/odisha-reporter/media/post_attachments/uploads/2022/02/7888.jpg)
Politics
- ରବି ଦାସ
ବିଜେପିର ଶକ୍ତି କେନ୍ଦ୍ର ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯେଉଁ ଧରଣର ଭାଷଣ ଦେଲେ ସେଥିରେ ରାଜ୍ୟ ଶାସନ ବିରୋଧରେ ଯେଉଁସବୁ ଅଭିଯୋଗଗୁଡ଼ିକ କ୍ରମାଗତ ଭାବରେ ବିଜେପି ଓ ବିରୋଧୀ ଦଳମାନଙ୍କ ପକ୍ଷରୁ କରାଯାଉଥିଲା ସେଗୁଡ଼ିକ ଏପରି ଢଙ୍ଗରେ ସେ ଉପସ୍ଥାପିତ କଲେ ସେଥିରେ ହୃଦବୋଧ ହେଲା ଯେ, ରାଜ୍ୟ ଶାସନ ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ମନସ୍ଥିର କରିଛି। ସେହି ଭାଷଣ ପ୍ରସଙ୍ଗରେ ରାଜ୍ୟରେ ଭ୍ରଷ୍ଟାଚାର ଶାସନ ଚାଲିଥିବା ନେଇ ସେ ଅଭିଯୋଗ କରିବା ସମୟରେ ମନରେଗା କାର୍ଯ୍ୟକ୍ରମରେ ରାଜ୍ୟକୁ ୧୫ ହଜାର କୋଟି ଟଙ୍କାରୁ ଅଧିକ ଯେଉଁ ଅର୍ଥ ଦିଆଯାଇଛି ସେଗୁଡ଼ିକ ମିଥ୍ୟା ବିଲ୍ ଜରିଆରେ ଚଳୁ କରିଦିଆଯାଇଥିବା ସେ ସିଧାସଳଖ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ କରାଯାଇଛି ଓ ଏଥିରେ କେଉଁ ଅଂଚଳରେ କେତେ ଅର୍ଥ ଯାଇଛି ଓ କେତେ ମିଥ୍ୟା ବିଲ୍ ଜରିଆରେ ଚଳୁ କରାଯାଇଛି ତାହାର ତଥ୍ୟ ଯଦି ଲୋକମାନଙ୍କ ଆଗରେ ପ୍ରତ୍ୟେକ ପଂଚାୟତରେ ଓ ଗ୍ରାମମାନଙ୍କରେ ଉପସ୍ଥାପିତ କରାଯିବ ତେବେ ଓଡ଼ିଶାରେ କିପରି ଭ୍ରଷ୍ଟାଚାର ଶାସନ ଚାଲିଛି ତାହା ଜନସାଧାରଣ ସହଜରେ ଜାଣିପାରିବେ। ବିଜେପିର ଏଥିପାଇଁ ରାଜ୍ୟବ୍ୟାପୀ ସଂଗଠନ ଅଛି। ତେଣୁ ପ୍ରତ୍ୟେକ ଅଂଚଳରୁ ବା ପ୍ରତ୍ୟେକ ମନରେଗା କାର୍ଯ୍ୟକ୍ରମର ତଥ୍ୟ ବିଭିନ୍ନ ଅଂଚଳରୁ ଦଳ ନିଷ୍ଠାପର ସହିତ ଉଦ୍ୟମ କଲେ ହାସଲ କରିପାରିବେ। ଯାହା ସେମାନେ ମୌଖିକ ଭାବେ କହୁଥିଲେ ମଧ୍ୟ ତଥ୍ୟଗତ ଭାବେ ବିଭିନ୍ନ ଅଂଚଳରେ ଉପସ୍ଥାପିତ କରିପାରୁନାହାନ୍ତି।
ଏ କ୍ଷେତ୍ରରେ କେତେକ ଅଂଚଳରେ ସୂଚନା ଅଧିକାର କର୍ମୀମାନେ କିଛି ତଥ୍ୟ ହାସଲ କରି ଲୋକାୟୁକ୍ତରେ ମାମଲା କରିଥିଲେ ମଧ୍ୟ ବିଜେପି ଏହି ସୂଚନା କର୍ମୀମାନଙ୍କୁ ଯେଉଁ ସହାୟତା କରିବା କଥା ତାହା କରୁନାହିଁ। ଯଦି ବିଜେପି ପ୍ରତ୍ୟେକ ଅଂଚଳରୁ ମନରେଗା ତଥ୍ୟ ହାସଲ କରି ସେଥିରେ ହୋଇଥିବା ଲୁଟ୍ ଓ ଭ୍ରଷ୍ଟାଚାର ପଦାକୁ ଆଣି ଲୋକାୟୁକ୍ତ ବା ଅଦାଲତର ଆଶ୍ରୟ ନିଅନ୍ତା ତେବେ ଭ୍ରଷ୍ଟାଚାର ଜନିତ ଅଭିଯୋଗଗୁଡ଼ିକୁ ଜନସାଧାରଣ ସହଜରେ ବିଶ୍ୱାସ କରନ୍ତେ ଓ ତା’ ବିରୋଧରେ ଜନମତ ସୃଷ୍ଟି ହୁଅନ୍ତା। ଏପରିକି ଏହା କେନ୍ଦ୍ର ସରକାରଙ୍କ ପାଣ୍ଠି ହୋଇଥିବାରୁ କେତେକ ମାମଲାର ତଦନ୍ତ ସିବିଆଇ ମଧ୍ୟ କରିବାରେ ଅସୁବିଧା ରୁହନ୍ତା ନାହିଁ। କେବଳ ମନରେଗା ନୁହେଁ, ରାଜ୍ୟର ଅନେକ ବିକାଶ କାର୍ଯ୍ୟକ୍ରମରେ ପିସି କାରବାର ବଢ଼ିବା ଯୋଗୁ ନିମ୍ନମାନର କାମ ହେଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଏହିସବୁ ଘଟଣାଗୁଡ଼ିକ ଯେପରି ଲୋକଲୋଚନକୁ ଆସିବା କଥା ତାହା କରିବା ଦିଗରେ ବିରୋଧୀ ପକ୍ଷ କାମ କରିପାରୁନାହାନ୍ତି। କେବଳ ସୂଚନା କର୍ମୀମାନେ ଏ ଦିଗରେ କିଛି କାର୍ଯ୍ୟ କରୁଥିବାରୁ ସେମାନଙ୍କ ଉପରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଛି ବା ମିଥ୍ୟା ମାମଲାରେ ସେମାନଙ୍କୁ ଜଡ଼ିତ କରିବାର ଉଦ୍ୟମ କରାଯାଉଛି। କିନ୍ତୁ ବିରୋଧୀ ପକ୍ଷମାନେ ଯଦି ଏହି ଘଟଣାଗୁଡ଼ିକ ଠିକ୍ ଭାବରେ ତଥ୍ୟ ସହ ପଦାକୁ ଆଣୁଥାନ୍ତେ ତେବେ ରାଜ୍ୟରେ ଭ୍ରଷ୍ଟାଚାରୀ ଶାସନ ସଂକ୍ରାନ୍ତରେ ପ୍ରକୃତ ଜନମତ ସୃଷ୍ଟିହୁଅନ୍ତା।
ଓଡ଼ିଶାରେ ଭ୍ରଷ୍ଟାଚାର ଶାସନରେ ଖଣି ଦୁର୍ନୀତି ଏକ ମୁଖ୍ୟ ପ୍ରସଙ୍ଗ। କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭ୍ରଷ୍ଟାଚାର ଶାସନ ସଂପର୍କରେ କହିବା ସମୟରେ ଖଣି ଦୁର୍ନୀତି ବିଷୟରେ କୌଣସି ଅଭିଯୋଗ କରିନଥିଲେ। ଏପରିକି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ସଂକ୍ରାନ୍ତରେ ଯେଉଁ ଅଭିଯୋଗ ଉଠାଇଥିଲେ ତାହାକୁ ଦଳ ପକ୍ଷରୁ ସମର୍ଥନ ମଧ୍ୟ କରାଗଲା ନାହିଁ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ବା ଅନ୍ୟ କେତେକ ମାମଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ଫଳରେ ସିବିଆଇ ଓ ଇଡି ତଦନ୍ତ କରି ଯେଉଁ ସଫଳତା ପାଇଛନ୍ତି ସେପରି କୌଣସି ଘଟଣା ଓଡ଼ିଶାରେ ହେଉନାହିଁ। ତେଣୁ ମୌଖିକ ଭାବରେ ଓଡ଼ିଶାରେ ଭ୍ରଷ୍ଟାଚାରୀ ଶାସନ ନେଇ ଯାହା କୁହାଯାଉଛି ତାହା ଉପରେ କିପରି ଜନମତ ସୃଷ୍ଟିହେବ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ବିଜୁ ପକ୍କାଘର କହିବା ଫଳରେ ଜନସାଧାରଣଙ୍କର କିଛି କ୍ଷତି ହେଉନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ବିଜୁ ପକ୍କା ଘର ହେଉ ପ୍ରତ୍ୟେକ ପରିବାର ଗୋଟିଏ ପକ୍କା ଘର ଚାହୁଁଛି। ଏ କ୍ଷେତ୍ରରେ ହେଉଥିବା ଭ୍ରଷ୍ଟାଚାର ନେଇ ବିଜେପି ପ୍ରଥମରୁ ଯେଉଁ ଅଭିଯୋଗ କରିଥିଲା ଓ ଯାହା ଉପରେ କେନ୍ଦ୍ର ସରକାର ତଦନ୍ତ କରିଥିଲେ ତାହା ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଭ୍ରଷ୍ଟାଚାରୀମାନଙ୍କୁ ଧରାଗଲା ନାହିଁ ଓ ଶାସନ ବ୍ୟବସ୍ଥା ଏହି ଭ୍ରଷ୍ଟାଚାର ସହିତ ଜଡ଼ିତ ବୋଲି ଜନସାଧାରଣ ଠିକ୍ ଭାବରେ ଜାଣିପାରିବେ ନାହିଁ। ଏପରିକି ଆବାସ ପାଇବା ପାଇଁ ଅନେକ ପରିବାର ଟଙ୍କା ଦେଇଥିବା ତଥ୍ୟ ଆସୁଥିଲେ ମଧ୍ୟ ଏହାକୁ ଆଧାର କରି କୌଣସି ମାମଲା କରାଯାଉନାହିଁ। କାରଣ ଯେଉଁମାନଙ୍କର ଟଙ୍କା ଦେଇ ମଧ୍ୟ ଘରଡିହ ହୋଇଯାଇଛି ସେ କୌଣସି ବିବାଦରେ ପଶିବାକୁ ଚାହୁଁନାହିଁ।
ଏପରି ସ୍ଥଳେ ଓଡ଼ିଶାରେ ଭ୍ରଷ୍ଟାଚାରୀମାନଙ୍କ ଶାସନ ଚାଲିଛି ବୋଲି ପ୍ରମାଣ କରିବା ପାଇଁ ମନରେଗା ଦୁର୍ନୀତି ଉପରେ ତଥ୍ୟଭିତ୍ତିକ ମାମଲା ଓ ଖଣି ଦୁର୍ନୀତି ନେଇ କେନ୍ଦ୍ରୀୟ ତଦନ୍ତର ଆବଶ୍ୟକତା ରହିଛି। ନବୀନ ପଟ୍ଟନାୟକଙ୍କ ଶାସନ ଦୀର୍ଘ ୨୩ ବର୍ଷ ଧରି କ୍ଷମତାରେ ରହିଥିବାରୁ ଓଡ଼ିଶାର ଶାସନ କଳ ଭ୍ରଷ୍ଟାଚାରରୁ ଫାଇଦା ଉଠାଇବା ପାଇଁ ଶାସନ ପ୍ରତି ଅଙ୍ଗୀକାରବଦ୍ଧ ହୋଇ ରହିଛନ୍ତି। ନିର୍ବାଚନରେ ସେହିମାନେ ଶାସକ ଦଳକୁ ବିଜୟ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ସ୍କିମ୍ ଯୋଗୁ ହେଉ ବା ରାଜ୍ୟ ସରକାରଙ୍କ ଯୋଜନା ଯୋଗୁ ହେଉ ରାଜ୍ୟରେ ଯାହାକିଛି ବିକାଶ ଘଟୁଛି ସେସବୁର ସମସ୍ତ ଲାଭ ରାଜ୍ୟ ସରକାରଙ୍କ ପାଖକୁ ଚାଲିଯାଉଛି। କିନ୍ତୁ ଓଡ଼ିଶାର ପ୍ରତ୍ୟେକଟି ବିକାଶ କାର୍ଯ୍ୟକ୍ରମ ପଛରେ ଭ୍ରଷ୍ଟାଚାର ରହିଥିବା ତଥ୍ୟଗୁଡ଼ିକୁ ଯଦି ପଦାକୁ ନ ଅଣାଯାଏ ତେବେ ଓଡ଼ିଶାରେ ଭ୍ରଷ୍ଟାଚାରୀ ଶାସନ ଚାଲିଛି ବୋଲି ଜନସାଧାରଣ ସହଜରେ ବିଶ୍ୱାସ କରିବେ ନାହିଁ।
ଏଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ଭ୍ରଷ୍ଟାଚାର ଶାସନ ନେଇ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ କାର୍ଯ୍ୟ କ୍ଷେତ୍ରରେ ଓ ସଂଗଠନ ଜରିଆରେ ଯଦି ତୃଣମୂଳସ୍ତରକୁ ନିଆ ନଯାଏ ତେବେ ଭ୍ରଷ୍ଟାଚାର ବିରୋଧୀ ଜନମତ ଠିକ୍ ଭାବରେ ସଂଗଠିତ ହେବ ନାହିଁ। ନଡ୍ଡା ତାଙ୍କର ବକ୍ତବ୍ୟ ଜରିଆରେ ବିଜେପି କର୍ମୀମାନଙ୍କୁ ଯେଉଁ ଉତ୍ସାହ ଯୋଗାଇଛନ୍ତି ସେହି ଅନୁସାରେ ରାଜ୍ୟ ବିଜେପି ପକ୍ଷରୁ କି କାର୍ଯ୍ୟକ୍ରମ ନିଆଯାଉଛି ତାହାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। କାରଣ ରାଜ୍ୟ ବିଜେପିରେ ସମନ୍ୱୟର ଅଭାବ ସହିତ ତୃଣମୂଳ ସ୍ତରରେ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ପରିଲକ୍ଷିତ ହୋଇନାହିଁ। ଏଥିପାଇଁ ଗୋଟିଏ ମାସ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରେ ମନରେଗା କାର୍ଯ୍ୟକ୍ରମରେ ହୋଇଥିବା ମିଥ୍ୟା ବିଲଗୁଡ଼ିକର ତଥ୍ୟ ପ୍ରକାଶ ପାଇଁ ଦଳର ତୃଣମୂଳସ୍ତରର କର୍ମକର୍ତ୍ତାମାନଙ୍କୁ ରାଜ୍ୟ ନେତୃତ୍ୱ ନିର୍ଦ୍ଦେଶ ଦେବା ଦରକାର। ଏହି ତଥ୍ୟଗୁଡ଼ିକ ପାଇଗଲା ପରେ ଯଦି ସବୁସ୍ତରରେ ଆନ୍ଦୋଳନ ହୁଏ ତେବେ ପରିସ୍ଥିତି ଭିନ୍ନ ରୂପ ନେବ। ମନରେଗା ଜରିଆରେ ଲୋକମାନଙ୍କୁ କର୍ମନିଯୁକ୍ତି ପାଇଁ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯାଇ ମିଥ୍ୟା ବିଲ୍ ଜରିଆରେ ସରକାରୀ ଦଳର ଠିକାଦାର ଓ ଅଫିସରମାନଙ୍କୁ କିପରି ଲାଭବାନ କରାଯାଉଛି ସେଗୁଡ଼ିକର ତଥ୍ୟ ଯେତିକି ପଦାକୁ ଆସିବ ସେତିକି ପରିମାଣରେ ରାଜ୍ୟରେ ଭ୍ରଷ୍ଟାଚାର ଶାସନ ଚାଲିଛି ବୋଲି ଜନସାଧାରଣ ବିଶ୍ୱାସ କରିବେ।
ବରିଷ୍ଠ ସାମ୍ବାଦିକ
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
