ଭାଜପାର ପରୀକ୍ଷା ନିରୀକ୍ଷା ଓ ଓଡ଼ିଶା

ବିରୋଧୀ ଶାସିତ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା - ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି, ସିବିଆଇ, ଆୟକର ବିଭାଗ ଇତ୍ୟାଦିକୁ ବ୍ୟବହାର କରାଯାଇ ଭାଜପା ନିଜର ଶତ୍ରୁଦମନ କରେ ବୋଲି ଏକ ଅପନିନ୍ଦା ଶୁଣିବାକୁ ମିଳେ। ଯେଉଁମାନେ ଏପରି ନିନ୍ଦା କରନ୍ତି, ଓଡ଼ିଶାରେ କାହିଁକି କେନ୍ଦ୍ରୀୟ ସଂସ୍ଥାମାନେ ଅନୁସନ୍ଧାନ କରୁ ନାହାନ୍ତି ବୋଲି ସେଇମାନେ ହିଁ ଆକ୍ଷେପ କରନ୍ତି।

BJP's Electoral Symbol Lotus

BJP's Electoral Symbol Lotus

Debendra Prusty
  • Published: Monday, 25 December 2023
  • Updated: 25 December 2023, 05:06 PM IST

ଜାନକୀଶ ବଡ଼ପଣ୍ଡା

ଗତ ମାସରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ଅନୁସାରେ ହିନ୍ଦୀ ଭାଷୀ ଅଞ୍ଚଳରେ ବିଜେପିର ଦମଦାର ପୁନରୁତ୍ଥାନ, ଦକ୍ଷିଣରେ କଂଗ୍ରେସର ପ୍ରଭାବ ବୃଦ୍ଧି ଏବଂ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ପରିବର୍ତ୍ତନ ହେଲା। ତାହା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଭାଜପା ଅକ୍ତିଆର କରିଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ବିଆରଏସ ପାଖରୁ କଂଗ୍ରେସ ଛଡ଼ାଇ ନେଇଥିବା ତେଲେଙ୍ଗାନା ଏବଂ ମିଜୋରାମରେ ଏକ ଆଞ୍ଚଳିକ ମେଣ୍ଟର ମୁଖ୍ୟମନ୍ତ୍ରୀ ଚୟନ, ଯାହା ଭାରତୀୟ ଗଣତନ୍ତ୍ରକୁ ପୁନଃ-ଅନୁଧ୍ୟାନ କରିବାକୁ ବାଧ୍ୟ କରିଛି।

ଏହି ନିର୍ବାଚନରେ ଭାଜପା ନିଜର ପ୍ରମୁଖ ନେତା ଶିବରାଜ ସିଂହ ଚୌହାନ, ବସୁନ୍ଧରା ରାଜେ ଏବଂ ରମଣ ସିଂଙ୍କୁ ନିର୍ବାଚନ ପ୍ରଚାରର ମଙ୍ଗୁଆଳ ରୂପେ ଉପସ୍ଥାପିତ କରି ନଥିଲା। ଛତିଶଗଡ଼ରେ ଆଦିବାସୀ ସମ୍ପ୍ରଦାୟରୁ ବିଷ୍ଣୁ ଦେଓ ସାଏ, ମଧ୍ୟ ପ୍ରଦେଶରେ ପଛୁଆ ବର୍ଗରୁ ଡ଼ଃ ମୋହନ ଯାଦବ ଓ ରାଜସ୍ଥାନରେ ଜଣେ ବ୍ରାହ୍ମଣ ଭଜନଲIଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରିଛି ଦଳ। ଉତ୍ତର ପ୍ରଦେଶରେ ଠାକୁର ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଶର୍ମାଙ୍କ ନିଯୁକ୍ତି ବିଜେପି ବ୍ରାହ୍ମଣମାନଙ୍କୁ ସାହାଯ୍ୟ କରିବାରେ ସାହାଯ୍ୟ କରିପାରିବ। ଉତ୍ତର ପ୍ରଦେଶ ଏବଂ ବିହାରରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ହେଉଛନ୍ତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ଏବଂ ଲାଲୁ ପ୍ରସାଦ ଏବଂ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଜନତା ଦଳ। ଭାଜପା ମଧ୍ୟ ପ୍ରଦେଶରେ ଯାଦବ ମୁଖ୍ୟମନ୍ତ୍ରୀ ସ୍ଥିର କରି ଉଭୟ ରାଜ୍ୟର ପ୍ରମୁଖ ଓବିସି ଜାତି ପାଇଁ ଏକ ରାଜନୈତିକ ସଙ୍କେତ ଦେଇଛି।

ଛତିଶଗଡ଼ରେ ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ଦୁଇ ଆଞ୍ଚଳିକ ଦଳ - ଓଡ଼ିଶାର ବିଜୁ ଜନତା ଦଳ ଏବଂ ଝାରଖଣ୍ଡର ଜେଏମଏମକୁ କଡ଼ା ବାର୍ତ୍ତା ଦେଇଛି ଭାଜପା। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀମାନଙ୍କ ମଧ୍ୟରେ ନିଜର ପତିଆରା ବଢ଼ାଇଛି। ଛତିଶଗଡ଼ର ମୋଟ ଜନସଂଖ୍ୟାର ୩୦.୬ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ସେମାନେ ଝାରଖଣ୍ଡରେ ୨୬ ପ୍ରତିଶତ ଏବଂ ଓଡ଼ିଶାରେ ୨୩ ପ୍ରତିଶତ। ୨୦୧୯ରେ ଭାଜପା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ୪୭ଟି ଆସନ ମଧ୍ୟରୁ ୩୧ଟି ଜିତିଥିଲା ଏବଂ ୨୦୨୪ରେ ଉତ୍ତମ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି।

ଦଳ ମଧ୍ୟରେ ଏକାଧିକ ନେତୃତ୍ୱ ସୃଷ୍ଟି ପାଇଁ ଏହି ଚାରୋଟି ରାଜ୍ୟରେ କଂଗ୍ରେସ ଏବଂ ବିଜେପିକୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେବାକୁ ପଡ଼ିଛି। କଂଗ୍ରେସ ମଧ୍ୟ ନୂଆ ପିଢ଼ିର ନେତା ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ଦଳ ମଧ୍ୟରେ ନୂତନ ରକ୍ତ ଏବଂ ତାଜା ଶକ୍ତି ଯୋଗାଇଥିବାର ଦେଖିବାକୁ ମିଳିଲା; ଯାହା ଏକ ଶୁଭ ଲକ୍ଷଣ। କଂଗ୍ରେସ ସେଠାରେ ଏମ ଭଟ୍ଟୀ ବିକ୍ରମାର୍କଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛି। ବିଜେପି ଉପମୁଖ୍ୟମନ୍ତ୍ରୀ ଭାବେ ଛତିଶଗଡ଼ରେ ବିଜୟ ଶର୍ମା (ବ୍ରାହ୍ମଣ) ଏବଂ ଅରୁଣ ସାଓ (ଓବିସି), ମଧ୍ୟ ପ୍ରଦେଶରେ ଜଗଦୀଶ ଦେବଦା (ଦଳିତ) ଓ ରାଜେନ୍ଦ୍ର ଶୁକ୍ଲାଙ୍କୁ (ବ୍ରାହ୍ମଣ) ନିଯୁକ୍ତ କରିଛି ତଥା ରାଜସ୍ଥାନରେ ପ୍ରେମ ଚାନ୍ଦ ବେୟାରୱା (ଅନୁସୂଚିତ ଜାତି) ଓ ଦିୟା କୁମାରୀଙ୍କୁ (ରାଜପୁତ) ଉପ-ମୁଖ୍ୟମନ୍ତ୍ରୀ କରିଛି।

ବହୁ ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ଭାଜପାର ପରିଚିତ ମୁହଁମାନେ ଇହଲୋକ ସମ୍ବରଣ କରି ସାରିଛନ୍ତି। ବିଭିନ୍ନ ରାଜ୍ୟ ସ୍ତରୀୟ ତଥା ରାଷ୍ଟ୍ର ସ୍ତରୀୟ ନେତା - କଲ୍ୟାଣ ସିଂହ, ପ୍ରମୋଦ ମହାଜନ, ସତ୍ୟବ୍ରତ ମୁଖାର୍ଜୀ, ତପନ ସିକଦାର, ୟୁ. ଭି. କ୍ରିଷ୍ଣନ ରାଜୁ, ଜାନା କ୍ରୀଷ୍ଣମୂର୍ତ୍ତୀ, ଅଭିନେତାରୁ ରାଜନେତା ହୋଇଥିବା ବିନୋଦ ଖାନ୍ନା, ଯଶୱନ୍ତ ସିଂହ, ଜଗମୋହନ, ସୁନ୍ଦରଲାଲ ପଟୱା, ସାହିବ ସିଂହ ବର୍ମା, ମଦନଲାଲ ଖୁରାନା, ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ମନୋହର ପରିକର, ଅନନ୍ତ କୁମାର, ବାବୁଲାଲ ଗୌର, ମାଙ୍ଗେ ରାମ ଗର୍ଗ ପ୍ରମୁଖ ବହୁପରିଚିତ ନେତାମାନେ ଆଉ ନାହାନ୍ତି।

ସେହିପରି, ଅଧିକ ବୟସ କାରଣରୁ ଲାଲକୃଷ୍ଣ ଆଡ଼ୱାନୀ, ମୁରଲୀ ମନୋହର ଯୋଷୀ, ଏମ ଭେଙ୍କେୟା ନାଇଡୁ, ପି. ରାଧାକ୍ରିଷ୍ଣନ, ଆନ୍ନା ସାହିବ ପାଟିଲ, ମେଜର ଜେନେରାଲ ବିସି ଖଣ୍ଡୁରୀ, ବିକ୍ରମ ବର୍ମା, ସତ୍ୟ ନାରାୟଣ ଜତୀୟା, ସିପି ଠାକୁର ଓ ଶାନ୍ତା କୁମାରଙ୍କ ଭଳି ନେତା ପ୍ରାୟତଃ ଅବସର ନେଇ ସାରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ, ଉମା ଭାରତୀ ଓ ଗୋବିନ୍ଦାଚାର୍ଯ୍ୟ ଏବେ ମାର୍ଗ ଦର୍ଶକ। କୀର୍ତ୍ତି ଆଜାଦଙ୍କୁ ଭାଜପା ବାହାର କରିଦେଇଛି। ସେ ଏବେ ତୃଣମୂଳ କଂଗ୍ରେସରେ। ରାଜୀବ ପ୍ରସାଦ ରୁଡ଼ି ଦଳରେ ଆଉ ଗୁରୁତ୍ୱ ପାଉନାହାନ୍ତି। ଯଶୋବନ୍ତ ସିହ୍ନା, ଶତ୍ରୁଘନ ସିହ୍ନା, ଆରକେ ସିଂହ ଓ ଅରୁଣ ସୌରୀଙ୍କ ଭଳି ଆମଦାନୀ ନେତା ଭାଜପାରୁ ବାହାରିଯାଇ ଏହା ବିରୋଧରେ ମଝିରେ ମଝିରେ ବିଷେଦଗାର କରୁଛନ୍ତି I ସୟିଦ ଶାହନୱାଜ ହୁସେନ ଓ ମୁକ୍ତାର ଆବାସ ନକଭି ଏବେ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ।

ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓ ସାଙ୍ଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବିଭିନ୍ନ ରାଜ୍ୟ ସ୍ତରୀୟ ତଥା ପରିଚିତ ପୁରୁଖା ନେତାମାନଙ୍କ ଆବଶ୍ୟକତା ବଢିଛି। ମତଦାନ ବେଳେ ଜନ ସମର୍ଥନ ପାଇବା ପାଇଁ ନୂଆ ଚେହେରାମାନଙ୍କୁ ମଧ୍ୟ ଆଗକୁ ଆଣିବାକୁ ପଡୁଛି। ଜାତି ଓ ସମ୍ପ୍ରଦାୟ ସମୀକରଣ, ଦେଶ ନିର୍ମାଣ କାର୍ଯ୍ୟକ୍ରମ, ତଥା ଆବଶ୍ୟକ ସ୍ଥଳେ ନୀତି ପରିବର୍ତ୍ତନ କରିବାକୁ ମଧ୍ୟ ଭାଜପା ପଛେଇ ଯାଉନି। ଏଣୁ, କାହାକୁ କାହାର ପ୍ରତିଦ୍ୱନ୍ଦୀ ଆଶଙ୍କାରେ କ୍ଷମତା କେନ୍ଦ୍ରରୁ ଦୂରେଇ ଦିଆଯାଉଥିବା ଅଭିଯୋଗ ଠିକ ନୁହେଁ। ବରଂ, ଏବେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ୁଥିବାରୁ ଓ ମହିଳାଙ୍କ ଭାଗିଦାରୀ ବଢ଼ିଥିବାରୁ ନୂଆପିଢ଼ିର ଯୁବ ନେତୃତ୍ୱ ଚୟନ କରିବା ସମୟର ଆବଶ୍ୟକତା। ପୁରୁଖା ନେତାଙ୍କୁ ଅଭିଜ୍ଞତା ଆଧାରରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିବା ଦେଶର ଆବଶ୍ୟକତା। ଏହା ଛଡ଼ା, ନିର୍ବାଚନ ବୈତରଣୀ ପାର ହୋଇ ସରକାର ଗଢ଼ିବା ଦଳର ଆବଶ୍ୟକତା। ବିବିଧତାରେ ଭରା ଭାରତରେ ସବୁ ପ୍ରକାର ଆବଶ୍ୟକତାକୁ ଧ୍ୟାନ ଦେଇ ଭାଜପା ନିଜ ଦଳର ନୀତି ନିର୍ଦ୍ଧାରଣ କରିବା କିଛି ଛୋଟିଆ କାମ ନୁହେଁ।

ସେଥିପାଇଁ ହୁଏତ ନୂଆ ପିଢ଼ିର ନେତୃତ୍ୱଙ୍କୁ ଏବେ ଅଗ୍ରାଧିକାର ଦେବାକୁ ଓ ଆଗକୁ ଆଣିବାକୁ ଭାଜପା ଅଧିକ ପ୍ରଯତ୍ନ କଲାଭଳି ମନେ ହେଉଛି। ତିନୋଟି ହିନ୍ଦୀଭାଷୀ ରାଜ୍ୟରେ ଏହାର ଅପ୍ରତ୍ୟାଶିତ ବିଜୟ ପରେ ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ଲାଗି ରହିଥିଲା ବେଳେ ସମସ୍ତଙ୍କୁ ଚକିତ କରି ତିନି ଜଣ ନୂଆ ଚେହେରାଙ୍କୁ ଆଗକୁ ଆଣିଥିଲା ଭାଜପା। ଏହାକୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପରିବର୍ତ୍ତିତ ଯୋଜନା ବୋଲି ସ୍ୱୀକାର କରାଯାଇପାରେ। ଏହାକୁ ମଧ୍ୟ ଆମେ ନୂଆ ସାମାଜିକ ସଂରଚନା କହିପାରିବା, ଯାହା ଭାଜପାକୁ ଆଗାମୀ ବର୍ଷମାନଙ୍କରେ କ୍ଷମତା ଆହରଣ ପାଇଁ ଏକ ସୁଚିନ୍ତିତ ନୀତିର ଅଂଶ ବିଶେଷ।

ଭାରତୀୟ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ମତଦାତାମାନେ ନୀତି ଆଧାରରେ ସବୁଠାରୁ ଦକ୍ଷ ଓ ଭଲ ଦଳ ବାଛିବାକୁ ସକ୍ଷମ ନୁହନ୍ତି। ଜାତି, ଗୋଷ୍ଠୀ ଆଧାରରେ ଆମର ଭୋଟ ନିୟନ୍ତ୍ରିତ ହେଉଥିବାରୁ ଛତିଶଗଡ଼ରେ ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରି ପଡ଼ୋଶୀ ମଧ୍ୟ ପ୍ରଦେଶ, ଝାରଖଣ୍ଡ ଓ ଓଡ଼ିଶାର ଆଦିବାସୀ ଭୋଟ ହାତେଇବାକୁ ପ୍ରୟାସ କରିଛି। ଏହି ଚାରୋଟି ରାଜ୍ୟର ଲୋକସଭା ଆସନ ସଂଖ୍ୟା ୭୫ ହୋଇଥିବାରୁ, ଆଦିବାସୀ ଭୋଟ ନିଶ୍ଚୟ ନିର୍ଣ୍ଣାୟକ ହେବ।

