Advertisment

ନୂଆ ସରକାର, ପୁରୁଣା ଚିନ୍ତା

ବର୍ତ୍ତମାନ ଏତିକିମାତ୍ର କୁହାଯାଇପାରିବ ଯେ ‘ନୂଆ ସରକାରର ପୁରୁଣା କାର୍ଯ୍ୟ’। ଖାଲି ଯାହା ରଙ୍ଗ ବଦଳିଛି, ନାଁ ବଦଳିଛି। ଅନ୍ୟ କଥାଟିଏ ଦେଖିବାକୁ ମିଳିଛି, ପୂର୍ବ ସରକାର ସମୟରେ ବିଜେଡି ନେତାଙ୍କୁ ପଛକୁ ଠେଲି ବାବୁମାନେ ଟିଭି ପରଦାରେ ବୟାନବାଜି କରୁଥିଲେ, ଏବେ ତା’ର ପରିବର୍ତ୍ତନ ଘଟିଛି। ନେତାଏ ସାମ୍‌ନାକୁ ଆସି ସବୁ କହୁଛନ୍ତି।

Odisha Chief Minister Mohan Majhi

Odisha Chief Minister Mohan Majhi

Advertisment

ପଞ୍ଚାନନ କାନୁନଗୋ

ଦୀର୍ଘ ୨୪ ବର୍ଷର ଅନ୍ତ ଘଟାଇ ରାଜ୍ୟରେ ଏକ ନୂଆ ସରକାର ଶାସନ କ୍ଷମତାକୁ ଆସିଛି। ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରଥମ ଥର ପାଇଁ ଏକାକୀ ଭାବେ ରାଜ୍ୟରେ କ୍ଷମତାସୀନ ହୋଇଛି। ପୂର୍ବରୁ ବିଜୁ ଜନତା ଦଳ ସହ ଗଠବନ୍ଧନ କରି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଦୁଇ ଦୁଇ ଥର ସରକାରରେ ଥିଲେ। ଦୀର୍ଘ ୨୪ ବର୍ଷ ମଧ୍ୟରେ ୫ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଚଳାଇ ଆସିଥିବା ନବୀନ ପଟ୍ଟନାୟକ ସରକାରର ପତନ ଘଟିଛି। ନୂଆ ସରକାରର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ନୂଆ। କେବଳ କନକ ବର୍ଦ୍ଧନ ସିଂହଦେଓ ପୂର୍ବରୁ ବିଜେଡି-ବିଜେପି ମିଳିତ ମନ୍ତ୍ରିମଣ୍ଡଳରେ ଦୀର୍ଘ ୯ ବର୍ଷ ଧରି ବିଭିନ୍ନ ବିଭାଗର ଦାୟିତ୍ୱରେ କାର୍ଯ୍ୟ ତୁଲାଇଥିଲେ। ଗତ ନିର୍ବାଚନରେ ପରିବର୍ତ୍ତନ ହେବ ବୋଲି କେହି ଆଶା କରୁନଥିଲେ। ଏପରିକି ସରକାରକୁ ଆସିଥିବା ଦଳ ମଧ୍ୟ ନୁହେଁ। ଅଥଚ ସାମାନ୍ୟ ଅଧିକ ସଂଖ୍ୟକ ସଦସ୍ୟ ଜିତାଇ ବିଜେପି ସରକାରକୁ ଅଚାନକ ଆସିଗଲା। ୫୧ ସଦସ୍ୟ ଥାଇ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ବିଜୁ ଜନତା ଦଳ ବିଧାନସଭାରେ ରହିଛି। ଏହି ଦଳର ଅନେକ ସଦସ୍ୟ ଅନେକ ବର୍ଷ ଧରି କ୍ଷମତା ଅଭିଜ୍ଞତା ହାସଲ କରିଛନ୍ତି ଓ ଏପରି ଏକ ଶକ୍ତ ବିରୋଧୀ ଦଳ ଗତ ୨୪ ବର୍ଷ ମଧ୍ୟରେ କେବେ ବି ନଥିଲା। ଅପରପକ୍ଷରେ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଓ ସାହାଯ୍ୟ କରିବା ଭଳି କେନ୍ଦ୍ରରେ ନିଜ ଦଳର ସରକାର ଅଛି। ବିକାଶ ଗାଡ଼ିରେ ଦୁଇ ଦୁଇଟି ଇଞ୍ଜିନ୍‌ ଲାଗିଛି।

