ଭାରତରେ ଚଳଚ୍ଚିତ୍ର ଯାଞ୍ଚ ଆଇନ ‘ଦି ସିନେମାଟୋଗ୍ରାଫ ଆକ୍ଟ’ ୧୯୫୨ରେ ପ୍ରଣୀତ। ସ୍ୱାଧୀନତା-ପୂର୍ବ ଓ ସ୍ୱାଧୀନତା-ପର ଅବସ୍ଥାରେ ଦେଶରେ ଚଳଚ୍ଚିତ୍ର ଶିଳ୍ପର ବ୍ୟାପକ ପ୍ରସାର ଅବସରରେ ସାର୍ବଜନୀନ ଚଳଚ୍ଚିତ୍ର ପ୍ରଦର୍ଶନ ନିୟନ୍ତ୍ରଣ ନିମନ୍ତେ କେନ୍ଦ୍ରୀୟ ସ୍ତରରେ ଆଇନ ପ୍ରଣୟନ ଆବଶ୍ୟକତା ଅନୁଭୂତ ହୋଇଥିଲା। ସେହି ସମୟରେ ଚଳଚ୍ଚିତ୍ର କେବଳ ପ୍ରେକ୍ଷାଳୟ ପ୍ରଦର୍ଶନରେ ସୀମିତ ଥିବା ହେତୁ ଆଇନରେ ମୁଖ୍ୟତଃ ଚଳଚ୍ଚିତ୍ରର ଉପାଦାନ ଯାଞ୍ଚ ଓ ପ୍ରଦର୍ଶନଗତ ବିଧିବିଧାନକୁ ଗୁରୁତ୍ୱ ଦିଆଯାଇଥିଲା।
ତେବେ ତିନି ଦଶନ୍ଧି ପରେ ଚଳଚ୍ଚିତ୍ର ପ୍ରଦର୍ଶନ ଟେଲିଭିଜନ ଓ ଭିଡ଼ିଓ ତଥା ପରବର୍ତ୍ତୀ ତିନି ଦଶକରେ ଇଣ୍ଟରନେଟ ମଞ୍ଚକୁ ଉନ୍ନୀତ ହେବା ଅବସରରେ ଆଇନରେ ସଂଶୋଧନ ଆବଶ୍ୟକତା ପଡ଼ିଥିଲା। ଉନ୍ନତ କାରିଗରୀ କୌଶଳ ଉପଯୋଗରେ ଚଳଚ଼ିତ୍ରର ନକଲ ପ୍ରସ୍ତୁତି ସହଜସାଧ୍ୟ ହୋଇପାରିଥିବା ହେତୁ ସୃଜନରେ ସତ୍ତ୍ୱ ସୁରକ୍ଷା ନିମନ୍ତେ ପଦକ୍ଷେପ ଅନିର୍ବାଯ୍ୟ ସ୍ତରରେ ପହଞ୍ଚିଥିଲା।
ଆନ୍ତର୍ଜାତିକ କ୍ଷେତ୍ରରେ ଚଳଚ୍ଚିତ୍ର ପ୍ରଦର୍ଶନ ୧୮୯୫ରେ ଆରମ୍ଭ ହେବା ମାତ୍ର ବର୍ଷକ ପରେ ୧୮୯୬ରେ ଭାରତରେ ପ୍ରଥମ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। କିଛି କାଳ ବିଦେଶରେ ନିର୍ମିତ ଚଳଚ୍ଚିତ୍ର ପ୍ରଦର୍ଶନ ପରେ ୧୯୧୨ରୁ ସ୍ୱଦେଶ ନିର୍ମିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ପ୍ରଦର୍ଶନ ସୁଯୋଗ ମିଳିଥିଲା। ଇଂଲିଶ ପ୍ରଶାସନ ପକ୍ଷରୁ ‘ଦି ଇଣ୍ଡିଆ ସିନେମାଟୋଗ୍ରାଫ ଆକ୍ଟ ୧୯୨୦’ ଅନୁଯାୟୀ ଦେଶର ତିନିଗୋଟି ବଡ଼ ସହର ମୁମ୍ୱାଇ, କୋଲକତା ଓ ରେଙ୍ଗୁନରେ ଯାଞ୍ଚ କମିଟିମାନ ଗଠିତ ହୋଇଥିଲା। ସ୍ଥାନୀୟ ପୋଲିସ ବିଭାଗର ମୁଖ୍ୟ ଏଥିରେ ଅଧ୍ୟକ୍ଷତା କରୁଥିଲେ। ଚଳଚ୍ଚିତ୍ର ଶିଳ୍ପର ସ୍ଥିତାବସ୍ଥା ସମୀକ୍ଷା କରିବା ନିମନ୍ତେ ଗଠିତ ଏକ କମିଟି ୧୯୨୮ରେ ଜାତୀୟ ସ୍ତରରେ ଯାଞ୍ଚ ବ୍ୟବସ୍ଥା ପ୍ରବର୍ତ୍ତନ ଲାଗି ପରାମର୍ଶ ଦେଇଥିଲେ।
ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ‘ଦି ସିନେମାଟୋଗ୍ରାଫ ବୋର୍ଡ ଅଫ ଫିଲ୍ମ ସେନସର୍ସ’ ଗଠିତ ହୋଇଥିଲା। ଏହାର ନାମକରଣ ‘ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ’ ରୂପେ ୧୯୮୩ରେ ପରିବର୍ତ୍ତନ କରାଯାଇଥିଲା। ଆଇନ ଅନୁଯାୟୀ ଦେଶରେ ସାର୍ବଜନୀନ ପ୍ରଦର୍ଶନ ନିମନ୍ତେ ପ୍ରତ୍ୟେକ ଚଳଚ୍ଚିତ୍ର ବୋର୍ଡ ଦ୍ୱାରା ଯାଞ୍ଚର ସମ୍ମୁଖୀନ ହେବା ନିୟମ ରହିଛି। ମୁଖ୍ୟତଃ, ରାଷ୍ଟ୍ରୀୟ ଐକ୍ୟ ଓ ଅଖଣ୍ଡତା, ପ୍ରତିରକ୍ଷା, ବନ୍ଧୁରାଷ୍ଟ୍ର ସହ ସଂପର୍କ, ସାମାଜିକ ସହବସ୍ଥାନ, ଶାଳୀନତା, ମାନହାନୀ ତଥା ଅଦାଲତ ଅବମାନନା ଭଳି ଉପାଦାନରୁ ଚଳଚ୍ଚିତ୍ରଗୁଡ଼ିକ ମୁକ୍ତ ରଖିବା ନିମନ୍ତେ ଯାଞ୍ଚ ଅବସରରେ ଯତ୍ନ ନିଆଯାଇଥାଏ।
ଯାଞ୍ଚ ଆଇନ ଅନୁଯାୟୀ ପ୍ରତ୍ୟେକ ଚଳଚ୍ଚିତ୍ରକୁ ଏକାଧିକ ବ୍ୟକ୍ତିଙ୍କ ସମାବେଶରେ ଗଠିତ ସମିତି ଦ୍ୱାରା ବିଚାର କରାଯାଇ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ରହିଛି। କେତେକ କ୍ଷେତ୍ରରେ ବୋର୍ଡର ସଦସ୍ୟମାନେ ଚଳଚ୍ଚିତ୍ରରେ ରୂପାୟିତ ଦୃଶ୍ୟାବଳୀ ବାଦ ଦେବା କିମ୍ୱା ପରିବର୍ତ୍ତନ ନିମନ୍ତେ ମଧ୍ୟ ପରାମର୍ଶ ଦେଇପାରନ୍ତି। କୌଣସି କାରଣରୁ ଚଳଚ୍ଚିତ୍ର ନିର୍ମାତାମାନେ ବୋର୍ଡ଼ର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହେଲେ ‘ଦି ଫିଲ୍ମ ସାର୍ଟିଫିକେସନ ଆପାଲେଟ ଟ୍ର୍ୟିବୁନାଲ’ଠାରେ ଆବେଦନ କରିବା ସୁଯୋଗ ରହିଥିଲା। ସେହି ବ୍ୟବସ୍ଥା ୨୦୨୧ରେ ପ୍ରତ୍ୟାହାର କରିନିଆଯାଇଥିଲା। ତେଣିକି ବାଦବିବାଦ ମୀମାଂସା ପାଇଁ ଉଚ୍ଚ ନ୍ୟାୟାଳୟରେ ଅଭିଯୋଗ ଦାୟର କରିବା ପ୍ରାବଧାନ ହିଁ ଉପଲବ୍ଧ।
‘ଦି ସିନେମାଟୋଗ୍ରାଫ ଆକ୍ଟ ୧୯୫୨’ କାର୍ଯ୍ୟକାରୀ ହେବା ୩୨ ବର୍ଷ ପରେ ଚଳଚ୍ଚିତ୍ର ପ୍ରଦର୍ଶନରେ ବୈଷୟିକ ପରିବର୍ତ୍ତନକୁ ବିଚାରକୁ ନେଇ ୧୯୮୪ରେ ସଂଶୋଧନ କରାଯାଇଥିଲା। ପୁନର୍ବାର ୪୦ ବର୍ଷ ପରେ ୨୦୨୩ ଜୁଲାଇ ୨୭ ତାରିଖରେ ରାଜ୍ୟସଭା ଓ ଜୁଲାଇ ୩୧ ତାରିଖରେ ଲୋକସଭାରେ ‘ଦି ସିନେମାଟୋଗ୍ରାଫ (ସଂଶୋଧନ) ବିଲ ୨୦୨୩’ ପାରିତ ହୋଇଥିଲା। ସ୍ଥୁଳ ଦୃଷ୍ଟିରେ ସଂଶୋଧନଗୁଡ଼ିକ ଚଳଚ୍ଚିତ୍ର ପ୍ରଯୋଜକମାନଙ୍କ ସ୍ୱାର୍ଥରକ୍ଷା ଏବଂ ସାମାଜିକ ହିତକାରୀ ପ୍ରତୀୟମାନ ହୋଇଥାଏ।
ପ୍ରଥମତଃ, ଅନଲାଇନ ପରିବେଶ ବ୍ୟାପ୍ତି ପରେ ଚଳଚ୍ଚିତ୍ର ଚୋରା ପ୍ରଦର୍ଶନ ‘ପାଇରେସି’ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଅଭିବୃଦ୍ଧିରେ ଏକ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଏତଦ୍ୱାରା ବାର୍ଷିକ ୨୦ ହଜାର କୋଟି ଟଙ୍କା କ୍ଷତି ଘଟୁଥିବା କୁହାଯାଉଛି। ସଂଶୋଧିତ ଆଇନାନୁଯାୟୀ ପାଇରେସି ପ୍ରମାଣିତ ଅପରାଧ ନିମନ୍ତେ ସର୍ବନିମ୍ନ ତିନି ମାସରୁ ତିନି ବର୍ଷ ଜେଲ ଦଣ୍ଡ ଏବଂ ତିନି ଲକ୍ଷ ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ସ୍ଥଳେ ଚଳଚ଼ିତ୍ର ପ୍ରଯୋଜନାରେ ଖର୍ଚ୍ଚର ପାଞ୍ଚ ପ୍ରତିଶତ ଯାଏଁ ଜୋରିମାନା ରାଶି ବୃଦ୍ଧି ହୋଇପାରିବ।
ଦ୍ୱିତୀୟତଃ, ପ୍ରଚଳିତ ଆଇନରେ ପ୍ରତ୍ୟେକ ଚଳଚ଼ିତ୍ର ନିର୍ମାଣପରେ ପ୍ରଦାନ କରାଯାଉଥିବା ପ୍ରଦର୍ଶନ ପ୍ରମାଣପତ୍ରର ଅବଧି ଦଶ ବର୍ଷ ଯାଏଁ ପ୍ରଭାବଶାଳୀ ରହୁଥିବା ଏବଂ ପ୍ରତି ଦଶ ବର୍ଷ ପରେ ପୁନଃ ଯାଞ୍ଚ ଆବଶ୍ୟକ ଥିବା ସ୍ଥଳେ ନୂତନ ବ୍ୟବସ୍ଥାରେ ସର୍ବକାଳ ବ୍ୟାପୀ ବଳବତ୍ତର ରହିବ। ତୃତୀୟତଃ, ଅଭିଭାବକଙ୍କ ତତ୍ତ୍ୱାବଧାନରେ ନାବାଳକମାନେ ଚଳଚ୍ଚିତ୍ର ଦେଖିବା ‘ୟୁ/ଏ’ ପର୍ଯ୍ୟାୟକୁ ତିନିଭାଗରେ ବିଭକ୍ତ କରି ୟୁ/ଏ – ୭ ବର୍ଷ, ୟୁ / ଏ – ୧୩ ବର୍ଷ ଓ ୟୁ / ଏ-୧୬ ବର୍ଷ ବା ତତୁର୍ଦ୍ଧ୍ୱ ବ୍ୟବସ୍ଥା କରାଯାଇଛି। ଏହି ନୂତନ ବର୍ଗୀକରଣ ଅନୁଯାୟୀ ଏଣିକି ଚଳଚ୍ଚିତ୍ର ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରାଯିବ।
ଏତଦ୍ ବ୍ୟତୀତ ପ୍ରାପ୍ତ-ବୟସ୍କ ‘ଏ’ ଓ ନିର୍ଦ୍ଦିଷ୍ଟ ବୃତ୍ତିଧାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ଏସ’ ପ୍ରମାଣପତ୍ର ପାଇଥିବା ଚଳଚ୍ଚିତ୍ରଗୁଡ଼ିକ ଟେଲିଭିଜନରେ ପ୍ରଦର୍ଶନକଳ୍ପେ ପୁନଃ ପ୍ରମାଣପତ୍ର ନିମନ୍ତେ ଆବେଦନ କରିବେ। ଯାଞ୍ଚ ପ୍ରମାଣପତ୍ର ପାଇଥିବା ଚଳଚ୍ଚିତ୍ରଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଆଦେଶରେ ପୁନଃ ଯାଞ୍ଚ କ୍ଷମତା ଅପସାରଣ ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ସଂଶୋଧନ।
ଗଣ ଯୋଗାଯୋଗ ପରିଧିରେ ମୁଦ୍ରଣ ମାଧ୍ୟମ ପ୍ରସାରର ଚାରି ଶହ ବର୍ଷ ପରେ ଚଳଚ୍ଚିତ୍ର ମାଧ୍ୟମ ଆତ୍ମପ୍ରକାଶ କରିଥିଲା। ମୁଦ୍ରଣ ବୈଷୟିକ କଳା ଭାରତରେ ପ୍ରଭାବ ବିସ୍ତାର କରିବା ନିମନ୍ତେ ତିନିଶହ ବର୍ଷ ଲାଗି ଯାଇଥିବା ସ୍ଥଳେ ଚଳଚ୍ଚିତ୍ର ମାତ୍ର ବର୍ଷକ ଅନ୍ତରରେ ପହଞ୍ଚିଥିଲା। ଆମ ଦେଶରେ ଚଳଚ୍ଚିତ୍ର ଶିଳ୍ପ ବିଶ୍ୱର ସର୍ବ-ବୃହତ୍ତମ ତଥା ବାର୍ଷିକ ତିନି ହଜାର ଯାଏଁ ଚଳଚ୍ଚିତ୍ର ୪୦ ଗୋଟି ଭାଷାରେ ନିର୍ମିତ ହେଉଥିବା ହିସାବ କରାଯାଏ।
କୋଭିଡ଼-୧୯ ମହାମାରୀ-ପର ପରିବର୍ତ୍ତିତ ପରିବେଶରେ ଚଳଚ୍ଚିତ୍ର ସାର୍ବଜନୀନ ପ୍ରେକ୍ଷାଳୟ ପରଦାରୁ ବ୍ୟକ୍ତିକେନ୍ଦ୍ରିକ ସ୍ମାର୍ଟଫୋନ ପରଦାକୁ ସ୍ଥାନାନ୍ତରିତ ହୋଇଛି। ବିଶ୍ୱବ୍ୟାପୀ ଜନସାଧାରଣ ରୂପେଲି ପରଦା ବଦଳରେ ଦୀର୍ଘ ସମୟ ମୋବାଇଲ ପରଦାରେ ଚଳଚ୍ଚିତ୍ର ଦେଖୁଛନ୍ତି। ଆମ ଦେଶରେ ଅନଲାଇନ ଚଳଚ୍ଚିତ୍ର ପ୍ରଦର୍ଶନ ସମୃଦ୍ଧ ଓଭର-ଦି-ଟପ ‘ଓଟିଟି’ ମଞ୍ଚ ଗୁଡ଼ିକ ମହାମାରୀ ପୂର୍ବରୁ ଭିତ୍ତିଭୂମି ପ୍ରତିଷ୍ଠା କରିସାରିଥିଲେ। ମହାମାରୀ କାଳରେ ‘ଓଟିଟି’ର ଲୋକପ୍ରିୟତା ବୃଦ୍ଧି ମହାମାରୀ-ପର ଅବସ୍ଥାରେ ମଧ୍ୟ ବଳବତ୍ତର ରହିଛି। ପ୍ରଶ୍ନ ଉଠେ, ଭାରତୀୟ ଆଇନରେ ପ୍ରେକ୍ଷାଳୟ ଓ ଟେଲିଭିଜନ ଚଳଚ଼ିତ୍ର ପ୍ରଦର୍ଶନ ସହ ‘ଓଟିଟି’ ପ୍ରଦର୍ଶନକୁ ଯୋଡ଼ି ହେବ କି? ପାର୍ଲାମେଣ୍ଟରେ ଚଳଚ୍ଚିତ୍ର ଯାଞ୍ଚ ଆଇନ ସଂଶୋଧନ ଆଲୋଚନା କାଳରେ ମଧ୍ୟ ଏହି ଯୁକ୍ତି ଉତ୍ଥାପନ କରାଯାଇଥିଲା।
ବିଶେଷଜ୍ଞଙ୍କ ମତରେ ନିକଟ ଅତୀତରୁ ଭାରତୀୟ ଚଳଚ୍ଚିତ୍ର ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହି ଉପକ୍ରମ ପଛରେ ‘ଓଟିଟି’ ମଞ୍ଚର ସୁବିଧାସୁଯୋଗ ଅନ୍ୟତମ ଭୂମିକା ନିର୍ବାହ କରିଥାଏ। ଇତ୍ୟବସରରେ ‘ଓଟିଟି’ ନିୟନ୍ତ୍ରଣ ନିମନ୍ତେ ତରବରିଆ ନିଷ୍ପତ୍ତି ଆତ୍ମଘାତୀ ପ୍ରମାଣିତ ହେବ। ‘ଓଟିଟି’ରେ ପାଇରେସିର ଭୟ ନଥାଏ। ବ୍ୟବସାୟଠାରୁ ଆରମ୍ଭ କରି ବ୍ୟକ୍ତିଗତ ଆହରଣ ସମସ୍ତ ତଥ୍ୟ ସ୍ୱଚ୍ଛ ଓ ଡିଜିଟାଲ ରୂପରେ ଉପଲବ୍ଧ। ଚଳଚ୍ଚିତ୍ର ପ୍ରଦର୍ଶନ ଧାରାର ଶହେ ବର୍ଷ ପରେ ‘ଓଟିଟି’ ମଞ୍ଚ ବିକଶିତ ଏବଂ ବିଶ୍ୱବ୍ୟାପୀ ଦର୍ଶକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟବଦ୍ଧ। ଭାରତୀୟ ସମାଜରେ ଶାଳୀନତାର ମାନାଙ୍କ ଆନ୍ତର୍ଜାତିକ ସ୍ତରରେ ଲଦି ଦେବା ଦୋଷାବହ ମନେ ହୁଏ।
ସମକାଳରେ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ ପରିସରରେ ‘ଓଟିଟି’ ଚଳଚ୍ଚିତ୍ରର ବିକଳ୍ପ ଧାରା ରୂପେ ଗଢ଼ି ଉଠୁଥିବା ସୁସ୍ପଷ୍ଟ। ଭାରତରେ ‘ଓଟିଟି’ ଭଳି ଅନଲାଇନ ମଞ୍ଚ ନିମନ୍ତେ ଇନଫରମେସେନ ଟେକନୋଲଜି ଆକ୍ଟ ୨୦୦୦, କେବଲ ଟେଲିଭିଜନ ନେଟୱାର୍କ ରୁଲସ ୧୯୯୪, ଆଇଟି ଆକ୍ଟରେ ସନ୍ନିବଶିତ କୋଡ଼ ଅଫ ଏଥିକ୍ସ ଓ କପିରାଇଟ ଆକ୍ଟ ୧୯୫୭ ଭଳି ଢେର ଆଇନାବଳୀ ଉପଯୋଗର ପ୍ରାବଧାନ ରହିଛି। ଏତଦ୍ ବ୍ୟତୀତ ‘ଓଟିଟି’ ମଞ୍ଚକୁ ଆତ୍ମ-ନିୟନ୍ତ୍ରଣ ଧାରା ଉପଯୋଗଲାଗି ପ୍ରୋତ୍ସାହିତ କରାଯାଉଛି। ପାରମ୍ପରିକ ଚଳଚ୍ଚିତ୍ରର ବିକଳ୍ପ ଧାରାକୁ ଚଳଚ୍ଚିତ୍ର ବନ୍ଧନୀ ମଧ୍ୟକୁ ଟାଣି ଆଣିବା ଅନୁଚିତ। ତେଣୁ ‘ଓଟିଟି’ ଚଳଚ୍ଚିତ୍ର ଯାଞ୍ଚ ନିୟମରୁ ଦୂରେଇ ରଖିବା ସମୟ ଉପଯୋଗୀ।
ଡକ୍ଟର ପ୍ରଦୀପ ମହାପାତ୍ର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।