ଖବର, ଅଖବର, ଭଲ ଖବର, ବଡ଼ ଖବର

ରୁଦ୍ର ପ୍ରସନ୍ନ ରଥ ଭୁବନେଶ୍ୱରର  ଫୁଲେଶ୍ୱରୀ ବସ୍ତିର ଏକୋଇଶି ବର୍ଷୀୟ ଯୁବକ ଜଣେ ମଧ୍ୟ ବୟସ୍କା ପ୍ରୌଢ଼ାଙ୍କ ପ୍ରେମରେ ଢେର ଦିନ ପଡ଼ିଲା ପରେ ତାକୁ ଛାଡ଼ି ଅନ୍ୟଆଡ଼େ ବିବାହ କରୁଥିବାର ଖବର ଭରତପୁର ଥାନା ଯାଏ ପହଁଚିଥିଲା କିଛିଦିନ ତଳେ। ଥାନାରେ ସେ ପ୍ରୌଢ଼ା ଜଣଙ୍କ ନିଜ ପ୍ରେମିକକୁ ବାହା ହେବାକୁ ଜିଦ୍ ଧରି ବସିଲେ ଏବଂ ଏହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କଲା। ବୁଝୁବୁଝୁ ଜଣାପଡ଼ିଲା ଯେ ମହିଳା ଜଣଙ୍କ ପୂର୍ବରୁ ବିବାହିତ ଏବଂ […]

Tunguru

Debendra Prusty
  • Published: Friday, 01 July 2022
  • , Updated: 01 July 2022, 06:02 PM IST

ରୁଦ୍ର ପ୍ରସନ୍ନ ରଥ

ଭୁବନେଶ୍ୱରର  ଫୁଲେଶ୍ୱରୀ ବସ୍ତିର ଏକୋଇଶି ବର୍ଷୀୟ ଯୁବକ ଜଣେ ମଧ୍ୟ ବୟସ୍କା ପ୍ରୌଢ଼ାଙ୍କ ପ୍ରେମରେ ଢେର ଦିନ ପଡ଼ିଲା ପରେ ତାକୁ ଛାଡ଼ି ଅନ୍ୟଆଡ଼େ ବିବାହ କରୁଥିବାର ଖବର ଭରତପୁର ଥାନା ଯାଏ ପହଁଚିଥିଲା କିଛିଦିନ ତଳେ। ଥାନାରେ ସେ ପ୍ରୌଢ଼ା ଜଣଙ୍କ ନିଜ ପ୍ରେମିକକୁ ବାହା ହେବାକୁ ଜିଦ୍ ଧରି ବସିଲେ ଏବଂ ଏହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କଲା। ବୁଝୁବୁଝୁ ଜଣାପଡ଼ିଲା ଯେ ମହିଳା ଜଣଙ୍କ ପୂର୍ବରୁ ବିବାହିତ ଏବଂ ଦୁଇ ସନ୍ତାନର ଜନନୀ ଏବଂ ନିଜ ପ୍ରେମିକ ପାଇଁ ପତି ଏବଂ ନିଜ ସନ୍ତାନକୁ ଛାଡ଼ି ଆସିଛନ୍ତି। ଏ ଖବରଟି ବେଶ୍ ଲୋକ ଲୋଚନକୁ ଆସିଲା। ଥାନାରୁ ଲେଖାପଢ଼ା କରି ଉଭୟ ଘରକୁ ଆସିଲେ ବି ବିବାଦ ତାଙ୍କର ପିଛା ଛାଡ଼ି ନଥିଲା। ଜଣେ ଅନ୍ୟ ଜଣଙ୍କ ବିଷୟରେ କହି ଏ ଆଲୋଚନାକୁ ଏତେ ଆଗକୁ ନେଇଗଲେ ଯେ ଏବେ ଗଣମାଧ୍ୟରେ ସେମାନଙ୍କ ଚର୍ଚ୍ଚା ହିଁ ଜାରୀ ରହିଛି। ପ୍ରତାଡ଼ନା ଦେଇଥିବା ବୋଲି କୁହାଯାଉଥିବା ପ୍ରେମିକ ଏବେ ସାମାଜିକ ଗଣମାଧ୍ୟମରେ ସେଲେବ୍ରିଟି, ଖବରରେ ମ୍ୟୁଜିକ୍ ଭିଡିଓରେ ଆଉ ଫିଲ୍ମରେ ମଉଜ କରୁଛି। ଆଉ ପ୍ରେମିକା ତଥାପି ପ୍ରେମିକ ବିପକ୍ଷରେ ସାମାଜିକ ଗଣମାଧ୍ୟମରେ ତା ନାମରେ ବିଷୋଦଗାର କରିବାରେ ବ୍ୟସ୍ତ।

