ଢିଙ୍କିଆ ବ୍ୟାପାରରେ କ୍ଷମା ମାଗନ୍ତୁ ଓଡ଼ିଶା ସରକାର!

ଜଙ୍ଗଲ ଅଧିକାର ଆଇନ୍-୨୦୦୬ କାର୍ଯ୍ୟକାରୀ ନହେଲା ପର୍ଯ୍ୟନ୍ତ ଏହି ଜଙ୍ଗଲ ଜମି ଜିନ୍ଦଲ କମ୍ପାନୀକୁ ହସ୍ତାନ୍ତର ହୋଇପାରିବ ନାହିଁ। ଗୋଟିଏ ପକ୍ଷରେ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର ପରିବେଶ ମଞ୍ଜୁରୀକୁ ୩ ମାସ ସ୍ଥଗିତ ରଖିବା ଓ ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟ ସିଧାସଳଖ ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଜଙ୍ଗଲ ଜମିକୁ ଜିନ୍ଦଲକୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବା ପରେ ପ୍ରଶ୍ନ ଉଠୁଛି, କେଉଁ ଉଦ୍ଦେଶ୍ୟରେ ଓ କାହିଁକି ସେଠାକାର ଗରିବ ଲୋକମାନଙ୍କ ଉପରେ ଗତ ୧୫ ମାସ ହେଲା କ୍ରମାଗତ ପୋଲିସ ଅତ୍ୟାଚାର ଚଳାଇଥିଲା?

Police Lathi Charge On Dhinkia Protest

Police Lathi Charge On Dhinkia Protest

Debendra Prusty
  • Published: Wednesday, 29 March 2023
  • Updated: 29 March 2023, 04:08 PM IST

News Highlights

  • ଜିନ୍ଦଲ କମ୍ପାନୀର ପରିବେଶ ମୂଲ୍ୟାୟନ ରିପୋର୍ଟ ସଠିକ୍ ଭାବରେ କରାଯାଇନଥିବାରୁ ଏହାର ପରିବେଶ ମଞ୍ଜୁରୀକୁ ଗ୍ରୀନ୍ ଟ୍ରିବ୍ୟୁନାଲର ପୂର୍ବ ଜୋନ୍ ୩ ମାସ ସ୍ଥଗିତ କରିଦେଇଛନ୍ତି।
  • ଓଡ଼ିଶା ହାଇକୋର୍ଟ ଜଙ୍ଗଲ ଅଧିକାର ଆଇନ୍-୨୦୦୬କୁ ଭଲ ଭାବେ ତର୍ଜମା କରି ସେହି ଜଙ୍ଗଲ ଜମି ଉପରେ ୩ ପୁରୁଷ ଧରି ରହିଆସୁଥିବା ଓ ନିଜର ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କୁ ମନଇଚ୍ଛା ହଟାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି।
  • ଯେଉଁ ପୋଲିସ ଏସପି ଏହି ଅତ୍ୟାଚାରର ମୁଖ୍ୟ ନାୟକ ଥିଲେ, ସେ ଇତିମଧ୍ୟରେ ପ୍ରମୋସନ ପାଇଗଲେଣି। କିନ୍ତୁ ସେ ଗିରଫ କରିଥିବା ଲୋକମାନେ ବିନା କାରଣରେ ଜେଲରେ ଅଛନ୍ତି ଓ ବହୁ ପ୍ରକାର ମାମଲାରେ ଛନ୍ଦି ହୋଇପଡିଛନ୍ତି। ଏହା ମାନବ ଅଧିକାର ଉପରେ ଏକ ପ୍ରଚଣ୍ଡ ଆକ୍ରମଣ।

ଏରସମା ବ୍ଲକର ଢିଙ୍କିଆ ଅଞ୍ଚଳରେ ପସ୍କୋ ପାଇଁ ଦିଆଯାଇଥିବା ଜମିକୁ ରାଜ୍ୟ ସରକାର ଜେଏସଡବ୍ଲ୍ୟୁକୁ ପ୍ରଦାନ କରି ସେଠାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଯେଉଁ ବ୍ୟବସ୍ଥା କଲେ ସେଥିରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକମାନେ ଆନ୍ଦୋଳନ କରିଥିଲେ। ପସ୍କୋ କମ୍ପାନୀ ବିରୋଧରେ ଯେଉଁ ଧରଣର ଆନ୍ଦୋଳନ ହୋଇଥିଲା, ଏଥର ସେହି ଧରଣର ଆନ୍ଦୋଳନ ହୋଇନଥିଲେ ମଧ୍ୟ ଢିଙ୍କିଆ ପଞ୍ଚାୟତର ଲୋକମାନେ ସେମାନଙ୍କର ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ନିମନ୍ତେ ଏହିସବୁ ଜମିକୁ ଜିନ୍ଦଲ କମ୍ପାନୀକୁ ଦିଆଯିବାକୁ ବିରୋଧ କରିଥିଲେ। ବିଶେଷ ଭାବରେ ଏହି ଅଞ୍ଚଳରେ ଥିବା ବିସ୍ତୃତ ଜଙ୍ଗଲ ଜମିରେ ସ୍ଥାନୀୟ ଲୋକମାନେ ଶହ ଶହ ବର୍ଷ ଧରି ସେମାନଙ୍କର ଜୀବିକା ପାଇଁ ନିର୍ଭର କରିଆସୁଥିବାରୁ ସେହି ସବୁ ଜମିକୁ ଜିନ୍ଦଲ କମ୍ପାନୀକୁ ଦିଆଯିବା ସେମାନଙ୍କ ସ୍ୱାର୍ଥ ବିରୋଧରେ ବୋଲି ମତ ପ୍ରକାଶ ପାଇଲା। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ବିଭାଗ ଆନ୍ଦୋଳନକାରୀଙ୍କ ଉପରେ କ୍ରମାଗତ ଚଢ଼ଉ କରିଥିଲା। ସେମାନଙ୍କର ପାନ ବରଜ ନଷ୍ଟ କରିବା ସହିତ ଆନ୍ଦୋଳନ କରୁଥିବା ଚାଷୀ-ମୂଲିଆଙ୍କୁ ଜଣ ଜଣ କରି ବିଭିନ୍ନ ମିଥ୍ୟା ମାମଲାରେ ଗିରଫ କରି ଜେଲକୁ ପଠାଇଥିଲା। ଗତ ୧୫ ମାସ ଭିତରେ ବହୁ ଆନ୍ଦୋଳନକାରୀ ଜେଲରୁ ଜାମିନରେ ଖଲାସ ହୋଇଥିଲେ ମଧ୍ୟ ସେମାନଙ୍କ ମୁଖ୍ୟ ନେତା ଦେବେନ୍ଦ୍ର ସ୍ୱାଇଁ ଓ ପ୍ରଦୀପ୍ତ ଶତପଥୀଙ୍କ ସମେତ ଗୀତାଞ୍ଜଳି ଭୋଇ ଏବେ ମଧ୍ୟ ଜେଲରେ ଅଛନ୍ତି।

ବାସ୍ତବରେ କେବଳ ନିଜର ଜୀବନ ଜୀବିକା ଓ ଅଧିକାର ପାଇଁ ଲଢ଼େଇ କରୁଥିବା ଗାଁର ସାଧାରଣ ଲୋକମାନଙ୍କ ଉପରେ ଗତ ୧୫ ମାସ ଭିତରେ ପୋଲିସ ଯେଉଁ ଧରଣର ଅତ୍ୟାଚାର କରିଛି ତାହା ଅକଥନୀୟ। କେବଳ ଆନ୍ଦୋଳନକୁ ଦବାଇବା ପାଇଁ ରାତି ଅଧରେ ଓ ଦିନର ଯେ କୌଣସି ସମୟରେ ପୋଲିସ ପ୍ରବେଶ କରି ସେମାନେ ବିଚାର କରୁଥିବା ଆନ୍ଦୋଳନକାରୀମାନଙ୍କୁ ଗିରଫ କରିଛନ୍ତି ଓ ସେମାନେ ସହଜରେ ଜାମିନରେ ନଆସିବେ ସେଥିପାଇଁ କଠୋର ଦଫା ଦିଆଯାଇଛି। ଜଣଙ୍କର ଗୋଟିଏ ମାମଲାରେ ଜାମିନ ହୋଇଗଲା ପରେ ଦ୍ୱିତୀୟ ଓ ତୃତୀୟ ମିଥ୍ୟା ମାମଲା କରାଯାଇଛି। ଏପରିକି ଏହି ଆନ୍ଦୋଳନକାରୀମାନଙ୍କୁ ସମର୍ଥନ କରିବା ପାଇଁ ମେଧା ପାଟକରେଙ୍କ ସମେତ ଯେଉଁ ମାନବାଧିକାର ନେତାମାନେ ସେହି ଅଞ୍ଚଳକୁ ଯାଇଛନ୍ତି, ସେମାନଙ୍କୁ ପୋଲିସ ପ୍ରରୋଚନାରେ ସେହି ଅଞ୍ଚଳକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ମୋଟାମୋଟି ଭାବରେ ଢିଙ୍କିଆ ଗ୍ରାମ ଉପରେ କ୍ରମାଗତ ଚଢ଼ଉରେ ୮୫ ଜଣ ଲୋକଙ୍କୁ ବିଭିନ୍ନ ସମୟରେ ଗିରଫ କରାଯାଇଛି। ଏହି ସାଧାରଣ ଲୋକମାନେ ଜାଣିପାରୁ ନାହାନ୍ତି କାହିଁକି ସେମାନଙ୍କ ଉପରେ ଏତେ ଅତ୍ୟାଚାର କରାଯାଉଛି?

ଏହି ପୃଷ୍ଠଭୂମିରେ ନିକଟରେ ଜିନ୍ଦଲ କମ୍ପାନୀର ପରିବେଶ ମୂଲ୍ୟାୟନ ରିପୋର୍ଟ ସଠିକ୍ ଭାବରେ କରାଯାଇନଥିବାରୁ ଏହାର ପରିବେଶ ମଞ୍ଜୁରୀକୁ ଗ୍ରୀନ୍ ଟ୍ରିବ୍ୟୁନାଲର ପୂର୍ବ ଜୋନ୍ ୩ ମାସ ସ୍ଥଗିତ କରିଦେଇଛନ୍ତି। ଏହି ସମୟ ଭିତରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଉତ୍ଥାପନ କରିଥିବା ପ୍ରଶ୍ନଗୁଡିକ ବିଚାର କରି ସାନି ପରିବେଶ ମୂଲ୍ୟାୟନ ରିପୋର୍ଟ କରିବା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ପସ୍କୋ ପ୍ରକଳ୍ପ ସମୟରେ ତତ୍କାଳୀନ ମୀନା ଗୁପ୍ତା କମିଟି ଯେଉଁ ପ୍ରସଂଗ ସବୁ ଉଠାଇଥିଲେ ସେଗୁଡ଼ିକର ଏବେ ମଧ୍ୟ ବିଚାରକୁ ନିଆଯାଇ ନାହିଁ।

ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶା ହାଇକୋର୍ଟ ଢିଙ୍କିଆ ଅଞ୍ଚଳର ଯେଉଁ ଜଙ୍ଗଲ ଜମିକୁ ଜିନ୍ଦଲ କମ୍ପାନୀକୁ ଦେବା ପାଇଁ ସ୍ଥିର କରିଛନ୍ତି ସେହି ଜମିଗୁଡ଼ିକରେ ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇନଥିବା ଉପଲବ୍ଧି କରିଛନ୍ତି। ଜଙ୍ଗଲ ଅଧିକାର ଆଇନ୍-୨୦୦୬ ଅନୁସାରେ କୌଣସି ଜଙ୍ଗଲ ଜମି ଉପରେ ରହୁଥିବା ଆଦିବାସୀ ବା ପାରମ୍ପାରିକ ଜଙ୍ଗଲବାସୀଙ୍କୁ ଆଇନ୍ ଅନୁସାରେ ଜମି ଉପରେ ଅଧିକାର ସାବ୍ୟସ୍ତ କଲା ପରେ ସେଗୁଡ଼ିକର ଅଧିଗ୍ରହଣ ଗ୍ରାମସଭାର ନିଷ୍ପତ୍ତି ଅନୁସାରେ କରାଯାଇପାରିବ। ତହସିଲଦାର ନିଜ ଇଚ୍ଛା ଅନୁସାରେ ଏହିସବୁ ଜଙ୍ଗଲ ଜମିକୁ କମ୍ପାନୀକୁ ଜଙ୍ଗଲ ଅଧିକାର ଆଇନ୍-୨୦୦୬କୁ ଏଡ଼ାଇଯାଇ ହସ୍ତାନ୍ତର କରିପାରିବେ ନାହିଁ। ଓଡ଼ିଶା ହାଇକୋର୍ଟ ଜଙ୍ଗଲ ଅଧିକାର ଆଇନ୍-୨୦୦୬କୁ ଭଲ ଭାବେ ତର୍ଜମା କରି ସେହି ଜଙ୍ଗଲ ଜମି ଉପରେ ୩ ପୁରୁଷ ଧରି ରହିଆସୁଥିବା ଓ ନିଜର ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କୁ ମନଇଚ୍ଛା ହଟାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି। ଏହି ପାରମ୍ପାରିକ ଜଙ୍ଗଲବାସୀଙ୍କ ଜଙ୍ଗଲ ଉପରେ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଯେଉଁ ବ୍ୟବସ୍ଥା ଅଛି, ତାହାକୁ ପାଳନ ନକରି ଏହି ଜମି ହସ୍ତାନ୍ତର ହୋଇଥିବାରୁ ହାଇକୋର୍ଟ ଏପରି ଜମି ହସ୍ତାନ୍ତର ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ମତ ଦେଇଛନ୍ତି । ଅର୍ଥାତ୍ ଆଇନ୍ ଅନୁସାରେ ଏହି ପାରମ୍ପାରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବା ପରେ ହିଁ ଜମି ଅଧିଗ୍ରହଣ ହୋଇପାରିବ। କହିବା ବାହୁଲ୍ୟ ଓଡ଼ିଶା ହାଇକୋର୍ଟ ସିଧାସଳଖ ଭାବରେ ଏହି ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ରହିତାଦେଶ ଜାରି କରିଛନ୍ତି।

ଏଣୁ ଜଙ୍ଗଲ ଅଧିକାର ଆଇନ୍-୨୦୦୬ କାର୍ଯ୍ୟକାରୀ ନହେଲା ପର୍ଯ୍ୟନ୍ତ ଏହି ଜଙ୍ଗଲ ଜମି ଜିନ୍ଦଲ କମ୍ପାନୀକୁ ହସ୍ତାନ୍ତର ହୋଇପାରିବ ନାହିଁ। ଗୋଟିଏ ପକ୍ଷରେ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର ପରିବେଶ ମଞ୍ଜୁରୀକୁ ୩ ମାସ ସ୍ଥଗିତ ରଖିବା ଓ ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟ ସିଧାସଳଖ ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଜଙ୍ଗଲ ଜମିକୁ ଜିନ୍ଦଲକୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବା ପରେ ପ୍ରଶ୍ନ ଉଠୁଛି, କେଉଁ ଉଦ୍ଦେଶ୍ୟରେ ଓ କାହିଁକି ସେଠାକାର ଗରିବ ଲୋକମାନଙ୍କ ଉପରେ ଗତ ୧୫ ମାସ ହେଲା କ୍ରମାଗତ ପୋଲିସ ଅତ୍ୟାଚାର ଚଳାଇଥିଲା? ଆଶ୍ଚର୍ଯ୍ୟର କଥା ଯେଉଁ ପୋଲିସ ଏସପି ଏହି ଅତ୍ୟାଚାରର ମୁଖ୍ୟ ନାୟକ ଥିଲେ, ସେ ଇତିମଧ୍ୟରେ ପ୍ରମୋସନ ପାଇଗଲେଣି। କିନ୍ତୁ ସେ ଗିରଫ କରିଥିବା ଲୋକମାନେ ବିନା କାରଣରେ ଜେଲରେ ଅଛନ୍ତି ଓ ବହୁ ପ୍ରକାର ମାମଲାରେ ଛନ୍ଦି ହୋଇପଡିଛନ୍ତି। ଏହା ମାନବ ଅଧିକାର ଉପରେ ଏକ ପ୍ରଚଣ୍ଡ ଆକ୍ରମଣ।

ସଂପୂର୍ଣ୍ଣ ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସ ଯେପରି ଭାବେ ଅତ୍ୟାଚାର କରିଛି, ସେଥିପାଇଁ ରାଜ୍ୟ ପକ୍ଷରୁ ସେମାନଙ୍କୁ ଏବେ କ୍ଷମା ମାଗିବା ଉଚିତ୍। ତା’ଛଡ଼ା ସେମାନଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହୃତ ହେବା ଆବଶ୍ୟକ। ବାସ୍ତବରେ ଢିଙ୍କିଆ ଅଞ୍ଚଳରେ ବିନା କାରଣରେ ପୋଲିସ ଯେପରି ଭାବରେ ଲୋକମାନଙ୍କ ଉପରେ ଅତ୍ୟାଚାର କରିଛି, ତାହା କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ। ସରକାର ଏବେ ମଧ୍ୟ ନିଜର ଭୁଲ ସ୍ୱୀକାର କରି ଯଦି ସମସ୍ତ ମାମଲା ପ୍ରତ୍ୟାହାର କରନ୍ତି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲ ଅଧିକାର ଆଇନ୍-୨୦୦୬ କାର୍ଯ୍ୟକାରୀ କରନ୍ତି, ତେବେ ଢିଙ୍କିଆ ଅଞ୍ଚଳରେ ସ୍ଥାୟୀ ଶାନ୍ତି ଓ ସଦ୍ଭାବନା ପ୍ରତିଷ୍ଠା ସମ୍ଭବ ହେବ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos