ଆମେ ଯେ ଏକା ସମୟରେ ଏକ ସହସ୍ର ବର୍ଷର ସମାଜ ମଧ୍ୟରେ ବଞ୍ଚୁଛେ ଏ କଥା ପ୍ରତିଦିନ ପଢୁଥିବା ଖବରକାଗଜ ଆମକୁ ଏହା ବୁଝାଇଥାଏ। ଯେମତି ‘ପୁଅ ଛୁଆ ଜନ୍ମ ନ ଦେବା କାରଣରୁ ସ୍ୱାମୀର ନିଜ ସ୍ତ୍ରୀକୁ ହତ୍ୟା’ ତ ପୁଣି ପଢୁ ‘ଚରିତ୍ର ସନ୍ଦେହରେ ନିଜ ଝିଅ ଓ ସ୍ତ୍ରୀକୁ ବିଷ ଦେଇହତ୍ୟା’ ତ ପୁଣି ‘ଦଳିତ ନାବାଳିକାର ଗଣଧର୍ଷଣ ଓ ହତ୍ୟା’ ଆମକୁ ଅତି କମରେ ଆଜକୁ ଦୁଇ ବା ତିନି ଶହ ବର୍ଷ ତଳର ପୁରୁଷ ମାନସିକତାର ସ୍ଥିତିକୁ ନେଇଯାଏ।
ଏହା ଅନୁଭବ କରୁ ଯେତେବେଳେ ପୁଣି ସେହି ଖବରକାଗଜରେ ପଢୁ ଯେ ‘ମହିଳା ମହାକାଶଚାରୀଙ୍କ ଚନ୍ଦ୍ର ପୃଷ୍ଠ ଯିବା ଲାଗି ପ୍ରସ୍ତୁତ’ ତ ପୁଣି ପଢୁ ‘ଅଲମ୍ପିକରେ ମେଡାଲ ଜିତିଛନ୍ତ ମହିଳା କୁସ୍ତି ଯୋଦ୍ଧା’ ତ ‘ଦେଶ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ପାଇଛି’ ।
ଏହି ଦୁଇ ପ୍ରକାରର ଘଟଣା ମଧ୍ୟରେ ସମୟର ବ୍ୟବଧାନ କେତେ ହେବ? ଶହେ? ଦୁଇ ଶହ? ହୁଏତ ଏହାଠାରୁ ଅଧିକ। କାରଣ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଯେଉଁଠି ବ୍ୟକ୍ତି ସ୍ଵାଧୀନତା ଏକ ଶ୍ରେଷ୍ଠ ଅଧିକାର ସେଠାରେ ଲିଙ୍ଗ ଓ ଜାତିଭେଦରେ କାହାରି ହତ୍ୟା ଗଣତନ୍ତ୍ର ଲାଗି କଳଙ୍କ। କିନ୍ତୁ ଆମ ସମାଜରେ ଏହା ବାରମ୍ବାର ଘଟୁଥିବା କଥା ଖବରକାଗଜ ସୂଚନା ଦେଉଛି।
ପ୍ରତିଦିନ ମିଳୁଥିବା ଖବରକାଗଜ ଆମକୁ ବିଗତ ଦିନର ଘଟଣା ଆଡକୁ ନେଇଯାଇଥାଏ। ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା, ମହିଳାଙ୍କୁ ପାଣି ନେବା ଲାଗି ଦୂରକୁ ଯିବା, ମହିଳାଙ୍କ ରାମ୍ପ ଶୋ, ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ଦେଶର ମହିଳାଙ୍କ ଉପସ୍ଥିତି, ହଲିଉଡରେ ବଲିଉଡର ନାୟିକା, ପାନୀୟ ଜଳ ନପାଇ ଗ୍ରାମବାସୀ ହନ୍ତସନ୍ତ, ଭାରତ ଗଲା ବର୍ଷ ଠାରୁ ଏହି ବର୍ଷ ପ୍ରତିରକ୍ଷା ବଜେଟରେ ବୃଦ୍ଧି, ଦେଶରେ ସମୁଦାୟ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ମଧ୍ୟରୁ କେବଳ ଅପପୁଷ୍ଟି ହେତୁ ମୃତ୍ୟୁବରଣ କରୁଛନ୍ତି ୭୦ ପ୍ରତିଶତ ଶିଶୁ, ଝାଡାବାନ୍ତିରେ ୧୫ ଆଦିବାସୀ ଛୁଆଙ୍କ ମୃତ୍ୟୁ ଓ ଦେଶର ଏକ ନମ୍ବର ବିଲିୟୋନାୟାରଙ୍କ ପୁତ୍ର ବିବାହ ଭୋଜିରେ ଦେଶର ଅଧିକାଂଶ (ବିଲିୟୋନାୟର) ଫିଲ୍ମ କଳାକାର, କ୍ରିକେଟିୟର, ରାଜନୀତିଜ୍ଞ, ବିଶିଷ୍ଟ ଶିଳ୍ପପତିଙ୍କ ଯୋଗଦାନ ସମ୍ପର୍କିତ ଖବର ଏହି ଖବରକାଗଜମାନଙ୍କରେ ବଡ ଅକ୍ଷରରେ ପ୍ରକାଶିତ ହୁଏ।
ଖବର ପଢିଲେ ଲାଗେ ଗୋଟିଏ ଖବର ସହିତ ଅନ୍ୟ ଗୋଟିଏ ଖବରର କୌଣସି ସମ୍ବନ୍ଧ ନାହିଁ। ଏହି ଖବରମାନେ ମଧ୍ୟ ନିଜ ଭିତରେ କୌଣସି ଦ୍ଵନ୍ଦ ନା ଲଜ୍ଜା ନା ବିରୋଧ ବା ବିରକ୍ତି କିଛି ଅନୁଭବ କରୁନାହାନ୍ତି। ନା ବିଲିୟୋନାୟାର ନିଜର ଦେଶରେ ଯେଉଁଠି ଅପପୁଷ୍ଟିରେ ଏତେ ଶିଶୁ ମରୁଛନ୍ତି ସେଠାରେ ୫୦୦୦ କୋଟି ଟଙ୍କାର ବ୍ୟୟରେ ବିବାହ ଆୟୋଜନ କରିବାର ଲଜ୍ଜା ଖବର ପ୍ରକାଶିତ ହୁଏ ନା ଅପପୁଷ୍ଟିରେ ମରିଥିବା ଶିଶୁର ବାପା ଦ୍ଵାରା ନିର୍ବାଚିତ ଶାସକ ଦଳର ଜନପ୍ରତିନିଧୀ ଏଥିରେ ଯୋଗଦେବାରେ ଦ୍ଵନ୍ଦ ଅନୁଭବ କରିବା ଖବର ରହିଥାଏ।
କିନ୍ତୁ ଏହି ସମସ୍ତ ଘଟଣାକୁ ଆମେ ନିଜ ଭିତରେ ବିଶ୍ଳେଷଣ କଲେ ଜାଣୁ ଯେ ଖବରକାଗଜର ଏହି ଚିତ୍ର ଆମ ଦେଶର ଇତିହାସ, ଅର୍ଥନୈତିକ ସ୍ଥିତି, ସାମାଜିକ ସମ୍ବନ୍ଧ ଓ ଗଣତନ୍ତ୍ରର ବାସ୍ତବତା ସମ୍ପର୍କରେ ଧାରଣା ଦେଉଛି। ଆମ ଦେଶର ବେଶ କେତେକ ବିଶେଷତ୍ଵ ରହିଛି ଯାହା ଅନ୍ୟ ଦେଶ ଠାରୁ କିଛିଟା ଭିନ୍ନ। ଏହାର ତିନି ପାଖ ସମୁଦ୍ର ରହିଥିବା ହେତୁ ଗୋଟିଏ ପାଖରୁ ହେଉଥିବା ପ୍ରବେଶ ଓ ଆକ୍ରମଣକୁ ସହଜରେ ବହିରାଗତ ଓ ବର୍ହିଆକ୍ରମଣ କୁହାଯାଇଥାଏ।
ସ୍ଵାଧୀନତା ପୂର୍ବରୁ ଏହି ଦେଶରେ ମୁଖ୍ୟତଃ ରାଜାମାନେ ଶାସନ କରୁଥିଲେ ଓ ସେମାନଙ୍କ ସୌକ ଥିଲା ଯୁଦ୍ଧ ଜୟ କରିବା, ଲୋକଙ୍କ ଉପରେ ଟିକସ ଲଦି ମନ୍ଦିର ତିଆରି କରିବା, ନିଜର ଦାସ ଦାସୀ ଓ ଅନେକ ରାଣୀ ରଖିବା। ବିବାହ ରାଜ ପରିବାରର ସୁରକ୍ଷା ଲାଗି ଚୁକ୍ତି ଥିଲା। ରାଣୀଙ୍କ ସହିତ ଅନେକ ଦାସୀ ଯିବା ଓ ସେହି ରାଜ୍ୟରେ ରହିଯିବାର ପରମ୍ପରା ରହିଥିଲା। ଏହାର ମନ୍ଦିରର କାନ୍ଥରେ ଭଗବାନ ଆଶୀର୍ବାଦ ଦେଉଥିବା ମୂର୍ତ୍ତି, ରାଜାର ଯୁଦ୍ଧପୋଷାକରେ ଉଭା ହୋଇଥିବା ଅଥବା କାହାକୁ ହତ୍ୟା କରୁଥିବାର ଦୃଶ୍ୟକୁ ନେଇ ଆମକୁ ଗର୍ବ କରିବାକୁ କୁହାଯାଉଥିଲା।
ସେହି ସମୟର ନାରୀ କେବଳ ଓ କେବଳ ନର୍ତ୍ତକୀ, ଯୌନ ଉଦ୍ଦୀପକ ମୁଦ୍ରାରେ ନୃତ୍ୟ ଓ ଯୌନକ୍ରୀଡାର ବିଭିନ୍ନ ଭଙ୍ଗୀ ଭାବରେ ଦେଖାଯାଏ। ସାଧାରଣ ପୁରୁଷ କହିଲେ ଯୁଦ୍ଧରେ ,ବାଦ୍ୟଯନ୍ତ୍ରରେ ଓ ଯୌନକ୍ରୀଡାରେ ସହାୟକର ଭୂମିକା ନେଉଥିବା ଏକ ଜୀବ ଭାବରେ ଦେଖାଯାଏ। ଏତଦବ୍ତୀୟତ ସାଧାରଣ ମଣିଷର ନା ଚାଷ, ନା କାରିଗରୀ ନା ଜୀବଜନ୍ତୁ ପାଳନ ଇତ୍ୟାଦିର କୌଣସି ଛବି ରହିଛି।
ଦଳିତମାନଙ୍କୁ ନେଇ ଘୃଣା, ଅଛୁଆଁ, ବାରଣ ଓ ଭେଦଭାବ ଆମ ସମାଜରେ ପୂର୍ବରୁ ରହିଆସିଥିଲେ ମଧ୍ୟ କେଉଁ ମନ୍ଦିରର କାନ୍ଥରେ ଏହାକୁ ସ୍ଵୀକାର କରାଯାଇନାହିଁ। ଦେଶର ସ୍ଵାଧୀନତା ଆନ୍ଦୋଳନ ଅନେକ ବିଷୟକୁ ସମାଧାନ କରିଦେଲା। ଦେଶ ମଧ୍ୟରେ ରହିଥିବା ସମସ୍ତ ଭେଦଭାବକୁ ବିରୋଧ କରି ସ୍ଵାଧୀନ ଭାରତର ଜନ୍ମ ହେଲା। ସ୍ଵାଧୀନତା ପରେ ଏଠାରେ ଦେଶବାସୀ ପୁଣି ଥରେ ରାଜା ଶାସନକୁ ଫେରିଯିବା ଲାଗି ଚାହିଁଲେ ନାହିଁ।
ଗଣତନ୍ତ୍ର ପ୍ରତି ଆଗ୍ରହ, ନିୟମିତ ନିର୍ବାଚନ ଓ ଶାସକ ଚୟନ, ଯେ କେହି ନିର୍ବାଚନରେ ଭାଗନେଇ ଦେଶର ଶାସକ ହେବାର କ୍ଷମତା ରଖିବା, ବ୍ୟକ୍ତି ସ୍ଵାଧୀନତାକୁ ଗୁରୁତ୍ଵ, ନାରୀର ପୁରୁଷ ସହିତ ସମକକ୍ଷ ବୋଲିଗଣାଯିବା, ଜାତିବାଦକୁ ସଂପୂର୍ଣ୍ଣ ନଷ୍ଟ କରିବା ଓ ଆଦିବାସୀର ପରମ୍ପରା ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାରର ସୁରକ୍ଷା ଇତ୍ୟାଦିର ଆଭିମୁଖ୍ୟ ନେଇ ସମ୍ବିଧାନ ତିଆରି ହେଲା।
ଏହି ସ୍ଵାଧୀନତା ଆନ୍ଦୋଳନରେ ପ୍ରମୁଖ ଭାଗରେ ଓକିଲ ଓ ସାମ୍ବାଦିକବା ଖବରକାଗଜର ସମ୍ପାଦକମାନେ ହିଁ ରହିଥିଲେ। ସେମାନେ ବାକ ସ୍ଵାଧୀନତାକୁ ପ୍ରମୁଖତା ଦେବା ଲାଗି ବ୍ରିଟିଶ ସରକାର ବିରୁଦ୍ଧରେ ଲଢିଥିଲେ ଓ ବାରମ୍ବାର ରାଜଦ୍ରୋହ ମାମଲା ସାମ୍ନା କରିଥିଲେ। ସେଥିଲାଗି ସମ୍ବିଧାନର ଧାରା ୧୯ ରେ ଏଥିଲାଗି ସ୍ଵତନ୍ତ୍ର ପ୍ରାବଧାନ ରହିଲା। ଯଦି ଧାରା ୧୯ ରହିନଥାନ୍ତା ତେବେ ଖବରକାଗଜମାନେ ନଥାନ୍ତେ। ଯେଉଁ ସୁବିଧା ନାଗରିକକୁ ମିଳୁଛି ସେହି ସୁବିଧା ଖବରକାଗଜକୁ ମିଳିଲା।
ସେମାନଙ୍କ ଉଲ୍ଲେଖନୀୟ ଭୂମିକା ଲାଗି ଏହି ଦେଶରେ ଜମି ଆନ୍ଦୋଳନ ଓ ଭୁସଂସ୍କାର ପ୍ରମୁଖ ବିଷୟ ହେଲା ଯାହା ପାକିସ୍ତାନରେ ହୋଇନପାରିବା କାରଣରୁ ଜମିଦାରଙ୍କ ହାତରେ ଅଥବା ଭୁଟାନ ଓ ନେପାଳରେ ରାଜାଙ୍କ ହାତରେ ପୁଣି ଶାସନ ରହିଗଲା। ଖବରକାଗଜ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ଦୃଢତାର ସହିତ ଠିଆ ହେବା କାରଣରୁ ଏଠାର ଜନତା ସଚେତନ ହେଲେ। ଏହି କାରଣରୁ ମିଲିଟାରୀ ମଧ୍ୟ କ୍ଷମତା ଦଖଲ କରିବା ଲାଗି ସାହସ କରିନାହିଁ ଯାହା ହୁଏତ ବର୍ମାରେ ଓ ପାକିସ୍ତାନରେ ହେଲା।
ତେଣୁ ସ୍ଵାଧୀନ ଦେଶରେ ଆଶା କରାଯାଉଥିଲା ଯେ ଖବରକାଗଜମାନେ ସରକାରଙ୍କ ବିରୁଦ୍ଧରେ ଲଗାତର ଭାବରେ ଟାଣୁଆ ସ୍ଵର ହୋଇ ରହିବେ ଓ ସେମାନେ ସମ୍ବିଧାନର ମୂଳ ଘୋଷଣାନାମକୁ ଯେମିତି ସରକାର କାର୍ଯ୍ୟକାରୀ କରନ୍ତି ସେଥିଲାଗି ଲଗାତର ଚାପ ସୃଷ୍ଟି କରିବେ। ସବୁ ଦିନ ଖବରକାଗଜରେ ପ୍ରକାଶ ପାଉଛି ପୁରୁଣା ନାଳ ବା ସହରର ଡ୍ରେନ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ, ରୁଣ ଶୁଝିନପାରି ଯୁବକଙ୍କ ଆତ୍ମହତ୍ୟା, ଦାଦନ ଖଟିବାକୁ ଯାଇ ଯୁବକ ଶବ ହୋଇଗଲେ ଓ ମୃତ ଯୁବକଙ୍କ ପରିବାର ମୃତ ଶରୀରକୁ ଫେରାଇ ଆଣିବା ଲାଗି ପ୍ରଶାସନର ଦ୍ଵାରସ୍ଥ ଇତ୍ୟାଦି।
ସତରେ ସେହି ଘଟଣାରେ ପ୍ରଶାସନର ଦ୍ଵାରସ୍ଥ ହୋଇଥିବା ପୀଡିତ/ପୀଡ଼ିତା ପ୍ରଶାସନର ସୁବିଧା ପାଇଲେ କି? ମନ ଆମର ଜାଣିବା ଲାଗି ଆଗ୍ରହୀ ଥାଏ। କିନ୍ତୁ ସେ ତଥ୍ୟ ଆମକୁ ଖବରକାଗଜରୁ ମିଳେନାହିଁ। ଏହା ନୁହେଁ ଯେ ଖବରକାଗଜ ତଥ୍ୟ ରଖେନାହିଁ। ରୋଚକ ଢଙ୍ଗରେ କୌଣସି ସେଲେବ୍ରିଟିଙ୍କ ବିବାହ ବିଚ୍ଛେଦର ଟିକି ନିଖି ଖବର କିନ୍ତୁ ପ୍ରତିଦିନ ପ୍ରକାଶିତ ହୁଏ ଯେମିତି ରାଜ୍ୟରେ ଆଦୌ ବିବାହ ବିଚ୍ଛେଦ ହେଉନାହିଁ। ନହେଲେ, ଭାରତର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଏବେ ଏସିଆରେ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ଘୋଷିତ ହେବା ଓ ତାଙ୍କ ସାମ୍ନାରେ ଆଉ କିଏ ରହିଲେ ଗଣତନ୍ତ୍ର ଦେଶରେ ତାହାର ନିର୍ଲ୍ଲଜ ଉପସ୍ଥାପନ ଖବରକାଗଜ କରିଥାଏ।
କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ଉପସ୍ଥାପନ ସମୟରେ ଯେଉଁ ରୋଚକ ସାହିତ୍ୟ ଖବର ମଧ୍ୟରେ ରହିଥାଏ କୌଣସି ଦଳିତ ନାବାଳିକ ଉପରେ ହୋଇଥିବା ଅତ୍ୟାଚାରର ଖବରରେ ଦୁଃଖଭରା ଶବ୍ଦ ନଥାଏ – ବୋଧେ ଶବ୍ଦ ଉତ୍ତେଜନାରେ ଆସିଥାଏ ଲଜ୍ଜାରେ ନୁହେଁ।
ଖବରକାଗଜ ମଧ୍ୟରେ ଏକ ଛୋଟ ଦେଶଟିଏ ରହିଛି। ସେହି ପୃଷ୍ଠା ଭିତରେ ଦେଶର ଛୋଟ ସମାଜଟିଏ ରହିଛି। ସେହି ସମାଜରେ ଧନୀ ଗରିବ ସମସ୍ତେ ଅଛନ୍ତି। ‘ଭାରତ ହେଉଛି ଗଣତନ୍ତ୍ରର ମା’’, ‘ଗଣତନ୍ତ୍ରରେ ସମସ୍ତ ମଣିଷ ସମାନ ଓ ସମସ୍ତଙ୍କ ସମାନ ଅଧିକାର ରହିଛି’, ‘ଆମେ ଆମ ଗଣତନ୍ତ୍ରକୁ ନେଇ ଗର୍ଭ କରିବା ଆବଶ୍ୟକ’ ଭଳି ଶୀର୍ଷକ ରହିଥିବା ଖବରକାଗଜର ସେହି ଦିନର ସେହି ପୃଷ୍ଠାରେ ପୁଣି ପ୍ରକାଶିତ ହୋଇଥାଏ ଛୋଟ ପିଲାମାନେ ବର୍ଷା ଦିନେ ନଦୀ ମଧ୍ୟରେ ପଶି ସ୍କୁଲକୁ ଯିବା, ରାସ୍ତା ଅଭାବରୁ ଗର୍ଭବତୀ ମହିଳା ଖଟିଆରେ ବୁହାହେବା ସାଙ୍ଗକୁ ରାଜ୍ୟର ଦୁଇ ଲେନ ରାସ୍ତାକୁ ଚାରିଲେନ ଓ ଚାରି ଲେନ ରାସ୍ତାକୁ ଛଅ ଲେନ ହେବା ଲାଗି କେତେ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଚୁକ୍ତିପତ୍ର ସହିତ ହସ ହସ ମୁହଁ ଭରା ମନ୍ତ୍ରୀ ଓ ସଚିବଙ୍କ ଫୋଟୋ।
ରାସ୍ତା ଅଭାବରୁ ନଦୀ ମଧ୍ୟରେ ପଶି ସ୍କୁଲରେ ଲାଗି ଯାଉଥିବା ଛୋଟ ଛୋଟ ପିଲା ଏହି ଗଣତନ୍ତ୍ରକୁ ନେଇ କି ପ୍ରକାରର ଗର୍ବ କରିବେ? ଏହି ପ୍ରଶ୍ନ ଖବରକାଗଜର ସାମ୍ବାଦିକ ଉପସ୍ଥିତ ମନ୍ତ୍ରୀ ଓ ସଚୀବଙ୍କୁ ପଚାରିବା ଲାଗି ଆବଶ୍ୟକ ମନେକରେ ନାହିଁ। ଖରାଦିନେ ଦୀର୍ଘ ରାସ୍ତା ଅତିକ୍ରମ କରି ମହିଳାମାନେ କୌଣସି ଏକ ଛୋଟ କୂଅରୁ ପାଣି ଆଣିବାର ଫଟୋ, ଦୂଷିତ ଜଳ ପିଇ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଖବର ଦେଖିଲେ କେହି କ’ଣ ଏଭଳି ଗଣତନ୍ତ୍ରକୁ ନେଇ ସତରେ ଗର୍ବ କରିପାରେ?
ବିଶେଷକରି ଏହି ଖବର ସହିତ ଯେଉଁଠି ପ୍ରକାଶ ପାଏ କମ୍ପାନୀଙ୍କୁ ଜଳଯୋଗାଣ ଲାଗି ସରକାରଙ୍କ ଚୁକ୍ତି, ନଦୀର ପ୍ରାଇଭେଟାଇଜେସନ, ଜଳଭଣ୍ଡାର ଉପରେ କମ୍ପାନୀଙ୍କ ଏକଚାଟିଆ ଅଧିକାର ସହିତ ଲୋକଙ୍କୁ ସରକାରୀ ବିଜ୍ଞାପନରେ ପାଣି ଯୋଗାଣର ପ୍ରତିଶୃତି ! ଖବରକାଗଜର ମାଲିକମାନେ ବେଶ କିଛି ବର୍ଷ ହେଲା ନିଜକୁ ଏକ ବ୍ୟବସାୟିକ ସଂସ୍ଥା ଭାବରେ ଗ୍ରହଣ କରିନେଇ ପୁଞ୍ଜିଲଗାଣକୁ ଗୁରୁତ୍ଵ ଦେଇଛନ୍ତି। ତେଣୁ ସେମାନେ ନିଜ ସ୍ଵାର୍ଥର ସୁରକ୍ଷା ଲାଗି “ପ୍ରକଳ୍ପ ସପକ୍ଷବାଦୀ” ଓ “ପ୍ରକଳ୍ପ ବିରୋଧୀ” ଏହିଭଳି ଦୁଇ ଭାଗରେ ଅଞ୍ଚଳକୁ ବିଭାଜିତ କରିଛନ୍ତି।
ଏହି ‘ସପକ୍ଷବାଦୀ’ ଓ ‘ବିରୋଧୀ’ ବିଭାଜନ ଖବରକାଗଜର ସୃଷ୍ଟି। ଦେଶର ବିକାଶରେ ବିସ୍ଥାପିତ ଜନତାଙ୍କର ମଧ୍ୟ ସମାନ ଅଧିକାର ରହିଛି, ଜମି ଓ ଜଙ୍ଗଲ ଉପରେ ନାଗରିକର ପୀଢି ପୀଢିର ଅଧିକାର ରହିଛି। ଏହକୁ ନିଜ ସ୍ଵାର୍ଥ ଲାଗି ସପକ୍ଷବାଦୀ ଓ ବିରୋଧୀ ଭାବରେ ଲୋକଙ୍କୁ ଦୁଇଭାଗ କେଉଁଭଳି କରାଯିବ? ନିଜ ଉପରେ ସରକାରୀ ଆକ୍ରମଣ ହେଲେ “ବାକ ସ୍ଵାଧୀନତାର କଣ୍ଠରୋଧ” କରୁଛି କିନ୍ତୁ ନିଜେ ଆଉ କାହାର କଣ୍ଠରୋଧର ଭୂମିକା ନେଉଛି।
ବୃହତ କମ୍ପାନୀଙ୍କ ଦ୍ଵାରା ଦିଆଯାଉଥିବା ବିଜ୍ଞାପନକୁ ଅଧିକ ଭାବରେ ହାତେଇବାକୁ ଯାଇ ବିସ୍ଥାପିତଙ୍କ ଦୁଃଖ, ଶ୍ରମିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ବସ୍ତିକୁ ବୁଲଡୋଜର ଦେଇ ଭାଙ୍ଗିବା, ପ୍ରଦୂଷଣଜନୀତ ଯାବତୀୟ ବେମାରୀ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟାର କାରଣ ଆଡକୁ ଖବରକାଗଜ ମୁହଁ ବୁଲାଇ ଦେଉଛି।
ନେତାଙ୍କ ବୟାନ ଓ କମ୍ପାନୀଙ୍କ ପ୍ରତିଶ୍ରୁତି ବଡ ଅକ୍ଷରରେ ପ୍ରକାଶିତ ହେଉଛି। ବଳକା ସ୍ଥାନରେ କେବଳ ଲୋକଙ୍କ ରାଲି, ଧାରଣା, ପ୍ରତିବାଦ ସଭା ଓ ଦାବିପତ୍ର ପ୍ରକାଶିତ ହେଉଛି। ଖବରକାଗଜ ମାଲିକମାନେ ବହୁ ପୂର୍ବରୁ ନିଜକୁ କୌଣସି ନା କୌଣସି ରାଜନୈତିକ ଦଳ ସହିତ ଜଡିତ କରିଥିଲେ। ଆଜିକାଲି ସେମାନେ ଧର୍ମକୁ ଆଧାର କରି ସମାଜରେ ବିଭାଜନ କରିବା ଆରମ୍ଭ କରିଦେଇଛନ୍ତି।
‘ଗୋ ଚାଳଣକାରୀଙ୍କ ଉପରେ ଆକ୍ରମଣ’ (ଆକ୍ରାମଣକାରୀ ନିଜେ ପୁଲିସ ସାଜି ମରଣାନ୍ତକ ଆକ୍ରମଣ କରିବାକୁ ଉପସ୍ଥିତ ପୁଲିସ କି ସାମ୍ବାଦିକ ପ୍ରଶ୍ନକରିନଥାନ୍ତି), ‘ଗୋମାଂସ ଫ୍ରିଜରୁ ଉଦ୍ଧାର’, ‘ଜୟ ଶ୍ରୀରାମରେ ପ୍ରକମ୍ପିତ ମନ୍ତ୍ରୀଙ୍କ ସଭାସ୍ଥଳ’, ‘ସଙ୍କୀର୍ତ୍ତନରେ ଝୁଲିଲେ ଭକ୍ତ’,‘ମନ୍ତ୍ରୀଙ୍କ ଅଫିସ ପ୍ରବେଶ ସମୟରେ ହନୁମାନ ଚାଳିଶା ପାଠ’, ‘ଧର୍ମାନ୍ତରୀକରଣ’ ଓ ‘ଅନୁପ୍ରବେଶ’ ଭଳି ପ୍ରସଙ୍ଗକୁ ଦେଶ ବିଦେଶ ପୃଷ୍ଠାରେ (କୌଣସି ସଂଖ୍ୟା ମଧ୍ୟ ନଥାଇ) ଦେବା ଆରମ୍ଭ କରିଛନ୍ତି। ସେମାନେ ଏହାକୁ ଜାଣି ଜାଣି ଜାତୀୟ ସମସ୍ୟା କରିଦେଇଛନ୍ତି। କେଉଁ ରାଜ୍ୟର ଅନାମଧେୟ କୌଣସି (ଦଙ୍ଗାକାରୀ) ନେତାଙ୍କ ଅଳ୍ପ ସଂଖ୍ୟକ ବିରୋଧୀ ମନ୍ତବ୍ୟ ଏହି ପୃଷ୍ଠାରେ ସ୍ଥାନ ପାଉଛି।
ଖବରକାଗଜ ଏକ ନୂଆ ଅବତାରରେ ଆଜି ସାମ୍ପ୍ରଦାୟିକ ବାର୍ତ୍ତା ଦେଇ ଏହାକୁ ଆଗାମୀ ଦିନର ସାମ୍ପ୍ରଦାୟିକ ହିଂସାର କର୍ତ୍ତା ହେବା ଲାଗି ପ୍ରସ୍ତୁତ କରୁଛନ୍ତି। ସଂକ୍ଷେପରେ କହିଲେ, ସେମାନେ ଦଙ୍ଗାକାରୀ ସୃଷ୍ଟି କରିବାରେ ଲାଗିପଡିଛନ୍ତି। ପ୍ରେସ କାଉନସିଲ ଓ ଅନ୍ୟାନ୍ୟ ସାମ୍ବିଧାନିକ ଅନୁଷ୍ଠାନ ଦେଶରେ ରହିଥିବା କଥା ଜଣାପଡୁନାହାନ୍ତି। ଏହି ଅନୁଷ୍ଠାନ କ୍ରିୟାଶୀଳ ହେଲେ ଖବରକାଗଜ ମାଲିକମାନେ ହୁଏତ ନିଜର ପୁଞ୍ଜିକୁ ଖଣି ବା ସଟ୍ଟା ବଜାରରେ ଲଗାଇଦେବେ ଓ କହିବେ, ବାକ ସ୍ଵାଧୀନତାର କଣ୍ଠରୋଧ ହେଲା।
ଖବରକାଗଜ ଚତୁର୍ଥ ସ୍ତମ୍ବ ନୁହେଁ ସ୍ତମ୍ବହୀନ ପରାଙ୍ଗପୁଷ୍ଟ ଲତାଟିଏ ଆମ ସମାଜରେ ପୁଞ୍ଜି ଓ ଧର୍ମକୁ ସାହାରା କରି ବଢୁଛି। ସେ ଜାଣିନାହିଁ ସେ ନିଆଁରେ ସେ ହୁଏତ କେବେ ଜଳିପୋଡି ଛାରଖାର ହୋଇଯିବ।
ଦେବ ରଞ୍ଜନ
ମୋବାଇଲ: ୯୪୩୭୭୬୨୨୭୨