Advertisment

ଆଗାମୀ ଜନଗଣନା ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ

ବାସ୍ତବିକ ମଣ୍ଡଳ କମିଶନ୍ ରିପୋର୍ଟ ଲାଗୁ ପରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଜାତିଗତ ଜନଗଣନା ସଂଖ୍ୟା ପାଇଯିବା ପରେ ଅତ୍ୟନ୍ତ ଭୟଙ୍କର ଭାବରେ ସାରାଦେଶରେ ବ୍ୟାପିବାର ସମ୍ଭାବନା ରହିଛି। ସରକାର ଓ ବିରୋଧୀ ରାଜନୈତିକ ଦଳମାନେ ଏହା ଉପରେ କିପରି ସହମତି ହାସଲ କରୁଛନ୍ତି ଓ ନ୍ୟାୟର କି ଆଭିମୁଖ୍ୟ ନେବ ତାହା ଜାତି ଜନଗଣନା ରିପୋର୍ଟ ପ୍ରକାଶ ପରେ ପରେ ଅଧିକ ସ୍ପଷ୍ଟ ହୋଇଯିବ।

author-image
Debendra Prusty
Representative Image

Representative Image

ରବି ଦାସ

ପ୍ରତି ୧୦ ବର୍ଷରେ ଭାରତରେ ଜନଗଣନା କାର୍ଯ୍ୟ କରାଯାଏ। କିନ୍ତୁ ସେହି କ୍ରମରେ ୨୦୨୧ରେ ହେବାକୁଥିବା ଜନଗଣନା କୋଭିଡ୍ ନାମରେ କେନ୍ଦ୍ର ସରକାର କରାଇନଥିଲେ। ଯଦିଓ ୨୦୨୦ରେ ବିହାର ବିଧାନସଭା ନିର୍ବାଚନ ସହିତ ୨୦୨୧ରେ ପଶ୍ଚିମବଙ୍ଗ ଓ ୨୦୨୨ରେ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ କରାଯାଇଥିଲା। ସେହି ସମୟରେ ଅନ୍ୟ ରାଜ୍ୟଗୁଡ଼ିକରେ ହୋଇଥିବା ବିଧାନସଭା ନିର୍ବାଚନ ଅପେକ୍ଷା ବିହାର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସେହି ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଜନଗଣନା କାର୍ଯ୍ୟ କରାନଯିବାର ଯଥାର୍ଥ କାରଣ ଖୋଜିବା ମୁସ୍‌କିଲ୍ ହେବ।

Advertisment

ଏହି ସମୟ ଭିତରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ନିର୍ବାଚନର ଏକ ପ୍ରତିଶ୍ରୁତି ଭାବରେ ଜନଗଣନା ସହିତ ଜାତି ଜନଗଣନାକୁ କଂଗ୍ରେସ ଦଳ ଓ ଅନ୍ୟ କେତେକ ବିରୋଧୀ ଦଳ ଗୁରୁତ୍ୱ ଦେଇଥିଲେ। କେନ୍ଦ୍ର ସରକାର ପ୍ରଥମ ଅବସ୍ଥାରେ ଜାତି ଜନଗଣନା ପାଇଁ ରାଜି ହୋଇନଥିଲେ ମଧ୍ୟ ସାରା ଦେଶରେ ସାମାଜିକ ନ୍ୟାୟ ଆନ୍ଦୋଳନ କରୁଥିବା ଗୋଷ୍ଠୀଗୁଡ଼ିକ ଜାତି ଜନଗଣନା ହେଲେ ସାମାଜିକ ନ୍ୟାୟ ବ୍ୟବସ୍ଥା ଓ ବିଶେଷ ଭାବରେ ସଂରକ୍ଷଣ ରାଜନୀତିର ପ୍ରକୃତ ବାସ୍ତବତା ଉପଲବ୍ଧ ହେବ ବୋଲି ବାରମ୍ବାର ଯୁକ୍ତି କରିବାରୁ ପ୍ରଥମେ ଆର୍‌ଏସ୍‌ଏସ୍ ଜାତୀୟ ସମ୍ମିଳନୀରେ ଏଥିପ୍ରତି ସମ୍ମତି ଜଣାଇବା ପରେ ପହେଲଗାମ୍‌ରେ ଆତଙ୍କବାଦୀଙ୍କ ୨୬ ଲୋକଙ୍କୁ ମାରିବା ପରେ ଦେଶରେ ପ୍ରବଳ କ୍ରୋଧର ବାତାବରଣ ଥିବାବେଳେ କେନ୍ଦ୍ର କ୍ୟାବିନେଟ୍ ଜନଗଣନାରେ ଜାତି ଜନଗଣନା ସାମିଲ ହେବ ବୋଲି ନିଷ୍ପତି ଗ୍ରହଣ କଲେ।

ସେହି ଦୃଷ୍ଟିରୁ ଦେଖିଲେ ଜନଗଣନା ନିମନ୍ତେ କେନ୍ଦ୍ର ସରକାରଙ୍କର ଏବେ ଗ୍ରହଣ କରିଥିବା ନିଷ୍ପତି ସବୁ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗୋଟିଏ ପକ୍ଷରେ ଏହି ଜନଗଣନା ପରେ କେନ୍ଦ୍ର ସରକାର ଲୋକସଭା ଓ ବିଧାନସଭା ଆସନଗୁଡ଼ିକର ସଂଖ୍ୟା ପରିବର୍ତ୍ତନ ପାଇଁ ଡିଲିମିଟେସନ୍ କମିଶନ୍ ଗଠନ କରିପାରିବେ। ୧୯୮୧ ଜନଗଣନା ପରେ କେନ୍ଦ୍ର ସରକାର ଡିଲିମିଟେସନ୍ କମିଶନ୍ ଗଠନ ନକରି ୨୫ ବର୍ଷ ପାଇଁ ଲୋକସଭା ଓ ବିଧାନସଭା ଆସନରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ନିଷ୍ପତି ନେଇଥିଲେ। ଏହି ୨୫ ବର୍ଷର ସମୟସୀମା ପୂରିଯିବା ସମୟରେ ୨୦୦୧ରେ ହୋଇଥିବା ଜନଗଣନା ପରେ ତତ୍କାଳୀନ ବାଜପେୟୀ ସରକାର ଆଉ ୨୫ ବର୍ଷ କାଳ ଲୋକସଭା ଓ ବିଧାନସଭାର ଆସନ ସଂଖ୍ୟା ପରିବର୍ତ୍ତନ ହେବନାହିଁ ବୋଲି ନିଷ୍ପତି ନେଇଥିଲେ। କିନ୍ତୁ ସେତେବେଳେ ଯେଉଁ ଡିଲିମିଟେସନ୍ କମିଶନ୍ ଗଠିତ ହୋଇଥିଲା ତାହା କେବଳ ଆସନ ସଂଖ୍ୟାକୁ ସ୍ଥିର ରଖି ବିଭିନ୍ନ ଅଂଚଳ ବା ପଂଚାୟତ ସବୁ ଏପଟ ସେପଟ କରି ନିର୍ବାଚନ ମଣ୍ଡଳୀ ଗଢ଼ିବା ପାଇଁ କ୍ଷମତା ପାଇଥିଲେ। ଅର୍ଥାତ୍ ଗତ ୫୦ ବର୍ଷ ଧରି ଭାରତର ଲୋକସଭା ଓ ବିଧାନସଭାଗୁଡ଼ିକରେ ଆସନ ସଂଖ୍ୟାରେ କୌଣସି ପରିବର୍ତନ ହୋଇନାହିଁ। ସମ୍ବିଧାନର ନିୟମ ଅନୁସାରେ ପ୍ରତି ଜନଗଣନା ପରେ ଡିଲିମିଟେସନ୍ କମିଶନ୍ ଜରିଆରେ ଆସନ ସଂଖ୍ୟା ଏପଟ ସେପଟ କରିବା ପାଇଁ କ୍ଷମତା ଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ ଜରିଆରେ ୫୦ ବର୍ଷ କାଳ ଏହି ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ତେଣୁ ଏଥର ଯେଉଁ ଜନଗଣନା ହେବ ତାହା ପରେ ପରେ ଡିଲିମିଟେସନ୍ କମିଶନ୍ ପାଇଁ ପ୍ରକ୍ରିୟା ନିଶ୍ଚିନ୍ତ ଆରମ୍ଭ ହେବ।

Advertisment

ଜନଗଣନା ଦେଶର ଲୋକମାନଙ୍କର ପ୍ରକୃତ ସ୍ଥିତି, ଅବସ୍ଥା, ଆର୍ଥିକ ଦିଗ, ପୁରୁଷ, ନାରୀ, ତୃତୀୟ ଲିଙ୍ଗ, ଭିନ୍ନକ୍ଷମ, ବିଭିନ୍ନ ଜାତିର ଦଳିତ ଓ ବିଭିନ୍ନ ଆଦିବାସୀ ସଂପ୍ରଦାୟ ସହିତ ଦେଶରେ ଥିବା ସବୁ ଧର୍ମଗୁଡ଼ିକର ସଂଖ୍ୟା ଓ ଅବସ୍ଥା ସମ୍ପର୍କରେ ଜନଗଣନାରେ ସ୍ପଷ୍ଟ ଚିତ୍ର ଆସିବାକୁ ଥିବାରୁ ଦେଶ ସମ୍ପର୍କରେ ପ୍ରକୃତ ତଥ୍ୟ ଜାଣିବା ପାଇଁ ଜନଗଣନାକୁ ସବୁଠାରୁ ଭଲ ଭରସାପୂର୍ଣ୍ଣ ତଥ୍ୟ ଭାବରେ ବିଚାର କରାଯାଏ। ଏଥର ଏହି ଜନଗଣନା ପରେ ପରେ ଲୋକସଭା ଓ ବିଧାନସଭାଗୁଡ଼ିକର ଆସନ ସଂଖ୍ୟା ପରିବର୍ତନ ପାଇଁ ସମ୍ବିଧାନର ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବା କ୍ଷଣି ଦେଶ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତନ ହେବ। ଦିଲ୍ଲୀରେ କ୍ଷମତାରେ ଥିବା ବିଜେପି ଏହି ଡିଲିମିଟେସନ୍ ଫଳରେ ଅଧିକ ଜନସଂଖ୍ୟା ହାର ବଢ଼ିଥିବା ଉତ୍ତର ଭାରତ ରାଜ୍ୟଗୁଡ଼ିକରେ ଆସନ ସଂଖ୍ୟା ବହୁତ ବଢ଼ିବ ବୋଲି ବିଚାର କରିବା ସ୍ୱାଭାବିକ। ବାସ୍ତବିକ ଏହିସବୁ ରାଜ୍ୟରେ ଆସନ ସଂଖ୍ୟା ବଢ଼ିଲେ ବିଜେପି ପାଇଁ ଜାତୀୟ ସ୍ତରରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସହଜ ହେବ ବୋଲି ବିଶ୍ୱାସ କରାଯାଉଛି।

ଅପରପକ୍ଷରେ ଯେଉଁ ରାଜ୍ୟଗୁଡ଼ିକରେ ଜନସଂଖ୍ୟା ନିୟନ୍ତ୍ରିତ ଅବସ୍ଥାରେ ଅଛି ଓ ଲୋକସଂଖ୍ୟା ବାସ୍ତବରେ କମିଯାଇଛି ସେହିସବୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆସନ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବେ। ଜାତୀୟ ରାଜନୀତିରେ ଏହିସବୁ ରାଜ୍ୟଗୁଡ଼ିକର ପ୍ରଭାବ କମିଯିବ। ତେଣୁ ଏହିସବୁ ରାଜ୍ୟଗୁଡ଼ିକ ଜନସଂଖ୍ୟା ଆଧାରିତ ବ୍ୟବସ୍ଥା ଉପରେ ଲୋକସଭା ଆସନ ସଂଖ୍ୟା ସ୍ଥିରୀକୃତ ନହେବା ପାଇଁ ଦାବି କରିଛନ୍ତି। ସେମାନଙ୍କର ଦାବି ହେଲା ଯେ, କେନ୍ଦ୍ର ସରକାର ଜନସଂଖ୍ୟା ନିୟନ୍ତ୍ରଣକୁ ଏକ ଜାତୀୟ ଲକ୍ଷଣ ଭାବରେ ନେଇ ଯେଉଁ ଅଭିଯାନ ଚଳାଇଲେ ସେଥିରେ ପ୍ରଭାବିତ ହୋଇ ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା କମାଇଦେଲେ ଓ ପ୍ରତିବଦଳରେ ରାଜ୍ୟର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିଲେ ସେମାନେ ନିଜର ଦକ୍ଷତା ପାଇଁ ରାଜନୈତିକ ଦୃଷ୍ଟିରୁ ଦଣ୍ଡିତ ହେବେ କାହିଁକି? ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ତାମିଲନାଡୁ ନେତୃତ୍ୱରେ ଏ ସଂକ୍ରାନ୍ତରେ ଆଲୋଚନା ଆରମ୍ଭ କରି ଦେଶର ଅନେକ ଦଳକୁ ଏକଜୁଟ କରିଛନ୍ତି। କାରଣ କେବଳ ଲୋକସଂଖ୍ୟା ଆଧାରରେ ଲୋକସଭାର ଆସନ ସଂଖ୍ୟା ସ୍ଥିରୀକୃତ ହେଲେ ଜାତୀୟ ଲକ୍ଷ୍ୟ ହାସଲ କରି ଜନସଂଖ୍ୟା କମାଇ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବା ରାଜ୍ୟଗୁଡ଼ିକ କେନ୍ଦ୍ର ସରକାର ଗଠନରେ ନ୍ୟୁନ ଭୂମିକା ଗ୍ରହଣ କରିବେ। କାରଣ ପାର୍ଲାମେଂଟରେ ସେମାନଙ୍କ ସଂଖ୍ୟା ଅପେକ୍ଷାକୃତ ଭାବରେ ଅଧିକ ଜନସଂଖ୍ୟା ବୃଦ୍ଧି କରିଥିବା ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ ନ୍ୟୁନ ହେବ। ସେହିପରି ସେମାନଙ୍କ ଜନସଂଖ୍ୟା ବୃଦ୍ଧି ଯୋଗୁ କେନ୍ଦ୍ରୀୟ ସମ୍ବଳ କ୍ଷେତ୍ରରେ ଅପେକ୍ଷାକୃତ ସମୃଦ୍ଧ ରାଜ୍ୟଗୁଡ଼ିକ ଅଧିକ ଅଂଶ ଦେଉଥିଲେ ମଧ୍ୟ କେନ୍ଦ୍ରରୁ ସମ୍ବଳ ପାଇବାରେ କମ୍ ହାସଲ କରୁଛନ୍ତି। କାରଣ ଅର୍ଥ କମିଶନ୍ ଏହି ସମ୍ବଳ ବଂଟନରେ ଜନସଂଖ୍ୟା ଆଧାରକୁ ଏକ ମୁଖ୍ୟ ଭୂମିକା ଭାବରେ ରଖି ବଂଟନ ନୀତି ସ୍ଥିର କରୁଛି। ତେଣୁ ଜନଗଣନା ପରେ ଏ ସଂକ୍ରାନ୍ତୀୟ ବିବାଦଗୁଡ଼ିକ ଆହୁରି ତୀବ୍ର ହେବ। ସେହି କାରଣରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ କହିଲେଣି ଯେ, ଜନସଂଖ୍ୟା କମାଇଥିବା ରାଜ୍ୟଗୁଡ଼ିକ ଜନସଂଖ୍ୟା ବୃଦ୍ଧି ପାଇଁ ଏବେ ଉଦ୍ୟମ ଆରମ୍ଭ କରିବା ଉଚିତ୍।

ଜନଗଣନା ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ଓ ଯାହାର ସମସ୍ତ ମୁଣ୍ଡଗଣନା ୨୦୨୭ ଫେବୃଆରୀରେ ଶେଷ ହୋଇ ମାର୍ଚ୍ଚ ୧, ୨୦୩୬ରେ ରେକର୍ଡଭୁକ୍ତ ହେବ। କିନ୍ତୁ ଜନଗଣନାର ବାସ୍ତବ ପବ୍ଲିକେସନ୍ ଆହୁରି ଅତିକମ୍‌ରେ ୧ ବର୍ଷରୁ ଉର୍ଦ୍ଧ୍ୱ ଲାଗିବ। ତା’ପରେ ହିଁ ଡିଲିମିଟେସନ୍ ପାଇଁ କମିଶନ୍ ଗଠିତ ହୋଇପାରିବ। କିନ୍ତୁ ଏହି ଜନଗଣନାରେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଜାତି ଜନଗଣନା କରାଯାଉଛି। କେନ୍ଦ୍ର ସରକାର ପ୍ରଥମ ଅବସ୍ଥାରେ ଏଥିପାଇଁ ରାଜି ନଥିଲେ ମଧ୍ୟ ସାରାଦେଶରେ ସାମାଜିକ ନ୍ୟାୟ ଆନ୍ଦୋଳନକାରୀ ଓ ବିରୋଧୀ ଦଳମାନଙ୍କର ଆଭିମୁଖ୍ୟକୁ ଦେଖି ଜାତି ଜନଗଣନା କରାଯାଉଛି। କିନ୍ତୁ ଏହି ଜାତି ଜନଗଣନାର ଫର୍ମାଟ୍ କିପରି ହେବ ତାହା ନେଇ କିଛି ଦ୍ୱନ୍ଦ ଦେଖା ଦେଇଛି। ଜନଗଣନାରେ ଦଳିତ ଓ ଆଦିବାସୀମାନଙ୍କର ପ୍ରତିଥର ହିସାବ କରାଯାଏ। ତେଣୁ ସେମାନଙ୍କ ଜନଗଣନା ପାଇଁ ରୀତିମତ ବ୍ୟବସ୍ଥା ରହିଛି। ଯେଉଁଥିରେ ଦଳିତ ଜାତିମାନଙ୍କର ସଂଖ୍ୟା ସହିତ ସେମାନଙ୍କର ଲୋକସଂଖ୍ୟା ଜଣାପଡ଼ିଥାଏ। ସେହିପରି ବିଭିନ୍ନ ସଂପ୍ରଦାୟର ଆସିବାସୀମାନଙ୍କର ତାଲିକା ସହିତ ସେମାନଙ୍କର ଲୋକସଂଖ୍ୟା ସ୍ଥିର ହୁଏ। ଏହି ଜାତିମାନଙ୍କର ଶିକ୍ଷା, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଓ ସେମାନଙ୍କର ଜମିଜମାର ତଥ୍ୟଗୁଡ଼ିକ ସହିତ ସେମାନଙ୍କ ବାସଗୃହଗୁଡ଼ିକର ଅବସ୍ଥା ଏହି ତଥ୍ୟରେ ପ୍ରତିଫଳିତ ହୁଏ।

ଜାତି ଜନଗଣନାରେ ଅନ୍ୟ ଜାତିମାନଙ୍କର ମଧ୍ୟ ସେହିପରି ଗଣନା କରାଯିବା କଥା।। କିନ୍ତୁ ଯେଉଁମାନେ ମଣ୍ଡଳ କମିଶନ୍ ସୁପାରିଶ ଭିତ୍ତିରେ ବା ନିଜ ନିଜ ରାଜ୍ୟ କମିଶନ୍ ଜରିଆରେ ପଛୁଆ ବର୍ଗ ବୋଲି ସୂଚିତ ହୋଇଛନ୍ତି ସେମାନଙ୍କର ମୋଟ୍ ସଂଖ୍ୟା ମଧ୍ୟ ଏହି ଜନଗଣନାରେ ଆସିବା ନିହାତି ଦରକାର। କାରଣ ୧୯୩୧ ଜନଗଣନା ଭିତ୍ତିରେ ମଣ୍ଡଳ କମିଶନ୍ ଏହି ଜାତିର ଲୋକସଂଖ୍ୟା ଦେଶର ମୋଟ୍ ଲୋକସଂଖ୍ୟାର ୫୨ ଭାଗ ବୋଲି ଦର୍ଶାଇଥିଲେ। କିନ୍ତୁ ପ୍ରତ୍ୟେକ ରାଜ୍ୟରେ ସେମାନଙ୍କର ସଂଖ୍ୟା ସ୍ଥିରୀକୃତ ହେଲେ ହିଁ ସେମାନଙ୍କ ସଂଖ୍ୟା ଆଧାର ଉପରେ ସଂରକ୍ଷଣ ଓ ଅନ୍ୟ ବ୍ୟବସ୍ଥା ପାଇଁ ଯୁକ୍ତି ଉପସ୍ଥାପିତ ହୋଇପାରିବ। ଓଡ଼ିଶା ପରି ରାଜ୍ୟ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ରାଜ୍ୟରେ ପଛୁଆ ବର୍ଗର ସଂଖ୍ୟା ଶତକଡ଼ା ୫୨ କୁହାଯାଉଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟର ନିଷ୍ପତି ଅନୁସାରେ ରାଜ୍ୟରେ ଦଳିତ ଓ ଆଦିବାସୀମାନଙ୍କ ପାଇଁ ସେମାନଙ୍କ ଲୋକସଂଖ୍ୟା ଆଧାରରେ ଶତକଡ଼ା ୩୮.୫ ଭାଗ ସଂରକ୍ଷଣ ବ୍ୟବସ୍ଥା ଦେବା ପରେ ଏହି ପଛୁଆବର୍ଗ ପାଇଁ ମାତ୍ର ୧୧.୨୫ ଭାଗ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ନିଶ୍ଚିତ ଭାବରେ ଏହି ସଂରକ୍ଷଣ ବ୍ୟବସ୍ଥା ଅନ୍ୟାୟ। ତେଣୁ ଜାତି ଜନଗଣନା ରିପୋର୍ଟ ପ୍ରକାଶ ପରେ ପରେ ଏହି ଗୋଷ୍ଠି ରାଜ୍ୟରେ ସେମାନଙ୍କ ଲୋକସଂଖ୍ୟା ଆଧାରରେ ସଂରକ୍ଷଣ ଦେବା ପାଇଁ ଓ ସୁପ୍ରିମ୍‌କୋର୍ଟର ୫୦ ଭାଗ ସଂରକ୍ଷଣ ସୀମା ଅତିକ୍ରମ କରିବା ପାଇଁ ଦାବି କରିବେ।

କିନ୍ତୁ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ କରି କୌଣସି ସଂରକ୍ଷଣ ପାଉନଥିବା ଗୋଷ୍ଠୀମାନଙ୍କ ପାଇଁ କେବଳ ଆର୍ଥିକ ବିଚାରରେ ଶତକଡ଼ା ୧୦ ଭାଗ ସ୍ଥାନ ସଂରକ୍ଷଣ କରିଛନ୍ତି। ଯାହାକି ୫୦ ଭାଗ ସଂରକ୍ଷଣର ବାହାରେ। ଓଡ଼ିଶାରେ ଏହି ବର୍ଗର ସଂଖ୍ୟା ମାତ୍ର ଶତକଡ଼ା ୬-୭ ଭାଗ ହୋଇଥିବା ସମୟରେ ସେମାନଙ୍କ ପାଇଁ ଆର୍ଥିକ ବିଚାରରେ ୧୦ ଭାଗ ସ୍ଥାନ ସଂରକ୍ଷଣ ଯୁକ୍ତିକୁ ପଛୁଆ ବର୍ଗର ଲୋକମାନେ ଆଦୌ ଗ୍ରହଣ କରୁନାହାନ୍ତି। କେବଳ ଓଡ଼ିଶା କଥା ନୁହେଁ ଜାତି ଜନଗଣନା ରିପୋର୍ଟ ପ୍ରକାଶ ପରେ ପରେ ସାରା ଦେଶରେ ସାମାଜିକ ନ୍ୟାୟ ବା ସାମାଜିକ ଗଣତନ୍ତ୍ର ପାଇଁ ଏହି ପଛୁଆ ବର୍ଗରେ ଥିବା ସବୁ ଶ୍ରେଣୀର ଲୋକଙ୍କୁ ଚାକିରୀ, ଶିକ୍ଷା ପ୍ରଭୃତି କ୍ଷେତ୍ରରେ ଲୋକସଂଖ୍ୟା ଅନୁପାତରେ ସୁବିଧା ଦେବା ପାଇଁ ଆନ୍ଦୋଳନ ହେବ। ବାସ୍ତବିକ ମଣ୍ଡଳ କମିଶନ୍ ରିପୋର୍ଟ ଲାଗୁ ପରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଜାତିଗତ ଜନଗଣନା ସଂଖ୍ୟା ପାଇଯିବା ପରେ ଅତ୍ୟନ୍ତ ଭୟଙ୍କର ଭାବରେ ସାରାଦେଶରେ ବ୍ୟାପିବାର ସମ୍ଭାବନା ରହିଛି। ସରକାର ଓ ବିରୋଧୀ ରାଜନୈତିକ ଦଳମାନେ ଏହା ଉପରେ କିପରି ସହମତି ହାସଲ କରୁଛନ୍ତି ଓ ନ୍ୟାୟର କି ଆଭିମୁଖ୍ୟ ନେବ ତାହା ଜାତି ଜନଗଣନା ରିପୋର୍ଟ ପ୍ରକାଶ ପରେ ପରେ ଅଧିକ ସ୍ପଷ୍ଟ ହୋଇଯିବ।

ମୋ- ୮୦୧୮୦୯୪୪୫୫

OBC Caste Census Census