Advertisment

ବାଣୀବିହାରରେ ଅଣଛାତ୍ର

ଏପରି ଅଣଛାତ୍ରମାନଙ୍କୁ ବାହାର କରାଯିବା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅଣଛାତ୍ରମାନଙ୍କ ଉପସ୍ଥିତି କାରଣରୁ ପ୍ରକୃତ ଛାତ୍ରଛାତ୍ରୀଙ୍କ ଧ୍ୟାନ ବିଭ୍ରାନ୍ତ ହୁଏ। ପାଠପଢ଼ାର ମାନ କମିଯାଏ। ଭବିଷ୍ୟତର ନେତୃତ୍ୱ ଗଢ଼ିବାର ସୁଯୋଗ ବାଧା ପାଏ।

Utkal University

Utkal University

Advertisment

ଡ ରୀନା ରାଉତରାୟ

ବାଣୀ ବିହାର ହେଉଛି ଓଡ଼ିଶାର ଗର୍ବ। ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଉନ୍ନତିର କେନ୍ଦ୍ରବିନ୍ଦୁ। କିନ୍ତୁ ବିଭିନ୍ନ କାରଣରୁ କିଛି ଅଣଛାତ୍ର ବାଣୀବିହାରରେ ପ୍ରବେଶ କରି ଶୃଙ୍ଖଳା ଭଙ୍ଗ କରିବା, ଅଶାନ୍ତି ସୃଷ୍ଟି କରିବା ଭଳି ସମସ୍ୟା ଦେଖାଯାଉଛି। ଏହିପରି ଘଟଣା ବାଣୀବିହାର ପରି ଏକ ଶିକ୍ଷା ମନ୍ଦିରର ମୂଳ ଉଦ୍ଦେଶ୍ୟ, ମେଧାବୀ ଛାତ୍ରଙ୍କ ଶିକ୍ଷା ପରିବେଶକୁ ସୁରକ୍ଷିତ କରିବା ଉପରେ ଗୁରୁତର ପ୍ରଭାବ ପକାଉଛି।

Advertisment

ଏପରି ଅଣଛାତ୍ରମାନଙ୍କୁ ବାହାର କରାଯିବା ନିଶ୍ଚିତ ଭାବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଅଣଛାତ୍ରମାନଙ୍କ ଉପସ୍ଥିତି କାରଣରୁ ପ୍ରକୃତ ଛାତ୍ରଛାତ୍ରୀଙ୍କ ଧ୍ୟାନ ବିଭ୍ରାନ୍ତ ହୁଏ। ପାଠପଢ଼ାର ମାନ କମିଯାଏ। ଭବିଷ୍ୟତର ନେତୃତ୍ୱ ଗଢ଼ିବାର ସୁଯୋଗ ବାଧା ପାଏ।

୨୦୨୪ର ଏକ ଶିକ୍ଷା ଅଧ୍ୟୟନ ଅନୁଯାୟୀ ଶିକ୍ଷାନୁଷ୍ଠାନମାନଙ୍କରେ ବିଶୃଙ୍ଖଳିତ ପରିବେଶ ପାଇଁ ପାଠପଢ଼ାରେ ଶତକଡା ୩୦ ଭାଗ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ତେଣୁ ଶୃଙ୍ଖଳା ବ୍ୟବସ୍ଥା ପାଇଁ ଏହି ପଦକ୍ଷେପ ନିତ୍ୟାନ୍ତ ଜରୁରୀ।

Advertisment

ଏଠି ପ୍ରଶ୍ନ ଉଠେ, ଅନେକ ବର୍ଷ ଧରି ବାଣୀବିହାର କ୍ୟାମ୍ପସ ବା ଛାତ୍ରାବାସରେ ଏହି ଅଣଛାତ୍ରମାନଙ୍କ ପ୍ରଵେଶ ବା ବସବାସର ମୂଳ କାରଣ କ’ଣ? କେବଳ ପ୍ରଶାସନିକ ବିଫଳତା ନା ଅନ୍ୟ କିଛି?

ମୋର ଏହି ପ୍ରଶ୍ନର ଉତ୍ତର ବୋଧହୁଏ ସେଇମାନେ ଦେଇ ପାରିବେ, ଯେଉଁମାନେ ଏହି ବାଣୀବିହାର ଛାତ୍ରାବାସରେ ଅଣଛାତ୍ର ଭାବରେ ରହି ପାଠ ପଢ଼ି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଜି ରାଜ୍ୟ ତଥା ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ରାଜ୍ୟ ଓ ଦେଶ ପାଇଁ କାର୍ଯ୍ୟ କରି ବାଣୀବିହାରର ଗର୍ବ ଓ ଗୌରବ ହୋଇ ପାରିଛନ୍ତି।

ଆମେ ସମସ୍ତେ ଜାଣୁ ଏହି ବାଣୀବିହାର ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ଜୀବନର ଦ୍ୱାର ଖୋଲିଦେଇଛି। ପଢ଼ା ଶେଷ ହେଲା ପରେ ମଧ୍ୟ ହଷ୍ଟେଲରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରି ସଫଳ ହୋଇଥିବା ଅନେକ ଉଦାହରଣ ରହିଛି। ଏଥି ମଧ୍ୟରେ ଆମ ରାଜ୍ୟ ତଥା ଦେଶ ବିଦେଶର ଅନେକ ସୁନାମଧନ୍ୟ ପ୍ରଶାସକ, ରାଜନୀତିଜ୍ଞ, ଗବେଷକ ଓ ନାମୀ ପ୍ରତିଭାମାନଙ୍କ ନାମ ରହିଛି।

ରାଜ୍ୟ ସରକାର, ସମାଜ ଓ ସଂଗଠନମାନଙ୍କ ସହଯୋଗରେ ଏହିପରି ଅଭାବୀ ପ୍ରତିଭାବାନ ଛାତ୍ରମାନଙ୍କୁ ଆଗକୁ ନେବା ଉଚିତ, କାରଣ ସେମାନେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା, ଆର୍ଥିକ ସହାୟତା ଓ ସାମଗ୍ରିକ ଉନ୍ନତି ପାଇଁ ସରକାରୀ ସ୍ତରରେ ସ୍ଥାୟୀ ସୁବିଧା କରାଯିବା ଆବଶ୍ୟକ। ଅନେକ ଗରିବ ଓ ମେଧାବୀ ଛାତ୍ରମାନେ ଶିକ୍ଷାରେ ଆଗକୁ ବଢ଼ିବାରେ ସମସ୍ୟା ଭୋଗୁଛନ୍ତି। ସମ୍ବଳର ଅଭାବ, ପରାମର୍ଶର ଅଭାବ, ଏବଂ ସଂଘର୍ଷମୟ ପରିବେଶ ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି।

ଗରିବ ଓ ଉତ୍କୃଷ୍ଟ ମେଧାବୀ ଛାତ୍ରମାନଙ୍କୁ ଛାତ୍ରବୃତ୍ତି, ଶିକ୍ଷା ଖର୍ଚ୍ଚରେ ସହାୟତା, ପୁସ୍ତକ, ଡିଜିଟାଲ ଉପକରଣ, ଇଣ୍ଟରନେଟ ସୁବିଧା ଇତ୍ୟାଦିର ସହଜ ଉପଲବ୍ଧି ଦ୍ଵାରା ଆମ ରାଜ୍ୟରେ ଅନେକ ପ୍ରତିଭା ନିଜର କ୍ୟାରିୟର ଗଢ଼ିବା ସହିତ ଆମ ରାଜ୍ୟ ପାଇଁ ବୌଦ୍ଧିକ ସମ୍ବଳ ହୋଇପାରିବେ।

ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ମେଧାବୀ ଛାତ୍ରମାନଙ୍କୁ ଉଚ୍ଚ ଶିକ୍ଷାରେ ପହଞ୍ଚାଇବା ପାଇଁ ଆର୍ଥିକ ସହାୟତା ଅତ୍ୟାବଶ୍ୟକ।

ଓଡ଼ିଶାରେ ଗ୍ରାମୀଣ ମେଧାବୀ ଛାତ୍ରମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୪୫ ଭାଗ ଆର୍ଥିକ କାରଣରୁ ଉଚ୍ଚ ଶିକ୍ଷା ପାଇଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ଅନେକ ଛାତ୍ରଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ପଢ଼ା ପାଇଁ ଆବଶ୍ୟକ ପୁସ୍ତକ, ଫିସ୍, ଖାଦ୍ୟ ଓ ଆବାସର ଖର୍ଚ୍ଚ ବହନ କରିବା ସମ୍ଭବ ନୁହେଁ। ଏହି ସମସ୍ୟା ସତ୍ତ୍ୱେ ସେମାନେ ଶିକ୍ଷାକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରିଛନ୍ତି। ହଷ୍ଟେଲର ସହଜଲଭ୍ୟ ଓ କମ୍ ଖର୍ଚ୍ଚର ଆବାସ ସୁବିଧା ଥିବାରୁ ସେମାନେ ପଢ଼ା ଶେଷ ହେଲାପରେ ମଧ୍ୟ ରହି ପ୍ରସ୍ତୁତି ଜାରି ରଖିଛନ୍ତି। ଏହିପରି ସଫଳତା ପାଇଁ ଆବଶ୍ୟକ ସହାୟତା।

ଅତଏବ ଶୃଙ୍ଖଳା ରକ୍ଷା ପାଇଁ ବାଣୀ ବିହାର ଛାତ୍ରାବାସରୁ ଅଣଛାତ୍ରଙ୍କ ପ୍ରବେଶ ନିଷେଧ ହେଉ, କିନ୍ତୁ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ମୁକ୍ତ କିମ୍ଵା କମ୍ ଖର୍ଚ୍ଚର ଆବାସ ଓ ଭୋଜନ, ପୁସ୍ତକାଳୟ, ଇଣ୍ଟରନେଟ ସୁବିଧା, ମାନସିକ ସ୍ୱାସ୍ଥ୍ୟ ପରାମର୍ଶ, ଶୃଙ୍ଖଳା ଓ ନିରୀକ୍ଷଣ, ଗରିବ ଛାତ୍ରଙ୍କୁ ଛାତ୍ରବୃତ୍ତି ଓ ପରୀକ୍ଷା ଶୁଳ୍କରେ ସହାୟତା ସହିତ ପୂର୍ବତନ ଛାତ୍ରମାନଙ୍କ ମାର୍ଗଦର୍ଶନ ଇତ୍ୟାଦି ଆବଶ୍ୟକୀୟ ସହାୟତା ପାଇଁ ସରକାରୀ ସ୍ତରରେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତକୁ ଗୁରୁତ୍ଵ ଦିଆଯିବା ଉଚିତ।

ଦେୟମୁକ୍ତ ଆବାସିକ ଶିକ୍ଷା କେନ୍ଦ୍ର ବା ପେଣ୍ଠସ୍ଥଳୀ ବା ସୁଲଭ ମୂଲ୍ୟର ଆବାସିକ ଶିକ୍ଷା କେନ୍ଦ୍ରର ଆବଶ୍ୟକତାକୁ ଗୁରୁତ୍ଵ ଦିଆଯିବା ଉଚିତ।

ବାଣୀ ବିହାର କେବଳ ଏକ ଶିକ୍ଷା କେନ୍ଦ୍ର ନୁହେଁ, ଏହା ଓଡ଼ିଶାର ଭବିଷ୍ୟତ ଗଢ଼ିବାର ଏକ ପବିତ୍ର ସ୍ଥାନ। ଶୃଙ୍ଖଳା ରକ୍ଷା ପାଇଁ ଅଣ ଛାତ୍ରମାନଙ୍କୁ ବାହାର କରିବା ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ତାଠାରୁ ଅଧିକ ଜରୁରୀ ହେଉଛି ମେଧାବୀ ଛାତ୍ରମାନଙ୍କୁ ସମର୍ଥନ କରିବା। ସରକାର, ସମାଜ, ଶିକ୍ଷା ସଂସ୍ଥା ଏବଂ ବାଣୀ ବିହାର କ୍ୟାମ୍ପସରେ ଅଣଛାତ୍ର ଭାବରେ ରହି ସଫଳ ହୋଇଥିବ ପୂର୍ବତନ ଛାତ୍ରମାନେ ମିଶି ଏକ ସହଜ ଓ ସୁଲଭ ମୂଲ୍ୟର ଆବାସିକ ଶିକ୍ଷା କେନ୍ଦ୍ର ସୃଷ୍ଟି କରିପାରିଲେ, ଏହା କେବଳ ମେଧାବୀ ଛାତ୍ରମାନଙ୍କ ଉନ୍ନତି ନୁହେଁ, ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୂଳଭିତ୍ତି ହେବ।

ଫୋ- ୯୪୩୮୨୭୨୧୫୨

Odisha Utkal University Education Vanivihar University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe