/odisha-reporter/media/media_files/2025/11/24/supreme-court-2025-11-24-16-58-33.jpg)
Supreme Court Photograph: (Internet)
ରବି ଦାସ
ଭାରତୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ଭାରତୀୟ ରାଷ୍ଟ୍ରକୁ ରାଜ୍ୟମାନଙ୍କର ଏକ ମିଳନ ବୋଲି କୁହାଯାଇପାରେ। ଜାତୀୟ ବ୍ୟବସ୍ଥାରେ ଜାତୀୟ ସରକାର ଦେଶ ପାଇଁ ଓ ନାଗରିକମାନଙ୍କ ପାଇଁ ଯେପରି ଉତ୍ତରଦାୟୀ, ଠିକ୍ ସେହିପରି ରାଜ୍ୟମାନଙ୍କୁ ସମ୍ବିଧାନରେ ପ୍ରଦତ୍ତ କ୍ଷମତା ରାଜ୍ୟ ଜନସାଧାରଣଙ୍କ ପାଇଁ ଓ ରାଜ୍ୟବାସୀଙ୍କ ପାଇଁ ସେହିଭଳି ଭାବରେ ଗୁରୁତ୍ୱପୂର୍ଣ୍ଣ।
ସମ୍ବିଧାନରେ ଏ ସଂକ୍ରାନ୍ତରେ ବ୍ୟବସ୍ଥା ସତ୍ୱେ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ରର କ୍ଷମତା ନେଇ ଅର୍ଥାତ୍ ରାଜ୍ୟ ବିଧାନସଭା ଓ ସଂସଦ ଭିତରେ କ୍ଷମତା ଓ ପରିସର ବର୍ଣ୍ଣନା କରାଯାଇଥିଲେ ମଧ୍ୟ ବିଭିନ୍ନ ସମୟରେ ଏଥିପାଇଁ ଦ୍ୱନ୍ଦ୍ୱ ହୋଇଛି। ଏହି ଦ୍ୱନ୍ଦ୍ୱର ସମାଧାନ ଅଧିକାଂଶ ସମୟରେ ଉଚ୍ଚତମ ନ୍ୟାୟଳୟ ସମ୍ବିଧାନର ବାଖ୍ୟା କରି ନିର୍ଣ୍ଣୟ କରିଛନ୍ତି। କେନ୍ଦ୍ର ବା ରାଜ୍ୟ କେହି ହେଲେ ଏ ସଂକ୍ରାନ୍ତରେ ଉଚ୍ଚତମ ନ୍ୟାୟାଳୟର ସାମ୍ବିଧାନିକ ବାଖ୍ୟାକୁ ଚ୍ୟାଲେଞ୍ଜ କରିନାହାନ୍ତି।
ଗୋଟିଏ ସମୟ ଥିଲା ଯେତେବେଳେ ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ଇଚ୍ଛା ଅନୁସାରେ ରାଜ୍ୟରେ ପ୍ରତିଷ୍ଠିତ ନିର୍ବାଚିତ ସରକାରକୁ ମଧ୍ୟ ହଟାଇଦେଇ ରାଷ୍ଟ୍ରପତି ଶାସନ କରୁଥିଲେ। କିନ୍ତୁ ବୋମାଇ ମାମଲାରେ ସୁପ୍ରିମ୍କୋର୍ଟ ସ୍ପଷ୍ଟ ଭାବରେ କହିଲେ ଯେ, ରାଜ୍ୟରେ ବିଧାନସଭା ହିଁ ସରକାର ନିର୍ଣ୍ଣୟ କରିବ। ରାଜ୍ୟପାଳ ନିଜ ଇଚ୍ଛା ଅନୁସାରେ କୌଣସି ସରକାରକୁ ବିଧାନସଭାର ବିନା ଅନୁମତିରେ ଭାଙ୍ଗିପାରିବେ ନାହିଁ। ଫଳରେ ସେହି ଦିନଠାରୁ ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟସରକାର ଭଙ୍ଗ ପ୍ରକ୍ରିୟା ବନ୍ଦ ହୋଇଯାଇଛି।
ଏବେ ଆଉ ଗୋଟିଏ ବିବାଦ ବିଧାନସଭା ଦ୍ୱାରା ଗୃହିତ ବିଲ୍କୁ ରାଜ୍ୟପାଳ ସମ୍ବିଧାନ ପ୍ରଦତ୍ତ କ୍ଷମତା ବଳରେ କିପରି ବିଚାର କରିବେ ଅର୍ଥାତ୍ ବିଲ୍କୁ ଅନୁମୋଦନ ଦେବେ ନା ପୁଣି ଥରେ ବିଧାନସଭାକୁ ଫେରାଇବେ ଓ ବିଧାନସଭା ପୁନର୍ବାର ଏହା ଗୃହୀତ କଲା ପରେ ରାଜ୍ୟପାଳ ଏହାକୁ ଗ୍ରହଣ କରିବା ପାଇଁ ବାଧ୍ୟ ବୋଲି ବିଚାର କରାଯାଉଥିଲା। ସେହିପରି ରାଜ୍ୟପାଳ ଗୋଟିଏ ବିଲ୍ ଉପରେ ବିଚାର ସମୟରେ ସେହି ବିଲ୍ ଫଳରେ ଯଦି କୌଣସି କେନ୍ଦ୍ରୀୟ ଆଇନ ବା ବ୍ୟବସ୍ଥାର ବିରୋଧାଚାରଣ କରାଯାଉଥିବା ଅନୁଭବ କରିବେ, ତେବେ ବିଲ୍ଟିକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇପାରିବେ। ବିଧାନସଭା ଦ୍ୱାରା ଗୃହୀତ ବିଲ୍ ବିଷୟରେ ରାଜ୍ୟପାଳ ଓ ରାଷ୍ଟ୍ରପତି କିପରି ବିଚାର କରିବେ ଓ କିପରି ନିଷ୍ପତ୍ତି ନେବେ ସେଥିପାଇଁ ସମ୍ବିଧାନର ଧାରା ୨୦୦ ଓ ୨୦୧ରେ ପ୍ରବଧାନ ଅଛି।
ଯେହେତୁ ରାଜ୍ୟପାଳ କେନ୍ଦ୍ର ଦ୍ୱାରା ମନୋନୀତ, ସେହେତୁ ରାଜନୈତିକ ଦୃଷ୍ଟି କୋଣରୁ ଯେଉଁ ବିଧାନସଭା ବିଲ୍ଟି କେନ୍ଦ୍ର ସରକାରଙ୍କୁ ସୁହାଇବ ନାହିଁ, ସେହି ବିଲ୍ ଉପରେ ରାଜ୍ୟପାଳ ତୁରନ୍ତ ବିଚାର ନକରି ବର୍ଷ ବର୍ଷ ଧରି ପକାଇ ରଖୁଛନ୍ତି। ଏପରିକି ବିଧାନସଭାକୁ ଗୋଟିଏ ବିଲ୍ ରାଜ୍ୟପାଳ ଫେରାଇଦେବା ପରେ ତାହା ଏବେ ପୁନର୍ବାର ଗୃହୀତ ହେଉଛି ଓ ସେଥିରେ ରାଜ୍ୟପାଳ ସନ୍ତୁଷ୍ଟ ହେଉନାହାନ୍ତି, ତେବେ ସେ ତାହାକୁ ରାଷ୍ଟ୍ରପତିଙ୍କ ପାଖକୁ ବିଚାର ପାଇଁ ପଠାଇ ଦେଉଛନ୍ତି। ରାଷ୍ଟ୍ରପତି ମଧ୍ୟ ବିଲ୍ ଉପରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନକରି ମାସ ମାସ ଧରି ପକାଇଦେବା ଫଳରେ ବିଧାନସଭାର ୫ ବର୍ଷ କାର୍ଯ୍ୟକାଳ ସରିଯିବା ବେଳକୁ ବିଲ୍ଗୁଡ଼ିକ ଗୃହୀତ ହେଉନାହିଁ। ଯଦିଓ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ସମସ୍ତ କାର୍ଯ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳର ପରାମର୍ଶ କ୍ରମେ କରିବାକୁ ବାଧ୍ୟ।
ରାଜ୍ୟରେ ରାଜ୍ୟପାଳମାନଙ୍କ ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳ ପରାମର୍ଶ ଗ୍ରହଣୀୟ ହେଲେ ମଧ୍ୟ ବିଲ୍ ଗ୍ରହଣ କରିବା ସଂକ୍ରାନ୍ତରେ ରାଜ୍ୟପାଳଙ୍କର ନିଜସ୍ୱ କ୍ଷମତା ରହିଛି ବୋଲି କୁହାଯାଇ ବିଲ୍ ଅଟକାଯିବାରୁ ତାମିଲନାଡୁ ସରକାର ଏ ସଂକ୍ରାନ୍ତରେ ବିଚାର ପାଇଁ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟର ଜଷ୍ଟିସ୍ ପର୍ଦିୱାଲାଙ୍କ ଦୁଇ ଜଣିଆ ବେଂଚ ସମ୍ବିଧାନର ୨୦୦ ଓ ୨୦୧ର ତର୍ଜମା କରି ମତ ଦେଲେ ଯେ, ବିଧାନସଭା ଦ୍ୱାରା ଗୃହୀତ ବିଲ୍ ଯଦି ଦୁଇଥର ଗୃହୀତ ହେଲା ତେବେ ରାଜ୍ୟପାଳ ତାହାକୁ ଗ୍ରହଣ କରିବେ ଓ ବିଲ୍ର ବିଚାର ପାଇଁ ରାଷ୍ଟ୍ରପତି ପାଖକୁ ପଠାଗଲେ ମଧ୍ୟ ସେ ସର୍ବାଧିକ ୩ ମାସ ଭିତରେ ତାହାର ଚୂଡ଼ାନ୍ତ କରିବେ। ସୁପ୍ରିମ୍କୋର୍ଟ ସମ୍ବିଧାନର ୧୪୨ ଧାରା ଉପଯୋଗ କରି ବର୍ଷ ବର୍ଷ ଧରି ପଡ଼ି ରହିଥିବା ତାମିଲନାଡୁର ୧୦ଟି ବିଲ୍ ଅନୁମୋଦନ ହୋଇଗଲା ବୋଲି ନିର୍ଦ୍ଦେଶ ଦେଲେ।
ସୁପ୍ରିମ୍କୋର୍ଟର ଏହି ନିଷ୍ପତି ଫଳରେ ଭାରତର ଅଣବିଜେପି ଶାସିତ ରାଜ୍ୟର ସରକାରମାନେ ଉତ୍ସାହିତ ହୋଇଥିଲେ। କିନ୍ତୁ ସୁପ୍ରିମ୍କୋର୍ଟ ସମ୍ବିଧାନର ୨୦୦ ଓ ୨୦୧ର ତର୍ଜମା କରି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ବିଲ୍ ମଞ୍ଜୁର କରିବାର ଯେଉଁ ସମୟ ନିର୍ଦ୍ଧାରଣ କରିଦେଲେ ତାହାକୁ କେନ୍ଦ୍ର ସରକାର ଗ୍ରହଣ କରିବା କଷ୍ଟସାଧ୍ୟ ହେଲା। ତେଣୁ ସମ୍ବିଧାନର ୧୪୩ ଧାରାର ଉପଯୋଗ କରି ରାଷ୍ଟ୍ରପତିଙ୍କ ପକ୍ଷରୁ ୧୪ଟି ପ୍ରଶ୍ନ ଉପରେ ସୁପ୍ରିମ୍କୋର୍ଟ ନିର୍ଣ୍ଣୟ ନେବା ପାଇଁ ଚିଠି ପ୍ରଦାନ କଲେ। ଏହି ପ୍ରଶ୍ନଗୁଡ଼ିକ ଉପରେ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ବେଂଚ ଯିଏକି କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ୟ ସରକାରଙ୍କର ଯୁକ୍ତି ଶୁଣୁଥିଲେ, ସେମାନେ ଯେଉଁ ନିର୍ଣ୍ଣୟ ଦେଇଛନ୍ତି ସେଥିରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କର ବିଲ୍ ସଂକ୍ରାନ୍ତୀୟ କ୍ଷମତା ଉପରେ ସଂକୋଚନକୁ ଗ୍ରହଣ କରିନାହାନ୍ତି।
ସୁପ୍ରିମ୍କୋର୍ଟର ଏହି ନିର୍ଣ୍ଣୟ ପ୍ରକାଶ ପରେ ନିଶ୍ଚିତ ଭାବରେ ଅଣବିଜେପି ଶାସିତ ରାଜ୍ୟମାନେ ଓ ବିରୋଧୀ ପକ୍ଷମାନେ ଅଡୁଆରେ ପଡ଼ିଯାଇଛନ୍ତି। ବାସ୍ତବତା ହେଉଛି ଯେ, କେନ୍ଦ୍ରରେ ଯେଉଁ ଦଳର ସରକାର ରହୁଛି ତାହାଠାରୁ ଭିନ୍ନମତ ପୋଷଣ କରୁଥିବା ରାଜନୈତିକ ଦଳ କେତେକ ରାଜ୍ୟରେ କ୍ଷମତାରେ ଅଛନ୍ତି। ସେମାନେ ସବୁବେଳେ ଯୁକ୍ତି କରୁଥିଲେ ଯେ, ରାଜ୍ୟପାଳଙ୍କ ଜରିଆରେ ରାଜ୍ୟ ବିଧାନସଭା ସେ ରାଜ୍ୟର ଲୋକମାନଙ୍କ ପାଇଁ ଯେଉଁ ବିଧେୟକ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ସେଥିରେ ରାଜ୍ୟପାଳମାନେ ବିଲ୍ଗୁଡ଼ିକ ଗ୍ରହଣ କରିବାରେ ଅସମ୍ଭବ ବିଳମ୍ବ କରି ବାଧା ସୃଷ୍ଟି କରୁଛନ୍ତି। କିନ୍ତୁ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଜଜ୍ ମତ ଦେଇଛନ୍ତି ଯେ, ବିଧାନସଭା ଦ୍ୱାରା ଗୃହୀତ ଏକ ବିଲ୍କୁ ରାଜ୍ୟପାଳ ବା ରାଷ୍ଟ୍ରପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକାଇ ପାରିବେନାହିଁ। ରାଜ୍ୟପାଳ ବା ରାଷ୍ଟ୍ରପତି ଗୋଟିଏ ବିଲ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକାଇଲେ ସଂପୃକ୍ତ ରାଜ୍ୟ ଏହାର ନ୍ୟାୟିକ ସମୀକ୍ଷା ପାଇଁ ସୁପ୍ରିମ୍କୋର୍ଟକୁ ଆସିପାରିବେ। ସେଠାରେ କେବଳ ବିଳମ୍ବର କାରଣ ନିର୍ଦ୍ଧାରଣ କରାଯିବ। ଅଦାଲତ ନିର୍ଦ୍ଦିଷ୍ଟ ସମୟ ଭିତରେ ବିଲ୍ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ।
ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଣ୍ଣୟ ଫଳରେ ସଂଘୀୟ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ଅଧିକାଂଶ ଅଣବିଜେପି ଦଳ ଓ ଅନେକ ବିଜ୍ଞ ଆଇନ ବିଶାରଦମାନେ ମତ ଦେଉଛନ୍ତି। ଯେହେତୁ ବିଲ୍ ଯେତେ ବିଳମ୍ବ ହେଲେ ମଧ୍ୟ ଏହା ନିର୍ଦ୍ଦିଷ୍ଟ ଦିନ ଭିତରେ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇପାରିବେ ନାହିଁ, ସେହେତୁ ପରିସ୍ଥିତି ପୂର୍ବପରି ରହିବ ବୋଲି କୁହାଯାଉଛି। ଅବଶ୍ୟ ସମ୍ବିଧାନରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କର ବିଲ୍ ସଂକ୍ରାନ୍ତରେ ଯେଉଁ କ୍ଷମତା ରହିଛି ତାହାକୁ ଉଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି କେବଳ ବିଳମ୍ବର କାରଣ ଅନୁଧ୍ୟାନ କରି ବିଲ୍ଟିକୁ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇପାରିବେ। କିନ୍ତୁ କୌଣସି ନିର୍ଦ୍ଦେଶ ଦେବେନାହିଁ।
ବାସ୍ତବିକ ସମ୍ବିଧାନର ଧାରା ୨୦୦ ଓ ୨୦୧ରେ ଏହି ବ୍ୟବସ୍ଥା ହିଁ ଅଛି। ବିଳମ୍ବର କାରଣ ନିର୍ଦ୍ଧାରଣ କରି ତାହାର ଯଦି କିଛି ସମାଧାନ ସୂତ୍ର ନବାହାରିଲା ଓ ପରିସ୍ଥିତି ପୂର୍ବପରି ରହିଲା ତେବେ କେନ୍ଦ୍ର ଶାସନର ବିରୋଧୀ ରାଜ୍ୟ ସରକାରମାନେ ନିଶ୍ଚିନ୍ତ ଅସୁବିଧାର ସମ୍ମୁଖୀନ ହେବେ। ଉଦାହରଣ ସ୍ୱରୂପ, ସରକାରୀ ବିଶ୍ୱବିଦ୍ୟାଳୟର ଚାଂଚଲ୍ୟ ଭାବରେ କୂଳପତି ନିଯୁକ୍ତି କରିବା କ୍ଷମତା ରାଜ୍ୟପାଳଙ୍କ ହାତରେ ରହିଛି। ଏହି କ୍ଷମତା ସରକାରୀ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ ସମୟରେ ସଂପୃକ୍ତ ବିଧାୟକମାନେ ରାଜ୍ୟପାଳଙ୍କୁ ଏହି କ୍ଷମତା ଦେଇଛନ୍ତି। ଯଦି କୌଣସି ରାଜ୍ୟ ସରକାର ବା ରାଜ୍ୟ ବିଧାନସଭା ରାଜ୍ୟପାଳଙ୍କର ଏହି କାର୍ଯ୍ୟରେ ସନ୍ତୁଷ୍ଟ ନହେଲେ ତେବେ ସେମାନେ ଦେଇଥିବା କ୍ଷମତାକୁ ସଂଶୋଧନ କରି ନୂଆ ଆଇନ କାହିଁକି କରିପାରିବେ ନାହିଁ? ଏପରି ବିଲ୍ ରାଜ୍ୟପାଳ ଗ୍ରହଣ ନକରିବା ଓ ରାଷ୍ଟ୍ରପତିଙ୍କୁ ଏହି ବିଲ୍ ପଠାଇଦେବା ଫଳରେ ବିଧାନସଭାର କ୍ଷମତା ସଂକୁଚିତ ହେଉଛି ବୋଲି କୁହାଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାଗୁଡ଼ିକ ବିଭିନ୍ନ ରାଜ୍ୟରେ ଆଇନ ମାଧ୍ୟମରେ ହେବା ସମୟରେ ସବୁଠାରେ ରାଜ୍ୟପାଳଙ୍କୁ ଚାନ୍ସେଲର୍ ଭାବରେ ରଖାଯାଇଛି ଓ କୁଳପତି ନିଯୁକ୍ତିର କ୍ଷମତା ତାଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ ଯେଉଁ ରାଜ୍ୟରେ ରାଜ୍ୟପାଳମାନେ ମନ୍ତ୍ରୀ ମଣ୍ଡଳର ଏ ସଂକ୍ରାନ୍ତୀୟ ପରାମର୍ଶକୁ ପୂରାପୂରି ଏଡ଼ାଇ ଦେଇ ନିଜସ୍ୱ ବିଚାରରେ ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ନିୟମ ଅନୁସାରେ କାମ କରୁଥିବା କହୁଛନ୍ତି ସେଠାରେ ବିବାଦର ସୂତ୍ରପାତ ହେଉଛି। ଯଦି ରାଜ୍ୟପାଳମାନେ ବିଶ୍ୱବିଦ୍ୟାଳୟ କୁଳପତି ମନୋନୟନରେ ରାଜ୍ୟ ମନ୍ତ୍ରୀମଣ୍ଡଳର ପରାମର୍ଶକୁ ଗ୍ରହଣ କରୁଥାନ୍ତେ, ତେବେ ଏହି ଦ୍ୱନ୍ଦ ହୁଅନ୍ତାନି। ପୂର୍ବରୁ ବ୍ୟବସ୍ଥା ଅନୁସାରେ ଗୋଟିଏ ବିଲ୍କୁ ରାଜ୍ୟପାଳ ଗ୍ରହଣ ନକରି ପୁଣି ବିଧାନସଭାକୁ ପଠାଇଦେବା ପରେ ଯଦି ବିଧାନସଭା ପୁନର୍ବାର ଗ୍ରହଣ କରି ରାଜ୍ୟପାଳଙ୍କୁ ପଠାଇ ଦିଅନ୍ତି, ତେବେ ସେ ତାହା ଗ୍ରହଣ କରିବେ। କିନ୍ତୁ ବର୍ତମାନ ସୁପ୍ରିମ୍କୋର୍ଟ ରାଷ୍ଟ୍ରପତିଙ୍କ ପ୍ରଶ୍ନରେ ଯେଉଁ ଉତ୍ତର ଦେଇଛନ୍ତି ସେଥିରେ କୁହାଯାଉଛି ଯେ, ରାଜ୍ୟପାଳ ତଥାପି ବି ବିଲ୍କୁ ଅଟକାଇ ପାରିବେ ବା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇ ଦେଇପାରିବେ।
ସୁପ୍ରିମ୍କୋର୍ଟର ନିର୍ଣ୍ଣୟ ଅନୁସାରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସନ୍ତୋଷ ପ୍ରକାଶ କରିବା ନିଜସ୍ୱ ବିଚାର ଓ ତାହାର କୌଣସି ନ୍ୟାୟିକ ସମୀକ୍ଷା ହୋଇପାରିବ ନାହିଁ, ସେହେତୁ ସୁପ୍ରିମ୍କୋର୍ଟ ଏପ୍ରିଲ୍ ମାସରେ ତାମିଲନାଡୁ ସଂକ୍ରାନ୍ତରେ ଦେଇଥିବା ଆଦେଶ ପରୋକ୍ଷରେ ଅକାମୀ ହୋଇଯାଇଛି। ବିଶେଷ ଭାବରେ ବିଲ୍ ଗ୍ରହଣ କ୍ଷେତ୍ରରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଭୂମିକାକୁ ନ୍ୟାୟିକ ବିଚାରର ଉର୍ଦ୍ଧ୍ୱରେ ରଖାଯାଇଥିବାରୁ କେନ୍ଦ୍ର ବିରୋଧୀ ରାଜ୍ୟ ସରକାରମାନେ ରାଜ୍ୟପାଳଙ୍କୁ ଖୁସି କରିବା ବ୍ୟତୀତ ଏବେ ଅନ୍ୟ ଉପାୟ ନାହିଁ। ଅସଲ କଥା ହେଉଛି, ଯେହେତୁ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ପାଉଛନ୍ତି ଓ ରାଜ୍ୟରେ କେନ୍ଦ୍ର ସରକାର ମତ ବିରୋଧୀ ରାଜ୍ୟ ସରକାର ରହିଛି, ସେହେତୁ ରାଜ୍ୟ ସରକାର ସହଜରେ ରାଜ୍ୟପାଳଙ୍କୁ ସନ୍ତୁଷ୍ଟ ରଖିବା ସମ୍ଭବ ହେବନାହିଁ ବୋଲି କୁହାଯାଉଛି।
ଏଥିରେ ଗୋଟିଏ ରାଜ୍ୟର ଜନସାଧାରଣ ଯେଉଁ ବିଚାର ଉପରେ ନିର୍ଭର କରି ରାଜ୍ୟରେ ସରକାର ଗଠନ କରୁଛନ୍ତି, ସେହି ବିଚାରକୁ ସଂପୃକ୍ତ ରାଜ୍ୟ ସରକାର ନ୍ୟାୟ ଦେବା ପାଇଁ ଯେଉଁ ଆଇନ ଆବଶ୍ୟକ କରିବେ ତାହା ଯଦି କରି ନପାରିବେ ତେବେ ସରକାରଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହେବା ସ୍ୱାଭାବିକ। ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଧାନସଭାର ଉଦ୍ୟମ ଚରିତାର୍ଥ ନହେଲେ ସଂଘୀୟ ବ୍ୟବସ୍ଥା ନିଶ୍ଚିନ୍ତ ବିପନ୍ନ ହେବ। ବିଲ୍କୁ ରାଜ୍ୟପାଳ ବା ରାଷ୍ଟ୍ରପତି ଅନିର୍ଦ୍ଧିଷ୍ଟ କାଳ ଅଟକାଇଲେ ମଧ୍ୟ ରାଜ୍ୟମାନେ ନ୍ୟାୟପାଳିକା ଜରିଆରେ କୌଣସି ସମାଧାନ ସୂତ୍ର ପାଇବେ ବୋଲି ଏବେ ଭାବିପାରୁ ନାହାନ୍ତି। କାରଣ ବିଳମ୍ବର ପରିମାଣ କେତେ ହେବ ତାହା ନିର୍ଦ୍ଧାରଣ କରାଯାଉନାହିଁ।
ଫୋ- ୯୪୩୭୪୦୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
