Advertisment

ଓବିସି ସଂରକ୍ଷଣ ନେଇ ସରକାର ଅପଦସ୍ତ

ରବି ଦାସ ଆଗାମୀ ପଂଚାୟତ ନିର୍ବାଚନ ଓ ପରେ ପରେ ତିନି ବର୍ଷ ହେଲା ଗଡ଼ିଯାଇଥିବା ପୌର ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶାର ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ବର୍ଷାକାଳୀନ ଅଧିବେଶନରେ ଦୁଇଟି ବିଲ୍ ଗୃହୀତ କରି ସେହି ଅନୁସାରେ ଜିଲ୍ଲାପାଳମାନଙ୍କୁ କ୍ଷମତା ଦେଇ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ମଣ୍ଡଳ କମିଶନ ସୁପାରିଶକୁ କାଏମ କରିବା ସମୟରେ କହିଥିଲେ ଯେ ଅନୁସୂଚୀତ ଜାତି, ଜନଜାତି ଏବଂ ଓବିସିମାନଙ୍କର […]

ଅଦ୍ୟତନ ହୋଇଛି
୧୪ ଜିଲ୍ଲାର ‘ଜିଲ୍ଲା ପରିଷଦ’ରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଶୂନ, ସଂରକ୍ଷିତ ନାହିଁ ଗୋଟିଏ ବି ଆସନ

vote

Advertisment
  • ରବି ଦାସ

ଆଗାମୀ ପଂଚାୟତ ନିର୍ବାଚନ ଓ ପରେ ପରେ ତିନି ବର୍ଷ ହେଲା ଗଡ଼ିଯାଇଥିବା ପୌର ନିର୍ବାଚନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶାର ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ବର୍ଷାକାଳୀନ ଅଧିବେଶନରେ ଦୁଇଟି ବିଲ୍ ଗୃହୀତ କରି ସେହି ଅନୁସାରେ ଜିଲ୍ଲାପାଳମାନଙ୍କୁ କ୍ଷମତା ଦେଇ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ମଣ୍ଡଳ କମିଶନ ସୁପାରିଶକୁ କାଏମ କରିବା ସମୟରେ କହିଥିଲେ ଯେ ଅନୁସୂଚୀତ ଜାତି, ଜନଜାତି ଏବଂ ଓବିସିମାନଙ୍କର ମୋଟ୍ ସଂରକ୍ଷଣ ଶତକଡ଼ା ୫୦ ଭାଗରେ ସୀମିତ ରହିବ ଅର୍ଥାତ୍ ମୋଟ ସଂରକ୍ଷଣ ସଂଖ୍ୟା ଏହି ସୀମାକୁ ଅତିକ୍ରମ କରିବ ନାହିଁ। ସେଥିରେ ଏକଥା ମଧ୍ୟ କୁହାଯାଇଥିଲା ଯେ, କେବଳ ସ୍ୱତନ୍ତ୍ର ପରିସ୍ଥିତିରେ ଏହି ଶତକଡ଼ା ୫୦ ସୀମା ଅତିକ୍ରମ କରିପାରିବ। କିନ୍ତୁ ସେହି ସ୍ୱତନ୍ତ୍ର ପରିସ୍ଥିତି ବିଷୟରେ ଅଦାଲତଙ୍କୁ ହୃଦବୋଧ କରାଇବା ପାଇଁ ଯେଉଁ ତଥ୍ୟର ଆବଶ୍ୟକତା ଅଛି ତାହା ରାଜ୍ୟ ବା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ହେବ।

Advertisment

ଏହି ବିଚାରରେ ଯେହେତୁ ଓଡ଼ିଶାରେ ଅନୁସୂଚିତ ଜାତି ଓ ଜନଜାତିର ମୋଟ୍ ସଂଖ୍ୟା ପ୍ରାୟ ଶତକଡ଼ା ୩୮.୫ ଭାଗ ତେଣୁ ଓଡ଼ିଶାରେ ଲୋକସଂଖ୍ୟାର ପ୍ରାୟ ୫୦ ଭାଗରୁ ଊର୍ଦ୍ଧ୍ୱ ଥିବା ପଛୁଆ ବର୍ଗ ଲାଗି ସଂରକ୍ଷଣ ସୀମା କେନ୍ଦ୍ରୀୟ ଆଧାରରେ ଶତକଡ଼ା ୨୭ ଭାଗ କରିବା ସମ୍ଭବପର ହୋଇନଥିଲା। ଏ ଦିଗରେ ରାଜ୍ୟ ସରକାର ଯେତେବେଳେ ଉଦ୍ୟମ କରିଛନ୍ତି ସେତେବେଳେ ଅଦାଲତ ଏଗୁଡ଼ିକ ଅବୈଧ ଘୋଷଣା କରିଛି। କିନ୍ତୁ ପଂଚାୟତ ଓ ପୌର ନିର୍ବାଚନରେ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ଧରିନେଇ ରାଜ୍ୟରେ ଏହି ଦୁଇ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକରେ ରାଜ୍ୟରେ ଆଇନ କରି ପଛୁଆ ବର୍ଗ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଦୁଇଟି ନିର୍ବାଚନ ମଧ୍ୟ କରାଯାଇଛି। କିନ୍ତୁ ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ହାଇକୋର୍ଟ ୫୦ ଭାଗ ସୀମା ଅତିକ୍ରମ କରିପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିବା ପରେ ଓଡ଼ିଶାରେ ପୌର ନିର୍ବାଚନ ଗତ ତିନିବର୍ଷ ହେଲା ହୋଇନାହିଁ। ଏହି ସମୟରେ ରାଜ୍ୟ ସରକାର ମୌଳିକ ପ୍ରସଙ୍ଗ ଉପରେ ଅର୍ଥାତ୍ ରାଜ୍ୟର ସ୍ୱତନ୍ତ୍ର ସ୍ଥିତି ରହିଥିବା ସଂପର୍କରେ ହାଇକୋର୍ଟ ବା ସୁପ୍ରିମକୋର୍ଟକୁ ଉପଲବ୍ଧି କରିବାରେ ଯେଉଁ ଉଦ୍ୟମ ଆବଶ୍ୟକ ତାହା କରିନଥିଲେ।

ଶେଷରେ ସେହି ୫୦ ଭାଗ ସୀମାକୁ ରଖି ଓବିସିମାନଙ୍କ ପାଇଁ ପଂଚାୟତ ଓ ପୌରସଂସ୍ଥାରେ ସ୍ଥାନ ସଂରକ୍ଷଣ ନିମନ୍ତେ ଆଇନ ସଂଶୋଧନ କଲେ ଓ ଜିଲ୍ଳାସ୍ତରରେ ସଂରକ୍ଷଣ ପାଇଁ ଜିଲ୍ଳା ଅଧିକାରୀଙ୍କୁ କ୍ଷମତା ପ୍ରଦାନ କଲେ। କିନ୍ତୁ ଏହି ବ୍ୟବସ୍ଥାରେ ଏତେ ତ୍ରୁଟି ରହିଲା ଯେ ଏହା ବିରୋଧରେ ହାଇକୋର୍ଟରେ ପିଟିସନ୍ ଦାୟର ହେଲା। ଇତି ମଧ୍ୟରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଘଟଣାରେ ଚଳିତ ମାସରେ ଦୁଇଟି ରାୟ ଦେଇ ୫୦ ଭାଗ ସୀମାକୁ ଅତିକ୍ରମ କରାଯାଇପାରିବ ନାହିଁ ଏବଂ ଓବିସି ବର୍ଗକୁ ସ୍ଥାନ ସଂରକ୍ଷଣ ଦେବାକୁ ହେଲେ ସେଥିପାଇଁ ଯଥେଷ୍ଟ ତଥ୍ୟ ଓ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି କହିଲେ।

