Advertisment

ସରକାରଙ୍କ ଭକ୍ତି ବ୍ୟବସାୟ

ରବି ନାରାୟଣ ପଣ୍ଡା ଓଡ଼ିଶାରେ କିଛି ଲୋକ ମତବ୍ୟକ୍ତ କରୁଛନ୍ତି ବର୍ତମାନ ସରକାର ମହାନ ଜଗନ୍ନାଥ ଭକ୍ତ। ପୁରୀ କ୍ଷେତ୍ରରେ ଚାଲୁଥିବା ବିକାଶ ତାଙ୍କ ଭକ୍ତି ଭାବର ନମୁନା। ଏହାକୁ ପ୍ରମାଣିତ କରିବା ପାଇଁ ସରକାରୀ ବୁଦ୍ଧିଜୀବୀମାନେ ପ୍ରବଳ ଯତ୍ନବାନ। ବୁଦ୍ଧିଜୀବୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ସରକାର ମଧ୍ୟ ନଗଦ ବଜାରରୁ ବୁଦ୍ଧିଜୀବୀ କ୍ରୟ କରୁଛନ୍ତି। ଓଡ଼ିଶାର କିଛି ଲୋକ ମତବ୍ୟକ୍ତ କରୁଛନ୍ତି ସରକାର ଭକ୍ତି ନୁହେଁ ନିରୋଳା ବ୍ୟବସାୟୀ। ହିନ୍ଦୁ ସଂସ୍କୃତି, ଆସ୍ଥା ଓ ଇତିହାସକୁ […]

author-image
Debendra Prusty
ସରକାରଙ୍କ ଭକ୍ତି ବ୍ୟବସାୟ

Jagannath-Temple-Puri

ରବି ନାରାୟଣ ପଣ୍ଡା

ଓଡ଼ିଶାରେ କିଛି ଲୋକ ମତବ୍ୟକ୍ତ କରୁଛନ୍ତି ବର୍ତମାନ ସରକାର ମହାନ ଜଗନ୍ନାଥ ଭକ୍ତ। ପୁରୀ କ୍ଷେତ୍ରରେ ଚାଲୁଥିବା ବିକାଶ ତାଙ୍କ ଭକ୍ତି ଭାବର ନମୁନା। ଏହାକୁ ପ୍ରମାଣିତ କରିବା ପାଇଁ ସରକାରୀ ବୁଦ୍ଧିଜୀବୀମାନେ ପ୍ରବଳ ଯତ୍ନବାନ। ବୁଦ୍ଧିଜୀବୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ସରକାର ମଧ୍ୟ ନଗଦ ବଜାରରୁ ବୁଦ୍ଧିଜୀବୀ କ୍ରୟ କରୁଛନ୍ତି। ଓଡ଼ିଶାର କିଛି ଲୋକ ମତବ୍ୟକ୍ତ କରୁଛନ୍ତି ସରକାର ଭକ୍ତି ନୁହେଁ ନିରୋଳା ବ୍ୟବସାୟୀ। ହିନ୍ଦୁ ସଂସ୍କୃତି, ଆସ୍ଥା ଓ ଇତିହାସକୁ ନଷ୍ଟ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏପରି ମତବ୍ୟକ୍ତ କରୁଥିବା ବୁଦ୍ଧିଜୀବୀମାନଙ୍କୁ ସରକାରୀ ପ୍ରତାଡ଼ନାର ଶିକାର ହେବାକୁ ପଡୁଛି। ସରକାର ସମର୍ଥିତ ଗଣମାଧ୍ୟମରେ ସେମାନଙ୍କୁ ବିକାଶ ବିରୋଧ ବୋଲି ଚିତ୍ରଣ କରାଯାଉଛି।

Advertisment

ବିଚାର ଭିନ୍ନତାର କାରଣ ହେଉଛି ସରକାରୀ ବୁଦ୍ଧିଜୀବୀମାନେ ପୁରୀକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବାକୁ ଚେଷ୍ଟା କରୁଥିବା ବେଳେ ଓଡିଶାର ଅଧିକାଂଶ ବୁଦ୍ଧିଜୀବୀ ଏହାକୁ ଭକ୍ତି ଓ ସଂସ୍କୃତିର ସମନ୍ୱିତ ସ୍ଥଳୀ ଭାବରେ ବିକଶିତ କରିବାକୁ ଚାହୁଁଛନ୍ତି। ସରକାର ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତିର କେନ୍ଦ୍ର ଭାବରେ ବିବେଚନା କରୁଛନ୍ତି। କିନ୍ତୁ ଓଡ଼ିଶାର ସାଧାରଣ ଜନତା ଧର୍ମ, ସଂସ୍କୃତି, ଶ୍ରଦ୍ଧା ଓ ବିଶ୍ୱାସର କେନ୍ଦ୍ର ଭାବେ ବିଚାର କରୁଛନ୍ତି।

ସରକାରଙ୍କ ବିଚାରକୁ ଉଦାରତାର ସହ ବିଶ୍ଲେଷଣ କରାଯାଉ। ଗୋଆ ବେଳାଭୂମି ଭଳି ପୁରୀ ବେଳାଭୂମିର  ବିକାଶ କରିବେ। ଗୋଆ ତାର ସମୁଦ୍ର କୂଳକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକାଶ କରିଛି, ପାଇଛି କଣ? ବହେ ଦେଶୀ, ବିଦେଶୀ ପର୍ଯ୍ୟଟକ ଓ ରାଜସ୍ୱ। ହରେଇଛି ନିଜର ଗୋମନ୍ତକ ପରିଚୟ। ଦେଶୀ, ବିଦେଶୀ ନିଶା ବେପାରୀ କବ୍ଚା କରିନେଇଛନ୍ତି ପୁରା ରାଜ୍ୟ। ଯୁବକ, ଯୁବତୀ ଡ୍ରଗ୍ସ କବଳରେ। କୋମଳମତି ଯୁବତୀଙ୍କୁ ଲଗେଇ ଦିଆଯାଉଛି ଦେହ ବ୍ୟବସାୟରେ। ବେଳାଭୂମିରେ ଘୂରି ବୁଲୁଛନ୍ତି ହୃଦୟ ଶୂନ୍ୟ ମସ୍ତିଷ୍କ ଗୁଡାଏ। ସରକାର କଣ ପୁରୀରେ ଏପରି ଚିତ୍ର ଦେଖିବାକୁ ଚାହୁଁଛନ୍ତି? ପୁରୀକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଓଡ଼ିଶାର ଜନତା କେବେ ଗ୍ରହଣ କରି ପାରିବେନି। ଏହା ଚାରିଧାମ ଭିତରେ ଆସୁଛି। ଏହା ଧର୍ମକ୍ଷେତ୍ର / ଶ୍ରୀପୁରୁଷୋତମ କ୍ଷେତ୍ର/ ଶଙ୍ଖକ୍ଷେତ୍ର/ ତୀର୍ଥ କ୍ଷେତ୍ର / ଶ୍ରୀକ୍ଷେତ୍ର ଭାବେ ପରିଚିତ। କଳା, ସଂସ୍କୃତି, ସ୍ଥାପତ୍ୟ, ସାହିତ୍ୟ, ଐତିହ୍ୟ କୀର୍ତିରାଜିର ସମାହାର। ମହୋଦଧିରୁ ମହାପ୍ରଭୁଙ୍କ ଦାରୁବ୍ରହ୍ମ ଆର୍ବିଭାବ ହୋଇ ଥିବାରୁ ଜଗନ୍ନାଥ ସଂସ୍କୃତିରେ ଏହାର ସ୍ୱତନ୍ତ୍ରତା ରହିଛି। ଏଣୁ ପୁରୀ ସମୁଦ୍ରକୁ ତୀର୍ଥରାଜ ଭାବେ ବିବେଚନା କରାଯାଏ। ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠ ପକ୍ଷରୁ ଦୈନିକ ସଂଧ୍ୟାରେ ସମୁଦ୍ର ଆଳତୀ ହୋଇଥାଏ। ପୁରୀ ସମୁଦ୍ର କେବଳ ଉପଭୋଗର ସ୍ଥଳ ନୁହେଁ, ଆସ୍ଥା ଓ ଭକ୍ତିର କେନ୍ଦ୍ର। ହିନ୍ଦୁ ସଂସ୍କୃତି ସହ ଅଙ୍ଗାଅଙ୍ଗି ଭାବେ ଜଡିତ। ଏଣୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଆଳରେ ଗୋଆ ବେଳାଭୂମି ପରି ରୂପାନ୍ତର କରାଗଲେ ଏହାର ପରିଚୟ ନଷ୍ଟ ହୋଇଯିବ। ଐତିହ୍ୟ ନଷ୍ଟ ହୋଇଯିବ। ଦାନରେ ମିଳିଥିବା ବଗଲା ଧର୍ମଶାଳାକୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସେଠାରେ ନିର୍ମାଣ ହେବ ବ୍ୟବସାୟ କେନ୍ଦ୍ର। ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ନିବାସ ଐତିହ୍ୟର ଧ୍ୱଂସସ୍ତୁପ ଉପରେ ଛିଡାହେବ ବ୍ୟବସାୟ। ସାମାନ୍ୟ ସଦଗୁଣ ଥିବା ବ୍ୟକ୍ତି ଏହାକୁ ସହ୍ୟ କରିପାରିବ ନାହିଁ।

Advertisment

ବହୁ ସାଧୁସନ୍ଥ, ସନ୍ୟାସୀ ପାଦ ଏ ମାଟିରେ ପଡିଛି। ମହର୍ଷି ଭୃଗୁ, ଅଙ୍ଗିରା, ମାର୍କଣ୍ଡେୟ, ଗୌତମବୁଦ୍ଧ, ନାନକ, ଚୈତନ୍ୟ, କବୀର ପ୍ରଭୃତି ମହାନ ସନ୍ଥଙ୍କ ବିଜେସ୍ଥଳ ହେଉଛି ପୁରୀ। ଏଥି ସହିତ ପଂଚତୀର୍ଥ ପୁଷ୍କରଣୀ, ଦୁଇ ଶହରୁ ଉର୍ଦ୍ଧ୍ୱ ଐତିହ୍ୟ ସ୍ଥାନ, ପଂଚୁପାଣ୍ଡବଙ୍କ ମନ୍ଦିର ରହିଛି।

ଭୌତିକ ସୌନ୍ଦର୍ଯ୍ୟ ଏହାର ଆଧ୍ୟାତ୍ମିକ ବାତାବରଣକୁ ନଷ୍ଟ କରିନଦେଉ! ଆଧୁନିକତାର ଚାକଚକ୍ୟରେ ହଜି ନଯାଉ! ପ୍ରାଚୀନ ସଂସ୍କୃତି ଭୋଗବାଦୀ ସଂସ୍କୃତିରେ ପରିବର୍ତନ ନ ହୋଇ ଯାଉ! ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟ ଆଳରେ ଏହା ପଛରେ ରହିଥିବା ଐତିହ୍ୟ କୀର୍ତି ହଜି ନଯାଉ!

ସଂସ୍କୃତି ହେଉଛି ଗୋଟିଏ ଜାତିର ଆତ୍ମା ଓ ପରିଚୟ। ପୁରୀର ବିକାଶ ହେଉ, କିନ୍ତୁ ଏହାର ପରମ୍ପରା, ଐତିହ୍ୟ, ପ୍ରାଚୀନ ସଂସ୍କୃତି ବିଲୁପ୍ତ ହୋଇ ନଯାଉ। ବିକାଶ ଆଳରେ ସଂସ୍କୃତି ପ୍ରତି କୁଠାରଘାତ ନହେଉ! ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ ଆଳରେ ଏହାର ପ୍ରାଚୀନ ଐତିହ୍ୟ କୀର୍ତିରାଜୀକୁ ନଷ୍ଟ କରାନଯାଉ। ସଂସ୍କୃତିର ପୁନରୁଦ୍ଧାର ପରିବର୍ତେ ଧ୍ୱଂସର ସ୍ତୁପରେ ପରିଣତ କରାନଯାଉ। ପ୍ରଲୋଭିତ ବୁଦ୍ଧିଜୀବୀମାନେ ସ୍ୱାଧୀନଚେତା ହୁଅନ୍ତୁ। ଓଡିଶା ପରିଚୟ ଅକ୍ଷୁଣ୍ଣ ରଖିବାରେ ସହାୟକ ହୁଅନ୍ତୁ।

ଗବସାହି, ଭଦ୍ରକ, ମୋ-୯୪୩୭୦୧୭୮୫୭