ଓଡ଼ିଶାରେ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ସର୍ଭେ କରୁଥିବା ଖବର ଭିତରେ ରାଜ୍ୟରେ ଓବିସି ରାଜନୀତି ବେଶ୍ ସରଗରମ ହୋଇଛି। ୧୯୯୦ରେ ଭିପି ସିଂହଙ୍କ ସରକାର କେନ୍ଦ୍ରୀୟ ସ୍ତରରେ ମଣ୍ଡଳ କମିଶନ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଦେଶର ଅନ୍ୟ କେତେକ ପ୍ରାନ୍ତ ପରି ଓଡ଼ିଶାରେ ମଧ୍ୟ ମଣ୍ଡଳ ବିରୋଧୀ ଆନ୍ଦୋଳନ ହୋଇଥିଲା। ସେତେବେଳେ କ୍ଷମତାରେ ଥିବା ବିଜୁ ପଟ୍ଟନାୟକ ଆନ୍ଦୋଳନରୁ ଛାତ୍ର ଓ ଯୁବକମାନଙ୍କୁ କ୍ଷାନ୍ତ କରିବା ପାଇଁ ମଣ୍ଡଳ ବିରୋଧୀ ମନ୍ତବ୍ୟ ସହ ଗରିବର ଜାତି ନାହିଁ ବୋଲି ବକ୍ତବ୍ୟ ଦେଇଥିଲେ। ଏପରିକି ମଣ୍ଡଳ କମିଶନ ସୁପାରିସ ବିରୋଧରେ ତାଙ୍କ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ଖଣ୍ଡପୀଠ ମଣ୍ଡଳ କମିଶନର ବୈଧତାକୁ ଯଥାର୍ଥ ବୋଲି ସ୍ପଷ୍ଟ କରିଦେବା ପରେ ରାଜ୍ୟରେ ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ଦାବି ହୋଇଥିଲା।
ସେହି ସମୟରେ ମଣ୍ଡଳ ଦ୍ୱାରା ନିର୍ଦ୍ଧାରିତ ଜାତିମାନଙ୍କ ଭିତରେ ବ୍ରାହ୍ମଣ, କରଣଙ୍କ ଛଡ଼ା ଖଣ୍ଡାୟତ ଓ ଗାଁ ଗହଳିରେ କିଛି ଉଚ୍ଚ ଶ୍ରେଣୀଙ୍କୁ ବାଦ୍ ଦିଆଯାଇଥିବାରୁ ଯେଉଁ ଅଶାନ୍ତି ହେଉଥିଲା ତାହାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଜଷ୍ଟିସ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ଏହି କମିଶନ ସୁପାରିସ ବାହାରିବା ପରେ କେବଳ ବ୍ରାହ୍ମଣ-କରଣଙ୍କୁ ଛାଡ଼ିଦେଲେ ଓଡ଼ିଶାରେ ସମସ୍ତ ସବର୍ଣ୍ଣ ଲୋକମାନେ ପଛୁଆବର୍ଗ ତାଲିକାଭୁକ୍ତ ହୋଇଗଲେ। ଯଦିଓ କେନ୍ଦ୍ରୀୟ ମଣ୍ଡଳ ତାଲିକାରେ ଥିବା ଜାତିମାନଙ୍କ ସଂଖ୍ୟା ମୋଟାମୋଟି ଭାବରେ ସ୍ଥିର ରହିଥିଲା।
ରାଜ୍ୟରେ ଦଳିତ ଓ ଆଦିବାସୀମାନଙ୍କ ସଂଖ୍ୟା ପ୍ରାୟ ଶତକଡ଼ା ଲୋକସଂଖ୍ୟା ଅନୁପାତରେ ୩୮.୫ ଭାଗ ରହିଥିବାରୁ ସମ୍ବିଧାନ ବ୍ୟବସ୍ଥାନୁସାରେ ସେମାନଙ୍କ ପାଇଁ ସେହି ଅନୁସାରେ ସଂରକ୍ଷଣ ଦେବାକୁ ସରକାର ବାଧ୍ୟ। ଯଦିଓ ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ସେହି ପରିମାଣରେ ସଂରକ୍ଷଣ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ବି ହୋଇପାରି ନାହିଁ। କିନ୍ତୁ ନବକିଶୋର ଦାସଙ୍କ କମିଶନ ସୁପାରିସ ପରେ ଓଡ଼ିଶାରେ ପଛୁଆବର୍ଗଙ୍କ ସଂଖ୍ୟା ମୋଟ ଲୋକ ସଂଖ୍ୟାର ଶତକଡ଼ା ୫୨ ଭାଗରୁ ଊର୍ଦ୍ଧ୍ୱ ହୋଇଯାଇଛି। ବହୁ ଚାପ ପରେ ନବୀନ ପଟ୍ଟନାୟକଙ୍କ ସରକାର ପଛୁଆ ବର୍ଗଙ୍କ ପାଇଁ ଶତକଡ଼ା ୨୭ ଭାଗ ଚାକିରି ସଂରକ୍ଷଣ ନିଷ୍ପତ୍ତି ଯେଉଁ କଲେ, ତାହା ସୁପ୍ରିମକୋର୍ଟରେ ଦିଆଯାଇଥିବା ମୋଟ ୫୦ ଭାଗ ସଂରକ୍ଷଣକୁ ଟପିଯିବାରୁ ପ୍ରଥମେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍ ଓ ପରେ ହାଇକୋର୍ଟ ଏହାକୁ ଅବୈଧ ଘୋଷଣା କଲେ। ରାଜ୍ୟ ସରକାର ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନାମରେ ଚାକିରିରେ ସଂରକ୍ଷଣ ସୀମା ପଛୁଆବର୍ଗଙ୍କ ପାଇଁ ଶତକଡ଼ା ୧୧.୫କୁ ନେଇଆସିଲେ। ୫୨ ଭାଗ ଲୋକଙ୍କ ପାଇଁ ଶତକଡ଼ା ୧୧.୫ ଭାଗ ସଂରକ୍ଷଣ ଅତ୍ୟନ୍ତ ଅପମାନସୂଚକ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରାୟରେ ସ୍ୱତନ୍ତ୍ର ପରିସ୍ଥିତିରେ ୫୦ ଭାଗ ସୀମା ଅତିକ୍ରମ କରିବା ପାଇଁ ବ୍ୟବସ୍ଥା ରହିଥିଲେ ସୁଦ୍ଧା ଓଡ଼ିଶା ସରକାର କେଉଁଥିପାଇଁ ସଂରକ୍ଷଣରେ ୫୦ ଭାଗ ସୀମା ଅତିକ୍ରମ କରିବାକୁ ଯାଉଛନ୍ତି, ସେ ସଂକ୍ରାନ୍ତରେ ଉପଯୁକ୍ତ ଦଲିଲ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ନାହିଁ।
ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ୨୦୦୭, ୨୦୧୨ ଓ ୨୦୧୭ରେ ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଓଡ଼ିଶା ହାଇକୋର୍ଟ ଏହାକୁ ଅବୈଧ ବୋଲି କହି ୫୦ ଭାଗ ସୀମାରେଖା ଭିତରେ ସମସ୍ତ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ହଟାଇ ଦେଇଥିଲେ। ଅପରପକ୍ଷରେ ବିଜୁ ଜନତା ଦଳ ଘୋଷଣା କରିଦେଲା ଯେ ଏହି ନିର୍ବାଚନରେ ୪୦ ଭାଗ ପଛୁଆବର୍ଗଙ୍କୁ ଦଳୀୟ ଟିକେଟ୍ ପ୍ରଦାନ କରାଯିବ। ଯଦିଓ ଯେହେତୁ ଏହି ବର୍ଗର ସଂଖ୍ୟା ଶତକଡ଼ା ୫୨ ଭାଗରୁ ଅଧିକ, ଏଣୁ ଆଦିବାସୀ ଓ ଦଳିତମାନଙ୍କ ସଂରକ୍ଷଣ ଆସନ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ପଛୁଆବର୍ଗର ଲୋକମାନେ ହିଁ ନିର୍ବାଚନରେ ବିଜୟୀ ହେବେ। ଦଳୀୟ ଟିକେଟ୍ ଏମାନଙ୍କୁ ଦିଆଯିବା ସେମାନଙ୍କ ପ୍ରତି କୌଣସି ଅନୁକମ୍ପା ନୁହେଁ।
ପୌର ଓ ପଞ୍ଚାୟତ ନିର୍ବାଚନ ପଛୁଆବର୍ଗଙ୍କୁ ବିନା ସଂରକ୍ଷଣରେ ହୋଇଯିବା ପରେ ପଛୁଆବର୍ଗ ରାଜନୀତି ଜୋରଦାର ହେବାର ସମ୍ଭାବନା ଦେଖି ରାଜ୍ୟ ସରକାର ପ୍ରଥମେ ଦାବି କଲେ ଯେ ଜାତୀୟ ଜନଗଣନାରେ ପଛୁଆବର୍ଗ ପାଇଁ ତଥ୍ୟ ସଂଗ୍ରହ କରାଯିବା ଉଚିତ୍। କିନ୍ତୁ କେନ୍ଦ୍ର ସରକାର ପଛୁଆବର୍ଗ ସଂରକ୍ଷଣ ପାଇଁ ରାଜି ହେଲେ ନାହିଁ ବା ଏ ପର୍ଯ୍ୟନ୍ତ ୨୦୨୧ ଜନଗଣନା କାର୍ଯ୍ୟ କରେନା ଆଳରେ ଆରମ୍ଭ କରାଯାଇ ନାହିଁ। କିନ୍ତୁ ପଛୁଆବର୍ଗ ରାଜନୀତି ନେଇ ହେଉଥିବା ଦାବିକୁ ଦେଖି ଓ ବିହାର ସରକାର ସିଧାସଳଖ ଭାବରେ ପଛୁଆବର୍ଗ ଜନଗଣନା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ବ୍ୟବସ୍ଥା କରିବା ଦେଖି ରାଜ୍ୟ ସରକାର ପଛୁଆବର୍ଗ ସର୍ଭେ ପାଇଁ ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ଯାହା ଆସନ୍ତା ମାସରୁ କାର୍ଯ୍ୟ କରିବ। ଏଥିରେ ଘରକୁ ଘର ବୁଲି ଜନଗଣନା କରାନଯାଇ ସର୍ଭେ ଜରିଆରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ହେଉଥିବାରୁ ଏଥିରେ ପ୍ରକୃତ ତଥ୍ୟ ମିଳିବ ନାହିଁ ବୋଲି ସିଧାସଳଖ ଅଭିଯୋଗ ହେଲାଣି।
ବାସ୍ତବରେ ଓଡ଼ିଶାରେ ପଛୁଆବର୍ଗ ରାଜନୀତିକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବରାବର ସ୍ୱର ଉଠାଇଥିବା ସମୟରେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଦିଗରେ ଆଗୁଆ ହୋଇ କେତେକ ଦାବି ପ୍ରକାଶ କରୁଛନ୍ତି। ଅବଶ୍ୟ ଶ୍ରୀକାନ୍ତ ଜେନାଙ୍କ ରାଜନୀତିରେ ସାମାଜିକ ନ୍ୟାୟ କଥା କୁହାଯାଇ ଦଳିତ, ଆଦିବାସୀମାନଙ୍କ ସହିତ ପଛୁଆବର୍ଗ କଥା କୁହାଯାଉଛି। ଏପରିକି ଦଳିତ ଓ ଆଦିବାସୀମାନଙ୍କୁ ସେମାନଙ୍କ ଲୋକସଂଖ୍ୟା ଆଧାରରେ କାହିଁକି ଉଚ୍ଚଶିକ୍ଷାରେ ସମାନ ଅନୁସାରେ ସଂରକ୍ଷଣ ଦିଆଯାଇନି ବୋଲି ସେ ପ୍ରଶ୍ନ ଉଠାଉଛନ୍ତି। ତା’ଛଡ଼ା ପଛୁଆବର୍ଗ ରାଜନୀତି କଥା କହି ସେମାନେ ଓଡ଼ିଶା ଲୋକସଂଖ୍ୟାର ଶତକଡ଼ା ୫୪ ଭାଗ ହୋଇଥିବାରୁ ସମ୍ବିଧାନ ବ୍ୟବସ୍ଥାନୁସାରେ ସେମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ସେ ଦାବି ଉଠାଇ ଚାଲିଛନ୍ତି। ଏହି ପ୍ରସଂଗରେ ଏକ ସାମାଜିକ ନ୍ୟାୟ ସମ୍ମିଳନୀ ପାଇଁ ସେ ପ୍ରସ୍ତୁତି ଚଳାଇ ଦେଶରେ ସାମାଜିକ ନ୍ୟାୟ ଆନ୍ଦୋଳନକୁ ମୁଖ୍ୟ ଆଧାର କରି ଚାଲିଥିବା ତାମିଲନାଡୁର ଡିଏମକେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଏକ ପତ୍ର ଲେଖିଛନ୍ତି।
ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓଡ଼ିଶା ବିଜେଡି ସରକାର ଓବିସି ବିରୋଧୀ ବୋଲି ଆଖ୍ୟା ଦେଇ ଅନ୍ୟ ରାଜ୍ୟର ସରକାରମାନେ ଏହି ୫୦ ଭାଗ ସୀମାରେଖାକୁ ଅତିକ୍ରମ କରିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି, ତାହା ଦର୍ଶାଇଛନ୍ତି। ଶ୍ରୀ ଜେନା ଅପରପକ୍ଷରେ କହିଛନ୍ତି ଯେ ୫୦ ଭାଗ ସୀମା ଅତିକ୍ରମ କରି ଉଚ୍ଚବର୍ଗର ଲୋକମାନଙ୍କୁ ଆର୍ଥିକ ଭିତ୍ତିରେ ଯେଉଁମାନେ ଗରିବ ସେମାନଙ୍କ ପାଇଁ ୧୦ ଭାଗ ସଂରକ୍ଷଣ ନିମନ୍ତେ ମୋଦି ସରକାର ସମ୍ବିଧାନ ସଂଶୋଧନ କରି ତାହାକୁ ଲାଗୁ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଏହାକୁ ଗ୍ରହଣ କରି ରାଜ୍ୟର ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜରେ ଏହି ବର୍ଗର ଲୋକମାନଙ୍କ ପାଇଁ ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ଓଡ଼ିଶାରେ ଯେଉଁ ବର୍ଗର ଲୋକସଂଖ୍ୟା ମୋଟ ଲୋକସଂଖ୍ୟାର ୫ ଭାଗରୁ କମ୍ ସେମାନଙ୍କ ଗରିବ ଲୋକମାନଙ୍କ ପାଇଁ ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା କରାଯାଉଥିବା ସମୟରେ ଓଡ଼ିଶାର ୫୪ ଭାଗ ପଛୁଆବର୍ଗ ଲୋକଙ୍କ ପାଇଁ କାହିଁକି ଚାକିରି ଓ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ ବୋଲି ସିଧାସଳଖ ପ୍ରଶ୍ନ କରାଯାଉଛି।
ଉଭୟ ଶ୍ରୀ ଜେନା ବା ଶ୍ରୀ ପ୍ରଧାନ ଓଡ଼ିଶାରେ ପଛୁଆବର୍ଗ ଭିତରେ ବାସ୍ତବରେ କେଉଁମାନେ ସାମାଜିକ ଦୃଷ୍ଟିରୁ ଓ ଆର୍ଥିକ ଦୃଷ୍ଟିରୁ ଅତ୍ୟଧିକ ଗରିବ ସେମାନଙ୍କର କୌଣସି ତାଲିକା ପ୍ରସ୍ତୁତ ନିମନ୍ତେ ଦାବି କରୁନାହାନ୍ତି। ବାସ୍ତବରେ ଏହି ଅତ୍ୟଧିକ ପଛୁଆବର୍ଗ ଶ୍ରେଣୀ ଓଡ଼ିଶା ଲୋକସଂଖ୍ୟାର ଶତକଡ଼ା ୩୦ ଭାଗ। କିନ୍ତୁ ଏମାନଙ୍କ କଥା ସ୍ୱତନ୍ତ୍ର ଭାବେ କହିବା ପାଇଁ କୌଣସି ଗୋଷ୍ଠୀ ଏ ପର୍ଯ୍ୟନ୍ତ ମୁଣ୍ଡ ଟେକିନାହାନ୍ତି। ପଛୁଆବର୍ଗର ଜନଗଣନା ସହିତ ସେମାନଙ୍କ ଭିତରୁ ଯେଉଁମାନେ ଅଧିକ ପଛୁଆ, ସେମାନଙ୍କର ସ୍ୱତନ୍ତ୍ର ବିଚାର କରିବା ଆବଶ୍ୟକତା ରହିଛି। କିନ୍ତୁ ଯେଉଁ ରାଜ୍ୟରେ ପଛୁଆବର୍ଗ ପାଇଁ ଚାକିରି ବା ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ନାହିଁ ସେଠାରେ ଅତ୍ୟଧିକ ପଛୁଆବର୍ଗଙ୍କ ପାଇଁ କିଏ ବା ପ୍ରଶ୍ନ ଉଠାଇବ?
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।