Advertisment

Nuapad Bye Election: ନୂଆପଡ଼ାରୁ ମିଳିବ ନୂଆ ବାର୍ତ୍ତା!

ଏହି ଉପନିର୍ବାଚନ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ନିଜକୁ ଉପସ୍ଥାପିତ କରୁଥିବା ମୋହନ ମାଝୀ, ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ପରୀକ୍ଷା କରିବାକୁ ଯାଉଛି।

author-image
Janakish Badapanda
nuapada

Nuapada Bye Election Photograph: (Otv)

ଜାନକୀଶ ବଡ଼ପଣ୍ଡା

ଭାରତର ନିର୍ବାଚନ ଆୟୋଗ ଗତ ଅକ୍ଟୋବର ୬ ତାରିଖ ଅପରାହ୍ନରେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଆଦିବାସୀବହୁଳ ନୂଆପଡ଼ା ବିଧାନସଭା କ୍ଷେତ୍ର ପାଇଁ ଏହି ଉପନିର୍ବାଚନ ଯେତିକି ଗୁରୁତ୍ୱ ବହନ କରେ, କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ପାଇଁ ତାହା ଅପେକ୍ଷା ବହୁ ଗୁଣରେ ଅଧିକ ଗୁରୁତ୍ୱ ବହନ କରୁଥିବାରୁ ନୂଆପଡ଼ା ଏବେ ଚର୍ଚ୍ଚାରେ।

Advertisment

ସେପ୍ଟେମ୍ବର ୮, ୨୦୨୫ରେ ବିଜୁ ଜନତା ଦଳର ସ୍ଥାନୀୟ ଲୋକପ୍ରିୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୮ ବର୍ଷ ବୟସରେ ବୃକକ୍ ଜନିତ ରୋଗ ଯୋଗୁଁ ଅକାଳ ମୃତ୍ୟୁ ବରଣ କରିଥିଲେ। ସେହି କାରଣରୁ ବିଧାନସଭାରେ ନୂଆପଡ଼ା ଆସନଟି ଖାଲି ପଡ଼ିଥିଲା ଏବଂ ଏହି ଉପନିର୍ବାଚନ ଆବଶ୍ୟକ ପଡ଼ିଲା। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ନୂଆପଡ଼ା ଆସନ ପାଇଁ ମତଦାନ ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟ ବିହାର ରାଜ୍ୟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଭୋଟ ଗଣତି ନଭେମ୍ବର ୧୪ ତାରିଖରେ ହେବା ପାଇଁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ ସୂଚନା ବି ଦେଇଛନ୍ତି। ନିର୍ବାଚନ ଆୟୋଗ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନ ପ୍ରତିନିଧି ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର୍) କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବରିଷ୍ଠ ବିଜେଡି ନେତା ଏବଂ ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ପ୍ରବଳ ଜନମତ ଥିବା ସତ୍ତ୍ୱେ ୫୨ ପ୍ରତିଶତ ଭୋଟ ପାଇ ନୂଆପଡ଼ା ବିଧାନସଭା ଆସନ ଜିତିଥିଲେ। ସେଥିପାଇଁ ନୂଆପଡ଼ାକୁ ବିଜୁ ଜନତା ଦଳର ଗଡ଼ କୁହାଯାଏ। ତାଙ୍କ ପରଲୋକରେ ଆଦିବାସୀ ଏବଂ କୃଷକ ଅଧ୍ୟୁଷିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବିଗତ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜୁ ଜନତା ଦଳ ପାଇଁ ଏହି ଆସନକୁ ହାତରେ ରଖିବା ଗୁରୁତ୍ୱପୂର୍ଣ୍ଣ। ଏଣୁ କ୍ଷମତାଚ୍ୟୁତ ବିଜେଡି, ଶାସକ ବିଜେପି ଏବଂ ନିଜକୁ ପ୍ରକୃତ ବିରୋଧୀ ଦଳ ଭାବେ ଉପସ୍ଥାପିତ କରି ପତିଆରା ଫେରି ପାଇବାକୁ ସଂଘର୍ଷ କରୁଥିବା କଂଗ୍ରେସ ସମେତ ରାଜନୈତିକ ଦଳଗୁଡ଼ିକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। କଂଗ୍ରେସ ପ୍ରଥମ ଦଳ ଭାବେ ନିଜର ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛି। ବିଜେଡି ପକ୍ଷରୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବାକୁ ସମ୍ଭବତଃ ନିଷ୍ପତ୍ତି ନିଆ ଯାଇସାରିଛି; କେବଳ ଘୋଷଣା ହେବା ବାକି ରହିଛି। ପଛରେ ପଡ଼ିଥିବା ଭାଜପା ଖୁବ୍ ଶୀଘ୍ର ପ୍ରାର୍ଥୀ ସ୍ଥିର କରି ଘୋଷଣା କରିବାର ସମ୍ଭାବନା ରହିଛି। 

Advertisment

ରାଜ୍ୟରେ ପରିବର୍ତ୍ତନଶୀଳ ରାଜନୈତିକ ଗତିଶୀଳତା ମଧ୍ୟରେ ଏହି ଉପନିର୍ବାଚନ ଓଡ଼ିଶାରେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଓ କଂଗ୍ରେସ ପାଇଁ ଏକ ଅଗ୍ନି ପରୀକ୍ଷା ଭାବରେ ଉଭା ହୋଇସାରିଛି। ଏହି ଉପନିର୍ବାଚନ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ନିଜକୁ ଉପସ୍ଥାପିତ କରୁଥିବା ମୋହନ ମାଝୀ, ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ପରୀକ୍ଷା କରିବାକୁ ଯାଉଛି। ଏହି ନେତାମାନେ ପ୍ରଥମ ଥର ପାଇଁ ନୂତନ ଭୂମିକାରେ ପ୍ରଥମ ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନର ଫଳାଫଳ ଭାରତୀୟ ଜନତା ପାର୍ଟି (ଭାଜପା) ସରକାରଙ୍କ ଲୋକପ୍ରିୟତାକୁ ପରୀକ୍ଷା କରିବ, ଯଦିଓ ସ୍ଥାୟିତ୍ୱକୁ ପ୍ରଭାବିତ କରିପାରିବ ନାହିଁ। କିନ୍ତୁ ଏହା ନିଃସନ୍ଦେହରେ ୧୭ ମାସିଆ ଭାଜପା ସରକାରଙ୍କ ସଫଳତା ସହିତ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ନେତୃତ୍ୱର ଗୁଣବତ୍ତା ପରୀକ୍ଷା କରିବ।

ଭାଜପା ଶାସିତ ଛତିଶଗଡ଼ ସୀମାନ୍ତବର୍ତ୍ତୀ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱର୍ଗତ ଢୋଲକିଆ ତିନି ଥର ଜିତିଥିଲେ। ୨୦୦୦ ମସିହାରେ ସ୍ୱାଧୀନ ଭାବରେ ଏବଂ ବିଜେଡି ବିଧାୟକ ଭାବରେ ଦୁଇ ଥର ସେ ପ୍ରତିନିଧିତ୍ୱ କରିଥିଲେ। ସେହି ଆସନରୁ ପୂର୍ବତନ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଦୁଇ ଥର ବିଜୟ ହାସଲ କରିଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ନିଜର ବ୍ୟକ୍ତିଗତ ସମ୍ପର୍କ ବ୍ୟତୀତ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟତା କାରଣରୁ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ବିଜୟ ସମ୍ଭାବନା ଦୃଢ଼ ହୋଇଥିଲା ଏବଂ ନୂଆପଡା ବିଜେଡି ଦୁର୍ଗରେ ପରିଣତ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଜେଡି ଟିକେଟ୍ ମିଳିଗଲେ କେବଳ ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ଜିତିବା ସମ୍ଭବ ହେଉଥିଲା।

୨୦୨୪ ପରେ ପୂର୍ବର ରାଜନୈତିକ ଗତିଶୀଳତା ନାଟକୀୟ ଭାବରେ ପରିବର୍ତ୍ତନ ହୋଇଛି। ଭାଜପାର ଆଶ୍ଚର୍ଯ୍ୟଜନକ ବିଜୟ ରାଜ୍ୟରେ ତୃଣମୂଳ ସ୍ତରୀୟ ବାସ୍ତବତାକୁ ଭାଙ୍ଗି ଦେଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ନିଜ ଶକ୍ତି ବଳରେ କ୍ଷମତାକୁ ଆସିଛି ଭାଜପା। ବିଜେଡିର ବାରମ୍ବାର ବିଜୟ ହାସଲ ପଛରେ ରାଜ୍ୟର ଶାସନ କଳ, ଅର୍ଥ ଏବଂ ବାହୁବଳର ଭୂମିକା ଥିବାର ଅଭିଯୋଗ କରୁଥିବା ଭାଜପା ବର୍ତ୍ତମାନ ନିଜକୁ ସେହି ସମୀକରଣର ଅପର ପାର୍ଶ୍ୱରେ ଦେଖିବାକୁ ପାଇବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମଙ୍କ ପରି ମୁଖ୍ୟମନ୍ତ୍ରୀ-ଆଶାୟୀଙ୍କ ବଦଳରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ମିଳିଥିବାରୁ ନୂଆପଡ଼ା ଉପନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ନେବାର ଦାୟିତ୍ୱ ଏବେ ମୋହନ ମାଝୀଙ୍କ ଉପରେ ନ୍ୟସ୍ତ ହୋଇ ଯାଇଛି। ଗତ ୧୫ ମାସର କାର୍ଯ୍ୟକାଳରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଶାସନକାଳର ଉତ୍କର୍ଷ ଅପେକ୍ଷା ବ୍ୟକ୍ତିଗତ ଭାବେ ଭଲ ମଣିଷର ଉଦାହରଣ ସୃଷ୍ଟି କରି ପାରିଛନ୍ତି ଏବଂ ଭାଜପାକୁ ନିଜ ପଛରେ ଏକତ୍ରିତ କରିବାକୁ ଚେଷ୍ଟା କରିଛନ୍ତି। ନୂଆପଡ଼ାରେ ବିଜୟଲାଭ କଲେ ଏହା କେବଳ ତାଙ୍କର ଶାସନ ପ୍ରଣାଳୀ ଉପରେ ନୂଆପଡ଼ାବାସୀ ତଥା ଓଡ଼ିଶାବାସୀଙ୍କ ସମର୍ଥନ ସୂଚକ ମୋହର ମାରିବ ନାହିଁ ବରଂ ତାଙ୍କ ନେତୃତ୍ୱ ସପକ୍ଷରେ ମଧ୍ୟ ବରଦାନ ସାବ୍ୟସ୍ତ ହେବ।

ନବୀନ ପଟ୍ଟନାୟକଙ୍କ ପାଇଁ ଏହି ଉପନିର୍ବାଚନ ଏକ ନୂତନ ପ୍ରକାରର ଆହ୍ୱାନ ସୃଷ୍ଟି କରିଛି। ଏବେ ସିନା ବିରୋଧୀ ଦଳରେ ଥାଇ ଉପନିର୍ବାଚନରେ ନେତୃତ୍ୱ ନେବା ହେବ ତାଙ୍କର ପ୍ରଥମ ଅଭିଜ୍ଞତା, କିନ୍ତୁ ସେ ଅତୀତରେ ସର୍ବଦା କ୍ଷମତାର ଅଳିନ୍ଦରୁ ହିଁ ପ୍ରତିଦ୍ୱନ୍ଦ୍ୱିତା କରିଆସିଥିଲେ। ସେତେବେଳେ ରାଜ୍ୟ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ପ୍ରାୟତଃ ତାଙ୍କର ଶାସକ ଦଳ ସପକ୍ଷରେ ଢଳି ରହୁଥିବାର ଦେଖାଯାଉଥିଲା। ବର୍ତ୍ତମାନ ସେ ଆଉ କ୍ଷମତାରେ ନାହାନ୍ତି। ନିର୍ବାଚନରେ ହାରି ବିରୋଧୀ ଦଳରେ ବସୁଥିବା ସର୍ବବୃହତ୍ ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ସରକାରରେ ନଥାଇ ନିଜର ଲୋକପ୍ରିୟତାର ପରୀକ୍ଷା ଦେବେ।

ଏହି ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ବ୍ୟତୀତ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି, ଯାହା ବର୍ତ୍ତମାନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ରହିଥିବା ଭକ୍ତ ଚରଣ ଦାସଙ୍କ ସଂସଦୀୟ କ୍ଷେତ୍ର। ରାଜ୍ୟ କଂଗ୍ରେସ ଦଳର ମୁଖ୍ୟ ଭାବେ ସେ ନିଯୁକ୍ତି ପାଇବା ପରେ ଏହା ମଧ୍ୟ ତାଙ୍କର ପ୍ରଥମ ନିର୍ବାଚନ ହୋଇଥିବାରୁ ଉପନିର୍ବାଚନ ଫଳାଫଳ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏଠାରେ ଦଳର ପ୍ରାର୍ଥୀ ଖରାପ ପ୍ରଦର୍ଶନ କଲେ କଂଗ୍ରେସ ଦଳର ପ୍ରାସଙ୍ଗିକତା ଏବଂ ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠିବ।

ମୋହନ, ନବୀନ ଏବଂ ଭକ୍ତଙ୍କ ପାଇଁ ନୂଆପଡ଼ା ଉପନିର୍ବାଚନ ବାଜି କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ବିଜେଡି ବିଜୟ ଲାଭ କଲେ ନବୀନଙ୍କ ମଳିନ ଭାବମୂର୍ତ୍ତି ପୁଣିଥରେ ଝଟକିବ, ଦଳର କର୍ମୀ ଓ ନେତାଙ୍କ ଉତ୍ସାହ ବଢିବା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ବିଜୟ ଧାରା ଫେରିପାଇବାରେ ସାହାଯ୍ୟ କରିବ। ସର୍ବୋପରି, ନବୀନ କେବଳ ଭିଡିଓ ବାର୍ତ୍ତା ମାଧ୍ୟମରେ ଯେ, ଦଳର ପ୍ରାର୍ଥୀଙ୍କୁ ବିଜୟର ଟୀକା ପିନ୍ଧାଇବାକୁ ସକ୍ଷମ, ଦେଶକୁ ଏଭଳି ଏକ ବିରଳ ବାର୍ତ୍ତା ଯିବା ସହିତ, ରଣନୀତିକାରଙ୍କ ସପକ୍ଷରେ ଅନୁକୂଳ ବାତାବରଣ ସୃଷ୍ଟି ହେବା ନିଶ୍ଚିତ। ଗତ ନିର୍ବାଚନରେ ଦୟନୀୟ ତୃତୀୟ ସ୍ଥାନ ପାଇଥିବା ଭାଜପାର ବିଜୟ ହେଲେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିବ। ଅନ୍ୟପକ୍ଷରେ, କଂଗ୍ରେସ ପ୍ରାର୍ଥୀ ଜିଣିଲେ ସ୍ରୋତ ବିପରୀତରେ ଯାଇ ଏହି ଆଶ୍ଚର୍ଯ୍ୟଜନକ ବିଜୟ ଲାଭ କରିବ; ଯାହା ଏହାର କର୍ମୀଙ୍କ ଆତ୍ମବିଶ୍ୱାସକୁ ପୁନର୍ଜୀବିତ କରିବ। କଂଗ୍ରେସ ଦଳ ଓଡ଼ିଶାରେ ହରାଇଥିବା ଭିତ୍ତିଭୂମି ପୁନରୁଦ୍ଧାର କରିବା ପାଇଁ ସଙ୍କେତ ଦେବ ଏବଂ ସଭାପତି ଭକ୍ତ ଚରଣ ଦାସ ନିଜର ସ୍ୱାଭାବିକ କାର୍ଯ୍ୟକାଳ ସଂପୂର୍ଣ୍ଣ କରିବାରେ ବିରୋଧ ଦେଖିବାକୁ ମିଳି ନପାରେ।

ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣାର ଦିନକ ଭିତରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନୂଆପଡ଼ା ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ଦଳ ଉପନିର୍ବାଚନ ମଇଦାନରେ ଓହ୍ଲାଇବ। ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାର ପ୍ରସ୍ତୁତି କରିଛି। ସୂଚନା ଅନୁସାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଓ ରାଜନୀତିକ ବ୍ୟାପାର କମିଟିର ସର୍ବସମ୍ମତି ପ୍ରସ୍ତାବକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ ଦେବାପରେ ଘାସିରାମ ମାଝୀଙ୍କୁ ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବାକୁ କୁହାଯାଇଛି। ୨୦୨୪ ସାଧାରଣ ନିର୍ବାଚନକୁ ମିଶାଇଲେ ଶ୍ରୀ ମାଝୀ ନୂଆପଡ଼ା ବିଧାନସଭା ଆସନରୁ ୩ ଥର ଲଢ଼ି ପରାଜିତ ହୋଇଛନ୍ତି। ୨୦୧୪ ଓ ୨୦୧୯ରେ ସେ କଂଗ୍ରେସ ପ୍ରାର୍ଥୀ ଥିବାବେଳେ ୨୦୨୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୫୦,୯୪୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ଦଳ ପକ୍ଷରୁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରାଯିବାକୁ ସ୍ଥିର ହୋଇଛି। 

ବିଜେଡି ପ୍ରାର୍ଥୀ ଭାବେ ଦିବଙ୍ଗତ ବିଧାୟକଙ୍କ ସୁପୁତ୍ର ଯୁବ ନେତା ଜୟ ଢ଼ୋଲକିଆ ମଇଦାନକୁ ଓହ୍ଲାଇବା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ଓ ସ୍ୱୟଂ ଆଶାୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ନୂଆଦିଲ୍ଲୀକୁ ଡାକି ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ଦଳର ଅଧ୍ୟକ୍ଷ ନବୀନ ଆଲୋଚନା କରିଥିଲେ। ଦଳ ସପକ୍ଷରେ ଜନମତ ବୃଦ୍ଧି ପାଇଁ ନବୀନ ଭୁବନେଶ୍ୱର ଫେରିବା ଜରୁରୀ ବୋଲି ନବୀନଙ୍କୁ କୁହାଯାଇଛି। ବିଜେଡି ନୂଆପଡ଼ା ଉପନିର୍ବାଚନରେ ୪୦ରୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ଦଳର ନେତ୍ରୀ ପ୍ରମିଳା ମଲ୍ଲିକ ଦମ୍ଭୋକ୍ତି କରିଛନ୍ତି।

ବିରୋଧୀ ଦଳମାନଙ୍କ ସଜବାଜ ଦେଖାଗଲା ବେଳକୁ ଭାଜପା ନିଜର କାର୍ଡ ଖୋଲିଲା ଭଳି ଦେଖା ଯାଉନାହିଁ। ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନ ଭଳି ନୂଆପଡ଼ାରେ ମଧ୍ୟ ବିଜେପିକୁ ରାଜ୍ୟବାସୀ ଆଶୀର୍ବାଦ କରିବେ। ନୂଆପଡ଼ାରେ କିଏ ପ୍ରାର୍ଥୀ ହେବେ, ତାହା ଦଳର ଶୀର୍ଷ ନେତୃତ୍ୱ ଚୟନ କମିଟି ସହ ଆଲୋଚନା ପରେ ଘୋଷଣା କରିବେ। ଫଳାଫଳ କ’ଣ ହେବ ତାହା ଲୋକେ ନିର୍ଣ୍ଣୟ କରିବେ। କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧୫ ମାସରେ ଆମେ କ’ଣ କରିଛୁ ତାହା କହିବୁ। ବିଜେଡି ୨୪ ବର୍ଷ ଓ କଂଗ୍ରେସ ୪୦ ବର୍ଷ ଭିତରେ କ’ଣ କରିଛି କହିବେ ବୋଲି ସାମଲ କହିଛନ୍ତି।

ଅନୁକମ୍ପା ଆଧାରରେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ସୁପୁତ୍ର ଯୁବ ନେତା ଜୟ ଢ଼ୋଲକିଆଙ୍କୁ ପ୍ରାର୍ଥୀ କରି ବିଜୟ ସମ୍ଭାବନାକୁ ନିଶ୍ଚିତ କରିବାକୁ ଭାଜପା ପ୍ରୟାସ କରିଥିବାର ଖବର ମିଳୁଥିଲା। ଜୟ ଢ଼ୋଲକିଆଙ୍କୁ କୁଆଡ଼େ ଗୁଜୁରାଟର ସୁରଟ ସହରରେ ଥିବା ତାଙ୍କର ବ୍ୟାବସାୟିକ ସହଯୋଗୀଙ୍କ ମାଧ୍ୟମରେ ସମ୍ପର୍କ କରାଯାଇଥିଲା। ତଥାପି, ଯୁବନେତା ଜୟ ଢ଼ୋଲକିଆ ଯେ କାହିଁକି ଅସ୍ତଗାମୀ ସୂର୍ଯ୍ୟ ବିଜୁ ଜନତା ଦଳର ପ୍ରାର୍ଥୀ ହେବାକୁ ରାଜି ହେଲେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ। ୨୦୨୪ ନିର୍ବାଚନ ଫଳାଫଳ ଆଧାରରେ ଏଠାରୁ କଂଗ୍ରେସ ବିଜୟ ଲାଭ କରିବା, ଗଣିତ ଦୃଷ୍ଟିରୁ ସମ୍ଭବ। ଏଠାରୁ ଜୟ ଢ଼ୋଲକିଆ ଅନୁକମ୍ପା ଭୋଟ ବଳରେ ଜିଣିଯାଇ ପାରିବେ, ଯାହା  ମନସ୍ତତ୍ୱ। କିନ୍ତୁ, ନୂଆପଡ଼ାରୁ ଭାଜପା ପ୍ରାର୍ଥୀଙ୍କ ବିଜୟ ହେଲେ, ତାହାକୁ ଚମତ୍କାରିତା ହିଁ କୁହାଯାଇ ପାରିବ; ଯଦିଓ ସାଧାରଣତଃ ଉପନିର୍ବାଚନରେ ସରକାରୀ ଦଳର ପ୍ରାର୍ଥୀ ହିଁ ବିଜୟୀ ହୋଇଥାଆନ୍ତି।

ଫୋ- ୯୪୩୮୨୯୯୦୩୭

Odisha BjD Bjp Congress Odisha Politcs Nuapada