Representative Art
ଦେବ ରଞ୍ଜନ
ସାହିତ୍ୟ କ’ଣ ସତରେ ସମାଜର ଦର୍ପଣ? ତେବେ ସମାଜରେ ସାହିତ୍ୟର ସ୍ଥାନ କେଉଁଠି? ସତରେ ସମାଜରେ ସାହିତ୍ୟ କିଛି ଗୁରୁତ୍ଵ ପାଉଛି? ସାହିତ୍ୟ ସମ୍ପର୍କରେ ସମାଜରେ ସ୍ଵତଃ ଭାବରେ ଆଲୋଚନା ହେଉନାହିଁ। ଯାହା ବି ହେଉଛି ତାହା ପ୍ରୟୋଜିତ। କାହିଁକି? ଏହା କ’ଣ ସାହିତ୍ୟିକର ବିଫଳତା ଯେ ସେ ସମାଜର ବାସ୍ତବକୁ ସାହିତ୍ୟରେ ଦୃଶ୍ୟ କରାଇପାରୁନାହିଁ? କେଉଁ ପ୍ରକାରର ସମାଜକୁ ସାହିତ୍ୟିକ ନିଜର ଲେଖାରେ ତେବେ ସୃଷ୍ଟି କରୁଛି?
ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ, ସଚ୍ଚୀ ରାଉତରାୟଙ୍କ କବିତା ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଗଳ୍ପ, ମନମୋହନ ମିଶ୍ରଙ୍କ କବିତାରୁ ଆମେ ଯଦି କ୍ଷମତାକୁ ପ୍ରଶ୍ନ କରିବା ଶିଖିଲୁ ତେବେ ଆଜିର ସାହିତ୍ୟ ସେ ଦିଗରେ ବ୍ୟର୍ଥ ହେଉଛି କାହିଁକି? ହୁଏତ କାହାକୁ ଏଭଳି ପ୍ରଶ୍ନ ଅବାନ୍ତର ଲାଗିପାରେ। କିନ୍ତୁ ସମାଜରେ ପରିବର୍ତ୍ତନ ପାଇଁ ଲେଖୁଥିବା ସାହିତ୍ୟିକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଆସିବା ସ୍ଵାଭାବିକ। ସାହିତ୍ୟର ଅମାପ କ୍ଷମତା ରହିଛି ବୋଲି ତ ସେହି ବିଶ୍ଵାସରେ ସାହିତ୍ୟିକ ସାହିତ୍ୟ କ୍ଷେତ୍ରରେ ସମ୍ପୃକ୍ତ ରହିଛି। ମୁଁ ଗଳ୍ପ ଲେଖେ ଓ ପ୍ରବନ୍ଧ ମଧ୍ୟ। ମୋ ଭିତରେ ପ୍ରଶ୍ନ ଯେ ଗଲା କିଛି ଦଶନ୍ଧି ହେଲା ସାହିତ୍ୟ କାହିଁକି ସମାଜ ଲାଗି ମୁଖ୍ୟ ବିଷୟ ହୋଇରହିନାହିଁ।
ସମାଜରେ ଏଭଳି କୌଣସି ସମସ୍ୟା ନାହିଁ ଯାହା ଲାଗି ସରକାର ଓ ଏହାକୁ ସମର୍ଥନ ଦେଉଥିବା କ୍ଷମତାଶାଳୀ ବର୍ଗ ସିଧାସିଧା ଦାୟୀ ନୁହନ୍ତି! ସାହିତ୍ୟ ଯଦି ସମାଜ ମଧ୍ୟକୁ ପ୍ରବେଶ କରିପାରୁଥାନ୍ତା ତେବେ ସମାଜର ସାଧାରଣବର୍ଗ କ୍ଷମତାବର୍ଗଙ୍କୁ ଅନେକ ପ୍ରଶ୍ନ ପଚାରିପାରନ୍ତା। ବାଳକ/ବାଳିକା ତ ପଚାରିପାରନ୍ତେ ସହରର ସବୁଠାରୁ ଭଲ ସ୍କୁଲରେ ପଢ଼ିବାର ସୁଯୋଗ ସେମାନଙ୍କର କାହିଁକି ନାହିଁ? ବାପା ମା’ଙ୍କ ଦାରିଦ୍ର୍ୟ ଯଦି ତାଙ୍କ ଲାଗି ପ୍ରତିବନ୍ଧକ ତେବେ ଶିକ୍ଷା କ’ଣ କେବଳ ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ? ଭୋଟ ଅଧିକାର ତ ସମସ୍ତଙ୍କର! କ୍ଷମତାବର୍ଗଙ୍କୁ ଏହା ପଚାରିଥାନ୍ତା ଯେ ‘ସାରେ ଜାହାଁ ସେ ଆଚ୍ଛା’ ଏ ଦେଶରେ ଧର୍ମ, ଭାଷା ଓ ଜାତିକୁ ନେଇ ହିଂସାର ଯୋଜନା ସେମାନେ କରୁଛନ୍ତି କେମିତି? ଏହିଭଳି ଅନେକ ପ୍ରଶ୍ନ ସେ ପଚାରିପାରନ୍ତା।
ଗଲା କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶାରେ ଏତେ ଚାଷୀ ଆତ୍ମହତ୍ୟା କରିଛନ୍ତି ଯାହା କେବେ ହୋଇନଥିଲା। ଏତେ ସଂଖ୍ୟାରେ ଆଦିବାସୀଙ୍କୁ ଏନକାଉଣ୍ଟର ଓ ପୁଲିସ ଗୁଳିରେ ହତ୍ୟା କରାଯାଇଛି ତାହା ପୂର୍ବରୁ ହୋଇନଥିଲା। ସବୁଠାରୁ ଅଧିକ ଦଳିତ ବର୍ଗ ହାଜତ ମୃତ୍ୟୁର ଶିକାର ହୋଇଛନ୍ତି। ଛାତ୍ରୀଙ୍କ ଠାରୁ ଚାକିରିଆ ଝିଅଙ୍କ ପର୍ଯ୍ୟନ୍ତ ଯୌନଶିକାର ହୋଇଛନ୍ତି। ଅଥଚ ଓଡ଼ିଆ ସାହିତ୍ୟରେ ଗଲା କୋଡ଼ିଏ ବର୍ଷ ମଧ୍ୟରେ ଏଭଳି କୌଣସି ପୁସ୍ତକ ଆସିପାରିଲା ନାହିଁ ଯାହା ଜନସାଧାରଣଙ୍କ ହାତରେ ପ୍ରଶ୍ନ କରିବାର ଅସ୍ତ୍ର ଧରାଇପାରିବ। ଯାହା କ୍ଷମତାଶାଳୀ ବର୍ଗଙ୍କୁ ବ୍ୟସ୍ତ ଓ ବିବ୍ରତ କରିବ। ଏହାର ଅର୍ଥ ସମାଜ ମଧ୍ୟକୁ ସାହିତ୍ୟ ପ୍ରବେଶ କରିପାରିନାହିଁ! ଶିକ୍ଷାର ହାର ସମାଜରେ ବଢିବା ସତ୍ତ୍ୱେ ସାହିତ୍ୟ ଯଦି ନିଜର ଗୁରୁତ୍ଵ ସମାଜରେ ପାଉନାହିଁ ତେବେ କେଉଁଠି ନା କେଉଁଠି ଆମ ସାହିତ୍ୟରେ ଦୁର୍ବଳତା ରହିଛି। ଆମ ଗଳ୍ପ, କବିତା, ଉପନ୍ୟାସ ଓ ପ୍ରବନ୍ଧରେ ଦୁର୍ବଳତା ରହିଛି। ସମାଜରେ ଯାହା ଘଟୁଛି ତାହାକୁ ନେଇ ଆମେ ଚିନ୍ତିତ, କିନ୍ତୁ ଆମର ସାହିତ୍ୟକୁ ନେଇ ସମାଜର ଆଗ୍ରହ ନାହିଁ। ଏହି ଦୂରତା ଅତ୍ୟନ୍ତ ଚିନ୍ତାଜନକ।
ଛାତ୍ରଛାତ୍ରୀ ଦାରିଦ୍ର୍ୟ ଓ ଅନିଶ୍ଚିତତା ଲାଗି ଆତ୍ମହତ୍ୟା କରୁଛନ୍ତି କିନ୍ତୁ ରାଜନେତା ଶିଳ୍ପପତିଙ୍କ ପୁଅଙ୍କ ବିବାହରେ ଖୁସି ମନାଉଛନ୍ତି। ଗାଁରୁ ଜୀବିକା ନଷ୍ଟ ହୋଇଯିବା ହେତୁ ଚାଷୀର ପିଲା ଦୂର ଦୂର ସହରକୁ ଯାଉଛନ୍ତି ଓ ଜୀବିତ ନହେଲେ ମୃତ ହୋଇଫେରୁଛନ୍ତି। କିନ୍ତୁ ସରକାର କୋଟି କୋଟି ଟଙ୍କାର ଗ୍ୟାରେଣ୍ଟର ହୋଇ ଶିଳ୍ପପତିଙ୍କୁ ଋଣ ଯୋଗାଇଦେଉଛନ୍ତି। ସେମାନେ ତାହାକୁ ନେଇ ବିଦେଶ ଚାଲିଯାଉଛନ୍ତି କିନ୍ତୁ ସରକାର ତାହାକୁ ଆଦାୟ କରୁନାହାନ୍ତି।
ଲୋକେ ସରକାରୀ ମେଡିକାଲରେ ବେଡ ନପାଇ କରିଡରରେ ଶୋଉଛନ୍ତି। ମନ୍ତ୍ରୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ବିଦେଶ ଯାଉଛନ୍ତି। ମାଣ୍ଡିପଙ୍କାରେ ଅନାହାର କାରଣରୁ ଆମ୍ବ ଟାକୁଆ ଖାଇ ଯେଉଁ ଦେଶରେ ଲୋକେ ମରୁଛନ୍ତି ସେହି ଦେଶରେ ପୁଣି ଆମ୍ବାନୀଙ୍କ ପୁଅର ୨୦ ହଜାର କୋଟି ଟଙ୍କା ବ୍ୟୟରେ ବିବାହ ଉତ୍ସବ ପାଳନ କରାଯାଉଛି। କ୍ଷମତାଶାଳୀ ବର୍ଗ ଏହାକୁ ନେଇ ନିଜ ଭିତରେ ଲଜ୍ଜିତ ହେଉନାହାନ୍ତି। ସାହିତ୍ୟ କୌଣସି ନା କୌଣସି ପ୍ରକାରରେ ଦୃଢ଼ ଭାବରେ ଏ ସବୁର ବିରୋଧରେ ଦଣ୍ଡାୟମାନ ହୋଇପାରନ୍ତା। କିନ୍ତୁ ହେଉନାହିଁ। ତାହା ହୁଏତ କାରଣ ଯେ ସମାଜ ସାହିତ୍ୟକୁ ଭୁଲିଯାଇଛି। ସାହିତ୍ୟ ଯଦି ସତରେ ସମାଜର ଦର୍ପଣ ତେବେ ଦର୍ପଣ ମଧ୍ୟରେ ସ୍ୱଚ୍ଛତା କାହିଁକି ନାହିଁ?
ସମାଜକୁ ଛାଡ଼ି ସାହିତ୍ୟ ନାହିଁ। ପ୍ରତିବାଦ ଯଦି ସାହିତ୍ୟରେ ନରହିବ ତେବେ ତାହା ସମାଜରେ ଗ୍ରହଣୀୟତା ପାଇବ କେମିତି? ସାହିତ୍ୟ ପ୍ରତିବାଦର ପକ୍ଷ ନେବାକୁ ବାଧ୍ୟ। ନହେଲେ ତାହା କେବଳ ସରକାରୀ ପ୍ରଚାର ହେବ। କିନ୍ତୁ ପ୍ରତିବାଦ ବି ରହିବ ଓ ସରକାରୀ ସହଯୋଗ, ସମର୍ଥନ, ପ୍ରଶଂସା, ପୁରସ୍କାର ରହିବ, ଏକାସାଥିରେ ଏହା ହୋଇନପାରେ। କଦାପି ହେବ ନାହିଁ। ସାହିତ୍ୟ ଯଦି ସମାଜ ସହିତ ରହିବ ତେବେ ଏହା ପ୍ରତିବାଦୀ ହେବ, ଯଦି ନରହିବ ତେବେ ସୌଖୀନ ସାହିତ୍ୟ ହେବ। ଏହା ନୁହେଁ ଯେ ସାହିତ୍ୟ ଉପରୁ ଥାଇ ସମାଜର ଦିଶା ନିର୍ଣ୍ଣୟ କରିବ। ତାହା କରିବା ଏକଛତ୍ରବାଦୀ ଶାସକର କାର୍ଯ୍ୟ। ସମାଜ ସହିତ ସାହିତ୍ୟ ଜଡ଼ିତ ହୋଇରହିବ।
ଆଜି ଅମଲାତନ୍ତ୍ର ଓ ରାଜନେତା ଏହି ସମାଜରେ ଅପ୍ରଶ୍ନମାନ ଚରିତ୍ର। ତାହାଙ୍କୁ ପ୍ରଶ୍ନ କରିବା ମନା। ସେମାନେ ନୈତିକତା ଉପରେ ଅନେକ ଭାଷଣ ସାହିତ୍ୟ ସଭାରେ ଦିଅନ୍ତି। ସାହିତ୍ୟର ଏକ ବଡ଼ ବିଡ଼ମ୍ବନା ଯେ ଏହା ଚାଷୀ ଆତ୍ମହତ୍ୟା ଠାରୁ ନାରୀ ଧର୍ଷଣ ପର୍ଯ୍ୟନ୍ତ ଏ ସବୁକୁ ନାପସନ୍ଦ କରିଛି। କବିତା ଲେଖିଛି, ଗଳ୍ପ ଲେଖଛି, ଉପନ୍ୟାସ ଲେଖିଛି। ପୁଣି ସେହି ସାହିତ୍ୟିକ ଅମଲାତନ୍ତ୍ର ଓ ରାଜନେତାଙ୍କ ସହିତ ହସିଛି, ବସିଛି, ନିଜକୁ ଅଧିକ ପରିଚିତ କରାଇଛି। କିନ୍ତୁ, ସଭା ସମିତିରେ ସେମାନଙ୍କୁ ପାଇ (ଲୋକଙ୍କ ସାମ୍ନାରେ) ସିଧା ପ୍ରଶ୍ନ କରୁନାହିଁ। ତେଣୁ ସାହିତ୍ୟିକ ସୁରକ୍ଷିତ ଅଛି ଓ ଲୋକେ ଅସୁରକ୍ଷିତ ଅଛନ୍ତି।
