Advertisment

ବାଂଲାଦେଶରେ ନୂଆ ସରକାର ଓ ଭାରତ

ବାଂଲାଦେଶରେ ଚୀନୀ ସାମ୍ରାଜ୍ୟବାଦୀମାନଙ୍କ କ୍ରମ ବର୍ଦ୍ଧମାନ ପୁଞ୍ଜିନିବେଶ ଭାରତୀୟ ଓ ଆମେରିକୀୟ ଶାସକମାନଙ୍କ ଚିନ୍ତା ବଢ଼ାଇଛି । ବିଶେଷ କରି ଶେଖ୍ ହସିନା ଗାଦିଚ୍ୟୁତ ହେବା ପରେ ପାକିସ୍ଥାନ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଥର ପାଇଁ ସମ୍ପର୍କରେ ଯେଉଁ ନିକଟତା ଦେଖାଯାଇଛି ତାହା ଭାରି ପାଇଁ ଅଧିକ ଚିନ୍ତାର କାରଣ ହୋଇଛି ।

Bangla
Advertisment
  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ବାଂଲାଦେଶରେ ଦୀର୍ଘଦିନ ଧରି ପ୍ରତୀକ୍ଷିତ ତ୍ରୟୋଦେଶ ଜାତୀୟ ସଂସଦ ପାଇଁ ନିର୍ବାଚନ ୧୨ ଫେବୃଆରୀରେ ସମ୍ପନ୍ନ ହୋଇ ତା’ର ଫଳ ମଧ୍ୟ ପ୍ରକାଶିତ ହୋଇଯାଇଛି । ଏହି ନିର୍ବାଚନରେ ଆଶା କରାଯାଇଥିବା ପରି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ବିପୁଳ ବିଜୟ ହାସଲ କରିଛି । ୩୦୦ ଆସନ ବିଶିଷ୍ଟ ସଂସଦର ଗୋଟିଏ ଆସନରେ ପ୍ରାର୍ଥୀଙ୍କ ମୃତୁ୍ୟ ହେତୁ ୨୯୯ଟି ଆସନରେ ହିଁ ନିର୍ବାଚନ ହୋଇଥିଲା । ଏଥିରେ ବିଏନ୍ପି ୨୦୯ଟି ଆସନ ଜିତିଛି । ପ୍ରଥମ ଥର ପାଇଁ ମୁସଲିମ୍ ମୌଳବାଦୀ ସଂଗଠନ ଜମାତ-ଏ-ଇସ୍ଲାମି ୬୮ଟି ଆସନରେ ବିଜୟ ଲାଭ କରିଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ଗତ ଦିନର ପ୍ରତିବାଦ ଆନେ୍ଦାଳନରୁ ସୃଷ୍ଟି ହୋଇଥିବା ଛାତ୍ରମାନଙ୍କ ରାଜନୈତିକ ଦଳ, ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନ୍ସିପି) ମାତ୍ର ୬ଟି ଆସନ ପାଇଛି । ଅନ୍ୟାନ୍ୟ ଦଳମାନେ ୭ଟି ଆସନ ଜିତିଥିବା ବେଳେ ଅବଶିଷ୍ଟ ୭ଟି ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ଇତି ମଧ୍ୟରେ ବିଏନ୍ପିର ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଦାୟୀତ୍ୱ ଗ୍ରହଣ କରିଛନ୍ତି ।
Advertisment

ଏହି ନିର୍ବାଚନ ସହିତ ୨୦୨୪ର ଜନ ଆନ୍ଦୋଳନ ପରେ ଗୃହୀତ ହୋଇଥିବା ‘ସଂସ୍କାର’ ଉପରେ ଜନମତ ସଂଗ୍ରହ ବା ଗଣଭୋଟ ମଧ୍ୟ ନିଆଯାଇଥିଲା । ଗଣଭୋଟରେ ସେଠାକାର ୪ କୋଟି ୮୦ ଲକ୍ଷରୁ ଅଧିକ ମତଦାତା ‘ହଁ’ ଭୋଟ ଦେଇଛନ୍ତି । ଏହାର ଅର୍ଥ ହେଲା, ନବ ନିର୍ବାଚିତ ସାଂସଦମାନେ ପ୍ରଥମ ୧୮୦ ଦିନ ‘ସଂବିଧାନ ସଂସ୍କାର ପରିଷଦ’ ଭାବେ କାମ କରିବେ । ଏହି ସଂସ୍କାରମାନଙ୍କ ମଧ୍ୟରେ ବାଂଲାଦେଶରେ ଦୁଇ ସଦନ ବିଶିଷ୍ଟ ସଂସଦୀୟ ବ୍ୟବସ୍ଥା, ରାଷ୍ଟ୍ରପତିଙ୍କ ଅଧିକାର ବୃଦ୍ଧି, ସଂସଦରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି, ପ୍ରଧାନମନ୍ତ୍ରୀଙ୍କ ଅଧିକାର ହ୍ରାସ କରିବା ପରି ସର୍ତ୍ତ ମଧ୍ୟ ସାମିଲ ରହିଛି । ଜନମତ ସଂଗ୍ରହରେ ଏହି ସଂସ୍କାରଗୁଡ଼ିକ ପ୍ରତି ସମର୍ଥନ ମିଳିଥିବାରୁ ତାହା ଆଗାମୀ ଦିନରେ ଗୃହୀତ ହେବାର ମଧ୍ୟ ସମ୍ଭାବନା ରହିଛି । ସବୁଠାରୁ ବଡ଼କଥା ହେଲା, ଗୃହୀତ ହେବା ପରେ ନୂଆ ସରକାରକୁ ସେଗୁଡ଼ିକୁ ଲାଗୁ କରିବା ପାଇଁ ବଡ଼ ପରିମାଣରେ ସମ୍ବିଧାନ ସଂଶୋଧନ କରିବାକୁ ପଡ଼ିବ ।

୨୦୨୪ର ଜନ ଆନ୍ଦୋଳନ ସମୟରେ ଅୱାମି ଲିଗର ଶେଖ ହସିନାଙ୍କୁ ଯୁବକ-ଜନତା ଗାଦିଚ୍ୟୁତ କରିଦେଇଥିଲେ । ଶେଖ୍ ହସିନା ପଳାଇ ଭାରତରେ ଶରଣ ନେବାକୁ ବାଧ୍ୟ ହୋଇଥିଲେ । ପଶ୍ଚମର ସାମ୍ରାଜ୍ୟବାଦୀ ଦେଶମାନଙ୍କ ପ୍ରିୟ ମହମ୍ମଦ ୟୁନୁସ ପରାମର୍ଶଦାତା ଭାବେ କ୍ଷମତାରେ ବସିଥିଲେ । ଏହି ସମୟରେ ତାଙ୍କ ଦ୍ୱାରା ନିର୍ବାଚନ ପଛେଇବା ଚେଷ୍ଟାକୁ ପୁଣିଥରେ ଜନତା ବିରୋଧ କରିଥିଲେ । ମୌଳବାଦୀ ଜମାତ-ଇ-ଇସ୍ଲାମି ଦ୍ୱାରା ବାଂଲାଦେଶରେ ସାମ୍ପ୍ରଦାୟିକ ଉନ୍ମାଦ ସୃଷ୍ଟି କରିବାକୁ ଚେଷ୍ଟା ହେବାରୁ ଆୱାମି ଲିଗ୍‌କୁ ବେଆଇନ ଘୋଷଣା କରିବା ସହ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହି ପରିସ୍ଥିତିରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ବିଜୟ ପୂର୍ବରୁ ହିଁ ଏକରକମ ନିଶ୍ଚିତ ବୋଲି କୁହାଯାଉଥିଲା । ତେବେ ତାରିକ୍ ରହମାନଙ୍କ ନେତୃତ୍ୱରେ ବିଏନପିର ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କେବଳ ଶାସନ ପରିବର୍ତ୍ତନ ନୁହେଁ, ବରଂ ସେ ଦେଶର ରାଜନୈତିକ ପୁନର୍ଗଠନ ହେବାକୁ ଯାଉଛି ।

Advertisment

୨୦୨୪ର ଐତିହାସିକ ଜନ ଅସନ୍ତୋଷ ଓ ଜନ ଅଭୁ୍ୟଥାନର ପଛରେ ଶେଖ ହସିନାଙ୍କ ଶାସନର ଏକଛତ୍ରବାଦୀ ପଦକ୍ଷେପ ସହିତ ଉଦାରୀକରଣ - ଘରୋଇକରଣ ନୀତିମାନଙ୍କର ମଧ୍ୟ ଭୂମିକା ରହିଥିଲା । ଏହି ନୀତିମାନଙ୍କ ଫଳରେ ଦେଶରେ ବେକାରୀ, ଦରଦାମ୍ ବୃଦ୍ଧି ଓ ଲୋକଙ୍କ ଜୀବନ ଧାରଣର ମାନରେ ଅବନତିରେ ବାଂଲାଦେଶର ଜନତା ଭୟଙ୍କର ଭାବେ ପୀଡ଼ିତ ଥିଲେ । ଏସବୁ ସେତେବେଳେ ଘଟୁଥିଲା ଯେତେବେଳେ ବାଂଲାଦେଶର ଅର୍ଥନୀତି ଦ୍ରୁତ ଗତିରେ ବିକାଶ କରୁଥିଲା ଓ ପୁଞ୍ଜିପତିମାନେ ଅଧିକରୁ ଅଧିକ ଧନୀ ହେଉଥିଲେ । ତେବେ ଜନ ଆନେ୍ଦାଳନ ପରବର୍ତ୍ତୀ ସମୟରେ ମଧ୍ୟ ଉପରୋକ୍ତ  ସମସ୍ୟାମାନଙ୍କର କୌଣସି ସମାଧାନ ହୋଇପାରିଲା ନାହିଁ । ଏବେ ନୂଆ ସରକାରକୁ ଏହି ସମସ୍ୟା ଗୁଡ଼ିକ ସହ ମୁକାବିଲା କରିବାକୁ ପଡ଼ିବ, ନଚେତ ସେମାନେ ମଧ୍ୟ ଜନ ଆକ୍ରୋଶର ଶିକାର ହେବାକୁ ବାଧ୍ୟ ହେବେ । ତେବେ ବିଏନ୍ପିର ଇତିହାସକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ସେମାନଙ୍କ ସରକାର ଦେଶର ଯୁବକ, କୃଷକ ଓ ଅନ୍ୟ ଶ୍ରମଜୀବୀ ବର୍ଗର ସମସ୍ୟାର ସମାଧାନର ଦିଗରେ କୌଣସି ଠୋସ୍ ପଦକ୍ଷେପ ନେବାର ସମ୍ଭାବନା ବହୁତ କ୍ଷୀଣ ଅଟେ । ବରଂ ଏହାର ବିପରୀତ ସେମାନେ ମଧ୍ୟ ଦେଶୀ ବିଦେଶୀ କର୍ପୋରେଟ୍ମାନଙ୍କ ଲାଭ ବଢ଼ାଇବାରେ ହିଁ ସହାୟକ ହେବେ ।

୨୦୨୪ର ଜନ ଆନ୍ଦୋଳନରେ ଆମେରିକୀୟ ସାମ୍ରାଜ୍ୟବାଦୀମାନଙ୍କ ଭୂମିକା ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଇଥିଲା । ସେମାନଙ୍କ ବୋଲକରା ତଥା ପ୍ରିୟ ମହମ୍ମଦ ୟୁନୁସଙ୍କ କ୍ଷମତାସୀନ ହେବା ଏହି କଥାକୁ ସତ୍ୟ ପ୍ରମାଣିତ କରିଥିଲା । ଗତ ଦେଢ଼ ବର୍ଷରେ ୟୁନୁସ ସାମ୍ରାଜ୍ୟବାଦୀମାନଙ୍କ ହିତରେ ଅନେକ କାମ କରିଛନ୍ତି । ନିର୍ବାଚନ ପୂର୍ବରୁ ହୋଇଥିବା ଆମେରିକା-ବାଂଲାଦେଶ ବାଣିଜ୍ୟ ଚୁକ୍ତି ମଧ୍ୟ ତାଙ୍କର ଏକ ପ୍ରୟାସ ଥିଲା, ଯାହାଦ୍ୱାରା ବାଂଲାଦେଶରେ ଆମେରିକୀୟ ସ୍ୱାର୍ଥ ସୁରକ୍ଷିତ ହୋଇ ରହିପାରିବ । ପ୍ରସ୍ତାବିତ ସଂସ୍କାରମାନଙ୍କ ମାଧ୍ୟମରେ ମଧ୍ୟ ସାମ୍ରାଜ୍ୟବାଦୀମାନେ ବାଂଲାଦେଶ ଉପରେ ନିଜ ନିୟନ୍ତ୍ରଣକୁ ଜାରି ରଖିବାକୁ ଚାହୁଁଛନ୍ତି ।

ଅନ୍ୟପଟେ ୨୦୨୪ର ଜନ ଆନେ୍ଦାଳନ ପରେ ଭାରତ-ବାଂଲାଦେଶ ସମ୍ପର୍କ ଧୀରେ ଧୀରେ ଖରାପ ହୋଇଯାଇଥିଲା । ଶାସକ ଅୱାମି ଲିଗ୍‌ର ସରକାର ଓ ଶେଖ ହସିନାଙ୍କ ପ୍ରତି ଭାରତ ସରାକରଙ୍କ ଖୋଲା ସମର୍ଥନ ସେଠାକାର ଅନ୍ୟ ରାଜନୈତିକ ଶକ୍ତିମାନଙ୍କ ପାଇଁ ଚକ୍ଷୁଶୁଳ ହୋଇ ଆସିଥିଲା । ବିଶେଷ କରି ମୁଖ୍ୟ ବିରୋଧି ଦଳ ବିଏନ୍ପି ଓ ଜମାୟତ-ଇ-ଇସ୍ଲାମି ଏହି ସମ୍ପର୍କକୁ ଭାରତୀୟ ସରକାରଙ୍କ ହସ୍ତକ୍ଷେପ ବୋଲି ଚିତ୍ରିତ କରି ତା’ର ବିରୋଧ କରୁଥିଲେ । ବର୍ତ୍ତମାନ ବଦଳିଥିବା ପରିସ୍ଥିତିରେ ନିର୍ବାଚନରୁ ଅନେକ ପୂର୍ବରୁ ଭାରତୀୟ ଶାସକମାନେ ଶାସକ ବିଏନ୍ପି ସହିତ ସମ୍ପର୍କ ସୁଧାରିବାର ଚେଷ୍ଟା କରୁଥିଲେ । ଏପର୍ଯ୍ୟନ୍ତ ଜମାତ-ଇ-ଇସ୍ଲାମି ସହିତ ମଧ୍ୟ ଗୋପନ ଆଲୋଚନା କରିବାକୁ ସେମାନେ ଚେଷ୍ଟା କରୁଥିଲେ ବୋଲି ଖବର ପ୍ରକାଶିତ ହୋଇଛି । କିନ୍ତୁ ନିର୍ବାଚନରେ ବିଏନ୍ପିର ବିଜୟ ଉପରେ ମୋଦୀଙ୍କ ଅଭିନନ୍ଦନ ତଥା ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କୌଣସି କ୍ୟବିନେଟ୍ ମନ୍ତ୍ରୀ ନଯିବା କଥାଟି ଦେଖାଉଛି ଯେ ଭାରତ ସରକାର ଏକ ସୀମା ପର୍ଯ୍ୟନ୍ତ ହିଁ ସମ୍ପର୍କ ସୁଧାରିବାର ଚାହୁଁଛନ୍ତି । ୨୦୨୫ର ମଧ୍ୟଭାଗରୁ ହିଁ ବିଏନ୍ପିର ଭାରତ ପ୍ରତି ମନୋଭାବ ବଦଳିବା ଆରମ୍ଭ ହୋଇଥିଲା । ସେତେବେଳେ ଜମାତ-ଇ-ଇସ୍ଲାମିର ଘୋର ଭାରତ ବିରୋଧୀ ବିଚାରଧାରାରୁ ବିଏନ୍ପି ନିଜକୁ ଅଲଗା କରିବା ଆରମ୍ଭ କରିଥିଲା ।

ବାଂଲାଦେଶରେ ଚୀନୀ ସାମ୍ରାଜ୍ୟବାଦୀମାନଙ୍କ କ୍ରମ ବର୍ଦ୍ଧମାନ ପୁଞ୍ଜିନିବେଶ ଭାରତୀୟ ଓ ଆମେରିକୀୟ ଶାସକମାନଙ୍କ ଚିନ୍ତା ବଢ଼ାଇଛି । ବିଶେଷ କରି ଶେଖ୍ ହସିନା ଗାଦିଚ୍ୟୁତ ହେବା ପରେ ପାକିସ୍ଥାନ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଥର ପାଇଁ ସମ୍ପର୍କରେ ଯେଉଁ ନିକଟତା ଦେଖାଯାଇଛି ତାହା ଭାରି ପାଇଁ ଅଧିକ ଚିନ୍ତାର କାରଣ ହୋଇଛି । କାରଣ ଆଗରୁ ପାକିସ୍ଥାନ ଓ ଚୀନ ଦୁଇଟି ଦେଶର ସୀମାରେ ପରିସ୍ଥିତି ଅଶାନ୍ତ ହେବା ଯୋଗୁଁ ଭାରତର ସେନା ମୃତୟନ ଏବେ ଆଉ ଏକ ମୋର୍ଚ୍ଚା ଅର୍ଥାତ୍ ବାଂଲାଦେଶ ସୀମାରେ ପରିସ୍ଥିତି ଖରାପ ହେଲେ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହେବ । ଭବିଷ୍ୟତରେ ଯଦି ତିନୋଟି ଯାକ ଦେଶ ଏକାଥରକେ ଭାରତ ସହ ମୁକାବିଲା କରିବେ ତାହା ଆମ ପାଇଁ ବିପଜ୍ଜନକ ହେବ । ଅତଏବ ଭାରତ ପାଇଁ ଗୋଟିଏ ପଟେ ବାଂଲାଦେଶ ପରି ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଡ଼ୋଶୀ ସହିତ ସମ୍ପର୍କ ସୁଧାରିବା ପାଇଁ ସେଠାକାର ନୂଆ ସରକାର ସହ ଦ୍ୱିପାକ୍ଷିତ ବାର୍ତ୍ତାକୁ ସକ୍ରିୟ କରିବାକୁ ହେବ ।

ଦ୍ୱିତୀୟତଃ ସେଠାକାର ସାଧାରଣ ଜନତାଙ୍କ ମଧ୍ୟରେ ଯେଉଁ ଭାରତ ବିରୋଧି ମନୋଭାବ ଚରମ ସ୍ତରରେ ପହଂଚିଛି ତାକୁ ମଧ୍ୟ ପ୍ରଶମିତ କରିବା ଦିଗରେ ଭାରତ ପକ୍ଷରୁ ସାକାରାତ୍ମକ ଉଦ୍ୟମ କରିବାକୁ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଦି ସରକାରଙ୍କ ତୃଟୀପୂର୍ଣ୍ଣ ବୈଦେଶିକ ନୀତି ଏବଂ ବିଶେଷ କରି ଦେଶ ଭିତରେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବୈଦେଶିକ ନୀତିକୁ କ୍ଷତିଗ୍ରସ୍ତ ହେବାକୁ ଦିଆଯାଇଛି । ଗୋଟିଏ ପଟେ ଭାଜପା ସରକାର ସେଠାକାର ସବୁଠାରୁ ବେଶୀ ଅଲୋକପ୍ରିୟ ନେତା ରୂପେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ନିଜ ଦେଶରେ ଆଶ୍ରୟ ଦେଇ ସେ ଦେଶରେ ଭାରତ ବିରୋଧି ଅସନ୍ତୋଷକୁ ବଢ଼ିବାକୁ ଦେଉଥିବା ବେଳେ ଅନ୍ୟ ପଟେ ସରକାରୀ ଦଳ ସହ ସମ୍ପୃକ୍ତ ବିଭିନ୍ନ ସଂଗଠନ ସାରା ଦେଶରେ ବାଲାଂଦେଶୀ ବିରୋଧି ଅଭିଯାନ ଆରମ୍ଭ କରିଛନ୍ତି । ଗତ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବାଂଲାଦେଶୀ ନାଁରେ ଅନେକ ବଙ୍ଗାଳୀ ଶ୍ରମିକ ଓ ବୁଲା ବିକାଳୀଙ୍କୁ ଆକ୍ରମଣ, ନିର୍ଯ୍ୟାତନା ଏପରିକି ହତ୍ୟା କି କରିବା ଦେଖାଯାଇଛି । ଯଦିଓ ବାଂଲାଦେଶରେ କୌଣସି ଭାରତୀୟଙ୍କୁ ନହେଲେ ବି ସେଠାକାର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଉପରେ ମୌଳବାଦୀ ଶକ୍ତିମାନେ ଆକ୍ରମଣ ଓ ହତ୍ୟା କରିଛନ୍ତି, କିନ୍ତୁ ସେସବୁ ମାମଲାରେ ସେଠାକାର ସରକାର ତୁରନ୍ତ ପଦକ୍ଷେପ ନେଇ ଆସାମୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବହୁଚର୍ଚ୍ଚିତ ଦୀପୁ ଦାସ ମାମଲାରେ ସେଠାକାର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛି ।

ଅନ୍ୟପଟେ ଆମ ରାଜ୍ୟର ସମ୍ବଲପୁର ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ  ବାଂଲାଦେଶୀ ନାଁରେ ଯେତେସବୁ ଅତ୍ୟାଚାର ଓ ହତ୍ୟା ହୋଇଛି, ପ୍ରାୟତଃ ପିଡ଼ୀତ ଲୋକେ ବାଂଲାଦେଶୀ ନୁହଁନ୍ତି ବରଂ ପଶ୍ଚିମବଙ୍ଗର ଗରିବ ଶ୍ରମିକ ଓ ବୁଲା ବିକାଳୀ । ସବୁଠାରୁ ପରିତାପର ବିଷୟ ଉପରୋକ୍ତ ସମସ୍ତ ଘଟଣାରେ ସରକାରଙ୍କ ପକ୍ଷରୁ ଆଶାନୁରୂପ ତତ୍ପରତା ପ୍ରକାଶ ପାଉନାହିଁ । ବରଂ ଲଗାତାର ଭାବେ ଗତ ୧୨ ବର୍ଷ ଧରି କ୍ଷମତାରେ ରହି ଆସିଥିବା ଶାସକ ଦଳ ଲଗାତାର ଭାବେ ସବୁ ନିର୍ବାଚନରେ ‘ବାଂଲାଦେଶୀ ଘୁସପେଟିୟା’ର ଭୂତ ତିଆରି କରି ଧାର୍ମିକ ଧୃବୀକରଣର ଚେଷ୍ଟା କରିବା ଦେଖାଯାଇଛି । ବାଲାଂଦେଶ ସୀମାରେ ଥିବା ଆମର ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ରାଜ୍ୟ ପଶ୍ଚିମବଙ୍ଗ ଓ ଆସାମରେ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଛି । ସେସବୁ ନିର୍ବାଚନରେ ମଧ୍ୟ ‘ବାଂଲାଦେଶୀ ଘୁସପେଟିୟା’କୁ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି । ଏସବୁ ଜରିଆରେ ହୁଏତ ଗୋଟିଏ ଦଳ ଦେଶ ଭିତରେ ଅଧିକ କିଛି ଆସନ ଜିତି ସରକାର କରିପାରେ କିନ୍ତୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ଆମର ବୈଦେଶିକ ସମ୍ପର୍କ ଉପରେ ପଡ଼ୁଛି । ଅତିତରେ ଖୋଦ୍ ବାଂଲାଦେଶର ସରକାର ଭାରତୀୟ ନେତାଙ୍କ ଦ୍ୱାରା ଭାଷଣରେ ‘ବାଂଲାଦେଶୀ ଘୁସପେଟିୟା’ ଶବ୍ଦର ବ୍ୟବହାରକୁ ନେଇ ନିଜର ଆନୁଷ୍ଠାନିକ ଆପତ୍ତି ଦାଖଲ କରିଛନ୍ତି ।  ଅତଏବ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ସରକାରଙ୍କୁ ଏ ଦିଗରେ ଅଧିକ ସକ୍ରୀୟ ଓ କ୍ରୀୟାଶୀଳ ହେବାକୁ ପଡ଼ିବ ।       
ସେହିପରି ଭାବେ ବାଂଲାଦେଶର ନୂତନ ସରକାର ପାଇଁ ମଧ୍ୟ ଆଗାମୀ ଦିନରେ ବହୁତ କିଛି କରିବାର ଅଛି । ନିର୍ବାଚନ ସମୟରେ ସମ୍ପନ୍ନ ଗଣଭୋଟରେ ‘ହଁ’ ମତର ବିଜୟଟି ଜୁଲାଇର ଜାତୀୟ ସନଦ ଅନୁସାରେ ସଂବିଧାନିକ ସଂସ୍କାର ପ୍ରକ୍ରିୟାକୁ ବାଧ୍ୟତାମୂଳକ ରାଜନୈତିକ ପ୍ରତିଶ୍ରୁତିରେ ପରିଣତ କରିଛି । ଏହାର ଫଳରେ, ନୂତନ ସରକାରକୁ ଗୋଟିଏ ପଟେ ଶାସନର ଦାୟିତ୍ୱ ନେବାକୁ ହେବ, ଅନ୍ୟପଟେ ଗଠନାତ୍ମକ ସଂସ୍କାରର ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାର କଠିନ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ସେହିପରି ଗୋଟିଏ ପଟେ ସେହି ଦେଶରେ ଚୀନ ଓ ଆମେରିକୀୟ ସାମ୍ରାଜ୍ୟବାଦର ବର୍ଦ୍ଧିତ ହସ୍ତକ୍ଷେପର ମୁକାବିଲା କରିବାକୁ ପଡ଼ିବ ଏବଂ ଅନ୍ୟପଟେ ଭାରତ ସହ ବିଗିଡ଼ି ଯାଇଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ମଧ୍ୟ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ହେବ । ଭାରତ ପାଇଁ ସବୁଠାରୁ ଆଶ୍ୱସ୍ତିର କଥା ହେଲା, ସେଠାକାର ଜନ ସାଧାରଣ ନିର୍ବାଚନରେ ଜମାୟତ-ଇ-ଇସ୍ଲାମି ପରି ମୌଳବାଦୀ ପାର୍ଟିକୁ କ୍ଷମତାକୁ ଆଣି ନାହାନ୍ତି । ଯଦି ସେମାନେ କ୍ଷମତାକୁ ଆସିଥାନ୍ତେ ତାହେଲେ ଆମ ଦେଶ ସହିତ ଅଧିକ ଖରାପ ହୋଇଥାନ୍ତା ।

ସାମଗ୍ରିକ ଭାବେ ଦେଖିଲେ, ବାଂଲାଦେଶର ଯୁବକ, ଶ୍ରମିକ ଓ ମେହନତୀ ମଣିଷ ଯେଉଁ ଆଶା ଓ ଭରସା ନେଇ ଅତିତର ଶେଖ୍ ହାସିନାଙ୍କ ସରକାରକୁ ଗାଦିଚୁ୍ୟତ କରିଥିଲେ ଚଳିତ ନିର୍ବାଚନ ସେହି ଆଶା ଭରସାକୁ ପୂରଣ କରିବାର ସମ୍ଭାବନା ନାହିଁ ।  ପୁଞ୍ଜିବାଦୀ ବ୍ୟବସ୍ଥାରେ ଜନଗଣଙ୍କ ଦୁର୍ଦ୍ଦଶାର କୌଣସି ଆଖିଦୃଶିଆ ସମାଧାନ ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ବାଂଲାଦେଶୀ ଜନତାକୁ ହୁଏତ କିଛି ଦିନର ବିରତି ପରେ ପୁଣି ଏକ ନୂଆ ଜନ ଉଭୁ୍ୟଥାନ ପଥରେ ଯିବାର ସମ୍ଭାବନା ରହିଛି ।

ଫୋନ୍ : ୯୪୩୭୧୬୬୩୯୧
bhalachandra.odisha@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe