/odisha-reporter/media/post_attachments/uploadimage/library/16_9/16_9_0/Salt_Farm_1751095226.jpg)
Salt Farm
ଜାନକୀଶ ବଡ଼ପଣ୍ଡା
ଆମ ପଖାଳ କଂସା ଓ ଭାତ ଥାଳିରେ ଲୁଣ ନଥିଲେ ଓଡ଼ିଆ ଅସ୍ମିତା ମାରା ହେଲାଭଳି ଲାଗେ। ରୋଷେଇ ଯେତେ ଭଲ ହୋଇଥାଉନା କାହିଁକି ଲୁଣ ପଡ଼ିନଥିଲେ କିମ୍ବା ଅଳ୍ପ ଅଲଣା ହୋଇଥିଲେ ସ୍ୱାଦହୀନ ଲାଗେ।
ଦିନେ ରୋମର ସୈନିକମାନଙ୍କୁ ଦରମା ଆକାରରେ ଦିଆଯାଉଥିଲା ଲୁଣ। ଯେହେତୁ ଦରମାକୁ ଇଂରାଜୀରେ ‘ସାଲାରୀ’ କୁହାଯାଏ, ଏଣୁ ଦରମା ଆକାରରେ ଲୁଣ ଦିଆଯିବାକୁ ସମ୍ଭବତଃ ସଲ୍ଟ ନାମକରଣ ହୋଇଥିଲା। ଲୁଣ ଉପରେ ଏକାଧିପତ୍ୟ ପାଇଁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶାରେ କାୟା ବିସ୍ତାର କରିଥିଲା। ଆମ ଦେଶର ସ୍ୱାଧୀନତା ଆନ୍ଦୋଳନ କାଳରେ ‘ଲୁଣ ମାରିବା’କୁ ଏକ ପ୍ରଭାବୀ ଆନ୍ଦୋଳନର ରୂପ ପ୍ରଦାନ ଯାଇଥିଲା; ଯାହା ‘ଲବଣ ସତ୍ୟାଗ୍ରହ’ ନାମରେ ଜଣା। ଏହି ଆନ୍ଦୋଳନ ଇଂରେଜ ଶାସନ ଦ୍ୱାରା ଲୁଣ ଉପରେ ଲଗାଯାଇଥିବା କର ବିରୁଦ୍ଧରେ ଥିଲା। ସତ୍ୟାଗ୍ରହୀମାନଙ୍କ ସହିତ ମହାତ୍ମା ଗାନ୍ଧୀ ଗୁଜରାଟର ସାବରମତୀ ଆଶ୍ରମ ଠାରୁ ଦାଣ୍ଡି ପର୍ଯ୍ୟନ୍ତ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ପ୍ରାୟ ୩୯୦ କିମି ପଦଯାତ୍ରା ଆରମ୍ଭ କରିଥିଲେ। ଇତିହାସରେ ଏହି ଘଟଣା ‘ଦାଣ୍ଡି ଯାତ୍ରା’ ନାମରେ ଲିପିବଦ୍ଧ ରହିଛି। ବାଲେଶ୍ୱରର ଇଞ୍ଚୁଡ଼ି ଓ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କରାଯାଇଥିଲା ଲବଣ ସତ୍ୟାଗ୍ରହ।
ପ୍ରସ୍ତୁତି ପ୍ରଣାଳୀ ଅନୁସାରେ ଓଡ଼ିଶାରେ ଦୁଇ ପ୍ରକାର ସାମୁଦ୍ରିକ ଲୁଣ ଉତ୍ପାଦନ ହେଉଥିଲା। ଜୁଆର ସମୟରେ ଲୁଣାଜମି ପଟାଳିରେ ସମୁଦ୍ର ପାଣି ମାଡୁଥିଲା। ଏହାକୁ ଆବଦ୍ଧ କରାଯାଇ ସୂର୍ଯ୍ୟଙ୍କ ଉତ୍ତାପରେ ଜଳୀୟ ଅଂଶ ବାଷ୍ପୀଭୂତ ହେବା ପରେ ପଗଡ଼ ଲୁଣ ବା ‘କରକଚ’ ଲୁଣ ମିଳୁଥିଲା। ମଲାଙ୍ଗୀ ବୋଲାଉଥିବା ଲବଣ ଶ୍ରମିକଙ୍କ ଦ୍ଵାରା ପ୍ରସ୍ତୁତ ଅନ୍ୟ ଏକ ପଦ୍ଧତିର ଲୁଣକୁ ‘ପଙ୍ଗା’ ଲୁଣ କୁହାଯାଉଥିଲା। ଏହି ପଦ୍ଧତିରେ ଲୁଣିଆ ମାଟି ଓ ସମୁଦ୍ର ପାଣିକୁ ଫୁଟାଇ ସେଥିରୁ ଲୁଣ ପ୍ରସ୍ତୁତ କରା ଯାଉଥିଲା। ଏହା ଅପେକ୍ଷାକୃତ ସଫା ଓ ଧଳା ଥିଲା। ହିମାଳୟର ଗୋଲାପି ଲବଣ ବା ସୈନ୍ଧବ ଲବଣ ଏବଂ ବିଟ ବା କଳା ଲୁଣ ମୋଟାମୋଟି ସମାନ ହେଲେ ବି, ଉପଲବ୍ଧ ସ୍ଥଳ ଅନୁସାରେ ରଙ୍ଗ ଓ ରସାୟନିକ ତତ୍ତ୍ୱ ଅନୁଯାୟୀ ଭିନ୍ନ। ପାକିସ୍ଥାନର ଖେବରା ଲୁଣ ଖଣିରୁ ସୈନ୍ଧବ ଲବଣ ମିଳେ। ସେଥିରେ ମୁଖ୍ୟତଃ ସୋଡିୟମ ଓ କ୍ଲୋରିନ୍ ସହିତ ଥାଏ ଲୌହ, ପଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲ୍ସିୟମ ଓ ସଲଫର୍। ଏହାର ଏକ ପ୍ରକାର ବାସ୍ନା ଥିଲା ବେଳେ, ବିଟ ବା କଳାଲୁଣର ରଙ୍ଗ ଧୂସର। ବିଟଲୁଣକୁ ମଧ୍ୟ ରକ୍ ସଲ୍ଟ ଓ ନିରାମିଷ ମନେ କରାଯାଏ। ଏହା ପ୍ରକୃତିକ ଖଣିରୁ ମିଳୁଥିଲା ବେଳେ ଆଜିକାଲି ଲୁଣକୁ ଉତ୍ତପ୍ତ କରି ବିଟଲୁଣ ପ୍ରସ୍ତୁତ କରାଯାଉଛି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ପ୍ରାକୃତିକ ‘ରକ୍ ସଲ୍ଟ’ ମିଳିଥାଏ। ରାଜସ୍ଥାନରେ ଅନେକ ଲୁଣିପାଣି ହ୍ରଦ ରହିଛି; ଯେଉଁଠାରୁ ଲୁଣ ଉତ୍ପାଦନ ହୋଇଥାଏ। ଆସାମ ଓ ମଣିପୁରରେ ରହିଛି କିଛି ଲୁଣି ଝରଣା; ଯେଉଁଥିରୁ ମଧ୍ୟ ଲୁଣ ଉତ୍ପାଦନ ହୋଇଥାଏ।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅବହେଳା ଏବଂ ଉଦାସୀନତା କାରଣରୁ ଆମ ଗଞ୍ଜାମ ଜିଲ୍ଲାର ଲୁଣ ଉତ୍ପାଦନ କେନ୍ଦ୍ରଗୁଡ଼ିକ କ୍ରମଶଃ ବିଲୁପ୍ତ ହେବାକୁ ବସିଛି। ଗଞ୍ଜାମ ଏବଂ ହୁମ୍ମା ଅଞ୍ଚଳରେ ଲୁଣ ଉତ୍ପାଦନ ପାଇଁ ବ୍ୟବହୃତ ୧୪୭୨ ଏକର ଜମି ଅଛି। କେବଳ ହୁମ୍ମା-ବିଞ୍ଚଣାପାଲି ଲୁଣ ଉତ୍ପାଦନ ଏବଂ ବିକ୍ରୟ ସମବାୟ ସମିତି ଅଧୀନରେ ୭୨୯ ଏକର ଜମି ଅଛି। ଏହି ଲୁଣାଜମି ସମବାୟ ସମିତିକୁ ଲିଜରେ ଦିଆଯାଇଛି ଏବଂ ପ୍ରତି ୨୦ ବର୍ଷରେ ଲିଜ୍ ଅବଧି ନବୀକରଣ କରାଯାଉଛି। ଶେଷ ଥର ପାଇଁ ୨୦୧୧ରେ ଲିଜ୍ ଅବଧି ୨୦୩୧ ଯାଏଁ ନବୀକରଣ କରାଯାଇଥିଲେ ମଧ୍ୟ ଲିଜଧାରୀ ଲୁଣ ଚାଷ କରିନଥିଲେ। କୁହାଯାଉଛି ଯେ, ଏହା ପଛରେ ମଜୁରୀ ପ୍ରଦାନର ନିୟମକୁ ନେଇ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଲବଣ ବୋର୍ଡ କର୍ତ୍ତୃପକ୍ଷ ଏବଂ ଲିଜଧାରୀଙ୍କ ମଧ୍ୟରେ ମତଭେଦ ରହିଛି। କେନ୍ଦ୍ର ଲବଣ ବୋର୍ଡ ଏବଂ ରାଜ୍ୟ ଶିଳ୍ପ ବିଭାଗ ମିଳିତ ଭାବେ ଗୋଟିଏ ଲବଣ ଉତ୍ପାଦନ ୟୁନିଟ୍ ନିର୍ମାଣ କରି ଲୁଣ ଚାଷୀ ଏବଂ ଶ୍ରମିକଙ୍କ ସୁବିଧା ପାଇଁ ଏକ ବିଶ୍ରାମାଗାର ମଧ୍ୟ ନିର୍ମାଣ କରିଥିଲେ। ସେତେବେଳେ ଗୁଜରାଟର ଭାବନଗରରେ ଥିବା କେନ୍ଦ୍ରୀୟ ଲବଣ ଏବଂ ସାମୁଦ୍ରିକ ରସାୟନ ଗବେଷଣା ପ୍ରତିଷ୍ଠାନ ଜମି ଚିହ୍ନଟ କରି ରାଜ୍ୟର ଲବଣ ଚାଷୀମାନଙ୍କ ଦ୍ୱାରା ଗୁଣାତ୍ମକ ଲୁଣ ଉତ୍ପାଦନ ପାଇଁ ମାର୍ଗଦର୍ଶନ ଦେଇଥିଲେ। ତଥାପି, ଓଡିଶା ସରକାର ଲୁଣ ଉତ୍ପାଦନକୁ ଗୁରୁତ୍ୱ ନଦେବାରୁ ଜମି ଅବ୍ୟବହୃତ ରହି ଗୋଚରଭୂମିରେ ପରିଣତ ହୋଇଗଲା। ଲୁଣ ଉତ୍ପାଦନ ଉପରେ ନିର୍ଭରଶୀଳ ଚାଷୀ ଓ ଶ୍ରମିକମାନେ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଲେ।
ଗଞ୍ଜାମ ଜିଲ୍ଲାର ଉତ୍ପାଦିତ ଲୁଣଠାରୁ ବାଲେଶ୍ୱର ଜିଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଂ ପଞ୍ଚାୟତ ଓ ଆଖପାଖ ଗ୍ରାମାଞ୍ଚଳରେ ଉତ୍ପାଦିତ ‘ବୋଳଂ ଲୁଣ’ର ମାନ ଉନ୍ନତ। ଏଥିରେ ଶତକଡା ୧୫ ଭାଗ ଆୟୋଡିନ ରହିଥିବାରୁ ଗୁଣବତ୍ତା ଅଧିକ। ଏବେ ସେଠାରେ ହେଉଥିବା ଲୁଣ ଚାଷ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲୁଣ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ବୃତ୍ତିହରା ହୋଇପଡ଼ିଛନ୍ତି। ଏଠାରେ ଗଢି ଉଠିଥିବା ସମବାୟ ସମିତି ‘ସଲ୍ଟ ମାନୁଫାକଚରିଂ ଇଣ୍ଡଷ୍ଟ୍ରିଜ’ ଅକାମୀ ହୋଇପଡ଼ିଛି। ବୋଳଂ ଲୁଣ ଚାଷର ପୁନରୁଦ୍ଧାର ଓ କାରଖାନା ପ୍ରତିଷ୍ଠା ସକାଶେ ସରକାରୀ ସ୍ତରରେ ହୋଇଥିବା ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି। ଅତୀତରେ ଲୁଣ ଚାଷକୁ ଜୀବିକା କରି କେବଳ ବୋଳଂ ପଞ୍ଚାୟତର ୫୦୦ରୁ ଊର୍ଦ୍ଧ୍ୱ ପରିବାର ଗୁଜୁରାଣ ମେଣ୍ଟାଉଥିଲେ। ସମଗ୍ର ଦେଶରେ ଆୟୋଡିନ ମିଶ୍ରିତ ଖାଇବା ଲୁଣ ବିକ୍ରି ବ୍ୟବସ୍ଥା ଲାଗୁହେଲା ପରେ ବୋଳଂ ଲୁଣକୁ ଆବଶ୍ୟକ ପରିମାଣରେ ଆୟୋଡିନ ଯୁକ୍ତ କରିବା ପାଇଁ ସରକାର ଆବଶ୍ୟକ ଯନ୍ତ୍ରପାତି ଓ ପରୀକ୍ଷା ଗୃହ ନିର୍ମାଣ କରିଥିଲେ। ଫଳରେ ପ୍ରାୟ ୭୦ ଦଶକରୁ ବୋଳଂ ଲୁଣ ଚାଷ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲା। ସରକାର ଯୋଗାଇଥିବା ମେଶିନ ଅଳ୍ପ କିଛି ମାସ ଚାଲିବା ପରେ ଅଚଳ ହୋଇପଡିବାରୁ ମରାମତି ଓ ରକ୍ଷଣାବେକ୍ଷଣ କରାନଯିବାରୁ ଲୁଣ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା।
ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଚାଷୀମାନେ ଉତ୍ପାଦିତ ଲୁଣକୁ ଦଲାଲଙ୍କ ମାଧ୍ୟମରେ ଖୁବ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଲେ ଓ ଆର୍ଥିକ କ୍ଷତି ସହିଲେ। ଲୁଣ ଚାଷୀଙ୍କଠାରୁ ଲିଜ୍ ଭଡା ବାବଦରେ ସରକାର ଅଧିକ ୨୦ ଗୁଣ ଅର୍ଥ ଆଦାୟ କରିବାକୁ ନିୟମ କରିବା ଫଳରେ ୧୯୭୦ରୁ ୧୯୯୬ ପର୍ଯ୍ୟନ୍ତ ଲାଭରେ ଚାଲିଥିବା ସମବାୟ ସମିତି କ୍ରମେ ରୁଗ୍ଣ ହୋଇପଡ଼ିଲା। ବୋଳଂ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ୱ ପରିବାର ବୃତ୍ତି ହରାଇ ଦୁର୍ଦ୍ଦଶାମୟ ଜୀବନକୁ ଆଦରି ନେଲେ। ଅନେକ ଚାଷୀ ଲୁଣଚାଷ ଛାଡ଼ି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଗଲେ। ଲୁଣ ଉତ୍ପାଦନ ପାଇଁ ବୋଳଂରେ ବ୍ୟାପକ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ଉପଯୋଗ କରାଯାଉ ନାହିଁ। ଏବେ ଓଡ଼ିଶାବାସୀ ଆୟୋଡିନଯୁକ୍ତ ଲୁଣ କିଲୋ ପ୍ରତି ୧୫ରୁ ୨୦ ଟଙ୍କା ମୂଲ୍ୟରେ କିଣୁଛନ୍ତି। ବୋଳଂ ଲୁଣକୁ ଉପଯୋଗ କରାଯାଇ ପାରିଥିଲେ ଏହାର ଦାମ ୮ରୁ ୧୦ ଟଙ୍କା ପଡ଼ିଥାନ୍ତା। ଲୁଣଚାଷୀମାନେ ମଧ୍ୟ କର୍ମନିଯୁକ୍ତି ପାଇ ଏହି ପାରମ୍ପରିକ ଲୁଣ ଚାଷକୁ ବଞ୍ଚାଇ ରଖିପାରି ଥାଆନ୍ତେ।
ଓଡ଼ିଶାରେ ବର୍ଷର ୪-୫ ମାସ ଯାଏଁ ଲୁଣ ଉତ୍ପାଦନ ପାଇଁ ପ୍ରକୃଷ୍ଟ ସମୟ। ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବା ସତ୍ତ୍ଵେ ଅତୀତରେ ରାଜ୍ୟ ସରକାରମାନେ ଲୁଣ ଉତ୍ପାଦନ ବୃଦ୍ଧି ପ୍ରତି ବିଶେଷ ଆଗ୍ରହ ଦେଖାଇ ନଥିବାରୁ ଓଡ଼ିଶାରେ ଲୁଣ ଉତ୍ପାଦନ କମିଆସିଛି। ବର୍ତ୍ତମାନ ଓଡ଼ିଶାରେ ଲୁଣର ଉଭୟ ଘରୋଇ ଓ ଔଦ୍ୟୋଗିକ ଚାହିଦା ବାର୍ଷିକ ପ୍ରାୟ ୩ ଲକ୍ଷ ୫୦ ହଜାର ଟନ ଥିବା ବେଳେ ହାରାହାରି ଉତ୍ପାଦନ ପରିମାଣ ୩୦-୪୦ ହଜାର ଟନ, ଯାହା ଦେଶର ସମଗ୍ର ଉତ୍ପାଦନର ୧ ପ୍ରତିଶତରୁ ମଧ୍ୟ କମ୍। ଫଳରେ ଓଡ଼ିଶାର ଚାହିଦା ପୂରଣ ପାଇଁ ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନ ଭଳି ରାଜ୍ୟରୁ ଲୁଣ ଆମଦାନୀ ହେଉଛି, ଯେଉଁଠାରେ ଯଥାକ୍ରମେ ବାର୍ଷିକ ୨ କୋଟି ଟନ, ୨୭ ଲକ୍ଷ ଟନ ଓ ୧୮ ଲକ୍ଷ ଟନ ଲୁଣ ଉତ୍ପାଦନ ହେଉଛି। ଉଚିତ ପଦକ୍ଷେପ ନିଆଗଲେ ଓଡ଼ିଶାରେ ମଧ୍ୟ ସର୍ବନିମ୍ନ ବାର୍ଷିକ ୧୦ ଲକ୍ଷ ଟନ ଲୁଣ ଉତ୍ପାଦନ ହୋଇପାରନ୍ତା।
ଦେଶର ଅନ୍ୟତ୍ର ଏକର ପିଛା ୭୦ ଟନ ଲୁଣ ଉତ୍ପାଦନ ହୋଇ ପାରୁଥିବା ବେଳେ ଜଳବାୟୁ, ସୁଦୀର୍ଘ ଗ୍ରୀଷ୍ମ ଦିନର ଅଭାବ ତଥା ଆଧୁନିକ ଲୁଣଚାଷ ପଦ୍ଧତି ବ୍ୟବହାର ଅଭାବରୁ ଓଡ଼ିଶାରେ ଏକର ପିଛା ମାତ୍ର ୧୦ ଟନ ଲୁଣ ଉତ୍ପାଦନ ହେଉଛି। ରାଜ୍ୟରେ ଲୁଣ ଚାଷ ପାଇଁ ଉପଯୋଗୀ ଅନେକ ଜମି ଅବ୍ୟବହୃତ ହୋଇ ପଡିଛି। ଓଡ଼ିଶା ସରକାର ଲୁଣାଜମିର ଭୂତଳରୁ ପାଣି ଉତ୍ତୋଳନ କରି ଲୁଣ ତିଆରି କରିବାର ଅନୁମତି ଦେଉନାହାନ୍ତି। ବେଆଇନ ମାଛଧରା, ମୁହାଣ ଅବରୋଧ ଭଳି କାରଣ ଯୋଗୁଁ ଲୁଣ ଉତ୍ପାଦନ ଓ ଲୁଣର ମାନ କମୁଛି। ଅନ୍ତତଃ ୨୫ ହଜାର ଏକର ଜମିରେ ଲୁଣ ଚାଷ କରାଯାଇ ଏକର ପିଛା ହାରାହାରି ୪୦ ଟନ ଉତ୍ପାଦନ କରାଯାଇ ପାରିଲେ ଓଡ଼ିଶାରେ ଲାଭଜନକ ଭାବେ ବାର୍ଷିକ ୧୦ ଲକ୍ଷ ଟନ ଲୁଣ ଉତ୍ପାଦନ ହୋଇପାରିବ। କେନ୍ଦ୍ରୀୟ ଲବଣ ଓ ସାମୁଦ୍ରିକ ରସାୟନ ଗବେଷଣା ପ୍ରତିଷ୍ଠାନ ଦ୍ଵାରା ସର୍ଭେ କରାଯାଇ ଓଡ଼ିଶାରେ ଲୁଣ ଉତ୍ପାଦନ ପାଇଁ ଉପଯୁକ୍ତ ଜମିକୁ ଚିହ୍ନଟ କରାଯାଇଛି।
ସମସ୍ତ ଲୁଣ ଉପଯୋଗୀ ଜମି ପଟାଳି (ସଲ୍ଟ ପ୍ୟାନ)ର ମାଲିକାନା କେନ୍ଦ୍ର ସରକାରଙ୍କ ଲବଣ ବିଭାଗ ନିକଟରେ ରହି ଥିବାରୁ ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର ଗୁଜରାଟ୍ ମଡେଲ ଅନୁସରଣ କରି ଲୁଣଚାଷ ପ୍ରବର୍ତ୍ତନ କରି ପାରନ୍ତେ। କେନ୍ଦ୍ର ଲବଣ ବିଭାଗ ସହ ସମନ୍ଵୟ ରକ୍ଷା କରି ତୁରନ୍ତ ଏହି ସବୁ ଜମିରେ ଲୁଣ ଚାଷ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଗଲେ ଓଡ଼ିଶାରେ ଲୁଣ ଚାଷର ପୁନରୁଦ୍ଧାର ହୋଇ ପାରନ୍ତା। ଲୁଣ ଚାଷରେ ହଜାର ହଜାର ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି ହେବା ସହ ଦାଦନ ସମସ୍ୟା କମି ପାରନ୍ତା। ରାଜ୍ୟରେ ଲୁଣ ଉତ୍ପାଦନ ବଢ଼ିଲେ କଷ୍ଟିକ୍ ସୋଡ଼ା ଶିଳ୍ପ କାରଖାନା ଶସ୍ତା ଓ ସୁବିଧାରେ କଞ୍ଚାମାଲ ପାଇପାରନ୍ତେ, ଯାହା ବକ୍ସାଇଟରୁ ଆଲୁମିନା ଉତ୍ପାଦନରେ ବ୍ୟବହାର ହୁଅନ୍ତା। ଲୁଣ ଉତ୍ପାଦନ ବଢ଼ିଲେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ବିକଶିତ ଓଡ଼ିଶା ପାଇଁ ଲାଭଦାୟକ ହୁଅନ୍ତା। ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠାପାଇଁ ଅଧିକ ଆଗ୍ରହୀ ‘ଲୋକଙ୍କ ସରକାର’ ଏବେଠାରୁ ରାସାୟନିକ ଶିଳ୍ପ, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ମନଯୋଗୀ ହେବେବୋଲି ଆଶା କରୁଛୁ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
