କେତକୀର ପୂଣ୍ୟଭୂମିରେ ଶିଳ୍ପଦୈତ୍ୟର ଅଟ୍ଟହାସ୍ୟ

କିଆ ଫୁଲରୁ ନିଷ୍କାସିତ ଅତର ବା 'ଋ' (RUH)କୁ ବହୁମୂଲ୍ୟରେ କିଣି ନେଉଥିଲେ କନୌଜର ବଡ଼ବଡ଼ ଅତର ବେପାରୀ। ସେମାନେ ଏହାକୁ ବିଶୋଧନ କରି ବିଦେଶକୁ ରପ୍ତାନୀ କରୁଥିଲେ ଯାହାର ସିଂହ ଭାଗ ଯାଉଥିଲା ଆରବ ଦେଶମାନଙ୍କୁ।

  • ଜାନକୀଶ ବଡ଼ପଣ୍ଡା

ପ୍ରଥମରୁ କହି ରଖିବା ଉଚିତ ହେବ ଯେ କିଆ ଓ କେତକୀ ଅଭିନ୍ନ। ସରଳ ଭାଷାରେ, ଉଦ୍ଭିଦ ଏକ, ନାମ ଅଲଗା। କିଆ ଗଛ ବିଶ୍ୱର ବିଷୁବ ମଣ୍ଡଳୀୟ ଅଞ୍ଚଳରେ ଦେଖାଯାଉଥିଲେ ବି ସୁବାସିତ। ‘ଗଞ୍ଜାମ କିଆ ଗଛ’ ଭାରତ ସରକାରଙ୍କ  ଜିଓଗ୍ରାଫିକାଲ ଇଣ୍ଡିକେସନ ବା ସଂକ୍ଷେପରେ ଜିଆଇ ମାନ୍ୟତାପ୍ରାପ୍ତ। କିଆ ଗଛ ଭାରତର ସବୁସ୍ଥାନରେ ଦେଖାଯାଉଥିଲେ ମଧ୍ୟ ୯୦ ପ୍ରତିଶତ ସୁବାସିତ ଫୁଲ ଈଶ୍ୱରଙ୍କ କରୁଣାରୁ କେବଳ ଗଞ୍ଜାମ ଜିଲ୍ଲାରେ ହିଁ ଫୁଟେ। ଅନ୍ୟ ଅଞ୍ଚଳରେ ଥିବା କିଆ ଗଛକୁ ଏଭଳି ସୌଭାଗ୍ୟ ମିଳେନା।

ସମୁଦ୍ର କୂଳିଆ ଅଞ୍ଚଳରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ କିଆ ଜଙ୍ଗଲ ଦେଖାଯାଏ ଓ ଲୋକମାନେ ଏହାର ଚାଷ ମଧ୍ୟ କରନ୍ତି। ଓଡ଼ିଶାର ୪୮୦ କିଲୋମିଟର ବ୍ୟାପୀ ସମୁଦ୍ର ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଦେଖାଯାଉଥିବା କିଆ ଗଛରେ ଫୁଲ ଫୁଟୁଥିଲେ ବି ଆଶ୍ଚର୍ଯ୍ୟଜନକ ଭାବେ ତାହାର ପରିମାଣ ଓ ସେଥିରେ ଥିବା ସୁବାସ ସ୍ୱଳ୍ପ ଥାଏ। ସର୍ବାଧିକ ୧୮ ଫୁଟ ଉଚ୍ଚତା ଯାଏଁ ବଢୁଥିବା କିଆ ଗଛର ଗହଳିଆ ପତ୍ର ଓ ବାହାରକୁ ଦେଖାଯାଉଥିବା ଚେର କାରଣରୁ ଏହା ଅଭେଦ୍ୟ ଜଙ୍ଗଲ ଭଳି ମନେହୁଏ। ପତ୍ରର ଦୁଇଧାର ଓ ମଝି ଶିରାରେ ଥାଏ ମୁନିଆ କଣ୍ଟା। କିଆଫୁଲ କେବଳ ଅଣ୍ଡିରା ଗଛରେ ଫୁଟେ। କିଆ ଗଛ ଜନ୍ମରୁ ମାଈ କିମ୍ବା ଅଣ୍ଡିରା; ଏଣୁ ଫୁଲଗୁଡ଼ିକ ସ୍ୱାଭାବିକ ଭାବେ ଏକଲିଙ୍ଗୀ – ମାଈ କିମ୍ବା ଅଣ୍ଡିରା। ଅଣ୍ଡିରା ଗଛରେ ଫୁଟୁଥିବା ଫୁଲର ଉଚ୍ଚତା ବା ଲମ୍ବ ପ୍ରାୟ ୨୫ରୁ ୫୦ ସେଣ୍ଟିମିଟର ହୋଇପାରେ। ତେବେ, ଆମେ ଯାହାକୁ କିଆଫୁଲ କହୁ, ତାହାର ମଝିରେ ଥାଏ ଗୋଟିଏ ଲହୁଣୀ ରଙ୍ଗର ସୁବାସିତ ପୁଷ୍ପଦଣ୍ଡ ବା କେଶର, ଯେଉଁଥିରେ ଅନେକ ଫୁଲର ସମାହାର  ହୋଇଥିବାର ଦେଖିବାକୁ ମିଳେ। ପ୍ରତି କିଆ ଗଛରେ ବାର୍ଷିକ ୩୦-୪୦ ଫୁଲ ଫୁଟେ ଓ ପ୍ରତ୍ୟେକର ଓଜନ ପ୍ରାୟ ୧୫୦ରୁ ୧୭୦ ଗ୍ରାମ ହୋଇଥାଏ।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ଉପକୂଳବର୍ତ୍ତୀ ସମତଳ ଭୂମିରେ ଏହାର ଏକ ସ୍ୱତନ୍ତ୍ର ପ୍ରାକୃତିକ ପରିବେଶଗତ ଅସ୍ତିତ୍ୱ ରହିଛି, ଯାହା ଅନନ୍ୟ। ଏହାକୁ ଅନନ୍ୟ ଏଇଥି ପାଇଁ କୁହାଯାଇ ପାରିବ ଯେ ପୃଥିବୀର ଅନ୍ୟ କେଉଁଠାରେ ଏହିପରି ଉଚ୍ଚମାନର କିଆଫୁଲ ଫୁଟିବାର ଦେଖାଯାଏ ନାହିଁ। ଆଜିର ବୈଜ୍ଞାନିକ ଯୁଗରେ କୌଣସି ଆଧୁନିକ ଯନ୍ତ୍ର ବ୍ୟବହାର ପରିବର୍ତ୍ତେ ସ୍ଥାନୀୟ ଲୋକମାନେ ପାରମ୍ପରିକ ଭାବେ ନିଜ ହାତରେ କିଆଫୁଲଗୁଡ଼ିକୁ ତୋଳି ଥାଆନ୍ତି। ଆମ ସମଗ୍ର ଦେଶମଧ୍ୟରେ ଉତ୍ପାଦନ ହେଉଥିବା ସମୁଦାୟ ‘କିଆଫୁଲ ଅତର’ର ପ୍ରାୟ ୯୦ ପ୍ରତିଶତ ଉତ୍ପାଦନ ସମ୍ଭବ ହୋଇଥାଏ କେବଳ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ, ଯାହାକି ବିଶ୍ୱ ଉତ୍ପାଦନର ୫୦ ପ୍ରତିଶତ। ଏହି ଅତରରୁ ପ୍ରସ୍ତୁତ ହୁଏ କୁଟୀର ଶିଳ୍ପ ମାଧ୍ୟମରେ ଔଷଧ ଏବଂ ଅନେକ ଶିଳ୍ପ ଉତ୍ପାଦ। ଏହା ଗରିବ ଗ୍ରାମୀଣ ଲୋକମାନଙ୍କର ରୋଜଗାରର ଏକ ମାଧ୍ୟମ। କିଆଫୁଲ ଅତରରେ ଅଛି ବ୍ୟାକ୍ଟେରିଆ ମାରକ ଗୁଣ ଏବଂ ଫୁଲର ସୁଗନ୍ଧ କୀଟମାନଙ୍କୁ ମଧ୍ୟ ଦୂରେଇ ରଖେ। ଏହାର କୌଣସି ଅଂଶ ବି ଅବ୍ୟବହୃତ ନହେବା ହିଁ ଏକ ସ୍ଵତନ୍ତ୍ରତା। ରିୟୁମାଟିକ୍ ଆର୍ଥ୍ରାଇଟିସ୍, ରକ୍ତ ସମ୍ବନ୍ଧୀୟ ରୋଗ, ଦୁର୍ବଳତା, ଭର୍ଟିଗୋ, ଅପସ୍ମାର, କାନ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ଗଳା ସମସ୍ୟା ଇତ୍ୟାଦି ରୋଗରେ ବ୍ୟବହୃତ ହୁଏ କିଆଫୁଲ ସୁଗନ୍ଧି। କିଆ ତୈଳର ରାସାୟନିକ ଅଧ୍ୟୟନରୁ ଜଣାଯାଏ ଯେ ଏଥିରେ ୪୪ରୁ ଅଧିକ ରାସାୟନିକ ଉପାଦାନ ଅଛି, ଯାହାମଧ୍ୟରୁ ୧୧ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୨ଟି ଉପାଦାନ ସୁଗନ୍ଧର କାରଣ।

ଆଜି ଗଞ୍ଜାମ କିଆ ଫୁଲ ଚାଷୀ ନିଜ ପେଟପାଟଣା ପାଇଁ ବାହାର ରାଜ୍ୟକୁ ପଳାଇ ଯାଉଛନ୍ତି। ଦିନକୁ ଦିନ କିଆଫୁଲର ବ୍ୟାପ୍ତି, ଜଙ୍ଗଲ ଓ ଚାହିଦା ହ୍ରାସ ହେବାକୁ ଲାଗିଛି। ଗଞ୍ଜାମ ଉପକୂଳବର୍ତ୍ତୀ ଲୋକଙ୍କ ରୋଜଗାର ପାଇଁ କିଆଫୁଲ ଚାଷ ଓ ଜଙ୍ଗଲରୁ ଫୁଲ ସଂଗ୍ରହ ଏବେ ଯଥେଷ୍ଟ କମିଯାଇଛି। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏବେ ଶକ୍ତ ପାହାର ବସିଲା ଭଳି ମନେ ହେଉଛି। କିଆଫୁଲର ସ୍ଥାନୀୟ ବଜାର ଦର ଓ ଏଥିରୁ ନିଷ୍କାସିତ ଅତରର  ଆନ୍ତର୍ଜାତିକ ବଜାରରେ ଆଦର, ଚାହିଦା ଓ ମୂଲ୍ୟ ବହୁ ଗୁଣରେ ବଢ଼ିବା ସତ୍ତ୍ୱେ କିଆ ଚାଷ କମି ଯାଉଥିବାର ଲକ୍ଷ୍ୟ କରାଯାଉଛି।

ଆଗରୁ ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳା ଓ ପିଲାଙ୍କଠାରୁ ବୁଢ଼ାଙ୍କ ଯାଏଁ ପ୍ରତ୍ୟେକେ ଗ୍ରାମ ନିକଟସ୍ଥ ପ୍ରାକୃତିକ ଭାବେ ବଢ଼ିଥିବା ଓ ନିଜ ଚାଷ ଜମିରେ ଲଗେଇଥିବା କିଆ ବୁଦାମାନଙ୍କରୁ ବଡ଼ିସକାଳୁ କିଆଫୁଲ ସଂଗ୍ରହ କରୁଥିଲେ ଓ ବେପାରୀମାନେ ଗାଁ ଗାଁ ବୁଲି ଏହାକୁ କିଣିନେଉଥିଲେ। ପ୍ରତ୍ୟହ ସୂର୍ଯ୍ୟୋଦୟ ବେଳକୁ ଚାଷୀଙ୍କ ହାତକୁ କିଛି ନଗଦ ଟଙ୍କା ଆସୁଥିଲା। ବେପାରୀମାନେ ଯଥାଶୀଘ୍ର ଏହି ଫୁଲକୁ ନେଇ ଅତର ଭାଟି ମାନଙ୍କରେ ପହଞ୍ଚାଇ ଦେଉଥିଲେ ଓ ପ୍ରାପ୍ୟ ପାଇ ଯାଉଥିଲେ। ସଂଗୃହିତ ଫୁଲରୁ କିଛି ନଷ୍ଟ ହେଲେବି କିଆଫୁଲ ବେପାର କରି, ସାଧାରଣ ଗରିବ, ଖଟିଖିଆ, ଚାଷୀ, ବେପାରୀ ଓ ଭାଟି ମାଲିକମାନେ ଉପକୃତ ହେଉଥିଲେ।

କିଆ ଫୁଲରୁ ନିଷ୍କାସିତ ଅତର ବା ‘ଋ’ (RUH)କୁ ବହୁମୂଲ୍ୟରେ କିଣି ନେଉଥିଲେ କନୌଜର ବଡ଼ବଡ଼ ଅତର ବେପାରୀ। ସେମାନେ ଏହାକୁ ବିଶୋଧନ କରି ବିଦେଶକୁ ରପ୍ତାନୀ କରୁଥିଲେ ଯାହାର ସିଂହ ଭାଗ ଯାଉଥିଲା ଆରବ ଦେଶମାନଙ୍କୁ। ଆମ ଦେଶ ମଧ୍ୟରେ ପାନ ମସଲା, ଦାମୀ ମିଠା ପ୍ରସ୍ତୁତିରେ ଏହାର ଚାହିଦା ଥିଲା ସର୍ବାଧିକ। ବିଦେଶୀ ସିଗାରେଟ, ଲିପଷ୍ଟିକ, ପରଫ୍ୟୁମ ପ୍ରସ୍ତୁତିରେ କେତକୀ ଅତର ବ୍ୟବହାର ହେଉଥିଲା। ଏହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ହୋଇନଥିବାରୁ, ବରଂ ଏହା ଖାଦ୍ୟୋପଯୋଗୀ ହୋଇଥିବାରୁ ବିରିୟାନୀ ଓ ଆରବୀୟ ସୌଖିନ ଖାଦ୍ୟରେ ମସଲା ସହ ଗୋଲାପଜଳ ଭଳି କେତକୀଜଳ ବ୍ୟବହାର ହେଉଥିଲା। ଆମ ଦେଶରେ କେତକୀ ଖଇର, ଦେଶୀ ପାନ ଗୁଣ୍ଡି ମସଲାର ଆଦର ଥିଲା କାହିଁରେ କ’ଣ! ସେଥିପାଇଁ କିଆ ଫୁଲଚାଷକୁ ଲୋକମାନେ ପ୍ରାଧାନ୍ୟ ଦେଉଥିଲେ। ପାଠକଙ୍କର ସ୍ମରଣ ଥାଇପାରେ ଯେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟରେ ଟାଟା କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଇସ୍ପାତ କାରଖାନାକୁ ସ୍ଥାନୀୟ ଲୋକମାନେ ବିରୋଧ କରିବାର ଅନ୍ୟତମ ମୁଖ୍ୟ କାରଣ ଥିଲା କିଆ ଫୁଲ। ଗଞ୍ଜାମ ଜିଲ୍ଲାର ପାତିସୋନାପୁରଠାରୁ ଋଷିକୂଲ୍ୟା ମୁହାଣ ଯାଏଁ ଓ ସମୁଦ୍ର ଉପକୂଳଠାରୁ ପ୍ରାୟ ୧୫ କିଲୋମିଟର ଅଭ୍ୟନ୍ତର ଯାଏଁ କିଆ ଫୁଲର ଜଙ୍ଗଲ ଥିଲା, ଯାହା ବାତ୍ୟା ପ୍ରଭାବ, ବାଲିଚର ଇତ୍ୟାଦିକୁ ପ୍ରତିହତ କରିବା ସଙ୍ଗେ ସଙ୍ଗେ ଗଂଜାମ ଜିଲ୍ଲାବାସୀଙ୍କୁ ଦେଉଥିଲା ରୋଜଗାର ଓ ଏକ ନିଆରା ପରିଚୟ। ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିଲା କିଆଫୁଲ ଭାଟି। ଛତ୍ରପୁର ବ୍ଲକର କଣମଣା, ବାସନାପୁଟି, ହରିପୁର ଗ୍ରାମ, ଗୋପାଳପୁର ନିକଟସ୍ଥ ‘ତୁଳୁ’ ପଞ୍ଚାୟତର ଅନେକ ଗ୍ରାମରେ କିଆଫୁଲ ଭାଟି ନିର୍ମାଣ କରିଥିଲେ ସ୍ଥାନୀୟ ଉଦ୍ୟୋଗୀ। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨୫୦ଟି ‘ଋ’ ଓ ‘ଅତର’ ପ୍ରସ୍ତୁତ କରୁଥିବା କ୍ଷୁଦ୍ରଶିଳ୍ପ ଥିଲା, ଯାହାକୁ ଆମେ ଡିଷ୍ଟିଲାରି ବା ଭାଟି କହିପାରିବା। ଏବେ ଏହି ଭାଟିମଧ୍ୟରୁ ଅନେକ ଆଉ କିଆଫୁଲ କିଣିବାକୁ ପାଉନଥିବାରୁ କିଆ ଫୁଲରୁ ଅତର ନିଷ୍କାସନ କରି ନପାରି ମହୁଲ ଓ ଅନ୍ୟାନ୍ୟ ପୋଚ ଇତ୍ୟାଦିରୁ ଦେଶୀମଦ ବା ସ୍ପିରିଟ ନିଷ୍କାସନ କରୁଥିବାର ଅଭିଯୋଗ ଆସୁଛି। ଯେଉଁଠି କେତକୀ ବାସ୍ନାରେ ଚଉଦିଗ ମହକିତ ହେଉଥିଲା ସେଠାରେ ଏବେ ନା ଅଛି ରୋଜଗାର, ନା ମହକ। ପ୍ରାୟ ଏକହଜାର ପରିବାର ଓ ୨୦୦ ସରିକି ଭାଟି ଏବେ କେତକୀ ଫୁଲକୁ ସିଝାଇ ଅତର ଆଦାୟ କରିବା ବଦଳରେ ହାତବାନ୍ଧି ବସିଛନ୍ତି କିମ୍ବା ଅନ୍ୟ ବେପାର ଆଡ଼କୁ ମନ ବଳେଇଲେଣି। କୃଷି ଓ କୃଷିଉପରେ ନିର୍ଭରଶୀଳ କ୍ଷୁଦ୍ରଶିଳ୍ପ ଏବେ ବିପଦରେ। ଏବେ ବି ଗଞ୍ଜାମର ଭାଟିମାଲିକମାନେ କିଆଫୁଲ ଲିଟର ପିଛା ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ ବି ସେମାନଙ୍କୁ ପର୍ଯ୍ୟାପ୍ତ ଫୁଲ ମିଳୁ ନ ଥିବାରୁ ସେମାନେ ଭାଟି ବନ୍ଦ କରିଦେଉଛନ୍ତି।

ଯେପରି କହୁଥିଲୁ, ପୃଥିବୀର ପ୍ରାୟ ସମସ୍ତ ବିଷୁବ-ଗ୍ରୀଷ୍ମ ମଣ୍ଡଳୀୟ ସମୁଦ୍ର ଉପକୂଳିଆ ବାଲିଆ, ଢିପ ଅଞ୍ଚଳରେ କିଆ ଜଙ୍ଗଲ ପ୍ରାୟତଃ ଦେଖାଯାଏ। ସବୁ ଫୁଲରେ ଅଳ୍ପେ ବହୁତ ବାସ୍ନା ରହିଥିଲେ ବି ସବୁ ଫୁଲରୁ ‘ଋ’, ଅତର ଆଦାୟ କରି ହୁଏନା। ଅମଳ ହେଉଥିବା ‘ଋ’ ପରିମାଣ ବ୍ୟବସାୟିକ ଦୃଷ୍ଟିରୁ ଲାଭଜନକ ହେବା ଆବଶ୍ୟକ। ଦେଖାଯାଇଛି ଯେ  ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାଠାରୁ ଗଞ୍ଜାମ ସହର ଯାଏଁ ତଥା ଗଞ୍ଜାମ ଜିଲ୍ଲାର ସମୁଦ୍ର କୂଳଠାରୁ ପ୍ରାୟ ୧୦-୧୫ କିଲୋମିଟର ଆଭ୍ୟନ୍ତର ଯାଏଁ ଫୁଟୁଥିବା କିଆ ଫୁଲରେ ଉତ୍କୃଷ୍ଟ ମାନ ଓ ପରିମାଣର ‘ଋ’ ରହୁଥିବାରୁ ଏଥିରୁ ଅତର ନିଷ୍କାସନ ବ୍ୟବସାୟିକ ତଥା ବୈଷୟିକ ଦୃଷ୍ଟିରୁ ସର୍ବୋତ୍ତମ। ଅନ୍ୟାନ୍ୟ ଅଞ୍ଚଳରେ ଫୁଟୁଥିବା ଫୁଲର ବାସ୍ନା ଓ ରୂପରଙ୍ଗ କାରଣରୁ ତାହାର ମଧ୍ୟ ଆଧ୍ୟାତ୍ମିକ ଓ ସୌନ୍ଦର୍ଯ୍ୟଗତ ଆଦର ରହିଛି। ଗଞ୍ଜାମ ଉପକୂଳକୁ ଈଶ୍ୱରଙ୍କ ଆଶୀର୍ବାଦ ଅଛି ବୋଲି କହିଲେ ହୁଏତ ଭୁଲ ହେବନାହିଁ।

କିଆଫୁଲରୁ ଆଂଶିକ-ନିପାତନ ପ୍ରଣାଳୀରେ ପ୍ରଥମେ ନିରୁତା ‘ଋ’ ନିଷ୍କାସନ କଲାପରେ ଅଧାସିଝା କିଆଫୁଲ ରହିଥିବା ହାଣ୍ଡି ଭିତରକୁ କିଛି ଚନ୍ଦନ ତେଲ ପକାଇ ପୁଣିଥରେ  ଗରମ କରାଯାଏ। ଫଳରେ, ଫୁଲରେ ଥିବା ଅବଶିଷ୍ଟ କେତକୀ ‘ଋ’ ସହ ଚନ୍ଦନ ତେଲ ମଧ୍ୟ ବାଷ୍ପୀଭୂତ ହୋଇ ଆଂଶିକ-ନିପାତନ ପ୍ରଣାଳୀରେ ଆଦାୟ ହୋଇଥାଏ। ଏହି ‘ମିଶ୍ରିତ କେତକୀ ଋ’ ଅତର ନାମରେ ପରିଚିତ। ଚନ୍ଦନ ତେଲ ଅପେକ୍ଷା ଅଧିକ ଓ ନିଆରା ଭାବେ ସୁଗନ୍ଧିତ ହୋଇଥିବା କାରଣରୁ ଅଧିକ ମୂଲ୍ୟରେ ବିକ୍ରି ହୁଏ। ଚନ୍ଦନ ତେଲ ଲିଟର ପ୍ରତି ଦର ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହୋଇଥିଲା ବେଳେ କେତକୀ-ଚନ୍ଦନ ମିଶ୍ରିତ ଅତର ମୂଲ୍ୟ ଅନ୍ତତଃ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ହୋଇଥାଏ। ଅତର ବେପାରୀମାନେ ଏ ସବୁର ଗୁଣାତ୍ମକ ମାନ ପରୀକ୍ଷା କରି ଅର୍ଦ୍ଧ ଶତାବ୍ଦୀରୁ  ଅଧିକ କାଳରୁ ଏଠାରୁ ‘ଋ’, ‘ଅତର’ କିଣି ଆସୁଥିବାରୁ, ସ୍ଥାନୀୟ ଭାଟି ମାଲିକ ଓ ଅନ୍ୟ ରାଜ୍ୟର ବେପାରୀଙ୍କ ମଧ୍ୟରେ ଏପରି ଦୃଢ଼ ସମ୍ପର୍କ ଯେ, ଅନ୍ୟ କେହି ବି ଅଧିକ ମୂଲ୍ୟ ଦେଇ କିଣିବାକୁ ଚାହିଁଲେ ସେମାନଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଅନ୍ୟ ରାଜ୍ୟର ଅତର ବେପାରୀମାନେ ‘ଋ’ ବିଶୋଧନ କଲା ପରେ ଅଳଳ୍ପନୀୟ ବହୁଗୁଣ ମୂଲ୍ୟରେ ନାମୀ, ଦାମୀ ଅତର ବ୍ରାଣ୍ଡମାନଙ୍କୁ ବିକ୍ରିକରି ପ୍ରଚୁର ଲାଭ କରୁଥିବାରୁ ଗଞ୍ଜାମ ଭାଟି ମାଲିକଙ୍କୁ ସୁରକ୍ଷା, ଆର୍ଥିକ ନିରାପତ୍ତା ଏଭଳି ଦିଅନ୍ତି ଯେ କେହି ବି ବିଦେଶୀ ବହୁରାଷ୍ଟ୍ରୀୟ ଅତର ପ୍ରସ୍ତୁତକାରୀ କମ୍ପାନୀ ଲିଟର ପିଛା ଦୁଇ ତିନିଗୁଣା ମୂଲ୍ୟ ଦେବାକୁ କହିଲେ ବି ଭାଟି ମାଲିକମାନେ ଅରାଜି ହୁଅନ୍ତି।

ଦେଶରେ ଗୁଟଖା, ପାନ ମସଲା, ଗୁଣ୍ଡି ଉପରେ ରୋକ ଲାଗିବା, କିଆଫୁଲ ବଗିଚାର ବ୍ୟାପ୍ତି କମିଯିବା, ନୂତନ ବଗିଚା ସୃଷ୍ଟି କରାନଯିବା, ପୁରୁଣା ଗଛରୁ ଅମଳ କମିଯାଉଥିବା, କିଆଚାଷ ହେଉଥିବା ଜମିରେ ଗୃହ ନିର୍ମାଣ କରାଯିବା ଫଳରେ ଆବଶ୍ୟକ ପରିମାଣର ଫୁଲ ଅମଳ ଏବେ ବିପଦରେ। ଉପକୂଳ ଓ ପ୍ରକୃତି ସୁରକ୍ଷା ପାଇଁ କିଆ ଜଙ୍ଗଲ ସୃଷ୍ଟି କରାଯିବା ଦରକାର। ଫଳରେ ପରିବେଶ ସୁରକ୍ଷା ହେବ ଓ ସ୍ଥାନୀୟ ଅଧିବାସୀ ରୋଜଗାର ଓ ନିଯୁକ୍ତି ପାଇବେ। ପ୍ରକୃତିର ହାତ ଖୋଲା ଆଶୀର୍ବାଦଙ୍କୁ ଆମେ ଗୋଡ଼ରେ ଆଡ଼େଇ ଦେବା କେବେ ହେଁ ବୁଦ୍ଧିମତ୍ତା ନୁହେଁ।

ଅତୀତରେ ଭାରତୀୟ ଶିଳ୍ପ ଗବେଷଣା ପରିଷଦ, ନାବାର୍ଡ ଏବଂ ଅନ୍ୟାନ୍ୟ ସଂସ୍ଥାଙ୍କ ପକ୍ଷରୁ ଗଞ୍ଜାମର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଫୁଟୁଥିବା କିଆ ଫୁଲରେ ଏତେ ଅଧିକ ପରିମାଣର ସୁଗନ୍ଧି ରହିବାର କାରଣ ଅନୁଧ୍ୟାନ କରାଯାଇ କିଆ ଚାଷୀଙ୍କୁ ସହଯୋଗର ହାତ ବଢ଼ାଇ ଦିଆ ଯାଇଥିଲା। କିନ୍ତୁ ସେଠାକାର ପ୍ରାକୃତିକ ପରିବେଶକୁ ଧ୍ୱସ୍ତ ବିଧ୍ୱସ୍ତ କରି, ଅବିଚାରିତ ଭାବେ ଗୃହ ନିର୍ମାଣକୁ ସ୍ଥାନୀୟ ଲୋକମାନେ ଶ୍ରେୟସ୍କର ମନେକଲେ। ଶିଳ୍ପ ବିପ୍ଲବର ଭେଳିକି ଦେଖାଇ କମ୍ପାନୀମାନେ ଜମିବାଡ଼ିରେ ପାଚେରୀ ଠିଆକଲେ। ଛତ୍ରପୁର ନିକଟରେ ଏବେ ବନ୍ଦର, ଛତ୍ରପୁରଠାରୁ ପୁରୁଷୋତ୍ତମପୁର ଯାଏଁ ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ଆବଦ୍ଧ ଅଞ୍ଚଳ, ଗୋଳାବନ୍ଧରେ ସାମରିକ ଅନୁଷ୍ଠାନ, ଭଞ୍ଜବିହାର ଓ ରଙ୍ଗେଈଲୁଣ୍ଡାରେ ବିଶ୍ୱବିଦ୍ୟାଳୟ, ବିମାନଘାଟୀ, ଅନୁଷ୍ଠାନ, କୋଠାବାଡ଼ିରେ ଭରିଗଲାଣି ଏକଦା କେତକୀଫୁଲର ସାମ୍ରାଜ୍ୟ। ଏବେ ଶୁଣିବାକୁ ମିଳୁଛି କେତକୀର ପୂଣ୍ୟଭୂମୀରେ ଶିଳ୍ପଦୈତ୍ୟର ଅଟ୍ଟହାସ୍ୟ। ତଥାପି, ଯେତିକି ଅଛି ଯାହାବି ଅଛି ତାହାକୁ ନେଇ ପୁଣିଥରେ ଅତୁଳନୀୟ ସୁଗନ୍ଧିର ଗନ୍ତାଘରକୁ ପରିଚୟ ଦେଇହେବ। ଏଥିପାଇଁ ସରକାରୀ ଆଧୁନିକ କୃଷି ପ୍ରଣାଳୀ ଅବଲମ୍ବନରେ ସ୍ଥାନୀୟ ଗରୀବ ଲୋକଙ୍କୁ ସାଥିରେ ନେଇ କେତକୀର ପୂଣ୍ୟଭୂମୀରେ ଆଉଥରେ ପ୍ରୟାସ ଆରମ୍ଭ କରିବାର ସମୟ ଆସିଛି। ସ୍ଥାନୀୟ ଯୁବକମାନେ ଷ୍ଟାର୍ଟଅପ ମାଧ୍ୟମରେ ନୂଆ ନୂଆ ‘ପରଫ୍ୟୁମ’, ଅତର, ‘କେୱଡା ଜଲ’ ପ୍ରସ୍ତୁତ କରି ସମଗ୍ର ବିଶ୍ୱକୁ ସୁଗନ୍ଧିତ କରିବାର ସମୟ ଆସିଛି।

ଫୋ- ୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।