୀୟ ପ୍ରଶ୍ନ ହେଉଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତ ପାଇଁ ନବୀନ କେବେ ପ୍ରସ୍ତାବ ଦେଇଥିଲେ? ନୀତୀଶଙ୍କ ଆଗମନ ଖବର ଆସିବା ପରେ ନା ପୂର୍ବରୁ?

ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଏନଡିଏରୁ ୨୦୦୯ରେ ଅଲଗା ହେବା ପରଠାରୁ କୌଣସି ଜାତୀୟ ମେଣ୍ଟରେ ବା ସାମ୍ମୁଖ୍ୟରେ ସାମିଲ ହୋଇନାହାନ୍ତି। ଏପରିକି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ବ୍ୟକ୍ତିଗତ ଭାବରେ ୟୁପିଏ ସରକାର ସହିତ ମଧ୍ୟ ତାଙ୍କର ଭଲ ସଂପର୍କ ଥିଲା। ଯଦିଓ ଓଡ଼ିଶାରେ ଉଭୟ ଏନଡିଏ ଓ ୟୁପିଏଠାରୁ ସମାନ ଦୂରତା କଥା ନୀତିଗତ ଭାବରେ ସେ ଘୋଷଣା କରିଥିଲେ। ବାସ୍ତବରେ ୨୦୦୯ରେ ବିଜୁ ଜନତା ଦଳ ଏକାକୀ ରାଜ୍ୟ ବିଧାନସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଦଳର ଓ ପଟ୍ଟନାୟକଙ୍କ ଆତ୍ମବିଶ୍ୱାସ ବଢ଼ିଯାଇଥିଲା। ୨୦୧୪ ଓ ୨୦୧୯ରେ ମଧ୍ୟ ଓଡ଼ିଶାରେ ବିଜୁ ଜନତା ଦଳ ଏକାକୀ ନିର୍ବାଚନ ଲଢ଼ି ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଠନ କରିଛି। ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ସମୟରେ ୨୦୧୯ରେ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନକୁ ଆସି କଂଗ୍ରେସକୁ ତୃତୀୟ ସ୍ଥାନକୁ ପଠେଇ ଦେଇଛି। ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯୋଗୁ ଓଡ଼ିଶାରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୮ଟି ଆସନ ହାସଲ କରିଛି। ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକସଭା ଆସନ ସହିତ ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ଦିଲ୍ଲୀରେ ୨୦୧୪ ତୁଳନାରେ ୨୦୧୯ରେ ବିଜେପିର ଲୋକସଭା ଆସନ ସଂଖ୍ୟା ୩୦୦ ଉପରକୁ ଚାଲିଯାଇଛି। ଏହି ପରିସ୍ଥିତି ଦେଖି ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ସହିତ ନିଜଆଡୁ ସଂପର୍କ ବୃଦ୍ଧି କରି ପାର୍ଲାମେଣ୍ଟର ଉଭୟ ଗୃହରେ ସମସ୍ତ ବିଧେୟକ ଓ ବିବାଦୀୟ ପ୍ରସଂଗ ଉପରେ କେନ୍ଦ୍ର ସରକାରଙ୍କ ସହିତ ଛିଡ଼ା ହୋଇଛନ୍ତି। ଓଡ଼ିଶାରୁ ସଭ୍ୟସଂଖ୍ୟା ନଥିଲେ ମଧ୍ୟ ବିଜେପିରୁ ଜଣଙ୍କୁ ରାଜ୍ୟସଭା ସାଂସଦ ଭାବରେ ନବୀନ ପଟ୍ଟନାୟକ ପଠାଇଛନ୍ତି। ଏଥିପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ତାଙ୍କୁ ଟେଲିଫୋନ୍ କରିଥିଲେ।

ସମସ୍ତ କାରଣକୁ ଦେଖିଲେ କେନ୍ଦ୍ର ସରକାରଙ୍କ କ୍ରୋଧକୁ ଏଡ଼ାଇବା ସହିତ କେନ୍ଦ୍ରୀୟ ନେତୃତ୍ୱ ସହିତ ଭଲ ସଂପର୍କ ସ୍ଥାପନ ପାଇଁ ନବୀନ ପଟ୍ଟନାୟକ ସମସ୍ତ କୌଶଳ କରିଛନ୍ତି। ଓଡ଼ିଶାର ବିକାଶରେ କେନ୍ଦ୍ର ସରକାର ସେଥିପାଇଁ କୌଣସି ବାଧା ସୃଷ୍ଟି କରିନାହାନ୍ତି। ଅପରପକ୍ଷରେ ଅନ୍ୟ ଅଣ-ବିଜେପି ରାଜ୍ୟ ସରକାରଗୁଡ଼ିକ ନେତାମାନଙ୍କ ବିରୋଧରେ ସିବିଆଇ, ଇଡି ଓ ଆୟକର ପ୍ରଭୃତି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଯେପରି ସକ୍ରିୟ ଅଛନ୍ତି, ତାହା ଓଡ଼ିଶା କ୍ଷେତ୍ରରେ ହୋଇନାହିଁ। ଏପରିକି ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ କରିଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାରକୁ ଅସୁବିଧାରେ ପକାଇଦେଲା ଭଳିଆ କୌଣସି କାମ କରିନାହିଁ। ଯଦିଓ ଏଥିପାଇଁ ଅନେକ ଭିତ୍ତିଭୂମି ଥିଲେ ମଧ୍ୟ ସିବିଆଇ ଏ କ୍ଷେତ୍ରରେ ପଶ୍ଚିମବଙ୍ଗ ପରି ସକ୍ରିୟତା ଆଦୌ ପ୍ରକାଶ କରିନାହିଁ। ଦିଲ୍ଲୀରେ ବିଜେପି ସରକାର ସହିତ ନବୀନ ପଟ୍ଟନାୟକଙ୍କ ସୁ-ସଂପର୍କ ହେତୁ ଓଡ଼ିଶାରେ ବିଜେପି ମୁଖ୍ୟ ବିରୋଧୀ ଦଳ ହେଲେ ମଧ୍ୟ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ କେତେ ବାଟ ଯାଇପାରିବେ ତାହା ନେଇ ଅନେକ ପ୍ରଶ୍ନ କରୁଛନ୍ତି। ଏପରିକି ବିଜେଡିର ଜଣେ ବିଧାୟକ ଯିଏକି ଏକ ସାମ୍ବାଦପତ୍ରର ସଂପାଦକ ସେ ଖୋଲାଖୋଲି ଭାବରେ କହିପାରୁଛନ୍ତି ଯେ ବିଜେପିକୁ ରାଜ୍ୟରେ ଏକ ମୁଖ୍ୟ ବିରୋଧୀ ଦଳ ଭାବରେ ସରକାରୀ ଦଳ ବିଚାର କରୁନାହିଁ। ଅପରପକ୍ଷରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସର କେଉଁ ନେତା କେତେବେଳେ ବିଜେଡିକୁ ଆସିବେ ସେଥିପାଇଁ ପ୍ରସ୍ତୁତି ଥିବାପରି ମନେ ହେଉଛି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସକୁ ନେଇ ବିରୋଧୀ ଏକତା କରୁଥିବା ନୀତୀଶ କୁମାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରୁ କିଏ କାହାକୁ ଚାଲାକିରେ ଟପିଯିବ ସେ ନେଇ କଳ୍ପନାଜଳ୍ପନା ଚାଲିଛି। କିନ୍ତୁ ଗୋଟିଏକଥା ସ୍ପଷ୍ଟ ଯେ ୨୦୨୪ ନିର୍ବାଚନ ବିଜେଡି ଏକାକୀ ଲଢ଼ିବ ଓ ନିର୍ବାଚନ ଫଳାଫଳ ପରେ ଜାତୀୟ ରାଜନୀତିରେ ଏହାର ଭୂମିକା ସ୍ପଷ୍ଟ କରିବ। ଅର୍ଥାତ୍ ସବୁଆଡ଼କୁ ସୁବିଧା ରଖି ନବୀନ ଏଇ ଚାଲାକି ରାଜନୀତି ଦକ୍ଷତାର ସହିତ ଚଳାଇଛନ୍ତି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

Related story