ପ୍ରତ୍ୟୁଷ କୁମାର ସା
ଗଣପର୍ବ ନୂଆଁଖାଇ, କୃଷି ଓ କୃଷକର ପର୍ବ, ଭାଇଚାରାର ପର୍ବ। ନୂଆଁଖାଇରେ ଝଲସି ଉଠେ, ସାମାଜିକ ଚାଲିଚଳଣୀର ନିଚ୍ଛକ ପ୍ରତିଛବି। ପୁଣି ବାରି ହୋଇପଡ଼େ ଆଦି ସଂସ୍କୃତି ଓ ଆଦି ପରମ୍ପରାର ଛିଟା। ଦେଖିବାକୁ ମିଳେ ପ୍ରକୃତି ସହ ମଣିଷର ନିବିଡ଼ତା। ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ତିଥିରେ ପାଳିତ ହେଉଛି କୃଷିଭିତ୍ତିକ ଗଣପର୍ବ-ନୂଆଁଖାଇ। କାହିଁ କେବେଠୁ ଚାଲି ଆସୁଥିବା ଏହି ପର୍ବ ସାଂପ୍ରତିକ ସ୍ଥିତିରେ ମଧ୍ୟ ବେଶ ପ୍ରାସଙ୍ଗିକତା ବହନ କରୁଛି। ଯାହା ଆମ ସମାଜକୁ ବାର୍ତ୍ତା ଦେଇ ଆସୁଛି। ନୂଆଁଖାଇ ପର୍ବରୁ ଆସୁଥିବା ଏମିତି ୯ଟି ବାର୍ତ୍ତାକୁ ନେଇ ଏହି ଆଲେଖ୍ୟ।
ମଣିଷକୁ ଶିଖାଏ ମଣିଷପଣିଆ: ଯୁଗ ବଦଳୁଛି, ତା’ ସହ ତାଳ ଦେଇ ଜୀବନଶୈଳୀ। ଏହି ପରିବର୍ତ୍ତିତ ଜୀବନଶୈଳରେ ସଂକୁଚିତ ହେଉଛି ସାମାଜିକ ସୁରକ୍ଷାର ପରିସର। ଯୌଥ ପରିବାରରେ ଅଣନିଃଶ୍ୱାସୀ ହୋଇପଡୁଥିବା ମଣିଷ ମୁକ୍ତ ଚିନ୍ତାଧାରାର ଦ୍ୱାହି ଦେଇ ଏକକ ପରିବାର ବାଟ ବାଛି ନେଉଛି। ଧୀରେ ଧୀରେ ଅଜଣା ଅନ୍ଧାରକୁ ଚାଲିଯାଉଥିବା ଆମ ସାମାଜିକ ବ୍ୟବସ୍ଥାକୁ ଆଲୋକ ଦେଖାଉଛି ନୂଆଁଖାଇ ପର୍ବ। ଏକାଠି ରହିବା, ମିଳିମିଶି ଚଳିବା, ରାଗରୁଷା ଭୁଲି ସମସ୍ତଙ୍କୁ ଆଦରି ନେବାର ବାର୍ତ୍ତା ଦେଉଛି ଏହି ପର୍ବ। ଗୋଟିଏ ପରିବାର, ଗୋଟିଏ ଗାଁ ଏବଂ ଗୋଟିଏ ସମାଜର କଥା କହୁଥିବା ଏହି ପର୍ବ ନିଶ୍ଚିତ ଭାବରେ ସାଂପ୍ରତିକ ସ୍ଥିତିରେ ଗୁରୁତ୍ୱବହନ କରୁଛି।
ପରିବାରରୁ ପଡ଼େ ସଂସ୍କାରର ମୂଳଦୂଆ: ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ନିଚ୍ଛକ ଉଦାହରଣ ହେଉଛି ନୂଆଁଖାଇ ପର୍ବ। ଗୁରୁଜନଙ୍କୁ ସମ୍ମାନ ଏବଂ କନିଷ୍ଠମାନଙ୍କୁ ଆଦର କରିବାର ବାର୍ତ୍ତା ଦିଏ ଏହି ପର୍ବ। ବୟସ୍କଙ୍କ କଥାମାନି ଚଳିବା, ସାନମାନଙ୍କୁ ଆଦର କରିବା, ଦୋଷତ୍ରୁଟି ନଧରି କ୍ଷମା କରିଦେବା ଆଦି ବ୍ୟାବହାରିକ ଗୁଣଗୁଡ଼ିକର ଶିକ୍ଷା ଦିଏ। ସାମାଜିକ ଜୀବନରେ ଚାଲିଚରଣର ସଂସ୍କାରର ମୂଳଦୂଆ ନିଜ ପରିବାରରୁ ପଡୁଥିବା ବେଳେ ନୂଆଁଖାଇ ଭଳି ପର୍ବଗୁଡ଼ିକରେ ଏହା ପରିମାର୍ଜିତ ହୁଏ। ସଂପର୍କ-ସଂପର୍କ ଭିତରେ ଫାଟ, ସାନ-ବଡ଼ ଭିତରେ ବିଭେଦ ଓ ମତାନ୍ତର ଭଳି ଜଟିଳ ସମସ୍ୟା ଭିତରେ ଆମେ ଛନ୍ଦି ରହୁଥିବା ବେଳେ ଏହି ପର୍ବ ଦେଉଥିବା ବାର୍ତ୍ତା ନିଶ୍ଚିତ ଭାବରେ ଉପାଦେୟ ମନେ ହେଉଛି।
ଏକାଠି ଥିଲେ ସମାଧାନ ଅଛି: ଭାବ ବିନିମୟ ଏବଂ ମିଳିନର ପର୍ବ ହେଉଛି ନୂଆଁଖାଇ। କର୍ମ ସନ୍ଧାନରେ ଭିଟାମାଟି ଛାଡ଼ି ରହୁଥିବା ଲୋକ ହୁଅନ୍ତୁ କିମ୍ବା ନିଜ କର୍ମମୟ ଜୀବନ ଛନ୍ଦି ହୋଇଥିବା ଲୋକ ହୁଅନ୍ତୁ, ବର୍ଷକରେ ଦିନଟିଏ ହେଉ ପଛେ, ଏହି ପର୍ବ ସମସ୍ତଙ୍କୁ ଏକାଠି କରିଥାଏ। ଜୁହାର ଭେଟ୍ ଜରିଆରେ ସମସ୍ତଙ୍କୁ ଏକାଠି ବସି ସୁଖଦୁଃଖ ଆଲୋଚନା କରିବାର ସୁଯୋଗ ଦିଏ। ନିଜ ଘର, ନିଜ ଗାଁ ଏବଂ ନିଜ ଅଂଚଳର ସୁବିଧା-ସୁଯୋଗ ନେଇ ଚିନ୍ତା କରିବାର ପରିବେଶଟିଏ ସୃଷ୍ଟି କରେ। ଯେତେବେଳେ ଆମେ କେବଳ ନିଜ ଭିତରେ ସୀମିତ ରହିଯାଉ, ଏହି ନୂଆଁଖାଇ ପର୍ବ ହିଁ ଆମକୁ ମନେ ପକାଇଦିଏ ଆମ ଚାରିପାଖ ଦୁନିଆର କଥା, ଆମ ସାମାଜିକ ଦାୟିତ୍ୱର କଥା।
ଲୋକକଳାର ବାହାକ: ଏକ ନିଆରା ଢଙ୍ଗରେ କଳାସଂସ୍କୃତିର ପ୍ରଚାର ପ୍ରସାର କରିଥାଏ ଏହି ଗଣପର୍ବ। ପାଲା, ଦଣ୍ଡନୃତ୍ୟ, ଢାପ୍, ଘୁମୁରା, ଡାଲଖାଇ ଭଳି ଲୋକକଳା, ଯେତେବେଳେ ରକ୍ଷଣାବେକ୍ଷଣ ଏବଂ ପ୍ରଚାର ପ୍ରସାର ଅଭାବରୁ ହଜିଯାଉଛି, ସେତେବେଳେ ନୂଆଁଖାଇ ପର୍ବରେ ସ୍ୱତଃପ୍ରବୃତ୍ତ ଭାବରେ ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ହୁଏ। ଏହା ବ୍ୟତୀତ ସ୍ଥାନୀୟ ପ୍ରତିଭାମାନଙ୍କୁ ନିଜର କଳା ପ୍ରଦର୍ଶନ କରିବା ପାଇଁ ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ। ସଂସ୍କୃତିର ସୁରକ୍ଷା ଏବଂ ପୁନରୁଦ୍ଧାର ନେଇ ହେଉଥିବା ଏହି ଉଦ୍ୟମ ନିଶ୍ଚିତ ଭାବରେ ପ୍ରାସଙ୍ଗିକତା ବହନ କରୁଛି।