ମଧ୍ୟ ପ୍ରଦେଶରେ ଯାଦବ ସମ୍ପ୍ରଦାୟର ଉଚ୍ଚ ଶିକ୍ଷିତ ଡ଼ଃ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରି ଯାଦବ ବହୁଳ ରାଜ୍ୟ ବିହାର ଓ ଉତ୍ତର ପ୍ରଦେଶରେ ନିଜର ସପକ୍ଷରେ ମତହାର ବୃଦ୍ଧି କରିବାକୁ ଯୋଜନା କରିଛି ଭାଜପା। ଯଦିଓ, ମଧ୍ୟ ପ୍ରଦେଶରେ ଯାଦବଙ୍କ ସଂଖ୍ୟା ମାତ୍ର ୬ ପ୍ରତିଶତ, ତଥାପି ଏପରି ପଦକ୍ଷେପ ନେଇ ଭାଜପା ବିହାରର ୧୪ ପ୍ରତିଶତ ଓ ୟୁପିର ୧୦ ପ୍ରତିଶତ ସମେତ ସମୁଦାୟ ଲୋକସଂଖ୍ୟାର ୩୦ ପ୍ରତିଶତ ଯାଦବଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଛି ନିଶ୍ଚୟ। ଯାଦବ ସମ୍ପ୍ରଦାୟର ଭୋଟ ବଳରେ ବଳୀୟାନ ୟୁପିର ସମାଜବାଦୀ ଦଳ ଓ ବିହାରର ଲାଲୁଙ୍କ ଆରଜେଡିର ଭୋଟ ବ୍ୟାଙ୍କରେ ମଧ୍ୟ ପ୍ରଦେଶରେ ଯାଦବ-ମୁଖ୍ୟମନ୍ତ୍ରୀ ଚୟନ ନିଶ୍ଚୟ ପ୍ରଭାବୀ ହେବ। ଏହି ତିନୋଟି ରାଜ୍ୟରେ ରହିଛି ସର୍ବାଧିକ ୧୪୯ଟି ସଂସଦୀୟ ଆସନ। ସେହିପରି ରାଜସ୍ଥାନରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଜଣେ ବ୍ରାହ୍ମଣଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ନିର୍ବାଚିତ କରାଯାଇଥିବାରୁ ଉଚ୍ଚ ସାମାଜିକ ଶ୍ରେଣୀ ମଧ୍ୟ ଖୁସି। ସେଠାରେ କଂଗ୍ରେସ ଓ ଭାଜପା ଅଦଳ ବଦଳ କରି ଶାସନ କ୍ଷମତା ଆହରଣ କରୁଥିଲେ ହେଁ ଅଶୋକ ଗେହେଲଟ ଓ ବସୁନ୍ଧରା ରାଜେଙ୍କ ରାଜତ୍ୱରୁ ରାଜସ୍ଥାନବାସୀ ନିସ୍ତାର ପାଉ ନଥିଲେ। ଏବେ କେବଳ ସେହି ପୁରୁଣା ଧାରା ଭାଙ୍ଗିନାହିଁ, ବରଂ ଭଜନଲIଲ ଶର୍ମାଙ୍କ ରୂପରେ ଜଣେ ନୂତନ ଯୁବ-ମୁଖ୍ୟମନ୍ତ୍ରୀ ପାଇଛନ୍ତି ରାଜ୍ୟବାସୀ। ସେ ଯେ ପଡ଼ୋଶୀ ହରିୟାନାର ୧୨ ପ୍ରତିଶତ, ୟୁପିର ୧୦ ପ୍ରତିଶତ ଓ ରାଜସ୍ଥାନର ୭ ପ୍ରତିଶତ ବ୍ରାହ୍ମଣଙ୍କ ବିଶ୍ୱାସ ଜିତିବେ, ଏଭଳି ସମ୍ଭାବନା ସୃଷ୍ଟି ହୋଇଛି। ଏହି ତିନୋଟି ହିନ୍ଦୀଭାଷୀ ରାଜ୍ୟରେ ଭାଜପା ପକ୍ଷରୁ ନୂଆ ମୁହଁ ତଥା ଅଣ-ଚର୍ଚ୍ଚିତ ପିଢ଼ିକୁ ଆଗକୁ ଆଣିଛି ଓ ସେମାନଙ୍କୁ ନେତୃତ୍ୱ ଦେବାକୁ ଦୂରଦର୍ଶୀ ପ୍ରୟାସ କରିଛି। ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରୁଥିବା ଭାଜପାକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଯେଭଳି ବିରୋଧ କରାଯାଉଥିଲା ଏହି ପଦକ୍ଷେପ ଫଳରେ ତାହାର ପ୍ରଭାବ କ୍ଷୁର୍ଣ୍ଣ କରି ପାରିଛି।

ଦ୍ଵିତୀୟରେ, ବିଧାନସଭା ନିର୍ବାଚନ କାଳରେ କୌଣସି ନେତାଙ୍କୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ରୂପେ ଆଗକୁ ଆଣି ନଥିଲା ଭାଜପା। ଏଥିରୁ ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ଦଳରେ ଗୋଷ୍ଠୀ କନ୍ଦଳ ରହିଛି ଓ ସେଥିପାଇଁ ନିର୍ବାଚନ ପୂର୍ବରୁ କାହାକୁ ବି ଭାବୀ-ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପିତ କରିବାକୁ ଦଳ ଭୟ କରୁଛି। ଏହାକୁ ଭୁଲ ପ୍ରମାଣିତ କଲା ଦଳର ସଶକ୍ତ ସଙ୍ଗଠନ, କର୍ମୀଙ୍କ ଆନୁଗତ୍ୟ ଓ ନିଷ୍ଠପରତା। ସମସ୍ତ ନେତା ଓ ତୃଣମୂଳ କର୍ମୀ କଠିନ ପରିଶ୍ରମ କରି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ଦୃଷ୍ଟିକୁ ଆଣିବାରୁ ଏଭଳି ବିଜୟ ଆସିଲା।

ତୃତୀୟରେ, ଭାଜପା ଯେ ଏକ ବ୍ୟକ୍ତି ଆଧାରିତ, ପାରିବାରିକ ଦଳ ନୁହେଁ ଏବଂ କେବଳ ଜଣେ ଚରିତ୍ରବାନ, ନିଷ୍ଠାବାନ ତଥା ରାଷ୍ଟ୍ରବାଦୀ ସାଧାରଣ କର୍ମୀ ମଧ୍ୟ ଆଗାମୀ ଦିନରେ କ୍ଷମତାର ଶିଖର ଛୁଇଁପାରେ, ତାହା ପ୍ରମାଣିତ ହୋଇଗଲା। ମନେ ଥାଇପାରେ ଯେ, ଏଭଳି ନୂଆ ମୁହଁଙ୍କୁ ମଧ୍ୟ ଆଗରୁ ଆଣିଛି ଭାଜପା। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡରେ ପୁଷ୍କର ସିଂ ଧାମି ଓ ଗୁଜରାଟରେ ଭୁପେନ୍ଦ୍ର ଭାଇ ପଟେଲଙ୍କୁ ଯେତେବେଳେ ମୁଖ୍ୟମନ୍ତ୍ରୀ କରାଯାଇଥିଲା ସେତେବେଳେ ରାଜନୈତିକ ପଣ୍ଡିତମାନେ ଚିହିଁକି ଉଠିଥିଲେ। ଅଥଚ ବହୁଚର୍ଚ୍ଚିତ ଚେହେରା ବଦଳରେ ପଛଧାଡ଼ିରେ ଲୁଚି ଯାଉଥିବା ପ୍ରତିଭାବାନ ବିଧାୟକଙ୍କୁ ନେତୃତ୍ୱ ପ୍ରଦାନ ପରମ୍ପରା ଭାଜପା ପାଇଁ ନୂଆ ନଥିଲା। ଆଦିବାସୀ ବହୁଳ ଝାରଖଣ୍ଡରେ ଅଣ-ଆଦିବାସୀ ନେତା ରଘୁବର ଦାସଙ୍କଠାରୁ ଆରମ୍ଭ କରି ହରିୟାଣାରେ ମନୋହରଲାଲ ଖଟ୍ଟର ଓ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନବୀସଙ୍କୁ ମୁଖ୍ୟମନ୍ତ୍ରୀ କରି ଭାଜପା ଅନେକ ରାଜନୈତିକ ପରୀକ୍ଷା ନିରୀକ୍ଷା କରିସାରିଛି। ଅନେକ ପାରମ୍ପରିକ ରାଜନୈତିକ ସମୀକ୍ଷକ ପୁରୁଣା କାଳିଆ ଚଷମା ବ୍ୟବହାର କରି ଭାଜପାର ବିଚାରଧାରାକୁ ବୁଝିବାରେ ତ୍ରୁଟି କରି ବସନ୍ତି। ବୁଥ ବାହୁଡ଼ା ମତଗଣନା ଓ ସମ୍ଭାବ୍ୟ ଆସନର ଗାଣିତିକ ହିସାବ ଭୋଟ ଫଳାଫଳରେ ଭୁଲ ହେବାର ଏହା ହିଁ ଅନ୍ୟତମ କାରଣ। ଅନେକେ ଲକ୍ଷ୍ୟ କରିଥିବେ ଯେ ଗଣମାଧ୍ୟମ ମଧ୍ୟ ଏହାର ଶିକାର ହୋଇଛି। ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ 'ମାମା' ଶିବରାଜ ସିଂହ ଚୌହାନଙ୍କ ମନ କିଭଳି ବିଷର୍ଣ୍ଣତାରେ ଭରିଯାଇଥିଲା ତାହା ଥିଲା ଗଣମାଧ୍ୟମରେ କିଛି ଦିନ ତଳ ଯାଏଁ ଚର୍ଚ୍ଚିତ ଖବର!

ଚତୁର୍ଥରେ, ପୂର୍ବରୁ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ଏବଂ ଏବେ ତେଲେଙ୍ଗାନାରେ କଂଗ୍ରେସର ସଫଳତାର ଶ୍ରେୟ ଦଳର ରାଜ୍ୟ ନେତୃତ୍ୱ ଓ ସ୍ଥାନୀୟ ପ୍ରସଙ୍ଗ ଉପରେ ଗୁରୁତ୍ଵାରୋପକୁ ଦିଆଯାଇ ପାରେ। ଅଥଚ, ଭାଜପା ଜିଣିଥିବା ରାଜ୍ୟମାନଙ୍କରେ ମତଦାତାଙ୍କ ପାଖକୁ ଯାଇଥିବା କେନ୍ଦ୍ରୀୟ ନେତୃତ୍ୱଙ୍କ ଗ୍ୟାରେଣ୍ଟିକୁ ସେମାନେ ବିଶ୍ୱାସ କରିଥିବା ସ୍ପଷ୍ଟ। ସେଠାରେ ଜାତୀୟ ପ୍ରସଙ୍ଗ ଓ ଜାତୀୟ ନେତୃତ୍ୱ ମତଦାତାଙ୍କ ଗ୍ରହଣୀୟତା ହାସଲ କରିଥିବା ଫଳାଫଳରୁ ପରିଷ୍କାର ଦେଖାଯାଉଛି। ଜାତି ଆଧାରିତ ଜନଗଣନା ପ୍ରସଙ୍ଗ ସେଥିପାଇଁ ଦାନା ଧରିଲାନି। ବରଂ ମଧ୍ୟ ପ୍ରଦେଶରେ ସରକାରଙ୍କ ସପକ୍ଷରେ ବାରମ୍ବାର ମତଦାନର ମୁଖ୍ୟ କାରଣ ପାଲଟିଲା ପୁରୁଣା ବଦଳରେ ନୂଆ ପିଢ଼ିର ଯୁବ ନେତୃତ୍ୱ ଉପରେ ଶୀର୍ଷ ନେତୃତ୍ୱଙ୍କ ଭରସା ଓ ଗୁରୁତ୍ୱାରୋପ, ରାଷ୍ଟ୍ର ନିର୍ମାଣ ପାଇଁ ଅଙ୍ଗିକାରବଦ୍ଧତା ଓ ଜାତୀୟ ପ୍ରସଙ୍ଗ ଉତ୍ଥାପନ। ରାଜନୈତିକ କ୍ଷମତା ଅଳିନ୍ଦ ମଧ୍ୟକୁ ନୂତନ ସୂର୍ଯ୍ୟାଲୋକ ଓ ମୁକ୍ତ, ଅବାଧ ପବନ ପ୍ରବେଶ ଭଳି ନୂଆ ଚେହେରାଙ୍କ ଆବିର୍ଭାବ ଯେ ମତଦାତାଙ୍କ ମନକୁ ଆଲୋଡ଼ିତ କରିବାକୁ ସମର୍ଥ, ତାହା ଏହି ନିର୍ବାଚନ ପ୍ରମାଣିତ କରିଛି। ପିଢ଼ି ପରେ ପିଢ଼ିର ନେତାଙ୍କୁ ପ୍ରୋତ୍ସାହନ, ଦଳ ମଧ୍ୟରେ ଅନୁଶାସନ ଓ ଶୃଙ୍ଖଳା, ଶୀର୍ଷ ନେତୃତ୍ୱଙ୍କ ପ୍ରତିବଦ୍ଧତା, ଦଳର ବୈଚାରିକ ନୀତି ପ୍ରତି ସମର୍ପିତ ବିଶ୍ଵାସୀ ଓ ପରିଶ୍ରମୀ କର୍ମୀ ଓ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଯେ, ଯେକୌଣସି ରାଜନୈତିକ ଦଳକୁ ନିର୍ବାଚନରେ ସଫଳତା ଆଣିଦିଏ, ତାହା ଗତ ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି।

ଶେଷରେ, ବିରୋଧୀ ଶାସିତ ରାଜ୍ୟମାନଙ୍କରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା - ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି, ସିବିଆଇ, ଆୟକର ବିଭାଗ ଇତ୍ୟାଦିକୁ ବ୍ୟବହାର କରାଯାଇ ଭାଜପା ନିଜର ଶତ୍ରୁଦମନ କରେ ବୋଲି ଏକ ଅପନିନ୍ଦା ଶୁଣିବାକୁ ମିଳେ। ଯେଉଁମାନେ ଏପରି ନିନ୍ଦା କରନ୍ତି, ଓଡ଼ିଶାରେ କାହିଁକି କେନ୍ଦ୍ରୀୟ ସଂସ୍ଥାମାନେ ଅନୁସନ୍ଧାନ କରୁ ନାହାନ୍ତି ବୋଲି ସେଇମାନେ ହିଁ ଆକ୍ଷେପ କରନ୍ତି। ଓଡ଼ିଶାରେ ଖଣିଜ ସମ୍ପଦ ଯେଭଳି ଲୁଟ ହେଉଛି ଓ ରାଜ୍ୟ ରାଜକୋଷ ସମେତ ଶାସକ ବିଜୁ ଜନତା ଦଳର ପାଣ୍ଠି ବଢୁଛି, ତାହାର ତଦନ୍ତ କରାଯାଉନି। କୁହା ଯାଉଛି ଯେ, ଭାଜପା ଏଥିରୁ ଉଭୟ ଆର୍ଥିକ ତଥା ରାଜନୈତିକ ଲାଭ ଉଠାଉଥିବାରୁ ନୀରବ ସମର୍ଥନ ଦେଉଛି। ଏକଥା ସତ୍ୟ ଯେ, ଓଡ଼ିଶା ଏକ ଗରିବ ରାଜ୍ୟ ଏବଂ ଏଠାରେ ଦୀର୍ଘସୂତ୍ରୀ ଭିତ୍ତିଭୂମି ଉନ୍ନୟନ ଅଧିକ ଆବଶ୍ୟକ ଥିଲେ ହେଁ ରାଜ୍ୟ ସରକାର ଭୋଟ-ମନସ୍କତା ସହିତ ଅଣଉତ୍ପାଦକ ଖର୍ଚ୍ଚ କରି ଚାଲିଛନ୍ତି, ଋଣ ବଢୁଛି ଓ ରାଜ୍ୟର ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଥିରେ ଓଡ଼ିଶାବାସୀଙ୍କ ସାଥ, ବିକାଶ, ବିଶ୍ୱାସ ଓ ପ୍ରୟାସ ହେଉ ନଥିବାର ଉପଲବ୍ଧି କରି ରାଜ୍ୟବାସୀ ତଥା ଭାଜପାର କର୍ମୀମାନେ ହତାଶାରେ ଅଛନ୍ତି। ଭାଜପା ଓଡ଼ିଶାରେ ଆଖିଦୃଶିଆ ପଦକ୍ଷେପ ନନେଲେ, ଆମେ କାହିଁକି ଓ କିପରି ବିଶ୍ୱାସ କରିବୁ ଯେ ଏମାନେ ଏକ ରାଷ୍ଟ୍ରୀୟ ଦଳ? ଏହା ଏକ ହିନ୍ଦୀଭାଷୀ ଆଞ୍ଚଳିକ, ସାମ୍ପ୍ରଦାୟିକ, ଜାତିଭିତ୍ତିକ ତଥା କ୍ଷମତା ସଂରଚନାରେ (ଇଞ୍ଜିନିୟରିଂ) ରୁଚି ରଖୁଥିବା ଦଳ ବୋଲି ଓଡ଼ିଆମାନେ ଭାବିବାରେ ଭୁଲ କେଉଁଠି? ଭାଜପା ତା’ର ନିର୍ବାଚନୀ ଲାଭ ପାଇଁ ପରୀକ୍ଷା ନିରୀକ୍ଷା ଚଳାଇବାରେ କିଛି ଅସଙ୍ଗତି ନାହିଁ। ମାତ୍ର, ଓଡ଼ିଶାରେ ଏହାର ଅଭାବ ପରିଲକ୍ଷିତ ହେବା ଦଳ ପାଇଁ କେତେ ଠିକ ତାହା ଆଗାମୀ ନିର୍ବାଚନରେ ସ୍ପଷ୍ଟ ହେବ।

ଫୋ - ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos