Advertisment

ଧାନ ଡଙ୍ଗରର ବିଳାପ

କୃଷିବିଜ୍ଞାନୀ ତଥା ନୂତନ କିସମ ଧାନ ବିହନର ଉଦ୍ଭାବକ ଡ. କୃଷ୍ଣସ୍ୱାମୀ ରାମିଆ ସାର୍ ଜର୍ଜ୍ ବାଟଙ୍କ ମତବାଦ ଉପରେ ଅଧିକ ଗବେଷଣା କରି ୧୯୫୧ ମସିହାରେ ଘୋଷଣା କଲେ ଯେ, ଭାରତର କୋରାପୁଟ ହିଁ ଧାନର ଏନ୍ତୁଡ଼ିଶାଳ।

paddy

Rice Field Photograph: (Internet)

Advertisment

ଜାନକୀଶ ବଡ଼ପଣ୍ଡା

ଅକ୍ଷୟ ମହାନ୍ତିଙ୍କ ଅନବଦ୍ୟ ଗୀତଟିଏ ଥିଲା: କଥା ଥିଲା ତୁମେ ନଦୀଟିଏ ହୋଇ ବହିଯିବ ମୋର ଧାନକ୍ଷେତ ଧାରେ ଧାରେ ...। ସତରେ, ଧାନ କ୍ଷେତ ଆଉ ନଦୀ ଉଭୟେ ଯେମିତି ଆଦିମ କାଳରୁ ରହି ଆସିଛନ୍ତି, ସେମିତି ରହି ଆସିଛି ଡଙ୍ଗର। କୋରାପୁଟ ଜିଲ୍ଲାର ଡଙ୍ଗରମାନଙ୍କରେ ଆଜି ବି ଚଇତି ପର୍ବ ପାଳନ ହେଉଛି। ମାଦଳର ତାଳେତାଳେ ଆଦିମ ଆଦିବାସୀମାନେ ଆଜି ବି ନାଚୁଛନ୍ତି ସନ୍ଧ୍ୟା ନଇଁଲା ପରେ। ସଳପ ରସ ପିଇ ଧାଙ୍ଗଡ଼ା ନିଜର ମନୋନୀତ ଧାଙ୍ଗଡ଼ିକୁ ଦୁଇ ବାହୁରେ ଭିଡ଼ି ଧରୁଛି, ଆଉ ଭିଡ଼ିନେଇ ଯାଉଛି ଘଞ୍ଚ ଅରଣ୍ୟର ଅନ୍ଧାର ମଧ୍ୟକୁ। ଏଠି ସବୁ କିଛି ଆଦିମ- ଜନଜାତିଠୁଁ ଆରମ୍ଭ କରି, ମାଟି, ପାଣି, ପବନ ଓ ବୃକ୍ଷଲତା। ଏଠାକାର ଜନଜାତିଙ୍କ ପରିଚୟକୁ ନେଇ ତ ଓଡ଼ିଶା! ଆଜି ବିଶ୍ୱର ଅର୍ଦ୍ଧାଧିକ ଲୋକ ଯେଉଁ ଚାଉଳକୁ ଖାଦ୍ୟ ରୂପରେ ଗ୍ରହଣ କରନ୍ତି, ତାହାର ଜନ୍ମସ୍ଥାନ ତ ଆମ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ଏମିତିକା ସବୁ ଡଙ୍ଗର।

Advertisment

ଅନେକେ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ପ୍ରକଟ କରି ପାରନ୍ତି ଯେ, ସ୍କଟଲ୍ୟାଣ୍ଡରେ ଜନ୍ମିତ ପ୍ରସିଦ୍ଧ ଉଦ୍ଭିଦବିଜ୍ଞାନୀ ସାର୍ ଜର୍ଜ୍ ବାଟ୍ ଭାରତକୁ ଆସି ଜଣେ ସାମ୍ବାଦିକ ଭାବେ ମୂଲ୍ୟବାନ ଉଦ୍ଭିଦମାନଙ୍କ ଉପରେ ବିବରଣୀ ପ୍ରସ୍ତୁତ କରୁଥିଲେ। ତାଙ୍କ ଲିଖିତ ‘ଭାରତର ବାଣିଜ୍ୟିକ ବିଭବ ଅଭିଧାନ’ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ଏବଂ ଭାରତକୁ ଆସି ଗବେଷଣା କରିବାକୁ ପ୍ରସିଦ୍ଧ ବୈଜ୍ଞାନିକମାନଙ୍କୁ ବସ୍ତୁତଃ ବାଧ୍ୟ କରିଥିଲା। ତାଙ୍କର ୧୮୯୨ ମସିହାର ପ୍ରକାଶିତ ତଥ୍ୟ ସମଗ୍ର ବିଶ୍ୱକୁ ଚମତ୍କୃତ କରିଦେଲା ଭଳି ଥିଲା ଯେ, ଭାରତ ହିଁ ଧାନର ଏନ୍ତୁଡ଼ିଶାଳ। ଭାରତୀୟମାନେ ପ୍ରାୟ ଦଶ ହଜାର ବର୍ଷ ପୂର୍ବେ ଧାନଚାଷ କରୁଥିଲେ ଏବଂ ତାହାର ଚାରି ହଜାର ବର୍ଷ ପରେ ଚୀନରେ ଧାନଚାଷ ଆରମ୍ଭ ହୋଇଥିଲା। ତାଙ୍କ ମତରେ ଦକ୍ଷିଣ ଭାରତୀୟ ପାର୍ବତ୍ୟ-ଉପତ୍ୟକାର ଅନୁକୂଳ ଜଳବାୟୁରେ ଧାନ ଚାଷ ହେଉଥିଲା। ଏଣୁ, ସମ୍ଭବତଃ ସେହି ଉପତ୍ୟକା ବା ଡଙ୍ଗର ହିଁ ଧାନର ଉଦ୍ଗମସ୍ଥଳ। 

