ଆର୍ଥିକ ଅବ୍ୟବସ୍ଥା ନେଇ ବିତର୍କ ହେଉନାହିଁ

ଓଡ଼ିଶାର ଆର୍ଥିକ ଅବ୍ୟବସ୍ଥା ନେଇ ଲୋକମାନଙ୍କ ଭିତରେ ବିତର୍କର ଅଭାବ ଥିବାରୁ ଧାମନଗର ପରି ଏକ ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ କେଉଁ ଦଳ କେତେ ଟଙ୍କା ବାଂଟିଲା ତାହାରି ଉପରେ ଆଲୋଚନା ଚାଲିଛି

  • ରବି ଦାସ

ବ୍ରିଟେନରେ ଆର୍ଥିକ ସଂକଟ ଯୋଗୁଁ ସରକାରଙ୍କ ପତନ ଘଟି ଋଷି ସୁନକ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ଭାରତରେ ଯେଉଁ ଉତ୍ସାହ ଦେଖାଦେଇଛି ସେଥିରେ ଅସଲ ସଂକଟକୁ ଓ ସୁନକଙ୍କ ଆର୍ଥିକ ବିଚାରକୁ ଆଲୋଚନାରେ ମୁଖ୍ୟ ବିଷୟ କରାଯାଉନାହିଁ। ସୁନକ ଜଣେ ହିନ୍ଦୁ ଓ ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ ଭାରତ ସହିତ ପାକିସ୍ତାନରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି। ଏକ ଗୋରା ଓ ଖ୍ରୀଷ୍ଟିଆନ ଦେଶରେ ଜଣେ କଳା ହିନ୍ଦୁ ହିଁ ଦେଶରେ ପ୍ରଧାନମନ୍ତ୍ରୀ ହେବା ଯୋଗୁ ଭାରତୀୟମାନେ ଓ ବିଶେଷ ଭାବରେ ହିନ୍ଦୁମାନେ ଯେପରି ଉତ୍ସାହିତ ହୋଇଛନ୍ତି ଠିକ୍ ସେହିପରି ସୁନକଙ୍କର ବୁଢ଼ାବାପା ଓ ବୁଢ଼ୀମା’ ଯେଉଁ ଗାଁର ଅଧିବାସୀ ଥିଲେ ସେହି ଗ୍ରାମଟି ଭାରତ ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବାରୁ ପାକିସ୍ତାନୀମାନେ ମଧ୍ୟ ଖୁସି ଅଛନ୍ତି। ସେମାନେ ଭାରତ ବିଭାଜନ ପୂର୍ବରୁ ଆଫ୍ରିକାର କେନିଆକୁ ଚାଲିଯାଇଥିଲେ ଓ ସେଠାରୁ ଲଣ୍ଡନ ଆସି ସ୍ଥାୟୀ ବାସିନ୍ଦା ହୋଇଛନ୍ତି। ସୁନକଙ୍କ ଜନ୍ମ ଇଂଲଣ୍ଡରେ।

କିନ୍ତୁ ଅସଲକଥା ହେଉଛି ଯେ, ରୁଷି ସୁନକଙ୍କ ପରିବାର ବ୍ରିଟେନର ମୁଷ୍ଟିମେୟ ଅତି ଧନୀ ଶ୍ରେଣୀ ଭିତରେ ଅଛନ୍ତି। ତାଙ୍କର ବିଚାରାଧାରା ଏହି ଧନୀକ ଶ୍ରେଣୀ ପାଇଁ ଅଧିକ ଉଦ୍ଦିଷ୍ଟ। ତେଣୁ ବ୍ରିଟେନର ସଂକଟ ସୁଧାରିବା ପାଇଁ ସେ କି ପଦକ୍ଷେପ ନେବେ ସେଥିପ୍ରତି ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ସେ ଗରିବ ଶ୍ରେଣୀର ବା ସେମାନଙ୍କ ବିଚାରାଧାରାର ଚିନ୍ତା କରିପାରିବେ ବୋଲି କେହି ବିଶ୍ୱାସ କରୁନାହାନ୍ତି। ଭାରତରେ ଅନ୍ୟତମ ବୃହତ୍ ଆଇଟି କମ୍ପାନୀ ଇନ୍‌ଫୋସିସର ପ୍ରତିଷ୍ଠାତା ଏନ୍. ଆର. ନାରାୟଣ ମୂର୍ତ୍ତଙ୍କ ଜ୍ୱାଇଁ ହୋଇଥିବାରୁ ସେଥିରେ ମଧ୍ୟ ଅନେକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ବ୍ରିଟେନର ପ୍ରକୃତ ଆର୍ଥିକ ସଂକଟ ନେଇ ଭାରତରେ ବିଶେଷ ଆଲୋଚନା ହେଉନାହିଁ।

ତେବେ ଭାରତରେ ଯେଉଁ ଆର୍ଥିକ ସଂକଟ ଓ ବିଶେଷ ଭାବରେ ବେକାରୀ ସମସ୍ୟା ଦେଖାଦେଇଛି ତାହାର କିପରି ସମାଧାନ ହେବ ସେଥିପାଇଁ ବିତର୍କ ଚାଲିଥିବା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ମଞ୍ଜୁରୀପ୍ରାପ୍ତ ୧୦ ଲକ୍ଷ ଚାକିରି ପୂରଣ ଦିଗରେ ଗତ ସପ୍ତାହରେ ଏକ ରୋଜଗାର ମେଳା ପ୍ରଧାନମନ୍ତ୍ରୀ କରିଥିଲେ। ଏହି ରୋଜଗାର ମେଳାରେ ୭୫ ହଜାର ଲୋକଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଅଫର ଦିଆଯାଇଥିବା କୁହାଯାଇଛି। ସେହି କ୍ରମରେ ଓଡ଼ିଶାରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସେହିଦିନ ୨୩୯ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ଘୋଷଣା କରିଥିଲେ। ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି କେନ୍ଦ୍ରର ବିଭିନ୍ନ ବିଭାଗରେ ୭୫ ହଜାର ଲୋକଙ୍କୁ ନିଯୁକ୍ତି ଦିଆଗଲା ସେଥିରେ ଓଡ଼ିଶାର ଭାଗ କ’ଣ ୨୩୯ ପଡ଼ିଲା?

ଦେଶର ବେକାରୀ ସମସ୍ୟା ନେଇ ହେଉଥିବା ସମାଲୋଚନା ସହିତ ରେଳବାଇ ବିଭାଗରେ ନିଯୁକ୍ତି ପରୀକ୍ଷାକୁ ନେଇ ଗଣ୍ଡଗୋଳ ଓ ହିଂସାକାଣ୍ଡ ସହିତ ଅଗ୍ନିପଥରେ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାରର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୧୦ ଲକ୍ଷ ନିଯୁକ୍ତି ଦେଢ଼ ବର୍ଷ ଭିତରେ ଅର୍ଥାତ୍ ୨୦୨୩ ଡିସେମ୍ବର ସୁଦ୍ଧା ପୂରଣ କରିଦିଆଯିବ। ସେହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଏହି ୭୫ ହଜାର ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି। କିନ୍ତୁ ଏହି ୭୫ ହଜାର ଲୋକ କିଏ ଓ କେଉଁ ରାଜ୍ୟରେ କେତେ ନିଯୁକ୍ତି ପାଇଛନ୍ତି ତାହାର କୌଣସି ତଥ୍ୟ କାହାରି ପାଖରେ ନାହିଁ। ଏହା ସତ୍ୟ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଯେଉଁ ନିଯୁକ୍ତି ଦିଆଯାଏ ସେଥିପାଇଁ ବିଧିବଦ୍ଧ ଭାବରେ ଆଇନସିଦ୍ଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରୀକ୍ଷା କରାଯାଇଥାଏ। ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଲୋକମାନେ ସାକ୍ଷାତକାର ପରେ ନିଯୁକ୍ତି ପାଇଥାନ୍ତି। ବିଭିନ୍ନ ବିଭାଗରେ ପରୀକ୍ଷା ବିଭିନ୍ନ ସମୟରେ ଅନୁଷ୍ଠିତ ହୁଏ ଓ ସେଥିପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଏ। ତେଣୁ ୭୫ ହଜାର ଲୋକ ଯେଉଁ ନିଯୁକ୍ତି ପାଇଛନ୍ତି ସେମାନେ କେଉଁ ବିଭାଗରୁ କେତେ ଓ ସେସବୁର କେବେ ପରୀକ୍ଷା କରାଯାଇଥିଲା ତାହାର ହିସାବ ବା ତଥ୍ୟ ସାଧାରଣରେ ଜାଣିବା ସହଜ ହେଉନାହିଁ। କିନ୍ତୁ ଯେଉଁ କାର୍ଯ୍ୟକ୍ରମକୁ ଏକ ଜାତୀୟ ମେଳାରେ ପରିଣତ କରାଯାଇଛି ସେଥିରେ ତଥ୍ୟ ଜାଣିବାର ଆବଶ୍ୟକତା ରହିଛି। ଏହି ୭୫ ହଜାର ଲୋକଙ୍କ ପାଇଁ ଏକ ଜାତୀୟ ପୋର୍ଟାଲ ମଧ୍ୟ ପ୍ରସ୍ତୁତ ହୋଇନାହିଁ। ସେହି ଦୃଷ୍ଟିରୁ ଓଡ଼ିଶାରେ କେତେ ଲୋକ ନିଯୁକ୍ତି ପାଇଲେ ତାହା ଜଣାପଡ଼ିବ କିପରି? ଓଡ଼ିଶାରେ ୨୩୯ ଲୋକଙ୍କ ନିଯୁକ୍ତି ବିଷୟରେ କେନ୍ଦ୍ରମନ୍ତ୍ରୀ ଯାହା କହିଲେ ସେଥିରେ କ’ଣ ଓଡ଼ିଶାର ସମସ୍ତଙ୍କ ନିଯୁକ୍ତି ଅଛି? ଯେଉଁଥିରେ ସାରା ଦେଶରେ ୭୫ ହଜାର ଲୋକ ନିଯୁକ୍ତି ପାଉଛନ୍ତି ତାହା ଯେଉଁ ପରୀକ୍ଷା ଭିତିରେ ଯେଉଁଠାରେ ହେଉନା କାହିଁକି ଓଡ଼ିଶାରୁ ନିଶ୍ଚିତ ଭାବେ କେତେ ହଜାର ନିଯୁକ୍ତି ପାଇବା କଥା। କିନ୍ତୁ ଏ ବିଷୟରେ କିଛି କୁହାଯାଉନାହିଁ କିମ୍ବା ରାଜ୍ୟରେ କୌଣସି ବିତର୍କ ହେଉନାହିଁ।

ଓଡ଼ିଶାର ଆର୍ଥିକ ଅବ୍ୟବସ୍ଥା ନେଇ ଲୋକମାନଙ୍କ ଭିତରେ ବିତର୍କର ଅଭାବ ଥିବାରୁ ଧାମନଗର ପରି ଏକ ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ କେଉଁ ଦଳ କେତେ ଟଙ୍କା ବାଂଟିଲା ତାହାରି ଉପରେ ଆଲୋଚନା ଚାଲିଛି। ସମ୍ଭବତଃ ଏଠାରେ ରାଜନୈତିକ ଦଳମାନେ ଓ ରାଜ୍ୟ ସରକାର ଧରି ନେଇଛନ୍ତି ଯେ ଆର୍ଥିକ ଅବ୍ୟବସ୍ଥା ନେଇ ଯେତେ ବିଫଳତା ଥିଲେ ମଧ୍ୟ ଟଙ୍କା ଦେଇ ଭୋଟ କିଣିହେବ। ନିକଟରେ ଜାତିସଂଘ ପକ୍ଷରୁ ମଲ୍ଟି ଡାଇମନସେନାଲ୍ ଦାରିଦ୍ର୍ୟ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ଭାରତର ୯ଟି ଅତି ଦରିଦ୍ର ରାଜ୍ୟ ଭିତରେ ଓଡ଼ିଶା ସାମିଲ ଅଛି। ବିପୁଳ ପ୍ରାକୃତିକ ସମ୍ପଦ ଓ ଦୀର୍ଘ ୨୨ ବର୍ଷର ସ୍ଥିର ସରକାର ସତ୍ତ୍ୱେ ଓଡ଼ିଶା କାହିଁକି ଦେଶର ଅତି ଦରିଦ୍ର ୯ଟି ରାଜ୍ୟ ଭିତରେ ରହିଲା ତାହାର ଜବାବ ରାଜ୍ୟ ସରକାର ପ୍ରଦାନ କରୁନାହାନ୍ତି। ଅଥଚ ଏବେ ଉପନିର୍ବାଚନରେ କେଉଁ ଦଳ କେତେ ଅର୍ଥ ଦେଇ ଭୋଟ୍ କିଣିବ ତାହା ଉପରେ ପ୍ରତିଯୋଗିତା ଚାଲିଛି। ରାଜ୍ୟରେ ଥିବା ସ୍ଥିର ସରକାର ଗୋଟିଏ କଥା ବୁଝିଛନ୍ତି ଯେ ଲୋକମାନଙ୍କର ଦାରିଦ୍ର୍ୟ ଓ ଆର୍ଥିକ ଅବ୍ୟବସ୍ଥା ସତ୍ତ୍ୱେ ଟଙ୍କା ଜରିଆରେ ଭୋଟ କିଣିହେବ।

ଓଡ଼ିଶାରେ ବେକାରୀ, ଚାଷୀମାନଙ୍କର ଆୟ ସର୍ବନିମ୍ନ ରହିବା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା ରାଜ୍ୟ ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ନହୋଇ କେତେ ଟଙ୍କାରେ ଭୋଟ କିଣିହେବ ସେଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଆର୍ଥିକ ଅବ୍ୟବସ୍ଥା, ଦୁର୍ନୀତି, ବେକାରୀ ଓ ଚାଷୀ ସମସ୍ୟା ପ୍ରଭୃତି ପ୍ରମୁଖ ବିଷୟ ଭାବରେ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ ବୋଲି ଧରି ନିଆଯାଇଛି। କେନ୍ଦ୍ର ସରକାର ପରି ରାଜ୍ୟରେ କେଉଁ ବିଭାଗରେ କେତେ ମଞ୍ଜୁରୀପ୍ରାପ୍ତ କର୍ମଚାରୀ ପଦବୀ ଖାଲି ଅଛି ଓ ସେଗୁଡ଼ିକ କେବେ ପୂରଣ କରାଯିବ ସେ ସଂପର୍କରେ ରାଜ୍ୟରେ କୌଣସି ସୂଚନା ଦିଆଯାଉନାହିଁ। ଯଦିଓ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ବା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ବା ଅନ୍ୟ କୌଣସି ଦ୍ୱାରା ପ୍ରତିବର୍ଷ ଯେଉଁ କେତେଜଣ ବିଭିନ୍ନ ବିଭାଗରେ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ଗତ କେତେବର୍ଷ ହେଲା ଖୋଦ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ଦେଉଛନ୍ତି। ଏହି ବ୍ୟବସ୍ଥା ସମ୍ବିଧାନର ୩୧୧ ଧାରାରେ ସରକାରୀ କର୍ମଚାରୀମାନଙ୍କୁ ଦିଆଯାଇଥିବା ସୁରକ୍ଷା ନେଇ ପ୍ରଶ୍ନ ଉତ୍ଥାପନ କରୁଛି। ଯଦି କୌଣସି କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି ପାଉଛନ୍ତି ବୋଲି ଧରିନିଅନ୍ତି ତେବେ ୩୧୧ ଧାରା ବ୍ୟବସ୍ଥା ସତ୍ତ୍ୱେ ସେ କିପରି ନିରପେକ୍ଷତା ରକ୍ଷା କରିବ? ସରକାରୀ କର୍ମଚାରୀମାନଙ୍କୁ ଦଳୀୟ କାର୍ଯ୍ୟରେ ବ୍ୟବହାର କରିବାର ଯେଉଁ ଅଭିଯୋଗ ଏବେ ବଢ଼ି ବଢ଼ି ଚାଲିଛି ତାହାକୁ ଏହି ପ୍ରକ୍ରିୟା ଉତ୍ସାହିତ କରୁନାହିଁ କି?

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।