ବଞ୍ଚିବା ଓ ବଞ୍ଚିବାକୁ ଦେବା: କୃଷି ଓ କୃଷକର ପର୍ବ ନୂଆଁଖାଇ। ଏହି ପର୍ବ, ନିଜେ ବଂଚିବା ସହ ଅନ୍ୟକୁ ବଂଚିବାର କଥା ଶିଖାଏ। ଚାଷୀ ବଂଚିଲେ, ଆମେ ବଂଚିବା। ଏକଥା କାହାକୁ ଅଛପା ନାହିଁ। କାହିଁକି ନା ଚାଷୀର ଉତ୍ପାଦନ ଉପରେ ଆମେ ସବୁ ନିର୍ଭରଶୀଳ। ଆଉ ନୂଆଁଖାଇର ଆଦ୍ୟପର୍ବ ହୁଏ ଚାଷ ଜମିରୁ। ଯେଉଁଠି କ୍ଷୀର, ଚାଉଳ ଦେଇ ପୂଜା କରିବା ପରେ ହୁଏ ନୂଆଁଖାଇ ପର୍ବ ପାଳନ। ଆମେ ସମସ୍ତେ କେଉଁଠି ନା କେଉଁଠି ଚାଷ କିମ୍ବା ଚାଷୀ ପରିବାର ସହ ଜଡ଼ିତ। ଆଉ ଏହି ପର୍ବ ଉଭୟ ଚାଷ ଓ ଚାଷୀଙ୍କୁ ପ୍ରେରଣା ଦେଇଥାଏ।
ଖୁସି ବାଣ୍ଟିଲେ ଖୁସି ବଢ଼େ: ହସଖୁସିରେ ସମସ୍ତଙ୍କୁ ସାମିଲ କରିଥାଏ ନୂଆଁଖାଇ। ଅର୍ଥାଭାବ କିମ୍ବା କୌଣସି ସାମାଜିକ ସମସ୍ୟା ଯୋଗୁଁ କେହି ଏହି ପର୍ବ ପାଳନରୁ ବଂଚିତ ନରୁହନ୍ତୁ ସେହି ବାର୍ତ୍ତା ହିଁ ଦିଏ ନୂଆଁଖାଇ। ଏହି ପର୍ବରେ ଜଣଙ୍କ ଘରରୁ ଆଉ ଜଣଙ୍କ ଘରକୁ ‘ଭାର’ ପଠାଇବାର ପରମ୍ପରା ରହିଛି। ଯାହା ପରୋକ୍ଷରେ ଅନେକ କିଛି ବୟାନ କରୁଛି। ଯଦି କୌଣସି ପରିବାର, କିଛି ସାମଗ୍ରୀ ଯୋଗାଡ଼ କରିବାରେ ସକ୍ଷମ ହୋଇପାରୁନି, ତାଙ୍କ ସଂପର୍କୀୟ ଏବଂ ପାଖ ପଡ଼ୋଶୀ ଭାର ଆକାରରେ ପହଂଚାଇ ଦିଅନ୍ତି। ଆଧୁନିକ ଜୀବନଶୈଳୀରେ ଆମ ପଡ଼ୋଶୀ ଘରେ କ’ଣ ଚାଲିଛି, ଜାଣି ପାରୁନୁ କିମ୍ବା ଜାଣିବାକୁ ଚାହୁଁନୁ। ସେତିକି ବେଳେ ସୁବିଧା ଅସୁବିଧାରେ ଆଉ ଜଣଙ୍କ ପାଖରେ ଠିଆ ହେବାର କଥା ଶିକ୍ଷା ଦେଇଥାଏ ଏହି ନୂଆଁଖାଇ ପର୍ବ।
ଧର୍ମୀୟ ଭାବନା ଏବଂ ଆଧ୍ୟତ୍ମିକତାର ବାର୍ତ୍ତାବହ: ଧର୍ମୀୟ ଭାବନା ଏବଂ ଆଧ୍ୟତ୍ମିକତାର ଶିକ୍ଷା ଦିଏ ଏହି ଗଣପର୍ବ। ଇଷ୍ଟଦେବୀଙ୍କ ସ୍ମରଣ କରି ପୂଜା ହୁଏ, ଇଷ୍ଟଦେବୀଙ୍କ ନିକଟରେ ପ୍ରଥମ ଅନ୍ନ ଲାଗି ହୁଏ। ତା’ ପରେ ଯାଇ ସମସ୍ତେ ନୂଆଁ ଅନ୍ନ ଗ୍ରହଣ କରିଥାନ୍ତି। ଯାହା ଭକ୍ତିଭାବନାର ପରିଚୟ ଦିଏ। ପିଢ଼ି ପରେ ପିଢ଼ି ଆସୁଛି, କିନ୍ତୁ ପରମ୍ପରା ସେମିତି ଅତୁଟ ରହିଛି। ଘରର ମୁରବୀଙ୍କଠାରୁ ଏହି ଦ୍ୱାୟିତ୍ୱ ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତରିତ ହେଉଛି। ଯାହା ଧର୍ମୀୟ ଭାବନାକୁ ଅକ୍ଷୁର୍ଣ୍ଣ ରଖୁଛି।
ପରମ୍ପରା ଓ ଆଧୁନିକତାର ସମନ୍ୱୟ: ପରମ୍ପରା ଓ ଆଧୁନିକତା ଭିତରେ ସମନ୍ୱୟ ସୃଷ୍ଟି କରେ ନୂଆଁଖାଇ। ଯେତେ ବଡ଼ ଅଧିକାରୀ ହୋଇଥାନ୍ତୁ, ଯେତେ ବଡ଼ ପ୍ରତିପତ୍ତିଶାଳୀ ବ୍ୟକ୍ତି ହୋଇଥାନ୍ତୁ, ସେଇ ଧୋତି ଗାମୁଛା ପିନ୍ଧି ଇଷ୍ଟଦେବୀଙ୍କ ପୂଜା କରନ୍ତି। ସେମିତି ପତ୍ରଖଲିରେ ନୂଆଅନ୍ନ ଗ୍ରହଣ କରିନ୍ତି। ବର୍ଷ ତମାମ ଡାଇନିଂ ଟେବୁଲରେ ଖାଉଥିବା ମଣିଷ ଗୋଟିଏ ଦିନ ପଛେ ହେଉ ପଛେ, ତଳେ ବସି ପତ୍ରଖଲିରେ ଭୋଜନ କରନ୍ତି। ଏହି ଗଣପର୍ବରେ ଏକ ଅଭିନବ ଢଙ୍ଗରେ ଆଧୁନିକତା ଏବଂ ପାରମ୍ପରିକ ଚଳଣୀର ସମନ୍ୱୟ ଦେଖିବାକୁ ମିଳିଥାଏ।
ପ୍ରକୃତି ଉପାସନାରେ ପ୍ରେମର ବାର୍ତ୍ତା: ପ୍ରକୃତି ଉପାସନା ଜରିଆରେ ପ୍ରକୃତି ପ୍ରେମର ବାର୍ତ୍ତା ଦିଏ ନୂଆଁଖାଇ ପର୍ବ। ସୂର୍ଯ୍ୟଦେବତାକୁ ସ୍ମରଣ କରି ଜଳଟେକିବା, ବିଲକୁ ଆସି ନୂଆ ଧାନକୁ ପୂଜା କରିବା ଆଦି ପ୍ରକୃତି ଉପାସନାର ଏକ ନିଚ୍ଛକ ଉଦାହରଣ। ଭଲ ବର୍ଷା ପାଇଁ ଇନ୍ଦ୍ରପୂଜା, ଭଲ ଚାଷ ପାଇଁ ମାଟି ପୂଜା ଆଦି ଚାଷୀର ଜୀବନରେ ସ୍ୱାଭାବିକ ପ୍ରକ୍ରିୟା। ଆଉ ନୂଆଁଖାଇରେ ଯେତେବେଳେ ନୂଆ ଫସଲ ଆସେ, ସେହି ପ୍ରାକୃତିକ ଶକ୍ତିକୁ ପୂଜା କରିବାକୁ ଭୁଲି ନଥାଏ ଚାଷୀ।
ସମୟ ସ୍ରୋତରେ ବଦଳୁଛି ଆଦି ପର୍ବର ସ୍ୱରୁପ। ଆଧୁନିକ ଚାକଚକ୍ୟ ଭିତରେ ପରମ୍ପରାର ପରିସର କିଛି ମାତ୍ରାରେ ସଂକୁଚିତ ହୋଇଛି ସତ, କିନ୍ତୁ ଆଜି ବି ନୂଆଁଖାଇ ପର୍ବ ସେମିତି ନୂଆ ହୋଇରହିଛି।
ମୋବାଇଲ : ୯୪୩୭୩-୬୬୯୮୪