Advertisment

୧୯୩୧ ପରେ ଭାରତରେ ଜାତିଭିତ୍ତିକ ଜନଗଣନା ହୋଇନାହିଁ। କିନ୍ତୁ ରାଜ୍ୟ ସରକାରମାନେ ଚାହିଁଲେ ସ୍ୱତନ୍ତ୍ର ଓବିସି କମିଶନ କରି ସେମାନଙ୍କ ରାଜ୍ୟରେ ଓବିସି ବର୍ଗର ସଂଖ୍ୟା ଓ ସେମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରିପାରିବେ। କିନ୍ତୁ ଓବିସି ବର୍ଗକୁ ସଂରକ୍ଷଣ ଦେବାକୁ ଚାହୁଁଥିବା ରାଜ୍ୟମାନେ ଏ କ୍ଷେତ୍ରରେ ପ୍ରକୃତ ତଥ୍ୟ ସଂଗ୍ରହ ନକରି କେବଳ ଭୋଟ୍ ଦୃଷ୍ଟିରୁ ଓବିସି ବର୍ଗ ପାଇଁ  ପଂଚାୟତ ଓ ପୌରସଂସ୍ଥାରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବାରୁ ସୁପ୍ରିମକୋର୍ଟ ଏଗୁଡ଼ିକ ଅବୈଧ ବୋଲି କହିବାକୁ ବାଧ୍ୟ ହୋଇଛନ୍ତି। ୨୦୧୧ ଜନଗଣନାରେ ଜାତିଭିତ୍ତିକ ଜନଗଣନା କରାଯାଇଥିଲେ ମଧ୍ୟ କେତେକ ଅସୁବିଧା ହେତୁ ସେହି ତଥ୍ୟ ପ୍ରକାଶ ପାଇନାହିଁ। କିନ୍ତୁ ସେହି ସମୟରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ଶ୍ରେଣୀ (ଏସ୍ଇବିସି) ପାଇଁ ଯେଉଁ ତଥ୍ୟ ସଂଗ୍ରହ କରିଥିଲେ ତାହାରି ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବସ୍ଥା ହେଉଥିଲେ ମଧ୍ୟ ଓବିସିମାନଙ୍କୁ ପଂଚାୟତ ଓ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନିମନ୍ତେ ଏହି ତଥ୍ୟ କାମ ଦେବନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ଏହି ସମସ୍ତ ବିଷୟ ରାଜ୍ୟ ସରକାର ଅବଗତ ଥିଲେ ମଧ୍ୟ କେବଳ ୫୦ ଭାଗ ସୀମା ଅତିକ୍ରମ କରିବେ ନାହିଁ ବିଚାରରେ ଓବିସି ବର୍ଗ ପାଇଁ ଯେଉଁ ସ୍ଥାନ ସଂରକ୍ଷଣ ଆଇନ ତରବରିଆ ଭାବରେ ବର୍ଷାକାଳୀନ ଅଧିବେଶନରେ ଗୃହୀତ କରାଇଥିଲେ ତାହା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିଲା। ତେଣୁ ଏହି ଆଧାର ଉପରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଳାପାଳମାନେ ପ୍ରସ୍ତୁତ କଲେ, ଯାହାକୁ ରାଜ୍ୟ ସରକାର ଅନୁମୋଦନ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇଲେ ତାହା ଠିକ୍ ନଥିଲା। ଯଦି ଆଇନ ପ୍ରଣୟନ ପୂର୍ବରୁ ରାଜ୍ୟ ସରକାର ସବୁ ବିଷୟ ଆଲୋଚନା କରିଥାନ୍ତେ ଏପରିକି ବିଧାନସଭାରେ ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ହୋଇଥାନ୍ତା ତେବେ ତ୍ରୁଟିଗୁଡ଼ିକ ପଦାକୁ ଆସିଥାନ୍ତା। କିନ୍ତୁ ତାହା ନକରି ଓବିସି ବର୍ଗକୁ ସଂରକ୍ଷଣ ସୁବିଧା ଦିଆଯାଉଛି ବୋଲି ପ୍ରଚାର କରାଯାଇ ଯେଉଁ ବ୍ୟବସ୍ଥା ହେଲା ସେଥିରେ ଏବେ ସରକାର ଅପଦସ୍ତ ହେଲେ। ହାଇକୋର୍ଟ ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଭିତ୍ତିରେ ସିଦ୍ଧାନ୍ତ ନେବା ପୂର୍ବରୁ ସଂରକ୍ଷଣ ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେବା ପାଇଁ ହାଇକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇଲେ। ୭୩ତମ ସମ୍ବିଧାନ ସଂଶୋଧନରେ ଅନୁସୂଚୀତ ଜାତି ଓ ଜନଜାତି ପାଇଁ ଲୋକସଂଖ୍ୟା ଭିତ୍ତିରେ ସଂରକ୍ଷଣ କରାଯିବାର ବ୍ୟବସ୍ଥା ଲିପିବଦ୍ଧ ହୋଇ ରହିଛି। ଏଥିରେ ଏକଥା ମଧ୍ୟ କୁହାଯାଇଛି ଯେ ଏହି ସଂରକ୍ଷଣ ବ୍ୟବସ୍ଥା ରୋଟେସନ ଭିତ୍ତିରେ କରାଯିବ। ଅର୍ଥାତ୍ ଏହି ରୋଟେସନ୍ ଯୋଗୁ ଗୋଟିଏ ଆସନ ଗୋଟିଏ ବର୍ଗ ପାଇଁ ଏକାଧିକ ସମୟ ଲଗାତାର ରହିବ ନାହିଁ। ସମ୍ବିଧାନର ଏହି ନିର୍ଦ୍ଦେଶକୁ ମଧ୍ୟ ରାଜ୍ୟ ସରକାର ଠିକ୍ ଭାବେ ପାଳନ କରିନାହାନ୍ତି। ସଂରକ୍ଷଣ ପାଇଁ ଥିବା ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ଅତିକମରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣର ସୁବିଧା ଥିଲେ ମଧ୍ୟ ରାଜ୍ୟ ସରକାର ସେ କ୍ଷେତ୍ରରେ ଆଗକୁ ଯାଇ ଶତକଡ଼ା ୫୦ ଭାଗ ସ୍ଥାନ ସଂରକ୍ଷଣ କରିଛନ୍ତି। କିନ୍ତୁ ଏହି ସଂରକ୍ଷଣ ବ୍ୟବସ୍ଥାରେ ସମ୍ବିଧାନରେ କୁହାଯାଇଛି ଯେ ଓବିସି ବର୍ଗ ପାଇଁ ରାଜ୍ୟ ବିଧାନସଭା ଚାହିଁଲେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିପାରିବେ। କିନ୍ତୁ ଏହା କାର୍ଯ୍ୟକାରୀ କରିବା ସମୟରେ ଶତକଡ଼ା ୫୦ ଭାଗ ସୀମା ଅତିକ୍ରମ କରିବ ନାହିଁ ଓ ପଛୁଆବର୍ଗଙ୍କ ପାଇଁ ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଏକ କମିଶନ ବସିବ ଓ ଏହି କମିଶନ କେତେ ସଂରକ୍ଷଣ ଆବଶ୍ୟକ ତାହା ନିର୍ଣ୍ଣୟ କରି ସୁପାରିଶ କରିବେ। ଓଡ଼ିଶାରେ ବହୁ  ବିଳମ୍ବରେ ଏକ ପଛୁଆ ବର୍ଗ କମିଶନ ଚଳିତ ବର୍ଷ ବସିଥିଲେ ମଧ୍ୟ ଏହା ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ସଂଗ୍ରହ କରି ସରକାରଙ୍କୁ କୌଣସି ସୁପାରିଶ କରିନାହାନ୍ତି। ଏପରି ଅବସ୍ଥାରେ ପଛୁଆ ବର୍ଗ ପାଇଁ କେଉଁ ଭିତ୍ତିରେ ଓ କାହିଁକି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା ତାହାର ଜବାବ୍ ରାଜ୍ୟ ସରକାର