Advertisment

ନୂଆପଡ଼ା ଉପନିର୍ବାଚନ ନବୀନଙ୍କ ପାଇଁ ବଡ଼ ପରୀକ୍ଷା

ଅସଲକଥା ହେଉଛି ବିଜୁ ଜନତା ଦଳ ଯେପରି ଏକ କ୍ଷମତା ଆଧାରିତ ଦଳ ଭାବରେ ସଂପ୍ରସାରିତ ହୋଇଥିଲା ଏବେ କ୍ଷମତା ନଥିବା ପରେ ସେହି ସମର୍ଥନ ଅଛି ବୋଲି କହିବା ମୁସ୍‌କିଲ୍। ଏହି ଦଳର ଯିଏ ମୁଖ୍ୟ ଆଧାର ଅର୍ଥାତ୍ ନବୀନ ପଟ୍ଟନାୟକ କ୍ଷମତା ବାହାରେ ପୂର୍ବ ଲୋକପ୍ରିୟତା ବଜାୟ ରଖିଛନ୍ତି ନା ନାହିଁ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ପ୍ରଚାରରେ କେତେ ସମୟ ଦେବେ ତାହା ଉପରେ ଅନେକ କଥା ନିର୍ଭର କରିବ।

author-image
Debendra Prusty
Naveen Patnaik

Naveen Patnaik

ରବି ଦାସ

ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଗତ ସପ୍ତାହରେ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁବରଣ କରିବା ଫଳରେ ନୂଆପଡ଼ା ବିଧାନସଭା ଆସନଟି ଖାଲି ହୋଇଯାଇଛି। ସ୍ୱର୍ଗତଃ ଢୋଲକିଆ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ୨୦୨୪ ବିଧାନସଭା ନିର୍ବାଚନରେ ପ୍ରାୟ ୧୦,୦୦୦ରୁ ଅଧିକ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ଢୋଲକିଆ ସେହି ଆସନରୁ ଆହୁରି ଅଧିକ ଭୋଟ୍‌ରେ ନିର୍ବାଚିତ ହୋଇ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ବିଧାନସଭାକୁ ସେ ପ୍ରଥମେ ୨୦୦୪ ମସିହାରେ ସ୍ୱାଧୀନ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ଥିଲା ଓ ଶାସକ ବିଜୁ ଜନତା ଦଳ ସହିତ ସେ ଜଡ଼ିତ ହୋଇଥିବା ଯୋଗୁ ନୂଆପଡ଼ାରେ ତାଙ୍କର ବ୍ୟକ୍ତିଗତ ପ୍ରତିଷ୍ଠା ମଧ୍ୟ ରହିଥିଲା।

Advertisment

୨୦୨୪ରେ ସେ ନିର୍ବାଚିତ ହେଲେ ମଧ୍ୟ ୨୦୧୯ ଠାରୁ କମ୍ ଭୋଟ୍ ପାଇଥିଲେ। ଗତ ଦୁଇଟି ଯାକ ନିର୍ବାଚନରେ ସେହି ଆସନରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ ଘାସିରାମ ମାଝୀ। ୨୦୧୯ରେ ଘାସୀରାମ ମାଝୀ କଂଗ୍ରେସ ପ୍ରାର୍ଥୀ ଭାବରେ ଯେତିକି ଭୋଟ୍ ପାଇଥିଲେ ୨୦୨୪ରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ସେ ଅଧିକ ଭୋଟ୍ ପାଇଥିଲେ। ୨୦୧୯ରେ ମାଝୀ ୪୫,୩୧୭ ଭୋଟ୍ ପାଇଥିବା ବେଳେ ୨୦୨୪ରେ ସେ ୫୦,୯୪୧ ଭୋଟ୍ ପାଇଥିଲେ। ବାସ୍ତବରେ କଂଗ୍ରେସ ଦଳ ତାଙ୍କୁ ୨୦୨୪ରେ ଟିକେଟ୍ ନଦେବାରୁ ତାଙ୍କ ପ୍ରତି ଏକ ସମବେଦନା ସୃଷ୍ଟି ହୋଇଥିଲା। ସେହି ଆସନରେ ୨୦୨୪ରେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରତିଦ୍ୱନ୍ଦୀତା କରି ମାତ୍ର ୧୫,୫୦୧ ଭୋଟ୍ ପାଇଥିଲେ।

୨୦୧୯ରେ ବିଜେପି ପ୍ରାର୍ଥୀ ସେହି ଆସନରୁ ଯେତେ ଭୋଟ୍ ପାଇଥିଲେ ୨୦୨୪ରେ ତାହା ବଢ଼ିଥିଲେ ମଧ୍ୟ ମୋଟ୍ ଭୋଟ୍ ହାରରେ କମି ଯାଇଥିଲା। ଏହି ଭୋଟ୍ ଯଥାକ୍ରମେ ୨୦୧୯ରେ ୨୯,୪୯୦ ଓ ୨୦୨୪ରେ ୪୪,୮୧୪ ଥିଲା। ଅର୍ଥାତ୍ ମୋଟ୍ ଭୋଟ୍ ହାରରେ ଏହା କମ୍ ହୋଇଥିଲେ ମଧ୍ୟ ବିଜେପିର ଭୋଟ୍ ପରିମାଣ ୨୦୨୪ରେ ବଢ଼ିଥିବାରୁ ଓ ଏବେ ବିଜେପି ରାଜ୍ୟ ଶାସନ କ୍ଷମତାରେ ଥିବାରୁ ନୂଆପଡ଼ା ଉପନିର୍ବାଚନରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବରେ ଲଢ଼ିବା ନିଶ୍ଚିନ୍ତ। ୨୦୨୪ ନିର୍ବାଚନ ଫଳାଫଳକୁ ଦେଖିଲେ ଏବଂ ଘାସିରାମ୍ ମାଝୀ ଯିଏକି ସ୍ୱାଧୀନ ଭାବରେ ଲଢ଼ି କଂଗ୍ରେସରୁ ସସ୍‌ପେଣ୍ଡ୍ ହୋଇଥିଲେ ସେ ଏବେ କଂଗ୍ରେସକୁ ଫେରିଆସି ଥିବାରୁ ଗଣିତ ହିସାବରେ ତାଙ୍କ ସ୍ଥାନ ଏବେ ସେହି ଆସନରେ ଅଗ୍ରଣୀ ଭୂମିକାରେ ରହିବ।

Advertisment

ସେହି ଆସନଟି ବିଜୁ ଜନତା ଦଳ ହାତରେ ଥିବାରୁ ଓ ନୂଆପଡ଼ା ଜିଲ୍ଲାର ଅନ୍ୟ ଆସନଟି ମଧ୍ୟ ବିଜେଡ଼ି ହାତରେ ଥିବାରୁ ବିଜେଡ଼ି ପାଇଁ ଏହି ଆସନ ରକ୍ଷା କରିବା ସବୁଠାରୁ ବଡ଼ ଆହ୍ୱାନଭରା ହେବ। ନବୀନ ପଟ୍ଟନାୟକ କ୍ଷମତାରେ ଥିଲାବେଳେ ବିଜୁ ଜନତା ଦଳର ଯେଉଁ ପ୍ରତିଷ୍ଠା ଓ ପ୍ରଭାବ ରହିଥିଲା ସେଥିରେ ଏବେ ଅନେକ ପରିମାଣରେ ହ୍ରାସ ପାଇଥିବା କୁହାଯାଉଛି। ବିଜେଡ଼ି ଭିତରେ ଆଭ୍ୟନ୍ତରୀଣ ବିବାଦ ଓ ମତଭେଦ ସହିତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଯେଉଁ ଆକର୍ଷଣ ଥିଲା ତାହା କମିବା ଆରମ୍ଭ କରିଛି। ଯେଉଁ ଦଳରେ କୌଣସି ନେତା କେବେ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ଚାଲେଞ୍ଜ କରୁନଥିଲେ ଏବେ ସେମାନେ ଖୋଲାଖୋଲି ଭାବରେ ମତପ୍ରକାଶ କରି ଗତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ସେମାନେ ଦାୟୀ ବୋଲି ବିଚାର କରୁଥିବା ଭି.କେ ପାଣ୍ଡିଆନ୍ ଏବେ ବି ନବୀନଙ୍କ ସବୁଠାରୁ ବିଶ୍ୱସ୍ତ ଭାବରେ ରହି ପରୋକ୍ଷରେ ଦଳକୁ ପରିଚାଳନା କରୁଥିବାରୁ ଅସନ୍ତୋଷ ବଢ଼ିଛି।

କିନ୍ତୁ ବିଜେଡ଼ିର ଅଧିକାଂଶ ସମର୍ଥକମାନଙ୍କ ବିଶ୍ୱାସ ଯେ, ନବୀନଙ୍କର ଲୋକପ୍ରିୟତା ଏବେ ବି କାଏମ ରହିଛି। ବିଶେଷ ଭାବରେ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ପ୍ରତିଷ୍ଠା କରାଯାଇଥିବା ବିଜେପି ସରକାର ଯେତେଯାହା କାର୍ଯ୍ୟକ୍ରମ ଘୋଷଣା କଲେ ମଧ୍ୟ ନବୀନ ସରକାର ପରି ଲୋକପ୍ରିୟତା ହାସଲ କରିନାହିଁ ବୋଲି ଏହି ବିଜେଡ଼ି ସମର୍ଥକମାନେ ବିଶ୍ୱାସ କରୁଛନ୍ତି। ରାଜେନ୍ଦ୍ର ଢୋଲକିଆ ଲୋକପ୍ରିୟ ନେତା ଥିବାରୁ ଉପନିର୍ବାଚନରେ ତାଙ୍କ ପରିବାରରୁ କେହି ପ୍ରାର୍ଥୀ ହେଲେ ସମବେଦନାମୂଳକ ସମର୍ଥନ ପାଇବେ ବୋଲି ଧରି ନିଆଯାଇଛି। କାରଣ ଓଡ଼ିଶାରେ ଅଧିକାଂଶ ଉପନିର୍ବାଚନରେ ଦିବଙ୍ଗତ ନେତାଙ୍କର ପରିବାରରୁ କେହି ପ୍ରାର୍ଥୀ ହେଲେ ତାଙ୍କର ବିଜୟ ସୁବିଧା ହୁଏ। ଏହାଛଡ଼ା ନୂଆପଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ଓ ପଂଚାୟତ ବ୍ୟବସ୍ଥା ବିଜେଡ଼ି ନିୟନ୍ତ୍ରଣରେ ରହିଛି। ସେହି ଦୃଷ୍ଟିରୁ ଉପନିର୍ବାଚନ ଲଢ଼ିବା ପାଇଁ ବିଜେଡ଼ିର କର୍ମୀ ସମ୍ବଳ ସହିତ ଆର୍ଥିକ ସମ୍ବଳର ଅଭାବ ନାହିଁ।

ତେବେ ଅସଲକଥା ହେଉଛି ବିଜୁ ଜନତା ଦଳ ଯେପରି ଏକ କ୍ଷମତା ଆଧାରିତ ଦଳ ଭାବରେ ସଂପ୍ରସାରିତ ହୋଇଥିଲା ଏବେ କ୍ଷମତା ନଥିବା ପରେ ସେହି ସମର୍ଥନ ଅଛି ବୋଲି କହିବା ମୁସ୍‌କିଲ୍। ଏହି ଦଳର ଯିଏ ମୁଖ୍ୟ ଆଧାର ଅର୍ଥାତ୍ ନବୀନ ପଟ୍ଟନାୟକ କ୍ଷମତା ବାହାରେ ପୂର୍ବ ଲୋକପ୍ରିୟତା ବଜାୟ ରଖିଛନ୍ତି ନା ନାହିଁ ଓ ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନ ପ୍ରଚାରରେ କେତେ ସମୟ ଦେବେ ତାହା ଉପରେ ଅନେକ କଥା ନିର୍ଭର କରିବ। ଯଦି ନବୀନ ପ୍ରଚାର କରି ମଧ୍ୟ ବିଜେଡ଼ିର ଏକ ଗଡ଼ ବୋଲି ଧରାଯାଉଥିବା ନୂଆପଡ଼ା ଆସନରେ ଦଳ ପରାଜିତ ହୁଏ, ତେବେ ତାହାର ପରବର୍ତ୍ତୀ ଅବସ୍ଥା ଦଳ ପାଇଁ କ’ଣ ହେବ ତାହା ବିଚାର ସାପେକ୍ଷ।

ଗତ ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ସମ୍ଭବତଃ ଏହା ରାଜନୈତିକ ଦଳମାନଙ୍କର ପ୍ରଥମ ଶକ୍ତି ପରୀକ୍ଷା ହେବ। ମୋହନ ମାଝୀଙ୍କ ସରକାର କେତେଦୂର ଲୋକପ୍ରିୟତା ହାସଲ କରିଛି ଓ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ଲୋକମାନଙ୍କୁ କିପରି ଆକର୍ଷିତ କରୁଛି ତାହା ସେଠାରେ ପରୀକ୍ଷିତ ହେବ। ବିଜେପି ସେଠାରେ ଦୁର୍ବଳ ନୁହେଁ। ଏବେ ରାଜ୍ୟରେ କ୍ଷମତା ଥିବାରୁ ଉପନିର୍ବାଚନରେ କ୍ଷମତାର ପରୋକ୍ଷ ପ୍ରୟୋଗ ବିଜେପି କରିପାରିବ। ଏହାଛଡ଼ା ପଡ଼ୋଶୀ ଛତିଶଗଡ଼ରେ ବିଜେପିର ସରକାର ରହିଛି। ଉପନିର୍ବାଚନ ସମୟରେ ପଡ଼ୋଶୀ ଛତିଶଗଡ଼ରୁ ବହୁ ପରିମାଣର ବିଜେପି କର୍ମୀ ଓ ନେତା ନୂଆପଡ଼ାରେ ନିଶ୍ଚିନ୍ତ ଆସି ଦଳ ପାଇଁ କାମ କରିବେ। ଏହି ଦଳ ପାଖରେ ସମ୍ବଳର ଅଭାବ ନାହିଁ। କିନ୍ତୁ ଗତ ନିର୍ବାଚନରେ ମୋଦୀଙ୍କ ନେତୃତ୍ୱ ଦଳପାଇଁ ଏକ ମୁଖ୍ୟ ଆକର୍ଷଣ ଥିଲା। ଉପନିର୍ବାଚନରେ ମୋଦୀ ନିର୍ବାଚନ ପ୍ରଚାର ପାଇଁ ଆସିବେ ନାହିଁ। ଅର୍ଥାତ୍ ରାଜ୍ୟ ନେତାମାନଙ୍କ ସଂଗଠନ ଓ ଆକର୍ଷଣ ଦଳ ପାଇଁ କାର୍ଯ୍ୟ କରିବ।

ବିଜେପିର ଦୃଢ଼ ବିଶ୍ୱାସ ଯେ, ଯେହେତୁ ସେମାନେ ରାଜ୍ୟ ସରକାରରେ ଅଛନ୍ତି ଓ ଗତ ନିର୍ବାଚନରେ ସେମାନେ ପ୍ରାୟ ୪୪ ହଜାର ଭୋଟ୍ ପାଇଥିଲେ ଏଥର ସେହି ଭୋଟ୍‌କୁ ଦଳ ଆଉ ୨୦ ହଜାରରୁ ଅଧିକ ବଢ଼ାଇବା ସମ୍ଭବ ହେବ। ବିଜେପିର ବଡ଼ ବିଶ୍ୱାସ ଯେ, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ବର୍ତ୍ତମାନ ସୁଦ୍ଧା ୩ଟି କିସ୍ତିରେ ପ୍ରାୟ ୧୫ ହଜାର ଟଙ୍କା ଦିଆଯାଇଛି। ତାହା ଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ନୂଆପଡ଼ା ସମ୍ପୂର୍ଣ୍ଣ ଭାବରେ ଏକ କୃଷି ପ୍ରଧାନ ଅଂଚଳ। ତେଣୁ ଚାଷୀମାନଙ୍କୁ ଧାନ ଖରଦିରେ କ୍ୱିଟାଲ୍ ପିଛା ୩୧୦୦ ଟଙ୍କା ଦିଆଯାଉଛି ତାହାର ଏକ ପ୍ରଭାବ ଚାଷୀମାନଙ୍କ ଉପରେ ନିଶ୍ଚୟ ପଡ଼ିବ। ଯଦି ଏହିସବୁ କାରଣରୁ ବିଜେପି ପ୍ରାର୍ଥୀ ଏହି ଉପନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ଦଳ ପୂରାପୂରି ଭାବେ ଦାବି କରିପାରିବ ଯେ, ମୋହନ ମାଝୀଙ୍କ ସରକାର ଲୋକପ୍ରିୟତା ହାସଲ କରିଛି।

କଂଗ୍ରେସ ଦଳ ପାଇଁ ନୂଆପଡ଼ା ସ୍ଥିତି ସୁବିଧା ଜନକ ଥିବା ଗତ ନିର୍ବାଚନ ଫଳାଫଳଗୁଡ଼ିକରୁ ସହଜରେ ଅନୁମାନ କରାଯାଇପରେ। ଯେହେତୁ ଘାସିରାମ ମାଝୀ କଂଗ୍ରେସରେ ଯୋଗ ଦେଇଛନ୍ତି ଓ ସେ କଂଗ୍ରେସ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିନ୍ତ ତେଣୁ କଂଗ୍ରେସ ସପକ୍ଷରେ ସେଠାରେ ଏକ ସୁବିଧା ଜନକ ସ୍ଥିତି ପ୍ରଥମରୁ ରହିବ। ଓଡ଼ିଶାରେ କଂଗ୍ରେସ ଦଳର ଜନାଧାର ଅନ୍ୟଆଡ଼େ ଯଥେଷ୍ଟ କମ୍ ଥିଲେ ମଧ୍ୟ ଘାସିରାମ୍ ମାଝୀ କଂଗ୍ରେସରେ ମିଶିବା ଫଳରେ ସେଠାରେ ଦଳର ସ୍ଥିତି ଆଦୌ ଦୁର୍ବଳ ନୁହେଁ। ତା’ ଠାରୁ ବଡ଼ କଥା ହେଉଛି ଯେ, ଓଡ଼ିଶା କଂଗ୍ରେସର ସଭାପତି ଆସନରେ ଥିବା ଭକ୍ତ ଚରଣ ଦାସଙ୍କର ଏହା ନିଜସ୍ୱ ଅଂଚଳ। ସେ ବାରମ୍ବାର କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି ଓ ବାରମ୍ବାର ପ୍ରତିଯୋଗୀତା କରିଛନ୍ତି। ନୂଆପଡ଼ା ତାଙ୍କ ନିର୍ବାଚନ ମଣ୍ଡଳୀର ଅଂଶବିଶେଷ ଭାବରେ ସେଠାକାର ଜନସାଧାରଣ ତାଙ୍କୁ ଭଲଭାବରେ ଜାଣନ୍ତି। ଭକ୍ତ ଚରଣ ଦାସଙ୍କର ଉପକୂଳ ଓଡ଼ିଶାରେ ନେତୃତ୍ୱ ଓ ପତିଆରା ନେଇ କିଛି ପ୍ରଶ୍ନ କରାଯାଉଥିଲେ ମଧ୍ୟ ନୂଆପଡ଼ା ଅଂଚଳରେ କେହି ବି ସେ ପ୍ରଶ୍ନ ଉଠାଇଲେ ନାହିଁ। ବାସ୍ତବରେ ଓଡ଼ିଶାର ଅନ୍ୟଦଳର ରାଜ୍ୟ ନେତାମାନଙ୍କ ଠାରୁ ଭକ୍ତ ଚରଣ ଦାସଙ୍କର ସେଠାରେ ଏକ ନିଜସ୍ୱ ପରିଚିତି ଓ ପ୍ରତିଷ୍ଠା ରହିଛି। ଏହାଛଡ଼ା ୨୦୨୪ରେ କଂଗ୍ରେସର ଯେଉଁ ସ୍ଥିତି ସାରା ଦେଶରେ ଥିଲା ଏବେ ସେଥିରେ ଯଥେଷ୍ଟ ଉନ୍ନତି ହୋଇଛି। କଂଗ୍ରେସର ମୁଖ୍ୟନେତା ରାହୁଲ ଗାନ୍ଧୀଙ୍କୁ ସାରାଦେଶରେ ବର୍ତମାନ ସରକାରର ଏକ ବିକଳ୍ପ ନେତୃତ୍ୱ ଭାବରେ ବିଚାର କରାଯାଉଛି। ରାହୁଲ ଗାନ୍ଧୀଙ୍କ ଆକର୍ଷଣ ଯୋଗୁ କଂଗ୍ରେସ ଦଳ ନିର୍ବାଚନ ପ୍ରଚାରରେ ସାହାସର ସହିତ କାମ କରିବାରେ କିଛି ଅସୁବିଧା ହେବନାହିଁ। ଯଦି କଂଗ୍ରେସ ଏହି ଆସନ ଜିତେ, ତେବେ ଓଡ଼ିଶାରେ କଂଗ୍ରେସ ଦଳ ପୁର୍ନବାର ଜୀବନ ଲାଭ କରୁଥିବା ପ୍ରମାଣିତ ହେବ। ତେଣୁ କଂଗ୍ରେସ ପାଇଁ ମଧ୍ୟ ଏହି ନିର୍ବାଚନଟି ଆହ୍ୱାନଭରା ହେବ।

ନୂଆପଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର୍ କାମ ଆରମ୍ଭ କରିସାରିଛନ୍ତି। ବିହାର ବିଧାନସଭା ନିର୍ବାଚନ ସହିତ ଯେପରି ନୂଆପଡ଼ାରେ ଉପନିର୍ବାଚନ ହୋଇପାରିବ ସେଥିପାଇଁ ସେଠାରେ ଏସ୍‌ଆଇଆର୍ ପ୍ରକ୍ରିୟା ୧୪ ତାରିଖରୁ ଆରମ୍ଭ ହୋଇଛି। ମାସ ଶେଷ ସୁଦ୍ଧା ସେହି ନିର୍ବାଚନ ମଣ୍ଡଳୀର ସଂଶୋଧିତ ଭୋଟର୍ ତାଲିକା ପ୍ରକାଶ ପାଇଯିବ ବୋଲି ଜଣାପଡ଼ିଲାଣି। ତା’ପରେ ଯେଉଁ ଅଭିଯୋଗ ହେବ ସେଗୁଡ଼ିକ ହୁଏତ ସାତଦିନ ଭିତରେ ଶେଷ ହୋଇଯିବ। ତେଣୁ ନୂଆପଡ଼ା ଉପନିର୍ବାଚନ ଯେ ଖୁବ୍‌ଶୀଘ୍ର ହେବ ସେନେଇ କୌଣସି ସନ୍ଦେହ ନାହିଁ।

ମୋ- ୮୦୧୮୦୯୪୪୫୫

BjD Bjp Congress Naveen Patnaik Nuapada