ଏମିତି ଦେଖିବାକୁ ଗଲେ ଏ ପ୍ରକାର ଖବର ଏବେ ବେଶ୍ ସାଧାରଣ। ଭଲ ପାଇବା, ବାଧ୍ୟବାଧ୍ୟକତାରେ ଶାରୀରିକ ସଂପର୍କ ରଖିବା ଏବଂ ପରେ ଠକି ଚାଲିଯିବାର ଏ ଖବର ଆଉ ଅସାଧାରଣ ହୋଇ ରହିନାହିଁ। ବରଂ ଖବର କାଗଜ ଓଲଟିଲା ମାତ୍ରେ ଏଭଳି ଗଣ୍ଡେ ଛଅଟା ଖବର ଆଖି ଆଗକୁ ଆସୁଛି। ତେବେ ଏକ୍ଷେତ୍ରରେ ଏହି ଗୋଟିଏ ଖବରକୁ ନେଇ ଚର୍ଚ୍ଚା କାହିଁକି? ଏହାର କାରଣ ହେଉଛି ଯେ ସାମାଜିକ ଗଣମାଧ୍ୟମରେ ଏହି ଖବର ପ୍ରତି ଅଯାଚିତ ଭଲପାଇବା ଏବଂ ଆଗ୍ରହ ପ୍ରଦର୍ଶନ।

ମୁଖ୍ୟ ସ୍ରୋତର ଗଣମାଧ୍ୟମ ଦିନେ ସମାଜର ଆଇନା ଥିଲେ। ସମାଜ କୁଆଡ଼େ ଯିବ ତାହାର ଦିଗ ନିର୍ଣ୍ଣୟ କରୁଥିଲେ। ଖବର ଦେଇ ଲୋକଙ୍କୁ ସଚେତନ କରିବା ସହିତ ଲୋକଙ୍କ ମନୋରଂଜନ ମଧ୍ୟ କରୁଥିଲେ। ତେବେ ମୁଖ୍ୟ ସ୍ରୋତର ଗଣମାଧ୍ୟମର କିଛିଟା ସୀମା ସରହଦ ଥିଲା। ସଂପାଦକ ଯାହା ଚାହୁଁଥିଲେ ତାହା ହିଁ ଖବର ହୋଇ ବାହାରୁଥିଲା। ବଡ଼ ବଡ଼ ଖବରକାଗଜ ବା ଚ୍ୟାନେଲ ସବୁ ନିରପେକ୍ଷତାର ଦୋକାନ ଖୋଲି ରାଜନୈତିକ ଖବର ହିଁ ବିକ୍ରୀ କରୁଥିଲେ। ଲୋକ ଅସନ୍ତୁଷ୍ଟ ଥିଲେ ବି କେହି କିଛି କହିବାକୁ ସାହସ ପାଉନଥିଲେ। ସମ୍ବାଦପତ୍ର ଏବଂ ସାମ୍ବାଦିକତାର ଆଢୁଆଳରେ ଅନେକ ଯାଗାରେ ସାମ୍ବାଦିକଙ୍କର ଦାଦାଗିରି ସାଧାରଣ ଲୋକ ସହିବାକୁ ବାଧ୍ୟ ହେଉଥିଲେ। ସାମ୍ବାଦିକକୁ ଲୋକ ଭଲ କମ୍ ପାଉଥିଲେ ଭୟ ଅଧିକ କରୁଥିଲେ।

ତେବେ ସାମାଜିକ ଗଣମାଧ୍ୟମ ଆସିବା ପରେ ଏ ସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି। ଏବେ ଗଣମାଧ୍ୟମର ମେରୁଦଣ୍ଡ ବୋଲି କୁହାଯାଉଥିବା କଂଟେଟ୍ ବା ବିଷୟବସ୍ତୁର ଗଣତାନ୍ତ୍ରିକରଣ ହୋଇଯାଇଛି। ଆଉ ସମ୍ପାଦକଙ୍କ ପାଖରେ ଚାକିରୀ ନକରି ଲୋକ ନିଜେ ନିଜେ ୱେବ୍ ଚ୍ୟାନେଲ ଖୋଲି ମାଲିକ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଖବର କ’ଣ ହେବ ତାହା ଲୋକ ନିଜେ ହିଁ ନିଷ୍ପତି ନେଉଛନ୍ତି। ଭିନ୍ନ କଥା ଯେ ଏମାନଙ୍କ ଭିତରୁ ଅନେକ ସାମ୍ବାଦିକତାର ଖଡ଼ି ମଧ୍ୟ ଛୁଇଁ ନାହାନ୍ତି। କ’ଣ ଲେଖା ହେବ କେମିତି ଲେଖାହେବ ସେ ବିଦ୍ୟା କରାୟତ୍ତ କରି ନାହାନ୍ତି। ଖବର ଏବଂ ଅଖବର କ’ଣ ଜାଣି ନାହାନ୍ତି। ନିୟମ କାନୁନ୍ ନପଢ଼ି ସାମ୍ବାଦିକତାର କୁସ୍ତି ଆଖଡ଼ାକୁ ଡେଇଁ ପଡ଼ିଛନ୍ତି। ତଥାପି ଏହା ଚିନ୍ତାଜନକ ନୁହେଁ। ଯେ ଯାଏ ଜଣେ ଜନଗଣ ଭୋଗୁଥିବା ସମସ୍ୟାକୁ ଲୋକ ଲୋଚନକୁ ଆଣିବାର ମାନସିକତା ରଖିୁଛି ତା ପାଇଁସବୁ ମାଫ୍ କରିଦିଆଯାଇ ପାରେ। ତେବେ ସେଇଠି ହିଁ ବିଲକ୍ଷଣ ଦେଖିବାକୁ ମିଳୁଛି। ଖବର ଭିତରେ ଅଖବରର ସ୍ତୁପ ତିଆରି ହୋଇଯାଉଛି। ଲୋକ ଖବର କ’ଣ ଜାଣିବା ପୂର୍ବରୁ ତାକୁ ଅଖବରର ଗଦା ଆଡ଼େଇବାକୁ ପଡୁଛି। ଅଖବରର ଦୁର୍ଗନ୍ଧ ଏତେ ଅଧିକ ଯେ ଲୋକ ଚାହିଁଲେ ବି ଭଲ ଖବରର ବାସ୍ନା ବାରି ପାରୁନାହିଁ। ବରଂ ସାମାଜିକ ଗଣମାଧ୍ୟମର କୃପା ଯୋଗୁଁ ଟୁଙ୍ଗୁରୁ ଟୁଙ୍ଗୁରୁ ଖବର ବଡ଼ ଖବର ହୋଇ ଲୋକଙ୍କ ମନରେ ବିରକ୍ତିର ବର୍ଷା କରାଉଛି।

ଖବର ଦେଉଥିବା ଖବର ସରବରାହ ସଂସ୍ଥାର କାମ ନୁହେଁ ଖବରକୁ ଅତିରଂଜିତ କରାଇବା। ସବୁବେଳେ ଗୋଟିଏ ଖବରକୁ ମସଲା ଦେଇ ବାର ବାର ଚଲାଇବା। ଯଦିଓ ଖବର ସରବରାହ ସଂସ୍ଥା କେଉଁ ଖବର କେତେ ଦିନ ଯାଏ ଚଲାଇ ରଖିବ ସେ ନିଷ୍ପତି ନିଜେ ନିଏ ତେବେ ଏହା ମୋଟ୍ ଉପରେ ଲୋକଙ୍କର ଗ୍ରହଣୀୟତା ଉପରେ ନିର୍ଭରଶୀଳ ହୋଇଥାଏ। ତେବେ ମୁଖ୍ୟ ସ୍ରୋତର ଗଣମାଧ୍ୟମ ଆଜିକାଲି ଅନେକାଂଶରେ ସାମାଜିକ ଗଣମାଧ୍ୟମ ଉପରେ ଏନେଇ ନିର୍ଭରଶୀଳ ହୋଇପଡ଼ିଛି। ସାମାଜିକ ଗଣମାଧ୍ୟମରେ ୱେବ୍ ପୋର୍ଟାଲ ଖୋଲିଥିବା ଅନେକଙ୍କ ପାଖରେ ପେସାଦାର ଅନୁଭୂତି ନାହିଁ। ଖବରକୁ ପରଖିବା କିମ୍ବା ଖବରର ନାଡ଼ି ଚିପିବାର ଅଭିଜ୍ଞତା ନାହିଁ। ମୁଖ୍ୟ ସ୍ରୋତର ଗଣମାଧ୍ୟମ ପରି ଏମାନଙ୍କର ମାନବ ସମ୍ବଳ ନାହିଁ। ଅନ୍ୟ ଚ୍ୟାନେଲରୁ ଫିଡ୍ ସଂଗ୍ରହ କରିବା କିମ୍ବା ଏହାର ବିଶ୍ଲେଷଣ କରିବା ପାଇଁ ଅର୍ଥ ବି ନାହିଁ। ଏଣୁ ଏହି ଚ୍ୟାନେଲମାନେ ବାଧ୍ୟ ହୋଇ ସେହି ଗୋଟିଏ ଖବର ପଛରେ ଦିନସାରା ପଡ଼ି ରହିଥାନ୍ତି। ଜଣେ ଅଧେ ରିପୋର୍ଟର ଏହି ଖବର ପଛରେ ଦିନସାରା ପଡ଼ିଥାନ୍ତି। ଯୌନ ନିର୍ଯ୍ୟାତନା, ପ୍ରେମରେ ଧୋକା ଆଦି ଖବରକୁ ମସଲା ଦେଇ ଏମିତି ପ୍ରସ୍ତୁତ କରିଥାନ୍ତି ଯେ ତାହା ମୁଖ୍ୟ ଖବରର ଭ୍ରମ ସୃଷ୍ଟି କରିଥାଏ। ସେପଟେ ଲୋକମାନେ ଆଉ ଟିଭି ପ୍ରାୟ ଦେଖୁ ନଥିବାରୁ ଓ ମୋବାଇଲେ ବେଶୀ ସମୟ ବ୍ୟସ୍ତ ରହୁଥିବାରୁ ଏହି ଖବରକୁ ପ୍ରାଧାନ୍ୟ ଦେଇ ଥାଆନ୍ତି। ଲୋକଙ୍କର ନଜରଭିଳାଷୀ ହୋଇଥିବା ତଥା ପାଠକଙ୍କର କୃପାଶୟୀ ହୋଇଥିବା ମୁଖ୍ୟ ସ୍ରୋତର ଗଣମାଧ୍ୟମ ବାଧ୍ୟବାଧ୍ୟକତାରେ ଏହି ଖବରକୁ ପ୍ରସାର କରିବା ଏବଂ ଗୁରୁତ୍ୱ ଦେବା ଆରମ୍ଭ କରିଥାନ୍ତି। ତେବେ ଲୋକ ଦେଖୁଛନ୍ତି ବୋଲି ଏହି ଖବର ଦେଖାଯାଉଛି କିମ୍ବା ଖବର ଦେଖାଯାଉଛି ବୋଲି ଲୋକ ଦେଖୁଛନ୍ତି ଏ ପ୍ରଶ୍ନର ଉତ୍ତର ଆଜି ତାରିଖରେ ବି କାହା ପାଖରେ ନାହିଁ। ଯଦି ମୁଖ୍ୟ ସ୍ରୋତର ଗଣମାଧ୍ୟମ ନିଜ କାମ କିମ୍ବା ଦାୟିତ୍ୱ ଠିକଣା ଭାବେ କରିଥାନ୍ତେ ତେବେ ଏପରି ସମସ୍ୟା ଆସିନଥାନ୍ତା ବୋଲି ଅନେକେ ମତ ଦିଅନ୍ତି।

ଏହି ଅଖବର ସବୁ ଖବର ବାଟ ଦେଇ ବଡ଼ ଖବର ହେଲାବେଳେ ଭଲ ଖବର ସବୁ ପରଦା ଆଢୁଆଳକୁ ପଳାଏ। ଭଲ ଖବର ସବୁ ଆଂଟି ବାୟୋଟିକ୍ସ ପରି କାମ କରେ। ଲୋକଙ୍କୁ ପ୍ରେରଣା ଯୋଗାଏ। ତେବେ ଏହି ଅଖବର ହିଁ ଭଲ ଖବରର ବାଟ ରୋକି ଦେଉଛି। ସାମ୍ବାଦିକ ଏବଂ ଲୋକମାନଙ୍କ ପାଖରେ ଏବେ ବି ସମୟ ଅଛି। ଅଖବରକୁ ଖବର କରି ତାକୁ ବଡ଼ ଖବର କରିବାର ନିଶାରେ ସାଧାରଣ ଲୋକଙ୍କର ଦୁଃଖକୁ ଏଡ଼ାଇ ଦେବାର ପ୍ରୟାସ କରାନଯାଉ। ମନେ ରଖିବା ଉଚିତ୍ ଯେ ଅଖବରର ବର୍ଷା କରି ଦର୍ଶକଙ୍କୁ କିଛି ସମୟ ଭୋଳ କରାଯାଇପାରେ, ମାତ୍ର ସତ କଥା ହେଉଛି ଯେଉଁଦିନ ଲୋକ ଏବଂ ସମ୍ବାଦ ପ୍ରସାରଣ କରୁଥବା ସଂସ୍ଥା ସଚେତନ ହେବେ ସେଦିନ ଆଉ ଲୋକଙ୍କ ବୌଦ୍ଧିକତାକୁ ମାଡ଼ି ମକଚି ରଖାଯାଇପାରିବ ନାହିଁ। ବରଂ ସେଦିନ ଅଖବରକୁ ବଡ଼ ଖବର କରିବାର ସମସ୍ତ ଚେଷ୍ଟା ନିଷ୍ପଳ ହେବ। କେବଳ ଭଲ ଖବରର ହିଁ ଜୟଗାନ ଶୁଭିବ।

ବ୍ୟାସନଗର, ଯାଜପୁର ରୋଡ଼

ଫୋ- ୭୯୭୮୬୭୧୭୭୬

Related story