କୃଷିବିଜ୍ଞାନୀ ତଥା ନୂତନ କିସମ ଧାନ ବିହନର ଉଦ୍ଭାବକ ଡ. କୃଷ୍ଣସ୍ୱାମୀ ରାମିଆ ସାର୍ ଜର୍ଜ୍ ବାଟଙ୍କ ମତବାଦ ଉପରେ ଅଧିକ ଗବେଷଣା କରି ୧୯୫୧ ମସିହାରେ ଘୋଷଣା କଲେ ଯେ, ଭାରତର କୋରାପୁଟ ହିଁ ଧାନର ଏନ୍ତୁଡ଼ିଶାଳ। ପ୍ରସ୍ତର ଯୁଗ କାଳଖଣ୍ଡର ଧାନର ଭଷ୍ମାବଶେଷ (ଫସିଲ୍) ଆବିଷ୍କାର ହେବା ପରେ ଡ. ରାମିଆଙ୍କ ମତବାଦ ଅଧିକ ଗ୍ରହଣଯୋଗ୍ୟ ସାବ୍ୟସ୍ତ ହେଲା। କହି ରଖିବା ଉଚିତ ଯେ, ଡ. ରାମିଆ କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଏବଂ ପଦ୍ମଭୂଷଣ ସମ୍ମାନ ପାଇଥିଲେ। ତାଙ୍କରି ସ୍ମୃତିରେ ଭୁବନେଶ୍ୱରସ୍ଥିତ କୃଷି ମହାବିଦ୍ୟାଳୟରେ ଏକ ସଭାଗୃହର ନାମକରଣ କରାଯାଇଛି- ‘ରାମିଆ ହଲ୍’। ଜାପାନୀ ବୈଜ୍ଞାନିକ ‘କୋଶୁକେ ହମଦା’ଙ୍କ ମତରେ ‘ନିଶାଦ’ମାନେ ସର୍ବପ୍ରଥମେ ଜଙ୍ଗଲୀ ବା ବଣୁଆ ଧାନ ସଂଗ୍ରହ କରି ଡଙ୍ଗରମାନଙ୍କରେ ଚାଷ ଆରମ୍ଭ କରିଥିଲେ। ଏହି ନିଶାଦ କହିଲେ ଆମେ ଆଜି ଦେଖୁଥିବା ସଉରା, ଗଦବା ଏବଂ ବଣ୍ଡା ପରଜାଙ୍କୁ ହିଁ ବୁଝାଏ। କେବଳ କୋରାପୁଟର ଡଙ୍ଗରମାନଙ୍କରୁ ପ୍ରାୟ ୧୦୨୫ରୁ ଅଧିକ କିସମର ଧାନ ବିହନ ସଂଗ୍ରହ ହେବା ଏହା ପ୍ରମାଣିତ କରେ। 

Advertisment

ପୂର୍ବେ, ଏହିସବୁ ଅଞ୍ଚଳ ଥିଲା ପ୍ରାଚୀନ ‘ଉଡ୍ର’ଦେଶର ଅଂଶବିଶେଷ। ଏହି ‘ଉଡ୍ର’ ଶବ୍ଦରୁ ସମ୍ଭବତଃ ପ୍ରଥମେ  ‘ଉଡ୍ରଜା’ (ଉଡ୍ର-ଜାତ) ଓ ପରେ ‘ଓରାଇଜା’ର ସୃଷ୍ଟି ହୋଇଥାଇ ପାରେ। ଆଧୁନିକ ଓଡ଼ିଶା ଏବଂ ଓରାଇଶା(ଜା) ଏକ ଓ ଅଭିନ୍ନ। ଓରାଇଜା ସାତିଭା ହେଉଛି ଧାନର ଗୋଟିଏ ପ୍ରମୁଖ ବଟାନିକାଲ ନାଁ। ଓଡ଼ିଶାର ୬୨ ପ୍ରକାର ଆଦିମ ଜନଜାତି ମଧ୍ୟରୁ ବଣ୍ଡା ଆଦିମତମ। ଦ୍ୱିତୀୟ ପାଣ୍ଡବ ଭୀମସେନ ବଣ୍ଡା ପାହାଡ଼ରେ ପ୍ରଥମେ ଧାନଚାଷ କରିଥିଲେ ବୋଲି ଲୋକକଥା ବହୁଳ ଆଲୋଚିତ ହୁଏ ବଣ୍ଡାସମାଜରେ। ସେଇଥିପାଇଁ ତ ବଣ୍ଡାମାନେ ଧରଣୀ ମାତାଙ୍କ ପୂଜା କଲାବେଳେ ଭୀମଙ୍କୁ ପୂଜା କରନ୍ତି ଏବଂ ତାହା ପରେ ଚାଷକାର୍ଯ୍ୟ  ଆରମ୍ଭ କରନ୍ତି। ଆଜି ଶସ୍ୟଶ୍ୟାମଳ ଡଙ୍ଗର ଗୁଡ଼ିକ ଦିଶୁଛି ଧୂସର, ସେଠାରେ ଆଉ ଶୁଭୁନି ମାଦଳ ଓ ବଂଶୀର ଉତ୍ତେଜକ ଧ୍ୱନି, ମାଦଳର ତାଳେତାଳେ ଧାଙ୍ଗଡ଼ି ଅଣ୍ଟାରେ ସାପଭଳି ନିଜ ହାତକୁ ଗୁଡ଼େଇ ଧାଙ୍ଗଡ଼ା ଟାଣିନେଉନି ଗଭୀର ଅରଣ୍ୟକୁ। ଦାଦନ ଶ୍ରମିକ ପାଲଟିଛି ବଣ୍ଡା ଯୁବକ। ମାଦଳ, ବଂଶୀ ଧ୍ୱନି ବଦଳରେ ସତେ ଯେମିତି ଡଙ୍ଗରମାନଙ୍କରୁ ଶୁଭୁଛି କରୁଣ କ୍ରନ୍ଦନ।  

ତଥାପି, ପାରମ୍ପରିକ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ସଂରକ୍ଷଣ କରା ଯାଇଥିବା ଏକ ହଜାରରୁ ଅଧିକ କିସମର ପାରମ୍ପରିକ ଧାନ ବିହନ ମଧ୍ୟରୁ ୭୫୦ରୁ ଅଧିକ କିସମର ବିହନକୁ ଚାଷୀଙ୍କ ସମ୍ପଦ ଭାବେ କେନ୍ଦ୍ର ସରକାର ମଧ୍ୟ ପଞ୍ଜିକରଣ କରିସାରିଛନ୍ତି। ପାରମ୍ପରିକ ଧାନ ବିହନର ରୋଗ-ପୋକ ପ୍ରତିରୋଧକ ଶକ୍ତି ଅଧିକ ରହିବା ସହିତ ଓଡ଼ିଶାର ଜଳବାୟୁ ପାଇଁ ଅନୁକୂଳ ହୋଇଥିବାରୁ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଆଜିକାଲି ଚାଷୀମାନେ ପାରମ୍ପରିକ ବିହନ ବଦଳରେ ଅଧିକ ଉତ୍ପାଦନ ପାଇବା ପାଇଁ ହାଇବ୍ରିଡ (ସଙ୍କର) କିସମର ବିହନ ଉପରେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ଗାଁ ଗହଳର ଚାଷୀଙ୍କ ପାଖରେ ଦିନକୁ ଦିନ ପାରମ୍ପରିକ ଧାନ ବିହନ ଲୋପ ପାଇବାକୁ ବସିଛି।

ଏଭଳି ସ୍ଥିତିକୁ ଆଖିରେ ରଖି ୨୦୧୧ ମସିହାଠାରୁ  ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପାରମ୍ପରିକ ଧାନ ବିହନ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ୧୦୭୮ କିସମର ଧାନ ବିହନ ରାଜ୍ୟର ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇ ସାରିଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପ୍ରତିଷ୍ଠା ହୋଇଥିବା ୨ଟି ଜିନ୍‍ ବ୍ୟାଙ୍କରେ ଏସବୁକୁ ସଂରକ୍ଷଣ କରାଯାଇଛି। ଭୁବନେଶ୍ୱର ଠାରେ ଥିବା ରାଜ୍ୟ ବିହନ ପରୀକ୍ଷାଗାରରେ ପ୍ରତିଷ୍ଠା କରାଯାଇଥିବା ଜିନ୍‍ ବ୍ୟାଙ୍କ ମଧ୍ୟରୁ ଗୋଟିକରେ ମଧ୍ୟବର୍ତ୍ତୀକାଳୀନ ଓ ଅନ୍ୟଟିରେ ଦୀର୍ଘକାଳୀନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଦୀର୍ଘକାଳୀନ ବ୍ୟବସ୍ଥାରେ ବିହନକୁ ୪୦ରୁ ୫୦ ବର୍ଷ ପାଇଁ ସଂରକ୍ଷିତ ରଖାଯାଇ ଥାଏ।

ସଂରକ୍ଷିତ ବିହନରୁ ୭୫୦ ପ୍ରକାର ବିହନକୁ କେନ୍ଦ୍ର ସରକାର ଚାଷୀଙ୍କ ସମ୍ପଦ ଭାବେ ପଞ୍ଜିକରଣ କରିସାରିଛନ୍ତି। ଏହି ଦେଶୀ ବିହନ ମଧ୍ୟରୁ କଳାଚମ୍ପା ନାମକ ଧାନ ବିହନକୁ ୨୦୧୫ ମସିହାରେ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ୨୦୧୭ଠାରୁ ଓଡ଼ିଶା ରାଜ୍ୟ ବିହନ ନିଗମ ମାଧ୍ୟମରେ କଳାଚମ୍ପା କିସମର ବିହନ ଚାଷୀମାନଙ୍କୁ ପ୍ରାମାଣିକ ବିହନ ଆକାରରେ ଯୋଗାଇ ଦିଆଯାଉଛି। ଏହି ମୂଳ ବିହନରୁ ଅଧିକ ଅମଳକ୍ଷମ ବିହନ ସୃଷ୍ଟି କରିବା ପାଇଁ ଗବେଷଣା ଜାରି ରହିଥିବାବେଳେ ଅନ୍ୟାନ୍ୟ ପାରମ୍ପରିକ କିସମ ଯଥା - ମୟୁରକଣ୍ଠ, ଝିଲ୍ଲୀ ଏବଂ ହଳଦୀଚୁଡ଼ି ଆଦିର ପ୍ରମାଣୀକରଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।

କୃଷି ବିଜ୍ଞାନ ଅନୁସାରେ ଗୋଟିଏ କିସମର ଧାନ ବିହନକୁ ଅଧିକ ଦିନ ଚାଷ କରିବା ଅନୁଚିତ। ଏଣୁ ୧୦ ବର୍ଷରୁ ଅଧିକ ସମୟ ଧରି ଚାଷ ହେଉଥିବା ଧାନ ବିହନଗୁଡ଼ିକୁ ରିହାତି ଦରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ବାରଣ କରୁଛନ୍ତି। ଏହାର କାରଣ ହେଉଛି ଅଧିକ ବର୍ଷ ଗୋଟିଏ ବିହନ ବ୍ୟବହାର କରାଗଲେ ସେହି କିସମର ଧାନର ରୋଗ-ପୋକ ପ୍ରତିରୋଧ ଶକ୍ତି ସହିତ ଉତ୍ପାଦିକତା ମଧ୍ୟ ହ୍ରାସ ପାଇ ଥାଏ। ଏହା ଚାଷୀମାନେ ଜାଣନ୍ତି ଏବଂ ସେଥିପାଇଁ ପାରମ୍ପରିକ ଭାବେ ଗୋଟିଏ କିସମର ବିହନ କିଛି ବର୍ଷ ପରେ ବଦଳାଇ ଥାଆନ୍ତି।

paddy stone
Paddy Field In Sculpture Photograph: (Internet)

ଆଗରୁ ଆଲୋଚନା କରି ସାରିଛେ ଯେ, ଧାନର ଆଦ୍ୟ-ଉତ୍ପତ୍ତି ସ୍ଥଳ ଓଡ଼ିଶାର କୋରାପୁଟ ଜିଲ୍ଲା। ସମାନ ଜଳବାୟୁ ଉପଲବ୍ଧ ଭାରତ ଓ ଭାରତ ବାହାରେ ଥିବା ସ୍ଥାନମାନଙ୍କରେ ମଧ୍ୟ ଧାନର ଅନେକ ପାରମ୍ପରିକ କିସମ ଦେଖାଯାଏ। ଆସାମର ଯୋରହାଟରେ ଗୋଟିଏ ହେଲେ ବି ବହି ନଥିବା ଏକ ପାଠାଗାର ରହିଛି, ଯାହାର ନାମ ‘ଅନ୍ନପୂର୍ଣ୍ଣା’। ଯୋରହାଟର ମେଲଙ୍ଗ ନିବାସୀ ମହାନ ଚନ୍ଦ୍ର ବୋରାଙ୍କ ଦ୍ୱାରା ସ୍ଥାପିତ ହୋଇଛି ଏହି ପାଠାଗାର - ‘ଅନ୍ନପୂର୍ଣ୍ଣା’। ସେଥିରେ ସେ ବିଭିନ୍ନ କିସମର ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ରଖିଛନ୍ତି। ଉତ୍ତର-ପୂର୍ବ ଭାରତର ଏହା ପ୍ରଥମ ସ୍ୱଦେଶୀ ବିହନ ସଂଗ୍ରହାଳୟ, ଯେଉଁଠି ଦେଶର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ହୋଇ ଆସିଥିବା ୩୦୦ରୁ ଅଧିକ କିସମର ଧାନ ବିହନ ସେ ଗଚ୍ଛିତ କରି ରଖିଛନ୍ତି। 

ଯୋରହାଟ ଅଞ୍ଚଳରେ ପାରମ୍ପରିକ ବିହନଗୁଡ଼ିକ ଲୋପ ପାଇ ଆସୁଥିଲା। ଏହା ତାଙ୍କୁ ଆଲୋଡ଼ିତ କରିଥିଲା। ତେଣୁ ସେ ୨୦୦୬ ମସିହାରେ ଏକ ଅଭିନବ ବିହନ ପାଠାଗାରର ପରିକଳ୍ପନା କରିଥିଲେ, ଯେଉଁଠି ନିଜ ଅଞ୍ଚଳ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବିଲୁପ୍ତ ହୋଇ ଆସୁଥିବା ଧାନ ବିହନଗୁଡ଼ିକର ସଂରକ୍ଷଣ କରିପାରିବେ। ତାଙ୍କର ଏହି ବିହନ ସଂରକ୍ଷଣ କେନ୍ଦ୍ର ମାତ୍ର ତିନିଟି ଧାନ କିସମରୁ ଆରମ୍ଭ ହୋଇଥିଲା। ଏବେ ସେଠାରେ ସୁବାସିତ ପ୍ରଜାତିଠାରୁ ଆରମ୍ଭ କରି କୃଷ୍ଣକାୟ, ବନ୍ୟା-ପ୍ରତିରୋଧୀ, ପାହାଡ଼ୀ, ଔଷଧୀୟ ଓ ଅଠାଳିଆ (ଜାଉ ଜାତୀୟ) ଭଳି ନାନା କିସମର ବିହନ ଉପଲବ୍‌ଧ। ସେଠାରେ ‘ବାଓ ଧାନ’ ନାମକ ଆସାମର ନିଜସ୍ୱ କିସମର ଧାନବିହନ ରହିଛି, ଯାହାର ଗଛ ମାସ ମାସ ଧରି ବନ୍ୟାପାଣିରେ ବୁଡ଼ି ରହିଲେ ବି ପଚି ଯାଏନାହିଁ। ଏହା ଖାଲ ଜମି ପାଇଁ ତଥା ବନ୍ୟାଞ୍ଚଳ ପାଇଁ ଉପଯୋଗୀ ହୋଇ ଥିଲେ ହେଁ ଚାଷୀମାନେ ଅଧିକ ଅମଳକ୍ଷମ ଧାନ ଲୋଭରେ ‘ବାଓ ଧାନ’ କିସମ ବୁଡ଼ାଇ ଦେଉଛନ୍ତି। ଶହ ଶହ ବର୍ଷ ଧରି ବନ୍ୟା, ମରୁଡ଼ି ଏବଂ ରୋଗପୋକ ଆକ୍ରମଣକୁ  ପ୍ରତିହତ କରି ଆସିଥିବା ଏହିଭଳି ଅନେକ ପାରମ୍ପରିକ ବିହନଗୁଡ଼ିକର ଏକ ଅନ୍ତର୍ନିହିତ ଗୁଣ ରହିଥିଲେ ବି ଆମେ ସେଗୁଡିକ ପ୍ରତି ଅନ୍ୟାୟ କରି ଚାଲିଛେ। ବୋରାଙ୍କ ପାଠାଗାରରେ ଅନ୍ୟତମ ଆକର୍ଷଣ ହେଲା ‘ଡୋଲ୍‌ କୋସୁ’ ନାମରେ ଆଉ ଏକ କିସମର ବିହନ; ଯାହାର ଭାତ ଖାଇଲେ ଶରୀର ଥଣ୍ଡା ରହେ। ଆସାମର ବ୍ରହ୍ମପୁତ୍ର ଉପତ୍ୟକାରେ ବହୁ ପରିମାଣରେ ଉତ୍ପାଦନ କରାଯାଉଥିବା ‘ବୋକା-ଚୋକୁଓ୍ଵା ଚାଉଳ’କୁ ମ୍ୟାଜିକ ଚାଉଳ କୁହାଯାଏ। ଏହି ଚାଉଳକୁ ଜିଆଇ ଟ୍ୟାଗ୍ ମିଳିଛି। ମ୍ୟାଜିକ୍ ଚାଉଳର ବିଶେଷତ୍ୱ ହେଉଛି ଏହାକୁ ଥଣ୍ଡା ପାଣିରେ ଏକ ଘଣ୍ଟା ରଖିଲେ ଏହା ସାଧାରଣ ଚାଉଳ ପରି ଭାତ ହୋଇଯାଏ।

ଆମେମାନେ ଯେପରି ଚୂଡ଼ାରେ ପାଣି, ଗୁଡ଼, ଦହି ମିଶାଇ ଖାଉ ଠିକ ସେହିପରି ମ୍ୟାଜିକ ଚାଉଳରେ କ୍ଷୀର, ଦହି, ଘିଅ ମିଶାଇ ଆରାମରେ ଖାଇହେବ। ସ୍ଥାନୀୟ ଲୋକମାନେ ଦାବି କରନ୍ତି ଯେ ଲଗାତାର ତିନି ଦିନ ମ୍ୟାଜିକ୍ ଚାଉଳର ଭାତ ଖାଇବା ପରେ ଚତୁର୍ଥ ଦିନରେ ଶରୀରରେ ଏକ ବିଶେଷ ଶକ୍ତି ଅନୁଭବ କରିହୁଏ। ବଜାରରେ ଏହାର କିଲୋଗ୍ରାମ ପ୍ରତି ମୂଲ୍ୟ ୪୫୦ରୁ ୫୦୦ ଟଙ୍କା।

ଆମ କୋରାପୁଟରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ବିହନ ସଂରକ୍ଷଣ, ଖାଦ୍ୟ ନିରାପତ୍ତା ପାଇଁ ପ୍ରୟାସ କରାଯାଉଛି।  ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ଏକ ପ୍ରଦର୍ଶନ କ୍ଷେତ୍ର ପ୍ରତିଷ୍ଠା କରି ପ୍ରଶଂସନୀୟ ପଦକ୍ଷେପ ନେଇଛି। ଫଳରେ ଚାଉଳ, ମିଲେଟ୍‌, ମକା, ଅଳସୀ ଏବଂ ବିଭିନ୍ନ କନ୍ଦା ଫସଲକୁ ସୁରକ୍ଷିତ ରଖାଯାଉଛି। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଶସ୍ୟର ଜୈବିକ ବିବିଧତାକୁ ବଞ୍ଚାଇ ରଖିବାକୁ ମିଶନ ଭାବେ ଏହା ଆରମ୍ଭ କରାଯାଇଛି। ବିଶ୍ୱବିଦ୍ୟାଳୟର ଏହି ସଂରକ୍ଷଣ ମିଶନରେ ଶତାଧିକ କିସମର ବିରଳ ତଥା ଲୋପ ପାଇ ଯାଉଥିବା ବିହନ ରହିଛି। ପ୍ରାୟ ୩୩ ପ୍ରକାରର ଅଳସୀ, ୧୦୪ ପ୍ରକାରର ଧାନ, ୮୭ କିସମ ମାଣ୍ଡିଆ, ୧୫ ପ୍ରକାରର ସୁଆଁ, ୮ ପ୍ରକାରର ଦେଶୀ କନ୍ଦା ଏବଂ ୧୨ ପ୍ରକାରର ଦେଶୀ ମକା ବିହନ ଏହି ସଂରକ୍ଷଣ ତାଲିକାରେ ରହିଛି। 

