Advertisment

ନେପାଳରେ ଅସ୍ଥିରତା ନୁହେଁ, ଅରାଜକତା

ଏପରି ପ୍ରତିବାଦ ପୂର୍ବରୁ ଶ୍ରୀଲଙ୍କାରେ ଓ ଗତବର୍ଷ ବଙ୍ଗଳାଦେଶରେ ହୋଇଥିବା ସମସ୍ତେ ଦେଖିଛନ୍ତି। ସେଥିରେ ସରକାର ପରିବର୍ତ୍ତନ ହୋଇଛନ୍ତି। କିନ୍ତୁ ନେପାଳରେ ଯାହା ଘଟୁଛି ତାହାକୁ କେବଳ ଏକ ହିଂସାତ୍ମକ ପ୍ରତିବାଦ ଆନ୍ଦୋଳନ ବୋଲି କୁହାଯିବ ନାହିଁ।

author-image
Debendra Prusty
Gen Z Protest In Nepal

Gen Z Protest In Nepal

ରବି ଦାସ

ନେପାଳରେ ଯୁବଗୋଷ୍ଠୀ ଯେଉଁମାନେ ନିଜକୁ ଜେନ୍‌-ଜେଡ଼ ବୋଲି କହୁଛନ୍ତି ସେମାନେ ଦେଶରେ ଚାଲିଥିବା ବ୍ୟାପକ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ନେତାମାନଙ୍କର ସମ୍ପତି ବୃଦ୍ଧି, ସାଧାରଣ ଯୁବକମାନଙ୍କ ବେକାରୀ ଅବସ୍ଥା ସହିତ ଦେଶର ଦୟନୀୟ ଆର୍ଥିକ ସ୍ଥିତି ବିରୋଧରେ ପ୍ରତିବାଦକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା। ଏପରି ପ୍ରତିବାଦ ପୂର୍ବରୁ ଶ୍ରୀଲଙ୍କାରେ ଓ ଗତବର୍ଷ ବଙ୍ଗଳାଦେଶରେ ହୋଇଥିବା ସମସ୍ତେ ଦେଖିଛନ୍ତି। ସେଥିରେ ସରକାର ପରିବର୍ତ୍ତନ ହୋଇଛନ୍ତି। କିନ୍ତୁ ନେପାଳରେ ଯାହା ଘଟୁଛି ତାହାକୁ କେବଳ ଏକ ହିଂସାତ୍ମକ ପ୍ରତିବାଦ ଆନ୍ଦୋଳନ ବୋଲି କୁହାଯିବ ନାହିଁ।

Advertisment

ଏହା ନିଶ୍ଚିନ୍ତ ଯେ, ଯୁବକମାନଙ୍କ ଭିତରେ ଥିବା ଅସନ୍ତୋଷକୁ ଦବାଇବା ପାଇଁ ସରକାର ସାମାଜିକ ଗଣମାଧ୍ୟମକୁ ବେଆଇନ୍ କରିଦେବା ଓ ପ୍ରତିବାଦ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ୍ ଗୁଳି ଚଳାଇ ୨୦ ଜଣଙ୍କୁ ହତ୍ୟା କରିବା ଘଟଣା ଯୁବକମାନଙ୍କୁ ଅଧିକ ସଂଗଠିତ ହୋଇ ହିଂସାତ୍ମକ ଆନ୍ଦୋଳନକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଇଲା। କିନ୍ତୁ ଆନ୍ଦୋଳନକାରୀମାନେ ସେଠାରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ଅଟକି ନଥିଲେ। ସବୁ ଗୋଷ୍ଠୀର ଯେଉଁ ନେତାମାନେ ଗଲା ୧୫ ବର୍ଷ ହେଲା ସେ ଦେଶରେ କ୍ଷମତା ଭୋଗ କରିଛନ୍ତି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏପରିକି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଏମାନେ ନିଆଁ ଲଗାଇ ମାରି ଦେଇଥିଲେ। ସରକାରୀ ଅର୍ଥରେ ହୋଇଥିବା ସମସ୍ତ ସରକାରୀ ଅନୁଷ୍ଠାନ ଏପରିକି ଉଚ୍ଚ ନ୍ୟାୟାଳୟ ଉପରେ ମଧ୍ୟ ଆକ୍ରମଣକାରୀମାନେ ଚଢ଼ଉ କରିଥିଲେ। ସବୁଠାରେ ଭଙ୍ଗାରୁଜା ସହିତ ନିଆଁ ଲଗାଇ ଦେଇଥିଲେ। ଏପରିକି ଦେଶର ସଂସଦ ଭବନ ଭିତରେ ପଶି ସେଥିରେ ନିଆଁ ଲଗାଇଦେଲେ। ପୋଲିସ୍ ସେନାବାହିନୀ କାହାରି ନିର୍ଦ୍ଦେଶକୁ ବା ନିବେଦନକୁ ସେମାନେ ଶୁଣିଲେ ନାହିଁ। ଏପରିକି ଯେଉଁ ନେତାମାନଙ୍କର ଦୁର୍ନୀତିପୂର୍ଣ୍ଣ ଅର୍ଥରେ କାଠମାଣ୍ଡୁରେ ବା ଅନ୍ୟ ସହରମାନଙ୍କରେ ବଡ଼ ବଡ଼ ହୋଟେଲ୍ ବା ମଲ୍ ହୋଇଥିଲା ବୋଲି ସେମାନେ ବିଶ୍ୱାସ କଲେ ସେଥିରେ ମଧ୍ୟ ନିଆଁ ଲଗାଇଦେଲେ। ସେହିସବୁ ହୋଟେଲମାନଙ୍କରେ ରହୁଥିବା ବାହାର ଦେଶର ପର୍ଯ୍ୟଟକମାନଙ୍କ ଆସବାବପତ୍ର ମଧ୍ୟ ପୋଡ଼ିଗଲା।

କେବଳ ସେତିକି ନୁହେଁ କାଠମାଣ୍ଡୁ ପରେ ଦେଶର ସବୁ ସହରରେ ଯୁବକମାନଙ୍କର ଏହି ହିଂସାତ୍ମକ ଆନ୍ଦୋଳନ ଏତେ ବ୍ୟାପିଲା ଯେ ପୋଲିସ୍ ବା ସେନାବାହିନୀ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେଲା। ଏହାର ସୁଯୋଗ ନେଇ ଦେଶର ବିଭିନ୍ନ ଜେଲ୍‌ରେ ଥିବା ଅପରାଧିମାନେ ଜେଲ୍‌ଭାଙ୍ଗି ବାହାରକୁ ଚାଲିଆସିଲେ। ଏମାନଙ୍କୁ ଧରିବା ଏବେ ପୋଲିସ୍ ପାଇଁ କଷ୍ଟସାଧ୍ୟ ହେବ। ବାସ୍ତବରେ ନେପାଳରେ ଯାହା ଚାଲିଛି ତାହାକୁ ସାଧାରଣ ବିଦ୍ରୋହ ବା ଆନ୍ଦୋଳନ କହିଲେ ଠିକ୍ ହେବନାହିଁ। ଏହା ରୀତିମତ ସେ ଦେଶରେ ଏକ ଅରାଜକତାକୁ ଡାକି ଆଣିଛି। ନେପାଳ ପରି ଦେଶରେ ଯେଉଁଠାରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଭାରତ ପରି ଶକ୍ତିଶାଳୀ ନୁହଁନ୍ତି, ସେଠାରେ ପୁଣିଥରେ ସେଗୁଡ଼ିକ ପ୍ରତିଷ୍ଠା କରିବା ସହଜ କଥା ହେବନାହିଁ।

Advertisment

ନେପାଳର ପରିସ୍ଥିତି ଦେଖି ଭାରତରେ ମଧ୍ୟ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହେଉଥିବା ଓ ଲୋକମାନଙ୍କର ସମସ୍ୟା ସମାଧାନରେ ସରକାର ବିଫଳ ହେଉଥିବା ସମୟରେ ଏକଛତ୍ରବାଦୀ ଆଚରଣ ପ୍ରଦର୍ଶନ କରି ଭିନ୍ନମତକୁ ଦବାଇ ଦେବା ପାଇଁ ଯେପରି ଭାବରେ ପଦକ୍ଷେପ ସବୁ ନିଆଯାଉଛି, ସେଥିରେ ଭାରତରେ ମଧ୍ୟ ଏହିପରି ଏକ ଅବସ୍ଥା ହୋଇପାରେ ବୋଲି ଅନେକ ଭାବୁଛନ୍ତି। କିନ୍ତୁ ଭାରତ କେବଳ ଏକ ବିଶାଳ ଦେଶ ନୁହେଁ, ଦୀର୍ଘ ୭୫ ବର୍ଷରୁ ଉର୍ଦ୍ଧ୍ୱ ସ୍ୱାଧୀନତା ଭିତରେ ଗଣତାନ୍ତ୍ରିକ ଅନୁଷ୍ଠାନ ସହିତ ସାମ୍ବିଧାନିକ ବ୍ୟବସ୍ଥା ଯେପରି ଭାବରେ ଦୃଢ଼ୀଭୂତ ହେଉଛି, ସେଠାରେ କିଛି ଲୋକ ଅସନ୍ତୁଷ୍ଟ ହେଲେ ମଧ୍ୟ ନେପାଳ ପରି ଏକ ଅରାଜକତା ଅବସ୍ଥା ସୃଷ୍ଟି କରିବା ସହଜସାଧ୍ୟ ନୁହେଁ।

ନେପାଳରେ ରାଜତନ୍ତ୍ରର ବିଲୋପ ହୋଇ ସାଧାରଣତନ୍ତ୍ର ପ୍ରତିଷ୍ଠା ହେବାପରେ ଦେଶକୁ ସମ୍ବିଧାନ ପ୍ରଣୟନ ପାଇଁ ପୂରା ୧୦ ବର୍ଷ ଲାଗିଲା। ସେହି ସମୟ ଭିତରେ ଅନେକ ସରକାର ଯାଇଛନ୍ତି ଓ ଆସିଛନ୍ତି। ସମ୍ବିଧାନ ପ୍ରଣୟନ ପରେ ଗତ ୧୦ ବର୍ଷରେ ଦେଶରେ ରାଜନୈତିକ ଅସ୍ଥିରତା ବରାବର ଲାଗି ରହିଥିଲେ ମଧ୍ୟ ମୁଷ୍ଟିମେୟ କେତେଜଣ ନେତା ଗୋଟିଏ ପରେ ଗୋଟିଏ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ସରକାର ଚଳାଇଛନ୍ତି। କିନ୍ତୁ ଦେଶରେ ବେକାରୀ ଓ ଆର୍ଥିକ ସ୍ଥିତି ଖରାପ ହେଉଥିଲେ ମଧ୍ୟ ତାହାକୁ ରୋକାଗଲା ନାହିଁ। ଯେଉଁମାନେ କ୍ଷମତାରେ ବସିଲେ ନିଜ ନିଜ ଭିତରେ ବୁଝାମଣା କରି ବସିଲେ ସେମାନେ କେବଳ ନିଜର ଓ ନିଜ ପରିବାରର ସମ୍ପତି ବୃଦ୍ଧିକଲେ। ଯଦି ଦେଖାଯାଏ ୧୯୯୦ରେ ସେଠାରେ ରାଜତନ୍ତ୍ର ସମାପ୍ତ ହେଲାପରେ ମୋଟ ୩୦ ଜଣ ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ବଦଳିଛନ୍ତି। କୌଣସି ପ୍ରଧାନମନ୍ତ୍ରୀ ପୂରା ସମୟ କାର୍ଯ୍ୟ କରିପାରିନାହାନ୍ତି।

ଯେକୌଣସି ଦେଶର ଯୁବ ସଂପ୍ରଦାୟ ଶିକ୍ଷା ଓ ନିଯୁକ୍ତିକୁ ପ୍ରାଥମିକତା ଦେଇଥାଏ। ଠିକ୍ ଭାରତ ପରି ନେପାଳରେ ଶିକ୍ଷା ବ୍ୟବସ୍ଥା ଏବେ ପୂରାପୂରି ଘରୋଇ ସଂସ୍ଥାମାନଙ୍କ ହାତକୁ ଚାଲିଯାଇଛି। ଏହିସବୁ ଘରୋଇ ସଂସ୍ଥାଗୁଡ଼ିକର ମାଲିକମାନେ ରାଜନୈତିକ ନେତା ବା ସେମାନଙ୍କ ସମ୍ପର୍କୀୟ। ମିଳିଥିବା ତଥ୍ୟ ଅନୁସାରେ ନେପାଳରେ ବେକାରୀ ହାର ୧୨.୫ ଥିବା ସମୟରେ ୧୫ରୁ ୨୪ ବର୍ଷ ବୟସ ଭିତରେ ବେକାରୀ ହାର ଶତକଡ଼ା ୨୨.୭। ଅର୍ଥାତ୍ ଯୁବଗୋଷ୍ଠୀଙ୍କ ପାଖରେ ନିଯୁକ୍ତି ନଥିବାରୁ ହଜାର ହଜାର ସଂଖ୍ୟାରେ ନେପାଳ ଯୁବଗୋଷ୍ଠୀ ଭାରତ ସମେତ ବିଭିନ୍ନ ଦେଶକୁ ଯାଇ ଦାଦନ ଶ୍ରମିକ ଭାବରେ କାମ କରୁଛନ୍ତି। ନେପାଳର ଲୋକସଂଖ୍ୟା ୩ କୋଟିରୁ କମ୍‌, ତଥାପି ସେହି ଦେଶରେ ଶିକ୍ଷିତ ଯୁବକମାନଙ୍କ ପାଇଁ ନିଯୁକ୍ତି ନାହିଁ। ପାଠପଢ଼ା ଖର୍ଚ୍ଚ ଅଧିକ ହେଉଥିବାରୁ ସ୍କୁଲ୍‌ ଶିକ୍ଷା ଉପରକୁ ଯିବା ପାଇଁ ସମସ୍ତଙ୍କ ପାଖରେ ସାଧନ ନାହିଁ।

ନେପାଳ ଗ୍ରାମାଂଚଳରେ ପ୍ରାୟ ୨୦ ଭାଗ ଲୋକ ଗାଁ ଛାଡ଼ି କାମଧନ୍ଦା ପାଇଁ ଅନ୍ୟ ଦେଶକୁ ଯାଉଛନ୍ତି। ଯେଉଁମାନେ ବାହାର ଦେଶକୁ ଯାଇ କାମ କରୁଛନ୍ତି ସେମାନଙ୍କ ଅର୍ଥ ଉପରେ ପରିବାର ପ୍ରତିପୋଷଣ ହେଉଛି। ବାସ୍ତବିକ ବିଦେଶରେ କାମ କରୁଥିବା ଲୋକମାନେ ପରିବାରମାନଙ୍କ ଆୟର ୩୩ ଭାଗ ପୂରଣ କରୁଛନ୍ତି। ନେପାଳୀମାନେ ବିଦେଶରୁ ଲୋକମାନଙ୍କ ନିଯୁକ୍ତି ଯୋଗୁ ପାଉଥିବା ଅର୍ଥର ୫୦ ଭାଗ ଭାରତ ବ୍ୟତୀତ ଅନ୍ୟଦେଶରୁ ଆସୁଛି। ଭାରତରୁ ପ୍ରାୟ ୨୦ ଭାଗ ଆୟ ଯାଉଛି। ଏହି ନେପାଳୀମାନେ କାତାର, ସାଉଦି ଆରବ, ମାଲେସିଆ ଓ ୟୁଏ ପ୍ରଭୃତି ଦେଶରେ ବହୁ ସଂଖ୍ୟାରେ କାମ କରୁଛନ୍ତି। ନେପାଳର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ପରିସ୍ଥିତି ଯାହା ରହିଛି ସେଥିରେ ଯୁବକମାନେ ବିଦ୍ରୋହ କରିବା ସ୍ୱାଭାବିକ ବୋଲି ବିଚାର କରାଯିବ।

କିନ୍ତୁ ଏହି ବିଦ୍ରୋହ ଯେପରି ଭାବରେ ହିଂସା ଓ ବ୍ୟାପକ ଅରାଜକତାରେ ପରିବର୍ତ୍ତିତ ହେଲା ତାହା କଦାପି ନେପାଳ ପାଇଁ ଶୁଭଙ୍କର ନୁହେଁ। ଏହି ଆନ୍ଦୋଳନର କୌଣସି ନେତା ନଥିବାରୁ ଓ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ବିଚାରଧାରା ନଥିବାରୁ ଓ ଯେଉଁପରି ଭାବରେ ବିଦ୍ରୋହୀମାନେ ଦଳମତ ନିର୍ବିଶେଷରେ ନେତାମାନଙ୍କୁ ଆକ୍ରମଣ କରିଛନ୍ତି ଓ ସେମାନଙ୍କ ଘର ଓ ପିଲାମାନଙ୍କୁ ମାଡ଼ ମାରିଛନ୍ତି, ସେଥିରେ ରାଜ୍ୟର ନୂଆ ନେତା ହେବା ପାଇଁ ସହଜରେ କେହି ରାଜି ହେବେ ନାହିଁ। ଫଳରେ ଯାହା ଦେଖାଯାଉଛି ନେପାଳରେ ଯେଉଁ ଆଭ୍ୟନ୍ତରୀଣ ବ୍ୟବସ୍ଥା ହେବ ସେଥିରେ ସେନାବାହିନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ପ୍ରତ୍ୟେକ ନେତାଙ୍କୁ ଏବେ ସୁରକ୍ଷା ଦରକାର। ଏହି ଯୁବଗୋଷ୍ଠୀଙ୍କର କୌଣସି ନେତା ନଥିବାରୁ ସେନାବାହିନୀ ଏମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଜଣେ ସର୍ବସମ୍ମତ ଅନ୍ତରୀଣ ନେତାଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଛି।

ହେଲେ ବଙ୍ଗଳାଦେଶ ପରି ନେପାଳର ଯୁବ ବିଦ୍ରୋହୀମାନେ ଭାରତ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ସେହି ଦୃଷ୍ଟିରୁ ନେପାଳ ନିଜ ସମସ୍ୟାର ସମାଧାନ କଲା ପର୍ଯ୍ୟନ୍ତ ଭାରତକୁ ଅପେକ୍ଷା କରିବାକୁ ପଡ଼ିବ। ନେପାଳ ଆନ୍ଦୋଳନର ବାର୍ତ୍ତା ଯେପରି ଭାରତ ଭିତରକୁ ନ ଆସିବ ସେଥିପାଇଁ ଦେଶର ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ବିଶ୍ୱାସଯୋଗ୍ୟ ପତିଆରା ସୃଷ୍ଟିକାରୀ ପଦକ୍ଷେପ ନେବାକୁ ପଡ଼ିବ। ନିର୍ବାଚନ କମିଶନକୁ ନେଇ ଦେଶରେ ଏବେ ଯେଉଁ ଭାବରେ ଆଲୋଚନା ଚାଲି ଭୋଟ୍ ଚୋରୀକଥା କୁହାଯାଉଛି ତାହାର ଯଥାର୍ଥ ଉତ୍ତର ନିର୍ବାଚନ କମିଶନକୁ ପ୍ରଦାନ କରିବାକୁ ପଡ଼ିବ। ଏହି କ୍ଷେତ୍ରରେ ଦୁଇମାସ ଭିତରେ ହେଉଥିବା ବିହାର ବିଧାନସଭା ନିର୍ବାଚନ ଭାରତୀୟ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପତିଆରା ସୃଷ୍ଟିକାରୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ଜନସାଧାରଣଙ୍କ ଭିତରେ ବିଶ୍ୱାସ ଆଣିବାକୁ ପଡ଼ିବ।

ମୋ- ୮୦୧୮୦୯୪୪୫୫

Nepal Nepal Politics gen-z-protest