ସାହିତ୍ୟର ଦକ୍ଷତା ଅଛି ପାଠକ ଭିତରେ ଅସୁମାରୀ ପ୍ରଶ୍ନ ଓ ଦୃଢ଼ ପ୍ରତିବାଦ ସୃଷ୍ଟି କରିପାରନ୍ତା। କିନ୍ତୁ ସାହିତ୍ୟିକ ସେ ସୁଯୋଗ ଛାଡ଼ିଦେଇଛି। ଏଠାରେ ଶିଳ୍ପପତି ତ ଚକଲେଟ ଦେଇ ଭାତହାଣ୍ଡି ଲୁଟୁଛନ୍ତି। ସେମାନେ ସାହିତ୍ୟକୁ ନିଜର ଝୋଲାମୁଣିରେ ରଖିବାକୁ ଉଦ୍ୟମ କରିଛନ୍ତି। ଏହାସତ୍ତ୍ୱେ ଶିଳ୍ପପତିଙ୍କୁ ନେଇ ସାହିତ୍ୟିକ ସାହିତ୍ୟର ଉନ୍ନତି ଲାଗି ସ୍ଵପ୍ନ ଦେଖିଛି, ଅର୍ଥ ନେଇଛି, ବଡ଼ ହୋଟେଲରେ ଆପ୍ୟାୟିତ ହୋଇଛି, ପୁରସ୍କୃତ ହୋଇଛି, ହସିଛି, ସେଲଫି ନେଇଛି, ଫେସବୁକରେ ପୋଷ୍ଟ କରିଛି। ଲୋଭୀ ସାହିତ୍ୟିକଙ୍କୁ ସାହିତ୍ୟରେ ତିରସ୍କାର କରାଯାଇପାରିନାହିଁ। ତେଣୁ ସମାଜର ଭରସା ସାହିତ୍ୟ ଓ ସାହିତ୍ୟିକ ଉପରେ ଆସୁନାହିଁ।
ଆଜି ବି ମୁସଲମାନ ମହିଳାର ସାମାଜିକ ଓ ମାନସିକ ସ୍ଥିତି ସମ୍ପର୍କରେ ସାହିତ୍ୟ ନାହିଁ। ରାଜନୈତିକ ନେତାମାନେ ବହୁତ ଆଗରେ। ସେମାନେ ତିନି ତଲାକର କଥା କହି ଭୋଟ ଜିତିଥିବାର ଦାବି କରିଛନ୍ତି। କିନ୍ତୁ ସାହିତ୍ୟରେ ଏବେ ବି ସେମାନେ ନିରୁଦ୍ଦିଷ୍ଟ। ଦଳିତ ମହିଳାଙ୍କ ଉପରେ ଆକ୍ରମଣ ବଢୁଥିବା ବେଳେ ସେଭଳି ମହିଳାଙ୍କ ବକ୍ତବ୍ୟ କେବେ ସାହିତ୍ୟରେ ଦେଖାଯାଉନି ଯଦିଓ ଦଳିତଙ୍କୁ ନେଇ ରାଜନୀତି ଉଚ୍ଚ ଜାତିର ନେତାଙ୍କ ଦ୍ଵାରା କିଛି କମ ହେଉନାହିଁ। ସମସ୍ତ ଜନ ଆନ୍ଦୋଳନରେ ନାରୀମାନେ ପ୍ରମୁଖ। ସେମାନେ ସରକାରଙ୍କ ପୁଲିସ ଶକ୍ତିର ସାମ୍ନା କରି ନିଜର ଭିଟାମାଟିର ସୁରକ୍ଷା କରୁଛନ୍ତି। ସେମାନେ ନିଜେ ନିଜେ ପ୍ରତିବାଦର ସାହିତ୍ୟ ସୃଷ୍ଟି କରିବା ଲାଗି ସକ୍ଷମ। କିନ୍ତୁ ସାହିତ୍ୟ ଭିତରକୁ ସେମାନଙ୍କୁ ଆସିବାରେ ବାରଣ ରହିଛି। (ମୂର୍ଖଙ୍କର କି ସ୍ଥାନ ଶିକ୍ଷିତଙ୍କ ଭିତରେ!)
ସାହିତ୍ୟ ଏକ ଭଲ ଦୁଆର ପାଲଟିଯାଇଛି। ଉଚ୍ଚ ଜାତି ଓ ସ୍ୱଚ୍ଛଳ ବର୍ଗର ହାତରେ ସାହିତ୍ୟ ରହିଯାଇଛି। ଏହା ମଧ୍ୟକୁ ଏକ ନିର୍ଦ୍ଦିଷ୍ଟ ବିଚାରକୁ ପ୍ରବେଶ କରିବାର ଅନୁମତି ମିଳୁଛି। ଯେମିତି ଗାଁର ମନୋଲୋଭା ଚିତ୍ରକୁ ନେଇ ଅନେକ ସାହିତ୍ୟ ରହିଛି, ଅଥଚ ସେହି ଗାଁ ମଧ୍ୟରେ ରହିଥିବା ଦଳିତ ପରିବାର ଉପରେ ହୋଇଥିବା ନିନ୍ଦନୀୟ ବ୍ୟବହାର ପ୍ରସଙ୍ଗରେ ସେଥିରେ ଉଲ୍ଲେଖ ରହୁନାହିଁ। ଉଲ୍ଲେଖ ରହିଲେ ଗାଁକୁ ନେଇ କବିତା ଅସୁନ୍ଦର ହେବ? ନଦୀକୁ ନେଇ ଅନେକ ରଚନା ରହିଛି। କିନ୍ତୁ ନଦୀ ଯେ ଆଜି ଆବର୍ଜନା ବୋହୁଥିବା ନାଳ ପାଲଟି ଯାଇଛି, ନଦୀର ପାଣି ଯେ ଅପହରଣ ହେଉଛି ସେ ସମ୍ପର୍କରେ ପ୍ରତିବାଦ ସେହି ପ୍ରକାରର ସାହିତ୍ୟରେ ନାହିଁ। ପାହାଡ଼କୁ ନେଇ ବର୍ଣ୍ଣନା ରହିଛି, ଅଥଚ, ପାହାଡ଼ର କଡ଼ରେ ରହିଥିବା ଗାଁ ଉପରେ ଜଙ୍ଗଲ ବିଭାଗର ଅତ୍ୟାଚାରର କାହାଣୀ ହେଉ ଅଥବା ଖଣି କମ୍ପାନୀଙ୍କ ଦ୍ଵାରା ଲୁଚିଯାଉଥିବା ପାହାଡ଼ର ବିସ୍ତୃତ ବର୍ଣ୍ଣନା ସାହିତ୍ୟରେ ମିଳୁନାହିଁ। ଅନେକ କାରଣ ଲାଗି ଆଜି ସଂପୂର୍ଣ୍ଣ ସମାଜ ନା ସାହିତ୍ୟ ଭିତରେ ରହିପାରୁଛି ନା ସାହିତ୍ୟ ମଧ୍ୟରେ ସଂପୂର୍ଣ୍ଣ ସମାଜର ଚିତ୍ର ଆସିପାରୁଛି।
ସାହିତ୍ୟ ଠାରୁ ଫିଲ୍ମ ଅନେକ ଆଗରେ ରହିଛି। ହିରୋ ଫିଲ୍ମରେ ଝିଅକୁ ଅପହରଣ କରୁଛି। ପୁଲିସର ଦବଙ୍ଗଗିରି ଚାଲୁଅଛି। ଏନକାଉଣ୍ଟର ଓ ହତ୍ୟା ହେଉଛି। ତାହାକୁ ସେନ୍ସର ସାର୍ଟିଫିକେଟ ମିଳୁଛି। ଫିଲ୍ମ ହିଟ ହେଉଛି। ଭଲ ବ୍ୟବସାୟ କରୁଛି। ଦେଖୁଥିବା ଲୋକ ରୀଲର ଜୀବନକୁ ରିୟଲ ଜୀବନରେ ଉତ୍ତାରିବାର ସ୍ଵପ୍ନ ଦେଖୁଛି। ଫିଲ୍ମ ହିରୋଙ୍କ ଭଳି ସେଲେବ୍ରିଟି ହେବାକୁ ଚାହୁଁଛି। ଫିଲ୍ମକୁ କପି କରୁଛି। ପୁଣି ଆଇନର ଜାଲରେ ଫସିଯାଉଛି। ସାହିତ୍ୟ କେବେ ବି ଏହାକୁ ପ୍ରଶ୍ନ କରୁନାହିଁ ଯେ କଳା କଦାପି ବ୍ୟବସାୟ ନୁହେଁ। ବ୍ୟବସାୟ ଲାଗି ସମାଜକୁ ନଷ୍ଟ କରି ଦିଆନଯାଉ।
ଓଡ଼ିଆ ସାହିତ୍ୟ ଏବେ ବି ପ୍ରେମର ଚାରିପାଖରେ ଘୂରୁଛି। ବିରହକୁ ଖୋଜୁଛି, ଭାବୁଛି ଓ ସେହିଥିରେ ସଫଳ ହେବାର ସ୍ଵପ୍ନ ଦେଖୁଛି। ହିନ୍ଦୀ ଫିଲ୍ମରେ ରୋମାଣ୍ଟିକ ଫିଲ୍ମର ନିର୍ମାଣ ନସରିବା ପରି ଓଡ଼ିଆ ସାହିତ୍ୟରେ ରୋମାଣ୍ଟିସିଜିମର ଯୁଗ ସରିବାର ନାହିଁ। ହିନ୍ଦୀ ଫିଲ୍ମ ଗୀତ ‘ତୁମକୋ ଦେଖା ତୋ ଏସା ଲଗା’ ଭଳି ‘ଏ ଦେହ କେବଳ ଜାଣେ ଦୁଆରୁ ଦୁଆର ବୁଲି ବୁଲି ଭିକ ମାଗିବାକୁ/ ସନ୍ଧ୍ୟା ବେଳେ ପବନର ବାସ୍ନା ପରି ତୁମର ନଗ୍ନତା ବିଛୁରିତ ହେଲା ବେଳେ ସନ୍ତୁଷ୍ଟ ହେବାକୁ।’ ଅନେକ ରଚନା ହିନ୍ଦୀ ଫିଲ୍ମର ତାଳେ ତାଳେ ଓଡ଼ିଆ ସାହିତ୍ୟରେ ରହିଛି। ଅନୁକରଣ କରୁନାହିଁ କିନ୍ତୁ ପ୍ରଭାବିତ ହେଉଛି।
ସମାଜ କହିଲେ କେବଳ ଆମ ଚାରିପାଖର କିଛି ବର୍ଗର ସମାଜ ନୁହେଁ। ବର୍ଗ ଜାତି ଲିଙ୍ଗ ଓ ଧର୍ମର ଉର୍ଦ୍ଧ୍ଵରେ ସମସ୍ତ ମଣିଷର ସମାଜ। ଏହାଙ୍କୁ କ୍ଷମତାଶାଳୀ ବର୍ଗ ବିଭିନ୍ନ ଭାବରେ ବିଭାଜିତ କରିଛନ୍ତି। ସାହିତ୍ୟ ହିଁ ଏକ ମାଧ୍ୟମ ଯାହା ସେହି ବିଭାଜନକୁ ଦୂର କରି ସମସ୍ତଙ୍କ ଭିତରେ ମାନବିକତା ଆଣିପାରିବ। ଏହା ଅତୀତ ସହିତ ବର୍ତ୍ତମାନକୁ ଯୋଡ଼ିପାରିବ, ଭବିଷ୍ୟତ ସମାଜ ଗଠନର ବାର୍ତ୍ତା ଦେଇପାରିବ। ସାହିତ୍ୟ ସ୍ଵତଃସ୍ଫୂର୍ତ୍ତ ଓ ସ୍ୱାଭାବିକତାର ବିଶ୍ଵାସୀ। ଏହାକୁ ବିରୋଧ କରୁଥିବା ବ୍ୟବସ୍ଥାକୁ ସେ ବିରୋଧ କରିବ ହିଁ କରିବ। ସାହିତ୍ୟକୁ ତାହାର ସ୍ଥାନ ସମାଜ ମଧ୍ୟରେ ସୃଷ୍ଟି କରିବା ହିଁ ସାହିତ୍ୟ ଲାଗି ବଡ଼ ଆହ୍ଵାନ। ଏ ଆହ୍ଵାନ ଆମକୁ ସ୍ଵୀକାର କରିବାକୁ ହେବ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1756967698.jpg)