ଜାନକୀଶ ବଡ଼ପଣ୍ଡା
ସ୍ୱର୍ଗ ଦ୍ୱାରରେ ଶବଦାହ ପାଇଁ ଆଉ କାଠ ଦରକାର ହେବନାହିଁ। କାଠ ବଦଳରେ ଗୋବର ଘଷି ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର। ଏହା ପ୍ରକାଶ କରିଛନ୍ତି ସ୍ୱୟଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ତାଙ୍କ ବିଚାରରେ ଗୋବର ଘଷି ଜାଳି ଶବ ସତ୍କାର କରାଗଲେ ହିନ୍ଦୁ ଧାର୍ମିକ ପ୍ରଥା ଅନୁଯାୟୀ ମୋକ୍ଷ ପ୍ରାପ୍ତି ହେବ, କାଠ ତୁଳନାରେ ପରିବେଶ ଉପରେ ସ୍ୱଳ୍ପ କୁପ୍ରଭାବ ପକାଇବ। ଅବଶ୍ୟ ସେ ମଧ୍ୟ କହିଛନ୍ତି ଯେ ସ୍ୱର୍ଗଦ୍ୱାର ପରିଚାଳନା କମିଟି ସହ ଆଲୋଚନା କରାଯାଇ ନୀଳନକ୍ସା ପ୍ରସ୍ତୁତ କରାଯିବ। ଅର୍ଥାତ୍, ଏହା କେବଳ ତାଙ୍କର ନିଜସ୍ୱ ପରିକଳ୍ପନା, ସରକାରୀ ନିଷ୍ପତ୍ତି ନୁହେଁ।
ରାଜ୍ୟରେ ନୂଆ ସରକାର ଆସିବା ପରେ ଗୋମାତା ସୁରକ୍ଷା, ଗୋଶାଳା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କାମଧେନୁ ଯୋଜନା ନାମରେ କିଛି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହୋଇଛି କାମଧେନୁ ଯୋଜନା। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଯାଉଛି ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ-ମାତା ଯୋଜନା ଏବଂ ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ହୋଇଛି। ଏହି ସମସ୍ତ ଯୋଜନାକୁ ଏକତ୍ରିତ କରାଯାଇ ୨୦୨୪-୨୫ ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ସହିତ ‘ସମୃଦ୍ଧ କୃଷକ ଯୋଜନା’ର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର।
ନୂଆ ନୂଆ ମନ୍ତ୍ରୀ ହୋଇଥିବା ବାବୁ ଗୋକୁଳାନନ୍ଦ ବୋଧହୁଏ ବହୁମାତ୍ରାରେ ଉତ୍ସାହିତ ହୋଇଯାଇଛନ୍ତି ଏବଂ ଭାବି ନେଇଛନ୍ତି ଯେ, ଯୋଜନା ପ୍ରଣୀତ ହୋଇଯାଇ ଥିବାରୁ ସାରା ରାଜ୍ୟରେ ଗୋସମ୍ପଦ ବଢ଼ିଯିବା ନିଶ୍ଚିତ। ପରିବେଶ ରକ୍ଷା ପାଇଁ ସମସ୍ତେ ତ ଗଛ ସୁରକ୍ଷା କଥା କହୁଛନ୍ତି; ଏଣୁ ପଶୁ ସମ୍ପଦ ମନ୍ତ୍ରୀ ଭାବେ ସେ ବି କିଛି ସହଯୋଗ କରିବା ଆବଶ୍ୟକ। ସେ ଭାବି ନେଲେ ଯେ, ଯଦି କାଠ ଅଭାବକୁ ଦୂର କରିବା ପାଇଁ ଚାହୁଛନ୍ତି ତେବେ କାଠ ପରିବର୍ତ୍ତେ ଗୋବର ଘଷିରେ ଯୁଇ ପ୍ରସ୍ତୁତ କରି ଶବଦାହ କରାଯାଉ! ତାଙ୍କ ହାତରେ ବିଦ୍ୟୁତ୍ ବିଭାଗ ଥିଲେ ସେ ଅବଶ୍ୟ କହି ଥାଆନ୍ତେ ଯେ, ବିଦ୍ୟୁତ ଚୁଲାରେ ଶବଦାହ କରାଯାଉ ଏବଂ ପେଟ୍ରୋଲିୟମ ବିଭାଗ ଥିଲେ, ସେ ଗ୍ୟାସ୍ ଚୁଲାରେ ଶବଦାହ କରିବାକୁ କହିଥାଆନ୍ତେ! ଆମର ଦୁଃଖ ଯେ, ପ୍ରଥମ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ହୋଇଥିବା ବାବୁ ଗୋକୁଳାନନ୍ଦ କିନ୍ତୁ ଚାଷୀଟିଏ ହୋଇପାରିଲେନି। ପ୍ରଧାନମନ୍ତ୍ରୀ ମୋଦିଜୀ ଜୈବ କୃଷି ପ୍ରତି ଗୁରୁତ୍ୱ ଦେଉଥିଲା ବେଳେ ଗୋବର ଓ ଗୋମୂତ୍ରର କୃଷି କ୍ଷେତ୍ରରେ ବ୍ୟବହାରକୁ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱ ଦେବା ବଦଳରେ ଶବଦାହ ପାଇଁ ଜାଳେଣୀ ଭାବେ ବ୍ୟବହାର କରିବା ପରିକଳ୍ପନା କଲେ। ଆଜିକାଲି ଚାଷୀମାନେ ଟ୍ରାକ୍ଟର ବ୍ୟବହାର କରୁଛନ୍ତି ଓ ବଳଦ ରଖୁନାହାନ୍ତି। ଓଡ଼ିଶାରେ ପଶୁପାଳନ ହାର ମାତ୍ର ୫ ପ୍ରତିଶତ, ଯାହା ସର୍ବଭାରତୀୟ ହାରଠାରୁ ୨ ପ୍ରତିଶତ କମ୍। ଓଡ଼ିଶାରେ ଜୈବିକ ଖତର ଘୋର ଅଭାବ। ଏପରି ସ୍ଥିତିରେ ଗୋବରରୁ ଘଷି ପ୍ରସ୍ତୁତ କରି ସ୍ୱର୍ଗଦ୍ୱାରରେ ଶବଦାହ କରିବା ପରିକଳ୍ପନା ଅବାସ୍ତବ କହିଲେ ଭୁଲ ହେବନାହିଁ।
ଓଡ଼ିଶାରେ ଗୋହତ୍ୟା ନିରୋଧ ଆଇନ ୧୯୬୦ ମସିହା ଠାରୁ ପାରିତ ହୋଇସାରିଛି। ଏହି ଆଇନ ଅନୁଯାୟୀ ଗୋଧନ ହତ୍ୟା କରାଯାଇ ପାରିବ ନାହଁ। କେବଳ ଅଧିକୃତ ଅଧିକାରୀମାନେ ଗାଈ, ବଳଦ ଅବା ଷଣ୍ଢ ଅକର୍ମଣ୍ୟ ହୋଇଯାଇଥିବାର ପ୍ରମାଣପତ୍ର ଦେବା ପରେ ଚାଷୀମାନେ ସେମାନଙ୍କୁ କଂସେଇ ହାତକୁ ଟେକିଦେଇ ପାରିବେ। ଯେଉଁ ହଡ଼ା-ବେପାରୀମାନେ ଅକର୍ମଣ୍ୟ ଗୋରୁଗାଈ କିଣୁଛନ୍ତି, ସେମାନଙ୍କ ଉପରେ ବେଆଇନ ଗୋରୁ ଚାଲାଣକାରୀ ଅଭିଯୋଗରେ ଆକ୍ରମଣ ହେଉଥିବାର ଘଟଣା ନଜରକୁ ଆସୁଛି। ଗୋଶାଳାରେ ଅକର୍ମଣ୍ୟ ଗୋରୁଙ୍କୁ ପାଳନ କରିବାକୁ ଛାଡୁଥିବା ଚାଷୀଙ୍କୁ ଆବଶ୍ୟକ ଖର୍ଚ୍ଚ ଜମା ଦେବାକୁ ପଡୁଛି। ସବୁଆଡୁ ଅସୁବିଧା ଥିବାରୁ ଚାଷୀମାନେ ଗୋପାଳନ ପାଇଁ ଆଗଭଳି ଆଗଭର ହେଉନାହାନ୍ତି। ଯେଉଁମାନେ ଗାଈ ରଖୁଛନ୍ତି, ସେମାନେ, ଅଣ୍ଡିରା ବାଛୁରିକୁ ଷଣ୍ଢ କରି ଛାଡ଼ି ଦେଉଛନ୍ତି। ଏହି ଷଣ୍ଢମାନେ ଫସଲ ଉଜାଡ଼ି ଦେଉଛନ୍ତି। କେତେକ ଗୋପାଳକ ଗାଈକୁ ପଦାରେ ବୁଲି ଚରିବାକୁ ଛାଡ଼ି ଦେଉଛନ୍ତି। ଏମାନେ ରାସ୍ତା ଦୁର୍ଘଟଣାର କାରଣ ହେଉଛନ୍ତି ଏବଂ ବାଡ଼ ଭାଙ୍ଗି ଫସଲ ନଷ୍ଟ କରୁଛନ୍ତି। ରାଜରାସ୍ତାରେ ଗୋବର ଓ ମୂତ୍ର ତ୍ୟାଗ କରି ପରିବେଶ ନଷ୍ଟ କରୁଛନ୍ତି। ମହାନଗର ଠାରୁ ଗ୍ରାମାଞ୍ଚଳ ଯାଏଁ ଏହା ଏବେ ସାଧାରଣ ଦୃଶ୍ୟ। ଏଥିରେ, ଗୋବର କାଇଁ ଯେ, ଘଷି ମିଳିବ; ବାଉଁଶ କାହିଁ ଯେ, ବଇଁଶୀ ବାଜିବ? ମନ୍ତ୍ରୀ ମହୋଦୟ ଏଥିପାଇଁ କି ସମାଧାନ ବ୍ୟବସ୍ଥା କରିଛନ୍ତି? ସେ ହୁଏତ ଉତ୍ତର ପ୍ରଦେଶରୁ ଆଳୁ ଆଣିବା ଭଳି, ଘଷି ଆମଦାନୀ ଯୋଜନା କରିଥାଇ ପାରିଥାଆନ୍ତି; ଯାହା ଅବଶ୍ୟ ଆମେ ଜାଣିନାହୁଁ।
ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ କରିଛି, ଯାହାକୁ କୁହାଯାଉଛି ଲୋକଙ୍କ ସରକାର। କେନ୍ଦ୍ରରେ ମଧ୍ୟ ଏହି ଦଳର ଶାସନ ଚାଲିଥିବାରୁ ଏହାକୁ ମଧ୍ୟ ଡବଲ୍ ଇଞ୍ଜିନ ସରକାର କୁହା ଯାଉଛି। କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ହେଲେ, ପ୍ରତ୍ୟେକ ଚାଷୀ ଫସଲ ଉତ୍ପାଦନ ସହିତ ଆନୁସଙ୍ଗିକ କୃଷି ଯଥା ଗୋପାଳନ, ପଶୁପାଳନ, ମତ୍ସ୍ୟଚାଷ ଇତ୍ୟାଦି କରିବାକୁ ପଡ଼ିବ ବୋଲି କେନ୍ଦ୍ର ସରକାର କହି ଆସୁଛନ୍ତି। ଗୋପାଳନ ପାଇଁ ରାଷ୍ଟ୍ରୀୟ ଗୋକୁଳ ମିଶନ୍ ଆରମ୍ଭ କରିଛନ୍ତି। ଜୈବ କୃଷିକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏଣୁ ଓଡ଼ିଶା ସରକାର ମଧ୍ୟ ନିଜର ଆଗାମୀ ପାଞ୍ଚ ବର୍ଷର ଶାସନ କାଳ ମଧ୍ୟରେ ଗୋ ସୁରକ୍ଷା ସହିତ କୃଷିର ଦୀର୍ଘମିଆଦୀ ବିକାଶ ପାଇଁ ପଦକ୍ଷେପ ନନେଲେ ଓଡ଼ିଶାରେ କୃଷି ତଥା ଆନୁଷଙ୍ଗିକ କୃଷି ରେଳଗାଡ଼ି ଲାଇନଚ୍ୟୁତ ହେବାର ଆଶଙ୍କା ହେଉଛି। ଓଡ଼ିଶାର ୭୦ ପ୍ରତିଶତ କୃଷକଙ୍କ ବିକାଶ କରିବା ଏବଂ ବେକାରି ଓ ଦାରିଦ୍ର୍ୟ ଦୂର କରିବା ପାଇଁ ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କ ଦୁଇ ଇଞ୍ଜିନ ଗୋଟିଏ ଦିଗରେ ଚାଲିବା ଦରକାର।
କେତେଗୋଟି ହାତଗଣତି ଗୋଶାଳା ସାରା ରାଜ୍ୟର କୃଷି-ଗୋସମ୍ପଦର ସମନ୍ୱିତ ବିକାଶ ଆଣିବା ସମ୍ଭବ ନୁହେଁ। ସୁତରାଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଅନ୍ତତଃ ରାଜ୍ୟର ୩୧୪ଟି ବ୍ଲକରେ ଗୋଟିଏ ଲେଖାଏଁ ଗୋଶାଳା ସ୍ଥାପନ କରିବାର ଲକ୍ଷ୍ୟ ରଖି ଏବେଠାରୁ କାମ କରିବାକୁ ହେବ। ସାରା ରାଜ୍ୟର ଗୋଶାଳା ପାଇଁ ଏକ ରାଜ୍ୟସ୍ତରୀୟ ଟ୍ରଷ୍ଟ ଗଠନ କରାଯିବା ଦରକାର। ଏହି ଟ୍ରଷ୍ଟ ପର୍ଯ୍ୟାୟକ୍ରମେ ବ୍ଲକ୍ସ୍ତରୀୟ ଗୋଶାଳା ସ୍ଥାପନ କରିବାର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ହେବ। ଖର୍ଚ୍ଚ ଅଟକଳ କରାଯାଇ ସ୍ୱଚ୍ଛତା ରକ୍ଷାକରି ସ୍ପଷ୍ଟ ସୂଚନା ପ୍ରଦାନ କରାଗଲେ ଗୋଶାଳା ପରିଚାଳନା ପାଇଁ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ, ସିଏସଆର୍ ପାଣ୍ଠି ଏବଂ ସରକାରୀ ଅନୁଦାନ ମିଳିଯିବ।
ଗୋଶାଳା ମଧ୍ୟ ବ୍ୟବସାୟିକ ଭିତ୍ତିରେ ଗାଈ ରଖି ଦୁଗ୍ଧ ଉତ୍ପାଦନ କରିବା, ଦୁଗ୍ଧ ବିକିବା, ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିବା ସହିତ ଉନ୍ନତ ଛଡା ବିକ୍ରି କରିପାରିବେ। ଉନ୍ନତ ଗୁଣମାନ ଥିବା ଦେଶୀ ଷଣ୍ଢ ପାଳନ କରି ଗୋପାଳକମାନଙ୍କୁ ଶୁକ୍ରାଣୁ ଯୋଗାଇ ରୋଜଗାର କରି ପାରିବେ। ସେମାନେ ଚାହିଁଲେ, ଛେଳି, ମେଣ୍ଢା ଇତ୍ୟାଦି ବ୍ୟବସାୟିକ ଭିତ୍ତିରେ ପାଳନ କରି ପାରିବେ। କୃଷିକ୍ଷେତ୍ର ପାଇଁ ଖତ, କମ୍ପୋଷ୍ଟ ଏବଂ ଜୀବାମୃତ ପ୍ରସ୍ତୁତ କରି ବିକ୍ରି କରି ପାରିବେ। ଷ୍ଟାର୍ଟ ଅପ୍ ଉଦ୍ୟୋଗ ଭାବେ ଯୁବ ଉଦ୍ୟୋଗୀମାନଙ୍କୁ ଗୋଶାଳା ପ୍ରତିଷ୍ଠା କରିବା ପାଇଁ ପ୍ରୋତ୍ସାହନ ମିଳିଲେ, ଗୋପାଳନ ଏକ ଆନ୍ଦୋଳନରେ ପରିଣତ ହୋଇପାରିବ।
ଭୁବନେଶ୍ୱର ମହାନଗରରୁ ସଂଗୃହିତ ସହରାଞ୍ଚଳ-ଜୈବବର୍ଜ୍ୟରୁ ‘ମୋ ଖତ’ ବିକ୍ରି ହେଲା ଭଳି ଗୋବରରୁ ଖତ ପ୍ରସ୍ତୁତ କରି ଚାଷୀଙ୍କୁ ସୁଲଭ ମୂଲ୍ୟରେ ବସ୍ତାରେ ବିକ୍ରି କରାଯାଇ ପାରିବ। ଗୋବରରୁ ନିର୍ଗତ ସବୁଜ ବାଷ୍ପ ବାୟୁ ମଣ୍ଡଳକୁ ପ୍ରଦୂଷିତ ନ କରିବା ପାଇଁ ଗୋବର ଗ୍ୟାସପ୍ଲାଣ୍ଟ ଚମତ୍କାର ବ୍ୟବସ୍ଥା। ଏହାର ଗୋଟିଏ ପଟେ ଗୋବରକୁ ପୂରାଇଦେଲେ ଆରପଟେ ଖତ ଓ ଉପରପଟେ ଗ୍ୟାସ୍ ବାହାରି ଆସେ। ଗୋବର ଗ୍ୟାସକୁ ଚାଷୀ ପରିବାର ଓ ଗୋଶାଳାମାନେ ଜାଳେଣୀ ଭାବେ ବ୍ୟବହାର କରି ପାରିବେ। ଏଥିରୁ ଉତ୍ପାଦିତ ଖତ ଦୁର୍ଗନ୍ଧମୁକ୍ତ। ଗୋବର ଖତରେ ରହିଥିବା ମଞ୍ଜିରୁ ଘାସ ଓ ବାଳୁଙ୍ଗା ଗଛ ଉଠୁଥିବା ବେଳେ ଗୋବର ଗ୍ୟାସ ପ୍ଲାଣ୍ଟରୁ ବାହାରୁଥିବା ସ୍ଳରୀରୁ ପ୍ରସ୍ତୁତ ହୋଇଥାଏ ଉତ୍କୃଷ୍ଟ ଗୋମୟ-ଖତ। ଗାଈ, ଗୋରୁ ମରିଗଲେ, ସେମାନଙ୍କ ଚମଡ଼ାରୁ ବିଭିନ୍ନ ପ୍ରକାର ଚମଡ଼ା ଜାତ ଦ୍ରବ୍ୟ ପ୍ରସ୍ତୁତି ମଧ୍ୟ ଏକ କୃଷିଭିତ୍ତିକ ଶିଳ୍ପ। ଏଥିପାଇଁ ରାଜ୍ୟ ସରକାର ଗୋଟିଏ ଦୁଇଟି ଅତ୍ୟାଧୁନିକ ଟ୍ୟାନେରୀ ପ୍ରତିଷ୍ଠା କରିବା ପାଇଁ ସୁଯୋଗ ସୃଷ୍ଟି କରନ୍ତୁ। ଗୋରୁଙ୍କ ହାଡ଼ରୁ ହାଡ଼ଗୁଣ୍ଡ ପ୍ରସ୍ତୁତ କରି ଜୈବସାର ରୂପେ ବ୍ୟବହାର କରାଯାଏ, ଯାହାକୁ ବୋନ୍ ମିଲ୍ କୁହାଯାଏ। ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗର ଦାୟିତ୍ୱରେ ଥିବାରୁ ସେ ଗୋବରରୁ ଘଷି ତିଆରି କିମ୍ବା ଆମଦାନୀ ନକରି ଓଡ଼ିଶାର ପଶୁ ସମ୍ପଦର ବିକାଶ କରିବା ସହିତ ଯେପରି କୃଷି ଆଧାରିତ ଶିଳ୍ପ ବିକାଶ ହୋଇ ପାରିବ ସେ ଦିଗରେ ପ୍ରଚେଷ୍ଟା କରନ୍ତୁ, ଅନାବଶ୍ୟକ ‘ମୋକ୍ଷ ପ୍ରାପ୍ତି’ ବକ୍ତବ୍ୟ ନରଖିଲେ ଭଲ।
ପ୍ରତ୍ୟେକ ଗୋଶାଳାର ନିଜସ୍ୱ ଆୟ ରହିଲେ, ସେମାନେ ସହଜରେ ଆତ୍ମନିର୍ଭର ହୋଇପାରିବେ। ଗୋଶାଳା ଗୁଡ଼ିକ ଗୋ-ଜାତିକୁ ସୁରକ୍ଷା ଦେବା ସହିତ କୃଷି କ୍ଷେତ୍ରକୁ ଜୈବ ସାର ଯୋଗାଇ ପାରିବେ, ବୁଲା ଗୋରୁ ଦାଉରୁ ଫସଲକୁ ରକ୍ଷା କରିପାରିବେ, ଅକର୍ମଣ୍ୟ ଗୋରୁଙ୍କ ଦାୟିତ୍ୱ ନେଇ ଚାଷୀଙ୍କୁ ଚାପମୁକ୍ତ ମଧ୍ୟ କରିପାରିବେ। ଆମର ଗୋସମ୍ପଦର ବିକାଶ ହେବ, କୃଷି ଉତ୍ପାଦନ ବଢ଼ିବ। ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ। ଏହା ଛଡ଼ା, ସୌର ଶକ୍ତିରୁ ଆମେ ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାକୁ ଆଗେଇ ଚାଲିଛେ। ତେଣୁ ଗୋବର ଘଷିରେ ଶବଦାହ କରି କୃଷି ପାଇଁ ଗୋବର ଖତର ସଂକଟ ସୃଷ୍ଟି କରିବା ଅପେକ୍ଷା ବିଦ୍ୟୁତ ଚୁଲାରେ ଶବଦାହର ବ୍ୟବସ୍ଥା କରିବାରେ ମନୋନିବେଶ କରନ୍ତୁ। ଗୋଶାଳା ସମ୍ପ୍ରସାରଣ ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ବହୁମାତ୍ରାରେ ଗ୍ରାମୀଣ କୃଷି ସମସ୍ୟାର ସମାଧାନ ହୋଇ ପାରିବ। ଲୋକମାନେ ଅନୁଭବ କରିପାରିବେ ଯେ, ଦୀର୍ଘ ୨୪ ବର୍ଷ ପରେ ପରିବର୍ତ୍ତନ ଆସିପାରିଛି।
ଫୋ - ୯୪୩୮୨୯୯୦୩୭