Advertisment

ଓଡ଼ିଶାବାସୀ ଖୁବ୍‌ ଗୋଟିଏ ବଡ଼ ଆକାଂକ୍ଷା ବା ଆଶା କେବେ ବି କୌଣସି ସରକାରଠୁ ଆଶା କରିନଥାନ୍ତି। ଐତିହାସିକମାନଙ୍କ ଭାଷାରେ ‘ଓଡ଼ିଆଏ ଅଳ୍ପକେ ଖୁସି।’ ସେମାନଙ୍କ ଘରେ ଜଣେ ବୁଢ଼ାବୁଢ଼ୀ ମାସକୁ ୨୦୦ ଟଙ୍କା ବା ୫୦୦ ଟଙ୍କା ମାସିକ ଭତ୍ତା ପାଇଲେ ଅତ୍ୟନ୍ତ ଖୁସି ହୋଇଥାନ୍ତି। ସରକାରର ପ୍ରଶଂସା ଗାଇଥାନ୍ତି ଏବଂ ବାରମ୍ବାର ଭୋଟ ଦେଇଥାନ୍ତି। ଓଡ଼ିଆ ଯୁବକ ଅଳ୍ପ ଟଙ୍କାରେ ମଜୁରୀ ଖଟିବାର ସୁଯୋଗ ପାଇଲେ ଅତ୍ୟନ୍ତ କୃତକୃତ ହୋଇଥାଏ। ଚାଷୀ ପରିବାର ବର୍ଷକୁ ୧୦ ହଜାର ଅର୍ଥାତ୍‌ ମାସକୁ ୮୦୦ ଟଙ୍କା ପାଇ ବେଶ୍‌ ଖୁସି ଥାନ୍ତି। କେତେବେଳେ କେମିତି ସରକାରୀ ହାତଟେକା ଛତାଟିଏ ଅବା କମଳ ଖଣ୍ଡେ ପାଇଲେ ଆନନ୍ଦରେ ଆତ୍ମହରା ହେଉଥିବା ଦେଖାଯାଏ। ବେଶୀ ଗୋଟାଏ ବଡ଼ ଯୋଜନା ବା କୋଟି କୋଟି ଟଙ୍କାର କାମ କଥା ଶୁଣିଲେ କଳନା କରିପାରନ୍ତି ନାହିଁ। ଏହି ରାଜ୍ୟର କଣ୍ଟ୍ରାକ୍ଟର ବାହାର ରାଜ୍ୟର କଣ୍ଟ୍ରାକ୍ଟରର ସହଯୋଗୀ ଭାବରେ କାମ କରିବାରେ ଆନନ୍ଦ ପାଏ। ଏକଥା ନବୀନବାବୁ ଜାଣିଥିଲେ। ସେଥିପାଇଁ ଏ ରାଜ୍ୟର ଭାଷା ନଜାଣି ମଧ୍ୟ ୫ ଥର ମୁଖ୍ୟମନ୍ତ୍ରୀ ହୋଇଗଲେ।

ଏକଥା ରାଜ୍ୟର ଅବସ୍ଥାପିତ ଭାରତୀୟ ଜନତା ପାର୍ଟିର ନେତାଙ୍କ ଗୋଚରରେ ନଥିଲେ ମଧ୍ୟ ଦେଶରେ କିଛି ବର୍ଷ ହେବ ଶାସନ କରୁଥିବା (ଏବେ ୧୦ ବର୍ଷରୁ ଊର୍ଦ୍ଧ୍ୱ ଓ ପୂର୍ବରୁ ୫ ବର୍ଷ) ଭାରତୀୟ ଜନତା ପାର୍ଟିର ନେତାମାନେ ସରକାର କରିଛନ୍ତି। ସେଥିପାଇଁ ଗତ ନିର୍ବାଚନରେ ଗୋଟିଏ ଅବୁଝା ଶବ୍ଦ ‘ଅସ୍ମିତା’କୁ ନେଇ ବିଜେପି ନେତାଏ ନିର୍ବାଚନ ରଣହୁଙ୍କାର ଦେଲେ ଓ ସଫଳ ହେଲେ। ଏହି ଅସ୍ମିତା କ’ଣ? ଏଥିରେ ଓଡ଼ିଆଏ କି ଲାଭ କେତେ ପରିମାଣରେ ପାଇବେ? ସେଥିରେ ତାଙ୍କର ବା ତାଙ୍କ ରାଜ୍ୟର ବିକାଶ କ’ଣ ହେବ? ଏକଥା କେହି ବୁଝିନଥିଲେ। ଭାଜପା ନେତାଙ୍କୁ ଏବେ ବି ପଚାରିଲେ ଅସ୍ମିତା ବା ତତ୍‌ସଂଲଗ୍ନ ଓଡ଼ିଆଙ୍କ ଲାଭ କଥା ପଚାରିଲେ କେହି ଜଣେ ହେଲେ ନେତା ବୁଝେଇଲା ଭଳି କହିପାରିବେ ନାହିଁ। ଏହାର ସଂସ୍କୃତ ଅର୍ଥ ଅହଂକାର କହି ଗୋଳେଇ କରି କହିବେ। ଓଡ଼ିଆଏ ବୁଝିବାକୁ ମଧ୍ୟ ଚାହାନ୍ତି ନାହିଁ। ସେମାନେ ଭୋଟ ବେଳେ କେବଳ ଏତିକି ବୁଝିଗଲେ ଯେ ଓଡ଼ିଆଙ୍କ ଅସ୍ମିତା ଲୋପ ପାଇଛି। ସେ ନବୀନବାବୁଙ୍କୁ ଭୋଟ ଦେଇଥିଲେ ମୁଖ୍ୟମନ୍ତ୍ରୀ ହେବାକୁ। ତେବେ ଜଣେ ଅଣ ଓଡ଼ିଆ ତାମିଲ ଭାଷାଭାଷୀ ଅଫିସର ଆଗକୁ ମାଡ଼ିଆସି ଶାସନ କରୁଥିବା ଦେଖାଯାଉଛି। ସେହି ବ୍ୟକ୍ତି ଓଡ଼ିଆ ଝିଅକୁ ବିବାହ କରି ଘର ଦୁଆରର ପରିଚୟ ଦେଇ ସଭା ସମିତିରେ ଚର୍ଚ୍ଚାକୁ ଆସିଛନ୍ତି। ସେଥିପାଇଁ ଲୋକେ ବିରକ୍ତ ହେଲେ। ଲୋକେ ତାଙ୍କଠାରୁ ଦୂରେଇ ଯାଉଯାଉ ଭାରତୀୟ ଜନତା ପାର୍ଟି ତା’ର ଫାଇଦା ନେଲା। ଆଉ ଗୋଟିଏ କଥା ହେଲା, ଓଡ଼ିଆ ଜାତିର ପରିଚୟ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଚାବିକାଠି ହଜିଯିବା ସହିତ ରତ୍ନଭଣ୍ଡାରର ଗଣତି ମଣତି କଥାକୁ ବିଜୁ ଜନତା ଦଳ ସରକାରର ଅଣଦେଖା କରିବା ବିରୋଧରେ ଭାରତୀୟ ଜନତା ପାର୍ଟିର ରଣହୁଙ୍କାର ଓଡ଼ିଆଙ୍କ ପ୍ରାଣକୁ ସ୍ପନ୍ଦିତ କଲା। ଅବଶ୍ୟ କୋଉ ପାତାଳକୁ ଯାଇ ଚାବି ଖୋଜି ଅଣାଗଲା ନାହିଁ କି ଏ ପର୍ଯ୍ୟନ୍ତ ଗଣତି ମଣତି ସରିଲା ନାହିଁ।

Advertisment

ଏବେ ସରକାରକୁ ଆସିବା ପରେ କ’ଣ ସବୁ ତାଙ୍କ ଇସ୍ତାହାରରେ ଘୋଷଣା କରିଥିଲେ ସେସବୁକୁ ମନେ ନପକାଇ ଭାଜପା କେବଳ ଗୋଟିଏ ଦୁଇଟି ପ୍ରତିଶ୍ରୁତିକୁ ଅକ୍ଷର ଅପେକ୍ଷା ଅଙ୍କ ଆଧାରରେ ଓଡ଼ିଆଙ୍କୁ ଧରେଇ ଦେଇଛନ୍ତି। ସେହି ପ୍ରତିଶ୍ରୁତି ହେଲା ‘ସୁଭଦ୍ରା ଯୋଜନା’ । ଘରର ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ମାସକୁ ୮୦୦ ଟଙ୍କାରୁ ସାମାନ୍ୟ ଅଧିକ ଅର୍ଥାତ୍‌ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେବାର ଘୋଷଣା ଦେଖି ଓଡ଼ିଆ ଘରର ଝିଅ-ବୋହୂ ଫର୍ମ ପୂରଣ ପାଇଁ ରାସ୍ତାରେ ଧାଡ଼ି ବାନ୍ଧିଛନ୍ତି। ଏ ବାବଦରେ ଚାରିଆଡ଼େ ବଡ଼ବଡ଼ ହୋର୍ଡିଂ ଲଗାଇ ବଡ଼ବଡ଼ ଅଙ୍କରେ ୫୦ ହଜାର ଟଙ୍କା ଲେଖାଯାଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସମସ୍ତଙ୍କୁ ଆକର୍ଷିତ କରୁଛି। ଓଡ଼ିଆଏ ବୁଝିଲେ ନାହିଁ ଅନେକ ରାଜ୍ୟରେ ଝିଅ-ବୋହୂଙ୍କୁ ମାସକୁ ଅତିକମ୍‌ରେ ୧୦୦୦ ଟଙ୍କା କିମ୍ବା ୨୦୦୦ ଟଙ୍କାରୁ ଅଧିକ ଟଙ୍କା ଭତ୍ତା ଦିଆଯାଉଛି। ଏସବୁ ହିସାବ ଅଳ୍ପକେ ଖୁସି ଓଡ଼ିଆଙ୍କ ମୁଣ୍ଡକୁ ପଶିନାହିଁ। ଆଉ ଗୋଟିଏ ଆକର୍ଷଣୀୟ ପ୍ରତିଶ୍ରୁତି ଥିଲା ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଇ ସରକାର ଧାନ କିଣିବେ। ଏହା ଆଇନ୍‌ସିଦ୍ଧ ନୁହେଁ। ଦୟାର ବୋନସ୍‌। ତଥାପି ଚାଷୀ ଏପରି ବଡ଼ ଅର୍ଥ ରାଶିକୁ ପାଇବା ନିମନ୍ତେ ଚାହିଁ ବସିଛି।

ରାଜ୍ୟର କୋଟି କୋଟି ଟଙ୍କାର ଲୁହାପଥର, କ୍ରୋମାଇଟ୍‌, କୋଇଲା ପ୍ରତିବର୍ଷ ରାଜ୍ୟ ବାହାରକୁ ଲୁଟ୍‌ ହୋଇ ଯାଉଛି। ଲକ୍ଷଲକ୍ଷ ପିଲାଏ ବାହାର ରାଜ୍ୟରେ ଅଳ୍ପ ମଜୁରୀରେ ଦାଦନ ଖଟିବାକୁ ଯାଉଛନ୍ତି, ସେ ହିସାବ କରିବାକୁ ଓଡ଼ିଆଏ ବେଳ ପାଆନ୍ତି ନାହିଁ। ନୂଆକରି ଆସିଥିବା ମୋହନ ସରକାର ପୂର୍ବରୁ ଚାଲିଥିବା ନବୀନ ଯୋଜନାର ନାମ ବଦଳାଇ ନୂଆ ନାମରେ ଚଳାଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାର ଯୋଜନା, କାଳିଆ ଯୋଜନା, ଆମ ଗାଁ, ନବୀନ ଓଡ଼ିଶା ସବୁ ନାମ ବଦଳି ନୂଆ ନାମ ନେଇ ଆସିଛି। ଲୋକଙ୍କ ମୁଣ୍ଡକୁ ଏସବୁ ଢୁକୁ ନାହିଁ। ଯାହା ପାଇଛନ୍ତି ସେସବୁ ହରାଇ ନାହାନ୍ତି। କେହି କେବେ ପ୍ରଶ୍ନ କରୁନାହିଁ ଯେ ବୁଢ଼ାବୁଢ଼ୀଙ୍କ ଭତ୍ତା ଅନ୍ୟ ରାଜ୍ୟରେ ୧୦୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଅଛି। ଏଠିକାର ନୂଆ ସରକାର ମାତ୍ର କରି ଲୋକଙ୍କର ୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କର ଭତ୍ତା କିଛି ଟଙ୍କା ବଢ଼ାଇ ଅନ୍ୟ ବହୁ ସଂଖ୍ୟକଙ୍କ ପ୍ରତାରିତ କଲେ କାହିଁକି?

ନୂଆ ସରକାରଙ୍କ ସେହି ପୁରୁଣା ବିଚାର। ରାଜ୍ୟକୁ ଳକ୍ଷଲକ୍ଷ କୋଟି ଟଙ୍କାର ବିନିଯୋଗ ଆସିବ, ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ନବୀନବାବୁଙ୍କ ସମୟରେ ଦୀର୍ଘ ୨୪ ବର୍ଷରେ ଏହି ସ୍ଲୋଗାନ୍‌ କାନରେ ପଡ଼ିଥିଲା। ଏବେ ତାହା ହିଁ ଘଟୁଛି। ଧୈର୍ଯ୍ୟ ଧରି ଓଡ଼ିଆଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ତାଙ୍କ ସମୟରେ ୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଘୋଷଣା ସ୍ଥାନରେ ମାତ୍ର ୩.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଥିଲା। ରାଜ୍ୟରେ ନିଯୁକ୍ତି ଭିତରେ ଓଡ଼ିଆଙ୍କ ସଂଖ୍ୟା ଖୁବ୍‌ ନଗଣ୍ୟ ଥିଲା। ଏବେ ଏହାଙ୍କ ସମୟରେ କେତେ ନିଯୁକ୍ତି ଓ କେତେ ବିନିଯୋଗ ଏବଂ ଏ ରାଜ୍ୟର କେତେ ସଂପତ୍ତି ଲୁଟ୍‌ ହୋଇଯାଉଛି ତା’ର ହିସାବ ହେବ। ଅମୃତକାଳକୁ ଅପେକ୍ଷା କରିବାକୁ ପଡ଼ିବ। ୨୦୪୭ର ବିକଶିତ ଭାରତ ବା ୨୦୩୬ର ବିକଶିତ ଓଡ଼ିଶା ଦେଖିବାକୁ ନବୀନବାବୁଙ୍କୁ ଓଡ଼ିଆଏ ୫ ଥର ମୁଖ୍ୟମନ୍ତ୍ରୀ କଲା ଭଳି ଏମାନଙ୍କୁ ବି କ’ଣ ସେହି ସମୟ ପର୍ଯ୍ୟନ୍ତ ସରକାରରେ ରଖିବାକୁ ପଡ଼ିବ?

ବର୍ତ୍ତମାନ ସମୟ ଆସିନାହିଁ। ଅନ୍ତତଃ ବର୍ଷେ ଦି’ ବର୍ଷ ପରେ ହିସାବ ନିକାସ ହେବ। ଅଳ୍ପକେ ଖୁସି ଓଡ଼ିଆଙ୍କ ଖୁସି ମାପିବାକୁ ପଡ଼ିବ। ବର୍ତ୍ତମାନ ଏତିକିମାତ୍ର କୁହାଯାଇପାରିବ ଯେ ‘ନୂଆ ସରକାରର ପୁରୁଣା କାର୍ଯ୍ୟ’। ଖାଲି ଯାହା ରଙ୍ଗ ବଦଳିଛି, ନାଁ ବଦଳିଛି। ଅନ୍ୟ କଥାଟିଏ ଦେଖିବାକୁ ମିଳିଛି, ପୂର୍ବ ସରକାର ସମୟରେ ବିଜେଡି ନେତାଙ୍କୁ ପଛକୁ ଠେଲି ବାବୁମାନେ ଟିଭି ପରଦାରେ ବୟାନବାଜି କରୁଥିଲେ, ଏବେ ତା’ର ପରିବର୍ତ୍ତନ ଘଟିଛି। ନେତାଏ ସାମ୍‌ନାକୁ ଆସି ସବୁ କହୁଛନ୍ତି।

ଦୂରଭାଷ- ୯୪୩୮୩୬୦୮୪୯

Odisha BjD Bjp Naveen Patnaik Odisha Government Mohan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe