ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଏ ୨୪ ଜାନୁଆରୀ ୨୦୨୩ ତାରିଖରେ। ଏହି ରିପୋର୍ଟ ଅନୁସାରେ, “ଆଦାନୀ ଏଣ୍ଟରପ୍ରାଇଜେର୍ସ କମ୍ପାନୀ ଦଶନ୍ଧି ଦଶନ୍ଧି ଧରି ଶେୟାର ବଜାରରେ ବିଭିନ୍ନ କାରସାଦି ତଥା ଠକାମିର ରାସ୍ତାରେ ନିଯୁକ୍ତ ରହିଛି।” ଏହି ରିପୋର୍ଟ ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ, ୨୦୧୭ ମସିହାରେ ‘ଇକୋନୋମିକ ଆଣ୍ଡ ପଲିଟିକାଲ ୱିକ୍ଲି’ର ପୂର୍ବ ସମ୍ପାଦକ ପରଞ୍ଜୟ ଗୂହା ଠାକୁର୍ତ୍ତା ସୂଚନା ଦେଇସାରିଥିଲେ ଯେ ନିଜର ଶେଲ କମ୍ପାନୀ ମାଧ୍ୟମରେ ଆଦାନୀ କମ୍ପାନୀ ୧,୦୦୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଯାହାକୁ ଡାଇରେକ୍ଟର ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆରଆଇ ଘଣ୍ଟ ଘୋଡ଼ାଇ ରଖିଛି। ଶାସକ ଗୋଷ୍ଠୀର ନିକଟ ହୋଇଥିବା କାରଣରୁ ସ୍ଵତନ୍ତ୍ର ଅର୍ଥନୈତିକ ଜୋନ ରୁଲ୍ସ, ୨୦୧୬ରେ ପରିବର୍ତ୍ତନ ଆଣି ଆଦାନୀ କମ୍ପାନୀକୁ ୫୦୦ କୋଟି ଟଙ୍କାର ଲାଭ ମଧ୍ୟ କରାଇଦିଆଯାଇଛି। ଉଭୟ ଠାକୁର୍ତ୍ତା ଓ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ସତ୍ତ୍ୱେ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଆଦାନୀ କମ୍ପାନୀ ସହିତ ନିୟମିତ ଭାବରେ ଚୁକ୍ତି କରିଚାଲିଛନ୍ତି ଓ କମ୍ପାନୀର ବିକାଶ ଲାଗି ସହଯୋଗର ହାତ ବଢ଼ାଇଚାଲିଛନ୍ତି। ଗଣତନ୍ତ୍ରରେ ନିର୍ବାଚିତ ସରକାର ଯେବେ ନିଜେ ଦୁର୍ନୀତିରେ ଲିପ୍ତ ଓ ଏକଛତ୍ରବାଦୀ ଶାସକରେ ପରିଣତ ହୋଇଯା’ନ୍ତି ସେତେବେଳେ ରାଜତନ୍ତ୍ରକୁ ମଧ୍ୟ ସେ ବଳିଯା’ନ୍ତି। ଏହି କମ୍ପାନୀକୁ ଓଡ଼ିଶା ସରକାର ମଧ୍ୟ ଅନେକ ସୁବିଧା ଦେଇଛନ୍ତି, ଯାହା ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଉଛି। ଓଡ଼ିଶା ସରକାରଙ୍କ କମ୍ପାନୀ ସହିତ ବନ୍ଧୁତାର ପ୍ରଭାବ ଓ ରାଜ୍ୟବାସୀଙ୍କ ବିରୋଧର ନମୁନା ନିମ୍ନରେ ଉଲ୍ଲେଖ କରାଯାଉଛି।
୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡ଼ିଶା ସରକାର ୨୭ ଫେବୃଆରୀ ୨୦୨୩ ତାରିଖରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅଧୀନସ୍ଥ କୁଟ୍ରୁମାଳି ବକ୍ସାଇଟ ଖଣି ଉତ୍ତୋଳନ ଲାଗି ନିଜର ଅନୁମତି ପତ୍ର ବା ଲେଟର ଅଫ ଇଣ୍ଟେଣ୍ଟ ଆଦାନି ଏଣ୍ଟରପ୍ରାଇଜର୍ସ ଅଧୀନରେ ଥିବା ମୁନ୍ଦ୍ରା ଆଲୁମିନିୟମ କମ୍ପାନୀକୁ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ଆଦାନୀ କମ୍ପାନୀର ଅଂଶଧନର ମୂଲ୍ୟ ୧୨ ପ୍ରତିଶତ ବଢ଼ିଯାଇଛି। (ବିଜିନେସ ଷ୍ଟାଣ୍ଡାର୍ଡ)। ଏହାର ଗୋଟିଏ ଦିନ ପରେ ଅର୍ଥାତ ୧ ମାର୍ଚ୍ଚ ୨୦୨୩ ଦିନ ଓଡ଼ିଶା ସରକାର ପୁଣି ଥରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଦା ବକ୍ସାଇଟ ଖଣି ଲାଗି ଅନୁମତି ପତ୍ର ଲେଟର ଅଫ ଇଣ୍ଟେଣ୍ଟ ଆଦାନି ଏଣ୍ଟରପ୍ରାଇଜର୍ସକୁ ପ୍ରଦାନ କରିଛନ୍ତି। ସିଏନବିସି ସମ୍ବାଦ ଅନୁସାରେ ଏହାପରେ କମ୍ପାନୀର ଅଂଶଧନର ମୂଲ୍ୟ ୧୬ ପ୍ରତିଶତ ବୃଦ୍ଧି ଘଟିଛି। ଆଦାନୀ କମ୍ପାନୀ ନିଜର ବେଆଇନ କାର୍ଯ୍ୟ ଲାଗି ସମଗ୍ର ବିଶ୍ୱରେ ନିନ୍ଦିତ ହେଉଥିବା ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଏକ ଉତ୍ତମ ବନ୍ଧୁ ଭାବରେ ଆଦାନୀ କମ୍ପାନୀକୁ ସହଯୋଗର ହାତ ବଢ଼ାଇଛନ୍ତି। କିନ୍ତୁ ଏହା ଦ୍ଵାରା ଓଡ଼ିଶା ସରକାର ରାଜ୍ୟବାସୀଙ୍କ ସ୍ଵାର୍ଥକୁ ଜଳାଞ୍ଜଳି ଦେଇନାହାନ୍ତି କି?
୨. କାଶୀପୁର ବ୍ଲକ ଅଧୀନସ୍ଥ କୁଟୃମାଳି ବକ୍ସାଇଟ ଖଣିରେ ୧୨୮ ନିୟୁତ ଟନ ବକ୍ସାଇଟ ଗଚ୍ଛିତ ରହିଛି। ସେହି ଭଳି ନନ୍ଦପୁର ସ୍ଥିତ ବାଲଦା ଖଣିରେ ୧୧.୫ ନିୟୁତ ଟନ ବକ୍ସାଇଟ ଖଣି ଗଚ୍ଛିତ ଅଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଉଭୟ କାଶୀପୁର ଓ ନନ୍ଦପୁର ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ସମ୍ବିଧାନର ଅନୁସୂଚୀତ ଅଞ୍ଚଳରେ ଆସୁଛି। କିନ୍ତୁ ସେଠାର ଲୋକଙ୍କ ମତାମତ ନେବା ପୂର୍ବରୁ ନିଲାମ କରାଯିବା ଓ ଅନୁମତି ପତ୍ର ଦେବା ଅସମ୍ବିଧାନିକ। କୁଟୃମାଳି ଆଦାନୀକୁ ଦିଆଯିବା ପ୍ରତିବାଦରେ ଶହୀଦ ଲକ୍ଷ୍ମଣ ନାୟକ ଦିବସରେ (୨୯ ମାର୍ଚ୍ଚ ୨୦୨୩) କାଶୀପୁର ବ୍ଲକ ଅନ୍ତର୍ଗତ ସାରମବାଇ ଗ୍ରାମରେ ଏକା ବିରାଟ ଜନସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୩୦ ଖଣ୍ଡ ଗ୍ରାମର ଆଦିବାସୀ ଦଳିତ ପୁରୁଷ ଓ ମହିଳା ଓଡ଼ିଶା ସରକାର ସେମାନଙ୍କୁ ବିପଦ ମଧ୍ୟକୁ ଠେଲି ଦେଇ ମିଥ୍ୟା ଓ ଦୁର୍ନୀତିପୂର୍ଣ୍ଣ କମ୍ପାନୀର ବନ୍ଧୁ ପାଲଟିବାକୁ ବିରୋଧ କରିଥିଲେ। ସେମାନେ ଦାବି କରିଥିଲେ ଯେ କମ୍ପାନୀ ନିଲାମକୁ ସଂପୂର୍ଣ୍ଣ ବାତିଲ କରାଯାଉ।
୩. ଓଡ଼ିଶା ସରକାରଙ୍କ ଆଦାନୀ କମ୍ପାନୀ ସହିତ ଏଭଳି ବନ୍ଧୁତା ଯେ କାହା ସ୍ଵାର୍ଥରେ ତାହା ଆହୁରି ସ୍ପଷ୍ଟ ହୁଏ ବାଲଦା ଖଣି କ୍ଷେତ୍ରରେ। ଓଡ଼ିଶା ସରକାର ବାଲଦା ଅଞ୍ଚଳର ନାଗେଶ୍ଵରୀ ପାହାଡ଼କୁ ୨୦୦୮ ମସିହାରେ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିଥିଲେ। ଅଥଚ ସେହି ନିଷ୍ପତ୍ତିକୁ ଆଦାନୀ କମ୍ପାନୀ ଲାଗି ପରିବର୍ତ୍ତନ କରିଦେଲେ। ଉକ୍ତ କମ୍ପାନୀଙ୍କୁ ଅନୁମତି ପତ୍ର ଦେବାର ପ୍ରତିବାଦରେ ଗଲା ୨୧ ମାର୍ଚ୍ଚ ୨୦୨୩ ତାରିଖରେ ବାଲଦାଠାରେ ଏକ ବିରାଟ ଜନସଭା ହୋଇଥିଲା। ଏଥିରେ ଉପସ୍ଥିତ ଗ୍ରାମବାସୀ କୌଣସି ବି ପରିସ୍ଥିତିରେ ଖଣି ଖୋଳାଇ ଦେବେ ନାହିଁ ବୋଲି ଶପଥ ମଧ୍ୟ ନେଇଛନ୍ତି। ଯଦି ଆଦାନୀ ଏଠାରେ ବକ୍ସାଇଟ ଖଣି ଖୋଳେ ତେବେ ନନ୍ଦପୁର ଓ ଲମତାପୁଟ ବ୍ଲକର ୫ଟି ପଞ୍ଚୟତର ଗ୍ରାମାବାସୀ ବିସ୍ଥାପିତ ହେବେ ଓ ୮ଟି ପଞ୍ଚାୟତର ଲୋକେ ପ୍ରଭାବିତ ହେବେ। ତଥ୍ୟ ଅନୁସାରେ, ଷାଠିଏ ଦଶକରେ ତିଆରି ହୋଇଥିବା ମାଛକୁଣ୍ଡ ପ୍ରକଳ୍ପର ବିସ୍ଥାପିତ ଲୋକେ ଆଜି ବାଲଦା ଅଞ୍ଚଳରେ ବସବାସ କରୁଛନ୍ତି। ଏବେ ଆଦାନୀ କମ୍ପାନୀ ଲାଗି ଓଡ଼ିଶା ସରକାର ସେମାନଙ୍କୁ ପୁଣିଥରେ ବିସ୍ଥାପିତ କରିଦେବେ। ସାଧାରଣ ମଣିଷ ନିଜର ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତ ରହେ ଯେ ସରକାରଙ୍କ ଉପରେ ଭରସା କରିବା ବ୍ୟତୀତ ତା’ ପାଖରେ ଅନ୍ୟ କୌଣସି ରାସ୍ତା ନଥାଏ। କିନ୍ତୁ ସେହି ଭରସା ପୁଣି ତାହା ଲାଗି କାଳ ମଧ୍ୟ ହୋଇଯାଏ।
୪. ଅଭିଯୋଗ ଅନୁସାରେ ଆଦାନୀ କମ୍ପାନୀକୁ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ଦେଖାଇଥିବା କାରଣରୁ ବିରୋଧୀ ଦଳଙ୍କ ଜେପିସି ତଦନ୍ତ ପ୍ରସ୍ତାବକୁ ଗ୍ରହଣ କରିପାରୁନାହାନ୍ତି। ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ୨୦୧୯ ମସିହାରେ ନିଜର ଆଇନରେ ସଂଶୋଧନ ଆଣି କୌଣସି ଅନୁଭୂତି ନଥିବା ଆଦାନୀ କମ୍ପାନୀକୁ ବି ବିମାନବନ୍ଦର ନିର୍ମାଣ କରିବାର ପ୍ରକଳ୍ପ ଦିଆଯିବା ଲାଗି ବ୍ୟବସ୍ଥା କଲେ। ଏହା ପରେ ମୁମ୍ବାଇ ସମେତ ଦେଶର ବୃହତ ୮ଟି ବିମାନ ବନ୍ଦର ମଧ୍ୟରୁ ସାତଟିର ନିର୍ମାଣ ଓ ପରିଚାଳନା ଦାୟିତ୍ଵ ଏବେ ଆଦାନୀ ଗୃପ ହାତରେ ରହିଛି।
୫. ଆଦାନୀ ଏଣ୍ଟରପ୍ରାଇଜେର୍ସ ଭଳି ଏକ ଭାରତୀୟ ବହୁରାଷ୍ଟ୍ରୀୟ ସାର୍ବଜନିକ ପୁଞ୍ଜୀକୃତ କମ୍ପାନୀ (publicly listed holding company) ହୋଇ ମଧ୍ୟ ଭାରତର ଷ୍ଟକ ଏକ୍ଚେଞ୍ଜ ଅଫ ଇଣ୍ଡିଆ (ସେବି) ଦ୍ଵାରା ସମୟ ସମୟରେ ତଦାରଖ ହେଉନାହିଁ। ‘ସେବି’ର ଗିରଫ କରିବା ଓ ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବାର କ୍ଷମତା ମଧ୍ୟ ରହିଛି। ଗଲା କିଛି ଦଶନ୍ଧି ହେଲା ‘ସେବି’ ଏକ ସ୍ଵାଧୀନ ସଂସ୍ଥା ଭାବରେ କାମ ନକରି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଏକ ବିଭାଗ ଭଳି କାମ କରୁଛି। ଗୌତମ ଅଦାନୀଙ୍କ ବଡ଼ ଭାଇ ବିନୋଦ ଅଦାନୀଙ୍କ ନେତୃତ୍ଵରେ ମରିସସ, ଆରବ ଏମିରେଟ୍ସ, ବିଭିନ୍ନ କାରିବିଆନ ଦେଶରେ ୩୮ ଅଚଳ କମ୍ପାନୀ (shell company) ଖୋଲାଯାଇଛି ଓ ତାହା ମାଧ୍ୟମରେ ଆମଦାନୀ ରପ୍ତାନୀ ନାମରେ ଦେଶର ଟିକସର ଠକେଇ ହୋଇଥିବା କଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରୁଛି। ଏହି ରିପୋର୍ଟ ପୁଣି କୁହେ ଯେ ଭିତ୍ତିଭୂମି କ୍ଷେତ୍ରରେ ବିନିଯୋଗ ହେଉଥିବା ପୁଞ୍ଜିର ସିଂହ ଭାଗ ଆଦାନୀକୁ ଯାଉଛି। ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର, ଜାତୀୟ ରାଜପଥ, କୋଇଲା ଆମଦାନୀ, ପାୱାର ପ୍ଳାଣ୍ଟ, ସିମେଣ୍ଟ, ଗ୍ୟାସ, ଷ୍ଟିଲ ଇତ୍ୟାଦି କ୍ଷେତ୍ରରେ ଏକମାତ୍ର ଆବେଦନକାରୀ ଭାବରେ ଗୌତମ ଆଦାନୀ ରହିଛନ୍ତି ଅଥବା ଉପଯୁକ୍ତ ପ୍ରତିଯୋଗୀଙ୍କୁ ସୁଯୋଗ ଦିଆନଯାଇ ସମସ୍ତ ୱାର୍କ ଅର୍ଡର ଆଦାନୀ କମ୍ପାନୀକୁ ଦିଆଯାଉଛି।
୬. କେନ୍ଦ୍ର ସରକାରଙ୍କ ଭଳି ଓଡ଼ିଶା ସରକାରଙ୍କର ଆଦାନୀ ଗୃପ ସହିତ ସମ୍ବନ୍ଧ ବେଶ ଦୀର୍ଘ। ୨୦୧୪ ମସିହା ସେପ୍ଟେମ୍ବର ମାସରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ହୋଇଥିବା ଜନ ଶୁଣାଣିକୁ ଲୋକେ ବିରୋଧ କରି ଆଦାନୀର କୋଇଲା ଖଣି ପ୍ରସ୍ତାବକୁ ବନ୍ଦ କରିଦେଇଥିଲେ। ଏବେ ଓଡ଼ିଶା ସରକାର ଲୋକଙ୍କ ବିରୋଧ ସତ୍ତ୍ୱେ ଛେଣ୍ଡିପଦାର ଦୁଇଟି କୋଇଲା ବ୍ଲକ ସେହି ଆଦାନୀ କମ୍ପାନୀକୁ ନିଲାମ ଦେଇଛନ୍ତି। ମାଲକାନଗିରିର ମାଥିଲି ଅଞ୍ଚଳରେ ଚୂନ ପଥର ଖଣି ଓ ଆଦାନୀ ଗୃପର ଅମ୍ବୁଜା ସିମେଣ୍ଟ ଫ୍ୟାକ୍ଟ୍ରି, ଭଦ୍ରକ ଜିଲ୍ଲାର ଧାମରା ବନ୍ଦର (୨୦୧୪), ଓଡ଼ିଶାରେ ଶିଳ୍ପ କରିଡର “ଭାରତମାଳା ପ୍ରୋଜେକ୍ଟ”ର (ଅବଶ୍ୟ ଏହା କେନ୍ଦ୍ର ସରକାରଙ୍କ ଯୋଜନା) ରାସ୍ତା ନିର୍ମାଣ ଇତ୍ୟାଦି ଅନେକ ପ୍ରକଳ୍ପକୁ ମାତ୍ର ଗଲା କଛି ବର୍ଷ ମଧ୍ୟରେ ଆଦାନୀ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଓଡ଼ିଶାରେ କୌଣସି ଆଲୁମିନା କାରଖାନା ନଥାଇ ବି ରାୟଗଡ଼ା ଜିଲ୍ଲା କାଶୀପୁର ଅନ୍ତର୍ଗତ କୁଟୃମାଳି, କୋରାପୁଟ ଜିଲ୍ଲା ନନ୍ଦପୁରର ବାଲଦା ବକ୍ସାଇଟ ମାଇନ୍ସ ଦିଆଯାଉଛି।
ସରକାରଙ୍କର ଏଭଳି କମ୍ପାନୀ ପ୍ରୀତି କାହିଁକି? କାହିଁକି ଓଡ଼ିଶା ସରକାର ନିଜର ରାଜ୍ୟବାସୀଙ୍କ ବିପକ୍ଷରେ କାମ କରୁଛନ୍ତି? କାହିଁକି ଓଡ଼ିଶା ସରକାର ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ହେବା ପରେ ପରେ ଆଦାନୀ ସହିତ ନିଜର ସମସ୍ତ ସମ୍ପର୍କକୁ ଛିନ୍ନ କରିପାରିଲେ ନାହିଁ? ଏହି ଭଳି ଅନେକ ପ୍ରଶ୍ନ ରାଜ୍ୟବାସୀ ରାଜ୍ୟ ସରକାରଙ୍କୁ ପଚାରିବା ଉଚିତ। ରାଜ୍ୟ ସରକାର ଆଦାନୀକୁ ଦେଇଥିବା ସମସ୍ତ ନିଲାମକୁ ଶୀଘ୍ର ବାତିଲ କରିବା ଲାଗି ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା’ ତରଫରୁ ଦାବି କରାଯାଇଛି। ଓଡ଼ିଶାର ପ୍ରଗତିଶୀଳ ରାଜନୈତିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଏକାଠି ଓଡ଼ିଶା ସରକାରଙ୍କ ସହିତ ଆଦାନୀ କମ୍ପାନୀର ଏଭଳି ସଂପର୍କର ପ୍ରତିବାଦ କରିବା ଉଚିତ।
ଗୋଲକ ବିହାରୀ ନାଥ, ଦେବ ରଞ୍ଜନ (୮୪୫୬୯୩୧୪୨୩ )
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା