/odisha-reporter/media/media_files/2026/02/25/farming-2026-02-25-15-38-07.jpg)
ଜାନକୀଶ ବଡପଣ୍ଡା
ଆମର ପଡୋଶୀ ରାଜ୍ୟ ଛତିଶଗଡରେ ମଧ୍ୟ ଓଡିଶା ଭଳି ଡବଲ୍-ଇଞ୍ଜିନ୍ ସରକାର ରହିଛି I ସେଠାରେ ଚାଷୀ ପରିବାରର ମାସିକ ଆୟ ୯,୬୭୭ ଟଙ୍କା ଥିଲା ବେଳେ, ଓଡିଶାରେ ଏହା ମାତ୍ର ୫,୧୧୨ ଟଙ୍କା ରହିଛି I ଓଡିଶାରେ ୨୦୧୩-୧୪ ବର୍ଷ ଠାରୁ ଉପସ୍ଥାପିତ ହୋଇଆସୁଥିବା ସ୍ବତନ୍ତ୍ର କୃଷି ବଜେଟ୍ ବ୍ୟବସ୍ଥା ସେଠାରେ ନାହିଁ – ଏପରିକି କୃଷି ସମୃଦ୍ଧ ପଞ୍ଜାବ, ହରିଆନା ଏବଂ ଉତ୍ତର ପ୍ରଦେଶରେ ବି ଏଭଳି ଲୋକ ଦେଖାଣିଆ ବ୍ୟବସ୍ଥା ନାହିଁ I ଜାତୀୟ ନମୁନା ସର୍ଭେ ୨୦୧୮-୧୯ତଥ୍ୟ ଅନୁସାରେ ଭାରତର ଗୋଟିଏ କୃଷକ ପରିବାରର ମାସିକ ହାରାହାରି ଆୟ ୧୦,୨୧୮ ଟଙ୍କା ରହିଥିଲାl ମେଘାଳୟରେ ସର୍ବାଧିକ ୨୯,୩୪୮, ପଞ୍ଜାବରେ ୨୬,୭୦୧, ଓ ହରିଆଣାରେ ୨୨,୮୪୧ ଟଙ୍କା ଥିବାବେଳେ ଝାରଖଣ୍ଡରେ ସର୍ବନିମ୍ନ ୪, ୮୯୫ ଟଙ୍କା ରହିଥିଲା l କେନ୍ଦ୍ର ସରକାର କୃଷକଙ୍କ ୨୦୧୬-୧୭ ବର୍ଷରେ ମୁଣ୍ଡପିଛା ହାରାହାରି ଆୟ ଯାହା ଥିଲା, ତାହାକୁ ୨୦୨୨-୨୩ ସୁଦ୍ଧା ଦୁଇଗୁଣ କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରିଥିଲେ ବି ସଫଳତା ପାଇପାରି ନାହାନ୍ତିl ସେହିପରି,କେନ୍ଦ୍ର ସରକାର ରେଳବାଇ ବଜେଟକୁ ସାଧାରଣ ବଜେଟରେ ବିଲୀନ କରି ଉଦାହରଣ ସୃଷ୍ଟି କରିଥିବା ସତ୍ବେ ୨୦୧୩ ମସିହାରେ ପୂର୍ବ ସରକାର ସ୍ବତନ୍ତ୍ର କୃଷି ବଜେଟ୍ ଆରମ୍ଭ କରିଥିଲେ I ଏହି ବ୍ୟବସ୍ଥା ଆଜିବି ଓଡିଶାରେ ଚାଲୁ ରହିଛି, ଯାହା ଓଡିଶା ସରକାରଙ୍କ ଦୁର୍ବଳ ରାଜନୈତିକ ଇଚ୍ଛାଶକ୍ତି ଏବଂ ଆଜି ବି ସବଳରହିଥିବା ପ୍ରଶାସନିକ‘ଇକୋସିଷ୍ଟମ୍’କୁ ବୁଝାଉଛି I
ଯାହା ବି ହେଉ,ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟକୃଷି ବଜେଟ ୨୦୨୬–୨୭ ଓଡ଼ିଶା ବିଧାନସଭାରେ ଆଗତ ହୋଇ ସାରିଛି, ଯାହାର ମୂଳ ଲକ୍ଷ୍ୟ ରହିଛି କୃଷକ ଆୟ ବୃଦ୍ଧି, ଜଳବାୟୁ-ସହନଶୀଳ କୃଷି, ଓ ପ୍ରଯୁକ୍ତି ଭିତ୍ତିକ ଉତ୍ପାଦନ। ଏହି ବଜେଟକୁ ମୁଖ୍ୟତଃ ୭ଟି ଦୃଷ୍ଟିକୋଣରୁ ବୁଝିବାକୁ ପଡିବ।୧. ଅର୍ଥାନୁଦାନ ଓ ପ୍ରାଥମିକତା, କୃଷି ଓ ଆନୁସଙ୍ଗିକ କୃଷିକର୍ମ (ପଶୁପାଳନ, ମାଛଚାଷ ଇତ୍ୟାଦି) ପାଇଁ ବଜେଟରେ ଉଲ୍ଲେଖନୀୟ ବୃଦ୍ଧି, ଧାନଚାଷ ଉପରୁ ନିର୍ଭରଶୀଳତା କମାଇ ଡାଲି, ତୈଳବୀଜ ଏବଂ ଶ୍ରୀଅନ୍ନ (ମିଲେଟ୍)ଭଳି ଅଣ-ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ; ୨. ସେଚନ ଓ ଜଳ ପରିଚାଳନା: କ୍ଷୁଦ୍ର ଓ ମଧ୍ୟମ ସେଚନ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା, ଚେକ୍ଡ୍ୟାମ, ପୁଷ୍କରଣୀ (ଫାର୍ମ ପଣ୍ଡ), ମାଇକ୍ରୋ-ଇରିଗେସନ (ଡ୍ରିପ୍/ସ୍ପ୍ରିଙ୍କଲର) ଉପରେ ଗୁରୁତ୍ବ ଯାହା ଫଳରେ ଖରିଫ ସହିତ ରବି ଫସଲଚାଷମଧ୍ୟ ଜଳ କଷ୍ଟ ଭୋଗିବ ନାହିଁ; ୩. କୃଷକ କଲ୍ୟାଣ ଓ ଆୟ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କିଷାନ୍ ଯୋଜନା (ପୂର୍ବରୁ ଥିଲା କାଳିଆ) ଓ ଅନ୍ୟାନ୍ୟ ଆୟ ସହାୟତା ଯୋଜନା ଅବ୍ୟାହତ ରଖିବା, ଇନପୁଟ୍ ସବସିଡି (ବିହନ,ସାର, କୀଟନାଶକ) ସହିତ ମାଗଣାରେ ବିଭିନ୍ନ କୃଷି ସେବା (ଯଥା ମାଟି ପରୀକ୍ଷା, ମାଗଣା ପରାମର୍ଶ) ଉପରେ ଗୁରୁତ୍ୱ; ୪. ଜଳବାୟୁ-ସହନଶୀଳ କୃଷି: ମରୁଡି, ବନ୍ୟା, ଝଡିବର୍ଷା, ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ଫସଲ ପ୍ୟାକେଜ, ଫସଲ ବୀମା, ଆଗୁଆ କୃଷି ସୂଚନା ଏବଂ ପୂର୍ବ ସତର୍କତା ବ୍ୟବସ୍ଥା; ୫. ପ୍ରଯୁକ୍ତି ଓ କୃଷିକ୍ଷେତ୍ରରେ ଯନ୍ତ୍ରପାତି ବ୍ୟବହାର, ଡ୍ରୋନ୍ ଦ୍ୱାରା ନାନୋ ୟୁରିଆ-ଡିଏପି ସାର ଓ କୀଟନାଶକ ଔଷଧ ସିଞ୍ଚନ, ଡିଜିଟାଲ୍ କୃଷି ପ୍ଲାଟଫର୍ମ, କୃଷକ ଡାଟାବେସ ପ୍ରସ୍ତୁତି, କୃଷିସେବା କେନ୍ଦ୍ର ମାଧ୍ୟମରେ କୃଷିଯନ୍ତ୍ରପାତି ସୁଲଭ ଦରରେ ଯୋଗାଣ;୬. ମୂଲ୍ୟ ସଂଯୋଜନା ଓ ବଜାର ବ୍ୟବସ୍ଥା: କୃଷକ ଉତ୍ପାଦକ ସଂଘ (ଏଫପିଓ)ମାଧ୍ୟମରେ ସଂଗଠିତ ବିକ୍ରୟ ବ୍ୟବସ୍ଥା, ଅଣ-ଧାନ ଫସଲ ଅମଳ, ସଂରକ୍ଷଣ, ଗୋଦାମ ଘରେ ସାଇତା ଓ ବିକ୍ରିବଟା; ୭. ସରକାରୀ ଯୋଜନା ଗୁଡିକର ରୂପାୟନ:ଚାଷୀଙ୍କ ପାଖରେ ଯୋଜନାର ଲାଭ ପହଞ୍ଚାଇବା,ଛୋଟ ଓ ନାମମାତ୍ର କୃଷକଙ୍କ ଦ୍ବାରା ଉତ୍ପାଦିତ ଫସଲ ପାଇଁ ବଜାର ବ୍ୟବସ୍ଥା।
ଓଡିଶା କୃଷି ବଜେଟ ୨୦୨୬–୨୭ ମାଧ୍ୟମରେ ଓଡିଶା ସରକାର କୃଷି ଉତ୍ପାଦନ ବୃଦ୍ଧି, କୃଷକଙ୍କ ଆୟ ଏବଂ ନିରନ୍ତର ସ୍ଥିର ରୋଜଗାର ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି , ଯାହା ଗତାନୁଗତିକ ଏକ ଧାରାର ଅଂଶ ବିଶେଷ। ଯଦି ବଜେଟ ପାରିତ ହେବାପରେ, ପ୍ରସ୍ତାବ ଗୁଡିକର ସଠିକ୍ ରୂପାୟନ ହେବ, ତେବେ ଓଡ଼ିଶାର କୃଷି ଓ କୃଷକଙ୍କ ବିକାଶ ହୋଇ ପାରିବ।
ଓଡ଼ିଶା କୃଷି ବଜେଟ ୨୦୨୬–୨୭ ସହିତ ପୂର୍ବ କୃଷି ବଜେଟ (୨୦୨୫–୨୬)ର ତୁଳନା କଲେ ସ୍ପଷ୍ଟ ହୁଏ ଯେ ସରକାର ସବସିଡି-କେନ୍ଦ୍ରିକ ଧାରଣା ଠାରୁ ଧୀରେଧୀରେ ଆୟ, ସ୍ଥିରତା ଓ ବଜାର-ମୁଖୀ କୃଷି ଦିଗକୁ ଗତି କରୁଛନ୍ତି। ଚଳିତ ବଜେଟରେ କୃଷକଙ୍କୁ “ସହାୟତାପୁଷ୍ଟ ଗ୍ରାହକ”ରୁ “ସଶକ୍ତ ଉତ୍ପାଦକ” କରିବା ପାଇଁ ପଦକ୍ଷେପ ନେବାକୁ ସୂଚନା ଦିଆଯାଇଛି ।ଓଡ଼ିଶା କୃଷି ବଜେଟ ୨୦୨୬–୨୭ ଦେଖିବାକୁ ଗଲେ କେନ୍ଦ୍ର ବଜେଟ ୨୦୨୬–୨୭ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ଅନୁରୂପ ହୋଇଛି ଏବଂ ଓଡ଼ିଶାର ଭୂ-ପ୍ରାକୃତିକ ଓ ସାମାଜିକ ପରିସ୍ଥିତିକୁ ଧ୍ୟାନରେ ରଖି ରାଜ୍ୟ-ନିର୍ଦ୍ଦିଷ୍ଟ ଅଗ୍ରାଧିକାର ଯୋଡ଼ାଯାଇଛି।
କେନ୍ଦ୍ର ବଜେଟର ମୁଖ୍ୟ କୃଷି ଲକ୍ଷ୍ୟ (୨୦୨୬–୨୭) ରହିଛି ଚାଷୀ ଆୟ ବୃଦ୍ଧି, ଜଳବାୟୁ-ସହନଶୀଳ କୃଷି, ଡିଜିଟାଲ କୃଷି, କୃତ୍ତିମ ବୁଦ୍ଧିମତାଓ ଡାଟା-ଆଧାରିତ ଯୋଜନା ପ୍ରଣୟନ, ଶ୍ରୀଅନ୍ନ (ମିଲେଟ୍ସ), ଡାଲି, ତୈଳବୀଜ ଫସଲ ଉତ୍ପାଦନ, କୃଷି-ପ୍ରକ୍ରିୟାକରଣ, ଭଣ୍ଡାରଣ ଓ ମୂଲ୍ୟ-ଯୁକ୍ତ ଉତ୍ପାଦ ପ୍ରସ୍ତୁତି, ଅଧିକ ପରିମାଣର କୃଷି ଋଣପ୍ରଦାନ ଓ ସହଜରେ ଋଣପ୍ରଦାନ ବ୍ୟବସ୍ଥା I ଏଥିରେ ରହିଛି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଅଧିକ ଗୁରୁତ୍ବ,, ମାଣ୍ଡିଆ, ସୁଆଁ, କାଙ୍ଗୁ, କୋଦ, ବାଜରା ପରି କ୍ଷୁଦ୍ରଶସ୍ୟ (ଶ୍ରୀଅନ୍ନ ବା ମିଲେଟ୍ସ)କୁ ଚାଷ କରିବା ପାଇଁ ପ୍ରଚାର, ବନ୍ୟା, ସ୍ବଳ୍ପ ବୃଷ୍ଟି, ବାତ୍ୟାରୁ ଫସଲକୁ ସୁରକ୍ଷିତ ରଖିବାପାଇଁ ଜଳବାୟୁ-ସହନଶୀଳ ପଦକ୍ଷେପ, କେନାଲ ଜଳସେଚନ, ଅଣୁ-ଜଳସେଚନ, ଫସଲ ବୀମା, ଚାଷୀଙ୍କ ପାଇଁ ଆର୍ଥିକ ସୁରକ୍ଷା ତଥା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ କୃଷକ ଉତ୍ପାଦକ ସଙ୍ଗଠନ ମାଧ୍ୟମରେ ବିକ୍ରିବଟା ସହଯୋଗ I ଏହି ସମସ୍ତ ବିଷୟ ମଧ୍ୟ ଓଡିଶା କୃଷି ବଜେଟରେ ମୁଖ୍ୟ ପ୍ରସଙ୍ଗ ରହିବା ପ୍ରଣିଧାନ ଯୋଗ୍ୟ I ତେବେ,ମୁଖ୍ୟ ପାର୍ଥକ୍ୟ ହେଲା ଯେ,କେନ୍ଦ୍ର ବଜେଟ ଦୀର୍ଘମିଆଦୀତଥା ବୃହତ୍ତର ଢାଞ୍ଚା ପ୍ରଦାନ କରିଥିଲା ବେଳେ,ଓଡ଼ିଶା ବଜେଟ ତୃଣମୂଳସ୍ତରରେ ଯୋଜନାର ରୂପାୟନ ଉପରେ ଅଧିକ କେନ୍ଦ୍ରିତ ହୋଇଛି I
କିଛିଦିନ ତଳେ,କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟକୁ ଚିଠି ଲେଖାଯାଇ ଧାନ ସଂଗ୍ରହ ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଇନପୁଟ୍ ରିହାତି (ସବସିଡି)ନାମରେ ଆର୍ଥିକ ସହାୟତା ପ୍ରଦାନ ନ କରିବାକୁ କୁହାଯାଇଛି I କେନ୍ଦ୍ରରେ ଭାରତୀୟ ଜନତା ଦଳ ନେତୃତ୍ବରେ ଶାସନ କ୍ଷମତାରେ ଥିବା ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ସେହି ଦଳ ଶାସନ କରୁଥିବା ରାଜ୍ୟ ମାନଙ୍କୁ ଆସିବା ବାସ୍ତବରେ ହାସ୍ୟୋଦ୍ଦୀପକ I କାରଣ, ନିର୍ବାଚନ ପୂର୍ବରୁ ସେଇମାନେ ହିଁ ସଙ୍କଳ୍ପ ପତ୍ରରେ କହିଥିଲେ ଯେ, କ୍ଷମତାକୁ ଆସିଲେ ଏକ କୁଇଣ୍ଟାଲ ଧାନ ପିଛା ଏମଏସପି ଉପରେ ୮୦୦ ଟଙ୍କା ଇନପୁଟ୍ ରିହାତି ଦେବେ I ଏହାର କୁଫଳ ଏବେ ଓଡିଶାର ଚାଷୀ ଭୋଗ କରୁଛନ୍ତି I ଏତେ ଅଧିକ ଧାନଚାଷ ହେଉଛି ଯେ, ସରକାର ଧାନ କିଣିପାରୁ ନାହାନ୍ତି I ଅଣଧାନ ଚାଷ ପ୍ରଭାବିତ ହେଉଛିI ଶ୍ରୀଅନ୍ନ, ଡାଲି ଓ ଚିନାବାଦମ,ସୋରିଷ ରାଶି ଚାଷ ମୁଖ୍ୟତଃ କାଗଜପତ୍ରରେ ଚାଲିଛି I ଶୀତଳ ଭଣ୍ଡାର ନଥିବାରୁ, ଆଳୁ ଓ ପାରିବା ଚାଷ ଆଉ ହେଉନି Iନୀତି ଆୟୋଗକହୁଛନ୍ତି ଯେ, ଭାରତକୁ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିବାର କ୍ଷମତା ଓଡିଶା ପାଖରେ ରହିଛି, ଅଥଚ ଆମେ ଧାନ ଚାଷରେ ମାତିଛେ I ଦେଶର ମୋଟ ଚାଉଳ ରପ୍ତାନି ପ୍ରତି ଓଡିଶାର ଅବଦାନ ମାତ୍ର ୦.୪ ପ୍ରତିଶତ !
ମାଛ ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିବା ନିଶ୍ଚିତ ଭାବେ ଅଭିନନ୍ଦନୀୟ I ଏହି କ୍ଷେତ୍ର ଅଧିକ ପ୍ରୋତ୍ସାହନ ଆବଶ୍ୟକ କରେ I ଓଡିଶାରେ ୨୦୨୪-୨୫ରେ ୨୭.୧ ଲକ୍ଷ ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିଲା I ଏହା ଦେଶର ମୋଟ ଦୁଗ୍ଧ ଉତ୍ପାଦନର ମାତ୍ରା ୧.୧ ପ୍ରତିଶତ I ଗୁଗ୍ଧ ଉତ୍ପାଦନରେ ଅଭିବୃଦ୍ଧି ହାର ମାତ୍ର ୩.୪ ପ୍ରତିଶତ I ଗୋସମ୍ପଦ, ଚାରଣ ଭୂମି ଓ ଘାସ ଚାଷ ପାଇଁ ବଜେଟରେ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ନାହିଁ I ବୁଲା ଗାଈଗୋରୁ ଓ ଷଣ୍ଢ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା ନାହିଁ I ଜୈବ କୃଷି ପାଇଁ ଉଚ୍ଚତର ଗବେଷଣା ଓ ତାହାର ଫଳାଫଳ ଚାଷୀଙ୍କ ପାଖରେ ପହଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯାଇନାହିଁ I
ରାଜ୍ୟ ସରକାର ଚାଷୀମାନଙ୍କୁ ଅନ୍ନଦାତା ଏବଂ ଆମ ଅର୍ଥନୀତିର ମେରୁଦଣ୍ଡ ବୋଲି କହିଦେଇ ନିଜର କର୍ତ୍ତବ୍ୟ ଶେଷ କରି ଦେଲାଭଳି ଦେଖିବାକୁ ମିଳୁଛି । ଏପରିକି ବିରୋଧୀ ଦଳର ରାଜନେତାମାନେ ମଧ୍ୟ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବାର ଦେଖିବାକୁ ମିଳୁଛି Iଓଡ଼ିଶାର ଚାଷୀ ପରିବାରର ମାସିକ ଆୟ ସରକାରୀ ହିସାବରେ ୫,୧୧୨ ଟଙ୍କାରେ ପହଞ୍ଚିବା ପାଇଁ ଯେଉଁ ବିଜୁ ଜନତା ଦଳ ଦାୟୀ, ସେମାନେ ମଣ୍ଡି ଅବ୍ୟବସ୍ଥା, କଟନୀ-ଛଟନୀକୁ ବିରୋଧ କରୁଥିବା ବେଳେ, ସରକାର କାହିଁକି ଅଣଧାନ ଚାଷକୁ ଅଧିକ ଗୁରୁତ୍ବ ଦେଉ ନାହାନ୍ତି ତାହା ପ୍ରଶ୍ନ କରୁ ନାହାନ୍ତି I ୨୦୩୬ ମସିହାରେ ଓଡିଶା କିପରି ସମୃଦ୍ଧ ହେବ, ସେଥିରେ କୃଷି ଓ କୃଷକଙ୍କ ଅବଦାନ କ’ଣ ରହିବ, ତାହା ଉପରେ ଶ୍ବେତପତ୍ର ଦାବି କରୁ ନାହାନ୍ତି I
ରାଜ୍ୟ ସରକାର ଗତବର୍ଷ ଜୁନମାସରେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ୨୦୪୭ ବେଳକୁ ଓଡ଼ିଶାର ଚାଷୀଙ୍କ ଆୟ ସର୍ବୋଚ୍ଚ ଆୟ କରୁଥିବା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ଯ ମଧ୍ୟରୁ ଗୋଟିଏ ହେବ। କିନ୍ତୁ ଏଥିପାଇଁ ଆବଶ୍ୟକ ରୋଜଗାର ଫସଲ ଚାଷ,ଗୋପାଳନ, ମତ୍ସ୍ୟ ଚାଷ, ପଶୁ-ପକ୍ଷୀ ପାଳନ ଏବଂ ମଜୁରିରୁ ହିଁ ଆସିବ ।ଏହି ରୋଜଗାର ପାଇଁ କାମକରନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ଏବଂ ସମବାୟ ବିଭାଗ। ଏହି ତିନି ଵିଭାଗ ପାଇଁ ଓଡିଶା କୃଷି ବଜେଟରେ କରାଯାଇଥିବା ବ୍ୟୟ ବରାଦ ଗତ ବର୍ଷ ତୁଳନାରେ ମାତ୍ର ୦.୮୯ ପ୍ରତିଶତ ଅଧିକ । ମୁଦ୍ରାସ୍ଫିତି ବୃଦ୍ଧିହାର ୪ ପ୍ରତିଶତରୁ ଅଧିକ ରହୁଥିବାରୁ, ଦେଖିବାକୁ ଗଲେ, ବ୍ୟୟବରାଦ କମିଥିବା ସ୍ପଷ୍ଟ Iଏଥିରେ ଆମେ ୨୦୪୭ ବେଳକୁ ଚାଷୀର ଆୟ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ଆୟ କରୁଥିବା ୫ଟି ରାଜ୍ୟ ମଧ୍ୟରେ ଅନ୍ୟତମ କିପରି ହୋଇ ପାରିବା? ସାମଗ୍ରିକ ଭାବେ ଚଳିତ ସାଧାରଣ ବଜେଟରେ ମୋଟ ବ୍ୟୟ ବରାଦ ଅଭିବୃଦ୍ଧି ହାର ମାତ୍ର ୬.୯ ପ୍ରତିଶତ। ଅନ୍ନଦାତାଙ୍କୁ ଆମେ କିଭଳି ବାର୍ତ୍ତା ଦେଉଛେ ?
ଚଳିତ ଆର୍ଥିକ ବର୍ଷର (୨୦୨୫-୨୬) ତୃତୀୟ ତ୍ରିମାସିକ ଶେଷ ବେଳକୁ ବଜେଟରେ ବରାଦ ହୋଇଥିବା ବ୍ୟୟର ୨୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିନାହିଁ। ବିଭିନ୍ନ ବିଭାଗକୁ ଫେବୃଆରୀ ମାସ ୨୭ ତାରିଖ ସୁଦ୍ଧା ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛିIଖର୍ଚ୍ଚ କରି ନପାରିଲେ, ବିଭାଗ ମାନଙ୍କୁ ଅର୍ଥରାଶି ଫେରାଇବାକୁ କୁହା ଯାଇଛି। ଏହା ଅତ୍ଯନ୍ତ ଗମ୍ଭୀର ପ୍ରସଙ୍ଗ I ସରକାର ବଜେଟ ପ୍ରସ୍ତାବରେ ୩୩ ହଜାର କୋଟି ଟଙ୍କା ରାଜସ୍ୱ ବଳକା ରଖିଥିଲେ ବି ଖାଲି ଥିବା ପଦବୀ ପୂରଣ କରୁନାହାନ୍ତି । କର୍ମଚାରୀଙ୍କ ଅଭାବରୁ ପୁଞ୍ଜି ଖର୍ଚ୍ଚ ହୋଇ ପାରୁନି I ଅଥଚ ବଜେଟରେ ପୁଞ୍ଜି ବ୍ୟୟବରାଦ ବଢ଼ାଇ ସରକାର ବାହା ବାହା ନେଉଛନ୍ତି । ଆବଶ୍ୟକ ସଂଖ୍ୟକ ନିୟମିତ ଦାୟିତ୍ବବାନ କର୍ମଚାରୀ ନଥିବାରୁ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ।ବିକାଶ ବାଧାପ୍ରାପ୍ତ ହେଉଛି। ରାଜସ୍ୱ ବଳକା ନକରି କର୍ମଚାରୀ ନିଯୁକ୍ତି କରିବା ଜରୁରୀ ମନେହୁଏ I ଏଠାରେ ‘ଶୋଲେ’ ଚଳଚିତ୍ରର ଏକ ଦୃଶ୍ୟ ପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରୁଛୁ I‘ଅଙ୍ଗ୍ରେଜ୍ ଜମାନା’ର ଜେଲର୍ ଅସରାନୀ ଜେଲ୍ ଭିତରେ ସୁଡଙ୍ଗ ଖୋଳାଯାଇଥିବାର ଖବର ପାଇ ତଦନ୍ତରେ ଆସନ୍ତି I ତାଙ୍କ ପଛରେ ଥିବା ୧୦ ଜଣ ସିପାହୀଙ୍କୁ ସେ ଆଦେଶ ଦିଅନ୍ତି, “ ଆଧେ ବାୟେଂ, ଆଧେ ଡାଇନେ, ବାକି ମେରେ ପିଛେ” ! ଆଦେଶ ପାଳିତ ହୁଏ, କିନ୍ତୁ ଦେଖିଲା ବେଳକୁ ଜେଲରଙ୍କ ପଛରେ ଜଣେ ବି ସିପାହୀ ନଥାଆନ୍ତି Iସେହିପରି ଆମ ରାଜ୍ୟର କୃଷି ବଜେଟ୍ I ଅନେକ ସ୍ବପ୍ନ, ରାତି ନଅଣ୍ଟ ଭଳି, ଅନେକ ଯୋଜନା, ମାନବ ସମ୍ବଳ କିନ୍ତୁ ନାହାନ୍ତି I ବିଶେଷ କରି କୃଷି, ଉଦ୍ୟାନ, ଜଳସେଚନ, ମତ୍ସ୍ୟ, ପଶୁପାଳନ ବିଭାଗରେ ଆବଶ୍ୟକ ବୈଷୟିକ ମାନବ ସମ୍ବଳ ନାହାନ୍ତି I ନିର୍ଦ୍ଦେଶକମାନେ ପ୍ରଶାସନିକ ଅଧିକାରୀ, କେହି ବି ବୈଷୟିକ ବିଶେଷଜ୍ଞ ନୁହନ୍ତି I ବଜେଟକୁ ଅନୁଧ୍ୟାନ କଲେ, ଏହା ଚାଷୀ କିମ୍ବା ଚାଷ ସହିତ ସମ୍ବନ୍ଧିତ ବ୍ୟକ୍ତିଙ୍କ ଦ୍ବାରା ପ୍ରସ୍ତୁତ ନହୋଇ, ଏହି ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ପ୍ରସ୍ତୁତ ହୋଇଛି I
ଅର୍ଥମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ,ବିଭାଗୀୟ ସଚିବ,ବିଭାଗୀୟ ମୁଖ୍ୟ ଓ ପ୍ରକୃତ କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ବିଭାଗର ସ୍ଥାନୀୟ ମୁଖ୍ୟମାନେ ନିୟମିତ ସମୀକ୍ଷା କରି ତଳସ୍ତରରେ ବରାଦ ହୋଇଥିବା ଅର୍ଥ କିପରି ଖର୍ଚ୍ଚ ହେଉଛି ଦେଖନ୍ତି ନାହିଁ I ଏଥିପାଇଁ କ୍ଷେତ୍ର ଅଧିକାରୀଙ୍କ ପରାମର୍ଶ ନିଅନ୍ତି ନାହିଁ କିମ୍ବା ସେମାନଙ୍କୁ ତାଗିଦ କରନ୍ତି ନାହିଁ।ଯଦି ଏହିପରି ଚାଲେ ବଜେଟରେ ବ୍ୟୟବରାଦ ହେଉଥିବ ଏବଂ ସରକାର ବାହା ବାହା ନେଉଥିବେ ଅଧିକ ବ୍ୟୟବରାଦ କରିଛନ୍ତି ବୋଲି ,କିନ୍ତୁ ଆଶାନୁରୂପ ବିକାଶ ହେବ ନାହିଁ। ୨୦୩୬ ବେଳକୁ ଆମେ ଆତ୍ମ ନିର୍ଭର ହେବାସ୍ୱପ୍ନ ସଫଳ ହେବନାହିଁ।
୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
