/odisha-reporter/media/media_files/2026/01/23/netaji-2026-01-23-11-29-32.jpg)
Netaji Photograph: (Internet)
ସର୍ବେଶ୍ୱର ବେହେରା
ଭାରତକୁ ଇଂରେଜ କବଳରୁ ମୁକ୍ତ କରିବା ପାଇଁ ଏକ ଅଖଣ୍ଡ ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶବ୍ୟାପୀ ଅଗଣିତ ବିପ୍ଳବୀ ତ୍ୟାଗ ଓ ବଳିଦାନ ଦେଇଥିଲେ। ଏମାନଙ୍କ ମଧ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅଗ୍ରଗଣ୍ୟ। ସେ ଅଖଣ୍ଡ ସ୍ୱାଧୀନ ଭାରତ ଗଠନ ନିମିତ୍ତ ପ୍ରଚେଷ୍ଟା କରିଛନ୍ତି, ତାହାକୁ ନିଜ ଜୀବଦ୍ଦଶା ମଧ୍ୟରେ ସାକାର ମଧ୍ୟ କରିଛନ୍ତି। ତାଙ୍କ ଦ୍ୱାରା ଗଠିତ ଆଜାଦ ହିନ୍ଦ୍ ଫୌଜ ଅଖଣ୍ଡ ଭାରତ ସରକାର ଥିଲା। ଆଜାଦ ହିନ୍ଦ୍ ଫୌଜର ତ୍ୟାଗ ଓ ବଳିଦାନ ଫଳରେ ଭାରତୀୟମାନଙ୍କ ମନରେ ରାଷ୍ଟ୍ରବାଦର ନବ ଉନ୍ମେଷ ହେଲା। ତାଙ୍କର ଉଦ୍ଘୋଷ ‘ଜୟ ହିନ୍ଦ୍’ ରାଷ୍ଟ୍ରୀୟ ସ୍ଲୋଗାନରେ ପରିଣତ ହେଲା। ଭାରତୀୟ ଯୁବ ମାନସରେ ଏହା ବୈଦ୍ୟୁତିକ ସଞ୍ଚାର ହୋଇଥିଲା। ଭାରତୀୟ ସେନା ଓ ପୁଲିସ ମଧ୍ୟରେ ନବଜାଗରଣ ଓ ରାଷ୍ଟ୍ରୀୟତାର ଭାବ ଉଦ୍ରେକ ହେଲା। ଇଂରେଜମାନେ ସେତେବେଳେ ଜାଣିଲେ ଭାରତୀୟ ସୈନ୍ୟବାହିନୀ ଓ ପୁଲିସମାନଙ୍କ ଦ୍ୱାରା ଶାସନ କରିବା ଅସମ୍ଭବ ହୋଇଯିବ। ଏଣୁ ସେମାନେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ପାଇଁ ବାଧ୍ୟ ହେଲେ।
ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କର ଆଜାଦ ହିନ୍ଦ୍ ଫୌଜର ଯୋଗଦାନ ଅତୁଳନୀୟ ଥିଲା। ଭାରତ ବାହାରେ ପ୍ରାୟ ଏକ ଲକ୍ଷ ସୈନିକମାନଙ୍କୁ ଏକତ୍ର କରି ଭାରତରେ ଶାସନ କରୁଥିବା ଦୁର୍ଦ୍ଧର୍ଷ ଇଂରେଜମାନଙ୍କ ବିରୋଧରେ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ସୈନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଦ୍ଧା ପୃଥିବୀ ଇତିହାସରେ ବିରଳ। ସିଙ୍ଗାପୁରଠାରେ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ଦିନ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ତା’ର ରାଷ୍ଟ୍ରନାୟକ ରୂପେ ସେ ଯେଉଁ ପ୍ରତିଜ୍ଞା କରିଥିଲେ, ସେଥିରୁ ତାଙ୍କର ମନ ମଧ୍ୟରେ ଥିବା ରାଷ୍ଟ୍ରଭକ୍ତିର ଜ୍ୱାଳାକୁ ଜାଣିହୁଏ। ସେ ପ୍ରତିଜ୍ଞା କରି କହିଥିଲେ, ‘ମୁଁ ଈଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ ଭାରତର ୩୮୦ ନିୟୁତ ଅଧିବାସୀଙ୍କୁ ଦାସତ୍ୱ ବନ୍ଧନରୁ ମୁକ୍ତ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରିବି। ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏହି ପ୍ରତିଜ୍ଞାକୁ ପାଳନ କରିବି। ଭାରତୀୟମାନଙ୍କୁ ସ୍ୱାଧୀନତା ପ୍ରଦାନ ପାଇଁ ମୁଁ ଆଜୀବନ ପ୍ରଚେଷ୍ଟା ଜାରି ରଖିବି। ସ୍ୱାଧୀନତା ପରେ ଭାରତୀୟମାନଙ୍କ କଲ୍ୟାଣ ପାଇଁ ମୋର ସମଗ୍ର ଜୀବନ ଉତ୍ସର୍ଗ କରିବା ପାଇଁ ପ୍ରଚେଷ୍ଟା କରୁଛି।’
ଏହି ଆଜାଦ୍ ହିନ୍ଦ୍ ସରକାରକୁ ଜାପାନ, ଜର୍ମାନୀ, ଇଟାଲୀ, ବ୍ରହ୍ମଦେଶ, ଫିଲିପାଇନ୍ସ, ନାନକିଂ, କ୍ରୋଏସିଆ, ମାଞ୍ଚିକୋ, ଥାଇଲାଣ୍ଡ ଆଦି ଦେଶଗୁଡ଼ିକ ସ୍ୱୀକୃତି ପ୍ରଦାନ କରିଥିଲେ। ନେତାଜୀ ସୁଭାଷଙ୍କ ସାହସିକ ସଂକଳ୍ପ ଓ ପରିସ୍ଥିତିର କୂଟନୈତିକ ଅନୁଶୀଳନ ତତ୍କାଳୀନ ଅନେକ ରାଷ୍ଟ୍ରମୁଖ୍ୟଙ୍କ ଧ୍ୟାନ ଆକର୍ଷଣ କରିଥିଲା। ବ୍ରହ୍ମଦେଶର ପ୍ରଧାନମନ୍ତ୍ରୀ ବା ମାଓ କହିଥିଲେ, ‘ଭାରତର ସ୍ୱଧୀନତା ଲାଭ ବ୍ୟତୀତ ଏସିଆର ମୁକ୍ତି ସମ୍ଭବ ନୁହେଁ। ତେଣୁ ଭାରତର ମୁକ୍ତି ସଂଗ୍ରାମରେ ନେତାଜୀଙ୍କ ପ୍ରଚେଷ୍ଟାକୁ ସମସ୍ତ ଭାରତ ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରିବା ଆବଶ୍ୟକ।’
୧୯୪୪ ଜାନୁଆରୀ ୫ ତାରିଖରେ ନେତାଜୀ ସୁଭାଷ ତାଙ୍କର ଆଜାଦ୍ ହିନ୍ଦ୍ ସରକାରର ମୁଖ୍ୟ କାର୍ଯ୍ୟାଳୟ ସିଙ୍ଗାପୁରରୁ ବ୍ରହ୍ମଦେଶରର ରାଜଧାନୀ ରେଙ୍ଗୁନକୁ ଉଠାଇ ନେଇଥିଲେ। ଗୋଟିଏ ସରକାରର ସର୍ବନିମ୍ନ ଯାହା ଆବଶ୍ୟକ ତାହାକୁ ସେ ଗଠନ କରିଥିଲେ। ନିଜର ମନ୍ତ୍ରିମଣ୍ଡଳ, ସୈନ୍ୟବାହିନୀ, ବ୍ୟାଙ୍କ, ଗୁପ୍ତଚର ସଂସ୍ଥା, ରେଡ଼ିଓ ବେତାର ଯନ୍ତ୍ର ଆଦି ସମସ୍ତ ନିର୍ମାଣ କରିଥିଲେ। ଆଜାଦ୍ ହିନ୍ଦ୍ ରେଡ଼ିଓକୁ ନେତାଜୀଙ୍କ ସ୍ୱର ‘ମୁଁ ସୁଭାଷ କହୁଛି- ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଶୁଣିବା ପରେ ପ୍ରତ୍ୟେକ ଭାରତୀୟମାନଙ୍କ ମଧ୍ୟରେ ଦେଶ ଭକ୍ତିର ଭାବ ଜାଗ୍ରତ ହୋଇଥିଲା। ସମସ୍ତେ ନେତାଜୀଙ୍କ ରେଡ଼ିଓକୁ ଶୁଣିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ।
ପରବର୍ତ୍ତୀ ସମୟରେ ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜ ଭାରତ ଅଭିମୁଖେ ଅଗ୍ରସର ହେଲା। ଫୌଜର ମେଜର ରାଠୋର କର୍ଣ୍ଣେଲ ସାହାନାୱାଜ୍ ଖାଁ ତଥା ମହିଳା ରାଣୀ ଝାନ୍ସୀ ବ୍ରିଗେଡ଼ଙ୍କ ପକ୍ଷରୁ ଭାରତ ଅଭିମୁଖେ ରେଙ୍ଗୁନ ପଟୁ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଇଂରେଜ ସୈନ୍ୟଙ୍କ ବିରୋଧରେ ସଶସ୍ତ୍ର ସଂଗ୍ରାମ ହୋଇଥିଲା। ପ୍ରଥମେ ଭାରତର ପୂର୍ବରେ ଥିବା ଦୁଇଟି ଦ୍ୱିପପୁଞ୍ଜ ଆଣ୍ଡାମାନ ଓ ନିକୋବରକୁ ଦଖଲ କରିଥିଲେ। ନେତାଜୀ ଆଣ୍ଡାମାନର ନାମ ‘ସହିଦ’ ଓ ନିକୋବର ଦ୍ୱୀପର ନାମ ‘ସ୍ୱରାଜ’ ପ୍ରଦାନ କରିଥିଲେ। ପରେ ଆଜାଦ୍ ହିନ୍ଦ୍ ଫୌଜ ଇମ୍ଫାଲ ଓ କୋହିମା ଆଦି ଅଞ୍ଚଳ ଦଖଲ କରିଥିଲେ।
୧୯୪୪ ଏପ୍ରିଲ ୧୪ ତାରିଖ ଥିଲା ଏକ ଐତିହାସିକ ଦିବସ। ଆଜାଦ୍ ହିନ୍ଦ୍ ଫୌଜ ନେତୃତ୍ୱରେ ନେତାଜୀ ମଣିପୁର ଦଖଲ କରି ମୌରାଙ୍ଗ ଠାରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଫୌଜର ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ଭାଷଣ ପ୍ରଦାନ କରି ନେତାଜୀ କହିଥିଲେ- ‘ଇଂରେଜ ଶାସନରେ କାର୍ଯ୍ୟରତ ଭାରତୀୟ ସୈନିକ, ଅଧିକାରୀ, ପୁଲିସ ଓ ଭାରତୀୟ ନାଗରିକ ଗଣ! ସମସ୍ତେ ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ କରି ଅଗ୍ରସର ହେଉଥିବା ଆଜାଦ ହିନ୍ଦ୍ ଫୌଜର ସୈନ୍ୟବାହିନୀକୁ ସାହାଯ୍ୟ କରିବାକୁ ତତ୍ପର ହୁଅନ୍ତୁ...। ଦିଲ୍ଲୀ ଅଭିମୁଖେ ଯାତ୍ରାପଥ ହିଁ ସ୍ୱାଧୀନତାର ଯାତ୍ରା ପଥ। ଏଣୁ ଆମର ଅନ୍ତିମ ଲକ୍ଷ୍ୟ, ‘ଦିଲ୍ଲୀ ଚଲୋ।’ ନେତାଜୀଙ୍କ ଏହି ଆହ୍ୱାନକୁ ସମସ୍ତ ଭାରତୀୟ ସ୍ୱୀକାର କରିଥିଲେ। ମାନସିକ ସ୍ତରରେ ଫୌଜକୁ ସହଯୋଗ କରିବା ସହିତ ଭାରତୀୟମାନଙ୍କ ଅନ୍ତଃକରଣରେ ରାଷ୍ଟ୍ରଭକ୍ତିର ବହ୍ମି ଉଦ୍ରେକ ହୋଇଥିଲା। ଦେଶର ଯୁବସମାଜ ନେତାଜୀଙ୍କ ସ୍ଲୋଗାନ ‘ଜୟ ହିନ୍ଦ୍’କୁ ନିଜ ମଧ୍ୟରେ ଆଦାନ ପ୍ରଦାନ କରିବା ଆରମ୍ଭ କରିଦେଲେ। ଭାରତୀୟ ସୈନ୍ୟବାହିନୀ ଓ ପୋଲିସ ପ୍ରଶାସନ ମଧ୍ୟରେ ଦେଶପ୍ରୀତିର ଭାବନା ଝଙ୍କୃତ ହୋଇଥିଲା। ଏହାପରେ ଇଂରେଜ ସାମ୍ରାଜ୍ୟ ପ୍ରମାଦ ଗଣିବାକୁ ଆରମ୍ଭ କଲା।
‘ଦିଲ୍ଲୀ ଚଲ୍ଲୋ’ ଡାକରା ଦେଇ ଆଜାଦ୍ ହିନ୍ଦ୍ ଫୌଜ ଭାରତ ମଧ୍ୟକୁ ଅଗ୍ରସର ହେଉଥିଲା। ଫୌଜର ହଜାର ହଜାର ସୈନିକମାନଙ୍କ ବଳିଦାନ ହୋଇଥିଲା। ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ଦୁଇଟି ବଡ଼ ବଡ଼ ସହର ନାଗାସାକି ଓ ହୀରୋସୀମା ଉପରେ ଆମେରିକା ପରମାଣୁ ବୋମା ମାଡ଼ କରି ଧ୍ୱଂସ କରିଦେଇଥିଲା। ଜାପାନ ବିଶ୍ୱ ଯୁଦ୍ଧରେ ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ କିଛି ରାସ୍ତା ନଥିଲା। ନେତାଜୀଙ୍କ ଆଜାଦ୍ ହିନ୍ଦ୍ ସରକାର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମର୍ମାହତ ହୋଇ ଭାଙ୍ଗି ପଡ଼ିଥିଲେ। କିନ୍ତୁ ନେତାଜୀ ଥିଲେ ଅବିଚଳ ସାହସୀ ଯୋଦ୍ଧା। ନେତାଜୀଙ୍କ ଦୁର୍ଦ୍ଦମ୍ୟ ଓ ଦୁର୍ଜୟ ଅନ୍ତରାତ୍ମା ସହଜରେ ଭାଙ୍ଗିପଡ଼ି ନଥିଲା। ସେନାଧ୍ୟକ୍ଷ ରୂପେ ନେତାଜୀ ଶେଷ ଥର ପାଇଁ ନିଜର ପ୍ରିୟ ସୈନିକମାନଙ୍କୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ଭାଷାରେ ଉଦ୍ବୋଧନ ଦେଇ କହିଥିଲେ, ‘ଜାପାନର ଆତ୍ମସମର୍ପଣ ଭାରତର ଆତ୍ମସମର୍ପଣ ନୁହେଁ। ବନ୍ଧୁଗଣ! ଦେଖ, ଆମେ ହିଁ ଏକମାତ୍ର ଶକ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହୁଁ। ଆମେମାନେ ବର୍ତ୍ତମାନ ସ୍ୱପ୍ନରେ କଳ୍ପନା କରିନଥିବା ଏକ ସଂକଟରେ ଉପନୀତ। ତୁମେମାନେ ହୁଏତ ଉପଲବ୍ଧ କରୁଛ ଯେ ଭାରତକୁ ସ୍ୱାଧୀନ କରିବାର ମହାନ ଲକ୍ଷ୍ୟ ବିଫଳ ହୋଇଛି। ମୁଁ କିନ୍ତୁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଏହି ବିଫଳତା କେବଳ କ୍ଷଣସ୍ଥାୟୀ। ଆପଣମାନଙ୍କ ସମସ୍ତ ପ୍ରଚେଷ୍ଟାକୁ ଏହି ସାମୟିକ ପରାଜୟ ଅକାମି କରିପାରିବ ନାହିଁ। ଏହି ଅନ୍ଧକାର ମୁହୂର୍ତ୍ତରେ ମୁଁ ଆପଣମାନଙ୍କୁ ଆହ୍ୱାନ ଦେଉଛି ଯେ, ବିପ୍ଳବୀ ବାହିନୀର ସହଯୋଗୀ ହୋଇ ଶୃଙ୍ଖଳିତ ମର୍ଯ୍ୟାଦାଯୁକ୍ତ ଓ ଶକ୍ତିସମ୍ପନ୍ନ ଆଚରଣ କର। ଦିଲ୍ଲୀରେ ପହଞ୍ଚିବା ପାଇଁ ବହୁ ବିକଳ୍ପ ପଥ ରହିଛି ଓ ଆମର ଲକ୍ଷ୍ୟସ୍ଥଳରେ ଆମେ ନିଶ୍ଚିନ୍ତ ପହଞ୍ଚିବା। ପୃଥିବୀର କୌଣସି ଶକ୍ତି ଭାରତକୁ ଦୀର୍ଘଦିନ ପର୍ଯ୍ୟନ୍ତ ଦାସତ୍ୱ ଶୃଙ୍ଖଳରେ ବାନ୍ଧି ରଖିପାରିବ ନାହିଁ। ଅବିଳମ୍ବେ ଭାରତ ସ୍ୱାଧୀନତା ଲାଭ କରିବ।’
ନେତାଜୀ ସୁଭାଷଙ୍କ ଏହି ମହାନ ତ୍ୟାଗ ଓ ତପସ୍ୟା ଯୋଗୁଁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସେ ଜଣେ ଅମର ଯୋଦ୍ଧା ରୂପେ ପରିଗଣିତ ହୋଇଛନ୍ତି। ତାଙ୍କର ଅଦମ୍ୟ ପ୍ରଚେଷ୍ଟା ଓ ଦେଶଭକ୍ତିର ଭାବ ଭାରତୀୟମାନଙ୍କ ମନ ଓ ମସ୍ତିଷ୍କକୁ ସ୍ପର୍ଶ କରିଥିଲା। ଫଳରେ ଭାରତର ସୈନ୍ୟବାହିନୀରେ ରାଷ୍ଟ୍ରଭକ୍ତିର ଭାବ ଜାଗ୍ରତ ହୋଇଥିଲା। ୧୯୪୬ ମସିହାରେ ମୁମ୍ବଇଠାରେ ନୌସେନାର ସୈନିକମାନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଇଂରେଜମାନଙ୍କ ଶାସନତନ୍ତ୍ର ଦୋହଲିବାକୁ ଲାଗିଲା। ସ୍ୱୟଂ ବ୍ରିଟିଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହା ସ୍ୱୀକାର କରିଛନ୍ତି ଯେ ଭାରତକୁ ସ୍ୱାଧୀନତା ପ୍ରଦାନ କରିବାର ମୁଖ୍ୟ କାରଣ ନେତାଜୀ ସୁଭାଷ ବୋଷଙ୍କ ବିଦ୍ରୋହ ଓ ତାଙ୍କ ଦ୍ୱାରା ପ୍ରେରିତ ରାଷ୍ଟ୍ରବାଦର ବହ୍ନି।
ଆଡ଼ଭୋକେଟ ଖଟବିନସାହି, କଟକ, ମୋ-୯୪୩୭୦୧୬୩୮୪
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