ପ୍ରଦାନ କରିବା କଷ୍ଟକର ହେବାରୁ ହାଇକୋର୍ଟର ପ୍ରକୃତ ନିର୍ଦ୍ଦେଶ ପ୍ରକାଶ ପୂର୍ବରୁ ରାଜ୍ୟ ସରକାର ନିକଟରେ ପ୍ରକାଶ ପାଇଥିବା ସ୍ଥାନ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଛନ୍ତି। ଏବେ ପରିସ୍ଥିତି ଏପରି ହୋଇଛି ଯେ ଓବିସି ବର୍ଗ ପାଇଁ ପଂଚାୟତ ଓ ପୌର ସଂସ୍ଥାରେ ଆଉ କୌଣସି ସ୍ଥାନ ସଂରକ୍ଷିତ ହେବ ନାହିଁ। ଅର୍ଥାତ୍ ପଛୁଆ ବର୍ଗ ପାଇଁ ନିର୍ଦ୍ଧାରିତ ସ୍ଥାନଗୁଡ଼ିକ ସାଧାରଣ ବର୍ଗର ସ୍ଥାନ ଭାବରେ ହିଁ ବିବେଚିତ ହେବ। କିନ୍ତୁ ମହିଳାମାନଙ୍କ ପାଇଁ ୫୦ ଭାଗ ସ୍ଥାନ ସଂରକ୍ଷଣ ଓ ଅନୁସୂଚିତ ଜାତି ଜନଜାତିକୁ ସମ୍ବିଧାନ ନିର୍ଦ୍ଦେଶ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପଡ଼ିବ। ସେଥିପାଇଁ ରାଜ୍ୟ ସରକାର ସଂରକ୍ଷଣ ସଂକ୍ରାନ୍ତରେ ସାନି ବିଜ୍ଞପ୍ତି ଜାନୁଆରୀ ୮ ପୂର୍ବରୁ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓବିସି ବା ପଛୁଆ ବର୍ଗକୁ ଚାକିରିରେ, ଶିକ୍ଷାରେ ଏବଂ ଏବେ ପଂଚାୟତ ଓ ପୌର ବ୍ୟବସ୍ଥାରେ ସ୍ଥାନ ସଂରକ୍ଷଣ ସ୍ଲୋଗାନ ଓ ପ୍ରତିଶ୍ରୁତି ସବୁ ରାଜ୍ୟରେ ଭୁଶୁଡ଼ି ପଡ଼ିଛି। ୫୦ ଭାଗ ସ୍ଥାନ ସଂରକ୍ଷଣ ସୀମା ଯୋଗୁ ଚାକିରିରେ ଶତକଡ଼ା ୧୧.୫ରୁ ଅଧିକ ସଂରକ୍ଷଣ ଦିଆଯାଉନାହିଁ। ଯଦିଓ ଏହି ଗୋଷ୍ଠୀରେ ରାଜ୍ୟ ଲୋକସଂଖ୍ୟାର ପ୍ରାୟ ୫୦ ଭାଗରୁ ଊର୍ଦ୍ଧ୍ୱ ଲୋକ ରହିଛନ୍ତି। ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ପଛୁଆ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ ରହିଥିଲେ ମଧ୍ୟ ଓଡ଼ିଶାରେ ତାହା ଆଦୌ ନାହିଁ। ଶେଷରେ ଏବେ ତୃଣମୂଳ ସ୍ତରର ଗଣତନ୍ତ୍ର କୁହାଯାଉଥିବା ପଂଚାୟତ ଓ ପୌରସଂସ୍ଥାରେ ସରକାରଙ୍କର ତ୍ରୁଟିପୂର୍ଣ୍ଣ ନିଷ୍ପତି ଯୋଗୁ ଓବିସି ବର୍ଗ ପାଇଁ ଆଉ କୌଣସି ସଂରକ୍ଷଣ ବ୍ୟବସ୍ଥା ରହିବନାହିଁ। ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଓଡ଼ିଶାର ସ୍ୱତନ୍ତ୍ର ପରିସ୍ଥିତି ବିଷୟରେ ତଥ୍ୟ ରଖି ଓଡ଼ିଶା କ୍ଷେତ୍ରରେ ପଛୁଆବର୍ଗ ପାଇଁ ଅଧିକ ସଂରକ୍ଷଣର ଆବଶ୍ୟକତା ରହିଥିବା ବିଷୟରେ କୌଣସି ଉଦ୍ୟମ ଗତ ୨୦ ବର୍ଷ ଭିତରେ କରିନଥିବାରୁ ରାଜ୍ୟର ଓବିସି ବର୍ଗ ଏବେ ସବୁକ୍ଷେତ୍ରରେ ସଂପୂର୍ଣ୍ଣ ଭାବରେ ସଂରକ୍ଷଣରୁ ବଂଚିତ ହୋଇଛନ୍ତି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe