Advertisment

ସତ ସ୍ୱୀକାର କରୁନାହାନ୍ତି ନବୀନ ପଟ୍ଟନାୟକ

ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିର୍ବାଚନରେ ପ୍ରଚାର ନକରି ତାଙ୍କର ଏକମାତ୍ର ବିଶ୍ୱସ୍ତ ସରକାରୀ ଚାକିରୀ ଛାଡ଼ି ବିଜେଡିକୁ ଆସିଥିବା ଜଣେ ଅଣଓଡ଼ିଆ ଅଫିସର ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ଦେଇଥିବା ଲୋକମାନଙ୍କର ପୂରା ବିଶ୍ୱାସ ହୋଇଗଲା। ଏହି ଅଣଓଡ଼ିଆ ସରକାରୀ ଅଫିସର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ୫ ବର୍ଷ କାଳ ଯାହାସବୁ କରିଥିଲେ, ସେଥିରେ ଲୋକମାନଙ୍କର ବିଶ୍ୱାସ ହୋଇଗଲା ଯେ, ଯଦି ଏଥର ନବୀନଙ୍କୁ ପୁଣିଥରେ କ୍ଷମତା ପ୍ରଦାନ କରାଯାଏ, ତେବେ ବାସ୍ତବରେ ଏହି ଅଣଓଡ଼ିଆ ଅଫିସର ଜଣକ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ ହୋଇଯିବେ।

author-image
Debendra Prusty
ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

ରବି ଦାସ

ବିଜେଡିର ୨୮ଶ ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୨୪ ବର୍ଷ ପରେ ଦଳ କାହିଁକି ପରାଜିତ ହେଲା ଓ କେଉଁ ଭାବରେ ଏହା ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଉ ବୋଲି ଅନେକ ଯେଉଁ ବିଶ୍ୱାସ କରିଥିଲେ ତାହା ହୋଇପାରିନାହିଁ। ଏହାର ମୂଳ କାରଣ ହେଉଛି ଯେ, ଦଳ କାହିଁକି ପରାଜିତ ହେଲା ସେ ସମ୍ପର୍କରେ ସତକଥା କହିବାକୁ ସମ୍ଭବତଃ ସେ ସାହସ କରିପାରୁନାହାନ୍ତି। ସତ କହିଲେ ପ୍ରଥମେ ଦଳର ଓ ନେତୃତ୍ୱର ଦୁର୍ବଳତାକୁ ସ୍ୱୀକାର କରିବାକୁ ପଡ଼ିବ। ଦଳ ପରାଜିତ ହେବାର ୬ ମାସ ପରେ ମଧ୍ୟ ଖୋଦ୍ ନବୀନ ପଟ୍ଟନାୟକ ଦଳ ପରାଜୟର ପ୍ରକୃତ କାରଣ ସ୍ୱୀକାର ନକରି ବିଜେପି ନିର୍ବାଚନ ପ୍ରଚାର ସମୟରେ ମିଥ୍ୟାର ଆଶ୍ରୟ ନେଇ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଜନସାଧାରଣଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଥିବା ବିଜେଡ଼ି ପରାଜୟର ମୁଖ୍ୟ କାରଣ ଭାବରେ ନବୀନ ପଟ୍ଟନାୟକ ବିଚାର କରି ପ୍ରକୃତ ସତ୍ୟକୁ ଏଡ଼ାଇଯିବା ପାଇଁ ଉଦ୍ୟମ କରୁଥିବା ସ୍ପଷ୍ଟ ଜଣାପଡ଼ୁଛି।

Advertisment

ବିଜେପିର ମିଥ୍ୟା ପ୍ରଚାର ଓ ଅସତ୍ୟ ପ୍ରତିଶ୍ରୁତିଗୁଡ଼ିକୁ ବିଜେଡି କାଉଂଟର କରିପାରିଲା ନାହିଁ ବୋଲି କିଏ ବିଶ୍ୱାସ କରିବ? ବିଜେଡି ରାଜ୍ୟ କ୍ଷମତାରେ ଥିଲା ଓ ବିଜେଡି ନିକଟରେ ସମ୍ବଳର କୌଣସି ଅଭାବ ନଥିଲା। ରାଜ୍ୟର ଗଣମାଧ୍ୟମଗୁଡ଼ିକୁ ବିଜୁଜନତା ଦଳ ଶେଷ ପର୍ଯ୍ୟନ୍ତ ଅନେକ ପରିମାଣରେ ନିୟନ୍ତ୍ରିତ କରି ରଖିଥିଲେ। କ୍ଷମତାରେ ଥିବା ନେତୃତ୍ୱ ରାଜ୍ୟରେ ଲୋକମାନଙ୍କ ଭିତରେ ହେଉଥିବା ବଡ଼ ପରିବର୍ତ୍ତନର ସୂଚନା ପାଇଲେ ନାହିଁ କିପରି?

ତାଙ୍କର ଯୁକ୍ତି ହେଲା ଯେ, ବିଧାନସଭା ନିର୍ବାଚନରେ ବିଜେଡି ଅଧିକ ଭୋଟ୍ ପାଇଛି। ଯଦିଓ ଆସନ ଦୃଷ୍ଟିରୁ ବିଜେପି ଅଧିକ ଆସନ ପାଇ କ୍ଷମତା ଦଖଲ କରିଛି। କିନ୍ତୁ ସେ ବୁଝିବା ଉଚିତ୍ ଯେ, ୨୦୧୯ରେ ବିଜେଡି ବିଧାନସଭା ନିର୍ବାଚନରେ ଯେତିକି ଭୋଟ୍ ପାଇଥିଲା ୨୦୨୪ରେ ଭୋଟ୍ ଶତକଡ଼ା ୪ରୁ ଅଧିକ କମିଯିବା ସମୟରେ ଲୋକସଭା ନିର୍ବାଚନରେ ଦଳର ଭୋଟହାର ୫ ଭାଗରୁ ଅଧିକ କମିଯାଇଥିଲା। ଫଳରେ ବିଧାନସଭାରେ ଦଳ ୫୧ଟି ଆସନ ସହ ମୁଖ୍ୟ ବିରୋଧି ଦଳ ହେଲେ ମଧ୍ୟ ପ୍ରଥମ ଥର ପାଇଁ ଲୋକସଭାରେ ଗୋଟିଏ ହେଲେ ଆସନ ପାଇଲା ନାହିଁ। ନବୀନଙ୍କର ଲୋକପ୍ରିୟତା ସତ୍ୱେ ଏହି ଅବସ୍ଥା କେବଳ ବିଜେପିର ମିଥ୍ୟା ପ୍ରଚାର ଓ ମିଥ୍ୟା ପ୍ରତିଶ୍ରୁତି ଯୋଗୁ ହେଲା ବୋଲି କିପରି କୁହାଯିବ?

Advertisment

ସତକଥା ହେଉଛି ଯେ, ନବୀନ ପଟ୍ଟନାୟକ କୌଣସି କାରଣରୁ ହେଉ ନା କାହିଁକି ଧରିନେଇଥିଲେ ଯେ, ଲୋକପ୍ରିୟତା ବଳରେ ସେ ପୁଣିଥରେ ରାଜ୍ୟରେ କ୍ଷମତା ପାଇବେ। ଏଥିପାଇଁ ତାଙ୍କୁ ପ୍ରଚାର କରିବାର କୌଣସି ଆବଶ୍ୟକତା ନାହିଁ। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟଗତ କାରଣରୁ ନବୀନ ନିର୍ବାଚନରେ ପ୍ରଚାର ନକରି ତାଙ୍କର ଏକମାତ୍ର ବିଶ୍ୱସ୍ତ ସରକାରୀ ଚାକିରୀ ଛାଡ଼ି ବିଜେଡିକୁ ଆସିଥିବା ଜଣେ ଅଣଓଡ଼ିଆ ଅଫିସର ଉପରେ ପ୍ରଚାରର ସମସ୍ତ ଦାୟିତ୍ୱ ଦେଇଥିବା ଲୋକମାନଙ୍କର ପୂରା ବିଶ୍ୱାସ ହୋଇଗଲା। ଏହି ଅଣଓଡ଼ିଆ ସରକାରୀ ଅଫିସର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ୫ ବର୍ଷ କାଳ ଯାହାସବୁ କରିଥିଲେ, ସେଥିରେ ଲୋକମାନଙ୍କର ବିଶ୍ୱାସ ହୋଇଗଲା ଯେ, ଯଦି ଏଥର ନବୀନଙ୍କୁ ପୁଣିଥରେ କ୍ଷମତା ପ୍ରଦାନ କରାଯାଏ, ତେବେ ବାସ୍ତବରେ ଏହି ଅଣଓଡ଼ିଆ ଅଫିସର ଜଣକ ରାଜ୍ୟର ପ୍ରକୃତ ମୁଖ୍ୟମନ୍ତ୍ରୀ ହୋଇଯିବେ। ଏହି କାରଣରୁ ହିଁ ନବୀନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିକରେ ୧୫,୦୦୦ରୁ ଅଧିକ ଭୋଟରେ ପରାଜିତ ହେଲେ ଓ ତାଙ୍କର ପାରମ୍ପରିକ ଆସନ କୁହାଯାଉଥିବା ହିଞ୍ଜିଳିକାଟୁରୁ ମାତ୍ର ୪୦୦୦ରୁ ଅଳ୍ପ କିଛି ଅଧିକ ଭୋଟରେ ନିର୍ବାଚିତ ହେଲେ। ଯଦି ଦେଖାଯାଏ ତେବେ ଅନୁଭୂତ ହେବ ଯେ, ନବୀନ ନିଜର ଲୋକପ୍ରିୟତା ନେଇ ଏତେ ଅନ୍ଧ ଥିଲେ ଯେ, ପ୍ରତିନ୍ଦ୍ୱନ୍ଦିତା କରୁଥିବା ଆସନଗୁଡ଼ିକୁ ମଧ୍ୟ ଦୁଇଦିନ କାଳ ପ୍ରଚାର ପାଇଁ ଗଲେ ନାହିଁ।

ଜାତୀୟ ସ୍ତରରେ ବିଜେଡି ଯେପରି ଭାବରେ ଆଖିବୁଜା ଭାବରେ ବିଜେପି ସରକାରଙ୍କୁ ସବୁ ପ୍ରସଙ୍ଗରେ ସମର୍ଥନ କରି ଆସୁଥିଲା, ସେଥିରେ ବିଜେଡି ସମର୍ଥକମାନଙ୍କ ଭିତରେ ସେମାନଙ୍କର ଜାତୀୟ ନେତା ଭାବରେ ନରେନ୍ଦ୍ର ମୋଦୀଙ୍କୁ ଗ୍ରହଣ କରି ନିଆଗଲା। ତେଣୁ ନରେନ୍ଦ୍ର ମୋଦୀ ଓ ବିଜେପିର କେନ୍ଦ୍ରୀୟ ନେତାମାନେ ଆସି ଓଡ଼ିଶାରେ ଯେତେବେଳେ ନିର୍ବାଚନ ପ୍ରଚାର କଲେ ଓ ଯାହାସବୁ କହିଲେ ସେଗୁଡ଼ିକ ଜନସାଧାରଣ ଗ୍ରହଣ କରିବାରେ ବିଶେଷ ଅସୁବିଧା ହେଲା ନାହିଁ। ଲୋକସଭା ନିର୍ବାଚନ ବିଷୟରେ ବା ଜାତୀୟ ପ୍ରସଙ୍ଗରେ ବିଜେଡ଼ି କୌଣସିଠାରେ ହେଲେ ନିଜର ଆଭିମୁଖ୍ୟ ପ୍ରକାଶ କରିନଥିଲେ। ଯଦି ଜାତୀୟ ରାଜନୀତିରେ ଗୋଟିଏ ଆଂଚଳିକ ଦଳର କୌଣସି ଭୂମିକା ନରୁହେ ଏବଂ ସମସ୍ତ ପ୍ରସଙ୍ଗରେ ଦଳ ଆଖିବୁଜା ଭାବରେ କେନ୍ଦ୍ରରେ ଶାସକ ଦଳକୁ ସମର୍ଥନ କରୁଥାଏ, ତେବେ ଜନସାଧାରଣ ଏହି ଦଳକୁ ଭୋଟ ଦେଇ ଲୋକସଭାକୁ କାହିଁକି ପଠାଇବେ?

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ବା ଜଣେ ରାଜନୀତିଜ୍ଞ ଭାବରେ ଦୀର୍ଘ ଅନୁଭୁତି ଥିବା ସତ୍ୱେ ସେ ଯେପରି ଭାବରେ ଗତ ନିର୍ବାଚନକୁ ଘରେ ବସି ପାଣ୍ଡିଆନଙ୍କ ଦ୍ୱାରା ପରିଚାଳନା କରିବାକୁ ଚାହିଁଲେ ତାହା ରାଜ୍ୟରେ ବିଜୁ ଜନତା ଦଳ ପ୍ରତି ଏକ ନକରାତ୍ମକ ଭାବ ସୃଷ୍ଟିକଲା। ଫଳରେ ବିଜେପିର ସବୁ ପ୍ରତିଶ୍ରୁତିଗୁଡ଼ିକ ବିଜେଡି ଉପରେ ଭାରି ହୋଇପଡ଼ିଲା। ତେଣୁ ବିଜେଡ଼ି ନିର୍ବାଚନ ହାରିନାହିଁ ଓ ଲୋକମାନେ ବିଭ୍ରାନ୍ତିକର ପ୍ରଚାର ଦ୍ୱାରା ଭ୍ରମିତ ହୋଇଛନ୍ତି ବୋଲି ତାଙ୍କର ଉକ୍ତି କେହି ବି ଗ୍ରହଣ କରିବେ ନାହିଁ। ସେ ମନେରଖିବା ଉଚିତ୍ ଯେ, ଓଡ଼ିଶାକୁ ଏକ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ସେ ଯେଉଁ ପନ୍ଥାର ଆଶ୍ରୟ ନେଇଥିଲେ, ସେହି ପନ୍ଥା ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ଜୋରଦାର୍ କରିବ ବୋଲି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ସାରିଲାଣି। ବାସ୍ତବରେ ଓଡ଼ିଶାର ବିକାଶ ନେଇ ନବୀନଙ୍କ କୌଶଳ ଓ ବିଜେପି କୌଶଳ ଭିତରେ କିଛି ତାରତମ୍ୟ ନାହିଁ। ବରଂ ନବୀନ ପଟ୍ଟନାୟକଙ୍କ ଗତ ୫ ବର୍ଷର ଶାସନ ସମୟରେ ଭି.କେ ପାଣ୍ଡିଆନଙ୍କର ରାଜ୍ୟ ଶାସନ ଉପରେ ଯେପରି ଏକାଧିପତ୍ୟ ପ୍ରତିଷ୍ଠା ହୋଇଥିଲା ସେହିଭଳି ଦୃଶ୍ୟ ହୁଏତ ଏବେ ଦେଖିବାକୁ ମିଳିବ ନାହିଁ।

ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କର ପୁତ୍ର ହୋଇଥିବା ଯୋଗୁ ବିଜୁ ଜନତା ଦଳ ପରି ଏକ ଆଂଚଳିକ ଦଳର ନେତୃତ୍ୱ ଆଂଚଳିକ ଭାଷା ନଜାଣି ମଧ୍ୟ କାଏମ କରି ତିଷ୍ଠି ପାରିଲେ। ଭାରତୀୟ ରାଜନୈତିକ ଇତିହାସରେ ଏପରି କୌଣସି ଆଂଚଳିକ ଦଳ ନାହିଁ ଯାହାର ମୁଖ୍ୟ ସେହି ଅଂଚଳର ଅର୍ଥାତ୍ ଓଡ଼ିଆ ଭାଷା ନଜାଣି ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ଓଡ଼ିଶାର ଲୋକମାନଙ୍କୁ ସେ ଏଥିପାଇଁ ଧନ୍ୟବାଦ ଦେବାକଥା। କିନ୍ତୁ ତାଙ୍କ ପ୍ରତି ଲୋକଙ୍କର ଅତୁଟ ସମର୍ଥନକୁ ସେ ତାଙ୍କର ବିଶ୍ୱସ୍ତ ଜଣେ ଅଣଓଡ଼ିଆ ଅଫିସରକୁ ସ୍ଥାନାନ୍ତରିତ କରିବା ପାଇଁ ଚେଷ୍ଟା କରିବା ତାଙ୍କ ପାଇଁ ଓ ଦଳ ପାଇଁ ଭୟଙ୍କର ହେଲା। ଭାରତୀୟ ଶାସନରେ ମୁଖ୍ୟମନ୍ତୀଙ୍କ ପରି ପ୍ରଭାବଶାଳୀ କ୍ଷମତା ଉପଭୋଗ କରୁଥିବା ମନ୍ତ୍ରୀ ବା ରାଜନୈତିକ ବ୍ୟକ୍ତିଙ୍କୁ ସୁପର ଚିଫ୍‌ ମିନିଷ୍ଟର୍ ଆଖ୍ୟା ଦିଆଯାଏ। ଓଡ଼ିଶାରେ ଅତୀତରେ ଏପରି ସୁପର ଚିଫ୍‌ ମିନିଷ୍ଟର୍ ଅଧ୍ୟାୟ ଘଟିଛି। କିନ୍ତୁ ଜଣେ ଜୁନିଅର ଅଫିସର ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଲାଭକରି ପ୍ରଭାବଶାଳୀ ସୁପର୍ ଚିଫ୍‌ ମିନିଷ୍ଟର୍ ହେବାର କାହାଣୀ ବା ଘଟଣା କେବେ କେଉଁଠାରେ ଘଟିନଥିଲା। ତାହା ହିଁ ଓଡ଼ିଶାରେ ଗତ ୫ ବର୍ଷରେ ଯେପରି ଭାବରେ ହେଲା ତାହା ଶାସନ ବିରୋଧରେ ଏକ ଜନମତ ପାଇଁ ସୁଯୋଗ ସୃଷ୍ଟିକଲା।

ନିକଟରେ ନବୀନ ପଟ୍ଟନାୟକଙ୍କ ଜୀବନୀ ଲେଖିଥିବା ସାମ୍ବାଦିକ ରୁବେନ୍ ବାନାର୍ଜୀ ପୂର୍ବ ଜୀବନୀ ପୁସ୍ତକର ସଂଶୋଧିତ ସଂସ୍କରଣ ଜରିଆରେ ଯେତେବେଳେ ପାଣ୍ଡିଆନଙ୍କ ପର୍ଯ୍ୟାୟ ବିଷୟରେ ଉଲ୍ଲେଖ କଲେ ସେଥିରେ ବିଜେଡ଼ି ଯେପରି ଭାବରେ ପ୍ରତିକ୍ରିୟାଶୀଳ ହୋଇ ଲେଖକଙ୍କୁ ଆକ୍ରମଣ କରୁଛି, ସେଥିରୁ ଏହା ସ୍ପଷ୍ଟ ଯେ, ବିଜେଡି ଗତ ନିର୍ବାଚନରେ ପରାଜିତ ହେଲା ପରେ ମଧ୍ୟ ଦଳ ଭିତରେ ପାଣ୍ଡିଆନଙ୍କ ଇଙ୍ଗିତରେ ହିଁ ସମସ୍ତ ପ୍ରତିକ୍ରିୟା ପ୍ରକାଶ ପାଉଛି। ସେହି କାରଣରୁ ବିଜେଡିର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ନବୀନ ଯେତେ କହିଲେ ମଧ୍ୟ ଏହି ସମସ୍ୟାର ସମାଧାନ ନହେବା ଓ ନିର୍ବାଚନ ପରାଜୟର ପ୍ରକୃତ ସତ୍ୟ ନବୀନ ସ୍ୱୀକାର ନକରିବା ପର୍ଯ୍ୟନ୍ତ ଦଳର ଭବିଷ୍ୟତ ସୁରକ୍ଷିତ ରହିବ କିପରି?

ବିଶେଷ ଭାବରେ ନବୀନ ଏବେ ଯେଉଁ ବୟସରେ ପହଂଚିଛନ୍ତି ସେହି ଅବସ୍ଥାରେ ଆଗାମୀ ପାଂଚ ବର୍ଷ ପାଇଁ ସେ ଦଳକୁ କେତେଦୂର ନେତୃତ୍ୱ ଦେଇପାରିବେ? ବିଜେଡି ଗଢ଼ାହେଲା ସମୟରେ ଜନତା ଦଳରେ ଏକ ଡଜନରୁ ଅଧିକ ଏପରି ନେତା ଥିଲେ ଯେଉଁମାନଙ୍କର ରାଜ୍ୟବ୍ୟାପୀ ଓ ସେମାନଙ୍କ ଜିଲ୍ଲାରେ ବିଶେଷ ପ୍ରଭାବ ଥିଲା। ତେଣୁ ସେମାନେ ମିଳିତ ହୋଇ ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ପୁଅଙ୍କୁ ନେତୃତ୍ୱ ଦେଇ ଏକ ଆଂଚଳିକ ଦଳ ଗଢ଼ିବାର ସାହସ କରିପାରିଲେ। କିନ୍ତୁ ଏବେ ଏହି ଆଂଚଳିକ ଦଳଟିକୁ ସୁରକ୍ଷିତ ରଖିବା ପାଇଁ ବିଜୁ ଜନତା ଦଳରେ ପ୍ରଭାବଶାଳୀ ଦ୍ୱିତୀୟ ଶ୍ରେଣୀ ନେତାମାନଙ୍କୁ ପ୍ରସ୍ତୁତ କରାଯାଇଛି କି? ବରଂ ଏହି ନେତାମାନେ ପାଣ୍ଡିଆନଙ୍କର ସୁରକ୍ଷା ପାଇଁ ଆଗେଇ ଆସି ସେହି ଜରିଆରେ ଦଳରେ ସ୍ଥିତି ଉଜ୍ଜ୍ୱଳ କରିବେ ବୋଲି ଧରିନେଇଛନ୍ତି। କ୍ଷମତା ଆଧାରିତ ଏକ ସଂଗଠନ ଯେଉଁଠାରେ ଆଦର୍ଶଗତ ବିଚାର ଗୌଣ ହୋଇଯାଇଥିଲା ସେଠାରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ନୂଆ ବିଚାରର ଆବଶ୍ୟକତା ରହିଛି। ଯାହା ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ପ୍ରକାଶ କରିନାହାନ୍ତି। ଅପରପକ୍ଷରେ ନିଜର ଓ ବିଶେଷ ଭାବରେ ଗତ ନିର୍ବାଚନ ପରିଚାଳନାର ତ୍ରୁଟିକୁ ସତ କହି ସ୍ୱୀକାର କରିନାହାନ୍ତି।

ଫୋ- ୯୪୩୭୪୦୪୪୫୫

Odisha BjD Bjp Naveen Patnaik Vk Pandian