ତେବେ ଏହି ଚାଷ କରି ବିଭାଗ କେବଳ ପାରମ୍ପରିକ ଫସଲକୁ ସଂରକ୍ଷଣ କରୁନାହିଁ ବରଂ ସେଗୁଡିକର ଚାଷ ଏବଂ ବ୍ୟବହାରକୁ ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ ପ୍ରୋତ୍ସାହିତ ମଧ୍ୟ କରୁଛି। ଏହି ପାରମ୍ପରିକ ଫସଲଗୁଡିକ ସେଗୁଡ଼ିକର ପୁଷ୍ଟିକର ମୂଲ୍ୟ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସ୍ଥିରତା ପାଇଁ ଜଣାଶୁଣା। ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପାରମ୍ପରିକ କିସମ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। କୋରାପୁଟ ଅଞ୍ଚଳର ଏହି ସମସ୍ତ ପାରମ୍ପରିକ କିସମ ବିହନ କ୍ରମଶଃ ବିରଳ ହୋଇଯାଉଛି। ଯାହାକି କୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଏକ ବଡ଼ ପ୍ରତିବନ୍ଧକ ହେବାର ଆଶଙ୍କା ମଧ୍ୟ ସୃଷ୍ଟି କଲାଣି। ତେଣୁ ପାରମ୍ପରିକ ମଞ୍ଜି ସଂରକ୍ଷଣର ଜରୁରୀ ହୋଇପଡ଼ିଛି। 
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଜୟପୁରସ୍ଥିତ ଗବେଷଣା କେନ୍ଦ୍ରରେ ମଧ୍ୟ ୫୯୦ ପ୍ରଜାତି ଦେଶୀ ଓ ବିଦେଶୀ ଧାନର ଗବେଷଣା କରାଯାଉଛି। ସେଥିମଧ୍ୟରେ ପ୍ରମୁଖ ରହିଛି ୪୪ ପ୍ରକାର ଦେଶୀ ବାସନା ଧାନ। ଏହି ଧାନ ମଧ୍ୟରେ ରହିଛି କଳାଜୀରା, ଚଟିଆନାକୀ, କର୍ପୁରକାନ୍ତି, ବଡ଼ ଧାନ, ହୀରାଖଣ୍ଡି, ତୁଳସୀଖଣ୍ଡି, ମୁକ୍ତାବାଲି, ଲୋକଟିମାଚି, ଦୁଧମଣି, ବାସୁଆଭୋଗ, କଲିକତି ଓ ଆଗରମତି ପରି ବାସନା ଧାନ। ଏହି ଧାନଗଛ ଗୁଡ଼ିକର ଉଚ୍ଚତା ଅଧିକ ହେଉଥିବାରୁ ପବନରେ ଶୋଇପଡୁଛି। ଏଣୁ, ଏ ସବୁର ଉଚ୍ଚତା କମାଇବା ପାଇଁ ଗବେଷେଣା କରାଯାଉଛି। 

ଚାଷୀମାନେ ପୁରୁଣା ପାରମ୍ପରିକ କୌଶଳରେ ଚାଷ କରିବା ଦ୍ୱାରା ଅଧିକ ଅମଳ କରିପାରୁ ନଥିବାରୁ ଲାଭବାନ ହୋଇପାରୁ ନାହାନ୍ତି। ତେଣୁ ସେମାନେ ଆଧୁନିକ ପ୍ରଣାଳୀରେ ଚାଷ କରିବା ସହିତ ଆଧୁନିକ ଗବେଷଣାଲବ୍ଧ ବିହନ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଫଳରେ ପାରମ୍ପରିକ ବିହନ ଲୋପ ପାଇବାକୁ ବସିଲାଣି। ଚାଷୀ ଆଉ ଆଗ ଭଳି ଧାନ ବିହନ ଘରେ ସଂଗ୍ରହ କରି ନରଖି କିଣା ବିହନ ଉପରେ ନିର୍ଭର କରିବାକୁ ଚାହୁଁଛନ୍ତି। ଦିନକୁ ଦିନ ପାଣିପାଗରେ ଅସ୍ଥିରତା ବଢୁଛି, ମାଟିର ଉର୍ବରତା କ୍ଷୟ ହେଉଥିବାରୁ ଚାଷୀମାନେ ଆଉ ପାରମ୍ପରିକ ପଦ୍ଧତିରେ ପୂର୍ବଭଳି ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଧୁନିକ ଚାଷ ନାଁରେ ସଙ୍କର ଜାତୀୟ ବିହନ ବ୍ୟବହାର ହେଉଛି, ରୋଗ-କୀଟନାଶକ, ରାସାୟନିକ ସାର ସହ ଆଧୁନିକ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ଚାଷୀର ସଂଜ୍ଞା ବଦଳିଯାଇଛି। ଚାଷ କାମରେ ବ୍ୟବହୃତ ବଳଦ, ହଳ, ଲଙ୍ଗଳ, ମଇ, ଯୁଆଳି ଇତ୍ୟାଦି ଲୋପ ପାଇବାକୁ ବସିଲାଣି। 

ପୂର୍ବେ, ଚାଷୀମାନେ ଧାନ ଅମଳ ହେବାପରେ ବିହନ ପାଇଁ ସାଇତି ରଖି ବଳକା ଧାନକୁ ବିକ୍ରି କରୁଥିଲେ ଓ ଚାଉଳ କରି ଖାଉଥିଲେ। ଏବେ କିନ୍ତୁ ଚାଷୀମାନେ ଅଧିକ ଅମଳ ପାଇଁ ପାରମ୍ପରିକ ଦେଶୀ ଧାନ ଓ ଜୈବିକ ଚାଷ ପ୍ରଣାଳୀରୁ ଦୂରେଇଯାଇ ଅଧିକ ଅମଳକ୍ଷମ ଧାନ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି। ବିହନ ବିକ୍ରିକେନ୍ଦ୍ର ଗୁଡ଼ିକରେ ବାୟାବଣ୍ଡା, ରତ୍ନଚୁଡ଼ି, କଳାଜୀରା, ମହିପାଳ, ଜଗନ୍ନାଥ, ବଡ଼ ମସୂରୀ ଭଳି ଦେଶୀ ଧାନ ବିହନ ମିଳୁନାହିଁ। ତା ବଦଳରେ ମିଳୁଛି ଅଧିକ ଅମଳକ୍ଷମ ବିହନ। ଆମ ରାଜ୍ୟରେ ବାସୁମତୀ, କଳାଜୀରା, ଧୁସୁରା, ପିମ୍ପୁଡ଼ିବାସ, ଗଙ୍ଗାବାଲି, କୃଷ୍ଣ ଭୋଗ, ସରୁଚିନାମାଳୀ, ବାସୁଆଭୋଗ ଆଦି ନାମରେ ଅନେକ କିସମର ବାସନା ଧାନ ରହିଛି। ଏଥିସହ ଅନ୍ୟ ରାଜ୍ୟରୁ ଆଣି ଚାଷ ହେଉଥିବା କୁଦ୍ରତ-୩, ପାର୍ବତୀ ଭଳି ଅଧିକ ଅମଳ ହେଉଥିବା ବାସନା ଧାନ ଚାଷ ହୁଏ। ଅଧିକ ଅମଳ ପାଇଁ ସଙ୍କର ଜାତୀୟ ବିହନ, ରାସାୟନିକ ସାର ଓ କୀଟନାଶକ ବ୍ୟବହାର ଫଳରେ ଉତ୍ପାଦନ ବଢ଼ିଛି ସତ୍ୟ; କିନ୍ତୁ ଦେଶୀ ପାରମ୍ପରିକ ଧାନର ଗୁଣବତ୍ତା ଓ ସ୍ୱାଦ ହଜିଯାଇଛି।

ଖୁସିର କଥା ଯେ, ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଆଦିବାସୀ ମହିଳାମାନେ ପିଢ଼ି ପରେ ପିଢ଼ି ବିଭିନ୍ନ ଦେଶୀୟ ବିହନଗୁଡ଼ିକୁ ସଂରକ୍ଷିତ କରି ରଖୁଛନ୍ତି। ପ୍ରତିବର୍ଷ ପାଳନ କରୁଛନ୍ତି ଶସ୍ୟ ପର୍ବ। ଏହି ବାର୍ଷିକ ପର୍ବରେ ସେମାନେ ସମସ୍ତେ ଏକତ୍ରିତ ହୋଇ ସମସ୍ତ ବିଧିବିଧାନ ପାଳନ ପୂର୍ବକ ଉତ୍ସବ ପାଳନ କରି ଏହି ବିହନ ବିଷୟରେ ଆଲୋଚନା କରନ୍ତି ଓ ପରସ୍ପର ମଧ୍ୟରେ ଏହାର ବିନିମୟ ମଧ୍ୟ କରି ଆସୁଛନ୍ତି।

ସ୍ୱର୍ଗତ କମଳା ପୂଜାରୀ ଥିଲେ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତା ଆଦିବାସୀ ମହିଳା ଚାଷୀ। ସେ ଶହେରୁ ଉର୍ଦ୍ଧ୍ୱ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି ସେଗୁଡିକୁ ସଂରକ୍ଷଣ କରିପାରିଛନ୍ତି। କମଳାଙ୍କ ଶ୍ୱଶୁରଘର ଗାଁ ପାତ୍ରପୁଟ। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଶ୍ୱଶୁରଘର ଗାଁ ପାତ୍ରପୁଟରେ ‘ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି’ ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅନେକ ଉଦାହରଣୀୟ କାମ କରିଥିଲେ। ସେ ଜୟପୁରସ୍ଥିତ ଏମଏସ୍ ସ୍ୱାମୀନାଥନ୍ ରିସର୍ଚ୍ ଫାଉଣ୍ଡେସନରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ନେଇଥିଲେ। ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ। କମଳା ପୂଜାରୀଙ୍କ ଦ୍ୱାରା ସଂରକ୍ଷିତ କିଛି ଦେଶୀ ଧାନ କିସମ ହେଲା : ହଳଦୀଗଣ୍ଠି, ଝିଲ୍ଲି, ସପୁରି, ବୃଦ୍ଧମଣି, କଳାଜୀରା, କଳାମଲ୍ଲିକ, ମାଛକଣ୍ଟା, ଲଦିଆରୀ, ବରପକ, ବିଲେନ, ଫୁରା, ଘଣ୍ଟିଆ ଧାନ, ହଳଦୀଗୁରି, ଉମୁରିଆଚୁରୀ, ଗଣ୍ଠିଆ, ବଡ଼ିକାବରୀ, ପାରା, ମୋରା ଓ ଲଲାଟ ଇତ୍ୟାଦିI ସେ ୧୪୦ ପ୍ରକାର ଲୋପ ପାଇଯାଇଥିବା ଅତି ଦୁର୍ଲଭ କିସମର ଦେଶୀ ଧାନ ସଂଗ୍ରହ କରିପାରିଥିଲେ। ପାରମ୍ପରିକ ରୀତିରେ ବିନା ସରକାରୀ ସହୟତାରେ କେବଳ ଗୋବର ଖତ ବ୍ୟବହାର କରି ସେ ଦେଶୀ ଧାନ ସଂରକ୍ଷଣ କରିଛନ୍ତି। ଏହି ବିହନ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ।

ଏବେ ଧାନକୁ ନେଇ କିଛି ତଥ୍ୟ ରଖିବା ଉଚିତ ହେବ। ଏହାର ଦୁଇଟି ପ୍ରଜାତିକୁ ଚାଷ କରାଯାଏ- ଓରାଇଜା ସାଟାଇଭା ଏବଂ  ଓରାଇଜା ଗ୍ଲାବେର୍ରିମା। ପ୍ରଥମ ପ୍ରଜାତି ଭାରତ ସମେତ ସମସ୍ତ ଦେଶରେ ଚାଷ କରାଯାଉଥିଲା ବେଳେ ଦ୍ୱିତୀୟଟି ମୁଖ୍ୟତଃ ଆଫ୍ରିକା ମହାଦେଶରେ ଚାଷ କରାଯାଏ। ଏହି ଦୁଇ ପ୍ରଜାତିର ଚାଉଳ ମଧ୍ୟ ଦୁଇ ପ୍ରକାରର। ମୁଖ୍ୟତଃ ଚାଉଳକୁ ଗୋଟି ଗୋଟି ଭାତ ରାନ୍ଧିବା ପାଇଁ ବ୍ୟବହାର କରାଗଲା ବେଳେ ଅନ୍ୟଟି ଅଠାଳିଆ ବା କାଦୁଆ- ଏଣୁ ମୁଖ୍ୟତଃ  ପିଠା ଓ କ୍ଷିରୀ ଇତ୍ୟାଦି ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଧାନର ୧୮ଟି ଜଙ୍ଗଲୀ ପ୍ରଜାତି ଅଛି। ସେଥିମଧ୍ୟରୁ ଗୋଟିଏ ହେଲା ନିଭରା; ଯାହା ଅଥର୍ବ ବେଦରେ ‘ବ୍ରିହୀ’ ଭାବେ ନାମିତ। ଏହି ଜଙ୍ଗଲୀ ପ୍ରଜାତି ମଧ୍ୟରୁ ୮ଟି ପ୍ରଜାତିର କ୍ରୋମୋଜମ ସଂଖ୍ୟା ଦୁଇଗୁଣା ଥାଏ ବା ସେମାନେ ଟେଟ୍ରାପ୍ଲଏଡ୍। ଆମେ ଖାଉଥିବା ସମସ୍ତ ଧାନ କିସମ ଗୁଡ଼ିକ ଡିପ୍ଲଏଡ୍, ଯେମିତି ମଣିଷଙ୍କ ଜୀବକୋଷ ଗୁଡିକ ଡିପ୍ଲଏଡ୍। ଚାଉଳର ରଙ୍ଗ ମୁଖ୍ୟତଃ ଧଳା ହୋଇଥିଲେ ହେଁ କିଛି କିସମ ଚାଉଳର ରଙ୍ଗ ଲାଲ୍ ଓ ବାଇଗଣୀ। ଧାନ ଏକ ଘାସ ଜାତୀୟ ଉଦ୍ଭିଦ ଏବଂ ଏହାର ଜୀବନକାଳ କିସମ ଅନୁଯାୟୀ ୮୫ରୁ ୨୪୦ ଦିନ ହେବାର ଦେଖାଯାଏ। ଏକ କିଲୋଗ୍ରାମ୍ ଧାନ ଉତ୍ପାଦନ କରିବା ପାଇଁ ପ୍ରୟ ୨,୫୦୦ ଲିଟର ପାଣି ଆବଶ୍ୟକ ହୋଇଥାଏ। 

ଏଣୁ ସମୟ ଆସିଛି, ଆମେ ବର୍ଷା ଦିନେ ବର୍ଷାଜଳ ବ୍ୟବହାର କରି ଧାନ ଚାଷ କରିବା ଏବଂ ଅନ୍ୟ ସମୟରେ ମାଣ୍ଡିଆ ସମେତ ବିଭିନ୍ନ ଶ୍ରୀଅନ୍ନ, ଡାଲି, ତୈଳବୀଜ, ପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଜଳ ସଂରକ୍ଷଣ କରିବା ସହିତ କୃଷି ଓ କୃଷକଙ୍କୁ ସଶକ୍ତ କରିବା। ପାରମ୍ପରିକ ବିହନଗୁଡ଼ିକୁ ସଂଗ୍ରହ କରିବା ସହ ସଂରକ୍ଷଣ କରି ନରଖିଲେ, ଆମର ଉତ୍ତରପିଢ଼ି ଖାଦ୍ୟସଙ୍କଟ ଭୋଗିବା ଅବଧାରିତ।

ଫୋ- ୯୪୩୮୨୯୯୦୩୭

Odisha Odisha Tribes Paddy Koraput Basmati Rice MS Swaminathan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe