ଦେବ ରଞ୍ଜନ
ଆମର ସ୍କୁଲ ସମୟରେ ଆମ ଭିତରେ ଯେତେବେଳେ କୌଣସି ପ୍ରତିଯୋଗୀତା ହେଉଥିଲା, କୁଇଜ ହେଉ ଅଥବା କବାଡ଼ି, ଆମେ ଦୁଇ ଦଳ ହୋଇଯାଉଥିଲୁ। ଗୋଟିଏ ଦଳର ନାମ ‘ଗାନ୍ଧୀ’ ରହୁଥିଲା ଓ ଅନ୍ୟଟିର ନାମ ‘ସୁଭାଷ’।
ଯୁବ ବୟସର ଜୋସ, ପ୍ରତିବାଦ, କ୍ରୋଧ, ଶୀଘ୍ର ଫଳ ହାସଲର ମନୋବୃତ୍ତି କାରଣରୁ ଅଧିକ ସାଙ୍ଗ ‘ସୁଭାଷ’ ଦଳରେ ସାମିଲ ହେଉଥିଲେ। ଆମେ ଦୁଇ ଦଳକୁ ଥଟ୍ଟାରେ ବ୍ୟାଖ୍ୟା କରୁଥିଲୁ ‘ଗୋଟିଏ ଗାଲରେ ଚାପୁଡ଼ା ଦେଲେ ଅନ୍ୟ ଗାଲ ଦେଖାଇଦେ’ ବନାମ ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵରାଜ ଦେବି।’
ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ସମ୍ପର୍କରେ ଅନେକ ପୁସ୍ତକ ମିଳୁଥିଲା। ସେ ମଧ୍ୟରୁ ଶରତ ମହାନ୍ତିଙ୍କ ଲିଖିତ ‘ଗାନ୍ଧୀ ମଣିଷ’ ଅତି ଉତ୍ତମ ପୁସ୍ତକ। ଏହାର ଏବେ ଚତୁର୍ଥ ସଂସ୍କରଣ ବିକ୍ରି ହେଉଛି। ମାତ୍ର ସୁଭାଷ ବୋଷଙ୍କ ସମ୍ପର୍କରେ ଅଧିକ ଜାଣିବା ଲାଗି ଉଦ୍ୟମ କରିବା ସମୟରେ କିନ୍ତୁ ସେ ଭଳି କିଛି ପୁସ୍ତକ ମିଳୁନଥିଲା। ଏବେ ବି ସେହି ସମସ୍ୟା ରହିଛି।
ଅଚଳ କାନ୍ଥ ଘଡ଼ିର କଣ୍ଟା ଯେଉଁଭଳି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକି ଯାଇ କେବଳ ଥରୁଥାଏ କିନ୍ତୁ ଆଗକୁ ଯାଉନଥାଏ ସେହିଭଳି ଦୀର୍ଘ କାଳ ନେତାଜୀଙ୍କ ଅନ୍ତର୍ଦ୍ଧାନ ସମ୍ପର୍କରେ ବିବାଦ ଗଲା ସାତ ଦଶନ୍ଧି ଧରି ଶୁଣିବାକୁ ମିଳୁଥିଲା। ଅନେକ ଛୋଟ ଛୋଟ ପୁସ୍ତିକା ବଜାରରେ ମିଳୁଥିଲା। ସେ ସବୁରେ ବିଶ୍ୱାସଯୋଗ୍ୟ ତଥ୍ୟ ଅପେକ୍ଷା ଅଧିକ ରୋଚକପୂର୍ଣ୍ଣ ବ୍ୟାଖ୍ୟା ରହୁଥିଲା, ଲାଗିବ ଯେମିତି କୌଣସି ଗୁଇନ୍ଦା କାହାଣୀ। ସୁବାଷ ବୋଷ କିଛି ବର୍ଷ ସେହି ଗୁଇନ୍ଦା କାହାଣୀର ଚରିତ୍ର ହୋଇଗଲେ।
ସୁଭାଷ ବୋଷଙ୍କର ବିମାନ ଦୁର୍ଘଟଣାରେ, ଭାରତ ବାହାରେ, ସିଙ୍ଗାପୁର ନିକଟରେ ଅଗଷ୍ଟ ୧୮, ୧୯୪୫ ଦିନ ମୃତ୍ୟୁ ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ଅନେକ ଗୁଜବ ପ୍ରସାରିତ ହେଲା ଓ ତାହା ଅନେକ ଚାପ ସୃଷ୍ଟି କରିଥିଲା। ଭାରତ ସରକାର ନେତାଜୀଙ୍କ ‘ଅନ୍ତର୍ଦ୍ଧାନ’ ପ୍ରସଙ୍ଗକୁ ନେଇ ଅନେକ ବିଚାରବିଭାଗ କମିଟି ପ୍ରତିଷ୍ଠା କରିଛନ୍ତି। ତଥ୍ୟ ଅନୁସାରେ, ୧୯୫୬ ମସିହାରେ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ଶାହା ନବାଜ ଖାନ କମିଟି, ୧୯୭୦ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ଵ ସମୟରେ ଖୋସଲା କମିଶନ, ଏପରିକି ୧୯୯୮ ମସିହାରେ ପଶ୍ଚିମ ବଙ୍ଗ ବିଧାନସଭାରେ ପାସ ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ଜଷ୍ଟିସ ମୁଖାର୍ଜୀ କମିଶନ ପ୍ରତିଷ୍ଠା କରିଥିଲେ।
ଯେତେବେଳେ ନରେନ୍ଦ୍ର ମୋଦୀ ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ନେତାଜୀ ସୁବାଷ ବୋଷଙ୍କ ପରିବାରର କିଛି ସଦସ୍ୟ/ସଦସ୍ୟାଙ୍କୁ ଆଣି ଦିଲ୍ଲୀ ଠାରେ ଆଲୋଚନା ଆରମ୍ଭ କଲେ ଓ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାର ପ୍ରତିଶୃତି ଦେଲେ ସେତେବେଳେ ମୁଁ ନିଶ୍ଚିତ ହେଲି ଯେ ଅନ୍ତତଃ ସୁବାଷ ବୋଷ ଏହାପରେ ଗୁଇନ୍ଦା ବହିର ଚରିତ୍ର ହୋଇ ଆଉ ରହିବେ ନାହିଁ।
ଶେଷରେ ତାହା ହିଁ ହେଲା। କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଥିଲା ସୁବାଷ ବୋଷଙ୍କ ସହିତ ନେହେରୁ, ଗାନ୍ଧୀ ଓ ଜାତୀୟ କଂଗ୍ରେସ ସହିତ ରହିଥିବା ବିବାଦର କିଛି ସୁଯୋଗ ସେ ନେଇପାରିବେ। ମୃତ୍ୟୁର କିଛି ନୂତନ ରହସ୍ୟ ଉନ୍ମୋଚନ କରି କଂଗ୍ରେସକୁ ବଦନାମ କରିପାରିବେ। କିନ୍ତୁ ସେହିଭଳି କିଛି ପ୍ରମାଣଯୋଗ୍ୟ ତଥ୍ୟ ନମିଳିବା କାରଣରୁ ନେତାଜୀଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କାର୍ଯ୍ୟକ୍ରମରେ ଭଟ୍ଟା ଆସିଗଲା। ଦୀର୍ଘ ଦଶ ବର୍ଷ ହେଲା ନେତାଜୀଙ୍କ ଅନ୍ତର୍ଦ୍ଧାନକୁ ନେଇ ଆଉ କୌଣସି ଆଲୋଚନା ହେଉନାହିଁ।
ଏହି ସମୟ କାଳ ମଧ୍ୟରେ କେନ୍ଦ୍ର ସରକାର ଯଦି ସୁବାଷ ବୋଷଙ୍କ ବିଚାରକୁ ନେଇ ଭଲ ପୁସ୍ତକ ରଚନା କରାଇପାରିଥାନ୍ତେ ତେବେ ‘ସ୍ଵାଧୀନ ଭାରତର ନିର୍ମାଣ’ର ସ୍ଵପ୍ନ ଯେ ନେତାଜୀଙ୍କର କେଉଁଭଳି ଥିଲା ସେ ସମ୍ପର୍କରେ ଅଧିକ ଆଲୋଚନା ହୋଇପାରିଥାନ୍ତା।
ଓଡ଼ିଆ ଭାଷାରେ ଏହି ଆବଶ୍ୟକତାକୁ ପୂରଣ କରୁଛି ନିକଟରେ ପ୍ରକାଶିତ ପ୍ରାଧ୍ୟାପକ ବୀରେନ୍ଦ୍ର ନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ପ୍ରସଙ୍ଗରେ ନେତାଜୀ’। ଉକ୍ତ ପୁସ୍ତକ ଅନୁସାରେ ନୂତନ ଭାରତ ସମ୍ପର୍କରେ ନେତାଜୀ ନିଜର ଅଭିଳାଷ ପୋଷଣ କରି ୧୯୪୨ ମସିହାରେ ଲେଖୁଛନ୍ତି, ‘ଯେତେବେଳେ ବ୍ରିଟିଶ ଭାରତରୁ ବହିଷ୍କୃତ ହେବେ, ପ୍ରଥମ କାର୍ଯ୍ୟ ହେବ ଏକ ନୂତନ ସରକାର ଗଠନ ତଥା ବ୍ୟବସ୍ଥା ଓ ନାଗରିକ ନିରାପତ୍ତାର ପ୍ରତିଷ୍ଠା। ....(ସ୍ଵାଧୀନ) ରାଷ୍ଟ୍ର ପ୍ରତ୍ୟେକ ବ୍ୟକ୍ତି ଓ ଗୋଷ୍ଠୀକୁ ଧର୍ମୀୟ ଓ ସାଂସ୍କୃତିକ ସ୍ଵାଧୀନତାର ଗ୍ୟାରେଣ୍ଟି ଦେବ ଏବଂ ରାଷ୍ଟ୍ରର କୌଣସି ଧର୍ମ ରହିବ ନାହିଁ।’
ଗଲା ବର୍ଷ କିନ୍ତୁ ନେତାଜୀ ସୁଭାଷ ବୋଷ ପୁଣି ଥରେ ନୂତନ ବିବାଦ ଭିତରକୁ ଚାଲିଆସିଲେ। ଏଥର ତାଙ୍କର ଅନ୍ତର୍ଦ୍ଧାନ ରହସ୍ୟକୁ ନେଇ ନଥିଲା। ଦକ୍ଷିଣପନ୍ଥୀ ବିଚାର ପ୍ରତି ଆନୁଗତ୍ୟ ରଖୁଥିବା ବ୍ୟକ୍ତି ଓ ସଂଗଠନମାନେ ସଭରକରଙ୍କ ସହିତ ନେତାଜୀଙ୍କୁ ମଧ୍ୟ ନିଜର ଆଦର୍ଶ ଭାବରେ ସ୍ମରଣ କରିବା ଆରମ୍ଭ କରିଥିଲେ। ସଭରକରଙ୍କ ସମଗ୍ର ଜୀବନକୁ ଦୁଇ ଭାଗ କରି ଦେଖାଯିବା ଆବଶ୍ୟକ। ରାଷ୍ଟ୍ରର ଯେ କୌଣସି ଧର୍ମ ରହିବ ନାହିଁ ଏ କଥାକୁ ଦକ୍ଷିଣପନ୍ଥୀ ବିଚାର ଗୋଷ୍ଠୀ ଲୁଚାଇବାକୁ ଚେଷ୍ଟା କଲେ।
ଲଣ୍ଡନ ସ୍ଥିତ ଇଣ୍ଡିଆ ଅଫିସର ଜଣେ ବରିଷ୍ଠ ସଦସ୍ୟଙ୍କୁ ହତ୍ୟା ହେତୁ ସେହି ଷଡ଼ଯନ୍ତ୍ର ମାମଲାରେ ସଭରକରଙ୍କୁ ବ୍ରିଟିଶ ପୁଲିସ ଗିରଫ କରିଥିଲା। ସେ ଆଣ୍ଡାମାନ ନିକୋବର ଜେଲରେ ବନ୍ଦୀ ଜୀବନ ବିତାଇଥିଲେ। ମାତ୍ର ଜେଲରେ ନିଜର ଦୋଷ ସ୍ଵୀକାର କରି ମୁକ୍ତ ହେବା ପରେ ସେ ‘ହିନ୍ଦୁ ମହାସଭା’ ଗଠନ କରିଥିଲେ। ଏହାର ସଭାପତି ରହିଆସିଥିବା ସଭରକର ଦୁଇ ରାଷ୍ଟ୍ର ନିର୍ମାଣର (ହିନ୍ଦୁ ରାଷ୍ଟ୍ର ଓ ମୁସଲମାନ ରାଷ୍ଟ୍ର) ମୁଖ୍ୟ ପ୍ରବକ୍ତା ଥିଲେ।
ଦକ୍ଷିଣପନ୍ଥୀ ସଂଗଠନ ନେତାଜୀଙ୍କୁ ସଭରକରଙ୍କ ସହିତ ଯୋଡ଼ିବାକୁ ନେଇ ଦେଶରେ ପ୍ରତିବାଦ ଦେଖାଯାଇଥିଲା। କାରଣ ନେତାଜୀ ଆଦୌ ସମ୍ପ୍ରଦାୟିକ ବିଚାରର ନଥିଲେ। ସେ ନିଜର ‘ସ୍ଵାଧୀନ ଭାରତ ଓ ତାହାର ସମସ୍ୟା’ରେ ଭବିଷ୍ୟତ ଭାରତ ସମ୍ପର୍କରେ ଲେଖୁଛନ୍ତି, ‘ରାଜନୈତିକ ଏବଂ ଅର୍ଥନୈତିକ ଅଧିକାର କ୍ଷେତ୍ରରେ ସମୁଦାୟ ଜନଗଣଙ୍କ ମଧ୍ୟରେ ପୂର୍ଣ୍ଣ ସମାନତା ରହିବ। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତିର ଥିବା ରୋଜଗାର, ଖାଦ୍ୟ, ଶିକ୍ଷା ଏବଂ ଧର୍ମ ଓ ସଂସ୍କୃତି ବିଷୟରେ ସ୍ଵାଧୀନତା ଆସିବ, ସେତେବେଳେ ଭାରତରେ ସଂଖ୍ୟାଲଘୁ ସମସ୍ୟା ଆଉ ରହିବ ନାହିଁ।’ (‘ପ୍ରସଙ୍ଗରେ ନେତାଜୀ’, ପୃଷ୍ଠା ୧୫୫)
ସ୍ଵାଧୀନ ଭାରତର ନୂତନ ସରକାର ସମ୍ପର୍କରେ ସୁଭାଷ ବୋଷଙ୍କ ପରିକଳ୍ପନା ହେଉଛି, ‘ଦେଶ ସ୍ଵାଧୀନ ହେଲାପରେ ଏକ ଶକ୍ତିଶାଳୀ କେନ୍ଦ୍ର ସରକାର ଗଠନ ହେବ। ଏପରି ସରକାର ବିନା ବ୍ୟବସ୍ଥା ଓ ନାଗରିକ ନିରାପତ୍ତାକୁ ସୁରକ୍ଷିତ ରଖାଯାଇପାରିବ ନାହିଁ। ସରକାର ପଛରେ ରହିବ ଏକ ସୁସଙ୍ଗଠିତ, ଶୃଙ୍ଖଳିତ ସର୍ବଭାରତୀୟ ଦଳ ଯିଏ ଜାତୀୟ ଏକତା କାଏମ ରଖିବାର ପ୍ରମୁଖ ସାଧନ ହେବ।’
ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ଦୁଇ ଥର (୧୯୩୮ ଓ ୧୯୩୯) ନିର୍ବାଚିତ ହୋଇଥିଲେ। ଦ୍ଵିତୀୟ ଥର ସଭାପତି ଥିବା ସମୟରେ ‘ଫରୱାର୍ଡ ବ୍ଲକ’ ପାର୍ଟି ଗଠନ କରିଥିଲେ। ଏହି ନୂତନ ପାର୍ଟିର ଆହ୍ଵାନରେ କଲିକତାରେ ଏକ ବିକ୍ଷୋଭରେ ଭାଗ ନେଲା ବେଳେ ୧୯୪୦ ଜୁଲାଇରେ ସେ ବ୍ରିଟିଶ ପୁଲିସ ଦ୍ଵାରା ଗିରଫ ହେଲେ ଓ ତାହାର ପରବର୍ଷ ଅର୍ଥାତ ୧୯୪୧ ରେ ମହମ୍ମଦ ଜିଆଉଦ୍ଦୀନ ଛଦ୍ମ ନାମରେ ଲୁଚିକରି ଆଫଗାନିସ୍ତାନ ଦେଇ ସିଧା ଜର୍ମାନୀ ପହଞ୍ଚିଯାଇଥିଲେ।
ଶତୃର ଶତୃ ମିତ୍ର ହୋଇଥାଏ ବୋଲି ସାଧାରଣରେ କଥା ଅଛି। ସେ ସମୟରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ଜର୍ମାନୀ ଓ ଜାପାନ ଅକ୍ଷଶକ୍ତି (Axis Power) ପଟରେ ଥିବା ବେଳେ ଆମେରିକା, ରୁଷିଆ ସହିତ ବ୍ରିଟିଶ ଓ ଏହାର ଉପନିବେଶ ଭାବରେ ଭାରତ ମିତ୍ରଶକ୍ତି (Allies Power) ପଟରେ ଥିଲା। ସୁଭାଷଙ୍କ ଦୃଷ୍ଟିରେ ଏହାର କାରଣ ଥିଲା ଯେ ବ୍ରିଟିଶକୁ ଭାରତରୁ ହଟାଇବାକୁ ହେଲେ ଜର୍ମାନୀ ଓ ଜାପାନର ସାହାଯ୍ୟ ନେବାରେ ଅସୁବିଧା ନାହିଁ। ମହାତ୍ମା ଗାନ୍ଧୀ କିନ୍ତୁ ଏହାକୁ ବିରୋଧ କରୁଥିଲେ। ଗୋଟିଏ ସାମ୍ରାଜ୍ୟବାଦୀ ଦେଶର କବଳରୁ ମୁକ୍ତ ହୋଇ ଅନ୍ୟ ଏକ ସାମ୍ରାଜ୍ୟବାଦୀ ଦେଶର ଅଧୀନକୁ ଯିବା ସହିତ ସମାନ ବୋଲି ସେ ମନେକରୁଥିଲେ। ଉଭୟଙ୍କ ମଧ୍ୟରେ ଏହା ମତଭେଦର ମୁଖ୍ୟ କାରଣ ଥିଲା। ଏହା କଦାପି ଶତୃତାରେ ପରିଣତ ହୋଇନଥିଲା। ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରେଙ୍ଗୁନରୁ ସୁଭାଷ ଦେଇଥିବା ରେଡିଓ ବାର୍ତ୍ତା (ଜୁଲାଇ ୬, ୧୯୪୪) ଏହାର ବଳିଷ୍ଠ ପ୍ରମାଣ।
ସମ୍ଭବତଃ ସୁଭାଷ ବୋଷ ଜର୍ମାନୀର ତତ୍କାଳୀନ ଶାସକ ଆଡଲଫ ହିଟଲରଙ୍କୁ ସାକ୍ଷାତ କରିବା ଓ ତାଙ୍କର ସହଯୋଗ ନେବାକୁ ଭାରତର ଦକ୍ଷିଣପନ୍ଥୀ ଗୋଷ୍ଠୀ ତାଙ୍କୁ ନିଜର ଆଦର୍ଶ ମନେକରୁଛନ୍ତି। ସୁଭାଷ ବୋଷ ଭାରତ ସ୍ଵାଧୀନତା ଲାଗି ‘ଆଜାଦ ହିନ୍ଦ ଫଉଜ’ ଗଠନ କରିଥିଲେ। ଏହି ‘ହିନ୍ଦ’ର ଅର୍ଥ ହିନ୍ଦୁ ବୋଲି ଦକ୍ଷିଣପନ୍ଥୀମାନେ ଯୁକ୍ତି କରୁଛନ୍ତି। କିନ୍ତୁ ତାହା ନୁହେଁ। ଏହା ହିନ୍ଦୁ ନୁହେଁ ଏହା ହିନ୍ଦୁସ୍ତାନ ବା ଭାରତ। ଆଜାଦ ଭାରତ ଲାଗି ଏହି ଫଉଜର ସୃଷ୍ଟି।
ସୁଭାଷ ବୋଷଙ୍କ ନେତୃତ୍ଵରେ ‘ଆଜଦ ହିନ୍ଦ ଫଉଜ’ ବର୍ମାର ରାଜଧାନୀ ରେଙ୍ଗୁନ (ଆଜିର ନାମ ୟଙ୍ଗୋନ) ଠାରୁ ନିଜର ଅଭିଯାନ ଆରମ୍ଭ କରିଥିଲା। ଜୁଲାଇ ୪, ୧୯୪୪ରେ ନେତାଜୀ ରେଙ୍ଗୁନ ସହରରେ ନିଜର ସାଥୀମାନଙ୍କୁ ଉଦବୋଧନ ଦେଇ କହିଥିଲେ, ‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵରାଜ ଦେଉଛି।’
ସେହି ରେଙ୍ଗୁନ ସହରରେ ବାହାଦୁର ଶାହା ଜାଫରଙ୍କ ସମାଧି ସ୍ଥଳ ନିକଟରେ ନିଜର ଶପଥ ନେବା ସମୟରେ କହିଥିଲେ, ‘ଏହି ସ୍ଥାନ ଯେଉଁଠାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ସେନାପତି ତାଙ୍କର ଶରୀର ତ୍ୟାଗ କରିଥିଲେ ତାହା ଭାରତର ଶେଷ ସ୍ଵାଧୀନତା ସଂଗ୍ରାମର ଆରମ୍ଭ ସ୍ଥାନ। ଏହି ପବିତ୍ର ଭୂମିରୁ ଆମର ବାହିନୀ ସେମାନଙ୍କର ମାତୃଭୂମି ଆଡ଼କୁ ଅଗ୍ରସର ହେଉଛି। (‘ପ୍ରସଙ୍ଗରେ ନେତାଜୀ’)
ସିପାହୀ ବିଦ୍ରୋହ (୧୮୫୭)କୁ ଇଂରେଜ ସରକାର ସଫଳତାର ସହିତ ଦମନ କରିବା ପରେ ଏହାର ମନୋନୀତ ସେନାପତି ମୋଗଲ ସାମ୍ରାଜ୍ୟର ଶେଷ ସମ୍ରାଟ ବୃଦ୍ଧ ବାହାଦୁର ଶାହା ଜାଫରଙ୍କୁ ଦିଲ୍ଲୀ ଠାରେ ବନ୍ଦୀ କରି ରେଙ୍ଗୁନ ପଠାଇ ଦିଆଯାଇଥିଲା। ଜାଫର ସେହି ବନ୍ଦୀ ଥିବା ଅବସ୍ଥାରେ ରେଙ୍ଗୁନରେ ମୃତ୍ୟୁବରଣ କରିଥିଲେ।
ସେହି ଜାଫରଙ୍କୁ ନିଜର ଆଦର୍ଶ ମାନୁଥିବା ନେତାଜୀଙ୍କୁ ଦକ୍ଷିଣପନ୍ଥୀ ବିଚାରର ସଂଗଠନମାନେ ସାମ୍ପ୍ରଦାୟିକ କରିବାକୁ ଉଦ୍ୟମ କରୁଛନ୍ତି। ଜାତିପ୍ରଥାର ଘୋର ବିରୋଧୀ ବିବେକାନନ୍ଦ, ସଂପୂର୍ଣ୍ଣ ନାସ୍ତିକ ତଥା କମ୍ୟୁନିଷ୍ଟ ବିଚାରର ଭଗତ ସିଂ ଓ ଧର୍ମନିରପେକ୍ଷ ସୁଭାଷ ବୋଷଙ୍କୁ ନିଜର ଆଦର୍ଶ ବୋଲି ସେମାନେ ଘୋଷଣା କରୁଛନ୍ତି। ସେମାନେ କିନ୍ତୁ ବିବେକାନନ୍ଦ, ଭଗତ ସିଂ ଓ ସୁଭାଷ ବୋଷଙ୍କ ବିଚାର ଦ୍ଵାରା ପ୍ରଭାବିତ ହେଉନାହାନ୍ତି। ଏହା କେବଳ ଯୁବଶକ୍ତିଙ୍କୁ ପ୍ରଭାବିତ କରିବା ଲାଗି କରାଯାଉଛି।
ଏହି ଉଦ୍ୟମରେ ସଫଳ ହେଲେ ନାହିଁ। ଏହି ସମସ୍ତ ଉଦ୍ୟମ ବିଫଳ ହେବା ପରେ ଏବେ ସଂପୂର୍ଣ୍ଣ ଇତିହାସର ପୃଷ୍ଠାକୁ ବଦଳାଇବା ଉଦ୍ୟମ ହେଉଛି। ଇତିହାସର ଅନେକ ଧର୍ମନିରପେକ୍ଷ ପ୍ରସଙ୍ଗ ଓ ସମ୍ପ୍ରଦାୟିକ ଶକ୍ତିଙ୍କୁ ନ୍ୟୁନ କରି ଦେଖୁଥିବା ପ୍ରସଙ୍ଗକୁ ବାଦ ଦିଆଯାଉଛି।
ଏଥିରେ ମୁକ୍ତ ବିଚାରର ପୃଥିବୀ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଛି।
ମୋବାଇଲ- ୯୪୩୭୭୬୨୨୭୨