ରାସନ ହିତାଧିକାରୀଙ୍କ ସଂଖ୍ୟା କମିବ!

ସୂର୍ଯ୍ୟମଣି ମିଶ୍ର

କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ଖାଦ୍ୟ ନିରାପତ୍ତା ଆଇନ। ଦେଶର କୌଣସି ଜଣେ ବି ଲୋକ ଭୋକରେ ରହିବେ ନାହିଁ, ସମସ୍ତଙ୍କୁ ମିଳିବ ଖାଦ୍ୟ। ଏହା ହେଉଛି ଆଇନଗତ ବ୍ୟବସ୍ଥା। କିନ୍ତୁ ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ସରକାର ଖାଦ୍ୟ ରିହାତିକୁ କମେଇବା, କମ୍‍ ଲୋକଙ୍କୁ ରାସନ ବା ଖାଦ୍ୟ ସାମଗ୍ରୀ ଦେବା ନେଇ ସମୀକ୍ଷା କରୁଥିବା ସୂଚନା ମିଳିଛି। ୨୦୨୦-୨୧ରେ କେନ୍ଦ୍ର ସରକାର ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଖାଦ୍ୟ ରିହାତି ଦେଉଛନ୍ତି। ନୀତି ଆୟୋଗ ଏହା ମଧ୍ୟରେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ, କମ୍‍ ଲୋକଙ୍କୁ ରିହାତିରେ ଖାଦ୍ୟ ସାମଗ୍ରୀ ଦିଆଯାଉ। ଏହା ଦ୍ୱାରା ସାଧାରଣ ନାଗରିକଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ଯେ ପଡ଼ିବ ତାହାର ପୂର୍ବାନୁମାନ କରାଯାଇପାରେ।

ନୀତି ଆୟୋଗ ପରାମର୍ଶ ଦେଇଛନ୍ତି ଯେ, ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଅନୁଯାୟୀ ସହର ଏବଂ ଗାଁରେ କମ୍‍ ଲୋକଙ୍କୁ ରାସନ ବା ଖାଦ୍ୟ ସାମଗ୍ରୀ ଦିଆଯିବ। ଖାଦ୍ୟ ସବ୍‍ସିଡ଼୍‍କୁ ହ୍ରାସ କରି ଦେଶରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ରାସନ ଉପଲବ୍ଧ କରାଇବା ପାଇଁ ଏହି ପରାମର୍ଶରେ କୁହାଯାଇଛି। ସରକାର ବର୍ତ୍ତମାନ ୬୭ ପ୍ରତିଶତ ଲୋକଙ୍କୁ ଏହି ଆଇନ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯଥା ଚାଉଳ ଓ ଗହମ ଦେଉଛନ୍ତି। ୨୦୨୦-୨୧ରେ ସରକାର ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଖାଦ୍ୟ ରିହାତି ଦେଇଛନ୍ତି। ନୀତି ଆୟୋଗ ଅନୁମାନ କରି କହିଛନ୍ତି ଏହି ହାରକୁ ସରକାର ହ୍ରାସ କଲେ ବାର୍ଷିକ ୪୭,୨୨୯ କୋଟି ଟଙ୍କା ବଂଚିପାରିବ। ଆୟୋଗ ପରାମର୍ଶ ପତ୍ରରେ ଲେଖିଛନ୍ତି ଗତ ଏକଦଶକ ମଧ୍ୟରେ ବିକାଶ ହୋଇଛି। ମହାମାରୀ ସମୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ କଭରେଜକୁ କମ୍‍ କରିବା ପାଇଁ ପରାମର୍ଶ ଦେବା ପଛରେ କାରଣ କଣ ତାହା ଲୋକଙ୍କ ସପକ୍ଷରେ ନୁହେଁ କହିବା ଭୁଲ ହେବନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧ ଫେବୃଆରି ୨୦୨୧ ମଧ୍ୟରେ ୨.୩୭ କୋଟି ଘରର ୯ କୋଟିରୁ ଅଧିକ ଲୋକ ଥିଲେ। ଏହି ଲୋକଙ୍କୁ ମାସକୁ ୩୫ କେଜି ଚାଉଳ ଦିଆଯାଉଛି। ଏହିଭଳି ଭାବରେ ୭୦.୩୫ କୋଟି ଲୋକଙ୍କୁ ଆଇନ ଅନୁଯାୟୀ ପ୍ରତି ମାସ ମୁଣ୍ଡ ପିଛା ୫ କେଜି ଚାଉଳ ଦିଆଯାଉଛି। ନୀତି ଆୟୋଗ ଜନସଂଖ୍ୟାର ପରିସଂଖ୍ୟାନକୁ ଅପ୍‌ଡେଟ୍‌ କରିବା ପାଇଁ କହିଛନ୍ତି। କାରଣ ୨୦୧୧ ଜନଗଣନା ପରିସଂଖ୍ୟାନକୁ ବ୍ୟବହାର କରାଯାଇ ଖାଦ୍ୟ ସାମଗ୍ରୀ ଦିଆଯାଉଛି। ୫ ଜୁଲାଇ ୨୦୧୩ ପରେ ଏହି ପରିସଂଖ୍ୟାନର ଅପଡେଟ୍‍ ହୋଇନାହିଁ।

ସରକାର ପ୍ରଥମରୁ ପରିସଂଖ୍ୟାନ ଅନୁଯାୟୀ ଖାଦ୍ୟ ସୁରକ୍ଷା ଆଇନକୁ ଚଳାଇ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୧ରେ ୮୧.୩୫ କୋଟି ଲୋକଙ୍କୁ ଯେଭଳି ଭାବେ ଖାଦ୍ୟ ସାମଗ୍ରୀ ମିଳୁଛି ସେହିଭଳି ସବ୍‍ସିଡ଼ରେ ଖାଦ୍ୟସାମଗ୍ରୀ ମିଳିବ। ବର୍ଦ୍ଧିତ ଜନସଂଖ୍ୟା ଆଧାରରେ ଏହି ସଂଖ୍ୟା ୮୯.୫୨ କୋଟି ହୋଇଯିବ। ଅର୍ଥାତ୍‍ ୮.୧୭ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହେବେ। କିନ୍ତୁ ଯଦି ନୀତି ଆୟୋଗଙ୍କ ପରାମର୍ଶକୁ ଗ୍ରହଣ କରାଯାଏ ତେବେ ରାସନ ପାଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇ ୭୧.୬୨ କୋଟି ହୋଇଯିବ। ଅର୍ଥାତ୍‍ ୧୮ କୋଟି ଲୋକ ଖାଦ୍ୟ ନିରାପତ୍ତା ଆଇନ ବାହାରକୁ ଚାଲିଯିବେ। ଏହା ସ୍ପଷ୍ଟ ଯେ, ନୀତି ଆୟୋଗଙ୍କ ଏହି ସୁପାରିଶକୁ କାର୍ଯ୍ୟକାରୀ କରିବାର କ୍ଷମତା ଖାଦ୍ୟ ମନ୍ତ୍ରଣାଳୟର ନାହିଁ। ଖାଦ୍ୟ ସୁରକ୍ଷା ଆଇନର ପରିବର୍ତ୍ତନର ଅଧିକାର କେବଳ ସଂସଦରେ ସଂଶୋଧନ ଦ୍ୱାରା ସମ୍ଭବ। ଫୁଡ୍‍ କର୍ପୋରେସନ ଅଫ୍‍ ଇଣ୍ଡିଆର ମୂଲ୍ୟାଙ୍କନ ଏବଂ ପରିବର୍ତ୍ତନ ପାଇଁ ପ୍ରଥମେ ତିଆରି ହୋଇଥିବା ଏକ ଉଚ୍ଚସ୍ତରୀୟ କମିଟି ନିଜ ରିପୋର୍ଟରେ କହିଥିଲେ ଯେ, କମିଟି ବର୍ତ୍ତମାନ ୬୭ ପ୍ରତିଶତ କଭରେଜ ଉପରେ ମୂଲ୍ୟାଙ୍କନ କରିବା ପାଇଁ ପରାମର୍ଶ ଦେଇଛି। କମିଟି କହିଥିଲା ଯେ, ୬୭ ପ୍ରତିଶତ ଜନସଂଖ୍ୟାର କଭରେଜ ବହୁତ ଅଧିକ। ଏହାକୁ କମ୍‍ କରି ୪୦ ପ୍ରତିଶତକୁ ଆଣିବା ପାଇଁ ଏହି କମିଟି ପରାମର୍ଶ ଦେଇଥିଲା। ଏହି ସୀମାରେ ମଧ୍ୟ ଅର୍ଥାତ୍‍ ୪୦ ପ୍ରତିଶତ ସୀମାକୁ ନେଇ ଦାରିଦ୍ର‌୍ୟ ସୀମାରେଖା ତଳେ ସମସ୍ତ ପରିବାର ଏବଂ ଏହାର ଉପରେ କିଛି ପରିବାରକୁ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଦିଆଯାଇପାରିବ।

ଦିଲ୍ଲୀ ଆଇଆଇଟିରେ ଅର୍ଥଶାସ୍ତ୍ର ପଢାଉଥିବା ଋତିକା ଖେଡ଼ା ଏହି ପରାମର୍ଶ ସହ ସହମତ ନୁହନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସର ପରାମର୍ଶ ଠିକ୍‍ ନୁହେଁ। ଏହା ମଧ୍ୟ ଉଲ୍ଲେଖ କରିବା ଉଚିତ ହେବ ଯେ, ଆର୍ଥିକ ସର୍ବେକ୍ଷଣ ଶସ୍ତାରେ ରାସନର ଦାମ୍‍ ବୃଦ୍ଧି ପାଇଁ କୁହାଯାଇଥିଲା। ଏବେ ବଣ୍ଟାଯାଉଥିବା ରାସନରେ ମୋଟା ଚାଉଳ, ଗହମ ଏବଂ ଚାଉଳ କ୍ରମଶଃ ଏକ ଟଙ୍କା, ୨ ଟଙ୍କା ଏବଂ ୩ ଟଙ୍କା କେଜି ପିଛାରେ ଦିଆଯାଉଛି। ଏଫ୍‍ସିଆଇ ଗହମ କିଣିବାର ନିୟମକୁ ସଶକ୍ତ କରିଛି ଓ କମ୍‍ ଟଙ୍କାରେ ଗହମ କିଣିବା ପାଇଁ ଚାହୁଁଛି। ଗୋଟିଏ ପଟେ ଦେଶର ଖାଦ୍ୟ ଭଣ୍ଡାରରେ ଖାଦ୍ୟ ସାମଗ୍ରୀ ସଢୁଛି, ନଷ୍ଟ ହେଉଛି, ଅନ୍ୟପଟରେ ଅର୍ଦ୍ଧାହାରରେ ବା ନିଜର ଖାଦ୍ୟ ନିରାପତ୍ତା ମେଣ୍ଟାଇପାରୁନଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ନୀତି ଆୟୋଗ କେଉଁ ଆଧାରକୁ ନେଇ ଖାଦ୍ୟ ସବ୍‍ସିଡ଼ କମେଇବା ବା ରାସନ ପାଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି ତାହା ବୁଝି ହେଉନାହିଁ। ଏହା ଦ୍ୱାରା ଗରିବ ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ।

ଜବାହରଲାଲ୍‍ ନେହେରୁ ବିଶ୍ୱବିଦ୍ୟାଳୟ ଅର୍ଥନୀତି ପ୍ରଫେସର ହିମାଂଶୁ କହିଛନ୍ତି ଯେ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ଯେଉଁ ଲୋକମାନଙ୍କୁ ଶସ୍ତାରେ ଖାଦ୍ୟ ସାମଗ୍ରୀ ଦିଆଯାଉଛି ସେହି ଜନସଂଖ୍ୟାକୁ ହ୍ରାସ କରିବା ଅର୍ଥ ଗରିବଙ୍କ ଉପରେ ପ୍ରତିକୁଳ ପ୍ରଭାବ ପକାଇବ ନିଶ୍ଚିତ। ଏହାର ପରିଣାମ ଭୟାନକ ହେବ। ରାସନ କମ୍‍ କଲେ ଗରିବ ଲୋକ ଖାଦ୍ୟ ନିରାପତ୍ତା ଅଭାବରୁ ରୋଗଗ୍ରସ୍ତ ହେବେ, ଭୋକରେ ରହି ମୃତ୍ୟୁବରଣ ମଧ୍ୟ କରିବେ। ଉଚିତ ହେବ ନୀତି ଆୟୋଗଙ୍କ ଏହି ପରାମର୍ଶକୁ ଗ୍ରହଣ ନକରିବା ଏବଂ ଖାଦ୍ୟ ନିରାପତ୍ତା ଆଇନକୁ ସଠିକ୍‍ ଭାବେ କାର୍ଯ୍ୟକାରୀ କରିବା।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍: ୯୪୩୮୦୦୬୨୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।