ଭାଲଚନ୍ଦ୍ର ଷଡ଼ଙ୍ଗୀ
ଷ୍ଟକ୍ହୋମ୍ ସ୍ଥିତ ନୋବେଲ କମିଟି ଦ୍ୱାରା ଚଳିତ ବର୍ଷ ଦୁଇଟି କ୍ଷେତ୍ରରେ ଦିଆଯାଇଥିବା ସମ୍ମାନଜନକ ନୋବେଲ ପୁରସ୍କାର ଏକ ବିଶେଷ କାରଣରୁ ବେଶ୍ ଚର୍ଚ୍ଚିତ ହୋଇଛି। ଶ୍ରମଶକ୍ତିରେ ମହିଳାମାନଙ୍କ ଅବଦାନ ଓ ଶ୍ରମ ବଜାରରେ ଲିଙ୍ଗଗତ ବୈଷମ୍ୟକୁ ସ୍ପଷ୍ଟ ଭାବେ ରେଖାଙ୍କିତ କରିବା ଯୋଗୁଁ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ହାୱାର୍ଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର କ୍ଲାଉଡିଆ ଗୋଲଡ଼ିନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଥିବା ବେଳେ ମହିଳାମାନଙ୍କ ଅଧିକାର ଓ ସ୍ୱାଧୀନତା ପାଇଁ ଦେଶର ଏକଛତ୍ରବାଦୀ ଶାସକଙ୍କ ଆଖି ସହ ଆଖି ମିଳାଇ ସଂଗ୍ରାମ କରି ଆସିଥିବା ଇରାନର ମହିଳା ନେତ୍ରୀ ନର୍ଗିସ୍ ମହମ୍ମଦୀଙ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଉପରୋକ୍ତ ଦୁଇ ମହୀୟସୀ ମହିଳାଙ୍କୁ ସମ୍ମାନିତ କରି ନୋବଲ କମିଟି ସମାଜର ଅର୍ଦ୍ଧେକ ଜନସଂଖ୍ୟା ରୂପେ ପରିଚିତ ମହିଳାମାନଙ୍କ ଅବହେଳିତ ଶ୍ରମ ଓ ସେମାନଙ୍କ ନ୍ୟାୟୋଚିତ ଅଧିକାରକୁ ସ୍ୱୀକୃତି ଦେଇଛି ବୋଲି କୁହାଯାଇପାରେ। ଏହା ଜରିଆରେ ନୋବେଲ କମିଟି ସମାଜରେ ମହିଳା ଓ ପୁରୁଷ ସମାନତାର ଲଢ଼େଇ ସହିତ ଠିଆ ହେବାର ଏକ ବାର୍ତ୍ତା ଦେଇଛି। ବିଶେଷ କରି ଅର୍ଥନୀତିରେ ପୁରସ୍କାର ପାଇଁ ଜଣେ ମହିଳାଙ୍କୁ ବାଛି ସେମାନେ ଏ କ୍ଷେତ୍ରରେ ରହିଥିବା ଲିଙ୍ଗଗତ ବ୍ୟବଧାନକୁ କମାଇବାର ଉଦ୍ୟମ ବି କରିଛନ୍ତି। କାରଣ, ନୋବେଲ ପୁରସ୍କାରର ଇତିହାସରେ ପ୍ରଥମ ଥର ପାଇଁ ୧୯୬୯ରେ ଅର୍ଥନୀତି ପାଇଁ ପୁରସ୍କାର ଦେବା ଆରମ୍ଭ ହେବା ପରଠାରୁ ଏଯାଏଁ ୫୪ ଥରରେ ମୋଟ ୯୨ ଜଣ ପୁରସ୍କୃତ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରେ ମାତ୍ର ଦୁଇ ଜଣ ହିଁ ମହିଳା। ଅତଏବ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାରେ କ୍ଲାଉଡ଼ିଆ ଗୋଲ୍ଡିନ୍ ଏ କ୍ଷେତ୍ରରେ ତୃତୀୟ ମହିଳା ହୋଇଥିବା ବେଳେ ଅର୍ଥନୀତିରେ ଏକକ ଭାବେ ପୁରସ୍କାର ପାଇବାରେ ସେ ପ୍ରଥମ ମହିଳା ଅଟନ୍ତି।
ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍ ଚଳିତ ବର୍ଷ ଅର୍ଥନୀତିରେ ସମ୍ମାନଜନକ ନୋବେଲ ପୁରସ୍କାର ପାଇବା ମଧ୍ୟ ଦେଇ ଏଯାଏଁ ଅଣଦେଖାର ଶିକାର ହୋଇ ଆସିଥିବା ସମାଜର ଅର୍ଦ୍ଧେକ ରୂପେ ପରିଚିତ ମହିଳାମାନଙ୍କ ଶ୍ରମକୁ ସ୍ୱୀକୃତି ମିଳିଛି ବୋଲି କୁହାଯାଇପାରେ। ନୋବେଲ କମିଟି ମଧ୍ୟ ତା’ର ପ୍ରଶସ୍ତି ପତ୍ରରେ କହିଛି ଯେ ଗୋଲଡ଼ିନ୍ ନିଜର ଗବେଷଣା ମାଧ୍ୟମରେ ଶ୍ରମ ବଜାରରେ ରହିଥିବା ଲିଙ୍ଗଗତ ପାର୍ଥକ୍ୟ ସମ୍ପର୍କରେ ରହିଥିବା ଆମର ଧାରଣାକୁ ସମୃଦ୍ଧ କରିବା ସହ ଏକ ନୂତନ ଧାରଣା ଦେଇଛନ୍ତି। ତେବେ ଗୋଲଡ଼ିନ୍ଙ୍କ ଗବେଷଣା ଶ୍ରମ ବଜାରରେ ବିଦ୍ୟମାନ ଲିଙ୍ଗଗତ ପାର୍ଥକ୍ୟକୁ କମାଇବାର ପ୍ରଶ୍ନରେ କୌଣସି ସମାଧାନର ସୂତ୍ର ଦେଇ ନଥିଲେ ବି ତାହା ସମସ୍ୟାର ମୁକାବିଲା ପାଇଁ ନୀତି ନିର୍ଦ୍ଧାରକମାନଙ୍କୁ ଏକ ରାସ୍ତା ଦେଖାଇଛି। ଗୋଲଡ଼ିନ୍ ନିଜର ଗବେଷଣାରେ ଲିଙ୍ଗଗତ ପାର୍ଥକ୍ୟର ଉତ୍ସକୁ ନେଇକି ମଧ୍ୟ ଏକ ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ମହିଳାଙ୍କୁ ରୋଜଗାରର ଉପଲବ୍ଧତା ଏବଂ ରୋଜଗାର ହାରରେ ଲିଙ୍ଗଗତ ବ୍ୟବଧାନ କିପରି ଏବଂ କାହିଁକି ବଦଳିଛି, ସେକଥା ବି ତାଙ୍କରି ଅଧ୍ୟୟନରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏହା ବ୍ୟତିତ ସମୟ ସହିତ ଉପରୋକ୍ତ ପାର୍ଥକ୍ୟରେ କିଭଳି ପରିବର୍ତ୍ତନ ହୋଇଛି ଏବଂ ଉନ୍ନୟନର ବିଭିନ୍ନ ପର୍ଯ୍ୟାୟରେ ତା’ର କିଭଳି ପରିବର୍ତ୍ତନ ହୋଇଛି, ତାକୁ ବି ସେ ଦେଖାଇବାକୁ ଚେଷ୍ଟା କରିଛନ୍ତି। ସେ ନିଜର ଗବେଷଣାର ଅଧିକାଂଶ ଭାଗରେ ବର୍ତ୍ତମାନର ସମୟର ବିଭିନ୍ନ ସମସ୍ୟାର ବ୍ୟାଖ୍ୟାର ଅତିତକୁ ଖୋଜି କରିବାକୁ ଚେଷ୍ଟା କରିଛନ୍ତି। ସେହି କାରଣରୁ ହିଁ ସେ ଅର୍ଥନୀତିରେ ଜଣେ ଇତିହାସବିଦର ବି ଭୂମିକା ଗ୍ରହଣ କରିଛନ୍ତି। ଯେହେତୁ ତାଙ୍କର ସମ୍ପୂର୍ଣ୍ଣ ଗବେଷଣାରେ ଶ୍ରମର ବଜାର ଓ ସେଥିରେ ମହିଳା ଶ୍ରମର କଥାଟି ବାରମ୍ବାର ଆସିଛି, ତେଣୁ ତାଙ୍କୁ ଜଣେ ଶ୍ରମ ଅର୍ଥନୀତିଜ୍ଞ ଭାବେ ବି ଦେଖାଯାଇଥାଏ।
ଗୋଲଡ଼ିନ୍ଙ୍କ ଗବେଷଣାର ଏକ ପ୍ରମୁଖ ଦିଗ ହେଉଛି, ଆମେରିକାର ଦୁଇ ଶହ ବର୍ଷର ଇତିହାସରେ ଶ୍ରମ ବଜାରରେ ମହିଳାମାନଙ୍କ ଭାଗିଦାରୀ ଓ ତା’ର ପ୍ରଭାବ। ତେବେ ଅତିତର ଆଧାରରେ ବର୍ତ୍ତମାନର ସମସ୍ୟାର ବିଶ୍ଳେଷଣ କରିବା କାମଟି ତାଙ୍କ ପାଇଁ ଏତେ ସହଜ ନଥିଲା। ସେ ନିଜର ଚେଷ୍ଟାରେ ହିଁ କର୍ମକ୍ଷେତ୍ରରେ ମହିଳା ଶ୍ରମର ଭୂମିକା ସମ୍ପର୍କରେ ପ୍ରାୟ ଦୁଇ ଶହ ବର୍ଷର ତଥ୍ୟସଂଗ୍ରହ କରି ତା’ର ବିଶ୍ଳେଷଣ କରିଛନ୍ତି। ତାହାରି ଆଧାରରେ ସେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେ ସମାଜରେ ଯେତେ ଅର୍ଥନୈତିକ ବିକାଶ ଘଟିଲେ ବି ତଥା ମାନସିକ ଓ ଶାରୀରିକ ଶ୍ରମ, ସବୁଥିରେ ମହିଳାମାନେ ପୁରୁଷଙ୍କ ସହ ଯେତେ ସମାନତା ଆସିଲେ ବି ମହିଳାମାନଙ୍କ ବେତନ ଓ ମଜୁରୀ ପୁରଷମାନଙ୍କ ସମକକ୍ଷ ହୋଇପାରିନି। ଏପରିକି ଅନେକ ଗୁଡ଼ିଏ କ୍ଷେତ୍ରରେ ପୁରୁଷ ତୁଳନାରେ ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ଥିଲେ ବି ଏହି ତାରତମ୍ୟଟି ଅବ୍ୟାହତ ରହୁଛି। ଏଠାରେ ପ୍ରଶ୍ନ ଉଠେ, ଶ୍ରମ ବଜାରରେ ମହିଳାମାନଙ୍କ ଅଂଶଗ୍ରହଣ ବଢ଼ିଲେ ବି ତାହା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସେଭଳି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରୁ ନାହିଁ କାହିଁକି? ଗୋଲ୍ଡ଼ିନ୍ ଏହି ପ୍ରଶ୍ନର ହିଁ ଉତ୍ତର ଖୋଜିବାକୁ ଯାଇ ତା’ର ଉତ୍ସକୁ ଧରିବାକୁ ଚାହିଁଛନ୍ତି। ଏହିପରି ଭାବେ ସେ ଲିଙ୍ଗ ସମ୍ପର୍କିତ ଅର୍ଥନୀତିକୁ ଏକ ସମ୍ପୂର୍ଣ୍ଣ ନୂତନ ଦିଶା ଦେବାକୁ ଚେଷ୍ଟା କରିଛନ୍ତି। ତେବେ ଆମେରିକାର ଗତ ଦୁଇ ଶହ ବର୍ଷର ଶ୍ରମ ବଜାର ଉପରେ ମହିଳା ଶ୍ରମ ଉପରେ ଗୋଲଡ଼ିନ୍ କରିଥିବା ଗବେଷଣାର ନିଷ୍କର୍ଷଟି କେବଳ ଆମେରିକା ହିଁ ନୁହେଁ ବରଂ ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ବି ଯେ ପ୍ରଯୁଜ୍ୟ ଏକଥା ନିଃସନ୍ଦେହରେ କୁହାଯାଇପାରେ।
ଗୋଲଡ଼ିନ୍ଙ୍କ ଗବେଷେଣାରୁ ଗୋଟିଏ କଥା ଜଣାପଡ଼ିଛି ଯେ ଅର୍ଥ ବ୍ୟବସ୍ଥାର ବିକାଶ ପ୍ରକ୍ରିୟାରେ କୌଣସି ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ ଏଯାଏଁ ୟୁ ଆକାରର ହିଁ ରହି ଆସଛି। ଅର୍ଥବ୍ୟବସ୍ଥାରେ ପ୍ରଥମେ କୃଷିର ପ୍ରାଧାନ୍ୟ ଥିଲା। ପରେ ଶିଳ୍ପର ପ୍ରାଧାନ୍ୟ ରହିଲା ଏବଂ ବର୍ତ୍ତମାନ ସେଥିରେ ସେବାକ୍ଷେତ୍ରର ଭୂମିକା ବଢ଼ିବା ସହିତ ଶ୍ରମଶକ୍ତିରେ ମହିଳାମାନଙ୍କ ଭାଗିଦାରୀ ବି ବଢ଼ିବାରେ ଲାଗିଛି। ଆମେରିକାର ଆର୍ଥିକ ଇତିହାସର ଏକ ଲମ୍ବା ଅବଧି ପର୍ଯ୍ୟନ୍ତ ଏହି ଧାରାଟି ସ୍ପଷ୍ଟ ଭାବେ ରହିଥିବା ଜଣାପଡ଼ୁଛି। ବର୍ତ୍ତମାନ ବିକାଶର ବିଭିନ୍ନ ଚରଣରେ ରହିଥିବା ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ସେହି ଏକା ଧାରା ଦେଖିବାକୁ ମିଳିଛି। ବହୁତ ବଡ଼ ସେବାକ୍ଷେତ୍ର ରହିଥିବା ବିଶ୍ୱର ଅଧିକାଂଶ ଦେଶରେ ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣର ହାରଟି ଅଧିକ ଥିବା ଜଣାପଡ଼ିଛି। ସ୍ୱିଡ଼େନ୍ ପରି ବିକଶିତ ଦେଶରେ ଏହି ହାର ୮୫%ରୁ ୯୦% ମଧ୍ୟରେ ରହିଥିବା ବେଳେ ଏହାର ବିପରୀତ ଭାରତରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀଟି ବହୁତ କମ୍ ରହିଛି। ବିଶ୍ୱର ଜି-୨୦ ଭୁକ୍ତ ଦେଶମାନଙ୍କ ମଧ୍ୟରେ ଏହା ସବୁଠାରୁ କମ୍ ରହିଛି।
କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣଟି ସାମାଜିକ ରୀତିନୀତି ଦ୍ୱାରା ବି ପ୍ରଭାବିତ ହୋଇଥାଏ। ଯଦି କୌଣସି ମହିଳା ରୋଜଗାର ପାଇଁ ଘରୁ ବାହାରକୁ ଯାଏ, ତାହେଲେ ଆଜି ବି ସମାଜରେ ତାକୁ ଭଲ ରୂପେ ଦେଖାଯାଇ ନଥାଏ। ‘ମହିଳାଙ୍କ ସ୍ଥାନ ଘର ଭିତରେ’ ବୋଲି ପୁରୁଷବାଦୀ ବିଚାର ରଖୁଥିବା ଆମ ସମାଜରେ ଏହି କାରଣରୁ ଅନେକ ମହିଳା ବାହାରକୁ ଯାଇ କାମ କରିବାକୁ ପଛଘୁଞ୍ଚା ଦେଇଥାନ୍ତି। ‘ଝିଅ ଆମର ଅସ୍ଥାୟୀ ଚାକିରୀ କରୁଛି, ବାହାଘର ପରେ ଚାକିରୀ ଛାଡ଼ିଦେବ, ନୋଚେତ୍ ଘର ଓ ପିଲାଛୁଆର ଦାୟୀତ୍ୱ କିଏ ନେବ?’ ଏହି ମାନସିକତା ଯୋଗୁଁ ଆମ ସମାଜରେ ଝିଅମାନଙ୍କ ଶ୍ରମଶକ୍ତିରେ ଭାଗିଦାରୀ କମ୍ ରହୁଛି। ଅବଶ୍ୟ ସାଧାରଣତଃ ସମାଜର ମଧ୍ୟବିତ୍ତ ଶ୍ରେଣୀର ମହିଳାମାନେ ଏଭଳି ଚିନ୍ତା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବା ଦେଖାଯାଇଛି।
ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ ୟୁ ଆକାର ରହିବା ପଛରେ ଆଉ ଏକ କାରଣ ହେଲା ଶିକ୍ଷା। ଗତ ଦୁଇ ଦଶକ ମଧ୍ୟରେ ବୈଶ୍ୱିକ ସ୍ତରରେ ମହିଳାଙ୍କ ମଧ୍ୟରେ ଶିକ୍ଷାର ଉପଲବ୍ଧତା ବୃଦ୍ଧି ପାଇବା ସହ ପ୍ରଜନନ ହାରରେ ବି ହ୍ରାସ ଦେଖାଦେଇଛି। ଏହି ଦୁଇ କାରଣରୁ ଦୁନିଆରେ ବୈତନିକ ଶ୍ରମବଳ ବା ମାସିକ ବେତନ ଦିଆଯାଉଥିବା କାମରେ ମହିଳାଙ୍କ ଭାଗିଦାରୀ ଅନେକ ପରିମାଣରେ ବଢ଼ିଛି। ଅବଶ୍ୟ ଭାରତ କ୍ଷେତ୍ରରେ ଏହି ବିଷୟଟି ଏତେ ସ୍ପଷ୍ଟ ନୁହେଁ। କାରଣ ଭାରତରେ ମହିଳାମାନଙ୍କୁ ସର୍ବପ୍ରଥମେ ଘରର ଏରୁଣ୍ଡି ଡେଇଁବାକୁ ବି ସଂଘର୍ଷ କରିବାକୁ ପଡ଼ିଥାଏ। ତେବେ ଶିକ୍ଷିତ ଓ ମଧ୍ୟବିତ୍ତ ମହିଳାଙ୍କ ତୁଳନାରେ ଅଶିକ୍ଷିତ ଓ ନିମ୍ନ ବର୍ଗର ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣଟି ଅଧିକ ରହିଥାଏ। ଅଶିକ୍ଷିତ ଅଥବା କମ୍ ଶିକ୍ଷିତ ଲୋକଙ୍କ ଶ୍ରେଣୀରେ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ ଅପେକ୍ଷାକୃତ ଅଧିକ ରହିଥାଏ। ହାଇସ୍କୁଲ ଶିକ୍ଷାପ୍ରାପ୍ତ ମହିଳାଙ୍କ ମଧ୍ୟରେ ଏହି ହାର କମ୍ ଥିବା ବେଳେ ଉଚ୍ଚ ଶିକ୍ଷା ପାଇଥିବା ମହିଳାଙ୍କ ଭିତରେ ଭାଗିଦାରୀ ଅପେକ୍ଷାକୃତ ଅଧିକ ରହିଛି। ହାଇସ୍କୁଲ ଶିକ୍ଷା ପ୍ରାପ୍ତ ମହିଳାଙ୍କ କ୍ଷେତ୍ରରେ ସେମାନଙ୍କ ଯୋଗ୍ୟତା ଅନୁରୂପ କାମର ଅଭାବ ଥିବାରୁ ସେମାନଙ୍କ ଭାଗିଦାରୀ ସାଧାରଣତଃ କମ୍ ରହିଥାଏ।
ଅବଶ୍ୟ, ଗୋଲ୍ଡିନ୍ ମହିଳାଙ୍କ ଶ୍ରମ ସମ୍ବନ୍ଧୀୟ ୨୦୦ ବର୍ଷର ତଥ୍ୟରୁ ଯେଉଁ ସତ୍ୟଗୁଡ଼ିକ ଆଙ୍କିଛନ୍ତି, ତାହା ଅନେକ ଶତାବ୍ଦୀରୁ ଚାଲିଆସିଛି ଏବଂ ଆଜି ବି ତାହା ଦୃଶ୍ୟମାନ ହେଉଛି। ଅଧିକାଂଶ ଦେଶରେ ସମାନତା ଉପରେ ଆଧାରିତ ଆଧୁନିକ ବିଚାର ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ଏହା ଏକ ଠୋସ୍ ବାସ୍ତବତା ଯେ ମହିଳାମାନେ ଶ୍ରମ ଏବଂ ବେତନ ଦୃଷ୍ଟିରୁ ଭେଦଭାବର ଶିକାର ହେଉଛନ୍ତି। ସେମାନେ ଯେତେବେଳେ କାମ କରନ୍ତି, ସେତେବେଳେ ହିଁ ସେମାନେ କେବଳ ଏହି ଭେଦଭାବର ଶିକାର ହୁଅନ୍ତି ନାହିଁ, ବରଂ କାମ ପାଇବା କିମ୍ବା ବାହାରେ ରହିବା ଭଳି ପରିସ୍ଥିତିରେ ସେମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। କାମ ଦେବା ବେଳେ ସେମାନେ ନିଯୁକ୍ତିଦାତାର ଶେଷ ପସନ୍ଦ ହୋଇଥିବା ବେଳେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କୁ ଦରମା, ଭତ୍ତା, ଛୁଟି ଇତ୍ୟାଦି କ୍ଷେତ୍ରରେ ଅସମାନ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ଛଟେଇ କିମ୍ବା କାର୍ଯ୍ୟରୁ ଅନ୍ତର କରିବା ସମୟରେ ବି ସେମାନେ ନିଯୁକ୍ତିଦାତାଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି।
ଯେକୌଣସି ଦେଶରେ ବିକାଶର ମାପକାଠି ସେହି ଦେଶର ଶ୍ରମ ବଜାରରେ ମହିଳାଙ୍କ କେତେ ଭାଗିଦାରୀ ରହିଛି ତା’ରି ଉପରେ ନିର୍ଭର କରିଥାଏ। ମହିଳାଙ୍କ ଭାଗିଦାରୀ ବିନା ସମାଜର ସାମଗ୍ରିକ ସାମାଜିକ ଓ ଆର୍ଥିକ ବିକାଶ ହୋଇପାରେନା। ଅତଏବ ସମାଜରେ ସମାବେଶୀ ଓ ନିରନ୍ତର ବିକାଶ ପାଇଁ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ ତଥା ଭଲ କାମ ସହିତ ଭଲ ମଜୁରୀର ଉପଲବ୍ଧତା ଅତ୍ୟନ୍ତ ଜରୁରୀ। ଗତ କିଛି ଦଶକ ମଧ୍ୟରେ ଯିଦିଓ କିଛି କ୍ଷେତ୍ରରେ ଭାରତୀୟ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ ରହିଛି କିନ୍ତୁ ସମାଜ ସହିତ ଶ୍ରମଶକ୍ତିରେ ସେମାନଙ୍କ ଭାଗିଦାରୀ ଆଜି ବି ବହୁତ ନୁହେଁ ବୋଲି କୁହାଯାଇପାରେ।
ଓଇସିଡ଼ିର ରିପୋର୍ଟ ଅନୁଯାୟୀ ଭାରତୀୟ ମହିଳାମାନେ ଦୈନିକ ହାରାହାରି ୩୫୨ ମିନିଟ୍ ଗୃହକର୍ମରେ ବିନିଯୋଗ କରିଥାନ୍ତି। ପୁରୁଷମାନେ ବିନା ବେତନରେ କରୁଥିବା କାମ ପାଇଁ ଯେତିକି ସମୟ ଦେଇଥାନ୍ତି, ତା’ରି ତୁଳନାରେ ଏହା ୫୭୭% ଅଧିକ ବୋଲି ଜଣାପଡ଼ିଛି। ଭାରତରେ ଶ୍ରମ ବଜାରରେ ମହିଳାଙ୍କ ଭାଗିଦାରୀ ୨୦୨୨ରେ ୪୧.୩% ରହିଥିବା ବେଳେ ୨୦୨୩ ମସିହାରେ ତାହା ୪୨.୪%କୁ ବୃଦ୍ଧି ପାଇଛି। ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଭାରତରେ ନିୟମିତ ଚାକିରି ହରାଇଥିବା ଲୋକଙ୍କ ମଧ୍ୟରେ ମହିଳାଙ୍କ ହାର ଅଧିକ ରହିଥିବା ଜଣାପଡ଼ିଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମିର ରିପୋର୍ଟ ଅନୁଯାୟୀ ଏହି ସମୟ ମଧ୍ୟରେ ମୋଟ ୩୧ ଲକ୍ଷ ଲୋକ ସ୍ଥାୟୀ ଚାକିରି ହରାଇଛନ୍ତି। ଏଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୫ ଲକ୍ଷ ହୋଇଥିବା ବେଳେ ମହିଳାମାନଙ୍କ ସଂଖ୍ୟା ୨୬ ଲକ୍ଷ। ସେହିଭଳି ଛୋଟ ବ୍ୟବସାୟରେ ଏବଂ ଦେନିକ ମଜୁରୀରେ କାମ କରୁଥିବା ଲୋକଙ୍କ କ୍ଷେତ୍ରରେ ୧.୩୫ କୋଟି ରୋଜଗାର ହ୍ରାସ ପାଇଛି। ସେଥିମଧ୍ୟରୁ ୫୨ ଲକ୍ଷ ମହିଳା ଏବଂ ୮୩ ଲକ୍ଷ ପୁରୁଷ ଥିଲେ। କାର୍ଯ୍ୟରତ ମହିଳାମାନଙ୍କର ହାରାହାରି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଏବଂ ଅଧିକାଂଶ ବିକଶିତ ତଥା ବିକାଶଶୀଳ ଦେଶର ଅର୍ଥନୈତିକ ବ୍ୟବସ୍ଥା ସେମାନଙ୍କ ସଶକ୍ତିକରଣ ପାଇଁ ଠୋସ୍ ପଦକ୍ଷେପ ନେବାରେ ବିଫଳ ହୋଇଛି।
ଭାରତରେ ମହିଳାଙ୍କୁ ସାଧାରଣତଃ ଘର ସମ୍ଭାଳିବା କାମ ପାଇଁ ଆଶା କରାଯାଉଥିବା ବେଳେ ପୁରୁଷମାନଙ୍କୁ ଉପାର୍ଜନ କରୁଥିବା ସଦସ୍ୟ ଭାବେ ଦେଖାଯାଇଥାଏ। ଅର୍ଥାତ୍ ପ୍ରାଚୀନ କାଳରୁ ସମାଜରେ ରହିଥିବା ଲିଙ୍ଗଗତ ଭେଦବାନ ଆଜି ବି ସମାଜରେ ଅବ୍ୟାହତ ରହିଛି। ଆମ ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ ସମ୍ପର୍କିତ ଦୁଇଟି ସମସ୍ୟା ରହିଛି। ପ୍ରଥମତଃ ଶ୍ରମଶକ୍ତିରେ ପୁରୁଷ ଓ ମହିଳାଙ୍କ ଭାଗିଦାରୀର ଅସମାନ ହାର ଯାହାକି ଏବେ ଯଥାକ୍ରମେ ୫୬% ଓ ୨୮% ରହିଛି। ଦ୍ୱିତୀୟଟି ହେଲା, ପୁରୁଷ ଓ ମହିଳାଙ୍କ ବେତନରେ ରହିଥିବା ତାରତମ୍ୟ। ଯଦି ସରକାର ନୀତିଗତ ଭାବେ ଏହି ଉଭୟ ବ୍ୟବଧାନକୁ କମାଇବା ପାଇଁ ପଦକ୍ଷେପ ନିଅନ୍ତି ତାହେଲେ ତାହା ସମାଜର ଅର୍ଦ୍ଧେକ ଜନସଂଖ୍ୟାକୁ ବୁଝାଉଥିବା ମହିଳାଙ୍କୁ ନ୍ୟାୟ ମିଳିବା ସହ ଦେଶର ସକଳ ଘରୋଇ ଉତ୍ପାଦ (ଜିଡ଼ିପି)ରେ ବୃଦ୍ଧି ଘଟିପାରିବ ଏବଂ ସମାଜରୁ ଲିଙ୍ଗଗତ ଭେଦଭାବ ଦୂର କରିବାରେ ବି କିଛି ପରିମାଣରେ ସକ୍ଷମ ହୋଇପାରିବ।
ପାଶ୍ଚାତ୍ୟ ଦେଶଗୁଡ଼ିକରେ ଶ୍ରମ ବଜାରରେ ମହିଳାଙ୍କ ସ୍ଥିତିଟି ଏପର୍ଯ୍ୟନ୍ତ ଅପେକ୍ଷାକୃତ ଭାବେ ଭଲ ରହିଛି। କିନ୍ତୁ ବିଶ୍ୱର ଜନସଂଖ୍ୟାର ଏକ ବଡ଼ ଭାଗ ବସବାସ କରୁଥିବା ତୃତୀୟ ବିଶ୍ୱରେ ମହିଳାମାନଙ୍କ ପ୍ରସଙ୍ଗରେ ଗୋଲଡ଼ିନ୍ଙ୍କ ଅନୁସନ୍ଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ତେବେ ଜନସଂଖ୍ୟାର ଅର୍ଦ୍ଧେକ ରୂପେ ପରିଚିତ ମହିଳାଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ସମାନ ପରିବେଶ ସୃଷ୍ଟି ନହେବା ପର୍ଯ୍ୟନ୍ତ କୌଣସି ଦେଶର ବିକାଶର ଲକ୍ଷ୍ୟରେ ପହଞ୍ଚିବ ସମ୍ଭବ ନୁହେଁ। ଶ୍ରମ ବଜାରରେ ମହିଳାଙ୍କ ଭାଗିଦାରୀର ଗୁରୁତ୍ୱକୁ ବୁଝିବା ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ଦୃଷ୍ଟିରୁ ଦେଖିଲେ, ଗୋଲଡ଼ିନ୍ଙ୍କ ଗବେଷଣା ଆଜି ଶ୍ରମ କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକକୁ ଦୂର କରିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ। ନୋବେଲ କମିଟି ଗୋଲଡ଼ିନ୍ଙ୍କୁ ଅର୍ଥନୀତି ପାଇଁ ଚଳିତ ବର୍ଷର ପୁରସ୍କାର ଦେଇ ବିକାଶରେ ଅଂଶଗ୍ରହଣ କରୁଥିବା ସବୁ ମହିଳାଙ୍କୁ ପୁରସ୍କୃତ କରିଛି।
ଫୋନ - ୯୪୩୭୧୬୬୩୯୧