- ପ୍ରସନ୍ନ ମିଶ୍ର
ମୁଁ ରେଭେନ୍ସା କଲେଜରେ ପଢୁଥିବା ବେଳେ (୧୯୫୮-୬୨) ପ୍ରିନ୍ସିପାଲ ଡକ୍ଟର ସଦାଶିବ ମିଶ୍ର ଅନେକ ଥର କହୁଥିବା ଶୁଣିଚି “କଟକ ଷ୍ଟେସନ ପ୍ଲାଟଫର୍ମରେ ଠିଆ ହେଲେ ତୁମେ ଜାଣିବ ରେଳଡବାର ସିଡିରେ ୪ଟି ପାହାଂଚ ଥାଏ ଓ କାହିଁକି ଥାଏ।” ସେତେବେଳେ ରେଳଡବାରୁ ଓହ୍ଲାଇବା ବା ରେଳଡବାକୁ ଚଢିବା କଟକ ଷ୍ଟେସନର ତଳୁଆ ପ୍ଲାଟଫର୍ମ ଯୋଗୁଁ କଷ୍ଟକର ହେଉଥିଲା।
ପାରାଦୀପ ବନ୍ଦରର ଅଧ୍ୟକ୍ଷ ଥିବାବେଳେ (୧୯୮୬-୯୧) ଜର୍ଜ ଫର୍ନାଣ୍ତିସ ରେଳମନ୍ତ୍ରୀ ଭାବରେ ମୁଖ୍ୟମନ୍ତୀ ବିଜୁବାବୁଂକ ସହ ବନ୍ଦର ଆସିଥିଲେ। ରେଳ ପରିବହନ ସଂକ୍ରାନ୍ତୀୟ ପ୍ରସଂଗ ଆଲୋଚନା ଅବସରରେ ମୁଁ ପାରାଦୀପ ଷ୍ଟେସନର ଦୁରବସ୍ଥା ସମ୍ପର୍କରେ ତାଂକୁ ଅବଗତ କରାଇଥିଲି। ତଳୁଆ ପ୍ଲାଟଫର୍ମ ଅନ୍ୟତମ ଅଭିଯୋଗ ଥିଲା।
ଆଜି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ପାରଳାଖେମୁଣ୍ଡି ଷ୍ଟେସନରେ ମଧ୍ୟ ସେଇ ସମସ୍ୟା- ତଳୁଆ ପ୍ଲାଟଫର୍ମ। ବୟସ୍କ ଯାତ୍ରୀ କଲବଲ ହେଉଚନ୍ତି। ରାଜ୍ୟର ଅନେକ ଷ୍ଟେସନରେ ମୌଳିକ ସୁବିଧା ନାହିଁ। ଅଥଚ ଦେଶର ଅନ୍ୟ ଜାଗାରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଆଗେଇଚି। ରାଜ୍ୟର ପ୍ରଗତି ରେଳଗାଡ଼ିର ଗତି ମନ୍ଥର। ଜଟଣୀରୁ ନୟାଗଡ଼ରେ ପହଂଚି ହାଲିଆ। ବଲାଂଗୀର ବହୁଦୂର।
ରାଜ୍ୟ ରାଜନୈତିକ ଶକ୍ତିର ସୀମିତ ସାମର୍ଥ୍ୟ ଏବଂ ଉଦାସୀନତା ରାଜ୍ୟର ବିକାଶ ପାଇଁ ବାଧକ ହୋଇଚି। ଆଜି ଜମିଜମା ସଂକ୍ରାନ୍ତୀୟ ଜ୍ଞାନ ଅମଲାଂକର ରୁଚି ଅଭାବରୁ ସୀମିତ। ଜମିଜମା ସମ୍ପୃକ୍ତ କାର୍ଯ୍ୟ ପାଇଁ ଆଗ୍ରହ ହ୍ରାସ ପାଉଛି; ଚକବନ୍ଦୀ କାର୍ଯ୍ୟକ୍ରମ ବୋଧହୁଏ ଆଉ ନାହିଁ; ବନ୍ଦୋବସ୍ତର ଗତି ଅତି ମନ୍ଥର, ଲୋକଙ୍କ ପାଇଁ ଉତ୍ପୀଡ଼କ ଏବଂ ଯନ୍ତଣାଦାୟକ। ବିଶ୍ୱସନୀୟତା ହ୍ରାସ ପାଇଛି। ଫଳରେ ଲକ୍ଷାଧିକ ଅପିଲ ମାମଲା ଦାଖଲ ହେଉଛି; କିନ୍ତୁ ରୁଚି ଏବଂ ଦକ୍ଷତା ଅଭାବ ଯୋଗୁଁ ମାମଲା ନାଲିଫିତା ତଳେ ରହୁଚି। ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ ଆଜି ନିତାନ୍ତ ସମୟସାପେକ୍ଷ।
ଜଣେ ପୁରାତନ ବନ୍ଧୁ ବିମାନ ପଟ୍ଟନାୟକ ତାଙ୍କ ବିୟୋଗ ପୂର୍ବରୁ ମୋତେ କହିଥିଲେ, ସେ ଭୂଅର୍ଜନ ଅଧିକାରୀ ଭାବରେ ମାତ୍ର ତିନି ମାସରେ ଯଖପୁରା-ଦୈତାରୀ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରି ପାରିଥିଲେ। ଆଜି ରେଳ ପ୍ରକଳ୍ପ ସକ୍ରାନ୍ତୀୟ ଜମି ଅଧିଗ୍ରହଣ ବର୍ଷବର୍ଷ ଧରି ଜ୍ଞାନ, ସ୍ପୃହା ଏବଂ ଗୁଣାତ୍ମକ ତଦାରଖ ଅଭାବରୁ ପଡ଼ିରହିଚି।
ଏହିଭଳି କାର୍ଯ୍ୟଶୈଳୀ ରାଜ୍ୟ ବିକାଶ ପରିପନ୍ଥୀ। ଏସମ୍ପର୍କରେ ବ୍ୟାପକ ଜନଚେତନା ଏବଂ ସକ୍ରିୟତା ଆବଶ୍ୟକ। ଏହି ସାମାଜିକ ଦାୟିତ୍ୱ ନିର୍ବାହ ପାଇଁ ରାଜ୍ୟର ମେଧାବୀ ଯୁବଶକ୍ତିକୁ ଦୂରଦୃଷ୍ଟି ସମ୍ପନ୍ନ, ନିର୍ଭୀକ ହେବା ଆବଶ୍ୟକ।
ତଳୁଆ ପ୍ଲାଟଫର୍ମ ଆଜି ଆମ ରାଜ୍ୟର ସାମୂହିକ ଅନଗ୍ରସତା ଏବଂ ଦୟନୀୟ ପରିସ୍ଥିତିର ଏକ କ୍ରୁର ସଂକେତ। ଏହା ଆମ ନତମସ୍ତକ ମାନସିକତାର ସଂକେତ। ତଳୁଆ ପ୍ଲାଟଫର୍ମର୍ଦ୍ଧ୍ୱଗାମୀ ହେବ ବ୍ୟକ୍ତିଗତ ସ୍ୱାର୍ଥରହିତ ସାମୂହିକ ସାମର୍ଥ୍ୟ ମାଧ୍ୟମରେ। ନ୍ୟାୟ ପାଇଁ ନ୍ୟସ୍ତସ୍ୱାର୍ଥ ଶକ୍ତିକୁ ପରାହତ କରିବାକୁ ହେବ।
ଫୋ-୯୯୩୭୦୯୨୯୧୪